ଗୋବର ଗୋଟେଇ  (୧୯୩୦) 
ଲେଖକ/କବି: ଚକ୍ରଧର ମହାପାତ୍ର
ଗୋବର ଗୋଟେଇ

ଶ୍ରୀମାନ ଚକ୍ରଧର ମହାପାତ୍ର



"ଗୋପାଦ ୨ "



ପ୍ରକାଶକ ଓ ପୂର୍ଣ୍ଣ ସତ୍ତ୍ୱାଧିକାରୀ
ଭାରତୀ ରପବନ ସଂଘ
ଦିଲ୍ଲୀ
୧୯୩୦


ବର୍ତ୍ତମାନ କାଳର ଯେଉଁ ସମାଜ ସଂସ୍କାରକ
ଭାଇଭଉଣୀ ସମାଜ ବନ୍ଧନ ଏଡି
ସତସାହସ ସହିତ
ଅସବର୍ଣ୍ଣ ବିବାହ କରିଅଛନ୍ତି
ଏବଂ ଯାହାଙ୍କ ପ୍ରେରଣାରେ ଏହି ପୁସ୍ତକ ଲିଖିତ,
ତାଙ୍କୁ ନମସ୍କାର ପୂର୍ୱକ
ନିବେଦନ





୧ମ ସଂସ୍କରଣ ୧୦୦୦ ଖଣ୍ଡ ୧୦୩୭
ଗୋବର ଗୋଟେଇ

ଅନ୍ଧାର ରାତି- ତଳେ କାଦୁଅ- ଉପରେ ମେଘ । ବରଷାର ଧାରା ଗୋଟିଏ ମୁହୂର୍ତ୍ତପାଇଁ କେବେ ହେଲେ ଅଟକି ନାହିଁ । ଘଡ଼ଘଡ଼ି ଚଡ଼ଚଡ଼ିରେ ପୃଥିବୀ କମ୍ପି ଉଠୁଛି । ବେଳେବେଳେ ବିଜୁଳି ମାରିଦେଲେ ଦିଶୁଚି- ସଡ଼କ ଉପରେ ଆଣ୍ଠୁଏ ଉଚ୍ଚରେ ପାଣିଧାର, ବିଲ ବାଡ଼ି ସବୁ ଜଳମୟ । ବାଟୁଆ ଲୋକ ସଞ୍ଜବେଳେ ମେଘକୁ ଦେଖି କେବେ ବୁଝି- ନ ଥିଲା ଯେ- ଏତେ ପାଣି ମେଘ ସାଇତି ରଖିଚି, ଆଜିପାଇଁ ବୋଲି । ଚାରିଦିନ ହେଲା ମେଘ ଧରିଥିଲା, କିଏ ଜାଣେ, ଆଜି ଏବେ ଭୂଷଣ୍ଡ ପାହାର ପାଣି ଅଜାଡ଼ି ଦେବ? ଖାଲି ବର୍ଷା ହେଲେ ବାଟୋଇ ଏତେ ଅଡ଼ୁଆରେ ପଡ଼ି ନଥାନ୍ତା- ଘନ ଘନ ଚଡ଼ଚଡ଼ି ସ‌ହିତ କୁଆପଥର ବର୍ଷା- ପୁଣି ତା ସାଥିରେ ପ୍ରବଳ ପବନ । କେଉଁଟି ମଣିଷ ସ‌ହିବ? ଗୋରୁଗାଈ ଗୋଠରୁ ଫେରି ନ ପାରି କିଏ କୁଆଡ଼େ ଯେ ଗଲେ ତାର ପତା ଗଉଡ଼ ବିଚରା ପାଇ ନାହିଁ- ସେ ତା'ପ୍ରାଣ ବଞ୍ଚାଇବା ପାଇଁ ଗଛମୂଳ ଆଶ୍ରା ଧରି ଏ ପାଖ ସେ ପାଖ ହେଉଚି । ଏ ବର୍ଷା କାହାର ଇଜ୍ଜତ ମହତ ଆଜି

ରଖି ନାହିଁ- ସେ ବାଟୋଇ ଭିତରେ ଧନି-ଦରିଦ୍ର, ରାଜା ପ୍ରଜା ଭେଦ ଠୁଳେ ମାତ୍ର ରଖି ନାହିଁ- ତା ଦେଖନ୍ତାରେ ସଭିଏ ସମାନ ।

ସାଇଁ ପାଇଁ ବର୍ଷାଭିତରେ ଆଶ୍ରା ବିଶ୍ରା କିଛି ନପାଇ ଡିପୋଟି ଶ୍ୟାମସୁନ୍ଦର ବାବୁ ତିନ୍ତି ତିନ୍ତି ସାଇକେଲଟିକୁ ଧରି ଆଣ୍ଠୁଏ ପାଣିରେ ସଡ଼କ ଉପରେ ଚାଲିଚନ୍ତି । ତାଙ୍କର ବେଶ ପୋଷାକ ଭିତରେ ମୁଣ୍ଡରେ ବିଲାତି ହ୍ୟାଟ୍, ଖଣ୍ଡେ ହାଫ୍ ପେଣ୍ଟୁଲନ୍, ଦେହରେ କାମିଜ, କୋଟ- ଆଖିରେ ଚସମା, ଗୋଡ଼ରେ ଜୁତା, ମଉଜା । ଦେହରେ ଶୁଖିଲା ହୋଇ ଖଣ୍ଡିଏ କନା ସୁଦ୍ଧା ନାହିଁ । ମୁଣ୍ଡ ଟୋପିଟି ଯୋଗେ ଯେ ସେ କୁଆପଥରରୁ ଟିକିଏ ରକ୍ଷା ପାଇଚନ୍ତି ଏତିକି ସୌଭାଗ୍ୟ ! ବାଟରେ କେଉଁଠି ଗୋଟିଏ ଗଛ ଥିଲେ ଯେ ସେ ଏପରି ଚାଲନ୍ତେ ତାହା ନୁହେଁ- ଅନ୍ଧାର ଭିତରେ ବିଜୁଳି ଆଲୁଅରେ ସେ କେତେଥର ଦେଖିଲେଣି- ଗୋଟିଏ ବୋଲି ଗୋଟିଏ ଗଛ ଦିଶୁ ନାହିଁ । ପ୍ରାୟ ଅଳ୍ପ ବାଟ ପର୍ଯ୍ୟନ୍ତ ସାଇକେଲର ବତୀଟି ଥିଲା, ତାହା କେତେବେଳୁ ଲିଭିଗଲାଣି । ଆଜି ତାଙ୍କ ପ୍ରାଣରେ ଠୁଳେ ମାତ୍ର ଆଶା ନାହିଁ । ବାଟ ଭୁଲ କରିଚନ୍ତି ବୋଲି ମଧ୍ୟ ତାଙ୍କର ହେତୁ ନାହିଁ । ସେ ସିରିସିରି ବର୍ଷାଭିତରେ ଚାଲିଛନ୍ତି ।

ବିପଦ ଅଇଲା ଦିନ ସେ ଗୋଟିଏ ହୋଇ ଆସେ ନାହିଁ- ଦଶଟି ହୋଇ ଆସେ । ଶ୍ୟାମସୁନ୍ଦର ବାବୁ ପାଣିରେ ଥଳକୂଳ କିଛି ଦେଖିବାକୁ ନ ପାଇ ଚାଲିଚାଲି ଜଡ଼ଜଡ଼ ହୋଇଗଲେ । ବିଜୁଳି ଆଲୁଅରେ ତାଙ୍କୁ ଦୂରରେ ଗୋଟିଏ ଥୁଣ୍ଟା ଆମ୍ବଗଛ ଦିଶିଲା । ସେ ଆନନ୍ଦରେ ଆତ୍ମହରା ହୋଇ 'ଆଃ ବଞ୍ଚିଲି' ବୋଲି କ‌ହି ସେ ଗଛମୂଳକୁ ଯାଇ ଗଛମୂଳରେ ସାଇକଲ୍‌ଟି ଆଉଜାଇ ଦେଇଛନ୍ତି ତାଙ୍କୁ ଶୁଭିଲା ମଟ୍ ମଟ୍ ମଟ୍ । ପବନ ଘୁ ଘୁ ଚାଲିଛି- ବର୍ଷା ସର୍‌ସର୍ ପଡ଼ୁଚି- କୁଆପଥର ଖଡ଼ ଖାଡ଼ ହୋଇ ଗ‌ଦା ହେଉଚି । ତା ଭିତରେ ଏପରି ମଟ୍ ମାଟ୍ ଶୁଣି ସେ

ଚମକିପଡ଼ି ନିମିଷକେ ସଡ଼କ ଉପରକୁ ଉଠି ଅଇଲେ । ବୁଦ୍ଧିମାନ୍ ଲୋକ ନହୋଇଥିଲେ ଆଜି ସେ ଏଇଠି ଶେଷ ହୋଇଥାନ୍ତେ । ନିମିଷକେ ଗଛଟା ଘୋର ଗର୍ଜନକରି ଭାଙ୍ଗି ପଡ଼ିଲା । ଭାଙ୍ଗିପଡ଼ିବା ସଙ୍ଗେ ସଙ୍ଗେ ସେ ଦେଖିଲେ ଗୋଟାଏ କି ଆଲୋକଶିଖା ଦପ୍ ଦପ୍ କରୁଚି । ତାଙ୍କ ମନ ବଡ଼ କୌତୂହଳୀ ହେଲା ତାହା ଦେଖିବାପାଇଁ । ସେ ଭାବିଲେ, ଯାହା କ‌ହନ୍ତି ପୁରୁଣା ଗଛମାନଙ୍କରେ ସବୁ ଦେବତା ଥାନ୍ତି- ଏ ସେଇ ନୁହେଁ ତ ? ତେବେ ତାଙ୍କର ସେଥିରେ ଅବିଶ୍ୱାସ ଥିଲା । ବିଶ୍ୱାସ ଥାଉକି ଅବିଶ୍ୱାସ ଥାଉ ସାଇକେଲ ଖଣ୍ଡ ଅଛିକି ନାହିଁ ଏବଂ ଏ ଆଲୋକଟା କଣ, ପରୀକ୍ଷା କରିବାପାଇଁ ଧୀରେ ଧୀରେ ତଳକୁ ଖସି ଦେଖିଲେ, ଗଛତଳେ ସାଇକଲ୍‌ଟି ଗୁଣ୍ଡ ହୋଇଚି । ବିଜୁଳି ମାଇଲେ ସେ ଯାହା ମାତ୍ର ଦେଖିବାକୁ ପାଉଥିଲେ । ଗଛ ଭିତରୁ ଯେଉଁ ଆଲୁଅଟା ଦେଖାଯାଉଥିଲା ତାହା ବ‌ହୁ ସମୟ ଧରି ଅନୁସନ୍ଧାନ କଲେ, ମାତ୍ର ତାର କିଛି ମାତ୍ର ଖୋଜ ଖବର ପାଇଲେ ନାହିଁ- ଶେଷକୁ ସଡ଼କ କାନ୍ଥରୁ ଅଣ୍ଡାଳି ଅଣ୍ଡାଳି ଖଣ୍ଡେ ଦୁଇଖଣ୍ଡ ପଥର ପାଇ ତାକୁ ସେହି ଆଲୁଅ ଉପରେ ପକାଇ ଦେଲେ । ତାଙ୍କର କୌଣସି ଜୀବଜନ୍ତୁ ଭୟ ନ ଥିଲା । କାରଣ ଦେବତା କିମ୍ବା 'ଜକ' ପ୍ରଭୃତି କଥା ସେ ଶୁଣିଥିବାରୁ ତାହା ପରଖିବାପାଇଁ ଏପରି କରିଥିଲେ; ମାତ୍ର ଫଳରେ ବିପରୀତ ଘଟିଲା । ସଙ୍ଗେ ସଙ୍ଗେ ଏପରି 'ସୁ, ସୁ' କାର ଗର୍ଜ୍ଜନ ଶୁଭିଲା, ଯହିଁରେ ଶ୍ୟାମ‌ବାବୁଙ୍କ ରକ୍ତ ପାଣି ହୋଇଗଲା ।

ସେ ଦେଖିଲେ ସେ ଆଲୁଅଟା ଧିରେ ଧିରେ ଉପରକୁ ଉଠୁଚି- ଚାହୁଁ ଚାହୁଁ ତାହା ବ‌ହୁତ ଉପରକୁ ଉଠି ଚାରିଆଡ଼କୁ ଚାହିଁ- ସାଇଁକରି ତଳେ ପଡ଼ିଗଲା । ଆଉ ତାଙ୍କର ସନ୍ଦେହ ହେଲେ ନାହିଁ- ସେ ପ୍ରାଣ ବିକଳରେ ପଳାଇଲେ ।

ସାପ ତଡ଼ିଲେ ଯଦି ବାରବାଙ୍କରେ ଦଉଡ଼ିବ, ତେବେ ସେ ପରା ଧରିପାରେ ନାହିଁ- ଏ କଥାଟି ତାଙ୍କର ମନେ ଥିଲା । ସେଥିପାଇଁ ସେ ସଡ଼କ

ଛାଡ଼ି ଦେଇ ଅବାଟରେ କଣ୍ଟା, ବିଲ, ବଣ ଭିତରେ ପଶି ଦଉଡ଼ିଲେ । ସାପଟା ମଧ୍ୟ ନିରସ୍ତ ହେଲା ନାହିଁ । ଉପରେ ଭୀଷଣ ବର୍ଷା- କୁଆପଥର, ପବନ, ଏଣେ ପାଦତଳେ ପାଣି କାଦୁଅ, କଣ୍ଟା, ହିଡ଼, ପଥର- ପୁଣି ପଛରେ ମହାକାଳ ମୃତ୍ୟୁଦେବତା ବିରାଟ ସର୍ପ । ହାୟ ! ତାଙ୍କ ପ୍ରାଣ ଯେ କଣ ହେଉଥିଲା ସେ ଜାଣନ୍ତି । ଦଣ୍ଡକେ ଏହିଠାରେ ତାଙ୍କର ବ‌ହୁଦିନର ଉପାର୍ଜିତ ନବୀନ ଶିକ୍ଷାଲୋକର ପରମ ଔଷଧ- ନାସ୍ତିକତା କେଉଁଆଡ଼େ ଦୂର ହୋଇଗଲା । ଯେଉଁ ଭଗବାନଙ୍କ ନାମ ଧଇଲେ ସେ କ‌ହୁଥିଲେ ଭଗବାନ୍ କଣ ? ନିଜର କର୍ତ୍ତବ୍ୟ କର- ସୁଖ-ଦୁଃଖ କାର୍ଯ୍ୟର ପୁରସ୍କାର- ଈଶ୍ୱର ଈଶ୍ୱର ହେବାର ଲାଭ ନାହିଁ, ଏପରି କେହି ଈଶ୍ୱର ନାହିଁ, ଯେ ମନୁଷ୍ୟକୁ ବିପଦରୁ ଉଦ୍ଧାରକରେ । ମାତ୍ର ଆଜି ଆଉ ସେ ଈଶ୍ୱରବିଦ୍ୱେଷୀ ହୋଇପାରିଲେ ନାହିଁ ।

ଭୟଙ୍କର ଦ‌ଉଡ଼ରେ ଯୁତାଯୋଡ଼ିକ କେଉଁଠାରେ ଯେ ଗୋଡ଼ରୁ ପଡ଼ିଗଲା ସେ ଜାଣି ନଥିଲେ । ଏଣେ ଗୋଡ଼ରେ କଣ୍ଟା ସବୁ ଟପ୍ ଟାପ୍ ହୋଇ ଭୁକିବାକୁ ଲାଗିଲା । ଯେତେବେଳେ ସେ ପଛରୁ ଦେଖିଲେ ଯେ, ସାପଟା ତାଙ୍କର ନିକଟବର୍ତ୍ତୀ ହୋଇଯାଉଚି, ଆଉ ଉପାୟ ନାହିଁ, ପ୍ରାଣବିକଳରେ ବଙ୍କା ବାଟ ଧରି ପୁଣି ବୁହେ ଦଉଡ଼ିଗଲେ । ମାତ୍ର ଏଥର ତାଙ୍କର ଜୀବନ ନାଶର ଆଶଙ୍କା ଆସି ପ‌ହଞ୍ଚିଲା । ଅକସ୍ମାତ୍ କାଦୁଅ ଭିତରେ କଚ୍‌କାଚ୍ ହୋଇ ପଡ଼ିଗଲେ । ପଡ଼ିଯିବା ସଙ୍ଗେ ସଙ୍ଗେ ତାଙ୍କ ତୁଣ୍ଡରୁ ବାହାରିଲା- 'ହରି ହେ- ପ୍ରଭୁ ହେ- ଦୀନବନ୍ଧୁ ହେ, ରକ୍ଷାକର !' ଆଉ କିଛି ବାହାରିଲା ନାହିଁ । ସେ କାଦୁଅ ଉପରେ ପ୍ରାଣ ଭୟରେ ପଡ଼ି କେବଳ ସେହି ହରିହରି ହେଲେ । ଶ୍ରୀକୃଷ୍ଣଙ୍କର କାଳୀୟଦଳନ, ହରିଙ୍କର ଅନନ୍ତ ଶୟନ, ସବୁ ଆସି ତାଙ୍କ ଆଖି ଆଗରେ ଦେଖାଗଲା । ସେ ଯଦିବା ହାତ ଯୋଡ଼ି ନ-ପାରିଲେ, ତ‌ଥାପି ଆଖିରୁ ଲୋତକ ଗଡ଼ାଇ ମନେ ମନେ ସେହି କାଳୀୟ ଦର୍ପାପ‌ହାରୀ ଅନନ୍ତ ଆସନ

ଖଗପତିଙ୍କୁ ସ୍ମରଣ କଲେ । "ପ୍ରଭୁ, ତ୍ରେତାଯୁଗରେ ତୁମେ ଯେବେ ନର- ରୂପେ ରାମଚନ୍ଦ୍ର ଦେହ ଧରି ଜନ୍ମ ହୋଇଥିଲ ତୁମ୍ଭଙ୍କୁ ଇନ୍ଦ୍ରଜିତ ନାଗପାଶରେ ବାନ୍ଧି ଦେଇଥିଲା, ଗରୁଡ଼କୁ ସ୍ମରଣ କରି ତୁମେ ରକ୍ଷାପାଇଥିଲ, ଆଜି ଏ ଗରିବକୁ କଣ ରକ୍ଷା କରିବ ନାହିଁ ?" ଭକ୍ତର କାତର ଆହ୍ୱାନରେ ଭଗବାନଙ୍କର ଦୟା ଆସିଲା । କ୍ଷୀଣ ପରୀକ୍ଷାରେ ଭକ୍ତର ଅଟଳାଭକ୍ତି ଅନୁଭବ କରି ପ୍ରଭୁ ରକ୍ଷା କଲେ । ସେ ଯେ ଗୋଟିଏ ତୋଟା ଭିତରେ ପଡ଼ିଥିଲେ ତାଙ୍କୁ ଏହା ଆଦୌ ଜଣା ନଥିଲା ।

ସାପଟା ପଛରୁ ବୁଲି ବୁଲି ଆସିବାକୁ ବ‌ହୁତ ଡେରି କରିଥିଲା । ତେଣୁ ସେ ଯେତେବେଳେ ତୋଟାର ପଛପାଖ ବେତବଣ‌ଟାରେ ଆସି ପ‌ହଞ୍ଚିଲା, ସେତେବେଳେ ଆଉ ମନୁଷ୍ୟଟା ଦେଖାଗଲା ନାହିଁ । ମନୁଷ୍ୟଟି ଖାତ ଭିତରେ ପଡ଼ିଥିବାରୁ ତାର ଦେଖିବାର କୌଣସି ଉପାୟ ନ ଥିଲା । ତେଣୁ ସେ ଦେଖିବାକୁ ନ ପାଇ ତୋଟାର ଏକପାଖରେ ଥିବା ଗୋଟିଏ ଗୋଟିକିଆ ଗଛମୂଳରେ ୩ ହାତ ଫଣା ଟେକି ଚାରିଆଡ଼କୁ ବ‌ହୁତ ଚାହିଁଲା । ମାତ୍ର କୌଣସି ପ୍ରକାର କିଛି ଦେଖିପାରିଲା ନାହିଁ । ଶ୍ୟାମ‌ବାବୁଙ୍କର ଦେହ ଏତେ ନିର୍ବଳ ହୋଇଥିଲା ଯେ ସେ ଆଦୌ ପାଣି କାଦୁଅ ଭିତରୁ ଉଠିପାରିଲେ ନାହିଁ । ଏଣେ ତୁଣ୍ଡରେ- 'ଆର୍ତ୍ତ‌ତ୍ରାଣ ନାରାୟଣଂ ମେ ଭଗବନ୍ ନାରାୟଣୋ ମେ ଗତିଃ'- ଗାଇ ଗାଇ ସାପକୁ ଚାହିଁଥାନ୍ତି । କାରଣ ସାପ ମୁଣ୍ଡରୁ ଯେ ଆଲୁଅଟି ବାହାରୁଥାଏ ତ‌ହିଁରେ ସେ ସଦାବେଳେ ଶ୍ୟାମ‌ବାବୁଙ୍କ ପାଖରେ ଧରାପଡ଼େ । ସେ ତୋଟା ଭିତରେ' ସାପଟା ତୋଟା ବାହାରେ- କେତେ ବା ଫରକ । ସାପ ଦେଖିଲେ ଯେ ତାଙ୍କର ପ୍ରାଣ ନିଶ୍ଚୟ ଆଜି ଯିବ- ଏଥିରେ ଯେ କୌଣସି ସନ୍ଦେହ ନ କରି ସେହି ବିଶ୍ୱପତି ଶ୍ରୀକୃଷ୍ଣଙ୍କ ପଦାରବିନ୍ଦରେ ପ୍ରାଣ‌ଟିକୁ ସମର୍ପଣ କରି ଦେଇ ଗାଇଲେ, "ଦତ୍ତଂ ମନୋ ଯଦୁପତେ ତଦିଦଂ ଗୃହାଣ" ।

ଏଣେ ସାପର ଗତିବିଧିକୁ ଦୃଷ୍ଟିରେ ରଖି ନାରାୟଣଙ୍କୁ ସ୍ମରଣ କରୁଥାନ୍ତି । ଏପରି ନିତାନ୍ତ ନାସ୍ତିକର ଯେ ଆଜି ପରିବର୍ତ୍ତନ ହେବ, ଏହା କେହି ସ୍ୱପ୍ନରେ ଭାବି ନଥିଲା । ମାତ୍ର ଯେଉଁ ପ୍ରଭୁଙ୍କ ଆଜ୍ଞାରେ ପଙ୍ଗୁର ଗିରିଲଙ୍ଘନ ଅସମ୍ଭବ ନୁହେଁ- ସେ ଗୋଟିଏ ଜ୍ଞାନବିବେକବାନ୍ ସଦ୍‌ବୁଦ୍ଧିସମ୍ପନ୍ନ ନାସ୍ତିକ‌କୁ ଆସ୍ତିକ କରିବାରେ ଆଶ୍ଚର୍ଯ୍ୟ କଣ?

ସାପଟା କିଛି କମ୍ ବଡ଼ ନଥିଲା । ଫୁଟେ ପରିଧିବିଶିଷ୍ଟ ୭/୮ ହାତ ଲମ୍ବର ସାପଟି ଯେ ତାଙ୍କୁ ଗୋଟାପଣେ ଗିଳିଦେଇଥାନ୍ତା- ଏଥିରେ କୌଣସି ବୈଚିତ୍ର୍ୟ ନ ଥିଲା; ମାତ୍ର ପ୍ରଭୁ ତାଙ୍କୁ ରକ୍ଷା କଲେ । ସାପଟା ଏପାଖ ସେପାଖ ହୋଇ ଫଣା ବିସ୍ତାର କରି ଚାରିଆଡ଼େ ଚାହୁଁଛି, ହଠାତ୍ ଗୋଟାଏ ପବନର ବେଗ ଝଟ୍ କିନି କୁଆଡ଼ୁ ଅଦ୍ଭୁତ ଭାବରେ ଚାଲିଅଇଲା ।

ଆଗରୁ ତ ବର୍ଷାପବନ, କୁଆପଥର ସବୁ ଯଥାରୀତିରେ ପଡ଼ୁଥିଲା; ତା ଉପରେ ପୁଣି ଏ ପବନ ପ୍ରଳୟ ବେଗରେ ଧମକରି ମାଡ଼ିପଡ଼ିଲା । ହଠାତ୍ ତୋଟା ଭିତରୁ କେତେ ଯେ ଗଛ ମଡ୍ ମାଡ୍ ଭଡ୍ ଭାଡ୍ ଭାଙ୍ଗିଗଲା ତାର ସୀମା ରହିଲା ନାହିଁ । ଶ୍ୟାମ‌ବାବୁଙ୍କର କାନ ତାବଦା ହୋଇଗଲା । ସେ ଆଉ କିଛି ନିଜେ ଚେଷ୍ଟା କଲେ ନାହିଁ । ଗଛମୂଳରେ ଥିଲେ ସୁଦ୍ଧା ସବୁ ପ୍ରଭୁଙ୍କ ଉପରେ ପକାଇଦେଲେ । ଦେଖିଲେ ଯେ, ସାପଟା ଯେଉଁ ଗଛମୂଳେ ଥିଲା ହଠାତ୍ ଏତେ ବେଗରେ ଗଛଟା ଦାଉଁକରି ପଡ଼ିଗଲା ଯେ ସାପଟା କେଉଁଆଡ଼େ ସେଠାରେ ମାଟିରେ ମିଶିଗଲା । ଆଉ ତାଙ୍କର ଅବିଶ୍ୱାନ କରିବାର ଉପାୟ ନ ଥିଲା । କାରଣ ସେ ଦେଖିଲେ ଯେ, ସାପର ଆଲୁଅ ମୁଣ୍ଡଟା ତଳେପଡ଼ି ଏପାଖ ସେପାଖ ହେଉଚି, ମାତ୍ର ତାହା ଆଉ ବାହାରିବାର ଉପାୟ ନାହିଁ ।

ହରି ହେ- ତମକୁ ଛାଡ଼ି ମୂଢ଼ ବିପଦକୁ ଡାକି ଆଣିଲା ସିନା?' ଏମିତି କ‌ହି ନୂଆ ସାହସରେ ଶ୍ୟାମ‌ବାବୁ ଉଠିପଡ଼ିଲେ । ବାହାରେ ଛିଡ଼ା-

ହେବା ସଙ୍ଗେ ସଙ୍ଗେ ବରଷା ଘାତରେ ତାଙ୍କ ଦେହ ଦଣ୍ଡକେ ସଫା ହୋଇଗଲା । ସେ ଗଛମୂଳକୁ ଯାଇ ଯାହା ଦେଖିଲେ ତାଙ୍କ ପ୍ରାଣ କାନ୍ଦି ଉଠିଲା । ଯେଉଁ ଗଛମୂଳ ଖାତ ପାଖରେ ସେ ଏତେବେଳ ପଡ଼ି ହରି ହରି ହେଉଥିଲେ ତାର ଠିକ୍ ବିପରୀତ ପାଖରେ ଗଛର କରୋଡ଼ ଭିତରେ ଦେଖିଲେ କିଏ ଗୋଟେ ପିଲା ତୁନି ହୋଇ ଗଛକୁ ଆଉଜି ଠିଆ ହୋଇଚି । ବିଜୁଳି ଆଲୁଅରେ ଏତିକି ମାତ୍ର ଦେଖି ସାରି କାଳେ କିଛି ନ କ‌ହିଲେ ପିଲାଟିର ଭୟ ହେବ; ଏଥିପାଇଁ ସେ ଧୀରେ ଧୀରେ କ‌ହିଲେ- "କିଏରେ ପିଲା ! କିଛି ଡର ନାଁ- ମୁଁ ମଣିଷ । ବରଷାରେ ବାଟବଣା ହେଇଚି, ଆମେ ଦିହେଁ ଏଠି ରହିଯିବା ।"

ପିଲାଟି କିଛି କ‌ହିପାରିଲା ନାହିଁ । ବଡ଼ କଷ୍ଟରେ ଅତି କ୍ଷୀଣ କଣ୍ଠରେ 'ହଉ' କ‌ହିବାର ଶୁଭିଲା ମାତ୍ର ।

ଡିପୋଟି ବାବୁ କରୋଡ଼ ଭିତରେ ପଶି ପିଲାଟିକୁ ହାତରେ ଆଉଁଶି ଆଉଁଶି ଦେଖିଲେ ତା ମୁଣ୍ଡରେ ପୂରା ବାଳ ଅଛି; ତେଣୁ ତାକୁ ବାଳିକା ବୋଲି ଆଗ ଠିକ୍ କଲେ । ତାପରେ ତାର ଉଚ୍ଚତା ଅନୁଭବ କରି ଭାବିଲେ, ତାକୁ ବର୍ଷ ଦଶ ହେବ । ମୁଣ୍ଡର ବାଳ ମୁଖର ସ୍ପର୍ଶରୁ ବୁଝିଲେ, ଅତି ଗରିବ ପିଲା । ତାକୁ ପ୍ରଥମେ କିଛି ନକ‌ହି କୋଡ଼ରେ ପୂରାଇ ଠିଆ ହେଲେ । ବାଳିକାଟି ତାଙ୍କୁ କିଛି ନକ‌ହି ମନୁଷ୍ୟ ଆଶ୍ରା ପାଇ ଦେହକୁ ଆଉଜି ପଡ଼ିଲା । ସେ ଯେଉଁ ଚିରା ଲୁଗା ଖଣ୍ଡି ପିନ୍ଧିଥିଲା, ତାହା କେତେବେଳୁ ଓଦାହୋଇ ଯାଇଥିଲା । କାନିରେ ଚାଉଳ ଗଣ୍ଡେ ବନ୍ଧା ହୋଇଥିଲା ଯେ, ତାହା ପାଣିରେ ଦରବତୁରା । ଶ୍ୟାମ‌ବାବୁ ପିଲାଟାକୁ କୋଡ଼ରେ ରଖି ଆଉଁଶି ଆଉଁଶି ସବୁ ତଥ୍ୟ ଦଣ୍ଡକେ ବୁଝିଲେ । ଆଉ ତାକୁ ଧୀରେ ଧୀରେ କଅଁଳ କରି ପଚାରିଲେ- "ମା'; ତୋ ନାଁ କଣ ଲୋ ?" ସେତେବେଳକୁ ବାଳିକାର ଟିକିଏ ଜ୍ଞାନ ଆସିଥିଲା । ତାର ଭୟ ମଧ୍ୟ ଦୂର ହୋଇଥିଲା ।

ଆଶ୍ରା ପାଇଲେ ସମସ୍ତେ ନିର୍ଭୟ ହୁଅନ୍ତି । ସେ ବା କିଆଁ ନ ହେବ ? ଲଳିତ କଣ୍ଠରେ କହଲା-“ମୋ' ନାଁ ଯେମାମଣି ।"

"ଯେମାମଣି ! ଆଚ୍ଛା ବଡ ସୁନ୍ଦର ନାଁ ଟି ତ ? ଆଚ୍ଛା, ଝିଅ, ତମଘର ଏଇଠି କୁଠି କି?”

“ହଁ ଆମଘର ଏଇ ତୋଟା ଆରପାଖେ ବୁହେ ବାଟରେ' । ଆମ ଗାଁ ନାଁ ଶ୍ରୀଧରପୁର ।” ଶ୍ୟାମବାବୁଙ୍କର ମୋହ ଭାଙ୍ଗିଗଲା; ସେ ଭାବିଲେ “ସହର କେଉଁଠି- ମୁଁ ଆସିଲି କେଉଁଠି କି ? ମ-କି ଦୁର୍ଦ୍ଦଶା ! ଏତେ ବାଟ ବୁଲି ଆସିଲି ? ସେଠାରୁ କହିଲେ; “ତମ ଘରେ କିଏ ଅଛି?”

“ମୋର ଗୋଟିଏ ବୁଢ଼ୀମାଆ ଛଡ଼ା ଆଉ କେହି ନାହିଁ ।”
“ଆଛା- ଏଠିକି କିପରି ଅଇଲ ?” ଏପରି ଅଜସ୍ର ପ୍ରଶ୍ନ ପଚାରି ବଡ଼ କଷ୍ଟରେ ସେ ଏହି କଥାତକ ଶୁଣିଲେ ।

“-ଆମ ଘରେ ଆଜି କିଛି ନଥିଲା ଖାଇବାକୁ । ବୁଢୀମାଆ ସୂତା କାଟିଥିଲେ ଯେ ସେଥିରୁ ତିନୋଟି ପଇସା, ଆଉ ମୋ ଘଷି ବିକାରୁ ଦୁଇଟି ପଇସା, ଏମିତି ପାଞ୍ଚଟି ପଇସା ଘେନି ବେଳ ଥାଉ ଥାଉ ବଜାର କରି ଯାଇଥିଲି । ଆମ ଗାଁରେ ଚାଉଳ ଲୁଣ ହରିକା କିଛି ମିଳେ ନାହିଁ ଯେ, ସେଇଥିପାଇଁ ଆମେ ହେଇ ଯେଉଁ ଗାଁ ବିକ୍ରମଗଡ, ସେଠିକି କିଣି ଯାଉଁ । ମୁଁ ଚାଉଳ ଦିମାଣେ ଚାରି ପଇସାକୁ ଆଉ ପଇସାକର ଲୁଣ କାନିରେ ବାନ୍ଧି ତ ଏହି ତୋଟା ଆରପାଖେ ଅଛି, ଏହା ସମୟରେ ଘୋ' ଘୋ' ବରଷା ମାଡ଼ି ଆସିଲା । ଆଗକୁ ମୁଁ ଯାଇପାରିଲି ନାହିଁ । ଏଠି ରହିଲି । ମୋତେ ଯେଉଁ ଡର ମାଡ଼ିଲା ? ମୋର ବୁଢ଼ୀମା ଉପବାସରେ ଚାହିଁଥିବ । ଆଜି ଦିନଯାକ ଆମର କିଛି ନ ଥିଲା । କାଲିର ବାସି ଭାତ ତୋରାଣି ମନ୍ଦିଏ ଥିଲା ଯେ ମୁଁ ଖାଇଥିଲି- ମାଆ କିଛି ଖାଇ ନଥିଲା । ଏକୁ ନେଲେ ରୋଷେଇ କରିବୁ, ସେଠୁ ଖାଇବୁଁ । ମା କିମିତି ଥିବଟି ?

ଏଡ଼େବଡ଼ ଉପାସରେ, ଏଣେ ଘର ଖଣ୍ଡି ତ ଓଦା ହୋଇ ଯାଇଥିବ, ମୁଁ ହେଲେ ଥାନ୍ତି- "ଏହା କ‌ହି ବାଳିକା କାନ୍ଦିପକାଇଲା । ଶ୍ୟାମ‌ବାବୁ ତାକୁ ଆଶ୍ୱାସନା ଦେଲେ ଏବଂ କ‌ହିଲେ, ପ୍ରଭୁ ତୋ ବୁଢ଼ୀମାର କିଛି ଅମଙ୍ଗଳ କରିବେ ନାହିଁ ।"

ସ‌ହସା ଚତୁର୍ଦିଗ ନିର୍ମଳ ହୋଇଗଲା, ବାଟ ଘାଟ ଏଥର ଦିଶିଗଲା । ପୂର୍ଣ୍ଣିମା ପର ଷଷ୍ଠୀ ଜ‌ହ୍ନ ଆକାଶରେ ଦେଖାଗଲା । ଖରାଦିନଟା- କିଏ ଜାଣିଥିଲା ଏପରି ଦୁର୍ଘଟନା ଆଜି ଘଟିବ ବୋଲି । ଶ୍ୟାମ‌ବାବୁ ସେପରି ବୁଝିଥିଲେ ଗସ୍ତକୁ ଯାଇ ନଥାନ୍ତେ, ଯିବାଦ୍ୱାରା ସେ କ'ଣ ଲାଭ କରିଚନ୍ତି, ତାହା ବୁଝିପାରିଲେ । ସେ ପରମାନନ୍ଦଙ୍କୁ ଆଜି ପାଇଚନ୍ତି । ଆଉ କଅଣ ବା ପାଆନ୍ତେ ?

