ଆଶା ତମସା ଲେଖକ/କବି: ରବି କାନୁନ୍‌ଗୋ
ନିରୀହ

ବହୁ ଲକ୍ଷଣରୁ ଜଣାଯାଏ ଯେ ପଦ୍ମପରାଗ ଅଧିକାରୀ ଜଣେ ନିରୀହ କିସମର ଲୋକ । ନିର୍ବୋଧ ନୁହଁନ୍ତି । ସମ୍ମାନର ବଞ୍ଚିବାକୁ ପସନ୍ଦ କରନ୍ତି । ମାଗି ଚଳିବା, ଲାଞ୍ଚ ନେଇ ଧନୀ ହେବା, ଚୋରି କରି ଗୁଜରାଣ ମେଣ୍ଟେଇବା ବା ଉଧାର କରି ଆଡମ୍ବର ଦେଖେଇବା ପ୍ରକୃତି, ବୋଲନ୍ତୁ ତାଙ୍କ ଧାତୁରେ ନାହିଁ । ଏମିତି ସରଳଭାବେ ବଞ୍ଚୁଥିବା ଲୋକର ସବୁଠୁ ଅଧିକ କ’ଣ ଦରକାର? ସହଜ ସୁନ୍ଦର ପରିବେଶଟିଏ । ସାକାର ହୋଇପାରୁ କି ନା, ସେଥିରେ ଥାଇ ସେ ଢ଼େର କିଛି ସ୍ୱପ୍ନ ଦେଖିବ । ଭୋଗିଥିବା ଅବସାଦର ଗୋପନ ତାଲିକା ତିଆରି କରୁଥିବ । ତାକୁ ଅନେଇ ଓ ତଉଲି ଛୁଆପିଲାଙ୍କୁ ଅଧିକ ସଫଳ କରିବାକୁ ଚାହିଁବ କିମ୍ବା ତିଆରିବ । ‘ବାଳକାଳୁଁ ଧନ ଧର୍ମ ଅର୍ଜିବୁରେ ଗେଡ’ ଛୁଆଦିନୁ ରଟିରଟି ବଡ ହୋଇଥିଲେ ମଧ୍ୟ ସଂସାର ହାବୁଡିଲାବେଳକୁ ଯେତେବେଳେ ଦେଖେ ଯେ ଦୁଇଟିଯାକ ଜଞ୍ଜାଳର କାରଣ, ସେ ଉଭୟର ସଂଶୋଧିତ ରୂପଟିଏଲେଖା ତିଆରି କରେ । ସେତିକି ଅର୍ଥ ଇଚ୍ଛିବ ଯେଉଁଥିରେ ହରକତ ନ ଥାଇ ବା ନିରୀହପଣ ବାହେଲ ରହିବା ୱାଜିବ । ଏବଂ ସେତିକି ଧର୍ମ ପାଳିବ ଯେଉଁଥିରେ ସଂସ୍କାର ଓ ଶିଷ୍ଟାଚାର ସହିତ ନିଜେ ଯୋଡି ହୋଇ ସେ ରହି ପାରୁଥିବେ । ନଇବାଲିରୁ ଖୁଣ୍ଟିନାଣ୍ଟି ଅବରଖ ରେଣୁ ଗୋଟେଇଲା ପରି ପେଟ ପୋଷି ସାରିବା ପରେ ବଳକା ସମୟ ଖର୍ଚ୍ଚ କରି ସେ ଯତ୍କିଞ୍ଚିତ୍ ସାମାଜିକ ସମ୍ମାନ ନାମକ ଏକ ମଧ୍ୟବିତ୍ତ ଧାରଣା ଗୋଟେଇ ଚାଲିବ । ପଦ୍ମପରାଗ ଠିକ୍ ସେମିତି । ଏହିପରି ବିଶ୍ୱାସର ଚାରିପଟେ ସେ ଜହ କିନ୍ଦ୍ରୁ ଥା’ନ୍ତି । କୋଉ କୋଡିଏ ବର୍ଷ ତଳେ ସାକ୍ଷାତ୍କାର ମାଧ୍ୟମରେ ସେ ଚାକିରି ପାଇଁ ବଛା ହୋଇଥିାଲ । ସୁପାରିଶ ବା ବ୍ୟାଙ୍କିଙ୍ଗ ଯୁଗ ଭିତରେ ବି ସେପରି କିଛି ତାଙ୍କର ଦରକାର ହୋଇ ନ ଥିଲା । ତେଣୁ ସେ ଧରି ନେଲେ ଯେ ଧର୍ମ ଅଛି । ସେଇ ଧର୍ମର ବଳ ବଢ଼େଇବା ଲାଗି ସେ ଠିକ୍ ସମୟରେ ଅଫିସ ପହଞ୍ଚନ୍ତି । ଫୁରସତ୍‌ହୀନଭାବେ ସବୁ କାମ କରନ୍ତି । ଅନ୍ୟର ସିରସ୍ତା କାମକୁ ମଧ୍ୟ ହାତ ବଢ଼େଇ ଦିଅନ୍ତି । ସେଥିପାଇଁ ତାଙ୍କ ମନରେ ଭିତରେ କିଛି ନିଆରାପଣ ଉପୁଜେନି କି ଅହଂକାର ଆସେନିତାଙ୍କ ଦପ୍ତରର ପ୍ରତ୍ୟେକ ଚେୟାର ହାତଚିକ୍କଣିଆ ଓ ପଦ୍ମପରାଗ ସେଠି ହେଡକ୍ଳର୍କ । ବାଆ ହେଲେ ଆଉମାନଙ୍କ ନୀଡ ସିନା ଉଯୁଡ଼ି ଯାଏ, ହେଲେ ବାଇଚଢ଼େଇ ତ ଦୋଳି ଖେଳେ । ତା’ର ବାଆ ବତାସରେ ଯାଏ କେତେ ନା ଆସେ କେତେ? ଏହା ହେଉଛି ପଦ୍ମପରାଗଙ୍କ ବଞ୍ଚିବା ଶୈଳୀ ଏବଂ ଏପରି ମାନସିକତା ସହ ସେ ସନ୍ତୁଷ୍ଟ ରହିଥା’ନ୍ତି ।

ଦିନେ ସନ୍ଧ୍ୟାରେ ପହଞ୍ଚି ଦେଖନ୍ତି ଘର ହୁଲସ୍ତୁଲ । କଲେଜପାଠୁଆ ଝିଅକୁ ବାଟରେ ଦୁଇତିନିଟା ଟୋକା ଟିଜିଙ୍ଗ୍ କରୁଛନ୍ତି । ମାତ୍ରା ହୁଡ଼ିଲା ପରେ ତାହା ତାଙ୍କ ନଜରକୁ ଆସିଛି । ଅନ୍ୟଥା ଯାଇତାଇ କଥା ଭାବି ଆଗରୁ ଝିଅ ମା’ଙ୍କୁ କହି କାମ ସାରି ଦେଉଥିଲା । ବୁଝିଳା ବେଳକୁ, ଛତରାମାନଙ୍କ କିଙ୍ଗ୍‌ପିନ ହେଉଛି ଜଣେ ବିଧାୟକଙ୍କ ପୁଅ । ପଦ୍ମପରାଗ ଭାବିଲେ, ପୁଲିସ ପାଖକୁ କାହିଁକି ଯିବି ? ନାନା ବାହାନା ଦେଖିବି । ଆଇନ୍‌ର ଗୋଦାମରଦ୍ଦି ବ୍ୟାଖ୍ୟାମାନ ଶୁଣିବି । ରୋଚକ ଖବରଟିଏ ଭାବି, ଏକଥା ପୁଲିସଠାରୁ ଶୁଣି ଖବରକାଗଜବାଲାଏ ପ୍ରଚାର କରିବେ । ଅକାରଣରେ ସୁନାଝିଅଟା ଅହଲ୍ୟାରେ ପରିଣତ ହେବ । ମାତ୍ର ଝିଅ ଭଲ ପଢୁଥିଲା । ଅନ୍ୟ ଉପାୟ ନପାଇ ଝିଅର ପାଠପଢ଼ା ବନ୍ଦ କରି ବାପ-ମା ତାର ବାହାଘର ସନ୍ଧାନରେ ଲାଗିଲେ ।