ଏଥର ଚନ୍ଦ୍ରକିରଣରେ ଉଭୟେ ବାହାରକୁ ବାହାରିଲେ । ସୁଲୁ ସୁଲୁ ପବନ ବୋହୁଥିଲା । ଯେମାକୁ ପଚାରିଲେ- ଯେମା ! ତୁ ମୋତେ ତମ ଘରକୁ ନେବୁ? ମୋତେ ଟିକିଏ ଆଶ୍ରା ଦେବ ରହିବାକୁ ?"

ଯେମା ଦଶ ବରଷର ବାଳିକା । ସେ ଚନ୍ଦ୍ର ପକ୍ଷରେ ଦେଖିଲା ଏ ଜଣେ ବଡ଼ଲୋକ- କୋଟପେଣ୍ଟୁଲନ ପିନ୍ଧିଚନ୍ତି । ତ‌ହୁଁ ମୁହଁ ତଳକୁ ପୋତି କ‌ହିଲା- "ବାବୁ ! ଆମେ ତ ଗରିବ, ଏତେବଡ଼ କଥା କଣ କ‌ହି ପାରିବି- ତୁମେ ବଡ଼ଲୋକ, ମୁଁ ପରା ଗୋବରଗୋଟେଇ । ସେପରି ଭାଗ୍ୟ ଥିଲେ ସିନା ତମେ ଆମ ଘରକୁ ଯିବ । ଆମ ଘରକୁ ନ ଗଲେ ଗାଁରେ ପଧାନ ଘର ଆଖଡ଼ା ଘରେ ତମକୁ ଥାନ ଦବାକୁ କ‌ହିଦବୁଁ ।"

"ମୁଁ ବଡ଼ଲୋକ ବୋଲି ତମକୁ କିଏ କ‌ହିଲା ଯେମା ?"
"ତମର ବେଶ- ତମ ମୁଣ୍ଡର ଟୋପି ।"
"ଏଇଥିରୁ କଣ ତମେ ମତେ ବଡ଼ଲୋକ ବୁଝିଲ ?"

"ହଁ ବାବୁ ! ମୋ ଭାଇ ପରା ଏମିତି ବଡ଼ଲୋକ ହୋଇଥିଲା । ମୋତେ ସେତେବେଳକୁ ପାଞ୍ଚବର୍ଷ । ମୋର ବାପା ସେହିବର୍ଷ ମରିଗଲେ । ସେ ଇସ୍କୁଲ ମାଷ୍ଟର ଥିଲେ । ତାଙ୍କ ପୁଅ ଥାନାରେ ଦାରୁଗା ହୋଇଥିଲା; ଦାରୁଗା ହେବାର ଛମାସ ହୋଇ ନାହିଁ, ତାର ହେଲା କଣ ଗୋଟାଏ ରୋଗ, ସେଥିରେ ସେ ମରିଗଲା, ତା' ଚିନ୍ତାରେ ମୋର ମା ମରିଗଲା । ଆଉ ବାକିରେ ରହିଲା ବଢ଼ୀମା, ଆଉ ମୁଁ ଅଲକ୍ଷଣୀ । ଆମେ ଭାଇ ମରିବାର ତିନିବର୍ଷ ଯାଏ ବେଶ୍ ସୁଖରେ ଖାଇପିଇ ଥିଲୁଁ । ଦିନେ ଚୋର ଆମ ଘରେ ପଶି ଆମର ସମସ୍ତ ଚିଜବସ୍ତ ଉଠାଇ ଘେନିଗଲେ । ସେହିଦିନୁ ଆମର ଏହି ଦଶା । ମା'ସୂତାକାଟେ ଯେ ସେଥିରୁ ଦୁଇ ପଇସା ପାଉଁ, ଆଉ ମୁଁ ଦାଣ୍ଡରୁ ଗୋବର ଗୋଟେଇ ଆଣି ଘଷିପାରେ । ତାକୁ ବିକିବାରୁ ସେଥିରେ ଦିପଇସା ମିଳେ । ଯାହା ବିଲରୁ ଆମର ଧାନ ମିଳେ ସେଥିରେ ଚାରିମାସ ସରୁଖୁରୁରେ କଟିଯାଏ- ବାକି ଚାରିମାସ କଷ୍ଟ । ମା' ମୋତେ ଖୁଆଇ ନିଜେ ନ ଖାଇ ଉପାସ ଭୋକରେ ରହନ୍ତି । କାହାକୁ କିଛି କ‌ହନ୍ତି ନାହିଁ । ସେ କିଛି ଛୋଟ ଘରର ଝିଅ ବୋହୂ ନ ଥିଲେ । ତାଙ୍କ ବାପା ଘର ତାଙ୍କ ନିଜ ଘରର ଅଚଳାଚଳ ସମ୍ପତ୍ତି ଥିଲା । ତାହା ଏବେ ଚୋର ତସ୍କର ଘରେ । ଘରୁ ବାହାରିଲେ ଦାଣ୍ଡରେ ଲୋକେ କଣ ବୋଲିବେ ବୋଲି ସେ ପଦାକୁ ମୁହଁ ଦେଖାନ୍ତି ନାହିଁ । ତାଙ୍କୁ ଏବେ ୮୦ ଉପରେ ବୟସ ହେବ । ଆହା ମାବୁଢ଼ୀ ମୋପାଇଁ କେତେ କଷ୍ଟ ସ‌ହନ୍ତି !"

ବାଳିକାର କଥାବାର୍ତ୍ତାରୁ ବୁଝିଲେ, ଏ ବାଳିକା ଭଦ୍ର ବଂଶୀୟା- ପୁଣି ଶିକ୍ଷିତା । ବ‌ହିପତ୍ର ସମ୍ଭବତଃ ପଢ଼ିଚି । ବୃଦ୍ଧାର ଏଇଟି ପ୍ରାଣସମ୍ବଳ ହୋଇଥିବ । ଘୋର ଦୁଃଖ କଷ୍ଟ ମଧ୍ୟରେ ଏ ଏପରି ସମସ୍ତ ବିଷୟ ଅନୁଭବ କରିଚି, ଯାହା ବ୍ୟକ୍ତ କରିବାକୁ ତାକୁ ଆଦୌ ଅସୁବିଧା ହେଉ ନାହିଁ । କିମ୍ବା ଅଟକୁ ନାହିଁ । ତାକୁ ଏଥର କ‌ହିଲେ- "ଆଚ୍ଛା, ଯେମା, ଚାଲ ତମ ଘରକୁ ଯିବା । ମୁଁ ବଡ଼ଲୋକ ନୁହେଁ; ମୋର

ପଧାନ‌ଘର ଲୋଡ଼ା ନାହିଁ । ମାଆ ବୁଢ଼ୀ ତେଣେ ବିକଳ ହେଉଥିବ । ଆ- ଯିବା ।"

ଏତିକି ମାତ୍ର କ‌ହି ଦୂରରେ ସାପ ପଡ଼ିଥିବା ଥାନ‌କୁ ଚାହିଁ ଦେଖିଲେ, ସାପ ବେକ ମୋଡ଼ି ରହିଲାଣି । ଆଉ ସେ କଥା କିଛି କ‌ହିଲେ ନାହିଁ, କାରଣ କାଳେ ପିଲା ଭୟ କରିବ ।

ଆଗରେ ବାଳିକା, ପଛରେ ଡିପୋଟି ଗୋଟିଏ ଗୋଟିଏ ଶ୍ରୀଧରପୁରକୁ ସଳଖିଲେ । ବାଟରେ ପଚାରିଲେ, "ଯେମା । ତମର ଜାତି କଣ ?" ଯେମା କ‌ହିଲା- "ବାବୁ ! ଆମର ଜାତି କ୍ଷତ୍ରିୟ । ମୋର ବାପା ପରା ମଲାଯାଏ ଖଣ୍ଡା ତରୁଆର ଧରୁଥିଲେ ?"

"ହେଉ ଚାଲ-"

ବୁଢ଼ୀର ବର୍ଷାହେଲା ବେଳୁଁ ଆଖିରୁ ଲୁହଧାର ବନ୍ଦ ହୋଇ ନାହିଁ । ଆଉ କେଉଁଥିପାଇଁ ନୁହେଁ, କେବଳ ସେହି କୁମାରୀ ମଣିଟି ପାଇଁ । ସେ କେବଳ ମନେ ମନେ ଭାବୁଥାନ୍ତି "ହାୟ ! ମୋର ଏଇ ପୋଡ଼ା ପେଟ ଚାଖଣ୍ଡକ ପାଇଁ ସିନା ଆଜି ନୟନର ମଣିକୁ ବିପଦ ନଈରେ ଭସାଇ ଦେଇଚି ! କେଉଁଠି ଥିବଟି ! ଆହା କରିବାକୁ ତ କେହି ପାଖରେ ନଥିବ । ଦୁଧରେ ଗୋଧୋଇ ଘିଅରେ ଆଞ୍ଚୋଉ ଥିଲା ଯେ, ତାରି କପାଳରେ ଏ ଦୁଃଖ ବିଧାତା ଲେଖିଥିଲା ! କର୍ମ ମନ୍ଦ ହେଲାବେଳେ ସବୁ ଅମଙ୍ଗଳଯାକ ଅଜାଡ଼ି ହୋଇପଡ଼େ । କାଲି ତାର ବାପ ଯେତେବେଳେ ଥିଲା, ସେ ଏଇ ଗାଁ ସାଇପଡ଼ିଶାଙ୍କୁ ଖୁଆଇ ପିଆଇ ସର୍ବସ୍ୱ ସାରିଥିଲା । ଆଜି ତାର ଗେଲବସର ଦଶବର‌ଷର ଝିଅ ପାଞ୍ଚଟି ପଇସାକୁ ସର୍ବସ୍ୱ କରି ହାଟକୁ ଯାଇ ବିପଦ-ସମୁଦ୍ରରେ ପଡ଼ିଛି । ହାୟ ଭଗବାନ୍- କେତେଦିନ ଏ ହିନମାନ ଜୀବନ‌‌କୁ ଏ ପାପ ଭିତରେ ସାଇତି ରଖିଥିବ । ପାଞ୍ଜିକଣ ଚିତ୍ରଗୁପ୍ତ ମୋର

ଯାଉ ନାହାନ୍ତି ? ମୋର ପିଲା କେଉଁଠି ସଢ଼ୁଚି ? ପ୍ରଭୁ ! ସର୍ବଶୁଭରେ ଫେରାଇ ଆଣ ମୋ ଧନ‌କୁ । ପାଣି ମନ୍ଦିଏ ପିଆଇ ତାକୁ ବଞ୍ଚାଇବି । ଗୋଟିଏ ଚୁମା ଦେଲେ, ଟିକିଏ କୋଡ଼ରେ ଧଇଲେ ମୋର ପ୍ରାଣ ଶୀତଳ ହେବ ।"

ବୁଢ଼ୀ ଦାଣ୍ଡକୁ ବାହାର, ବାହାରକୁ ଦାଣ୍ଡ ଏପରି ଛଟପଟ ହେଉଥାନ୍ତି, ମେଘ ଛାଡ଼ିଗଲା ପରେ ଚାହିଁ ଚାହିଁ ତାଙ୍କ ଆଖିରୁ ପାଣି ମଲା । ତ‌ଥାପି ମଣି କାଇଁ ? ତାଙ୍କର ମନ ହେଲା- ବାଡ଼ିଖଣ୍ଡ ଧରି ବାଟକୁ ଖୋଜି ଯାଆନ୍ତେ- ମାତ୍ର ଆଖିକି ତ ଭଲ ଦିଶୁ ନାହିଁ । ହାୟ ! ଭଗବାନ୍ ତୁମର କୃପାସିଂହାସନ ଆଉ କେତେ ଦୁଃଖ କଷ୍ଟ ହେଲେ ଟଳେ ? ବୁଢ଼ୀ ପୂର୍ବ ଜନ୍ମରେ କି ଦୋଷ କରିଥିଲ, ଆଜି ତୁମେ ୮୦ ବର୍ଷ ବୟସରେ ଏପରି ନିର୍ଜ୍ଜଳ ଏକାଦଶୀ କରି ଆଶ୍ରାବିଶ୍ରା ଶୂନ୍ୟଭାବରେ ଚଳୁଚ ? ନାଁ ନାଁ- କବି ତ ଲଳିତ ତାନରେ ଗାଇଚନ୍ତି-

"ନ ଥାନ୍ତା ରେ ଯେବେ ଘନ ଅନ୍ଧାକାର କେ ବୁଝନ୍ତା
ଦିନମଣି ସନମାନ ?
ନ ଥାନ୍ତା ରେ ଯେବେ ନିଦାଘର ଖରା ଧରା କି
ରସନ୍ତା ବାରିଝରା ତାନ !"

ଅକ୍ଷରେ ଅକ୍ଷରେ ଠିକ୍ । ପଦେ ପଦେ ଠିକ୍ । କବି ଅନୁଭବର ସାକ୍ଷୀ ଦେଇଚନ୍ତି- ବୃଦ୍ଧା, ମଙ୍ଗଳମୟଙ୍କୁ ଚିନ୍ତାକର ।

"ମା, ବୁଢ଼ୀ ମା-

"ଆଲୋ ମୋ ଧନ ଆଇଲାଣି ଲୋ ?" କ‌ହି ବୃଦ୍ଧା ତ୍ୱରିତ ପଦକ୍ଷେପରେ ଦାଣ୍ଡକୁ ଯାଇ କପାଟ‌ଟି ଫିଟାଇଦେଲେ ଏବଂ ମଣି ଘରକୁ ପଶିଯିବା

ସଙ୍ଗେ ତାକୁ କୋଡ଼କୁ ଟାଣିନେଲେ । ମାତ୍ର ହଠାତ୍ ତାଙ୍କର ଦୃଷ୍ଟି ପଡ଼ିଗଲା ଶ୍ୟାମ‌ବାବୁଙ୍କ ଉପରେ । ସେ ଚମକିପଡ଼ି କ‌ହିଲେ "ସେ କିଏ ମଣି ?" "ମା ସେ ଆମର ଅତିଥି । ସେ ବଡ଼ ଲୋକ । ମଁ ତୋଟାଭିତରେ ଭୟରେ ଜଡ଼ ସଡ଼ ହୋଇ ଯେବେ ଛାନିଆ ହୋଇଯାଉଥିଲି, ତେତିକିବେଳେ ସେ ମୋତେ କୋଡ଼ରେ ଧରି ମା' ଛିଡ଼ା ହୋଇଥିଲେ, ଆଉ ଆଜି ଆମ ଘରେ ରହିବେ । ବାବୁ, ଆସି ଏଣିକି ।"

ପ୍ରଥମେ ପ୍ରଥମେ ବୁଢ଼ୀ ଶ୍ୟାମ‌ବାବୁଙ୍କ ନିକଟରେ ବଡ଼ ସଙ୍କୁଚିତ ହେଲେ; ମାତ୍ର ଶ୍ୟାମ‌ବାବୁ ଯେତେବେଳେ କ‌ହିଉଠିଲେ- "ମା, ମୁଁ ତୁମର ପରିଚୟ, ତୁମର ଅବସ୍ଥା, ସମସ୍ତ କଥା ଏହି ତୁମର ସ୍ନେହମୟୀ ମଣିଠୁ ଶୁଣିଚି । ତୁମେ ଦେବତା, ତୁମକୁ ନମସ୍କାର । ଏହି ବାଳିକା ଯୋଗେ ମୁଁ ଆଜିବାଟ ପାଇଚି, ନ‌ଚେତ୍ କି ଅବସ୍ଥା ଯେ ଏ ରାତିରେ, ଭୋଗିଥାନ୍ତି ତା' କଣ କ‌ହିବି ?"

ବୃଦ୍ଧା କ୍ଷୀଣ ବାଷ୍ପାକୁଳିତ କଣ୍ଠରେ ତାଙ୍କର ପରିଚୟଟି ଜାଣିବାକୁ ଇଚ୍ଛା କରିବାର ଆଭାସ ଦେବା ଆଗରୁ ଶ୍ୟାମ‌ବାବୁ ନିଜର ସୂକ୍ଷ୍ମ‌ ବୁଦ୍ଧିରେ କଥାଟା ଜାଣିପାରି କ‌ହିଲେ- "ମୋର ପରିଚୟ ଜାଣିବାକୁ ଆପଣ ଇଚ୍ଛା କରୁଛନ୍ତି । ଆପଣ ଜାଣିଥିବେ, ଏହି ଇଲାକାରେ ଶ୍ୟାମ‌ବାବୁ ଡିପୋଟି ବୋଲି ସରକାରୀ କର୍ମଚାରୀ ବେଳେବେଳେ ଗସ୍ତରେ ଆସନ୍ତି, ମାଲିମୋକଦ୍ଦମା ବୁଝନ୍ତି । ମୁଁ-

ବୁଢ଼ୀ ଝଟକରି ପିଲାଟିକୁ ଧରି ଗୋଡ଼ତଳେ ପଡ଼ିଗଲେ । "ଆହା, କି ପୁଣ୍ୟ କରିଥିଲି- ମୋ ଦୁଆରକୁ ମୋ ରଜା ଆସିଚନ୍ତି- ମୋ ହାକିମ ଆସିଚନ୍ତି ?"- କ‌ହି ବୁଢ଼ୀ କାନ୍ଦିପକାଇଲେ । ଶ୍ୟାମ‌ବାବୁ ଧଡ଼ପଡ଼ ହୋଇ ବୁଢ଼ୀଙ୍କୁ ତଳୁ ଉଠାଇପକାଇ କ‌ହିଲେ- "ଏ କଣ ମା, ତୁମେ ମୋର

ମାନନୀୟା- ତୁମେ ବୃଦ୍ଧା ଲୋକ- ଏ କଣ ? ଉଠ ଉଠ, କ‌ହି ଉଠାଇ ପକାଇଲେ । ବୁଢ଼ୀ ଉଠିପଡ଼ି କ‌ହିଲେ- "ମା, ମଣି, ମୁଁ ଏଇ ଦେବତାଙ୍କ କଥା ତ‌ତେ କ‌ହୁଥିଲି । ଏଇ ତୋ ଭାଇକି ପୁଲିଶଚାକିରି ଦିଆଇଥିଲେ- ଦୈବ ତ ସ‌ହିଲା ନାହିଁ । ଆହା, ଆମର କି ଭାଗ୍ୟ ଆଜି ମଣି ! ଯା, ଯା, ଗଲୁ ଆଲୁଅଟା ଆଣିଲୁ । ଆହା, ବଡ଼ଲୋକ ବରଷାରେ କି କଷ୍ଟ ପାଇଚନ୍ତି । ଗରିବ ଦୁଆରେ ଆଜି ରାଜରାଜେଶ୍ୱର ଅତିଥି- ଆଉ ବୁଢ଼ୀ କ‌ହିପାରିଲେ ନାହିଁ ।

ଶ୍ୟାମ‌ବାବୁ ଆଶ୍ୱାସନା ଦେଇ କ‌ହିଲେ- "ମା, କିଛି ଚିନ୍ତା କର ନାହିଁ- ମୁଁ ତମର ବ୍ୟବ‌ହାରରେ, କଥାରେ ପରମତୃପ୍ତ । ତୁମର ଅବସ୍ଥା କଥା ଯଦି ମୁଁ ପୂର୍ବରୁ ଜାଣିଥାନ୍ତି, ହାୟ ତମେ ଏପରି ଦୁରବସ୍ଥା ଭୋଗି ନ ଥାନ୍ତ- ତେବେ-ମୋ ପାଇଁ କିଛି ମାତ୍ର ଚିନ୍ତା କର ନାହିଁ । ମୁଁ ତୁମର ପୁଅ ଜାଣ । ଏଇଗାଁରେ ଅନ୍ୟ କା ଦୁଆରକୁ ଗଲେ ମତେ ବିପୁଳ ସମ୍ବର୍ଦ୍ଧନା ମିଳିବ; ମାତ୍ର ମୁଁ ଆଦୌ ତାହା ଚାହେଁ ନାହିଁ । ମୋର ଦୁଃଖୀର ଖୁଦ କୁଣ୍ଡା ଅମୃତ । ମଣିଷ ହିସାବରେ ତୁମେ ବଡ଼ ମା, ମୁଁ ତ ପରର ଚାକର । ଛାଡ଼ ସେ କଥା ।"

ବୁଢ଼ୀ ଝଟକରି ଘରଭିତରେ ପଶି ଖଣ୍ଡିଆ ପେଡ଼ି ଖଣ୍ଡି ବାହାର କରି ତା ଭିତରୁ ଦୋସିଆଁ ଧୋତି ଖଣ୍ଡିଏ ଧରି ଆସି ପ‌ହଞ୍ଚିଲେ ଏବଂ କ‌ହିଲେ- "ହଜୁର ! ଗରିବର ଏ ଲୁଗାଖଣ୍ଡି ବଦଳାଇ ପକାନ୍ତୁ ।"

ଏ କଥାଟି ଶ୍ୟାମ‌ବାବୁଙ୍କୁ ଭଲ ଲାଗିଲା ନାହିଁ । ସେ ନିଜକୁ ମାଜିଷ୍ଟ୍ରେଟ ପରିଚୟ ଦେଇ ଭୁଲ କରିଛନ୍ତି, କାରଣ ବୁଢ଼ୀ ଲୁଗା ନ ଆଣିବା ପୂର୍ବରୁ ସେ ଧୀର ସ୍ୱରରେ କ‌ହୁଥିବା କଥା ଶୁଣିବାକୁ ପାଇଥିଲେ ଯେ; ସେ 'ମଣି'କୁ ଶିଖାଉଛନ୍ତି ମଣି! ସେ ଆମର ହାକିମ,

ସେ ଆମର ରଜା ତାଙ୍କୁ ତୁ' ତା' କରିବୁ ନାହିଁଟି ? ସେ ଆଦର କଲେ ସୁଦ୍ଧା ଦେହରେ ଲାଗିବୁ ନାହି ସେ ପରା ବଡ଼ ଲୋକ । ଆମର ସେପରି ଭାଗ୍ୟବୋଲି ସେ ଆମ‌ପରି ଗରିବ ଦୁଆରକୁ ଆସିଚନ୍ତି । ତାଙ୍କୁ, ଆଜ୍ଞା, ହଜୁର, ଏମିତି କ‌ହିବୁ ।

ଶ୍ୟାମ‌ବାବୁ ବର୍ତ୍ତମାନ କଥା ଶୁଣି ଭାବିଲେ, ହାୟ ଜଗତରେ ଧନୀଦଳ, ଶାସକ ଦଳ, ସରଳ ନିର୍ବୋଧ-ସୂଜନ ପ୍ରଜାକୁ ନିଜ ଠାରୁ ଛୋଟ କରିବା ପାଇଁ କି ଅନ୍ୟାୟ କରି ନାହାନ୍ତି । ସୃଷ୍ଟିର ରହସ୍ୟରେ ଏକି ବିଡ଼ମ୍ବନା ! ମନୁଷ୍ୟ ମନୁଷ୍ୟର ଆରାଧ୍ୟ- କାହିଁରେ ଧନରେ ବଳରେ- କ୍ରୁର- କପଟତାରେ । ହାୟରେ ସଂସାର । ଏହି ଅସୂର୍ଯ୍ୟମ୍ପସ୍ୟା ୮୦ ବର୍ଷର ବୃଦ୍ଧାର ମୋପ୍ରତି କିଭୟ ! କାଳେ ପିଲା ତାଙ୍କର କିଛି ଛାମୁଙ୍କ ପାଖରେ ଅନ୍ୟାୟ ଦେଖାଇ ଦିଏ, ଏଥିପାଇଁ ସେ ଏତେ ସାବଧାନ କରି- କାନେ କାନେ କ‌ହୁଛନ୍ତି । ଆଉ ସେ ସମ୍ଭାଳି ପାରିଲେ ନାହିଁ- କାତର କଣ୍ଠରେ କ‌ହିଲେ- ମା, ମା, ତୁମେ ମୋର ମା, ଯଦି ମୋତେ ପୁଅ ନ ‌କ‌ହ କିବା ଶ୍ୟାମ ନ କ‌ହ ତେବେ ମୁଁ ତମ ଦୁଆରେ ହଜୁର ହୋଇ, ସାହେବ ହୋଇ, ଅତିଥି ହେବି ନାହିଁ । ସେ ସବୁ କିକଥା ମା, ମୁଁ ଶାସନ କାର୍ଯ୍ୟ କରେ ବୋଲି କଣ ଦେବତା ! ଏ କୁପ୍ରବୃତ୍ତି କେତୋଟି ହୀନ କଦର୍ଯ୍ୟ ବ୍ୟକ୍ତି ଶାସନ ଦଣ୍ଡ ପାଇ କରିଚନ୍ତି । ମନୁଷ୍ୟକୁ ଦେବତା କରିବା ଏ ଦେଶରେ ଗୋଟାଏ କଳଙ୍କ । ଏଥର ବୁଢ଼ୀଙ୍କର ଆଖିରୁ ଲୁହ ବୋହି ପଡ଼ିଲା । ସେ ଆଉ କିଛି କ‌ହି ପାରିଲେ ନାହିଁ । ଏହି କଥା ପଦକରେ ତାଙ୍କର ଭୋକ ଶୋଷ କୁଆଡ଼େ ଉଭେଇ ଗଲା । ହିନ୍ଦୁ ଘରେ ଅତିଥି ଅଇଲେ ଯୋଗୀ ମାଗିଲେ, ମୁଣ୍ଡ ପୋତା ମାଗିଲେ ଚକୁଳିଆ ପଣ୍ଡା ପିତଳ ଧରି ବୁଲିଲେ ମନ କିପରି ଦୟା ଦାକ୍ଷିଣ୍ୟରେ ଦଉଡ଼େ ତାହା ପ୍ରାୟ ସମସ୍ତେ ଜାଣନ୍ତି । ଭାରତର ଗୌରବ ଏଇଥି ପାଇଁ ମାତ୍ର ପାଶ୍ଚାତ୍ତ୍ୟ ଜାତିର ହୀନତା ଏଇଥିରେ । ସ୍ୱୟଂ ପାଶ୍ଚାତ୍ତ୍ୟ

ଜାତିର ଈଶ୍ୱର ପୁତ୍ର ଯୀଶୁ ଯଦି ବର୍ତ୍ତମାନ ନିୟୁୟର୍କ ସ‌ହରରେ ରାତିରେ ମୁଣ୍ଡରେ ଦେଇ ତଳେ ଶୋଇବା ପାଇଁ ଖଣ୍ଡିଏ ଅକାମୀ ପଥର ମାଗନ୍ତି ତେବେ ମିଳିବ ନାହିଁ ବୋଲି ପ୍ରାଚ୍ୟପାଶ୍ଚାତ୍ତ୍ୟ ପରିବ୍ରାଜକ ମନୀଷୀ ବିବେକାନନ୍ଦ କ‌ହି ଯାଇଅଛନ୍ତି । ପୁଣି ଆଜି ତ ବୁଢ଼ୀଙ୍କ ଘରେ ଅତିଥି ପରି ଅତିଥି ।-

ଡିପୋଟୀ ବାବୁ ଦେହରୁ ଓଦା ପେଣ୍ଟ, କୋଟ ପ୍ରଭୃତି ବାହାର କରି ଦେଇ ଦୋସିଆ ଲୁଗା ଖଣ୍ଡି ପରମ ଆଦରରେ ପିନ୍ଧି ପକାଇଲେ । ଆଉ ମଣିକୁ ପାଖକୁ ଆସିବାକୁ କ‌ହିଲେ । ବୁଢ଼ୀ ମଣି ପୁଣି ହଜୁର ଆଜ୍ଞା ଅବଧାନ କଲେ ତାଙ୍କ ମନରେ କଷ୍ଟ ହେବ ଭାବି ତାଙ୍କୁ "ତୁ ଯେପରି ମା' ତାଙ୍କ ସାଙ୍ଗେ କଥା ହେଉଥିଲୁ, ହେବୁ" କ‌ହି ଗୋଟିଏ ଡିବିରି ହାତରେ ପଠାଇ ଦେଲେ । ଦୈବ ଯୋଗକୁ ସେଦିନ କିରାସିନ ଆଚ୍ଛା କରି ଥିଲା । ବୁଢ଼ୀ ଖାଇବାକୁ ନ ମିଳିଲେହେଁ ଚଳାଚଳ ବାହାର ଚିଜଗୁଡ଼ିକ ସାଇତି ରଖି ଥାନ୍ତି ।

ଖଣ୍ଡିଆ ସନ୍ତରା ମସିଣା ଖଣ୍ଡିଏ ପକାଇ ତା ଉପରେ ଗୋଟିଏ କାଇଁଚରେ ବୁଣା ଛୋଟ ମସିଣା ମଣି ପକେଇ ଦେଲା । ଆଜି ତାଙ୍କ ଘରର ସବୁ ବ‌ହୁ ମୂଲ୍ୟ ଜିନିଶ ସେ ବାହାର କରିଚି । ଗରିବ ଘରେ ଖଡ଼ିକା ଡାଙ୍ଗଟି ମଧ୍ୟ ସୁନା ଖଡ଼ିକା ଆହା ୧୧୦୦ ଟଙ୍କାର I. C. S ଅଫିସର ଶ୍ୟାମ ବାବୁ ତାକୁ ପୁଣି କି ଆନନ୍ଦରେ ଗ୍ରହଣ କରୁଚନ୍ତି । ପଚାରିଲେ "ମଣି ! ଏଇଟି କଣ ତୁମେ ହାତରେ ତିଆରି କରିଚ ?"

ଆଜ୍ଞା ହଁ- ମୁଁ ସବୁ ବିଲରୁ କାଂଇଚ ଛିଣ୍ଡାଇ ଆଣି ହାତରେ ବୁଣିଥିଲି । ଆମରତ ଆଉ କିଛି ନାହିଁ- ଆମେ ପରା ଗରିବ, ତମ ପରି ବଡ଼ ଲୋକଙ୍କୁ କଣ ଏଇ ଖଣ୍ଡିଆ ମସିଣାରେ ବସାଇବୁଁ ? ମା' ବଡ଼ ଦୁଃଖ କରୁଛନ୍ତି ଆହା କେଡ଼େ ବଡ଼ ଲୋକ ମୋ ଦୁଆରକୁ ଆସି କି ଦୁଃଖ ପାଇଲେଟି ?

ଏଥର ଶ୍ୟାମ ବାବୁଙ୍କ ହୃଦ ପାଣି ହୋଇଗଲା । ସେତ ସ‌ହଜେ ବଡ଼ ଦୟାଳୁ ମଣିଷ । କେବଳ ସେ ଈଶ୍ୱର ଫିଶ୍ୱର ମାନୁ ନ ଥିଲେ । ମାତ୍ର ଦୟା ଧର୍ମ ସରଳତା ନ୍ୟାୟରେ ସେତେବେଳେ ସେ ରାଜ୍ୟରେ ତାଙ୍କ ସମାନ ଜଣେ ମାଜିଷ୍ଟ୍ରେଟ ନ ଥିଲା । ବିଲାତରୁ ଫେରି ସୁଦ୍ଧା ସେ ତାଙ୍କର ବ୍ରାହ୍ମଣ କର୍ତ୍ତବ୍ୟ କେବେ ଭୁଲି ନ ଥିଲେ । ମାତ୍ର ଏ ଜାତି ଭେଦ- ଅସ୍ପୃଶ୍ୟତା ଏ ଗୁଡ଼ାକୁ ସେ ଆଦୌ ଗ୍ରହଣ କରୁ ନ ଥିଲେ । ଆଜି ସେ ଶ୍ରୀକୃଷ୍ଣ ହୋଇ ବିଦୁର ଘରେ ଶାଗଭାତ ଖାଇବେ । I.C.S ଅଫିସର ! ଥରେ ଦେଖି ଯାଅ ! ଦୀନହୀନ ମଳି ମସୀ ଗୃହ ମଧ୍ୟରେ ୧୧୦୦ ଟଙ୍କାର ଫାଷ୍ଟଗ୍ରେଡର ମାଜିଷ୍ଟ୍ରେଟ୍ ଶ୍ରୀଯୁତ ମାନନୀୟ ଶ୍ୟାମ ସୁନ୍ଦର ମିଶ୍ର କିପରି ଦୋଷିଆ ଲୁଗା ଖଣ୍ଡିଏ ପିନ୍ଧି ଓଦା-ଘରେ ଛିଣ୍ଡା ମସିଣା ଉପରେ ବସି ଗରିବର ପିଲାକୁ କୋଳରେ ଧରିଅଛନ୍ତି । ଧନି ! ଥରେ ସପ୍ତ‌ତଳ ଭବନର ସୁଗମ୍ୟ ଗାଲିଚାଛାଡ଼ି ଏ କୁଟୀରକୁ ଉଁକିମାର ଦେଖିବ କି ଦୃଶ୍ୟ ଦେଖା ଯାଉଛି- ରାଜା ! ଲୁବ୍‌ଧ ଫେନନିର ଶଯ୍ୟାର ଶୟନ ସୁଖରୁ, ନିଜର ଅହମିକା ରାଜ୍ୟରୁ ଥରେ ଦୁଷ୍ମନ୍ତ ହୋଇ ଅବା ଉତ୍ତାନପାଦ ହୋଇ ଏ ଗରିବ କୁଟୀରରେ ଅତିଥି ହୁଅ, ଏ ନିର୍ମଳ ସୁଖ- ଆନନ୍ଦ ଅନୁଭୂତି, ସ୍ୱର୍ଣ୍ଣ ପାରିଜାତ କୁଞ୍ଜରେ କିମ୍ବା ସ୍ୱର୍ଗର ନନ୍ଦନ ବନ ସମ ମନ୍ଦିରରେ କେବେ ପାଇ ନ ଥିବ । ସେହି ଜୀର୍ଣ୍ଣ କୁଟୀରର ମହତ୍ତ୍ୱ ପାଇ ଅଛନ୍ତି ଶ୍ୟାମ ବାବୁ ।

କୋଳକୁ ନେଇ ଯେମାକୁ ଦେଖିଲେ ସେ ଅପୂର୍ବ ସୁନ୍ଦରୀ-ମାତ୍ର ଅଭାବ- ଖାଦ୍ୟ, ତାର ଶ୍ରୀ ନଷ୍ଟ କରି ଦେଇ ଅଛି । ଶ୍ୟାମ ବାବୁ ଯୁବକ ନୁହନ୍ତି- ସେ ବର୍ତ୍ତମାନ ୩୬ ବର୍ଷର ବ୍ୟକ୍ତି । ତାଙ୍କଠାରେ ପିତୃତ୍ୱ ପୂର୍ଣ୍ଣ ରୁପେଅଛି । ତାଙ୍କର କନ୍ୟା ମନ୍ଦାକିନୀ ଏହାରି ବୟସରେ ତାଙ୍କୁ ଶୋକ-ସାଗରରେ ଭସାଇ ଦେଇ ଯାଇଅଛି । ତାର ମା ମଧ୍ୟ ଆଜକୁ ଦୁଇବର୍ଷ ହେଲା ସଂସାର ଛାଡ଼ି ଚାଲିଯାଇଛି- ତାଙ୍କର ଏକମାତ୍ର ପୁତ୍ର 'ସରୋଜ'

ତାଙ୍କ ନୟନର ନନ୍ଦନ, ହୃଦୟର ହାର- ପ୍ରାଣର ପ୍ରାଣ, ଦିଗଦଗର ଧ୍ରୁବ ତାରା- ବର୍ତ୍ତମାନ ସେ କଲେଜରେ ପଢ଼ୁଅଛି । ତେବେ ତାଙ୍କର ଏହି ବାଳିକାଟିକୁ ଦେଖି ମନ୍ଦାକିନୀର ସ୍ମୃତି ମନେ ପଡ଼ିଲା । ହାୟ ! ସମସ୍ତେ ଏହିପରି ଦିନେ ଚାଲିଯିବେ- ଏମାୟା, ହୀନତା, ବର୍ବରତା କାହିଁକି ? ଆଜି ମୁଁ ସର୍ପଦ୍ୱାରା କଣ ହୋଇଥାନ୍ତି । ଦୀର୍ଘ ନିଶ୍ୱାସ ପକାଇ କେତେ କଣ ଭାବି ବାଳିକାଟିକୁ ଆଲୋକରେ ଦେଖିଲେ ସେ ଏପରି ଆଖି ଦୁଇଟି କୌଣସି ଠାରେ କେବେ ଦେଖି ନାହାନ୍ତି । କେବଳ ସୌନ୍ଦର୍ଯ୍ୟ ରକ୍ଷା କରି ଆଖି ଦୁଇଟି ମାତ୍ର ଅଛି । ଆଉ ଅଙ୍ଗ ପ୍ରତ୍ୟଙ୍ଗ ଚଢ଼େଇ ପରି ହୋଇ ଯାଇଅଛି । ବାଳରେ ତେଳ ଟିକିଏ ନ ଲାଗିବାରୁ ତାହା ନିତାନ୍ତ ଅସଂଯତ ହୋଇ ପଡ଼ିଚି । ଗାଲ ଦୁଇଟି ଦାନ୍ତ ସନ୍ଧିରେ ହନୁ ହାଡ଼କୁ ଲାଗି ଯାଇଚି । ମାତ୍ର ସୁନ୍ଦର ନାକଟି ରହିଚି । ଧନ୍ୟ ଧନ ! ତୁମର ଧନ କଣ ପାଇଁ ଆଉ । ଯେ ଦାଣ୍ଡକୁ ବାହାରି ପଦେ ଦୁଃଖର ବାଣୀ ଶୁଣାଇ ପାରିବ ନାହିଁ ତାକୁତ ତମେ ଦୟା କର ନାହିଁ, ଆଉ କର କାହାକୁ ?