ବ୍ଳାକ ଏଣ୍ଡ ହ୍ୱାଇଟ୍ ଟଭିଟିଏ କିଣିଥିଲେ । ମାସେ ବି ଠିକ୍ ଚାଲିଲାନି । ଦୋକାନୀ ପାଖକୁ ନେଇଗଲେ । ସେ ୱରଣ୍ଟି ଓ ଗ୍ୟାରେଣ୍ଟି ଭିତରେ ଥିବା ଅର୍ଥର ତାରତମ୍ୟ ବୁଝାଇଲା । ଟିଭି ଠିକ୍ କଲାନି । ଯେମିତି ନେଇଥିଲେ ତାହା ସେମିତି ଘରକୁ ଫେରାଇ ଆଣିାଲ । ଦୋକାନୀ କହିଲା, “ଆଜିକାଲି ବ୍ଳାକ୍ ଏଣ୍ଡ ହ୍ୱାଇଟ କିଏ କିଣୁଛନ୍ତି ଯେ ଆପଣ ଆମକୁ ଅଯଥାରେ ହଇରାଣ କରୁଛନ୍ତି ।” ପଦ୍ମପରାଗ ଖାଉଟି ଅଦାଲତକଥା କହିଲେ । ଦୋକାନୀ ହସିଲା । ଓକିଲ ପାଖକୁ ଯାଇ ବୁଝିଲେ । ଟି.ଭି.ମୂଲ୍ୟ ଠାରୁ କୋର୍ଟ ଖର୍ଚ୍ଚ ତାଙ୍କୁ ଅଧିକ ଲାଗିଲା । ନିଜ ମନକୁ ବୁଝେଇ ଦେଲେ । ଆମ ପୂର୍ବ ପୁରୁଷ କୋଉ ଟି.ଭି.ଦେଖୁଥିଳେ କି !

ପେଟ୍ରୋଲ ପମ୍ପବାଲା ସରକାରୀ ମାପ-ଓଜନ ବିଭାଗ ସହିତ ସଲାସୁତୁରା କରି ଫି ଲିଟରରେ ଦେଢ଼ଶହ ମାରି ଦେଉଛି । ମାଇଲେଜ୍ କାହିଁକି କମ୍ ଦେଉଚି? ବିଭାଗୀୟ ସାର୍ଟିଫିକେଟ ଦେଖେଇ କହିଲା – ଗାଡ଼ି କମ୍ପାନୀକୁ ପଚାର ।

ସ୍କୁଲର ବରାଦ ଅନୁଯାୟୀ ଏକ ନିର୍ଦ୍ଧିଷ୍ଟ ଦୋକାନରୁ ପୁଅ ପାଇଁ ଖାତା କିଣିବାକୁ ସେ ବାଧ୍ୟ । ସେଠି ଯାଇ ଦେଖନ୍ତି ଯେ ଖାତାର କୌଣସି ବୈଶିଷ୍ଟ୍ୟ ନଥାଇ ଖଣ୍ଡ ପିଛା ବଜାରଦରରୁ ତିନି ଟଙ୍କା ଅଧିକ । ଏମିତି କାହିଁକି ? ଦୋକାନୀ କହିଲା, ଶିକ୍ଷାବର୍ଷ ଆରମ୍ଭରେ ଆମେ ଯେ ପ୍ରିନ୍ସିପାଲଗୁଡ଼ାଙ୍କୁ ଚାଳିଶ ପଚାଶ ହଜାର ଦେଉ । ଆଣିବୁ କୋଉଠୁ?

ଦୁଧବାଲା ଶୁଦ୍ଧ କ୍ଷୀର ପାଇଁ ପଇସା ନେଉଛି ଅଥଚ ପାଣି ମିଶେଇ ଠକୁଛି । ତେଜରାତି ଦୋକାନୀ ବଟକରା ପାଲିସ କରି ଓଜନରେ ଠକୁଚି । ପୁଅ ପାଇଁ ଡ୍ରାଇଭିଙ୍ଗ୍ ଲାଇସେନ୍ସ କରିବାକୁ ଗଲେ ଯେ ଆର.ଟି.ଓ. ଅଫିସର ପାନଖିଆ ଘୋରା ନାଲି ଦାନ୍ତ ଦେଖେଇ କିରାଣି କହିଲା, “ଅଲେଖା ଅଧିକା ଦି ଶହ ପଡ଼ିବ । ଆପଣଙ୍କ ଅଫିସ ରେଟ୍ ଆମ ରେଟ୍ ଏକା ଆଜ୍ଞା । ହି ହି ହି, ବୁଝୁଥିବେ ଯେ । ଉପରୁ ତଳ ଚାରିଆଡ଼େ ଦିଆନିଆ କରିବାକୁ ପଡୁଚି । ଗୀତାରୁ ଦି’ଧାଡ଼ି ମନେ ପକୋଉ ନାହାନ୍ତି । ନିଜେ ବଞ୍ଚିଲେ ମହୀ । ମଲେ ସ୍ୱର୍ଗ । ଭାବିବାକୁ ସିନା ସ୍ୱର୍ଗ, ହେଲେ ବଞ୍ଚିବାକୁ ତ ମହୀ ନା । ଆଜ୍ଞା, କ’ଣ କରିବା?”

ସିଜିନ୍‌ଚେଞ୍ଜ ବେଳେ ପତ୍ନୀଙ୍କର ଟିକେ ଅକଡ଼ିଆ ଥଣ୍ଡା ହୋଇଥିଲା । ଡାକ୍ତରଙ୍କ ପାଖକୁ ଗଲେସିଏ ଓଷଦ ଦବା ଆଗରୁ ପରୀକ୍ଷା ପରୀକ୍ଷାରେ ହଜାରେ ଏଗାର ଶ’ ଟଙ୍କା ଖର୍ଚ୍ଚ କରାଇ ଦେଲେ । ପୁଣି, ଶରୀରରେ ରୋଗମାନଙ୍କ ଭୟାନକ ସ୍ଥିତି ଓ ଉତ୍ପାତର ସମ୍ଭାବନା ବର୍ଣ୍ଣନା କହିଲେ, “ଟିକେ ସିଟି ସ୍କାନ୍ କରିଦେବା ।” ଠାକୁରଙ୍କ ଦୟାରୁ ତାଙ୍କ ଦେହ ଭଲ ହୋଇଗଲା । ନହେଲେ ଆଉରି ତିନି ଚାରି ହଜାର ଯାଇଥା’ନ୍ତା ।

ପୈତୃକ ଘରେ ରହୁଥାନ୍ତି । ବିଜୁଳି ବିଲ କମେଇବାକୁ ଲାଇନମ୍ୟାନ ପତ୍ନୀଙ୍କୁ କହିଚି, “ମାସକୁ ମୋଟେ ପଚାଶଟା ଟଙ୍କା ଫିକ୍ସ କରି ଦିଅନ୍ତୁ । ମିନିମମ୍ ବିଲ୍ କରିନେବା । ଛାତିରେ ଛେପ ପକେଇ ଯେତେ ଇଚ୍ଛା ସେତେ ବିଜୁଳି ଖର୍ଚ୍ଚ କରିବେ ।”

“କିହୋ, ବିଜୁଳି କ’ଣ ଆଚାର ନା ଗୋଲଗୋପ୍ପା ଯେ ଇଚ୍ଛା କଲେ କିଏ ସେଥିରୁ ଅଧିକା ଖାଇ ପାରିବ ।” ପଦ୍ମପରାଗ ପ୍ରସ୍ତବରେ ରାଜି ହେଲେନାହିଁ ।