ଏହିପରି କେତେ କଣ ଶ୍ୟାମ‌ବାବୁ ଭାବି ଭାବି ଆଖିରୁ ଲୁହ ବୁହାଇ ଦେଲେ । ଆଉ ଯେମାକୁ ପଚାରିଲେ- "ତୁମ୍ଭର ମା ଏହି ଘର ଖଣ୍ଡି କଣ ନିଜର ?"

ହଁ ଆମର ନିଜର- ତେବେ ସେ ବୋଧେ ହୁଏ ନିଲାମ ହେବ । କିଆଁ ନାଁ ୩ ବର୍ଷର ଖଜଣା ବାକି ଅଛି । ମା' ପନ୍ଦି ଫିକର କରି କରି ଥକିଲେଣି ଏକାଠି ତିନି ଟଙ୍କା ଭିଆଇ ପାରୁନାହାନ୍ତି । ଆଉ ବିଲ ଆମର କେତେ ଅଛି ଯେ ସେତକ ତ ଯାଉଥିଲା- ତାକୁ ଏଇଠା ଇସ୍କୁଲ ପିଲେ ଚାନ୍ଦା କରି ରଖେଇ ଦେଲେ । ମତେ ଗାଁରେ ଧନୀ ଘର ପିଲେ ସବୁ

ଗୋବର ଗୋଟେଇ ଗୋବର ଗୋଟେଇ ଡାକନ୍ତି । ମୁଁ କାହାକୁ କିଛି କ‌ହେ ନାହିଁ- ଦିନେ ମୁଁ ଗୋବର ସତକୁ ସତ ଗୋଟାଉଚି ମୋତେ ପଞ୍ଝାଏ ପିଲେ ଗୋବର ଗୋଟେଇ ଲୋ, ଗୋବର ଗୋଟେଇ ଲୋ- ବୋଲି ଭାରି ଚଳାଇଲେ । ମୁଁ ଗୋବର ଗୋଟାଉଥାଏ । ଏହି ସମୟରେ ତେଣୁ ପଞ୍ଝାଏ ପିଲା ୬ କି ୭ ଜଣ ହେବେ ସବୁ ବାବୁ ବାବୁ ପିଲା ଆସି ପ‌ହଞ୍ଚି ସେ ପିଲାଙ୍କୁ ଧମକ ଦେଇ ପଚାରିଲେ "କାହାକୁ ଗୋବରଗୋଟେଇ ବୋଲି କ‌ହୁଚ ?" ସେମାନେ ଭୟରେ କିଛି ନ କ‌ହି ପଳାଇବାରୁ ମୋ ପାଖକୁ ଆସି ପଚାରିଲେ- ତୋର ନାଁ କଣ ? ତୋର କିଏ ଅଛି ? ତୋତେ ଗୋବରଗୋଟେଇ କିଆଁ ଏସବୁ କ‌ହୁଚନ୍ତ ? ସେଠୁଁ ମୁଁ କ‌‌ହିଲି- "ଆମେ ଭାରୀ ଗରିବ । ବାବୁ, ମୋର ବାବା ଭାଇ ମରି ଗଲାରୁ ଚୋର ପଶି ଆମ ଘରୁ ସବୁ ଚୋରି କରି ନେଇଗଲା । ସେଇଥିପାଇଁ ଆମେ ବଡ଼ ଗରିବ ହେଲୁଁ । ମୋର ମା ମରିଗଲା । ଆଉ ମୋର ଗୋଟିଏ ବୁଢ଼ୀ ମା ଅଛି, ଆଉ ମୁଁ । ଆମକୁ ତ ଏଠି କିଛି ମିଳୁ ନାହିଁ । ଆମେ ତ ଭିକ ମାଗିବୁନାହିଁ, ଆମର ତ ଜମି ବାଡ଼ି ସବୁ ଖଜଣା ଦିଆହେଲା ନାହିଁ ବୋଲି ଜମିଦାରମାନେ ନିଲାମ କରି ନେଲେ, ଆମେ କେମିତି ଚଳିବୁଁ ? ମୁଁ ଗୋବର ଗୋଟେଇ ନିଏ ଯେ ତାକୁ ଘସି ତିଆରି କରୁଁ । ଆଉ ସୁତା କାଟେ ମୋର ବୁଢ଼ୀ ମା । ସେ ଘସି ଆଉ ସୂତା, ଆମ ଘରକୁ ଗୋଟେ ବେପାରୀ ଆସି ପଇସା ଦେଇ ଆମଠୁଁ ନିଏ- ଆମେ ସେଥିରେ ଚଳୁଁ । ଏ ଗାଁରେ ସମସ୍ତେ ଧନୀ ଯେ ଆମକୁ ଏମିତି ଏମିତି ଚଳାନ୍ତି- ଚିଡ଼ାନ୍ତି । ମୁଁ ଏତିକି କ‌ହି କାନ୍ଦି ପକେଇଲି ।"

ସେଠୁ ସେ ସବୁ କାନ୍ଦି କାନ୍ଦି ମୋତେ ପଚାରିଲେ ତୋ ବୁଢ଼ୀମାଆକୁ କେତେ ବର୍ଷ ?

ମୁଁ କ‌ହିଲି- "ତାକୁ ଅଶୀ ବର୍ଷ । ସେମାନେ ଆମ ଘରକୁ ଆସି ମୋର ବୁଢ଼ୀ ମାଠୁ ସବୁ ବୁଝିସୁଝି ବିଲ ନିଲାମ ଯେପରି ନ ହେବ ସେଥିପାଇଁ ଟଙ୍କା ପଠାଇ ଦେବା ପାଇଁ କ‌ହି ଯାଇଥିଲେ । ସରୋଜ ବାବୁ ବୋଲି ଜଣେ ପିଲା ତାଙ୍କ ଭିତରେ ଏମିତି ଭଲ ଯେ ସେ ଆମକୁ ତାଙ୍କ ଘରକୁ ନେଇଯିବା ପାଇଁ କ‌ହୁଥିଲେ । ମାତ୍ର ମୋର ମା ତାଙ୍କୁ ଯିବାକୁ ନାହିଁ କଲେ ଆଉ ମଧ୍ୟ ଟଙ୍କା ନେବାକୁ ନାହିଁ କଲେ । କିଆଁ ନା ସେମାନେ ପିଲାଲୋକ । ତାଙ୍କ ବାପା ମା ଜାଣିଲେ ଗାଳି ଦେବେ । ମାତ୍ର ତାହା ହେଲା ନାହିଁ । ୩ଦିନ ପରେ ନିଜେ ସରୋଜ ବାବୁ ସାଇକେଲ୍‌ରେ ଆସି ମୋ ହାତରେ ୪ଖଣ୍ଡ ଦଶ ଟଙ୍କିଆ ନୋଟ ଧରାଇ ଦେଇ ଚାଲିଗଲେ । ସେଇଥିରେ ଆମର ଜମିଟା ରହିଗଲା । ସେ ବାବୁ ଏବେ ଏଠି ନାହାନ୍ତି- ସ‌ହରରେ କୁଆଡ଼େ ପଢ଼ୁଛନ୍ତି ପରା- ଇସ୍କୁଲ ପଢ଼ା ତାଙ୍କର ସଇଲାଣି ।

"ତାରନାଁ କଣ କ‌ହିଲ- ସରୋଜ- ସରୋଜ ।' ଓହୋ ! ସେଦିନ ମୋତେ କ‌ହିଥିଲା- ଠିକ୍ ଠିକ୍ କ‌ହିଥିଲା-ବାବା ! ଦୀନ‌ଦୁଃଖୀ-ମାନଙ୍କ ପାଇଁ ସରକାର କଣ କୌଣସି ବନ୍ଦୋବସ୍ତ କରିନାହାନ୍ତି ? ହାୟ, କ‌ହି ପୁଣି ଏକ ଦୀର୍ଘ ନିଶ୍ୱାସ ପକାଇଲେ ।

ତୁମେ କଣ ପାଠ ପଢ଼ି ଚ ମଣି ?

ହଁ ଆଜ୍ଞା, ପଢ଼ିଚି, ମୁଁ ୪ ବର୍ଷରେ ପଢ଼ା ଆରମ୍ଭ କରି ଆଗ ଘରେ ମା ପାଖରେ ପଢ଼ୁଥିଲି ତାପରେ ଚାଟଶାଳୀରେ ବର୍ଷେ ପଢ଼ି ଇସ୍କୁଲରେ ପଢ଼ିଲି । ୮ ବର୍ଷଯାଏ ମୁଁ ଇସ୍କୁଲରେ ପଢ଼ିଚି । ମୁଁ ଉଚ୍ଚପ୍ରାଇମେରି ପାଶ୍ କରିଥିଲି ।"

"ତୁମେ ଏତେ ଅଳ୍ପ ସମୟରେ ଏତେ ପଢ଼ି ପକେଇଲ ? ଆହା ବୁଦ୍ଧିମତୀ ବାଳିକାଟିକୁ ଦାରିଦ୍ର୍ୟ ସର୍ବନାଶ କରି ଦେଇଚି-" ।

ଏଣେ ଦିନତମାମ ଉପାସରେ ଥିବା ଅଶୀବର୍ଷର ବୁଢ଼ୀ ସେହି ବର୍ଷାତିନ୍ତା ଚୁଲିରେ ନିଆଁଲଗାଇ ଭିଜାହାଣ୍ଡି ବସେଇ ଓଦାଚାଉଳକୁ ଭାଜି ପକେଇଲେ । ତାଙ୍କର ଆଜି ଫୁର୍ତ୍ତିର ସୀମାନାହିଁ । ଚାଉଳ ଭଜାକୁ ସିଳ ଦି‌ହରେ ବାଟି ଗୁଣ୍ଡକରି ବାସନରେ ରଖିଦେଲେ । ଏଣେ ହାଣ୍ଡିରେ ପାଣିଦେଇ ଭାତବସାଇ ଦେଲେ ।

ଏଥର ବୁଢ଼ୀଙ୍କର ଘରଦୁଆର ଦରଣ୍ଡା ଲାଗିଲା । କେଉଁଠି କଣ ଅଛି ? ଦୈବ ଯୋଗକୁଗୁଡ଼ ଘଡ଼ିଟିରେ ଗୁଡ଼ ମେଞ୍ଚାଏହବ ଥିଲା । ଘିଅଘଡ଼ି ଦେଖିଲେ ଉପର ଘଡ଼ିରେ ଖାଲି ବଳିତା ମେଞ୍ଚି ଅଛି । ଆଉତଳ ଘଡ଼ିରେ ଦେଖିଲେ ଘିଅ ଟିକିଏ ଲାଗିଚି । ଭଜାଚାଉଳ ଗୁଣ୍ଡକୁ ପାଣିରେ ବତୁରାଇ ସେଥିରେ ଗୁଡ଼ ଘିଅଟିକ ଗୋଳାଇ ଟିକିଏ ଖଟା ସଜିଲା କରି ଆସନ ପକାଇ ପାଣି ଥୋଇ, ଗଲେ ଡାକିବାକୁ । ଯାଇ ଦେଖିଲେ, ତାଙ୍କ କୋଳରେ ମଣିବସିଚି, ଆଉ ସେ ତା ମୁହଁକୁ ଆଉଁଶି କଣ କ‌ହୁଛନ୍ତି-

"ମଣି- ତୋବାବୁଙ୍କୁ ଡାକେ- ସବୁତ ହେଲାଣି ।" "ହଁ ମା' ଯାଉଚି" କ‌ହି ଶ୍ୟାମ‌ବାବୁ ମଣିକୁ ଧରି ଯାଇ ଦେଖିଲେ ଜଳଖିଆ ଏତେ ଯତ୍ନରେ ସଜଡ଼ା ହେଇଚି । ସେ ପଚାରିଲେ ମା, ଏସବୁ ଆଇଲା କେଉଁଠୁ ? ମୁଁ ତ ଶୁଣିଥିଲି ଘରେ ଚାଉଳ କଣା ନ ଥିଲା- ଛତୁ କୁଠୁ ଅଇଲା ?

ମଣି କ‌ହିଲା- ନାଇଁ ମ- ମା- ସେ ଓଦା ଚାଉଳକୁ ଭାଜି ଏମିତି ଗୁଣ୍ଡ କରିଛନ୍ତି ନାଁ । ତମେପରା ବ୍ରାହ୍ମଣ ଆମେ କ୍ଷତ୍ରିୟ । ତମେ କଣ ଆମଘରେ ଭାତ ଖାଇବ ?

"ବାଃ କିଏ କ‌ହିଲା- ମାଆତ ବେଶ୍ କରିଚନ୍ତି- ମୁଁ କଣ ଏତେ ସ୍ୱାର୍ଥପର । ମା' ମୁଁ ଥରେ କ‌ହିଚି ମୁଁ ତମର ପୁଅ- ଆଉ କଣ ? ନାଁ ମୁଁ ତ ଭାତ ଖାଇବି ।"

ଶ୍ୟାମ ବାବୁ ଠିକ୍ ପିଲା ପରି ହେଲେ । ଛତୁକୁ ୩ ଭାଗ କରି ସେଥିରୁ ଭାଗେ ରେକାବିରେ ଅଲଗା କରିଦେଇ ବାକିତକ ଘେନି ବସି ମଣିକି ଡାକିଲେ । ମଣି ପ୍ରଥମେ ଶଙ୍କା କରି ଗଲା ନାହିଁ । ତାକୁ ଆସି ଟାଣି ନେଇ କୋଡ଼ରେ ବସାଇ ବାବା ଝିଅ ଏକାଠି ଖାଇ ବସିଲେ ।

ମଣି ଡାକିଲା- "ତମେ ମୋର ବାବା ?"

ବୁଢ଼ୀ କ‌ହିଲେ, "ତୁ ମୋର ପୁଅ ? କି ଭାଗ୍ୟବତୀ ମୁଁ ?" ଶ୍ୟାମ ବାବୁ ଉତ୍ତର ଦେଲେ, "ହଁ ମା, ମୁଁ ତୋର ବାବା, ହଁ ମା, ମୁଁ ତୋର ପୁଅ । ବାକିତକ ଚାଉଳ ଭାତ ରାନ୍ଧ- ଖାଇବା" କ‌ହି ମଣିକି ଖୁଆଇ ଦେଲେ । ମଣି ଆଉ ବୁଢ଼ୀ ଏ ଉଭୟଙ୍କର ମନ ଯେ କଣ ହେଲା ସେ ଜାଣନ୍ତି । ଏଭଳି ଆନନ୍ଦ ତାଙ୍କ ଜୀବନରେ ପ୍ରଥମ । ବୁଢ଼ୀ ସମ୍ଭାଳି- ପାରିଲେ ନାହିଁ, କ‌ହିଲେ, "ବାପା, ତୋରି ଚେହେରା ଘେନି ଆଗ ତ କିଏ ଗୋଟିଏ ପିଲା ଆସି ଥିଲା- ମୋଘରକୁ, ଠିକ୍ ସେ ତୋପରି । ମୋତେ ଜୋର୍ କରି ଧରିଲା, ତୁମେ ଆମଘରକୁ ଆସ । ମାତ୍ର ମୁଁ ନାହିଁ କଲି । ସେ ୪୦ ଟଙ୍କା ଆଣି ମୋ ଜମି ରଖି ଦେଇଗଲା । ଆହା, ସଂସାରରେ ଏଭଳି ଲୋକ ନଥିଲେ ଏ ଅସୁର ପୁରୀରେ ମଣିଷ କିପରି ବଞ୍ଚନ୍ତା ?"

ଶ୍ୟାମ ବାବୁ କ‌ହିଲେ- "ବୁଝିଛି ମା, ବୁଝିଛି, ସେ ପିଲାଟି ମୋରି ପୁଅ, ମୋର ସେଇ ଗୋଟିକ କୁଜାଙ୍କୁର, ତାକୁ ଆଶୀର୍ବାଦ କର ମା !"

ବୁଢ଼ୀ କ‌ହିଲେ- "ଆହା ! ତୋରି ବାପା, ସେ ପୁଅ ? କି କପାଳ ମୋର । ତା ନହେଲେ ଏପରି ସୁନ୍ଦର, ଏପରି ସରଳ, କୋମଳ ଦୟାଳୁ ଆଉ କିଏ ହେବ ?"

ଶ୍ୟାମ ବାବୁ ମଣି ଯେତେ କଥା କ‌ହିଥିଲା ସବୁ କ‌ହିଗଲେ । ବୁଢ଼ୀ ଆଶ୍ଚର୍ଯ୍ୟ ହେଲେ ଯେ, ଏତେ ଅଳପ ସମୟ ଭିତରେ ସେ ସବୁକଥା ଶୁଣି ଯାଇଚନ୍ତି ।

ଏଣେ ଗଫ ସଫ ହେଉ ଥାଏ, ତେଣେ ବୁଢ଼ୀ ଶ୍ୟାମ‌ବାବୁ ଶୋଇବା ପାଇଁ ଖଟ ସଜାଡ଼ୁ ଥାନ୍ତି । ଖଣ୍ଡିଏ କେଉଁ କାଳର ଧୋତଡ଼ି ଖଟ ଥିଲା, "ସେ ତାକୁ ଦଉଡ଼ି ବାନ୍ଧି ଠିକଣା କରୁଥାନ୍ତି । ଶ୍ୟାମ‌ବାବୁ ପଚାରିଲେ- ମା, ସେଟା କଣ କରିବ ?"

"ବାବା, ତୁ ଆଉ କେଉଁଠି ଶୋଇବୁ ? ଘରଦ୍ୱାର ତ' ଚାରିଆଡ଼ ତିନ୍ତି ଯାଇଚି- ଆମର ସବୁଦିନର ଅଭ୍ୟାସ, ଶୋଇ ପଡ଼ିବୁଁ, ଆଉ ତୁ ତ ତଳେ ଶୋଇ ପାରିବୁ ନାହିଁ । ଏଟା ଛିଡ଼ିବ ନାହିଁ ଯେ- ମୁଁ ଦଉଚି ତିଆର କରି ।"

"ମା, ବାୟାଣୀ ହେଲ, ମୁଁ କଣ ଏଡ଼େ ଦେବତା ? ଦଶ ବର୍ଷର ସୁକୋମଳ ଶିଶୁ ଶୋଇବ ଓଦାରେ, ଭୂଇଁରେ, ମୁଁ ଶୋଇବି ଖଟରେ ? ୮୦ ବର୍ଷର ବୃଦ୍ଧା ଶୋଇବେ ବରଷା ପାଣିରେ- ମୁଁ ଶୋଇବି ଖଟରେ ? ନା ମା, ତା ହେବ ନାହିଁ । ସମସ୍ତେ ଭୂଇଁରେ ଶୋଇବା ।"

ବୁଢ଼ୀଙ୍କର ଜବାବ ଦେବାକୁ କିଛି ମାତ୍ର କଥା ଦିଶିଲା ନାହିଁ । ସେ ଭାତ ଦେଖିବାକୁ ଘରକୁ ଚାଲିଗଲେ ।

ବାବାଝିଅ ଖାଇସାରି ହାତ ଧୋଇ ପକାଇଲେ । ଆଉ ପୁଣି ଯାଇ ତାଙ୍କ ଜାଗାରେ ବସି କଥାବାର୍ତ୍ତା ହେଲେ । ମଣି ତା ପିଲାଦିନର ଶ‌ହଶ‌ହ କଥା କ‌ହିଗଲା । ଶ୍ୟାମ‌ ବାବୁ ସବୁ କାନ ଡେରି ଶୁଣିବାକୁ ଲାଗିଲେ ।

ଯଥା ସମୟରେ ଭାତ ବଢ଼ା ହେଲା । ବାପଝିଅ ବସିଲେ ଗୋଟିଏ ପତରରେ, ଆଉ ବୁଢ଼ୀ ବସିଲେ ଗୋଟିଏ ପତରରେ । ବୁଢ଼ୀ ବସୁ ନଥିଲେ, ମାତ୍ର ଶ୍ୟାମ‌ବାବୁ ବାଧ୍ୟ କରି ବସାଇଲେ । ତରକାରୀ ଭିତରେ ଶାଗ ଖରଡ଼ା, କଦଳୀ ଭଜା, ଆଉ ପରିବାର ବେଶର । ଏହି ଗରିବର

ଖାଦ୍ୟ ଭିତରେ କି ମାଧୁରୀ ଥିଲା, ଯାହା ତାଙ୍କୁ ଆଶ୍ଚର୍ଯ୍ୟ କରିଦେଇ ଥିଲା । ଆଜି ପର୍ଯ୍ୟନ୍ତ ସେ ଏପରି ତୃପ୍ତିକର ଖାଦ୍ୟ କେଉଁଠି ଖାଇ ନଥିଲେ । ତାଙ୍କୁ ଅମୃତ ପ୍ରାୟ ମନେ ହେଲା । ଏପରି ତୃପ୍ତିକର ଖାଦ୍ୟ ତାଙ୍କର ସ୍ତ୍ରୀ ମଲାଦିନୁ ସେ ଆଦୌ ଖାଇବାକୁ ପାଇ ନଥିଲେ । ତେବେ ସ୍ତ୍ରୀଙ୍କର ଖାଦ୍ୟ ତ ଅତି ଉଚ୍ଚ ଧରଣର; ମାତ୍ର ଏହି ଭଜା ଚାଉଳର ଭାତ ଅନାମନା । ଶାଗର ଖରଡ଼ା, ଆଉ କଦଳୀର ଭଜା ତାଙ୍କୁ ଯେ ପରମ ସନ୍ତୋଷ ଦେଇ ଥିଲା, ତାହା ଅପୂର୍ବ । ଏହି ଅନ୍ନ ମଧ୍ୟରେ ସେ ଯେପରି ସନ୍ତୋଷର ଜୀବନ୍ତ ମୂର୍ତ୍ତି ଅନୁଭବ କଲେ ଏବଂ କ‌ହିଲେ- "ମା, ଆଜି ତମେ ମତେ ଅମୃତ ଭୋଜନ ଦେଲ ?"

ବୁଢ଼ୀ ଲଜ୍ଜାରେ ମୁଣ୍ଡ ନୁଆଁଇ କ‌ହିଲେ- "ବାପ, ତୁ ରାଜ ରାଜେଶ୍ୱର, ମୋ ଦୁଆରେ ଅତିଥି । ତୋର ପାଦ ମୋ ଦୁଆରେ ପଡ଼ିଲା, ଏ ମୋର କେତେ ଜନ୍ମର ତପସ୍ୟା ।"

ଶ୍ୟାମ ବାବୁ ଏତିକି ବେଳେ ଭାବିଲେ- "ଆହା, ଗରିବ ଭିତରେ ପୁଣି ମାଧୁରୀ ନାହିଁ, ଗରିବ ଭିତରେ ପୁଣି ଦେବତା ନାହାନ୍ତି- ମହତ୍ତ୍ୱ ନାହିଁ କିଏ କ‌ହିଲା ? ବରଂ ଯଦି କେଉଁଠି ମହତ୍ତ୍ୱ, ଦେବତ୍ୱ, ମାଧୁରୀ ଅଛି, ତେବେ ଗରିବ ସମାଜରେ । ତାଙ୍କର ଧନୀ, ରାଜା ମହାରାଜା, କ୍ଷେମତାପନ୍ନ ଲୋକଙ୍କୁ କେଜାଣି କାହିଁକି ଘୃଣା ଅଇଲା । ଭାବିଲେ, "ହାୟ, ସେମାନେ ଯଦି ଏ ଗରିବ କୁଟୀର ଦେଖନ୍ତେ; ତେବେ ଜାଣନ୍ତେ କେଉଁଠି ସୁଖ-ଆନନ୍ଦ ଅଛି ? ସେଇଥିପାଇଁ ତାଙ୍କର ପୁରାତନ ବୈଦିକ ଆର୍ଯ୍ୟ ମହର୍ଷିମାନେ ବଣରେ ଶାନ୍ତିରେ କୁଟୀର ପ୍ରସ୍ତୁତ କରି ରହୁଥିଲେ । ଆଜି ସେଦିନ କାହିଁ ? ହୃଦୟ ଯାଇଚି, ଅଛି କେବଳ ଛାୟା । ଯେତେଦିନ ଯାଏ ଏହି ଧନୀ ଦରିଦ୍ରର ବୈଭିନ୍ନ ସମାଜରେ

ପ୍ରଚରି ଥିବ- ଯେତେଦିନଯାଏ ଏହି ନରରାକ୍ଷସଦଳ ମାନବର- ମାନବତ୍ୱ ଦେବତ୍ୱ ହରଣ କରିବା ପାଇଁ ଖଡ୍ଗ ହସ୍ତରେ ଲୋକଜିହ୍ୱା ବିସ୍ତାର କରି ରହି ଥିବେ- ଯେତେ ଦିନ ଯାଏ ଏହି ପାଷଣ୍ଡ ବଳୀର ଉଗ୍ର ତରବାରୀ ସରଳ ଶାନ୍ତ ପ୍ରାଣୀକୁ ଛିନ୍ନ ବିଛିନ୍ନ କରୁଥିବ- ଯେତେଦିନ ଯାଏ ପୃଥିବୀ ପୃଷ୍ଠରୁ ରକ୍ତଲେଖା ନ ଲିଭିବ- ଧନୀ ଦରିଦ୍ର ସମାନ ନ ହେବ- ରାଜା ପ୍ରଜା ଏ ଆସନାରେ ନ ବସିବେ- ସମ୍ରାଟ ସାମନ୍ତ ଏକ ସଙ୍ଗେ ଭୋଜନ ନ କରିବେ- ଚଣ୍ଡାଳ ବ୍ରାହ୍ମଣ ହାତ ଧରା ଧରି ନ ହେବେ, ତେତେଦିନ ଯାଏ ଏହି ଦେଶ- ଏହି ଜାତି ନିଶ୍ଚୟ ନିର୍ବଳ ଅନୁନ୍ନତ- ଦୁଃଖଗ୍ରସ୍ତ- ଥିବ- ଥିବ- ଥିବ । ଜଗତରେ ଗୋଟାଏ ଜାତି ଆଜି ଯାହା ଦେଖାଇ ଦେଇଚି ତାହା ଅନୁକରଣ କରିବାକୁ ମାନବର ମନ ଯଦି ପ୍ରବଳ ଆକାଙ୍କ୍ଷାରେ ଆକାଙ୍କ୍ଷିତ ନ ହୁଏ, ତେବେ ଉପାୟ କଣ ? ହାୟ ଭଗବାନ, କେବେ ଏ ଲାଭିତର ସେହି 'ବସୁ ଧୈବ କୁଟୁମ୍ବକଂ' ରୀତି ରକ୍ଷା କରିବ ? ଉଚ୍ଚ ସ୍ୱରରେ ଗାଇବ "ଶୁଣନ୍ତୁ ବିଶ୍ୱେ ଅସ୍ଥତସ୍ୟ ପୁତ୍ରା ।"

ତାଙ୍କ ମନରେ ଆସିଲା ହେବ ହେବ ହେବ- ବର୍ତ୍ତମାନ ଜାତିର-ସମାଜର-ଜଗତର ଉତ୍‌ଥାନ ଚିତ୍ର ତାଙ୍କ ଆଖି ଆଗରେ ଉଭାସିଉଠିଲା । ପ୍ରାଣରେ କଳ୍ପନା ରାଇଜର ତରୁଣ ଅରୁଣ ବରଣର ସ୍ନିଗ୍ଧ ଜ୍ୟୋତିରେ ସେ ଉଜ୍ୱଳ ହୋଇ ଉଠିଲେ ।

+ + + +

ସକାଳୁ ଉଠି ଦେଖିଲେ, ତାଙ୍କର ଲୁଗାପଟା ଗୁଡ଼ିକ ଶୁଖିଲା ଅବସ୍ଥାରେ ଯଥା ସ୍ଥାନରେ ସଜ୍ଜିତ ହୋଇ ରହିଅଛି । ବୃଦ୍ଧାଙ୍କର କାର୍ଯ୍ୟକୁ ଶତ ଧନ୍ୟବାଦ ଦେଇ ସେଗୁଡ଼ିକ ପିନ୍ଧି ଡିପୋଟି ବେଶରେ ଶ୍ୟାମ‌ବାବୁ

ଦାଣ୍ଡକୁ ବାହାରିଲେ । ପ୍ରଥମେ କେତେକ ଲୋକ ସାଙ୍ଗରେ ନେଇ ଆଉ ମଧ୍ୟ ମଣିକୁ ସଙ୍ଗରେ ନେଇ ମଣି ଖୋଜି ବାହାରିଲେ । ତୋଟାରେ ପଶି ଦେଖିଲେ ସାପଟି ମରି ଯାଇଛି । ସାପ ମୁଣ୍ଡରୁ ମଣିଟି ଲୋକଙ୍କ ଦ୍ୱାରା ସଂଗ୍ରହ କରି ଗଛକୁ କାଟି ସାପଟାକୁ ବାହାର କରାଇ ସ‌ହରକୁ ପଠାଇ ଦେଲେ । ଚାରିଆଡ଼େ ଦଣ୍ଡକେ କଥାଟା ରାଷ୍ଟ୍ର ହୋଇଗଲା । ମଣି ସଙ୍ଗେ ମଣି ଘେନି ଫେରି ଆସିବା ପରେ ବୃଦ୍ଧା ସମସ୍ତ ରହସ୍ୟ ଜ୍ଞାତ ହେବା ପାଇଁ ଅନୁରୋଧ କଲେ । ତେଣୁ ସେ ଆମୂଳଚୂଳ ସମସ୍ତ ଘଟନା କ‌ହି ସାରି ତାହା ଦୈନିକ କାଗଜକୁ ଲେଖି ଶୀଘ୍ର ପୋଷ୍ଟ କରିଦେଲେ ।

ଏଣେ ତାଙ୍କର ବିଦାୟର ସମୟ ନିକଟରୁ ନିକଟତର ହୋଇଗଲା । ଗାଁରେ ହାଉ କାଉ ପଡ଼ିଗଲା ଯେ, କାଲି ଡିପୋଟି ସାହେବ ଗୋବର ଗୋଟେଇ ଘରେ ଥିଲେ । ଆଉ ଗୋବରଗୋଟେଇ କ‌ହିବାକୁ କାହାରି ସାହାସ ହେଲା ନାହିଁ, ସମସ୍ତେ ଭାବିଲେ- "କେହି ଟିକିଏ ଜାଣି ପାରିଲେ ନାହିଁ- ତା ଘରୁଟାରେ ବାବୁ ରହି ଗଲେ ।" ମାତ୍ର ବାବୁ ତିଳେ ମାତ୍ର କାହାକୁ ଚାହିଁଲେ ନାହିଁ । ଏଥର ବୃଦ୍ଧାଙ୍କୁ ବିଦାୟ ମାଗିଲେ ଏବଂ ମଣି ହାତରେ ପକେଟ ବ୍ୟାଗରୁ ୧୦୦ ଟଙ୍କାର ନୋଟ ଖଣ୍ଡିଏ ବାହାର କରିଦେଇ କ‌ହିଲେ- "ମଣି ! ଏକୁ ଖର୍ଚ୍ଚ କରି ତୁମେ ସୁବିଧାରେ ଚଳ- ଆଉ ଘର ଦୁଆର ପ୍ରଭୃତିର ଯେ କିଛି ଅସୁବିଧା ଅଛି, ତାହା, ମୁଁ ପରେ ପୂରଣ କରି ଦେବି । ଏଥିରେ କୌଣସି ପ୍ରକାର ଦୁଃଖ ଭାବ ନାହିଁ ।"

ଆଉ ମଧ୍ୟ କ‌ହିଲେ- "ମା ! ମୁଁ ତୁମଙ୍କୁ ଏହି ଟଙ୍କା ଦେଉ ନାହିଁ- ଏହା ତୁମର ପ୍ରାପ୍ୟ ! ସରୋଜ ଯେଉଁ ଦିନୁଁ ତୁମର ଦୁଃଖ କାହାଣୀ ମୋ ଆଗରେ କ‌ହିଲାଣି, ହାୟ ସେ ଦିନଠୁ ମୁଁ ଚେଷ୍ଟା କରିଥିଲେ ଏହି କନ‌କ ପ୍ରତିମାଟି ଏପରି ନାର ଖାର ହୋଇ ନ ଥାନ୍ତା । ହେଉ ମୁଁ ଯାଉଚି ।

ବୃଦ୍ଧାଙ୍କ ଆଖିରୁ ଲୁହଧାର ଖସିଗଲା । ସେ ଆଉ କିଛି କ‌ହିପାରିଲେ ନାହିଁ- କଣ କ‌ହିବାକୁ ଯାଉଥିଲେ ତାଙ୍କର ପାଟି ବନ୍ଦ ହୋଇଗଲା । ମଣି କେବଳ ପଚାରିଲା "ବାବା ! ତମେ ଆଉ କଣ ଆଉ ଘରକୁ ଆସିବ ନାହିଁ ? ମତେ ଟିକିଏ ସରୋଜ ଭାଇକୁ ଦେଖାଇବ ନାହିଁ ?"

ଡିପୋଟୀ ବାବୁ ତାକୁ ଗୋଟିଏ ବିଦାୟ ଚୁମ୍ବନ ଦେଇ କ‌ହିଲେ, "ହଁମା ! ମୁଁ ପୁଣି ଆସିବି ଯେ । ସରୋଜ ଭାଇ ଛୁଟିରେ ଘରକୁ ଫେରିଲେ ସେ ମଧ୍ୟ ଆସିବ ।"

ବାଳିକା କିଛି କ‌ହିପାରିଲା ନାହିଁ- ଛନ ଛନ ହୋଇ କେବଳ ଚାହିଁଲା । ଧୀରେ ଧୀରେ ପଛକୁ ଚାହିଁ ଚାହିଁ ଶ୍ୟାମ‌ବାବୁ ଅଦୃଶ୍ୟ ହେଲେ- ମଣିର ଇନ୍ଦୀବର ଡୋଳା ଦୁଇଟିର ଛଳ ଛଳ ଚାହାଣୀ, ଆଉ ବୃଦ୍ଧାଙ୍କର ଅଶ୍ରୁଭରା ମୁଖର ସ୍ମୃତି ଘେନି ।

ଏଣେ ମଣି ଆଉ ତାର ମା' ଘରକୁ ଯାଇ ଶ୍ୟାମ‌ବାବୁଙ୍କ କଥା କଥାବାର୍ତ୍ତା ହେଲେ ଏବଂ ଦିନ ଗଣିଲେ ପୁଣି କେବେ ସେ ତାଙ୍କ ଅତିଥିଙ୍କୁ ଭେଟିବେ ?-

ବୁଢ଼ୀମା ଆଉ ନାତୁଣୀ ସକାଳେ ଗୋଧୋଇ ପାଧୋଇ କାଲି ରାତିର ପଖାଳ ଗଣ୍ଡାକ ଖାଇ ଥିର ହୋଇ ବସିଚନ୍ତି, ଏହି ସମୟରେ ଘସି ଖରିଦ ବାଲା ଦୁଆରେ ଆସି ଡାକିଲା "ମଣି ! ମଣି ! ମଣି !-"

ବୁଢ଼ୀ ଦୁଆର ଫିଟାଇ ତାଠୁ ପାଞ୍ଚସୁକା ଅଚକାର ନେଇ ଘରକୁଗଲେ । ମନରେ ଆନନ୍ଦ ହେଲେ, ଏହିକ୍ଷଣି କେତୋଟା ଦିନ ସୁରୁଖୁରୁରେ ମଣିଷ ଚଳିଯିବ । ନୋଟଖଣ୍ଡ ଭଙ୍ଗେଇଲେ ଘର ଖଜଣାଟା ପଧାନ‌କୁ ଦେଇ-

ଦେବି, ଆଉ ଦେଖିକରି ତାକୁ ଭଙ୍ଗେଇ ନେବି । ଘସିବାଲା ଯାହା ଘସି ଥିଲା, ସେତକ ନେଇ ବୁଢ଼ୀଙ୍କଠୋଉ କିଛି ପଇସା ଧରି, କାରବାର ଆଣି ଦେବାକୁ ଚାଲିଗଲା ।

ଯିବା ଆଗରୁ ବୁଢ଼ୀ ପଚାରିଲେ- "ହଇରେ କାହ୍ନୁଆ ! ଖଣ୍ଡେ ନୋଟ ଭଙ୍ଗେଇ ଦେଇ ପାରିବୁ ?"

କାହ୍ନୁଆ ହସି ଦେଇ କ‌ହିଲା- "ମା' କଣ ସପନ ଦେଖୁଛ- ନୋଟ କୁଠୁ ପାଇଲ ?"

ବୁଢ଼ୀ ସବୁ କଥା କ‌ହିବାରୁ ସେ ଆନନ୍ଦ ହୋଇ କ‌ହିଲେ- "ମା, ପ୍ରଭୁଙ୍କୁ ଡାକୁଥିଲି- ମତେ ଏହି ମଣିକି ଦେଖିଲେ ବଡ଼ କାନ୍ଦ ମାଡ଼େ- ଆହା, କେଡ଼େବଡ଼ ଲୋକ ଘର ଝିଅ କଣ ହେଇ ଗଲାଟି ? ପ୍ରଭୁ ତେବେ ଗରିବ ଗୁହାରୀ ବୁଝୁଛନ୍ତି ? ହଉ ମା, ମୁଁ ମାଢ଼ୁ ଆଳିଠୁ ବୁଝି କ‌ହିବି ।"

ସେ ଚାଲିଗଲା । ବୁଢ଼ୀ ଘର ଭିତରକୁ ଆସି ଦେଖିଲେ, ମଣି ନିବିଷ୍ଟ ଚିତ୍ତରେ କାଳି କଲମ କାଗଜ ଧରି କବିତା ଯୋଡ଼ୁଚି । ସେ ବେଳ ପାଇଲେ ଏପରି କେତେ କବିତା ଲେଖେ । ଆଜି ତାର ବାବା- ପାଇଁ ସେ ଗୀତ ତିଆର କରୁଚି । ତାଙ୍କର ମନ ବଡ଼ ଆନନ୍ଦ ହେଲା । ସେ ମଧ୍ୟ ପାଖରେ ବସି ତାକୁ ସାହାଯ୍ୟ କଲେ । ଗୀତଟି ତିଆରି ସରିବ । ପରେ ମଣି ତାର ସ୍ୱଭାବସୁଲଭ ମଧୁର କଣ୍ଠରେ ଗାଇଲା-

"ଗୁଣବନ୍ତ ହେ ତୁମେ ଆମ ରାଇଜେ
ଗରିବ ଦୁଆରକୁ ଆସିଲ ଯେବେ । ୧
କି ଦେଇଣ କରିବୁ ତମରି ପୂଜା
ଆମ ଘରେ ତ ନାହିଁ ମୁଠିଏ ଭୁଜା । ୨

ରଜା ତ ତମେ, ଆମେ ଦୁଃଖିନୀ ଲୋକ
ପାଦ ପଡ଼ିଲା ଘରେ ହେଲୁ ସାର୍ଥକ । ୩

ଖାଇଲ ଖୁଦକୁଣ୍ଡା ନ‌କରି ଘୃଣା
ଶୋଇଲ ଛିଣ୍ଡାକନା କରି ବିଛଣା-- । ୪

ଓଦା କାଦୁଏ ପ୍ରଭୁ କାଟିଲ ରାତି
ଧନ୍ୟ ଧନ୍ୟ ହେ, ତମେ ଉଦାରମତି । ୫

କୃତାର୍ଥ ହେଲୁ ଆମେ ହେଲା ସଫଳ-
ଆମ ମଣିଷଜନ୍ମ ଶ୍ୟାମସୁନ୍ଦର । ୬

ବିଦୁର ଘରେ କଲ ଯେ ଶାଗଭାଜି
ମନେ ରହିବି ଆମ ସେ କଥା ଜାଗି । ୭

ଧନ‌ଦରବ ଦେଲ ହେଲୁଁ ହେ ସୁଖୀ
ନମସ୍କାର ତୁମକୁ ମୁଁ ନିରିମାଖି । ୮

"ଆଠ ପଦଟା ଠିକ୍ ହେଲା ନାହିଁ ମା, ଆଉ ଦିପଦ ସେଥିରେ ମିଶାଇ ଦେ- ଦଶପଦ ହେଇଯାଉ । ଲେଖେ, ମୁଁ ଡାକି ଦଉଚି"- ମଣି ଲେଖିଲା-

ମାଆ ବୁଢ଼ୀ କରଇ ସୁକଇଲାଣ
ଦୁଃଖୀଙ୍କୁ ଦେଖ ତୁମେ ଏପରି ଜାଣ । ୯
ମନେ ରଖିବ ବାବା ସରୋଜ ଭାଇ
ବିମଳେଇ ତା ଗୁଣ ଦେବେ ବଢ଼ାଇ । ୧୦

ବୁଢ଼ୀ ମାଆର ଗୀତ ଦିପଦ ମଣିମନ‌କୁ ଖୁବ୍ ପାଇଲା । ସତେ ସେ ତା ଗୀତରେ ବୁଢ଼ୀ ମା' କଥା ଆଉ ସରୋଜ ଭାଇ କଥା ଛାଡ଼ି ଯାଇ

ଥିଲା । ଏଥର ସେ ଗୀତଟିକୁ ଖଣ୍ଡିଏ ସଫା କାଗଜରେ ଉତାରି ତଳେ ତାର ନାମ ଲେଖିଦେଲା-

ତମର ଗରିବ ଝିଅ
ଶ୍ରୀମତୀ ଜେମାମଣି

ତା ମନ ହେଲା ଏହିକ୍ଷଣି ସେ ଗୀତଟିକୁ ବାବାଙ୍କ ପାଖକୁ ପଠେଇ ଦିଅନ୍ତା- ମାତ୍ର ସେପରି ସୁବିଧା କାଇଁ ? ବୁଢ଼ୀମା କ‌ହିଲେ- "ଥାଉ ମା ଯେଉଁ ଦିନ ବାବା ଆସିବେ ସେଇ ଦିନ ତାକୁ ସାଇତି ରଖିଥା, ଦେବା ।"

+ + + + +

ଦିନ ଦିନ ହୋଇ ଏହାମଧ୍ୟରେ କେତେଦିନ ଗତ ହୋଇଗଲା । ଦିନେ ରାତି ପାହାନ୍ତିଆରେ ଶୁଭିଲା "ଚୋର- ଚୋର- ଚୋର ।" ଗାଁ ତମାମ୍ ଦଣ୍ଡକେ ଜମା ହୋଇଗଲେ । ହୋହା- ଘୋଘା ପାଟିରେ ଗାଁ ଖଣ୍ଡ ଉଛୁଳି ପଡ଼ିଲା । ଧରଧର- ମାର ମାର- ହେଇଟି ହେଇଟି- ଗଲା ଗଲା ବୋଲି ଲୋକସବୁ ଏପାଖ ସେପାଖ ହୋଇ ବୁଲିବାକୁ ଲାଗିଲେ; ମାତ୍ର ଚୋର ଧରା ପଡ଼ିଲା ନାହିଁ । ଦୁଆରେ ଆଲୁଅ ଥୋଇ ପଞ୍ଝା ପଞ୍ଝା ଲୋକ ବାର ବ୍ରହ୍ମାଣ୍ଡର କଥାବାର୍ତ୍ତା ହେଲେ । କିଏ କ‌ହିଲା- "ଦେଖିଥାନ୍ତ ଯେବେ; ଆଉ ମୁହୂର୍ତ୍ତେ ଆଗରୁ ନିଦଟା ଭାଙ୍ଗି ଯାଇ ଥାନ୍ତା, ତେବେ ଚୋର ନ ଚୋରବାପ ଶ୍ୟାମ ପାତ୍ର ହାବୁଡ଼ରୁ ଯାଇଥାନ୍ତା ? ଆଉ ଜଣେ କ‌ହିଲା- "ଆରେ ଯା- ହାବୁଡ଼େ ପଡ଼ିଥିଲେ ଗୋଡ଼ ଦିଟା ମୁଁ ଭାଙ୍ଗି ଦେଇ ନଥାନ୍ତି ? ସେଇ ବାଡ଼ି ବଣ‌ଟାରେ ତ ଖସ ଖସ ହୋଇ ପଲେଇଲା । ଗୁହ ବଣିଟାକୁ ଯାଇ ମଣିଷ କିଏ ଧରୁଚି ?" ଅନ୍ୟ ଜଣେ କ‌ହିଲା, "ବିଶିଆ ଥାନ୍ତାକି ଦେଖିଥାନ୍ତ- ଘରେ ନିଆଁ ଲଗାଇ ଦେଇ ଯେବେ ସେହି ଆଲୁଅରେ ଚୋରକୁ ବାନ୍ଧି ଦେଇ ନଥାନ୍ତା ?"

ଏପରି କିଏ କେତେ କଥାବାର୍ତ୍ତା ହେଲେ । ସକାଳୁ ପ୍ରଧାନଙ୍କ ଘର ଚୋରି ତାଲିକା ବାହାରି ପଡ଼ିଲା । ହଜିଗଲେ ଜିନିଷର ଦାମ ଜଣା ପଡ଼େ । ସେ ମିଛ ସତ ଯୋଡ଼ି ୩୦୦୦ ଟଙ୍କାର ପଦାର୍ଥ ଚୋରିଯାଇଚି ବୋଲି ବାହାରେ ପ୍ରଚାର କଲେ । ଟ୍ରଙ୍କ ପେଟରା କିଛି ଯାଇ ନାହିଁ- ଯାଇଚି ଖାଲି ଭିତରୁ ମାଲ । ସଙ୍ଗେ ସଙ୍ଗେ ଗଣ୍ଡା ଗଣ୍ଡା ମାମଲତକାର ବାହାରି ପଡ଼ିଲେ- ପୋଲିଶ ଏତଲା ହେଲା- କନିଷ୍ଠବଳ ଆସି ଅନୁସନ୍ଧାନରେ ଲାଗିଗଲା ଏବଂ ସଦରକୁ ଖବର ପଠେଇ ଦେଲା । ଦିନ ୧୦ଟା ବେଳେ ଦାରୋଗା ବାବୁ ଆସି ହାଜର ହୋଇଗଲେ । ସେ ପ୍ରଶ୍ନ ଉପରେ ପ୍ରଶ୍ନ- ପ୍ରଶ୍ନ ଉପରେ ପ୍ରଶ୍ନ ପଚାରି ସବୁକଥା ଲେଖି ନେଲେ । ବାଡ଼ିଘର ଚାଳବାଡ଼ ସବୁ ପରୀକ୍ଷା କରି ଫେରିଗଲେ । ପ୍ରଧାନଙ୍କର ଖଜଣା ଟଙ୍କାରଖା ଚାଙ୍ଗୁଡ଼ିଟି ଚୋରି ହେବାରୁ ସେ ବିରକ୍ତିରେ ସେହିଦିନ ବାକି ଥିବା ଖଜଣାବାଲାଙ୍କ ଦୁଆରେ ପାଣ ପଠାଣ ପିଆଦା ଲଗେଇ ଦେଲେ । ପିଆଦାମାନେ ଅଭାଷା ଭାଷାରେ ଗାଳିଦେଇ ଲୋକଙ୍କୁ ଅଥୟ କରି ପକାଇଲେ ।

ମଣିଘର ଗାଁର ଏକପାଖରେ ହେଲେ ସୁଦ୍ଧା ସେମାନେ ଚୋରି କଥା ଶୁଣି ବଡ଼ ଦୁଃଖ କରିଥିଲେ । ପ୍ରଧାନ ଘରଟି ତା'ଙ୍କ ଗାଁରେ ମଉଡ଼ମଣି ଥିଲା । ସେ କାହାକୁ ଉପକାର କରୁ କି ନ କରୁ, ଗୁଡ଼ିଏ ଧନ ଦରବ ତ ରଖି ରହିଥିଲା । ଏତେବଡ଼ କୁଟୁମ୍ବଟା- କିପରି ଚଳିବେ ବୋଲି ବୁଢ଼ୀ କେତେ ଭାବିଲେ । ମାତ୍ର ତାଙ୍କର ଜମିବାଡ଼ି ସବୁ ଷଡ଼ଯନ୍ତ୍ର କରି ହାତକୁ ନେଇ ଯାଇଚି ବୋଲି ତାଙ୍କର ତିଳେ ହିଂସା ହେଲା ନାହିଁ ।

ତାଙ୍କର ତ ଖଜଣା ବାକି ଥିଲା । ସେଥିପାଇଁ ଦୁଆରେ ଯେତେବେଳେ ପିଆଦା ଡକା ଛାଡ଼ିଲା, ବୁଢ଼ୀ ଚମକି ପଡ଼ିଲେ । ଅତରଛରେ

ସେହି ବଳିତା କନାରେ ଗୁଡ଼ା ହୋଇଥିବା ନୋଟ ଖଣ୍ଡିକୁ ମଣି ହାତରେ ଦେଇ ପ୍ରଧାନ ପାଖକୁ ପଠାଇ ଦେଲେ । ମଣିକୁ କ‌ହିଲେ- "ମା, ଏକୁ ନବୁ କି- ଦନେଇ ବାପାକୁ ଦେଇ କ‌ହିବୁ ଏଇଥିରୁ ୨ ବର୍ଷର ଖଜଣା ଆମର କାଟିରଖି ବାକିତକ ଟଙ୍କା ଦେବେ ।

ମଣି ଚାଲିଗଲା । ପିଆଦା ତାର ଚାରିପଇସାଟି ଧରି ଅଲଗା ଜାଗାକୁ ଗଲା । ମଣିକୁ ମା' ଯେମିତି କ‌ହିଥିଲେ ସେ ସେହିପରି କ‌ହି ନୋଟ‌ଟି ପ୍ରାଧାନଙ୍କୁ ଦେଲା । ନୋଟ‌ଟି ଦେଖି ପ୍ରଧାନଙ୍କର ପିହ୍ଳେଇ କମ୍ପିଗଲା । ପାଖରେ ଥିବା କେତୋଟା ଆପୁଲି ବଦଖୋର ଲୋକ ମୁଡ଼ୁକିହସାଦେଇ କ‌ହିଲେ- "ଦେଖ ! ଧାର୍ମିକ ମାଲ- ସେ କେବେ ଲୁଚିବ ନାହିଁ । ଦଣ୍ଡକେ ଧରାପଡ଼ି ଗଲା ।"

ପ୍ରଧାନେ ପଚାରିଲେ- "କିଲୋ ଗୋବରଗୋଟେଇ ଏ କଣ ?" ଆଉ କିଛି କ‌ହିଲେ ନାହିଁ । ଦଶବର୍ଷର ଛୁଆଟିକୁ ବଳତ୍‌କାରରେ ଘେନି ସେ ଆଉ ଦୁଇଜଣ ଲୋକ ବିକ୍ରମ ଗଡ଼ ଥାନାକୁ ସଳଖି ଗଲେ । ଏବଂ ବାଟରେ କଥାବାର୍ତ୍ତା ହେଲେ- "ବୁଝିଲ ଦୀନ ! ପ୍ରଭୁଙ୍କୁ ଯେ ଡାକିବ ପୁଣି ଯାର ସତ୍‌ପଦାର୍ଥ ହୋଇଥିବ ସେ ଲୁଚିବନାହିଁ ମ ? ମୋର ୨୭ ପ୍ରାଣୀ କୁଟୁମ୍ବର ନିଶ୍ୱାସ-ଯିବ-କୁଆଡ଼େ । ହେଇ ଦେଖ- ଆରେ କାଲି ଛୋଟରା ଏହି ଖଣ୍ଡକ ଦେଇ ଚାଲିଗଲେ- ରାତିରେ ଚୋରି- ସକାଳୁ ପଡ଼ିଲା ଧରା । ଆଉ କଣ ଏଙ୍କୁ ଦୟାଧର୍ମ କରିବ କ‌ହିଲ ? ସେପରି ବଦ୍‌ଗୁଣ ଅଛି ବୋଲି ଏଙ୍କ ଦଶା ଏପରି କି ? ମଣି କିଛି ବୁଝିପାରିଲା ନାହିଁ ପ୍ରଧାନଙ୍କ କଥାରୁ ସେ ଜାଣିପାରିଲା ତାକୁ ଚୋରବୋଲି କୁଆଡ଼େ ନଉଚନ୍ତି- ବାଳିକା କାନ୍ଦି ପକାଇଲା । ମାତ୍ର ତାର ଚାରା କଣ ପାଟି-ଫିଟେଇବାକୁ ? ସେ ତିନିହେଁ ଯେଉଁବାଟେ ଯିବାକୁ ଯାହା କରିବାକୁ

କ‌ହିଲେ ତାହା କଲା । ବାଟଯାକ ତାକୁ ଯେ ଧମକା ଚମକା ପ୍ରଧାନେ କଲେ ତାହା ଲେଖିବା ଆଗରୁ କାନ୍ଦମାଡ଼େ । ତାକୁ ବିଧା ଗୋଇଠା ଦେବାକୁ କାନ ମୋଡ଼ି ଚାପୁଡ଼ା ଦେବାକୁ ସେ କେବେ ନିରସ୍ତ ହେଲେ ନାହିଁ ।

ଏଣେ ଗାଁରେ କଥାଟା ବ୍ୟାପ୍ତ ହେବାକୁ ତିଳେ ବିଳମ୍ବ ହେଲାନାହିଁ । ପଂଝା ପଂଝା ଲୋକ ଆସି ବୁଢ଼ୀଙ୍କ ଘରେ ଟେକା ପଥର ବୃଷ୍ଟି କଲେ ଏବଂ ବାର ଅଭାଷାରେ ଗାଳିଦେଇ କ‌ହିଲେ- "ରହ ର‌ହ- ଆଜି ତୋ ଗୁଣ ଛଡ଼ାଉଚୁ ।" କେହି ବା କ‌ହିଲା "ଏ ରାଣ୍ଡିଟାକୁ ଦାଣ୍ଡକୁ ଝିଙ୍କି ଆଣ ହେ ?" ବୁଢ଼ୀଙ୍କର ଦେହ ଭାଙ୍ଗିପଡ଼ିଲା । ସେ ଲୋକଙ୍କ କଥାରୁ ଜାଣିଲେ ଯେ ସେ ଚୋରଣୀ ।

ହାୟରେ ବିଧାତା ଏ ଅଶୀବର୍ଷ ବୟସରେ ୧୦ ବର୍ଷର ଝିଅନେଇ କେଉଁଠିକି ଚୋରିକରି ଯାଇଥିଲି ? ପ୍ରାଣ ! ଆଉ କେତେଦିନ ଅଛୁ ? କେତେକଥା ଆଉ ଦେଖାଇବୁ ? ଏ ପୋଡ଼ା ସଂସାରରେ ଜନ୍ମ ହୋଇ ଏତେଦଣ୍ଡ ଭୋଗିଲି ତେବେ କଣ ତାହା ଶେଷ ହେଲା ନାହିଁ ।

ସେ କାନ୍ଦୁଚନ୍ତି- କିଏ ତାଙ୍କର ବାଡ଼ଖଣ୍ଡ ଭାଙ୍ଗି ଦେଉଚି- କିଏ ତାଙ୍କ କପାଗଛ ଗୁଡ଼ାକ ଉପାଡ଼ି ପକାଉଚି, କିଏ ଜଡ଼ାଗଛ ଗୁଡ଼ାକ ଭାଙ୍ଗି ପକାଉଚି । ଏହି ସମୟରେ ଗାଁର କୁଳବୃଦ୍ଧ ଧୋବେଇ ନିଶଙ୍କ ଆସି କ‌ହିଲେ "ମଣିମା ! ଏ ବୃଦ୍ଧକାଳରେ ଏ କି କୀର୍ତ୍ତି ଅର୍ଜିଲ । କାହାକୁ ଶିଖାଇ ମଣେଇ ଏ କାମଟି କରେଇଚ ? ପୁଣି ଦି ଦିନ ସମ୍ଭାଳି ପାରିଲ ନାହିଁ । ଯା- କଣ କ‌ହିବା । ବଡ଼ଘର ବୋହୂ ହୋଇଥିଲ ବଡ଼ଲୋକର ମା' ହୋଇଥିଲ, ପ୍ରାଣ ରଖିବାକୁ ଏ ଅଶୀବରଷରେ ଏଇଆ କଲ ? ବିଷଖାଇ ମରିବାକୁ କଣ କିଛି ଉପାୟ ମିଳିଲା ନାହିଁ ? ବଞ୍ଚିଥିଲେ କେତେକଥା

ଦେଖିବା- କ‌ହି କ‌ହି ସେ ଛି-ଛି ହୋଇ ଚାଲିଗଲେ । ଗୋଟିଏ କାନ୍ଥକୁ ଆଉଜି ବୁଢ଼ୀ କାଠପିତୁଳାପରି ରହିଗଲେ । କାହାକୁ ପାଟି-ଫଟାଇ କଥାପଦେ କ‌ହିପାରିଲେ ନାହିଁ ।

ହାୟ, ଗରିବର ସବୁଠାରେ ବିପଦ- ଗରିବ ସବୁଠାରେ ହେୟ । କିଆଁ ସେ ଡିପୋଟିବାବୁ ସେଦିନ ଅଇଲେ- କିଏ ତାଙ୍କୁ ମାଗୁଥିଲା- ସେ ଗୁଞ୍ଜିକରି ଦେଇଗଲେ- ଆହା ନିର୍ବଳ ଦୁଇଟି ପ୍ରାଣୀ କି ବିପଦରେ ପଡ଼ିଲେ ? କେହି ଶୁଣିଲା ନାହିଁ- କେହି ବୁଝିଲା ନାହିଁ

x x x x

ଦଶଟାବେଳେ ପୋଲିଶ ଆସି କିଛି ବିଚାର ନ କରି ହାତକଡ଼ି ଦେଇ ବୁଢ଼ୀଙ୍କୁ ଦାଣ୍ଡେ ଦାଣ୍ଡେ ଘେନି ଚାଲିଗଲା । ସେ କେବଳ ପ୍ରଭୁଙ୍କୁ ଡାକୁଥିଲେ "ପ୍ରଭୁ ! ଆଉ କଣ ଏ ଦୁଃଖିନୀର ମୃତ୍ୟୁ ନାହିଁ ?"

ପୃଥିବୀ ତମକୁ କଣ ଲଜ୍ଜା ଆସିଲା ନାହିଁ, ତମେ ସ‌ହିଲ କିପରି ? ସୀତାଙ୍କର ଅପମାନରେ ପରା ତୁମେ ଦିନେ ଫାଟି ଯାଇଥିଲ ? ଆଜି ଫାଟି ଯାଉନାହଁ । ଯେଉଁ ବୃଦ୍ଧାନାରୀ ତାର ୮୦ ବର୍ଷର ଦୁଃଖମୟ ଜୀବନମଧ୍ୟରେ ଦିନେ ସଫାକରି ଦାଣ୍ଡ ଦେଖି ନ ଥିଲା ତାକୁ ଆଜି ବିନାଦୋଷରେ ଏପରି ଦଣ୍ଡିତ ହେବାର ଦେଖି ତମକୁ ଦୁଃଖ ଆସୁନାହଁ ? ବଜ୍ର ତାଙ୍କ ଉପରେ ପଡ଼ିବାକୁ- ଆକାଶ ତାଙ୍କ ମୁଣ୍ଡରେ ଭାଙ୍ଗିଯିବାକୁ ସେ ପ୍ରଭୁଙ୍କୁ କେତେ ଅନୁନୟ ବିନୟ କଲେ- ମାତ୍ର ତାହା ହେଲା ନାହିଁ । ଯାହାକୁ ଚୋରଣୀ ବୋଲି ହଜାର ହଜାର ଲୋକ ଦାଣ୍ଡଘାଟ ପୂରି ଦେଖିବେ ସେ ମରିବ କିପରି ?

ଏଥର ଥାନା ଦୁଆରେ ଧମକ ଚମକ ଆରମ୍ଭ ହେଲା । ସେଇ ଡିପୋଟି ବାବୁଙ୍କଠୁ ସେ ଟଙ୍କା ପାଇଚନ୍ତି, ଏହାଛଡ଼ା ଆଉ କିଛି ମାତ୍ର କ‌ହିଲେ ନାହିଁ । ସେ ଦିନତମାମ ଉପାସରେ ମା'ଝିଅ ରହି ଉପର ବେଳକୁ ସ‌ହରକୁ ଦୁହେଁ ଚାଲାଣ ହେଲେ । ବାଟରେ କେତେଥର ବୁଢ଼ୀ ପଡ଼ିଗଲେ- ମଣିଟିର ଦେହରେ ପ୍ରାଣ ନ ଥିଲା । ତିନିମାଇଲ ବାଟ କିପରି ଯିବେ ? ହିନ୍ଦୁସ୍ଥାନୀ ପୋଲିଶଟି ଦୟାକରି ଓଡ଼ିଆ ପୋଲିଶ ସ‌ହିତ ଝଗଡ଼ା କରି ଏହି ଦୁହିଙ୍କୁ କିଛି ଜଳଖିଆ ଖୁଆଇବାର ବନ୍ଦୋବସ୍ତ କଲା । ମାତ୍ର ବ‌ହୁ ଅନୁନୟ ବିନୟରେ ମଣି ଦି'ମୁଠା ହବ ଖାଇଲା, ଜାଣି ବୁଢ଼ୀ ଜଳ ସ୍ପର୍ଶ କଲେ ନାହିଁ ।

ବଡ଼ ଥାନାରେ ହାଜତରେ ଦୁହିଙ୍କୁ ଭରି ଦିଆଗଲା ଏବଂ ତାଙ୍କୁ ଧମକ ଦେଇ ପଚାରିଲେ ଯେ, କେଉଁ ଚୋରମାନେ ତାଙ୍କ ସଙ୍ଗରେ ଅଛନ୍ତି ? ମାତ୍ର ସେହି ଡିପୋଟି ବାବୁ କଥାଟି ଛଡ଼ା ଆଉ ଦ୍ୱିତୀୟ କଥା ତାଙ୍କଠୁ ବାହାରିଲା ନାହିଁ । ଏଣେ ଗାଁରୁ ପମାଣ ସବୁ ମିଳିଗଲା । ମୁଦେଇ ପକ୍ଷରେ କେତେ ଯେ ସାକ୍ଷୀ ଆସି ହାଜର ହୋଇଗଲେ ତାର ସୀମା ନାହିଁ । ଏଣେ ସମସ୍ତେ ବୁଢ଼ୀ ଯେ ଏପରି ବ‌ହୁତ ଥର ଚୋରି କରି ଧରା ପଡ଼ିଚି, ତାହା କ‌ହିବାକୁ ଭୁଲିଲେ ନାହିଁ । ଦିନ ଦିନ ହୋଇ ଦୁଇ ଦିନ ଗଲା । ବୁଢ଼ୀ ଜଳସ୍ପର୍ଶ କଲେ ନାହିଁ । ମଣିଟି କେବେ କିମିତି ମୁଠିଏ ଭୁଜାଛଡ଼ା ଆଉ କିଛି ଖାଇଲା ନାହିଁ । ଏଣେ ଥାନାରେ କାଗଜପତ୍ର ରୀତିମତ ହୋଇ ମାଜିଷ୍ଟ୍ରେଟ୍ କୋଟ୍‌କୁ ପଠା ହେବାର ସ୍ଥିର ହେଲା ।

ଡିପୋଟି ଶ୍ୟାମ‌ବାବୁ ଆଜକୁ ପାଞ୍ଚଦିନ ହେଲା ଗସ୍ତରେ ଯାଇଥିଲେ । ଯେଉଁଦିନ ବଡ଼ ସାହେବ ପାଖରେ ମୋକଦ୍ଦମା ବିଚାର ହେବାର କଥା, ସେହି ଦିନ ସେ ମାଜିଷ୍ଟ୍ରେଟ ସାହେବଙ୍କୁ ଫେରିବା ପରେ ସାକ୍ଷାତ୍

କରିବାକୁ ଯାଇ ଏହି ଆଦେଶ ପାଇଲେ ଯେ, ଗୋଟାଏ ଚୋରି କେଶ ତାଙ୍କୁ ବୁଝିବାକୁ ହେବ ।

+ + + +

ତାଙ୍କ କୋଟ୍‌ରେ ମୁଦେଇ ମୁଦାଲାଙ୍କୁ ଦେଖି ତାଙ୍କର ହୃଦୟ ଯାହା ହେଲା ସେ ଜାଣନ୍ତି । ମୁଦାଲ ଦୁଇଟିଙ୍କୁ ଦେଖିବା ପୂର୍ବରୁ ସେ ପ୍ରଥମେ ପୋଲିଶର କାଗଜପତ୍ର ଭଲ ରକମ ଇନ‌କ୍ୱାରୀ କରି ସମସ୍ତ ବିଷୟ ବୁଝି ଆକାଶକୁ ଚାହିଁଲେ । ଆଖିରୁ ଲୁହଧାରା ବୋହିବାକୁ ମନ କରୁଥିଲା, ମାତ୍ର ବଳେ ବଳେ ତାହା ଚପାଇ ଦେଇ ମନେ ମନେ କ‌ହିଲେ, "ପ୍ରଭୁ ! ତମର ଏ କି ଲୀଳା ?"

ଏଥର ତାଙ୍କର ହୃଦୟ ବିରକ୍ତିରେ ଜ୍ୱଳି ଉଠିଲା । ତାଙ୍କର ରକ୍ତଚକ୍ଷୁ ଦେଖି କର୍ମଚାରୀମାନେ ନିଜର ବିପଦ ଆଶଙ୍କା କଲେ । ପଖା ବାଲା ଭୟରେ ଭିଡ଼ରେ ପଙ୍ଖା ଟାଣିଲା । ଚପରାଶି ନିରାଟିକରି ଚାହିଁ ରହିଲା । ପେପ୍‌କାର ବାବୁ ହୁକୁମକୁ ଅପେକ୍ଷା କରି ରହିଲେ । ମୁନସିବାନାରେ ଗୋଳମାଳ ବନ୍ଦ ହୋଇଗଲା । ଇଂଲିଶ୍ ଅଫିସରେ ସମସ୍ତେ ଟୁପ୍‌ଟାପ୍ କଥାବାର୍ତ୍ତା ହେଲେ ।

ସଙ୍ଗେ ସଙ୍ଗେ ଅଡର୍ ହେଲା- ଗତ ମାସ ଅଫିସର ଦରମା ବିଲ ବ‌ହି- ଷ୍ଟେଟ ରୋକଡ୍ ଆଣ ?