ପୁଅଠୁଁ ଶୁଣିଲେ ସାର୍ କହିଛନ୍ତି, ଟିଉସନ ନ ହେଲେ ପରୀକ୍ଷାରେ ଭଲ ହେବା ଅସମ୍ଭବ । ମାସକୁ ମୋଟେ ଅଢ଼େଇ ଶହ ଟଙ୍କା । ଏହିପରି ଆହୁରି ଅନେକ ଫିସାଦ୍ ଫରିବ୍‌ର ଏନ୍ସାଇକ୍ଳୋପିଡିଆ । ପୁଅ କହିଲା – ସାର୍‌ଙ୍କର ବଢ଼ିଆ ହାତ ଅଛି । ପଦ୍ମପରାଗ କହିଲେ, “ମୁଣ୍ଡ ଥିବା ସାର୍ ମାନେ ଯେବେ ମିଳିବେ ସେତେବେଳେ ତୁ ଟିଉସନ ହବୁ । ଏଣିକି ପ୍ରତି ସନ୍ଧ୍ୟାରେ ମୁଁ ବସିବି । ତୁ ପଢ଼ିବୁ ।”

ପୂର୍ଣ୍ଣମୀ ସୂର୍ଯ୍ୟ ଉଦୟ ଠାରୁ ଶୁକ୍ଳ ଚତୁର୍ଦଶୀର ଚନ୍ଦ୍ରାସ୍ତ ପର୍ଯ୍ୟନ୍ତ ତାଙ୍କ ଚାରିପଟେ ଘୁରୁଥିବା ପୃଥିବୀକୁ ସେ ଦି’ନ୍ ଦେଖୁଥା’ନ୍ତି । ଜରକୁ ଏତେ ଲୋକ ଠକିଲେ ସେ କରିକ କ’ଣ? ଅଭିମନୁ୍ୟ ତ ବରଂ ଭଲରେ ମରିଥିଲା । ଅତି ଭଲ ହେଲେ ମଣିଷ ଏକଲା ହୋଇଯିବା ଡର ସବୁଠୁଁ ଅଧିକ । ଏମିତି ଭାବୁଥିବା ବେଳେ ପତ୍ନୀ କହିଲେ, “ଯା ମ’, କ’ଣ ଟିକେ ପରିବାପତ୍ର ଆଣିବ । ରୋଷେଇ କଲେ ଖାଇ ତମେ ପୁଣି ଅଫିସ ଯିବ ଟି?”

ପଦ୍ମପରାଗ ବାହାରିଲେ । ମଧ୍ୟବୟସ୍କା ଆଦିବାସୀ ସ୍ତ୍ରୀଲୋକଟିଏ ବାଇଗଣ, ଟମାଟୋ ବିକୁଛି । ଏଥିରୁ କିଲେ, ସେଥିରୁ କିଲେ ଆଣିବା ସକାଶେ ସେ ବଛାବଛି କଲେ । ସ୍ତ୍ରୀଲୋକଟି ତରାଜୁରେ ଓଜନ ବହକେଇ ଦେଇଦେଲା । ତାଙ୍କୁ ଏହା ବ୍ୟତିକ୍ରମ ପରି ଲାଗିଲା । ପଚାରିଲେ, “ତୁ ମତେ ଏତେ ଅଧିକ କାହିଁକି ଦେଲୁ?”

ତମେ ମୂଳଚାଲ କଲନି ଯେ । ଆମେ ଆଜ୍ଞା ନିରୀହ ଲୋକ । ପେଟ ପୋଷିବାକୁ ଚାଷ ବି କରୁଚୁ, ବେପାର ବି କରୁଚୁ । ଗୋଟେ ଦି’ଟା ପକେଇ ଦେଲି ।” ପଦ୍ମପରାଗଙ୍କ ଖସଡ଼ା ଜୀବନ ଅକସ୍ମାତ ଅଟକି ଗଲାପରି ଲାଗିଲା । ସେ ଭାବିଲେ – ତଥାପି ସେ ନିରୀହ ରହିବା ଉଚିତ କି?