ଆଜ୍ଞା ପ୍ରମାଣେ ଖଜଣାଖାନା କର୍ମଚାରୀ ତାହା ଥୋଇ ଦେଇ ଯୁହାର କରି ପକାଇଲା ଏବଂ ଏଣେ ପିଅନ‌କୁ ହୁକୁମହେଲା "ବୋଲାଓ ପୋଲିଶ ସବ୍ ଇନସ୍‌ପେକ୍ଟର" ପିଅନ "ଜି ହଜୁର କ‌ହି ଚାଲି ଗଲା । ଆଜି ହେଲା ଅଫିସ ଏକବାର ନିସ୍ତବ୍ଧ । ଯେପରି କାହାର ପ୍ରାଣ ନାହିଁ ।

ଖାଞ୍ଜଶାନ୍ତକୁ ହୁକୁମ୍ ହେଲା- ଏ ନୋଟର ନମ୍ବର ମିଳାଅ- କାହାର ଦରମାରେ ଯାଇଚି- କେଉଁ ମାସରେ ଖର୍ଚ୍ଚ ପଡ଼ିଚି ? ଖାଞ୍ଜଶାନ୍ତ ଝଟ୍ କରି ଦେଖାଇ ଦେଲା ଗତମାସ- ଦରମାରେ ହଜୁରଙ୍କ ବିଲରେ ଯାଇଚି ।

ହାକିମ 'ଆଚ୍ଛା' କ‌ହି ତୁନି ହେଲେ । ଏଥର ସବ୍ଇନିସପେକ୍ଟରଙ୍କ ପାଲା । ସବ୍ଇନିସ୍‌ପେକ୍ଟର ବାବୁ କଣ୍ଟିଆ ନିଶରେ ହାତ ମାରୁ ମାରୁ ପ‌ହ‌ଞ୍ଚି ଯାଇ ଏପରି ଗୋଟାଏ ଯୁହାର କଲେ ଯେ, ଭୂଇଁ ଆଉ ମୁଣ୍ଡରେ ଲାଗିବାକୁ ଥିଲା କି ନାହିଁ ଜାଣି ହେଲା ନାହିଁ; କାରଣ ସେ ବଡ଼ ବେଳେ ମୁଣ୍ଡକୁ ଝୁଙ୍କି ଉଠାଇ ପକାଇଲେ । ଧନ୍ୟ ତାଙ୍କ କସରତ । ଲୋକଙ୍କ ଆଗରେ ସିନା ସିଂହ ତେଜରେ ଫିଟି ଆସୁଥିଲେ, ମାତ୍ର ଶରଭ ପାଖରେ ଛେଳି ପରି ଛିଡ଼ା ହେଲେ- ହାକିମଙ୍କ ରୋଷ କଟାକ୍ଷ ତାଙ୍କ ରକ୍ତ ପାଣି କରି ଦେଇଥିଲା ।

"ଏ ନୋଟ ପରୀକ୍ଷା କରିଥିଲ ?"
"ହଜୁର-ରୀତିମତ !"
"ଏ ନୋଟ କାହାର ଜାଣିଲ ?"

"ତାହା ହରିହର ଛୋଟରାୟ ଚୋରି ଯିବାର ପୂର୍ବଦିନ ସନ୍ଧ୍ୟା ୬ ଘଣ୍ଟା ବେଳେ ଗାଁର ପ୍ରଧାନ ବିଭୂତି ସାଆନ୍ତରାକୁ ଦେଇଥିଲେ ।"

"ଡାକ ହରିହର ଛୋଟରାୟ" । ପିଅନ ଡାକ ଛାଡ଼ିଲା, "ହରିହର ଛୋଟରାୟ ହାଜର ହେ- ହରିହର ଛୋଟରାୟ ହାଜର ହେ !"

ଛୋଟରା ସାଆନ୍ତିଆ ବେଶରେ ପାଚଲା ଗାମୁଛାଟି ପଞ୍ଜାବି ଖଣ୍ଡି ଉପରେ ପକେଇ ଆସି ହାଜର ହୋଇ ଗଲେ । ମୁଣ୍ଡରେ ସିନ୍ଦୂର ସିରିଟିଏ-

କାନରେ କାଠି ଖଣ୍ଡିଏ- ବୋଧହୁଏ ଦାନ୍ତ ଖୁଣ୍ଟିବା ପାଇଁ ନାଁ କଣ । ମୁଣ୍ଡବାଳ ଚନ୍ଦା, ତେବେ ଯାହା ଅଛି ତାହା ଶତ ବାଙ୍କରେ ସୁଶୃଙ୍ଖଳ ପକେଟରେ ପାନବଟାଟି ଦିଶି ଯାଉଚି- ଗୋଡ଼ରେ ବନାରସୀ ଚିତ୍ର ବାଖର ଯୁତା ଦୁଇଟି- ଆଉ ହାତରେ ସିଂହବାଡ଼ି ଖଣ୍ଡିଏ ।

"ଆପଣ ବିଭୂତି ସାଆନ୍ତରାକୁ କେଉଁଦିନ ଟଙ୍କା ଦେଇଥିଲେ ?"

"ଟଙ୍କା ଦେଇଥିଲି କଣ ହଜୁର ! ମୋ ଉପରେ ଖଜଣା ଟଙ୍କା ଗୁଡ଼ାଏ ବାକିରେ ଥିଲା । ସେ ଦିନ, ଓହୋ ସେ ଚୋରି ଆଗଦିନ ହେବ କି ତା ପୂର୍ବଦିନ, ମୁଁ ଯାଇ ଥିଲି ତାଙ୍କ ପାଖକୁ । ଦେଖିଲି ଖଣ୍ଡେ ନୋଟ ତାଙ୍କ ପାଖେ ପଡ଼ିଚି । କ‌ହିଲି, ମତେ ଏଥିରୁ ଟିକିଏ ନିଷ୍କୃତି ଦିଅ ପଧାନେ ! ତମୁକୁ ଏ ମାଟିଗାଡ଼ିଆ ଜମିଖଣ୍ଡ ଲେଖି ଦଉଚି । ତାକୁ ଏହିକ୍ଷଣି ରଖୁ ପରେ ତ କବାଲା ଦେଇ ଦେବି । ଏହା କ‌ହି ତାଙ୍କୁ ତମସୁକ କରି ଦେଲି; ଆଉ ପାଉତି ଆଣିଲି । ସେ ଆଇଲା ବେଳେ ଡାକି କ‌ହିଲେ, "ଏ ନୋଟ ଖଣ୍ଡ ଜାଣିକରି ତମେ ନେଲ, ପୁଣି ମତେଦେଲ, ମୁଁ ନୋଟ ବୋଲି ଦେଖିଚି, ମାତ୍ର କେତେ ଟଙ୍କାର ସେ ବା, ତା ସ୍ୱରୂପ କଣ, ଜାଣେ ନାହିଁ ହଜୁର !"

ଏହି ସମୟରେ ବିଭୂତି ସାଆନ୍ତରା ଆଗଭରି କ‌ହିଲା- "ଦେଖି ନାହଁ ଆଉ କଣ- ମିଛ ଗୁଡ଼ାଏ ଧର୍ମ ବିଚାର ପାଖରେ କ‌ହୁଚ କିପରି ହେ ? ଆଉ ତାକୁ କ‌ହିବାକୁ ସରକାରୀ ପିଅନ ଅବସର ଦେଲା ନାହିଁ । ହାକିମଙ୍କର ପ୍ରିୟଭାଜନ ହେବାପାଇଁ କଡ଼ା ସ୍ୱରରେ କ‌ହି ଉଠିଲା, "ଚୁପ୍ କର ଚୁପ୍ କର ।"

ହାକିମ ସବ୍ଇନିସ୍‌ପେକ୍‌ଟରଙ୍କୁ ଚାହିଁ କ‌ହିଲେ- "ଏ ନୋଟରେ ଦଲିଲ କାହାର ?"

ସବ୍ଇନିସ୍‌ପେକ୍‌ଟର ବାବୁ ଥତମତ ଖାଇ ଗଲେ- ତାଙ୍କର ବୁଦ୍ଧି ବଣା ହୋଇ ଗଲା । ରକ୍ତ ଆଖି ନୀଳ ହୋଇ ଗଲା- କଣ୍ଟିଆ ନିଶ ଲଇଁ ପଡ଼ିଲା । ଆହା, ସେତ ଏତେ କଥା ପରୀକ୍ଷା କରି ନାହାନ୍ତି । ସେ ତ ଦରୋଗା ବାବୁ, ତାଙ୍କ ତଳେ କେତେ ଜମାଦାର । ସେ ଏଗୁଡ଼ାକ କିଆଁ ଦେଖନ୍ତେ ? ଆଉ କିଛି କ‌ହି ପାରିଲେ ନାହିଁ । ସ୍ଥିର ହୋଇ ଛିଡ଼ା ହେଲେ ।

ଏଥର ମାଜିଷ୍ଟ୍ରେଟଙ୍କର ରକ୍ତ ଚକ୍ଷୁ ବଦଳିଗଲା- ସେ ଧୀରେ ଧୀରେ ମୁଦାଲାମାନଙ୍କୁ ଟିକିଏ ଚାହିଁ ବାଳିକାଟିକୁ ପଚାରିବାକୁ ପେଷ୍ଟାରକୁ କ‌ହିଲେ ଯେ- ତାକୁ ଗାଁର ଲୋକ ଏବଂ ପୋଲିଶ କିପରି ଦଣ୍ଡ ଦେଇଚି ? ଆଉ ତାର ମାଁ ବୁଢ଼ୀକୁ କିପରି ଦଣ୍ଡ ଦେଇଚି ? ସେ ବୁଝି କ‌ହୁ ।

ଚତୁରୀ ବାଳିକା ବ‌ହୁବେଳୁ ଚାହିଁ ଥିଲା- ଏଇ ମୋର ବାପା ହେବେ ପରା ? ମାତ୍ର ଥରେ ମାତ୍ର ସେ ଦେଖିଚି, ସେଥିପାଇଁ ମନରେ ଭରସି ଠିକ୍ କରି ପାରୁ ନ ଥିଲା । ଦୋ ଦୋ ପାଞ୍ଚିଆ ହୋଇ ରହିଥିଲା । ଏଥର ପେଷ୍ଟାରର ଧୀରସ୍ଥିର ବାଣୀରେ ତାର ମୁଖଦ୍ୱାର ଖୋଲିଲା । ନିଜ ଦୁଃଖ ତ ସେ ଜାଣେ, ଆଉ ତାର ବୁଢ଼ୀ ମା'ଠୁ ରାତିରେ ହାଜତରେ ଥିଲାବେଳେ ଗାଁର ଖବର, ତା' ବୁଢ଼ୀମା' ପ୍ରତି ଅତ୍ୟାଚାରର କଥା ସେ ଶୁଣିଥିଲା । ତେଣୁ କ‌ହିବାକୁ ମନ କଲା- ପୁଣି କ‌ହିବାକୁ ସାହସ ହେଲା ନାହିଁ । ମାଜିଷ୍ଟ୍ରେଟଙ୍କର ଅନୁମତିରେ ପେଷ୍ଟାର ବାବୁ ବାଳିକାକୁ ପାଖକୁ ନେଇ ସମସ୍ତ କଥା କ‌ହିବାକୁ ଅତି କୋମଳ ସ୍ୱରରେ କ‌ହିଲେ ।

ମଣି ଧୀରେ ଧୀରେ କାନ୍ଦି କାନ୍ଦି ସବୁ କଥା ଗୋଟିକଠୁ ନିଖକଯାଏ କ‌ହିଗଲା । ଏହି ସମୟରେ କଚେରୀ ବାହାର ପିଣ୍ଡାରେ କାନ୍ଦଣା ଶୁଭିଲା । ଗୋଟିଏ କିଏ ମୂଲିଆ ଲୋକ କାନ୍ଦି କାନ୍ଦି କୋଟ୍ ଭିତରେ ପଶିଯାଇ ଭୋ

ଭୋ ରଡ଼ି ଛାଡ଼ି କ‌ହିଲା- "ହଜୁର ! ହଜୁର ! ଦୁନିଆଁର ମା' ବାପ, ଗରିବର ଧର୍ମାବତାର । ଓହୋ ! ଏହି ନିରୀହ ପରାଣୀଙ୍କୁ ଯେ ଦାଣ୍ଡ ଦେଖି ନଥିଲେ, ତାଙ୍କୁ ଆଣି କଚେରୀ ଦୁଆରେ କିଏ ଅଟକାଇଲା ? ମୋ ବୋପା ଲୋ, ମୁଁ ତ ଘସି ପାଇଁ ଯାଇ ଶୁଣିଲି ଯେ, ତାଙ୍କୁ ଦାରୁଗା ବାନ୍ଧି ନେଇଚି । ଏପରି ଗୀତ ଗାଇଲା ପରି କେତେ ବାହୁନିଲା । ତାକୁ ଥିରି ହୋଇ ଚୁପ ରହିବାକୁ ହାକିମ ହୁକୁମ ଦେଲେ ମାତ୍ର ତାର ସରଳ କୋମଳ କାନ୍ଦଣାରେ ଆଖି ତଳକୁ କରି ଦେଲେ ।

କିଛି ସମୟ ପରେ ମାଜିଷ୍ଟ୍ରେଟ ସାହେବ, ବାଳିକାକୁ ଆଉ ବୃଦ୍ଧାକୁ ଏବଂ ସେ ଘସିବୁଢ଼ାକୁ ମଟରରେ ଘେନି ବସାକୁ ଚାଲିଗଲେ । କିଛି ଦିନ ଅନୁସନ୍ଧାନ ପରେ ହାକିମଙ୍କର ଆଦେଶ ବାହାରିଲା ।

'ପୋଲିସ ସବ୍ଇନ୍‌ସ୍‌‌ପେକ୍ଟର ସସ୍‌ପେଣ୍ଡ ହୋଇଅଛନ୍ତି । ବୃଦ୍ଧା ଏବଂ ବାଳିକାଟିକୁ ଦଣ୍ଡ ଦେଇଥିବା ମୋଫସଲ ଏବଂ ସଦର ପୁଲିଶ ହେଡ୍ କନିଷ୍ଟବଳ୍‌ଙ୍କୁ ବରଖାସ୍ତ କରାଯାଇଚି । ପ୍ରଧାନ‌କୁ ୬ ମାସ, ତା ସାଙ୍ଗରେ ଥାନାକୁ ଆସିଥିବା ଦୁଇଜଣଙ୍କୁ ଚାରି ଚାରି ମାସ ଏବଂ ବୁଢ଼ୀକୁ ଗାଁରେ ଅତ୍ୟାଚାର କରିଥିବା ଲୋକମାନଙ୍କୁ ଦୁଇ ଦୁଇ ମାସ, କଡ଼ି ଦେଇ ଆଣିଥିବା କନିଷ୍ଟବଲ୍‌ଙ୍କ ଦୁଇ ଦୁଇ ବର୍ଷ ଜେଲ୍ ହୋଇଅଛି । ସଦର ହେଡ୍ କନିଷ୍ଟବଲ୍ ଇନ୍‌ଚାର୍ଯ୍ ସବ୍ଇନସ୍‌ପେକ୍‌ଟର ହୋଇ ଅଛନ୍ତି ।

ମୁହୂର୍ତ୍ତକେ ଯଥା ଆଜ୍ଞା ପ୍ରତିପାଳିତ ହେଲା । ନୂଆ ସବ୍ଇନ୍‌ସପେକ୍‌ଟର ବାବୁ ଜେଲ୍ ଭୋଗୀମାନଙ୍କ ହାତରେ ଗୋଡ଼ରେ ସବୁ ବେଡ଼ି ଦେଇ ଜେଲକୁ ପଠାଇ ଦେଲେ । ହାଁ କରି ଦେଇ ଫାମ୍ପଡ଼ ମୁହଁରେ କାନ୍ଦି କାନ୍ଦି ସବ୍‌ ଇନ୍‌ସପେକ୍‌ଟର ବାବୁ ଘରକୁ ଗଲେ । ତାଙ୍କ ମୁଣ୍ଡରେ

ବଜ୍ର ପଡ଼ିଥିଲେ ଆଜି ସେ ଯେପରି ଚମକି ପଡ଼ିଲେ ଏପରି ଚମକି ନଥାନ୍ତେ ତାଙ୍କର ମନେ ହେଲା- "ହାୟରେ ଦୁର୍ବିପାକ ! ଆଠ ପ୍ରାଣୀ କୁଟୁମ୍ବ, କିପରି ବଞ୍ଚିବେଟି ? ଟିକିଏ ଭଲ କରି ନିଜେ ଦେଖିଲି ନାହିଁ- ଅପର ଉପରେ ପକାଇ ଏ ଦଶା ଭୋଗିଲି । ହାକିମ ଦୟାଳୁ । ଆଜି ଏହି କେଶ୍ ମାଜିଷ୍ଟ୍ରେଟଙ୍କ କୋଟରେ ପଡ଼ିଥିଲେ ଏତବେଳକୁ ସବୁ ସରନ୍ତାଣି । ଆଉ ଡିସ୍‌ମିସ ହେବାର କେତେ ଦୂର ଥିଲା । ଏ ହାକିମ୍ ଡିସ୍‌ମିସ କରି ନାହାନ୍ତି । ସମ୍ଭବତଃ ଗରିବଟାକୁ ଜରିମାନାରେ ଖଲାସ ଦେବେ ପରା ? କଣ ହେବ କେଜାଣି ? ମା ଠାକୁରାଣୀ ଜାଣନ୍ତି ।"

ଏଣେ ସାଇ, ଦାଣ୍ଡ, ଘାଟ, ବାଟ, ଚାରିଆଡ଼େ କଥାଟା ପ୍ରଚାର ହୋଇଗଲା । ସମସ୍ତେ ଶ୍ୟାମ ବାବୁଙ୍କୁ ଧନ୍ୟ ଧନ୍ୟ କଲେ । ଆଉ ସେ ଦୁଃଖୀ ବିଚାରୀଙ୍କ କାହାଣୀ ଶୁଣି ଏପରି ଦୁଃଖ କଲେ ଯେ ସମସ୍ତଙ୍କ ଆଖିରୁ ଲୁହଧାରା ବୋହିଗଲା ।

ମକଦ୍ଦମା ରାୟ ଦେବାର ବାସିଦିନ ସମସ୍ତେ ଦୈନିକ ଖବରକାଗଜ 'ନବୀନ'ରେ ଦେଖିଲେ ବଡ଼ବଡ଼ ଅକ୍ଷରରେ ୭୦ ପୃଷ୍ଠାରେ ଲେଖାଅଛି-

__________________________________________________________

ପୋଲିସର ଅନ୍ୟାୟ

ହିନ୍ଦୁମହିଳାର ଅପମାନ ଏବଂ ସାରା ତିନି ଦିନ ଉପବାସ ନିର୍ଦ୍ଦୋଷ ଦଶ ବର୍ଷର ବାଳିକା ଏବଂ ୮୦ ବର୍ଷର ବୃଦ୍ଧା ଉପରେ ପୋଲିଶ କଠିଣ ଦଣ୍ଡାଘାତ ।

ମାନନୀୟ ଧର୍ମାବତାର ଡିପୋଟି ମାଜିଷ୍ଟ୍ରେଟଙ୍କ ଦ୍ୱାରା ସତ୍ୟ ଉଦ୍‌ଘାଟନ- ମୁଦେଇକୁ ମିଥ୍ୟା ପ୍ରତାରଣା ଯୋଗୁଁ ଏବଂ ଭଦ୍ରମହିଳାର ମହତ୍ତ୍ୱ ହାନି କରିବା ଯୋଗୁଁ ତାହାର କେତେକ ସଙ୍ଗୀ ସ‌ହିତ ଏବଂ ଜଣେ କନେଷ୍ଟବଲ୍ ସ‌ହିତ ସଶ୍ରମ କାରାବାସ, ଅନେକ ପୋଲିଶଙ୍କର ଡିସ୍‌ମିସ୍ ଅଡର, ଆଉ ସବ୍ ଇନ୍‌‌ସପେକ୍‌ଟରଙ୍କର ସସପେଣ୍ଡ୍ ଆଦେଶ

ତା' ତଳେ ପୂରା ଏକ ପୃଷ୍ଠାବ୍ୟାପୀ ବିଷୟର ସୁଚାରୂ ସମାବେଶ । ପଢ଼ୁ ପଢ଼ୁ ଲୋକେ ପାଗଳ ହୋଇଗଲେ । ସେଦିନ ଖବରକାଗଜ ସ‌ହରରେ ତିନିହଜାର ସରିକି ବିକ୍ରୟ ହେଲା ।

କିଛି ଦିନ ପରେ ପୁଣି ସେହି 'ନବୀନ'ରେ ଚୋର ଧରାପଡ଼ିଲେ ବୋଲି ଗୋଟିଏ ପ୍ରବନ୍ଧ ବାହାରିଲା । ଏଥିରେ ମାଜିଷ୍ଟ୍ରେଟଙ୍କ ପ୍ରତି ବେଳେବେଳେ ଅଧିକ ସ୍ନେହ ଲୋକମାଙ୍କର ଦେଖାଗଲା । ବଡ଼ ସାହେବ ସବ ଇନ୍‌ସପେକ୍‌ଟରକୁ ଡିପୋଟି ମାଜିଷ୍ଟ୍ରେଟ କ୍ଷମାଦେବାର କଥା ଶୁଣିପାରି ତାଙ୍କୁ ମନା କରି ପଠାଇଲେ ଏବଂ ତାକୁ ବରଖାସ୍ତ କରିବାକୁ ଅନୁରୋଧ କଲେ । ଫଳରେ ତାହାହିଁ ହେଲା । ଦରୋଗା ଘରେ କାନ୍ଦ ବୋବାଳି ପଡ଼ିଲା ।

(୩)

ହଜାର ହଜାର ମୃତ୍ୟୁ ଲୀଳା ମନୁଷ୍ୟ ପ୍ରତ୍ୟହ ଦେଖି ସୁଦ୍ଧା ତ‌ଥାପି ସେହି ମୃତ୍ୟୁ ପ୍ରତି ବଡ଼ ଭୀତ । ସେ ମୃତ୍ୟୁକୁ ଯାହା ଡରେ ଆଉ କାହାକୁ ସେପରି ନୁହେଁ- ମୃତ୍ୟୁ ପାଇଁ ତାହାର ଯେତେ ଦୁଃଖ ହୁଏ ସେ ଅନ୍ୟ କାହାପାଇଁ ସେତେ ଦୁଃଖ କରେ ନାହିଁ । ଜଗତରେ ଏହି ଗୋଟିଏ ଅତି ଆଶ୍ଚର୍ଯ୍ୟ ବିଷୟ । ମାୟାର ଅଧୀନ ହୋଇ ମନୁଷ୍ୟ ଦୁର୍ବଳତା ଯୋଗୁଁ ଏପରି ଭୟ କରେ । ମାତ୍ର ସେ ମାୟା ତ୍ୟାଗ କରିବା ମନୁଷ୍ୟ ପକ୍ଷରେ ଦୁରୂହ ବ୍ୟାପାର- ରକ୍ତ ଯେପରି ତାର ରକ୍ତିମା ଛାଡ଼ି ପାରେ ନାହିଁ, ନୀଳ ଯେପରି ତାର ନୀଳିମା ଛାଡ଼ି ପାରେ ନାହିଁ, ଠିକ୍ ସେହିପରି ପୁରୁଷ ପ୍ରକୃତିକୁ ତିଳେ ଛାଡ଼ି ପାରେ ନାହିଁ ।

ମଣିର ସ୍ନେହମୟୀ ବୃଦ୍ଧା ମାଆ ଆଜି ମୃତ୍ୟୁଶଯ୍ୟାରେ ଶାୟିତା । ଡିପୋଟୀ ବାବୁଙ୍କ ସଙ୍ଗରେ ଫେରି ଆସି ବୁଢ଼ୀ ଆଉ ମୁହୂର୍ତ୍ତେ ବସି ପାରିଲେ ନାହିଁ । ତାଙ୍କର ଦେହ କଣ ହୋଇଗଲା । ସେ ଝଟାତ୍ ତଳେ

ପଡ଼ି ଗଲେ । ଶ୍ୟାମ ବାବୁ ଘର ଭିତରକୁ ବଡ଼ କଷ୍ଟରେ ନେଇ ଖଟଉପରେ ଶୁଆଇ ଦେଲେ । ଆଉ ମଧ୍ୟ ଡାକ୍ତରଙ୍କୁ ଡାକିବାକୁ ଚାକରକୁ ଆଦେଶ ଦେଲେ ।

ଗଣ୍ଡା ଗଣ୍ଡା ଡାକ୍ତର ଅଇଲେ- ସିଭିଲ୍ ସର୍ଜ୍ଜନ ପର୍ଯ୍ୟନ୍ତ ଆଣିବାକୁ ଶ୍ୟାମ‌ବାବୁ ଭୁଲିଲେ ନାହିଁ; ମାତ୍ର ଦଇବର ଆଦେଶ ଅମାନ୍ୟ କରିବାକୁ କାହାର ସାଧ୍ୟ ଅଛି ? ଦୁଇ ଦିନପରେ ବୁଢ଼ୀଙ୍କର ଚେତନା ଫେରି ଅଇଲା । ଚେତା ହୋଇ ଆଖି ମେଲାଇ ଚାହିଁଲେ ଏବଂ ମଣିକୁ ପାଖକୁ ଡାକିଲେ ।

ମଣି ଏ କେତେ ଦିନ ହେଲା ଦିନରାତି ମାର ପାଦତଳେ ବସିଅଛି । ଆଉ ଆଖିରୁ ଲୁହ ଧାରା ବୁହାଇ କାନ୍ଦୁଛି । ତାର କୋମଳ ମନରେ ଯେ କି ଆଘାତ ଆସିଚି ସେ ଜାଣେ । ଶ୍ୟାମ ବାବୁ ଆଜି ସ୍ନେହରେ ତାକୁ ଯେତେ ସାନ୍ୱନା ଦେଉଅଛନ୍ତି- ବାଳିକା ଶେଷର ସନ୍ତୋଷ ହୋଇ ପାରୁ ନାହିଁ- ପ୍ରକୃତରେ କ‌ହୁଁହେବ ? ସେ ଯେ ଏହି ବୁଢ଼ୀର କୋଳରେ କାଖରେ ପାଞ୍ଚ ବର୍ଷ ଦିନୁ ପାଳି ହୋଇ ଆସିଚି- ସୁଖରେ ଦୁଃଖରେ, ଆଲୁଅରେ ଅନ୍ଧାରରେ, ସେ ତାଙ୍କ ସ‌ହିତ ସଦାବେଳେ ସାଥିଥିଲା । ହାୟ ! ତାର ମା ତାକୁ ଛାଡ଼ି ଚାଲି ଯିବେ- ସେ କିପରି ସ‌ହିବ ? ମନ‌କୁ ମନ କାନ୍ଦେ, ସେ ତ ଅବୁଝା ପିଲା ନୁହେଁ- ତାର ଯେ ଜ୍ଞାନଥିଲା, ତାର କଥା ଠିକ୍ ଗୋଟିଏ ୬୦ ବର୍ଷର ବୁଢ଼ୀର କଥା ଭଳି ।

ଶ୍ୟାମ ବାବୁ ବଡ଼ କଷ୍ଟରେ ତାକୁ ସାଙ୍ଗରେ ଧରି ଗଣ୍ଡେ ଖାଆନ୍ତି, ସେ ଖାଇବାକୁ ମନକରେ ନାହିଁ । ସଦାବେଳେ ମାଆପାଖରେ ବସିଥାଏ, ପ୍ରଭୁଙ୍କୁ ଡାକେ । ସତେ ପ୍ରଭୁ ଶୁଣିବେ- ତା କଳା ଡୋଳାରୁ ଲୁହଧାର ବନ୍ଦ ହେବ ?

ମାଆର ଚେତା ହେବା ଦେଖି, ଆଉ ଆଖି ଫିଟାଇବା ଦେଖି ତାର ଶୁଷ୍କ କ୍ଷୀଣ ମୁଖରେ ଆନନ୍ଦର କ୍ଷୀଣ ଜ୍ୟୋତି ଦେଖାଗଲା । ସେ ବୁଝି

ନଥିଲା, ତାର ଏ ଆନନ୍ଦ ଶେଷ ଆନନ୍ଦ । ସେ ମାଆର ଆହ୍ୱାନରେ ତାଙ୍କର ମୁଖ ପାଖକୁ ଗଲା । ଆଉ ମଧ୍ୟ ବୁଢ଼ୀ ଶ୍ୟାମ ବାବୁଙ୍କୁ ପାଖକୁ ଡାକିଲେ- ଅତି ଧୀର କ୍ଷୀଣ କଣ୍ଠରେ କ‌ହିଲେ-

"ବାପା ଆଉ ବେଶୀ ବେଳ ନାହିଁ- ମୋର ଆୟୁ ମରି ଆସିଲାଣି । ଏହି କଥା ପଦକ କ‌ହି ବିଦାୟ ନେବି । ତୁ ମୋର ମହତ୍ତ୍ୱ ରଖିଚୁ- ତୋରି ଜିମା ଏଇ ମୋର କାଣି ଆଖିର କଜଳ ଗାରଟି ଅର୍ପି ଦେଇଗଲି । ଏହାକୁ ତୁ ମଣିଷ କରି ସତ୍‌ପାତ୍ରରେ ଦେବୁ ।

"ଆ, ମା ମଣି- କାନ୍ଦେନା- ମୋ ଧନଟିପରା । ବାପା ପାଖରେ ସୁଖରେ ରହିବୁ ।" ଏହା କ‌ହି ହାତଟି ବଢ଼ାଇଲେ ତାକୁ ଧରି ଶ୍ୟାମ ବାବୁଙ୍କୁ ସମର୍ପି ଦେବାକୁ; ମାତ୍ର ବଳ ପାଇଲା ନାହିଁ- ହାତ ଉଠିଲା ନାହିଁ । ଶ୍ୟାମ‌ବାବୁ ଝଟ କରି କ‌ହିଦେଲେ "ମା, କିଛି ଚିନ୍ତା କର ନାହିଁ । ସେ ମୋର ଆଦରର ଧନ । ଆଶ୍ୱସ୍ତହୁଅ; ପରମ ବିଶ୍ୱାସ କର, ମଣି ମୋର ପ୍ରାଣର ମଣି ।"

ବୃଦ୍ଧା ଅତିଶୟ କ୍ଷୀଣ କଣ୍ଠରେ "ତୋତେ ଆଶୀର୍ବାଦ କରେଁ- ସରୋଜକୁ କ‌ହିବୁ, ଦୀର୍ଘାୟୁ ହୋଇଥିବ" ଏପରି କେତେପଦ ପ୍ରଳାପ କଲାପରି କ‌ହି "ମଣି ! ମା ପ୍ରଭୁହେ"- ଏତିକି ମାତ୍ର କ‌ହି ଗୋଟିଏ ଦୀର୍ଘନିଶ୍ୱାସ ପରି ଶବ୍ଦରେ ପବନ ଛାଡ଼ିଦେଲେ । ପ୍ରାଣବାୟୁ କେଉଁଆଡ଼େ ବ‌ହିଗଲା । ମଣି କାନ୍ଦି କାନ୍ଦି ଗଡ଼ିଗଲା । ଶ୍ୟାମ ବାବୁ ଭୋ' ଭୋ' ହୋଇ ଥରେ ଦି ଥର କାନ୍ଦି ପକାଇ ପୁଣି ସମ୍ଭାଳି ନେଲେ; କାରଣ ସେ କାନ୍ଦିଲେ ମଣିକି କିଏ ସାନ୍ୱନା ଦେବ ?

ମଣିକୁ କୋଡ଼ରେ ପୁରାଇ ଘେନିଯାଇ ତାଙ୍କ ଶୋଇବା ଘରକୁ ଚାଲିଗଲେ । ଏଣେ ଶବଦାହ ପ୍ରଭୃତିର ବନ୍ଦୋବସ୍ତ କରିବାକୁ ଶ୍ରୀ ଚନ୍ଦନ‌ଙ୍କୁ ଡକାଇ ପଠାଇଲେ ।

ଯଥାସମୟରେ ଶ୍ରୀଚନ୍ଦନେ ସାଙ୍ଗ ଭାଇଙ୍କୁ ଧରି ଶବ ଦାହ ପ୍ରଭୃତି କରି ଶୁଦ୍ଧକ୍ରିୟା କରିବାକୁ ଶ୍ୟାମ ବାବୁଙ୍କଠାରୁ ବିସ୍ତାର ଟଙ୍କା ପାଇଁ ଭଲେ ଭଲେ କାମଟି ଚଳାଇଲେ । ବୁଢ଼ୀଙ୍କର ସୁଧକାର୍ଯ୍ୟପାଇଁ ଶ୍ୟାମ‌ବାବୁ ପ୍ରାୟ ୧୦୦୦୦ ହଜାର ସରିକି ଟଙ୍କା ଖର୍ଚ୍ଚ କରି ଥିଲେ । ସମସ୍ତେ ଏଥିପାଇଁ ଧନ୍ୟ ଧନ୍ୟ କଲେ ସତ୍ୟ, ତାଙ୍କ ମନ ଏ ପ୍ରଶଂସାରେ ତୃପ୍ତ ନ ଥିଲା । ସେ ଯାହାକୁ ସୁଖୀ କରିବାକୁ ଏତେ କଳ୍ପନା କରିଥିଲେ, ସେ ତ ଚାଲିଗଲା । ତେବେ ତାଙ୍କର ଧୈର୍ଯ୍ୟ ଗୁଣରେ ସେ ସମସ୍ତ ସ‌ହିଲେ । ଦୁର୍ଗା ମଣି ପରି ସ୍ତ୍ରୀ, ମନ୍ଦାକିନୀପରି ଝିଅ ତ ସେ ଦିନେ ହରେଇ ସ‌ହିଲେ- ଆଉ ଏହି କ୍ଷଣି ପରିଚିତା ପାଛଲା ପତ୍ରକୁ ଝଡ଼ି ପଡ଼ିବାର ଦେଖି ସ‌ହିବେ ନାହିଁ ଆଉ କଣ ?

ଗ୍ରୀଷ୍ମ ଛୁଟିରେ ସରୋଜ ଗାଁକୁ ଆସିଲା ନାହିଁ- ସେ ଆସିଥିଲେ ହେଲେ ମଣିର ମନବ୍ୟଥା ଟିକିଏ ଊଣା ହୋଇଥାନ୍ତା- କାରଣ ସସେ ମା' ମଲା ଦିନୁଁ 'ସରୋଜ' ଭାଇ- ସରୋଜ ଭାଇ ହେବାକୁ ଲାଗିଲା । ତାର କାନ୍ଦ ପ୍ରାୟ ମାସକ ପରେ ଆସ୍ତେ ଆସ୍ତେ କମିଲା । ତିନିମାସ ପର୍ଯ୍ୟନ୍ତ ଶ୍ୟାମ‌ବାବୁ ଛୁଟି ନେଇ ଘରେ ରହି ମଣିର ଯତ୍ନ ନେବାକୁ ଲାଗିଲେ । ତାଙ୍କ ଘରେ ଦାସ ଦାସୀ ଛଡ଼ା ଅନ୍ୟ କେହି ନ ଥିଲେ । ସେମାନେ ହଠାତ୍ ଅପରିଚିତା ବାଳିକାକୁ ପୁଣି ଏପରି ଜୀର୍ଣ୍ଣଶୀର୍ଣ୍ଣା କୁମାରୀକୁ କିଛି ଅଯତ୍ନ କରନ୍ତି ଏଥିପାଇଁ ତାଙ୍କର ମନ ଘରୁ ଦଣ୍ଡେ ଛାଡ଼ିବାକୁ ଇଚ୍ଛା କଲା ନାହିଁ ।

x x x x

ରାତି ପାଇଲେ ଗଣେଶ ଚତୁର୍ଥୀ । କି ଦୁର୍ଯୋଗରେ ସରୋଜର ରାତି ପାଇଥିଲା ତାର ମୁଣ୍ଡ ଭାରି ବ୍ୟଥା କଲା । ଅମୃତାଞ୍ଜନ ବୋଳିଲା କେତେ କଥା କଲା, ମାତ୍ର ତାର ମୁଣ୍ଡବ୍ୟଥା କାହିଁରେ ବନ୍ଦ ହେଲା ନାହିଁ; ବରଂ ବେଳୁ ବେଳ ବଢ଼ିଲା । ପାଖରେ କେହି ନଥିଲା- ଯାହାକୁ ସେ ତାର କଷ୍ଟ କଥା ଖୋଲି କ‌ହନ୍ତା । କୋଠରୀର ଅନ୍ୟାନ୍ୟ ପିଲାମାନେ ୪ର୍ଥ ଶ୍ରେଣୀ ପଢ଼ୁଆ । ସେମାନେ ସେଦିନ ଡିଭେଟିଙ୍ଗ୍ କ୍ଲବର ସାଜ ସଜ୍ଜା ନେଇ କମନ୍ ରୁମକୁ ଚାଲି ଗଲେ । ସେ ପଡ଼ି ରହିଲା ଏକା । ଆସ୍ତେ ଆସ୍ତେ ଦିନ ୧୦ଟା ବେଳକୁ ତାର ଏପରି ଜ୍ୱର ହେଲା, ସେ ଜାଣେ ନାହିଁ ତା ପରେ କଣ ଘଟନା ଘଟି ଥିଲା ।

ସେ ବର୍ତ୍ତମାନ କଲେଜରେ ଆଏ, ଏସ୍. ସି. କ୍ଲାସରେ ପଢ଼େ । କଲେଜର ଛାତ୍ରମାନଙ୍କ ମଧ୍ୟରେ ତାର ଅନେକ ସାଥୀ । ତେବେ ବିନୋଦ ଭଳି ଅନ୍ତରଙ୍ଗ ବନ୍ଧୁ ତାର ସେତେବେଳେ ଅଳ୍ପ ଥିଲେ । ଯଦି ସେ କାହାକୁ ତାର ହୃଦୟର ଗୋପନ ବ୍ୟଥା କ‌ହିପାରେ, ତେବେ ସେ ବିନୋଦ; ଯଦି ସେ କାହାକୁ ତାର ପ୍ରାଣର ଗଭୀର ବେଦନା କ‌ହିପାରେ, ତେବେ ସେ ବିନୋଦ । ବିନୋଦ ଗରିବ ପିଲା; ମାତ୍ର ସରୋଜ ଡିପୋଟି ବାବୁଙ୍କ ଏକମାତ୍ର ମାତୃଶୂନ୍ୟ କୁଳାଙ୍କୁର । ଦୁହେଁ ଏକା ବିଷୟ ନେଇ ଏକା କ୍ସାସରେ ପଢ଼ନ୍ତି- ଏକା ମେସ୍‌ରେ ଖାଆନ୍ତି ମାତ୍ର ବିନୋଦର ରୁମ୍ ନମ୍ବର ୩୭, ସେ ତଳେ ଥାଏ- ଆଉ ସରୋଜର ରୁମ୍- ନମ୍ବର ୮୬, ସେ ଉପରେ ଥାଏ । ଗଭର୍ଣ୍ଣମେଣ୍ଟ ହାଇସ୍କୁଲରେ ପଢ଼ିଲା ଦିନୁଁ ସେ ଦୁହେଁ ଏକାସାଙ୍ଗରେ ପଢ଼ି ଆସୁଛନ୍ତି । ଉଭୟଙ୍କ ମଧ୍ୟରେ ଏପରି ଗୋଟିଏ ପ୍ରୀତି ଅଛି, ଯାହା ଛାତ୍ର ସମାଜରେ ସୁଲଭ ହେଲେହେଁ ଅଳ୍ପ । କାରଣ ଭଲପାଇବା ଅନେକ ଛାତ୍ରମାନଙ୍କ ମଧ୍ୟରେ ଅଢ଼େଇଦିନ ପାଇଁ ରହି କେଉଁଆଡ଼େ ଲୁପ୍ତ ହୋଇଯାଏ । ମାତ୍ର ବିନୋଦ ସରୋଜର

ସେପରି ନୁହେଁ- ସେମାନଙ୍କର ପ୍ରେମ ଚିରସ୍ଥାୟୀ । ଉଭୟେ ଉଭୟଙ୍କୁ ଦେଖିବା ପାଇଁ- ଏକାଠି ବସିବାପାଇଁ- ଏକାଠି ବୁଲିବା ପାଇଁ ଏତେ ଭଲପାନ୍ତି ଯେ, ଜଣକର କାଣି ଆଙ୍ଗୁଠିର ଆଘାତ ଅନ୍ୟକୁ ବଡ଼ ବୋଧେ । ଏ ପ୍ରୀତି ଆଜକୁ ୬ ବର୍ଷ ହେଲା ଚାଲି ଆସିଅଛି ।

ଦିନେ ଦିନେ ନଈ କୂଳରେ ଦୁହେଁ ବସି କଥାବାର୍ତ୍ତା ଦୁଅନ୍ତି- ସେମାନେ ଭବିଷ୍ୟତରେ ବିବାହ ହେଲେ ତାଙ୍କର ପୁଅଝିଅ ନେଇ ବନ୍ଧୁ ବାନ୍ଧବ ହେବେ । ଏକାଠି ରହିବେ । ବିନୋଦର ଘର ମୋଫସଲରେ । ସେ କଣ କରିବ ତାର ପିତାର କ୍ରୁରଦୃଷ୍ଟିରେ ଆଜକୁ ଦୁଇବର୍ଷ ହେଲା ବିଭା ହୋଇଚି । ସେଥିପାଇଁ ତା ମନରେ ବଡ଼ ଦୁଃଖ । ତେବେ ପିତାଙ୍କର ଅମୂଲ୍ୟ ଦାନଟି ଉପେକ୍ଷା କରିବାକୁ ତାର ଶକ୍ତି ଅଳ୍ପ ।

ବିନୋଦ ସରୋଜ ସମ‌ବୟସୀ । ଦୁହିଁଙ୍କୁ ଦେଖିଲେ ଜଣାଯାଏ ଯେପରି ଏକା ମାଆର ଦୁଇଟି ପୁଅ । ତେବେ ସରୋଜର ସୌନ୍ଦର୍ଯ୍ୟ କୌଣସି କାରଣରୁ ବିନୋଦ ଅପେକ୍ଷା ସରସ । ଉଭୟେ ମିଷ୍ଟଭାଷୀ, ସରଳ । ପତ୍ର ପତ୍ରିକାରେ ପ୍ରବନ୍ଧ ଲେଖିବାରେ ଉଭୟେ ପଟୁ । ଜଣେ କାମର ବିପକ୍ଷରେ ଲେଖିଲେ, ଜନେ ପ୍ରେମର ସପକ୍ଷରେ- ଜଣେ ଲାଳସାର ବିରୋଧରେ ଲେଖିଲେ, ଜଣେ ସ୍ନେହର ଗୌରବରେ- ଜଣେ ଭକ୍ତି ଲେଖିଲେ, ଜଣେ ଆଦର- ଜଣେ ସେବା ଲେଖିଲେ, ଜଣେ ସୋହାଗ ଏପରି କବିତା ସବୁ ପ୍ରାୟ ସାମ୍ୟ ରଖି ଲେଖନ୍ତି । ଯେଉଁ ମନ୍ତ୍ରପର ଯାହାର ପ୍ରେମିକ ସ୍ୱପ୍ନ ସଫଳ ହୁଏ, ସେମାନେ ସେହିପରି ସ୍ୱରୂପ ଚିତ୍ର ହୋଇଥାନ୍ତି । ସେମାନଙ୍କର ଜୀବନ୍ତ କବିତା ସର୍ବତ୍ର ଆଦୃତ ହୁଏ ।

ଦିନ ତିନିଟା ବେଳେ ଯେତେବେଳେ ସରୋଜର ଜର କମିଗଲା, ସେ ଆଖି ମେଲାଇ ଚାହିଁଲା- ଦେଖିଲା ବିନୋଦ ତାର ପାଦ ଘସି ଦଉଚି; ଆଉ କେତେଜଣ ପିଲା ଏ ପାଖ ସେପାଖ ହେଉଚନ୍ତି ।

ସରୋଜ ପଚାରିଲା- "ଭାଇ ! ତୁ କେତେବେଳୁ ମୋ ପାଖକୁ ଆସିଚୁ ? ବଡ଼ ଜର ହୋଇଗଲା ।"

ବିନୋଦ କ‌ହିଲା- "ଦେହ କଣ ଟିକିଏ ଭଲ ଲାଗୁଚି ? ମୁଁ ଆସିଲିଣି ୧୨ଟ ବେଳୁ ।"

"ଦେହ ଭଲ ଲାଗୁଚି ! ଏବେ କେତେଟା ବେଳ ହବ ?

"ତିନିଟା"

"ଓ ହୋ ! ତୁ କଣ ସେତେବେଳୁ ମୋ ପାଖରେ ବସିଚୁ ? ଯା, ମୁଁ ତ ଭଲ ହୋଇଗଲିଣି ।" ଏହା କ‌ହି ଟିକିଏ ଉଠି ବସିଲା । ବିନୋଦ ଦାନ୍ତ ଘସାଇ ଦେଇ ଖଣ୍ଡେ ଲେମ୍ବୁ ଚାଟିବାକୁ ଦେଲା । ଆଉ କ‌ହିଲା, "ତୁ ସକାଳ ପ‌ହରୁ ଏପରି ପଡ଼ିଚୁ, କା ହାତରେ ଖବରଟା ସୁଦ୍ଧା ଦେଇ ପାରିଲୁ ନାହିଁ ?"

"ଭାଇ ! ମୋର ତ ଆଗ ସକାଳୁଟାରୁ ମୁଣ୍ଡ ବଥେଇଲା; ହଠାତ୍ ଏପରି ଜର ହେବ କିଏ ଜାଣେ ? ଜର ହେଲା ପରେ ମୋର ଚେତା ଚଇତନ କାଇଁ ଯେ ଖବର ଦେବି ? ପିଲାମାନେ ତ ତେଣେ ସକାଳ ଟାରୁ ଚାଲିଗଲେଣି ।"

ଠିକ୍ ଏହି ସମୟରେ ଗୋଟିଏ ଟେଲିଗ୍ରାମ ନେଇ ଡାକ ପିଅନ ହାଜର ହେଲା । ଟେଲିଗ୍ରାମ ନିଜ ନାମରେ ଦେଖି ସରୋଜର ବଡ଼ ସନ୍ଦେହ ହେଲା । ବାପା ଟେଲିଗ୍ରାମ କରିଚନ୍ତି କାହିଁକି ? କଣ କଥା ? ସେ ବିନୋଦକୁ ଫିଟାଇ ପଢ଼ିବାକୁ କ‌ହିଲା । ବିନୋଦ ପୁଳିନ୍ଦା ଫିଟାଇ ପଡ଼ି ଶୁଣାଇଲା:-

"ବାବା ଲେଖିଚନ୍ତି ଯେ- ସେ ବର୍ତ୍ତମାନ ଆଜି ଗାଡ଼ିରେ କଲିକତା ଚାଲିଯାଇଚନ୍ତି । ତାଙ୍କର କାମ ବଦଳିହୋଇଚି- ଘରେ ଚାକର ବାକର ଛଡ଼ା ଅନ୍ୟ କେହି ନାହାନ୍ତି- ମଧୁଆ ସାଥିରେ ଯାଉଚି- ଯେମାମଣିକୁ

ପୂଜା ଛୁଟିରେ ଘରକୁ ଘେନିଆଣିବୁ ଏବଂ ଶୀଘ୍ର ଘରକୁ ଚାଲିଆସିବୁ । ପାରିଲେ ତୋର ସଙ୍ଗୀ ବିନୋଦକୁ ସଙ୍ଗରେ ଆଣିବୁ । ମୁଁ ମାସକ ପରେ ସମ୍ଭବତଃ ପେନ୍‌ସନ୍ ପ୍ରାର୍ଥନା କରି ଚାଲିଆସିବି ।"

କଥାଟା ଶୁଣିସାରି ସରୋଜ ମନରେ ଦୁଃଖ ଆସିଲା । ବାସ୍ତବରେ ପରାଧୀନତା କି ଦୁଃଖମୟ ବ୍ୟାପାର । ବାପାଙ୍କର ଶାରୀରିକ ଅସ୍ୱାସ୍ଥ୍ୟ ନେଇ ସେ ଦୁଇବର୍ଷ ତଳେ ବଡ଼ କଷ୍ଟରେ ବଦଳି ହୋଇ ରାଜ୍ୟକୁ ଆସିଥିଲେ ! ପୁଣି କାର ମନେ ପଡ଼ିଗଲା- ସେହି ଦୂରକୁ ଟାଣି ନେବାକୁ ? ମାତୃହୀନ ସନ୍ତାନର ଏକମାତ୍ର ପିତା ସମ୍ବଳ । ସେ ଗ୍ରୀଷ୍ମ ଛୁଟିରେ ଘରକୁ ଯାଇ ନଥିଲା, ଏବେ ପୂଜାରେ ଯାଇ ଟିକିଏ ଦେଖି ପାରିବ ନାହିଁ - ଏଥିପାଇଁ ତାର ମନ ବଡ଼ କିଛି ଦୁଃଖ ହେଲା ।

ବିନୋଦକୁ ପଚାରିଲା- "ଯିବୁ ?" ବିନୋଦ କ‌ହିଲା- "ହଉ; ମୁଁ ତ ତୋ କଥା ସଦାବେଳେ ଅମାନ୍ୟ କରେ । ଆଚ୍ଛା ସରୋଜ, ମଣି କଣ ଗାର୍ଲସ୍କୁଲରେ ପଢ଼ୁଛି ?"

ସରୋଜ କ‌ହିଲା- "ହଁ ତା' ଚିଠି ପଢ଼ି ନାହୁଁ କି ସୁନ୍ଦର ଲେଖା ତାର- ସେପରା ମୋ ବାପାଙ୍କର ଝିଅ, ମୋର ଭଉଣୀ । ମୁଁ ତାକୁ କେବେ ଦେଖି ନାହିଁ- କେବଳ ତା' ଚିଠି ବାପାଙ୍କ ଚିଠିରୁ ଯାହା ପାଏ । ଆମେ ତ ଘରକୁ ଗଲେ ତିନିହେଁ ଏକାଠି ରହିବା । ତୁ ଯିବୁ କି ନାଁ, ଠିକ୍ କରି କ‌ହ । ତୁ ତ ପାଗଳ, ସେଠୁ କେଉଁ ଦିନ କ‌ହିବୁ ନାଇଁ ଘରକୁ ଯିବି ।"

"ନାଇଁମ, ମୁଁ ଯିବି କ‌ହୁଚି- ବାପାଙ୍କ ବିଜୟୀ ଧର୍ମାବତାର କଥା 'ନବୀନ'ରେ ବ‌ହୁଥର ପଢ଼ିଚି- ମଣିକି ନ ଦେଖିଲେ କଣ ସମ୍ଭଳାଯିବ । ମଣି ତ ଚିଠିରେ ତୋତେ କିଣି ନେଇଚି- ମୁଁ ତାକୁ କଥାରେ କିଣିନେବି । ଏ ତ ଏତେ ଛୋଟଦିନ ବେଶ୍ ସରୋଜ !"

"ତୁ କଣ ଦେଖି ନାହୁଁ, ସେ ଯେ ଗୀତଟା ବାବାଙ୍କ ପାଇଁ ମଣି ଲେଖିଥିଲା- ତାହା ମୋ ପାଖକୁ ପଠେଇ ଥିଲେ । ଗରିବ ଭିତରେ ମଧ୍ୟ ଦେବତା ଅଛନ୍ତି ରେ ! ଦଳେ ସିନା ଜାତି, ସମାଜ ସମାଜ, କ‌ହି ମନୁଷ୍ୟକୁ ହୀନ କରି ଥୋଇ ଦେଇଚନ୍ତି; ନ‌ଚେତ୍ କୋଇଲା ଖଣିରେ ହୀରା ନାହିଁ କିଏ କ‌ହିଲା ? ମାଟିଭିତରେ ସୁନା ଲୁଚି ରହିଚି- ବାହାର କରି ପାରିଲେ ହେଲା ।"

ଦୁଇସାଙ୍ଗ ଏପରି କେତେ କଥାବାର୍ତ୍ତା ହେଲେ । ତା ପରେ ସରୋଜର ପଥି ପାଚନ ହେଲା । ସରୋଜ ସୁସ୍ଥ ହେଲା । ଆଉ ଜ୍ୱର ହେଲା ନାହିଁ । କଲେଜ ଛୁଟି ହେବାର ପାଞ୍ଚ‌ଛଅ ଦିନ ଆଗରୁ ଦୁଇ ସାଥୀ ସରୋଜର ଗାଁକୁ ସଳଖିଲେ ।

ଘରେ ପ‌ହ‌ଞ୍ଚି ଦେଖିଲେ- ଦାଣ୍ଡ ଦୁଆରେ ଚାକରାଣୀ ପିଲା ରେବତୀ ଏକଦୃଷ୍ଟିରେ ଚାହିଁରହିଚି- ତା ପାଖରେ ତାର ମା' ଛିଡ଼ା ହୋଇ ତାକୁ କଣ କ‌ହୁଚି । ଦାସିଆ ଭଣ୍ଡାରୀ (ଚାକର) ଝାଡ଼ୁ ମୁଠାଏ ଧରି ଉପର ମ‌ହଲାର ଝରକା ପାଖ ସବୁ ଓଳାଉଚି ।

ଘରେ ପ‌ହଞ୍ଚିବା ସାଙ୍ଗେ ସାଙ୍ଗେ ସମସ୍ତଙ୍କର ଆନନ୍ଦର ସୀମା ରହିଲା ନାହିଁ । ଚାକର ପୂଜାରୀ ସମସ୍ତେ ମିଶି ପିଲା ବାବୁଙ୍କ ଚର୍ଚ୍ଚାରେ ଲାଗିଗଲେ । ଶ୍ୟାମ ବାବୁଙ୍କ ସଦ୍ ବ୍ୟବ‌ହାରରେ ଏହି ଚାକର ପୂଜାରୀ ଗୋଟିଏ ଗୋଟିଏ ସୁନା ପ୍ରତିମା ଥିଲେ । ଦାସିଆ ଭଣ୍ଡାରିକୁ ଯଦି ବାବୁ କ‌ହିବେ, 'ଦାସିଆ ! ଏ କଟୁରୀରେ ତୋ ଦେହରୁ ଖଣ୍ଡେ ହାଣି କରି ମୋତେ ଦେବୁଟି- ସେ ଯେପରି ଲୋକ ଝଟ୍ କରି ହାଣି ଦେଇ ଦେବ । ସେ ବଡ଼ ନିମକ୍ ସଚା । ଆଜିକୁ ୩୦ ବର୍ଷ ହେଲା ସେ ଏହି ଘରେ ଚାକର । ଏପରି କୌଣସି ଦିନ କେବେ ସେ ଟିକ‌କ କଥାରେ ନିମକ୍

ହରାମ୍ ବୋଲି ଧରା ପଡ଼ି ନାହିଁ । ତାର ସରଳ ବ୍ୟବ‌ହାର ସରୋଜକୁ ବଡ଼ ଭଲ ଲାଗେ ।

ଦାସିଆ ଆଜିକାଲି ଏତେବଡ଼ ଘରର ମାଲିକ । ମନ୍ଦାକିନୀ ମରିଯିବା ଦିନଠୁ ତାର ମନ ସଦାବେଳେ ବିଷାଦଭରା ଥିଲା । ଯେଉଁ ଦିନୁଁ ମଣି ଘରକୁ ଅଇଲା ସେହିଦିନୁଁ ସେ ତାକୁ ନେଇ ଆନନ୍ଦରେ ଚଳି ଯାଉଥିଲା, ମାତ୍ର ବାବୁ ତାକୁ ବେଶୀଦିନ ଘରେ ରଖିଦେଲେ ନାହିଁ । ମୋଟେ ଚାରିଟି ମାସ ଘରେ ରଖି ତାକୁ ମିଶନ ଇସ୍କୁଲ ବୋର୍ଡ଼ିଂକୁ ପଠାଇ ଦେଲେ । ଆଜି ସରୋଜକୁ ଦେଖି ତାର ପାଦ ତଳେ ପଡ଼ୁନାହିଁ, ଦାସୀଆର ଆଉ କେହି ନ ଥିଲା, ତାର ସ୍ତ୍ରୀ ଅସନ୍ତାନ ହୋଇ ବ‌ହୁଦିନୁ ମରିଯାଇଚି; ସେ ଏକା, ସେଥିପାଇଁ ତାର ସରୋଜ ପ୍ରତି ବଡ଼ ମାୟାମମତା । ତା ସାଆନ୍ତାଣୀ ମଲା ଦିନୁଁ ସେ ସରୋଜକୁ କୋଡ଼ରେ କାହରେ କରି ଏତେବଡ଼ କରିଚି । ସେ ତ ଆନନ୍ଦ ନ ହେବ, ଆଉ କିଏ ହେବ ?

"ଭଲ ଅଛୁ ଦାସିଆ ?"

ଆଜ୍ଞା- ହଜୁର, ଭଲ ଅଛି କ‌ହି ଦାସିଆ ପିଲାବାବୁଙ୍କୁ ଦେଖି ହସି ପକେଇଲା । ଆଉ ଝଟ୍‌କିନା ଗୋଟିଏ ମୁଣ୍ଡିଆ ମାରି ପକାଇଲା । ଉଠିପଡ଼ି ଦେଖିଲା, ସେଥର ଯେଉଁ ନୂଆବାବୁ ଆସିଥିଲେ ସେ ଆସିଚନ୍ତି, ସେଠୁ ତାଙ୍କୁ "ଓଳିକି ଓଳିକି ନୂଆ ବାବୁ" କ‌ହି ମୁଣ୍ଡିଆ ଟିଏ ମାରି ଉଠିଲା । ବିନୋଦ ଦରହସା ଦେଇ ଦୀର୍ଘାୟୁରସ୍ତୁ ବୋଲି ଗୋଟିଏ କଲ୍ୟାଣ କରି କ‌ହିଲା- "ଦେଖିଲୁ, ଦାସିଆ- ଏ ପିଲା ବାବୁ ତ‌ତେ ସୁଖ ପାଉ ନାହାନ୍ତି- ସୁଖ ପାଉଥିଲେ କଲ୍ୟାଣ କରି ନଥାନ୍ତେ- ?

ଦାସିଆ କ‌ହିଲା- "ହଜୁର ତ ତାଙ୍କର ସଖା । କୃଷ୍ଣ କଣ, ଅର୍ଜୁନ କଣ, ଯେ ହେଲେ କଲ୍ୟାଣ ଦେଲେ ଗଲା । ପିଲା ବାବୁ ତ କୃଷ୍ଣ ତମେ ତ ଅର୍ଜୁନ । ରକ୍ମଣୀଟିଏ ହେଲେ ତ ଘର ଉଛୁଳନ୍ତା ।"

ସରୋଜ- "ଧାତ୍ ବଗୁଲିଆ, ରହ ତୋ ଥଟା ଛଡ଼ୋଇଚି" କ‌ହି ଉପରକୁ ଯିବା ପୂର୍ବରୁ ଦାସିଆ କ‌ହିଲା, "ପିଲା ବାବୁ- ବାବୁଙ୍କ ନାଆଁରେ ଏହି ଚିଠିଟା କଣ ନିଅ ।"

ସରୋଜ ଚିଠି ପଢ଼ି ଦେଖିଲ- ବାଳିକା ସ୍କୁଲର ପ୍ରନ୍ସିପାଲ ମିସ୍‌ରାୟ ଲେଖିଚନ୍ତି ଯେ- "୧୭ ତାରିଖରେ ଛୁଟି ହେଉଅଛି- ଯେଦିନ ମଣିକୁ ଆସି ନେଇଯିବେ ।"

ଆଜି ୧୬ ତାରିଖ- ସରୋଜ ଧଡ଼ପଡ଼ ହୋଇ ଦାସିଆକୁ କ‌ହିଲା, "ଯାଆ- ଡ୍ରାଇଭରକୁ ଉପର ବେଳା ଯିବାପାଇଁ ସଜଲି ହେବାକୁ କ‌ହିଦେ ।" ଦାସିଆ ଚାଲିଗଲା । ଏଣେ ବିନୋଦ ସରୋଜ ଖାଇପିଇ ରେଳରେ ଆସିଥିବା ରାତି ଅନିଦ୍ରା ଯୋଗେ ଶୋଇପଡ଼ିଲେ । ସେମାନେ ତାର କରିଥିଲେ ଦାସିଆ ମଟର ପଠାଇ ଦେଇଥାନ୍ତା; ମାତ୍ର ଅଦ୍‌ଭୁତ ଭାବରେ ଷ୍ଟେସନରେ ପ‌ହ‌ଞ୍ଚି ବଳଦ ଗାଡ଼ି ଛଡ଼ା ସେଦିନ ଘୋଡ଼ା ଗାଡ଼ି ଖଣ୍ଡେ ସୁଦ୍ଧା ପାଇଲେ ନାହିଁ । ଷ୍ଟେସନରୁ ଘରକୁ ଚାଲିମାଇଲ ବାଟ । ବଳଦ ଗାଡ଼ିଟାରେ ଧକର କଚର ହୋଇ ଆସି ଦୁହିଁଙ୍କୁ ବଡ଼ କଷ୍ଟ ହୋଇଥିଲା । ତେଣୁ ଦୁହେଁ ଏକାଠି କଣ ଦିଗୁଣ୍ଡା ଗିଳି ଦେଇ ଖଟ ଧଇଲେ । ନିଦ ଭାଙ୍ଗିଲା ତିନିଟା ବେଳେ ସରୋଜର ।

ବିନୋଦ ବିଚରାର ସୁଖସପ୍ନ ଭାଙ୍ଗିବାକୁ ସରୋଜର ଇଚ୍ଛା ନ ଥିଲା । ତେବେ ଭାଙ୍ଗିବାକୁ ବାଧ୍ୟ ହେଲା- କାରଣ ସେମାନେ ୨୦ ମାଇଲ ରାସ୍ତା ଯିବେ । ସରୋଜର ପିତାଙ୍କ ଘର ଯଦିଓ ଗୋଟିଏ ସ‌ହରରେ, ତେବେ ସେଠାରେ ଗୋଟିଏ ସେକେଣ୍ଡରୀ ସ୍କୁଲ ବାଳକମାନଙ୍କ ପାଇଁ, ଆଉ ଗୋଟିଏ ପ୍ରାଇମେରୀ ସ୍କୁଲ ବାଳିକାମାନଙ୍କ ପାଇଁ ଛଡ଼ା ଆଉ କିଛି ନ ଥିଲା । ତେଣୁ ସରୋଜ ସୂଦୁର ଦେଶରେ କଲେଜରେ, ଆଉ ମଣି ଘରଠାରୁ ନିକଟ ୨୦ ମାଇଲ ଦୂରବର୍ତ୍ତୀ ସ୍ଥାନରେ ମିଶନ ହାଇସ୍କୁଲରେ ପଢ଼ୁଥିଲା ।

ଆଜି ମଟରକାରରେ ଯାଇ ରହିଥିଲେ ସେମାନେ କାଲି ସକାଳୁ ଚାଲିଆସିବେ; କାରଣ ମଣିର ମଣିଂ ସ୍କୁଲ ହୋଇ ସ୍କୁଲ ବନ୍ଦ ହେବ । ବିନୋଦ କିପରି କଞ୍ଚାନିଦିଆ ହୋଇ ଉଠିଲା । ସରୋଜ ଆବାହନ ସେ ଗ୍ରହଣ କଲା ନାହି, ଆଖି ମଳୁ ମଳୁ କ‌ହିଲା- "ଏ ନିଆଁ ଲଗା ଦିପ‌ହରଟାରେ ମଣିଷ ଟିକିଏ ଶୋଇପାରିଲା ନାହିଁ ।"

ସରୋଜ କ‌ହିଲା- "ବେଶ୍ ମାଇକିନା କଥା ତ ତ‌ତେ ଆସେ ବିନୋଦ ।"

"ହଁ, ଆସେ ନାହିଁ; ଆଉ କଣ ? ଆରେ ଏ ଯୁଗରେ ସ୍ତ୍ରୀ କଣ ପୁରୁଷ କଣ ? ସୃଷ୍ଟିର ଦୁଇଟି ରହସ୍ୟ ।"

ସରୋଜ ଯିବାକୁ ତରତର, ତେଣୁ ସେ କ‌ହିଲା- "ତୁ' ଯିବୁକି ନାଁ କ‌ହ- ନ‌ଚେତ୍ ମୁଁ ଯିବି ।"

ବିନୋଦ ଯିବାକୁ ନାହିଁ କଲା । କ‌ହିଲା- "ତୁ ଯା- ମୁଁ ଟିକିଏ ଆଗ ଦିନଟାଏ ଖୁବ୍ କରି ଶୁଏଁ । ତା ପରେ ମଣି ସ‌ହିତ ଦେଖା ହବ ।"

ସରୋଜ ଆଉ ଶୁଣି ପାରିଲା ନାହିଁ । "ତୁ ଥାରେ ଟୋକା" ଏତିକି କ‌ହି ଦରହସିତ ମୁଖରେ ଦଣ୍ଡକେ ମଟରକାରରେ ବସି ଚାଲିଗଲା ।

* * * * *

ମଣି ପଚାରିଲା, "ଭାଇ ! ତମେ କଣ ମୋର ସବୁ ଚିଠି ପାଅ ? କାଇଁ କେବେ ତ' ଖଣ୍ଡେ ଉତ୍ତର ଦିଅ ନାହିଁ ?"

ସରୋଜ କଣ କ‌ହିବ- ବାସ୍ତବରେ ସେ ମଣିର ବ‌ହୁତ ଥର ଚିଠି ପତ୍ର ପାଇଚି, ମାତ୍ର କେବେ ତାକୁ ଖଣ୍ଡେ ବୋଇଲେ ଖଣ୍ଡେ ଚିଠିର ଉତ୍ତର ଦେଇ ନାହିଁ । ତାର କାରଣ- କଣ ଲେଖିବ ? ପୁଣି ତାର ଆଳସ୍ୟ । ସୁତରାଂ ବାଳିକାକୁ ଭୁଲାଇବା ପାଇଁ କ‌ହିଲା- "ବାଳିକା-

ଇସ୍କୁଲର ନିୟମ ଅଛି, ସେଠି ପିଲାଙ୍କୁ ବେଶୀ ଚିଠିପତ୍ର ଦିଆଯିବ ନାହିଁ, ବୃଥାରେ ଦେଲେ କଣ ହେବ- ତୁ କଣ ଆଉ ପାଆନ୍ତୁ !"

ମଣି କ‌ହିଲା- ମ, ପାଞ୍ଚଖଣ୍ଡ ସାତଖଣ୍ଡ ଲେଖେଁତ ଚିଠି ପିଲେ ପାଉଚନ୍ତି । ଆଉ ମୋ ଚିଠି କାହିଁକି ନ ଦେବେ ?"

ସରୋଜ ଆଉ ପ୍ରକାରେ ଫାଙ୍କି କ‌ହିଲା, "ବାପା ପରା ମନା କରିଚନ୍ତି- ମଣିକୁ ସେପରି ବେଶୀବେଶୀ ଚିଠିପତ୍ର ଦେବୁ ନାହିଁ- କାରଣ ସେ ଚିଠି ପଢ଼ି ଉତ୍ତର ଦଉ ଦଉ ଦିନ ଯିବ । ପାଠ ପଢ଼ିବାରେ ତାର କ୍ଷତି ହେବ ।"

ମଣି ହଠାତ୍ କ‌ହିଲା- "ବାବା ତ ଚିଠି ମତେ ପୁଣି ପ୍ରତିସପ୍ତାହରେ ଦିଖଣ୍ଡ ଦିଅନ୍ତି । ଆଉ ବ‌ହୁତ କଥା ଲେଖି ଥାନ୍ତି- ପୁଣି ଭାଇର ଚିଠି ପାଇଲୁ କି ନାହିଁ ବୋଲି ପଚାରନ୍ତି । ଭାଇ ଆଦୌ ଚିଠି ଦଉ ନାହାନ୍ତି କ‌ହିଲେ ସେ ଲେଖିପଠାନ୍ତି ଯେ, କୌଣସି ଅସୁବିଧାରୁ ଦେଇ ନଥିବ । ମୁଁ ଲେଖେ ଯେ, ଭାଇ ମତେ ଭଲ ପାଆନ୍ତି ନାହିଁ- ବୋଧହୁଏ ସେ ମତେ ଚିଡ଼ିଚନ୍ତି । ସେଠୁ ସେ ଲେଖନ୍ତି ଯେ, ନା ନା, ସେ ସେପରି ନୁହେଁ । ଆଉ ତମେ ଏମିତି କଣ କ‌ହୁଚ ?"

ସରୋଜ କଣ କରିବ, ଏଥିକି ଉତ୍ତର କଣ ? ଶେଷକୁ ବାଧ୍ୟ ହୋଇ କ‌ହିଲା, "ନା ମଣି, ଦେଇ ପାରି ନାହିଁ ଚିଠି ସତ; ତେବେ ତଦ୍ଦ୍ୱାରା ତୋର ଉପକାର ହୋଇଛି । ମୁଁ ତ‌ତେ ବଡ଼ ଭଲ ପାଏ । ମୋର ଭଉଣୀ ନାହିଁ, ଏଥିପାଇଁ ମୁଁ ସାଙ୍ଗ ପିଲାଙ୍କୁ କ‌ହି ଦୁଃଖ କରେ- ଆଉ ତୋପରି ଭଉଣୀ ପାଇ ମୁଁ ବିରକ୍ତ ହେବି ? ତୋର ମୋ ଚିଠି ପଢ଼ିବା ସମୟ ତକ ଯେ ପଢ଼ାରେ ଲାଗିଚି, ଏହାଦ୍ୱାରା କଣ ଭଲ ହୋଇ ନାହିଁ ? ବାସ୍ତବରେ ସରୋଜରମତ ଏହା ନୁହେଁ, ସେ ବ‌ହୁତ ଚିଠି ଲେଖେ ।

ଚିଠି ଲେଖାଦ୍ୱାରା ଯେ ପଢ଼ାରେ ଅନିଷ୍ଟ ହେବ, ସେ ଏଭଳି ଘୋଷା ବଳଦ ପିଲାଙ୍କ ମତରେ ପିଲା ନୁହେଁ । ମଣିକୁ କୌଣସି ଉପାୟରେ ତୋଷ କରିବା ତାର କଥା ।

ମଣି କି ତା' ମାନେ ? ସେ ବଡ଼ ଚତୁରୀ । ସେ ଝଟ କିନି କ‌ହିଲା "ଆଚ୍ଛା ଭାଇ, କେବଳ କଣ ମଣିଷ ବ‌ହି ପାଠ ପଢ଼ିବ- ତା ଛଡ଼ା ସେ ଚିଠି ଲେଖିବ ନାଇଁ, କିଛି ଆଉ ଲେଖିବ ନାଇଁ- ଖେଳିବ ନାଇଁ, ବୁଲିବ ନାଇଁ- ବ‌ହି ପଢ଼ୁଥିବ ? ମୋର କାଇଁ କି ତା ମତ ନୁହେଁ । କେତେ ପିଲା ଦିନ ରାତି ବ‌ହି ପଢ଼ନ୍ତି । ମୁଁ ସେ ଗୁଡ଼ାକୁ ଭଲପାଏ ନାହିଁ । ତମେ ମତେ ଠକୁଚ, ତେବେ ଏଣିକି ଚିଠି ଦେବ ।"

ଏଥର ସରୋଜ ସେଥିରେ ହଁ ଭରିଲା, ଏବଂ କ‌ହିଲା- "ମଣି, ବାପାଙ୍କର ବଦଳି ହେଇଚି, ସେ ୭ ଦିନ ତଳୁ କଲିକତା ଗଲେ ।"

ମଣି "ବାପା କାହିଁକି ବଦଳି ହେଲେ, ସେ ଏଥର ସେଠାରେ କେତେ ଦିନ ରହିବେ" ଇତ୍ୟାଦି ନାନା ପ୍ରଶ୍ନ ପଚାରୁ ପଚାରୁ ମଟର ଯାଇ ଦୁଆରେ ଲାଗିଲା । ମଣି ବିନୋଦକୁ ନୂଆ କରି ତାଙ୍କ ଘରେ ଦେଖି ଆଶ୍ଚର୍ଯ୍ୟ ହେଲା । ମାତ୍ର ସେ କିଏ ବୋଲି କାହାକୁ ପଚାରିଲା ନାହିଁ ।

ଦାସିଆ ଆସି ତାର ସ୍ନେହର ଦୁଲାଳୀକୁ ଘରକୁ ନେଇ ଗଲା । ସମସ୍ତେ ବଡ଼ ଆନନ୍ଦିତ ହେଲେ । ରାଜା ଘର ଭଳି ନିଃଶବ୍ଦ ଘରଟା ହାଉ ଜାଉ ହୋଇ ଉଠିଲା ।

ବିନୋଦ ଭାବିଥିଲା, ମଣି ହଠାତ୍ ତାକୁ ଭାଇ ବୋଲି ଡାକି କେତେ କଣ ପଚାରିବ, ମାତ୍ର ମଣି ତାକୁ ଟିକିଏ ମାତ୍ର ଚାହିଁଲା ନାହିଁ । ସେଥିପାଇଁ ତା ମନରେ ଦୁଃଖ ହେଲା । ସରୋଜ ଯେ ବିନୋଦ କଥା ଆଦୌ ତାକୁ କ‌ହି ନାହିଁ, ତାର କାରଣ- ସେ ମଣିର ବିଭିନ୍ନ ପ୍ରକାର

ପ୍ରଶ୍ନର ଉତ୍ତର ଦେଇ ଦେଇ ଅବସର ମାତ୍ର ପାଇ ନ ଥିଲା । ବିନୋଦ ମଣିର ପରିଚୟ ଜାଣେ, ମାତ୍ର ମଣି ବିନୋଦକୁ ଚିହ୍ନିଲା ନାହିଁ ।

କେତେ ଘଣ୍ଟା କଟିଗଲା । ଖାଇବାକୁ ସମସ୍ତେ ଏକାଠି ହେଲେ । ତିନିଙ୍କ ପାଇଁ ରୋଷେଇ ଘରୁ ତିନିଠା ଭାତ ଏକାଠି ବଢ଼ା ହେଲା । ଦାସିଆ ଖାଇବାକୁ ଯିବାକୁ ସମସ୍ତଙ୍କୁ ଅଥୟ କରିଦେଲା । ମାତ୍ର ମଣି ଏକାଠି ବସି ଖାଇବାକୁ ମଙ୍ଗିଲା ନାହିଁ । ତାର ବଡ଼ ଲାଜ । ସେ ଆଉ ଜଣକୁ କିଏ, ଚିହ୍ନେ ନାଇଁ । ସେ ସେଇଠି ବସି ମାଇକିନିଆଁ ଝିଅ ହୋଇ ଗୁଣ୍ଡା ପାଟିକୁ ନେବ କିପରି ? ତାର ବୁଢ଼ୀ ମା' ମରି ଯାଇ ଚନ୍ତି ସତ, ମାତ୍ର ସେ ତାଙ୍କଠୁ ସ୍ତ୍ରୀସୁଲଭ ଯେଉଁ ଲଜ୍ଜା, ବିନୟାଦି କେତୋଟି ସଦ୍‌ଗୁଣ ଶିକ୍ଷା କରିଥିଲା, ତାହା ମିସନ ଗାର୍ଲସ୍କୁଲରେ ପାଠ ପଢ଼ିଲେହେଁ ଛାଡ଼ି ନାହିଁ, କି ଛାଡ଼ିବ ନାହିଁ- ଏହା ତାର ପ୍ରତ୍ୟେକ ବ୍ୟବ‌ହାରରୁ ଜଣା ପଡ଼ୁଥିଲା ।

ସରୋଜ ପ୍ରଥମେ ଏହି କଥାଟା ଜାଣିପାରି ମଣି ପାଖକୁ ଆସି ପଚାରିଲା- "ଅଲଗା ଖାଇ ବସିବୁ କିଆଁ ? କିଏ ଅଛି କି ?"

ମଣି କିଛି ଉତ୍ତର କରି ନ ଥିଲା । ଏଣେ ସରୋଜର ହେତୁ ନ ଥିଲା- ବିନୋଦକୁ ମଣି ଏପର୍ଯ୍ୟନ୍ତ ଚିହ୍ନି ନାହିଁ ବୋଲି । ତେଣୁ ସେ ତାକୁ ତୁହାଇ ତୁହାଇ ପଚାରିଲା- "କହୁ ନା‌ଉଁ ?" ମଣି କଣ କ‌ହିବ ? ତେବେ କ‌ହିଲା ଏଥର- ନ କ‌ହିଲେ ଚଳିବ ନାହିଁ- ଧୀରେ ଧୀରେ କଣ ଭାବି ଠାରିଲା ସେ-

ବୁଦ୍ଧିମାନ ସରୋଜ ଏଥର ଜାଣିପାରିଲା- ଆଉ ଆର ଘରୁ ବିନୋଦକୁ ଡାକି ଆଣି କ‌ହିଲା- "କି ବିନୋଦ ବାବୁ ! ଆପଣଙ୍କର ଏ ଯାଏ ମଣିସ‌ହ ସାକ୍ଷାତ ପର୍ଯ୍ୟନ୍ତ ହୋଇ ନାହିଁ ? ବାଃ ବାଃ !"

ମଣିକୁ କ‌ହିଲା- ମଣି, ଏ ମୋର ସାଙ୍ଗ ପଢ଼ୁଆ- ବିନୋଦ । ଆମେ ଦିହେଁ ଆଜକୁ ପିଲାଦିନୁଁ ସାଙ୍ଗ‌ହୋଇ ପାଠ ପଢ଼ିଲୁଣି । ପ୍ରତି କ୍ଲାସରେ ସମାନ ଭାବରେ ପଢ଼ି ପଢ଼ି ଯାଉ ଅଛୁଁ । ଏ ଆମଘରକୁ ବ‌ହୁତ ଥର ଆସିଚି । ବାପା ଏକୁ ବଡ଼ଭଲ ପାଆନ୍ତି, ମୁଁ ଯାହା ସେ ତାହା- ତାଠି ତୋର ଲାଜ କଣ ?"

ବିନୋଦ ତୁନି ହୋଇ ରହିଥାଏ । ଯେପରି ସୁନା ପ୍ରତିମାଟି । ସେଦିନ କଷ୍ଟେ ମଷ୍ଟେ ଏକାଠି ଖାଇ ବସିଲା; ମାତ୍ର ମଣି ସେଦିନ ବିନୋଦ ସାଙ୍ଗରେ ମିଶିପାରିଲା ନାହିଁ । ଦୁଇ ଚାରିଦିନରେ ଆସ୍ତେ ଆସ୍ତେ ମିଳାମିଶା ହୋଇଗଲା ।

ପିଲାଯାକ ଏକାଠି ବସି ନାନା ଆଲୋଚନା କରନ୍ତି । ସୁଖରେ ଦିନ ଦିନ ହୋଇ ଛୁଟି କଟିବାକୁ ଲାଗିଲା । ଦିନେ ମଣି କେତେ ଗୁଡ଼ିଏ ମାଳତୀ ଫୁଲ ତାଙ୍କ ବଗିଚାରୁ ବଡ଼ କଷ୍ଟରେ ତୋଳି ଆଣି କେତେଗୁଡ଼ିଏ ମାଳ ତିଆରି କରିଥିଲା । ସେ ଘରେ ରହି ମିଛର ବସି ରହି ନ ଥାଏ । ଘର ଦୁଆରଟିକିଏ ଅସଫା ଦେଖିଲେ ସବୁ ସଫା କରେ- ପୁଣି ରୋଷେଇ ବାସ ଘର ରୀତିମତ ଦେଖେ । ପିଲା ଦିନରୁ କଷ୍ଟ ସ‌ହି ସ‌ହି ମଣି ଘର କାମ ବିଷୟରେ ବଡ଼ ପଟୁ ଥିଲା । ଏତେବଡ଼ ପରିବାରରେ ଧନି ଘରେ ରହି ସୁଦ୍ଧା ଏଠି ତାର ଟିକିଏ ଉପୁଡଙ୍ଗରିଆ ପଣ କେହି କେବେ ଦେଖି ନଥିଲା । ଦାସଦାସୀ ପୋଇଲୀ ପରିବାରୀ ତାକୁ ଏତେ ଭଲ ପାଉଥିଲେ ଯେ, ସମସ୍ତେ ତାକୁ ଦେଖିବାକୁ ସୁଦ୍ଧା ଭଲ ପାଉଥିଲେ ।

ମାଳତୀ ଫୁଲଗୁଡ଼ିକ ମାଳ ତିଆରି କରି କେତେଗୁଡ଼ିଏ ମହାପ୍ରଭୁଙ୍କୁ ଦେଇ ବାକି ଦୁଇଟି ମାଳ ସେ ସାଇତି ରଖିଦେଇ ଦିନେ ଭାଇମାନଙ୍କ ଅପେକ୍ଷାରେ ବସିଥିଲା । ସେ ଦିନ ସରୋଜ ଆଉ ବିନୋଦ ନଈବଢ଼ି ଦେଖି ଯାଇଥିଲେ । ଫେରିଲା ପରେ ମଣି ମାଳ ଦୁଇଟି

ବିନୋଦ ଆଉ ସରୋଜକୁ ଦେବାକୁ ଯାଇ ଦେଖିଲା- ବିନୋଦ ଗୋଟିଏ ଘରେ ଏକା ବସିଚି ସରୋଜ ନାହିଁ । ବିନୋଦ ଫୁଲମାଳଟି ଦେଖି ଅତୀବ ଆନନ୍ଦ ହୋଇ କ‌ହିଲା, "ବାଃ ! ଏ କଣ ତୋ' ହାତ‌ତିଆରି ମଣି ? ବଡ଼ ସୁନ୍ଦର ହୋଇଚି ।" ସରଳା, ନିଷ୍ପାପା, କୋମଳା ବାଳିକା ସେତିକି ଶୁଣିବାକୁ ପାଇ ତୃପ୍ତ ହୋଇଥିଲା, ମାତ୍ର ସରୋଜ ଯେତେବେଳେ ସେ ମାଳଟି ପାଇଥିଲା, ତାକୁ ଅବଜ୍ଞାରେ କେଉଁଠି ପକାଇ ଦେଇ କିଛି ନ କ‌ହି ଚାଲିଯାଇ ଥିଲା । ଏଥିରେ ବାଳିକା ମନରେ ଯେ କି କଷ୍ଟ ହୋଇଥିଲା, ତା' କ‌ହିଲେ ନସରେ ।

ଏଯାଏ ସରୋଜ ଏହି ମଣିର ଅଭିମାନ ଅଛି କି ନ ଅଛି ଆଦୌ ଜାଣି ନଥିଲା । ଏଥର ଜାଣିପାରି ବାଧ୍ୟ ହୋଇ ତାର ଅଭିମାନ ହୃଦୟକୁ ଶାନ୍ତ କରିବା ପାଇଁ ପାଖକୁ ଟାଣିନେଇ କ‌ହିଥିଲା, "ମଣି ! ମଣି ! କାନ୍ଦୁଚୁ ! ମୁଁ ଫୁଲ ନେଲି ନାହିଁ ବୋଲି କାନ୍ଦୁଚୁ ? ଛି, ଉଠୁ । ମୁଁ ପଛେ ନେବି ବୋଲି ପକେଇ ଦେଲିନା ? ତୁ ବାୟାଣୀଟା ନ ବୁଝି ଏତେ କାନ୍ଦିଲୁଣି ?"

ମଣି କଥା କିଛି କ‌ହିଲା ନାହିଁ- ସରୋଜ କାନ୍ଧରେ ବେକଟି ରଖି ମୁଣ୍ଡଟିକୁ ପଛପାଖକୁ ନୁଆଇଁ ଦେଲା । ସରୋଜ ସେଠୁ ଦେଖିଲା, ଏ ଅଭିମାନର ସୀମା ଶେଷ କରିଚି- ତେଣୁ ଥଟ୍ଟା କରି ତାକୁ ହସେଇବାକୁ ଚେଷ୍ଟା କଲା । ତାକୁ ଧଡ଼ପଡ଼ ହୋଇ ଉଠିବା ପାଇଁ "ଆରେ ଆରେ, ଗୋଟେ ଜନ୍ଦାଟେ ଦିହ ଭିତରକୁ ଗଲା ଏ-ଏ-ଉଠ ଉଠ, କାମୁଡ଼ି ଦେବ" ବୋଲି ଗୋଟାଏ ଚିତ୍‌କାର କଲା, ମାତ୍ର ମଣି ଉଠିଲା ନାହିଁ । ତାର ଦେହକୁ କେତେ ଥର ଚିମୁଟିଲା, ମାତ୍ର ପଛପାଖେ ଆସ୍ତେ ଆସ୍ତେ ଅଭିମାନିନୀର ଦରହସା ମୁହଁ ଫୁଟିଲା । ମୁଣ୍ଡ ଉଠାଇଲା ନାହିଁ । ତ‌ହୁ ସରୋଜ ମୁଣ୍ଡଟିକୁ ବୁଲେଇ ଆଣି ଯେତେବେଳେ ଗୋଟେ ଚୁମ୍ବନ ଦେଇ ଦେଲା, ଅଭିମାନ ସାଗର ତ‌ତ୍‌କ୍ଷଣାତ୍ ଶୁଖିଗଲା । ହସି ହସି ଉଠି ମଣି ମାଳଟିକୁ ପୁଣି ଭାଇ ହାତରେ ଦେଲା ।

ଏଥର ସରୋଜ ମାଳଟିକୁ ପାଇ ହସି ହସି କ‌ହିଲା- "ବିନୋଦ, ଆମର ଭଉଣୀ କି କାରିଗର ଦେଖନାଁ- ଏଟା କି ସୁନ୍ଦର ହୋଇଚି ।" ଆଉ ଆତ୍ମ‌ପ୍ରଶଂସା ଶୁଣିବାକୁ ଦାସିଆ ଅବସର ନ ଦେଇ ସମସ୍ତଙ୍କୁ ଆଡ଼େଇ ଆଡ଼େଇ ଖାଇବା ଘରକୁ ଘେନିଗଲା ।

+ + +

ଦିନଦିନ ହୋଇ ଏପରିଭାବରେ ସୁଖରେ ଛୁଟିତକ କଟିଗଲା । ଦାସିଆ ଆଖିରେ ଲୁହ ଧାରଦେଇ ତାକୁ ଏକୁଟିଆ ପକାଇ ଦେଇ ତିନୋଟି ଯାକ ଫୁଲକଢ଼ି ଯେଝା ସ୍କୁଲ କଲେଜକୁ ଚାଲିଗଲେ । ଶ୍ୟାମ‌ବାବୁଙ୍କର ପେନସନ କଥା ଆଜିପର୍ଯ୍ୟନ୍ତ କିଛି ଠିକ୍ ହୋଇ ନ ଥିଲା । ସେ ପୁଅକୁ ସୁବିଧାରେ ଚଳିବାପାଇଁ ମଣିକୁ ଯତ୍ନରେ ରଖିବାପାଇଁ ନାନା ଉପଦେଶ ବ୍ୟଞ୍ଜକ ଚିଠିପତ୍ର ଦେଉଥିଲେ ।

(୪)

ଦିନ ଦିନ ହୋଇ ବର୍ଷ ମାସ କି ସନରେ କଟିଯାଉଛି ତାହା ମାନବର ଅଗୋଚର । ହେଇ ଗଲା ଗଲା- ସେ ଡକା ପାଡ଼ିଚି ମାତ୍ର ତାର କଥା କେହି ଶୁଣିବାକୁ ନାହିଁ । କାଳର ଗତି ରୋଧିବାକୁ କାହାର ବଳ କଳନାହିଁ । ଚନ୍ଦ୍ରାଲୋକ‌କୁ ଯିବାକୁ- ମଙ୍ଗଳଗ୍ରହ ଆବିଷ୍କାର ପାଇଁ ବିଜ୍ଞାନ ପଥ କରି ପାରୁଚି, ମାତ୍ର ଏ ପଦାର୍ଥଟି ମନୁଷ୍ୟର ମନର ଅଗମ୍ୟ ଜଡ଼ ବିଜ୍ଞାନ ଏଥିରେ ପରାସ୍ତ, ମନସ୍ତ‌ତ୍ତ୍ୱ ଏଥିରେ ପରାଭୂତ ।

ଏହା ମଧ୍ୟରେ ଚାରିବର୍ଷ ସମୟ ଅକ୍ଳେଶରେ କଟିଯାଇଚି । ଏହି ସମୟ କାହାକୁ କିପରି ସୁଖ ଦେଇଚି ସେ ଜାଣିଥିବ- ମାତ୍ର ସରୋଜ ଆଉ ମଣିକୁ ଦୁଃଖସାଗରରେ ଭସାଇ ଦେଇ ଅଛି । ଆଜି ସରୋଜ ଏମ୍.ଏ.ବି.ଏଲ୍ ପାଶ କରିଅଛି । ମଣି ମାଟ୍ରିକୁଲେଶନ ପାଶ କରି ବାବା

ମଲା ଦିନୁଁ ପାଠପଢ଼ା ଛାଡ଼ି ଦେଇ ଅଛି । ତାର ଦଢ଼ାରେ ଆଉ ସୁଖ ନାହିଁ । ସେ ଆଜି ବାଳିକା ନୁହେଁ- ୧୫ ବର୍ଷର ଯୁବତୀ କନ୍ୟା ।

କେହି ଭାବି ନ ଥିଲା ଯେ, ଏତେ ଅଳ୍ପ ସମୟ ମଧ୍ୟରେ ଶ୍ୟାମବାବୁ ମରିଯିବେ । ଏତେବଡ଼ ସୁସ୍ଥସବଳ ଶରୀର, ଦୁଇଟା ମାସରେ ମାଟି ହୋଇଯିବ କିଏ ଜାଣେ ? ପେନସନ ପାଇଁ ଆପତ୍ତି କରି କରି ଥକିଲେ, ସରକାର ଏତେ ଶୀଘ୍ର ତାଙ୍କ ପରି ମାଜିଷ୍ଟ୍ରେଟକୁ କାମରୁ ବାହାର କରିବାକୁ ଅନିଚ୍ଛା ପ୍ରକାଶ କରି ତାଙ୍କୁ ଡିଷ୍ଟ୍ରିକ୍‌ଟ ମାଜିଷ୍ଟ୍ରେଟ କରି ସାରିବାର କେତେମାସ ପୂର୍ବରୁ ଗୟାକୁ ପରିବର୍ତ୍ତନ କଲା । ଗୟାରେ ପାଞ୍ଚ ଛଅ ମାସ ରହିବା ପରେ ତାଙ୍କର ସ୍ୱାସ୍ଥ୍ୟ ଭାଙ୍ଗି ପଡ଼ିଲା । ତେଣୁ ସେ ପେନସନ୍ ନ ମାଗି ଏକ‌କାଳୀନ କିଛିଟଙ୍କା ପାଇଁ ସରକାରରେ ଅଳିକଲେ । ଏଥର ମହାମାନ୍ୟ ସରକାରଙ୍କର ଦୃଷ୍ଟି ପଡ଼ିଲା । ତାଙ୍କୁ ସନ୍ତୁଷ୍ଟ ହୋଇ ସରକାର ବର୍ଷକୁ ଦେଉଥିବା ପୂରା ବେତନ ୧୮୦୦୦ ହିସାବରେ ୧୦ ବର୍ଷକୁ ୧୮୦୦୦୦ ଦେଇ କର୍ମରୁ ବିଦାୟ ଦେଲେ । ତାଙ୍କ ଭଳି ମାଜିଷ୍ଟ୍ରେଟ ସେତେବେଳେ କେହି ନ ଥିଲା କ‌ହିଲେ ଚଳେ । ତାଙ୍କ କର୍ମର ପୁରସ୍କାର ଏହା କିଛି ବେଶୀ ହୋଇ ନ ଥିଲା ।

ଘରକୁ ଆସି ଶ୍ୟାମ ବାବୁଙ୍କର ଅଳିସାର ହେଲା । ସରୋଜ ଏଥିରେ ହଜାର ହଜାର ଟଙ୍କା ବ୍ୟୟ କଲା, ମାତ୍ର କାହିଁରେ କିଛି ଫଳ ଫଳିଲା ନାହିଁ । ମଣି ପିତାଙ୍କର ମଇଳା ସଫା କରିବାକୁ ଦିନରାତି ସେବା କରିବାକୁ ତିଳେମାତ୍ର ଘୃଣା କଲା ନାହିଁ । ଦାସିଆ କଥା ତ ଛାଡ଼, ସେ ସମସ୍ତଙ୍କୁ ଖଟପଲଙ୍କରେ ବସାଇ ତାର ସାଆନ୍ତ ପାଖରେ ଅନୁକ୍ଷଣ ଜଗି ରହିଲା । ହାୟ, ଏତେ ସେବା ଶୁଶ୍ରୂଷା ରୋଗ ମାନିଲା ନାହିଁ । ଶ୍ୟାମ ବାବୁ ଆସ୍ତେ ଆସ୍ତେ ନିର୍ବଳ ହୋଇଗଲେ । ଦିନେ ସରୋଜକୁ ଡାକି କ‌ହିଲେ,

"ସର ! ମୋର ଆଉ ବେଶୀ ସମୟ ନାହିଁ- ନିକଟ । ଆଜିଯାଏ ମାଆ ମଲେ ସୁଦ୍ଧା ଗେଲବସର ହୋଇ ଥିଲୁ । ଲକ୍ଷ ଲକ୍ଷ ଟଙ୍କାର ବିରାଟ ସମ୍ପତ୍ତିର ଭାର ତୋରି ଉପରେ । ମୁଁ ଇଚ୍ଛା କରିଥିଲେ ସମସ୍ତ ଉଡ଼ାଇ ପାରିଥାନ୍ତି- ତେବେ ତୁ ମୋର ପ୍ରାଣର ପ୍ରାଣ ଅଛୁ । ଯାହାପାରିଛି ଢେର୍ ବ୍ୟୟ କରିଛି- ଅବଶ୍ୟ ଅସତ୍ ଭାବରେ ଛଦାମ ବ୍ୟୟ କରି ନାହିଁ- ତୋରି ପାଇଁ ଏହି ଜମି ବାଡ଼ି ଟଙ୍କା ପଇସା ସବୁ ରଖିଗଲି । ମାତ୍ର ମନେ ରଖିଥିବୁ, ମଣି ତୋର ପ୍ରାଣର ବାଳିକା, ଯେପରି ଚିରଦିନ ରହିବ । ତାକୁ ମହତ୍ ସୁପାତ୍ରରେ ଅର୍ପଣ କରିବୁ । ସେ କ୍ଷତ୍ରିୟ କୁମାରୀ । ତାକୁ ତୋର ସମ୍ପତ୍ତିରୁ କିଛି ଦେବୁ । ଜୀବିତ ଥିବା ଯାଏ ଦାସିଆ ଯେପରି ପରମ ସୁଖରେ କାଳ କାଟେ । ଆଉ ତୋ କଥା ନେଇ ମୋର କୌଣସି ଚିନ୍ତା ନାହିଁ । ତୋର ବୁଦ୍ଧି ଅଛି- ତୁ କବି- ଉଚ୍ଚ ଶିକ୍ଷିତ । ତୋର ବନ୍ଧୁ ବିନୋଦ ସେ ମଧ୍ୟ ପରମ ହିତକାରୀ । ତାର ସଂପଦ ବିପଦରେ ବନ୍ଧୁଭାବ ଯେପରି ରକ୍ଷା କରିବୁ । ମୋର ଜୀବନ‌କୁ ଯେତଦୂର ଅନୁଭବ କରିଛୁ, ବୁଝିଥିବୁ ମୁଁ କିପରି ଥିଲି । ମୋ ପରି ଯେ ହେବୁ- ତାର କିଛି କଥା ନାହିଁ- ତୁ ମୋ ଠାରୁ ଉନ୍ନତ ମହୀୟାନ୍ ତେଜସ୍ୱୀ ହେବୁ । ମନେ ରଖି ଥିବୁ, ଦେଶର ମଙ୍ଗଳ ପାଇଁ ଯଦି ଆବଶ୍ୟକ ହୁଏ, ତେବେ ପ୍ରାଣ ଦେବା ପାଇଁ କୁଣ୍ଠିତ ହେବୁ ନାହିଁ । ମଣିକୁ ତୋ ବେକରେ ବାନ୍ଧି ଦେଇ ଗଲି ।"

ସରୋଜ ଯେତେ ପାଠୁଆ ବୁଦ୍ଧିମାନ୍ ହେଲେ କଣ ହେବ- ସେ ଶୁଣୁ ଶୁଣୁ କାନ୍ଦି ପକେଇଲା । ଦୂର ଭବିଷ୍ୟତ ତାକୁ ଘୋର ଅନ୍ଧକାର ଦେଖାଗଲା । ହାୟ, ସେ ଏ ବିସ୍ତର ଧନ ମଧ୍ୟରେ ଏକାକୀ କିପରି ଚଳିବ ? ମଣି- ସେ ଯେ ପିଲା । ତାର ଅତି କୋମଳ ହୃଦୟ । ଏ ବିରାଟ ଗୃହ ତ ଶ୍ମଶାନ ହୋଇଯିବ । ପିତା ! ତମେ ଯାଅ‌ନାଁ, ସୁକୁମାର ପୁତ୍ରକୁ ଛାଡ଼ି

କେଉଁଠିକି ଯିବ ? ସରୋଜର ଚେତା ବୁଡ଼ି ଗଲା । ମାତ୍ର ମଣି ମୁଣ୍ଡରେ ପାଣି ମାରି ପୁଣି ଚେତା କଲା । ସରୋଜ ଆଖି ମେଲାଇ ଦେଖିଲା, ସେହି ଅପରୂପ କାନ୍ତିଟି, ଯାହାର ତୁଳନା ସେ ମଧ୍ୟ କେଉଁଠି ଥରେ ମାତ୍ର ଦେଖି ନାହିଁ । ନିଜକୁ ଧୈର୍ଯ୍ୟବାନ୍ କରି ଭାବିଲା- "ଏଇ ବାଳିକା- ସେ ମୋତେ ଆଶ୍ୱାସନା ଦେଉଛି, ମୁଁ ଏପରି ହୋଇ ଯାଉଚି ।" ମାତ୍ର କଣ ହେବ ସେ ତାର ବାପାଙ୍କ କଥା ଭାବିବା ମାତ୍ରେ କଣ ହୋଇ ଯାଉଥିଲା ।

ଚନ୍ଦ୍ରପକ୍ଷ ରାତି ସାତଟା ସମୟରେ ହଠାତ୍ ଟିକିଏ ମେଘ ଝୁପୁ ଝୁପୁ କରିଦେଲା । ଦାସିଆ ଅନୁଭବୀ, ତାର ପ୍ରାଣରେ ବଡ଼ ଆସିଲା । ଶ୍ୟାମବାବୁଙ୍କର ସଂଜ୍ଞା ଆସ୍ତେ ଲୋପ ହୋଇ ଆସିଲା । ସରୋଜ ଆଉ ମଣି ହାତକୁ କେଜାଣି କାହିଁକି ସେ ଏକାଠି ଚିପି ଧରି "ମଣି- ସରୋଜ- ସରୋଜ !" କ‌ହି ଆଖି ବୁଜିଦେଲେ । ସରୋଜ ଆଉ ମଣି ଦାସିଆର ଶିକ୍ଷା ଅନୁସାରେ ଟିକିଏ ଟିକିଏ ଗଙ୍ଗାପାଣି ପାଟିରେ ଦେଇ ଦେଲେ । ମୃତ ଘରେ ଚାକର ପୂଜାରି ବନ୍ଧୁ ବାନ୍ଧବ ହୋଇ କମ୍ ନ ଥିଲେ- ସମସ୍ତେ ହା ହା କରି ପଳାଇ ଗଲେ, କେବଳ ପାଦ ଧରି କାନ୍ଦିବାକୁ ରହିଲେ ତିନିଜଣ- ସେ ସରୋଜ- ମଣି- ଦାସିଆ ।

ଯେତେ କାନ୍ଦିଲେ କଣ ହେବ- ଆଉ ବାପା କେଉଁଠୁ ଆସିବେ ? କାନ୍ଦଣା ଭିତରେ ସାଇର ଠୁକାମିଶ୍ରଙ୍କ ପାଟି ଶୁଭିଲା । ସେ ବିପଦ ଆପଦରେ ବଡ଼ ଉପୁଆରିଲୋକ । ଯେମିତି ଦି' ପଇସା ପାଆନ୍ତି, ସେମିତି କାମ କରନ୍ତି । ଦୁଆର ମୁହଁରେ ଛିଡ଼ାହୋଇ ଗୋଟାଏ ଧମକ ଦେଲେ- ଅହହହ- ସରୋଜ- ସରୋଜ ଏମିତି ହେଲେ ଚଳିବ ? ଆସ ଉଠି ଆସ । କେତେବେଳ ହେଲାଣି । ମାଇକିନା ଭଳି ଗୁଡ଼ାଏ କାନ୍ଦୁଚ କଣ ? ଜନ୍ମ ହୋଇଲେ ନିଶ୍ଚେ ମରି, ତାକୁ କିଏ ଅଟକିବ ବାପା ? ଆସ ଭାରି !

ସରୋଜ ଏଥର ମଣିକୁ ସାଙ୍ଗରେ ଧରି ଅନ୍ୟ ଘରକୁ ଗଲା ? ଦାସିଆ ସାଇ ବ୍ରାହ୍ମଣଙ୍କ ଦ୍ୱାରା ସରୋଜକୁ ଗୋଟାଏ ମୁଣ୍ଡିଆ ମରାଇ କାମ ଠିକ କରି ନେଲା । ଯାଥାରୀତି ଶବସଂସ୍କାର ହେଲା । ସରୋଜ ପିତାଙ୍କ ମୁଖରେ ଅଗ୍ନି ଦେଇ ଗୃହକୁ ଫେରିଲା । ହଜାର ହଜାର ଟଙ୍କା ପାଣିକି ପକାଇଲା ପରି ଦେଇ ସରୋଜ ଯେପରି ଶୁଦ୍ଧଶ୍ରାଦ୍ଧ କଲା, ତାହା ଆଖିରେ ସେଠା ଲୋକ କେବେ ଦେଖି ନ ଥିଲେ ।

ସେ ଯାହାହେଉ, ବାର ବାସୀ ତେରଦିନ କାଙ୍ଗାଳି ଭୋଜନର ବ୍ୟବ‌ସ୍ଥା ହୋଇଥିଲା । ହଜାର ହଜାର କାଙ୍ଗାଳି ଜମା ହୋଇଥିଲେ । ସେମାନଙ୍କୁ ପ୍ରଥମେ ଖଣ୍ଡେ ଖଣ୍ଡେ ଖଦଡ଼ ଲୁଗା ଦିଆ ଯାଉଥିଲା । ଖଣ୍ଡିଏ ଲେଖାଏଁ ପାଇ ଯେଝା ସୁଖରେ ଅନେକେ ଚାଲିଯାଉଥିଲେ, ମାତ୍ର ଛିନ୍ନବସ୍ତ୍ର ପରିହିତ ବିକଳାଙ୍ଗ ପଳିତମୁଣ୍ଡ ପ୍ରାଣହୀନ ଅସ୍ଥ ଚର୍ମ‌ସାର ଗୋଟିଏ ବୃଦ୍ଧ ଖଣ୍ଡିଏ ନେଲେହେଁ ଏ ପାଖ ସେ ପାଖ ହେଉଥିଲା । ଆଗେ ନେଇ, ଲୁଗା ଖଣ୍ଡିକ ସେ ଛିଡ଼ା କନାବୁଜୁଳି ଭିତରେ ଯତ୍ନରେ ପୁରାଇ ପୁଣି ଆଉଥରେ ଯେତେବେଳେ ଆସି ମାଗିଲା, ସେତେବେଳେ ସେ ଧରା ପଡ଼ିଗଲା । ଏ ବିରାଟ କାମରେ ବିନୋଦ ଯଦି ଯୋଗ ଦେଇ ନ ଥାନ୍ତା, ତେବେ ସରୋଜର ବୃଥା ଅଜସ୍ର ଟଙ୍କା ବ୍ୟୟ ହୋଇଯାଇଥାନ୍ତା । ମାତ୍ର ଅର୍ଥନୀତିଜ୍ଞ ବିନୋଦର ଯତ୍ନରୁ କାମ ଅତି ସୁନ୍ଦର ଭାବରେ ଚଳିଥିଲା । ଆଜି ଲୁଗା ଦେଉଛି ବିନୋଦ । ଏପରି କିଏ ଚଲାକ ତାର ଆଖି ଆଗରେ ଜଣେ ଦୁଇଥର ନେଇଯିବ ? ମିଛରେ ଏତେ ବର୍ଷ ସେ ଅର୍ଥନୀତି ଅଧ୍ୟୟନ କରିଚି । ଲୋକଟାକୁ ଧରି ଦେଇ ତାକୁ ବାହାର କରି ଦେବାକୁ ବିନୋଦ କ‌ହି ଦେଇଛି- ଏହି ସମୟରେ ହଠାତ୍ ଧୀର ପଦକ୍ଷେପରେ ଜେମାମଣି ପ‌ହଞ୍ଚିଯାଇ କ‌ହିଲା- "ଭାଇ ! ଭାଇ ! ଦିଅ ଦିଅ- ଆଉଖଣ୍ଡେ ତାକୁ ଦିଅ ।"

ବିନୋଦ ହସିଦେଇ କ‌ହିଲା, "ବାଃ, ବଡ଼ କପାଳିଅ- ବୁଢ଼ା ନେରେ- ନେ-" ଏହାକ‌ହି ଆଉଖଣ୍ଡେ ଦେଇ ଦେଲା- ବୁଢ଼ା ଆଖିରୁ ଲୋତକଧାର ବ‌ହିଗଲା । ଲୁଗାଖଣ୍ଡି ପାଇ ଆନନ୍ଦରେ ଚାଲି ଯାଉଥିଲା । ମାତ୍ର ମଣିର ଆଦେଶ ଅନୁସାରେ ଗୋଟାଏ ଲୋକ ସେହି ବୁଢ଼ାଟିକୁ ଆଣି ତଳେ ବାରଣ୍ଡାରେ ବସାଇ କ‌ହିଲା- "ବୁଢ଼ା ! ତୁ ଏଠି ବସିଥା । ତୋତେ ମଣି ସାଆନ୍ତାଣୀ ଅନେକ କଥା ଦେବେ । ବୁଢ଼ା ସେ ଆଖି ଦୁଇଟିକୁ ଭାବିଲା- ମାତ୍ର କିଛି ଠିକ୍ କରିପାରିଲା ନାହିଁ ।

ମଣି ଲୁଗାବଣ୍ଟା ବେଳେ ସମସ୍ତ ରହସ୍ୟ ଦେଖୁ ଥିଲା । ଆହା, ଦୁଃଖ ମଣିଷକୁ କଣ ନ କରେ ? ସେ ଯେତେବେଳେ ଗଭୀର ଦୁଃଖ ମଧ୍ୟରେ ଥିଲା, ତାର ଅବସ୍ଥା କଣ ଥିଲା । ଏପରି ଭାବୁଚି, ଯେଉଁ ବୁଢ଼ାକୁ ସେ ଲୁଗା ଦୁଇଥର ମାଗିବାର ଦେଖିଲା, ତାକୁ ସ୍ପଷ୍ଟ ଚିହ୍ନିପାରିଲା । ସେ ତାଙ୍କ ଗାଁର ପ୍ରଧାନ ଛଡ଼ା ଆଉ କେହି ନୁହେଁ । ସେଥିପାଇଁ ତାଠୁ ତାର ଦୁଃଖକାହାଣୀ ଶୁଣିବ ବୋଲି ତାକୁ ରଖାଇଲା ।

ମଣି ପଚାରିଲା- "ଆଛା, ବୁଢ଼ା, ତମର କଣ କେହି ନାହିଁ ?
"ନା, ମା, ଆଉ କେହି ନାହିଁ,- ମୁଁ ଏକା ।"
"ଏପରି ଦଶା କିପରି ଘଟିଲା ବୁଢ଼ା !"

"ମା, କଣ କ‌ହିବି ସେ କଥା ! ସେ ମୋର ନିଜ ଅର୍ଜିଲା ଫଳ । ଯେପରି ମଞ୍ଜି ଯେ ପୋତିବ, ସେ ତ ସେପରି ଫଳ ପାଇବ । ଆଉ ଭଲ ଲୋଡ଼ିଲେ କାହୁଁ ପାଇବ ? ଚୋରିବାସିଦିନ ଘରପୋଡ଼ି ସିନା କଥାରେ କ‌ହନ୍ତି, ମାତ୍ର ମୋ ଜୀବନରେ ମୋରି ପାପରୁ ତାହା ଘଟିଲା । ସେ ୮୦ ବର୍ଷର ବୃଦ୍ଧା ୧୦ ବର୍ଷର ପିଲା, ତାଙ୍କର ନିଶ୍ୱାସ କୁଆଡ଼େ ଯିବ ?

"ଆଛା, ତମେ ଭଲକରି କଣ କଥାଟା କ‌ହ ?"

କଣ କଥା କ‌ହିବି ମା, ହୃଦ ପୋଡ଼ି ଯାଉଚି- ମୋ ଘରୁ ଟଙ୍କା ଆସି ପୁଅ ଚୋରି କରି ନେଲା- ମୁଁ ବନ୍ଧେଇଲି ନେଇ ଦୁଃଖିନୀ ବଡ଼ ଲୋକର ୮୦ ବର୍ଷର ବୁଢ଼ୀ ଆଉ ୧୦ ବର୍ଷର ବାଳିକାକୁ । ଶେଷରେ ମୋର ଜେଲ ହେଲା । ସେପରି ଧାର୍ମିକ ହାକିମ ଥିଲେ ବୋଲି ନିରପରାଧିନୀ ରକ୍ଷା ପାଇଲା, ନ‌ଚେତ୍ ଏ ପାପୀର ଦୋଷ କଟି ନ ଥାନ୍ତା । ଦୁଇବର୍ଷ ପରେ ଜେଲରୁ ମୁକୁଳି ଦେଖିଲି ଯେ, ଘର ଦୁଆର ଜମି ବାଡ଼ି ସବୁ ପୁଅ ମୃର୍ତ୍ତି ବିକିରି କରିଦେଇ କୁଆଡ଼େ ଯାଇଚନ୍ତି । ଶୁଣିଲି ଯେବା ଥିଲେ ସେମାନେ ହଇଜାରେ ସର୍ବନାଶ ହୋଇଚନ୍ତି । ମୋ ଘରୁ ଯେ କେବଳ ମରିଚନ୍ତି ତା ମଧ୍ୟ ନୁହେଁ, ଗାଁ ଗୋଟିକ ପଦ ହୋଇ ଯାଇଚି, ଯେମିତି ପାପ ସେମିତି ଶାସ୍ତି । ମା, ଆଉ କଣ କ‌ହିବି ? ତା ପରେ ନାନା ଉପାୟ ଖୋଜିଲି- ଗଣ୍ଡେ ଖାଇ ଚଳିବାକୁ । ମାତ୍ର କେତେଦିନ ପରେ ଗୋଡ଼ରେ ବାତ ଦେଖାଗଲା । ଆସି ନିରାଶ୍ରୟ ଭାବରେ ଡାକ୍ତରଖାନାରେ ପଡ଼ିଲି । ଟିକିଏ ଭଲ ହୋଇତ ସେଦିନୁଁ ଭିକ୍ଷା କରି ବୁଲୁଚି, ଆଉ କଣ କ‌‌ହିବି ମା, ମୋର ଏଥିପାଇଁ ଦୁଃଖ ନାହିଁ ।

ମଣିର କଳା ଡୋଳାରୁ ଲୁହ ବୋହି ଗଲା । ନାରୀ ହୃଦୟ ଯେତେ ଶତ୍ରୁ ହେଉ, ଯାହାହେଉ, ସେ କେବେ ସ‌ହି ପାରିବ ନାହିଁ ।

ଅଶ୍ରୁମଖା ମୁଖରେ ବୁଢ଼ାକୁ କ‌ହିଲା, "ଆହା ତମେ ସେଇ ଆମରି ପଧାନ, ଏଡ଼େ ବଡ଼ ଧନୀ ଥିଲ, ଏପରି ଅବସ୍ଥାରେ ଅଛ ? ମୋତେ ଚିହ୍ନି ପାରୁ ନାହଁ ? ମୁଁ ପରା ତମର ଗୋବର ଗୋଟେଇ- ।

ବୁଢ଼ାକୁ ସପନ ପରି ମନେ ହେଲା । ସେ ଚମକିଲା ନାହିଁ, କାରଣ ସ‌ହି ସ‌ହି ଶୁଣି ଶୁଣି ଦେଖି ଦେଖି ସେ ପଥର ହୋଇ ଯାଇ ଥିଲା । ସେଥିପାଇଁ ସୁଖ କଣ ଦୁଃଖ କଣ କାହିଁରେ ସେ ଚମକୁ ନ ଥିଲା । ପ୍ରଥମେ ବାଳିକାକୁ ଅନାଇଁ ଦେଖିଲା । କେବଳ ସେହି ସୁନ୍ଦର ନାକଟି

ଆଉ ଆଖି ଦୁଇଟି ଛଡ଼ା ସେ ମଣି ସ‌ହିତ କେତେ ମିଶାଇଲା, ମାତ୍ର ମିଶାଇ ପାରିଲା ନାହିଁ । ସେହି ଗୋବରଗୋଟେଇ ମଣି ସ୍ୱର୍ଗର ଅପ୍‌ସରୀ, ତାକୁ ଅସମ୍ଭବ ମନେ ହେଲା । ତା ମୁଣ୍ଡ ତଳକୁ ନଇଁଗଲା । ଦେଖିଲା, ଦେହରେ ଗ‌ହଣାର ସତ୍ତା ନାହିଁ- ହାତରେ ଚୁଡ଼ି ଦିଦିପଟ, କାନରେ ଗୋଟିଏ ଅତି ସୁନ୍ଦର କାଚ ବସା ଫୁଲ, ବେକରେ ଗୋଟିଏ ବ‌ହୁମୂଲ୍ୟ ହାର । ବାଳ ଗୁଡ଼ିକ ତରଙ୍ଗାୟିତ । ତାହା ଫାଟି ଯାଇଚି, ଗୋଟିଏ ବାଇଗଣି ରଙ୍ଗର ଶାଢ଼ୀ, ତାର ଧଡ଼ିରେ ସବୁ ସୁନାର ଫୁଲ ଫୁଟିଛି, ମୁଣ୍ଡରେ ଫୁଲରେ ତିଆରି ପରି କଣ ଗୋଟିଏ ଦ୍ୱିତୀୟା ଚନ୍ଦ୍ର ଭଳି ଗ‌ହଣା, ଦେହରେ ସେ ଇସ୍କୁଲିଆ ପିଲାଙ୍କ ପରି କଣ ଗୋଟିଏ ପିନ୍ଧିଛି । ସେ ଚେପଟା ଶୁଖିଲା ଗାଲ ଆଜି ନାହିଁ, ସେ କଙ୍କିପରି ଦେହ ଆଜି ନାହିଁ; ଆଜି ସେ ସୁନ୍ଦର ରାଇଜର ରାଣୀ । କେତେ ବଡ଼ଲୋକ ଦୁଆରେ ସେ ଭିକ ମାଗିଚି, ସେ କତେ ଝିଅ ଦେଖିଚି, ମାତ୍ର ଏପରି ଆଖି ସାଙ୍ଗକୁ ଦିହ, ଦିହ ସାଙ୍ଗକୁ ମୁଣ୍ଡ ପୁଣି ବାଳ ସବୁ ଅଂଶ ସମାନ ସୁନ୍ଦର କରି ପିଲା ସେ କେଉଁଠି ଦେଖି ନାହିଁ । ଓଡ଼ିଆ ମାଈ-ପଶ୍ଚିମା ଗାଈ, ବଙ୍ଗାଳି କେଶ-ତେଲଙ୍ଗା ବେଶ, କଥାଟା ସତ । ପୁଣି ଦୟାର ଜୀବନ୍ତ ବିଗ୍ରହ ଏପରି କେଉଁଠି ତା ଭାଗ୍ୟକୁ ଯୁଟି ନ ଥିଲା ।

"ମା ମା, ତୁ ସତେ ଜେମାମଣି ! କ୍ଷମାକର ମା, ଏ ବୃଦ୍ଧ ତୋତେ କେତେ ଦଣ୍ଡ ଦେଇଚି- କେତେ ହଟ‌ହଟାରେ ପକାଇଚି; ଆଜି ତାର ଏ ଦୁର୍ଦ୍ଦଶା ଦେଖି ଭୁଲିଯା । ତାକୁ କ୍ଷମା ଦେ- ନ‌ଚେତ୍ ସେ ପୁଣି ପର ଜନ୍ମରେ ଗଭୀର ଦୁଃଖ ଭୋଗ କରିବ ।" ବୁଢ଼ା କ‌ହୁ କ‌ହୁ ରଡ଼ି ଛାଡ଼ିଲା । ମଣି ବୁଢ଼ାକୁ ତୋଳିଧରି ବ‌ହୁତ ଆଶ୍ୱାସନା ଦେଲା । ଆଉ ଭାଇଙ୍କୁ କ‌ହି ତାକୁ ଖଣ୍ଡିଏ ବସା ଦେଇ ଜୀବ ଥିବାଯାଏ ଖାଇବା ପିଇବାକୁ ଦେଇ ରଖିଲା । ବୁଢ଼ା ବେଶୀଦିନ ବଞ୍ଚିଲା ନାହିଁ । ପ୍ରାୟ ୪/୬ ମାସ ପରେ ସଂସାର ଛାଡ଼ିଲା । ମଣି ତାପାଇଁ ଅଜସ୍ର ଟଙ୍କା ବ୍ୟୟ କରି ତାର

ମୁକ୍ତିପଥ ପ୍ରସ୍ତୁତ କରି ଦେଲା । ଅର୍ଥଲୋଭୀ ହରିଚନ୍ଦନା ବ୍ରାହ୍ମଣ‌ଗଣ ଚାରି ପଇସା ଠେଇଁ ଦିଅଣା ପାଇ ସୁଖୀ ହେଲେ ।

ପିତାଙ୍କର ଶୁଦ୍ଧିଶ୍ରାଦ୍ଧ ସରିଗଲା ପରେ ବନ୍ଧୁ ବାନ୍ଧବ ଯେ ଯୁଆଡ଼େ ଗଲେ, ବାକି ରହିଲେ ମଣି, ସରୋଜ, ଦାସିଆ ଆଉ ଅସ୍ଥାୟୀ ଚାକରାଣୀ ଓ ପୂଜାରୀ । ଏତେ ବଡ଼ ଘରଟା ତାଙ୍କୁ ମାଡ଼ି ମାଡ଼ି ପଡ଼ିଲା । ବାବା ନଥିଲା ବେଳେ ସେମାନେ ଏପରି ଭାବରେ ରହୁ ଥିଲେହେଁ ଆଜି କେଜାଣି କାହିଁକି ତାଙ୍କୁ ରହିବାକୁ ଭୟ ଲାଗିଲା ।

ଯଥା ତ‌ଥା ଭାବରେ ମାସେ ଦି ମାସେ ସେ ତା ମୁହଁକୁ ଚାହିଁ, ଏ ୟା ମୁହଁକୁ ଚାହିଁ ଦିନ କଟାଇଲେ । ମାତ୍ର ମହାକାଳ ବିପଦ, ମଣି ସରୋଜର ଶିରୀ ସ‌ହି ପାରିଲା ନାହିଁ । ଯୋଉ ବୁଢ଼ା ନିମକସଚ୍ଚା ଚାକରଟି ଯୋଗେ ସେମାନେ ସୁଖରେ ଅଚିନ୍ତାରେ କାଳ କଟାଉ ଥିଲେ, ଦିନେ ସେ ତା ସାଆନ୍ତଙ୍କୁ ଚିନ୍ତା କରି କରି ଆଖି ବୁଜି ଦେଲା । ଏପରି ଠକ ମକ ହୋଇ ଦାସିଆ ମରିଯିବ କିଏ ଜାଣିଚି ? ସରୋଜ ଏଥର ଚିନ୍ତାରେ ସଢ଼ିଗଲା । କଣ କରିବ କିଛି ଉପାୟ ପାଇଲା ନାହିଁ ।

ଏହି ସମୟରେ ତାର ବିବାହ ପାଇଁ କେତେ ଆଡ଼ୁ କେତେ ଲୋକ ନିଜ ନିଜ କନ୍ୟାମାନଙ୍କର ଗୁଣଗ୍ରାମ ନେଇ ତା ନିକଟରେ ହାଜର ହେବାକୁ ଲାଗିଲେ । ମାତ୍ର କେଜାଣି କାହିଁକି ତାର ସ୍ୱୀକୃତି କେହି ଜଣେ ମାତ୍ର ପାଇଲେ ନାହିଁ । ୧୦ ଲକ୍ଷ ଟଙ୍କା ସମ୍ପତ୍ତିର ମାଲିକ ଏଣେ ସୁଦର୍ଶନ ସୁଠାମ ସୁନ୍ଦର ଏପରି ବୁଦ୍ଧିମାନ୍ ଶିକ୍ଷିତ ଯେ, ତାର ସମକକ୍ଷ ଜଣେ ମାତ୍ର ପିଲା ଦେଖିବାକୁ ବିରଳ । ଏପରି ମହତ୍ ବାଳକକୁ କନ୍ୟା ଦେବାକୁ କିଏ ଇଚ୍ଛା ନ କରିବ ? ବିଶେଷରେ 'ଧନେନ ସର୍ବେ ବଶାଃ ।'

ମଣିକୁ ସଦ୍‌ବଂଶରେ ସତ୍‌ପାତ୍ରରେ ବିବାହ ନ ଦେଲେ ସେ କେବେ ବିବାହ କରିବା ନାହିଁ- ତାର ଏହି ପ୍ରତିଜ୍ଞା । ବାପା ମୃତ୍ୟୁପୂର୍ବରୁ ତାହାକୁ ଯେଉଁ ଆଦେଶ ଦେଇଅଛନ୍ତି, ସେ ତାହା ବର୍ଣ୍ଣେ ବର୍ଣ୍ଣେ ପାଳନ କରିବ । ସେଥିପାଇଁ କେତେ ଲୋକ ଆସନ୍ତି-କେତେ ଲୋକ ଯାଆନ୍ତି; ମାତ୍ର ସେ କାହାର କଥା ପଦେସୁଦ୍ଧା କାନ ଡେରି ଶୁଣେ ନାହିଁ । ଏଣେ ଚତୁର୍ଦ୍ଦିଗରେ ଆଖି ବୁଲାଉ ଥାଏ ।

ଏହି ମୁନିମାନସବିମୋହିନୀ ମେନ‌କା ପାଇଁ ବର କେଉଁଠି ? ଆଜି ତାଙ୍କ ରାଜ୍ୟର କ୍ଷତ୍ରିୟ ସମାଜରେ ସେପରି ଗୁଣବନ୍ତ କିଏ ? ଚତୁର୍ଦ୍ଦିଗ ଘେରିଲା । ଯଦି ସଦ୍‌ବଂଶ ମିଳିଲା, ତେବେ ଶିକ୍ଷା ବର୍ଣ୍ଣ ନାସ୍ତି ଦେଖିଲା, ଯଦି ଅଳ୍ପଶିକ୍ଷା ଦେଖିଲା ତେବେ ସେ ତିମିରବିଳାସୀ ବୋଲି ମନେହେଲା । ଆଜିକାଲି ତ କ୍ଷତ୍ରିୟ ସମାଜର ସେ ତେଜ ଗୌରବ ନାହିଁ, ଅଛି ସାମନ୍ତ- ନାମଧାରୀ ଶୀର୍ଣ୍ଣ ଦେହ-ଆପୁ, ଗଞ୍ଜେଇ ନିଶା- ବ୍ୟଭିଚାରରେ-ସର୍ବନାଶ । ଶିକ୍ଷା ନାହିଁ- ଦୀକ୍ଷା ନାହିଁ-ଅଛି ଅଭିମାନର ତୁଙ୍ଗହିମାଳୟ । ରାଜପ୍ରଦତ୍ତ ସୁବୃହତ୍ ଲାଖରାଜ ଖଣ୍ଡିମାନ ବିକି ବିକି ସର୍ବନାଶ ହେଲେଣି, ମୁଣ୍ଡର କୁଞ୍ଚିତ ପିରେଇଟିପାଇଁ ଅଧଲଟାକର ରାଶିତେଲ ମିଳୁ ନାହିଁ । ତେବେ ମଧ୍ୟ ସେତକ ସାଆନ୍ତମାନେ ବଞ୍ଚାଇ ରଖିଛନ୍ତି- ପାଣି ମୁଣ୍ଡରେ ମାଖି ତିନିବେଳ ପିରେଇଟିମାନ ସଜାଡ଼ୁଚନ୍ତି- ଦାଣ୍ଡରେ କିଏ କାଳେ ଅପସନ୍ଦ କରିଦେବ ? ପାଚଲା ଗାମୁଛାଟି ପାନବଟାଟି ଘରେ ଖାଇବାକୁ ନ ଥିଲେହେଁ ଧରିବାକୁ ଭୁଲିନାହାନ୍ତି । ନିଶ ଦୁଇଟାକୁ ଯେତେ କାଟ ଛାଟ କଲେ କଣ ହେବ- ତାହା ଶୁଷ୍କ ମୁଖରେ ବିଲେଇ ନିଶଭଳି କଦର୍ଯ୍ୟ ଦେଖା ଯାଉଅଛି । ହାୟ, ଦିନେ ଏହି ଜାତି ବୀରତ୍ୱର ପୁଲକମୟ ପ୍ରକମ୍ପରେ ଗ‌ଗନ ପବନ ପ୍ରତିଧ୍ୱନିତ କରୁଥିଲେ- ଦିନେ ଏମାନଙ୍କର ଶକ୍ତି ବଳରେ ରାଜାର ଶ୍ରୀସମ୍ପଦ କୁବେରଭଣ୍ଡାରପରି ରହିଥିଲା- ଆଜି ଏମାନେ ଭୀରୁ-କାପୁରୁଷ-ହୀନ-ବର୍ବର; ଘରେ ଖାଇବାକୁ ନାହିଁ-

ତିନିସିଆଁ ଲୁଗାଖଣ୍ଡିକ ଚିକୁଣ ଚାକଣକରି ତା ଉପରେ ଛିଡ଼ା ପଞ୍ଜାବିଖଣ୍ଡି ଗଳାଇ ସାମନ୍ତ ସୌଜନ୍ୟ ରକ୍ଷା କରିଚନ୍ତି । ଏ ଭଦ୍ରତା ରକ୍ଷାରେ ସେ ସାମନ୍ତ ବୋଲି ପରିଚୟ ପାଇବେ ନାହିଁ- ଯଦି ତାଙ୍କଠି ଅଦମ୍ୟ ଶକ୍ତିର ତରଙ୍ଗ ଥାନ୍ତା- ତୀବ୍ର ସାହାସ ଥାନ୍ତା- ବଳବାନ୍ ଥାଆନ୍ତି ତେବେ ଏ ବେଶ କୌଣସି ଆବଶ୍ୟକରେ ଆସନ୍ତା ନାହିଁ । ବିଳାସ‌ହିଁ ତୁମ ମୃତ୍ୟୁର ପ୍ରଧାନ ସ‌ହଚର ।

ସରୋଜ ସାରାରାଜ୍ୟ ବୁଲିଲା, ଜଣେ ସେପରି ସାମସ୍ତ ଶ୍ରେଣୀରେ ସୁପାତ୍ର ପାଇଲା ନାହିଁ । ତେବେ ସେଥିପାଇଁ ଚେଷ୍ଟାରୁ ବିରତ ହେଲା ନାହିଁ । ତାର ଅଦମ୍ୟ ଚକ୍ଷୁ ଚତୁର୍ଦ୍ଦିଗକୁ ଥିଲା । ସୁପାତ୍ର ମିଳିଲେ ସେ ତାର ସୁବର୍ଣ୍ଣ ପ୍ରତିମାକୁ ସେପରି ଗୋଟାଏ ମଦ୍ୟପୀ ଗୋଲିଆ ହାତରେ ଦେଇ ପାରିବ ନାହିଁ । ଯାଉ ସେ ଜାତିର ବନ୍ଧନ, ନାନା ସମୟରେ ସେ ହୃଦୟରେ ନାନା ବିଷୟ ଚିନ୍ତାକରେ । ଜାତିର ବନ୍ଧନ‌କୁ ଛିଣ୍ଡାଇ ଦେବାପାଇଁ ତାର ପିଲାଦିନୁଁ ଇଚ୍ଛା । ସେଥିପାଇଁ ସେ କେତେ ପ୍ରବନ୍ଧ ଲେଖିଛି- କେତେ ଡିରେଟିଙ୍ଗ୍ କ୍ଲବ୍‌ରେ ବକ୍ତୃତା ଦେଇଛି । ଆଜି ନିଜେ ପରୀକ୍ଷା ଦେବ । କଥାରେ କୌଣସି କାର୍ଯ୍ୟ ହୁଏ ନାହିଁ । କାର୍ଯ୍ୟ ହିଁ ଆବଶ୍ୟକ । କବିଙ୍କ ଲେଖାରେ- "ନାହିଁ କର୍ମ‌ବୀର ଜଣେ ବାକ୍ୟବୀର ସକଳେ" । ସରୋଜ ଭାବିଲା ସେ କଣ ବାକ୍ୟବୀର ହେବ ? କଲେଜରେ ଇସ୍କୁଲରେ ପଢ଼ିଲାବେଳେ ତାକୁ ପରା ସାଥୀ ପିଲାଏ କ‌ହନ୍ତି- "ହଁ, ଏ ବଡ଼ଲୋକର ପୁଅ ବୋଲି ବାଟୁଳି ବାଜୁ ନାହିଁ, କଥା କ‌ହୁଛୁ; ମାତ୍ର କାମରେ ଦେଖିବା ନାହିଁ ? ଆରେ ବାପା- ଜାତି ଧର୍ମ କଥା ଛାଡ଼- ଏପରି ଦିନ ତ ତୋର ଆସିବ ଯେ, ଆମେ ଯଦି ଭିକାରୀ ହୋଇ ତୋ ଦୁଆରେ ହାଜର ହେଉ, ତେବେ ତୁ ମାଡ଼ ମାରି ତଡ଼ିଦେବୁ । ଘରୁ ଠାକୁରାଣୀ ଯାହା କ‌ହିବେ, ତୋର ଚାରା ନ ଥିବ ।"

ସେ ତାହା ଶୁଣି ହସୁଥିଲା । ନାଁ, ତାହାର ସରଳ ଜୀବନରେ ସେ ଏପରି ବ୍ୟବ‌ହାର କରିପାରିବ ନାହିଁ । ସେ କେଉଁ ବାପର ପୁଅ ? ତାର ଗର୍ବ ଆସିଲା । ପିତାଙ୍କର ଗୌରବ ରକ୍ଷା କରିବାପାଇଁ ସେ ପ୍ରାଣ ପର୍ଯ୍ୟନ୍ତ ବଳିଦେବ ଇଚ୍ଛା କଲା ।

ସରୋଜ ଆଜି ପିତାଙ୍କର କୁପୁତ୍ର ନୁହେଁ । ପିତାଙ୍କପରି ସେ ତ ବିସ୍ତର ଦାନ କରିଚି ଏବଂ ମଧ୍ୟ କରୁଚି । ତାର ପିତାଙ୍କ ନାମରେ ସ୍କୁଲ-ମାତାଙ୍କ ନାମରେ ସ୍କୁଲ, ଏ ସବୁ ତ ତାରି କୀର୍ତ୍ତି । ଆଗେ ତ ଏଠାରେ ଉଚ୍ଚ ଶିକ୍ଷାର କୌଣସି ସୁବିଧା ନ ଥିଲା । ପୁଣି ତ ବିସ୍ତର ଟଙ୍କା ଦେଇ ଦୁଃଖୀ ରଙ୍କୀଙ୍କ ପାଇଁ ଧର୍ମମନ୍ଦିର କରିଦେଇଚି । ସେମାନେ ରୀତିମତ ଖାଇବେ- କାମ କରିବେ । ଆଉ କଣ କରନ୍ତା ? ମଣିର ମାଆପାଇଁ ତ ପ୍ରତିବର୍ଷ ଖରାଦିନେ ସେବାଛତ୍ର ଦେଉଚି । ଦାସିଆ ତାର ଏତେଗୁଡ଼ାଏ ଟଙ୍କା ଦେଇଯାଇଥିଲା, ତାହା ନାମରେ ତ ଗୋଟିଏ ପାନ୍ଥ ନିବାସ କରିଦେଇଚି- ଆଉ କଣ କରନ୍ତା ? ତାର ସାଙ୍ଗସାଥୀମାନଙ୍କୁ ତ ସେ କେବେ ଅବ‌ହେଳା କରି ନାହିଁ, ବରଂ ଯେ ତାର ଦ୍ୱାରକୁ ଆସିଚନ୍ତି ତାଙ୍କୁ ବିସ୍ତର ଧନ ପଦାର୍ଥ ଦେଇ ମହାନନ୍ଦରେ ବିଦାୟ ଦେଇଚି ।

ତାର ସମସ୍ତରେ ସୁଖ- ମାତ୍ର ଗୋଟିଏ କଥାରେ ତାର ଦୁଃଖ । ସେ ମଣିପାଇଁ କିଛି କରି ନାହିଁ ।

* * * *

ଆଜି ମଣି ସରୋଜ ମଧ୍ୟରେ ସେ ପିଲାଖେଳ ନାହିଁ- ସେ ଅଭିମାନ ଆଡ଼ରୁଷା ନାହିଁ । ଅଛି-ଦିବ୍ୟ ସ୍ନେହ ଏବଂ ପବିତ୍ର ସମ୍ବନ୍ଧ । ସରୋଜ ପିତାଙ୍କର ସତ୍‌ପାତ୍ର କଥା ଶୁଣି ଭଉଣୀପାଇଁ ସାରା ରାଜ୍ୟ ଖୋଜୁଚି ସତ୍‌ପାତ୍ର-ମାତ୍ର ମଣିର ସେ ଭାବ ନାହିଁ । ବାବା ଯେ ମୃତ୍ୟୁ

ପୂର୍ବେ ସେହି ହାତଟିକି ଆଣି ଏହି ଅଭାଗୀ ହାତରେ ଯୋଡ଼ିଦେଲେ, ତାହାର ଅର୍ଥ କଣ ? ମଣି ସବୁ ବୁଝିଛି- ମାତ୍ର ସରୋଜ କିଛି ବୁଝି ନାହିଁ ।

ମଣି ଦିନ ଯାକ ଏପାଖ ସେ ପାଖ ହେଉଥାଏ । ସରୋଜ ଦଣ୍ଡେ ଘରେ ନ ଥିଲେ ତାର ପ୍ରାଣ ହୁହୁ କରେ । ତାର ଆକର୍ଣ୍ଣ ବିସ୍ତାର ଚକ୍ଷୁ ଦିଓଟି ଛଳ ଛଳ ହୁଏ । ମାତ୍ର ସରୋଜକୁ ଦେଖି ଦେବା କ୍ଷଣେ ତାର ମନ କେଜାଣି କାହିଁକି କି ଅଜଣା ପୁଲକରେ ପୁଲକିତ ହୁଏ, ସେ ବିଭୋର ହୋଇଯାଏ । ଆଜିକାଲି ସେ କବିତା ଲେଖେ, ମାତ୍ର କବିତାର ଛାନ୍ଦ ଧାରା-ଗତି ଭାବ ସେହି ଗୋଟିଏ ପଦାର୍ଥକୁ ଢଳି ପଡ଼େ । ମନହୁଏ ସେ କବିତାକୁ ସେ ସରୋଜକୁ ଦିଅନ୍ତା, ମାତ୍ର ପୁଣି କଣ ମନ ହୁଏ ଦେଇପାରେ ନାହିଁ ।

ଗୋଟିଏ ରୂପ ଚିନ୍ତା ଛଡ଼ା-ଗୋଟିକ ବିଷୟରେ ଭାବିବା ଛଡ଼ା-ଗୋଟିକୁ ଚାହିଁ ତୃପ୍ତି ହେବା ଛଡ଼ା-ଗୋଟିକର କଥା ଶୁଣିବା ଛଡ଼ା-ଗୋଟିକର ପରଶ ପାଇବା ଛଡ଼ା ସେ କେବେ ଅନ୍ୟ କୌଣସି ଚିନ୍ତା ହୃଦୟରେ ସ୍ଥାନ ଦିଏ ନାହିଁ । ସେ ଏଣିକି ସରୋଜ ସ‌ହିତ ମଟରରେ ବୁଲି ଯିବା ପାଇଁ ମନ‌କରେ ନାହିଁ । ପକା ଉପରେ ଛିଡ଼ା ହୋଇ ଅସୁକ୍ଷ୍ମ ଚକ୍ଷୁରେ ଚାହିଁ ଥାଏ- ଆସିଲା ମାତ୍ରେ ତାର ହୃଦୟ କ'ଣ ହୋଇ ଯାଏ । ତାର ମନ ହୁଏ, ସେ ପିଲା ଦିନ ପରି ହୋଇଥିଲେ ହୃଦୟରେ ମିଶି ଯାଆନ୍ତା, ମାତ୍ର ସାହାସ କରି ପାରେ ନାହିଁ ।

ମଣି ଦିନ ରାତି ସେହି କଥାଟି ଭାବେ- ତାର ବାବାଙ୍କର ଯୁଗଳ ମିଳନ । ମାତ୍ର ସରୋଜ ତ ତାହା ବୁଝି ପାରିଲା ନାହିଁ- ସରୋଜ ତ ସେଥିରେ ଆଦୌ ପଶି ପାରିଲା ନାହିଁ । ବେଳେ ବେଳେ ମନେ ହୁଏ, କ‌ହିଦେବ, ମାତ୍ର କ‌ହିପାରେ ନାହିଁ । କବାଟ ସନ୍ଧିରେ ଝରକା କଣରେ

ରହି ସରୋଜକୁ ଅନାଏଁ । ସେ ଏହି ଦର୍ଶନରୁ କି ସୁଖ ପାଏ ତାହା ଅନୁଭବରେ ବିବେଚ୍ୟ ।

ଦିନେ ଅକସ୍ମାତ ସରୋଜ କୁଆଡ଼େ ବାର ବ୍ରହ୍ମାଣ୍ତ ବୁଲି ବୁଲି ଆସି ବାର ଚିନ୍ତାରେ ପଡ଼ି ଗଲା । ଚିନ୍ତାରେ ତାର ଦେହରେ ଜ୍ୱର ଅଇଲା । ମଣି କଥା ଭାବି ଭାବି ତାର ପ୍ରାଣ ଅସ୍ଥିର ହୋଇ ଯାଉ ଥିଲା । ସେ ଭାବୁଥିଲା, ତାର ପିତା ସ୍ୱର୍ଗରେ ଥାଇ କଣ ଭାବୁଥିବେ । ସେ ଯେତେ ବେଳେ ମଣିର ମଧୁର କାନ୍ତି, ପୁଣି ଢଳ ଢଳ କଳା ଡୋଳା ଦୁଇଟି ଛଳ ଛଳ ହେବାର ଦେଖେ, ସମାଳି ପାରେ ନାହିଁ । ଭାବେ ଯେ ଏଇ ସୁନ୍ଦରୀ ରାଣୀକୁ କାହା ହାତରେ ଦେବ । ମାତ୍ର ଜଣ ଜଣକ ପ୍ରତି ଆକୃଷ୍ଟ, ଏହା ସରୋଜ ଜାଣେ ନାହିଁ ।

ସରୋଜକୁ କଠିନ ଜ୍ୱର ହୋଇଗଲା । ସେ କେତେ ବେଳୁ ଆସି ଏପରି ଭାବରେ ପଡ଼ି ଯାଇଚି ତାହା ଜେମାମଣିକୁ ଆଦୌ ଜଣା ନ ଥିଲା । ରୋଷେଇ ବାସ ପାଇଁ ପୂଜାରୀ ସ‌ହିତ ସେ କେତେବେଳୁ କଣ କଥାବାର୍ତ୍ତା କରି ବସି ଥିଲା । ସରୋଜ ଆସି ଗଲା- ତା ଯୋତା ପାଦ ଶୁଭିଲା କି- ଏପରି ତ ସେ ସର୍ବଦା ଛନ ଛନ ହୁଏ । ତାର ଗୋଟିଏ ମନ ଏଣେ କାମରେ ଥିଲେ ଗୋଟିଏ ମନ ଅନ୍ୟ ଦିଗରେ । ସରୋଜ ଆଗମନ‌କୁ ଚାହିଁ ରହିଥାଏ ।

ସ୍ତ୍ରୀଜାତି ଯେତେ ଶିକ୍ଷିତା ହେଲେ, ତାଙ୍କର ଗଠନର ପ୍ରକୃତି ନେଇ ସର୍ବଦା କୋମଳ । ତାଙ୍କୁ ନିରାକାରତ୍ୱ ଶିଖାଅ- ମୂର୍ତ୍ତିପୂଜା ବିରୁଦ୍ଧରେ ହଜାର ପ୍ରମାଣ ଦେଖାଇ ସ୍ୱୀକୃତ କଲେହେଁ, ସେମାନେ ନିଜେ ସେ ବିଷୟରେ ଉପଦେଶକ ହେଲେହେଁ ତ‌ଥାପି ଅନେକ ବିରୁଦ୍ଧ ଧର୍ମ‌ବାଦିନୀ ସୁଦ୍ଧା ତାଙ୍କର ଦେଶର ଜାତିର ନିତ୍ୟ-ପ୍ରାର୍ଥିତ ଦେବତା ଜଗନ୍ନାଥ ନାମ କେବେ ଭୁଲି ପାରନ୍ତି ନାହିଁ । ସେ

କାଠ ଭିତରେ ବାସ୍ତବିକ୍ କି ନୈସର୍ଗିକ ଶକ୍ତି ଅଛି ଯାହା ପାଇଁ କୋଟି କୋଟି ନର ନାରୀ ପାଗଳ-

ଖ୍ରୀଷ୍ଟାନ ଆସନ୍ତୁ, ବୌଦ୍ଧ ଆସନ୍ତୁ, ଜୈନ ଆସନ୍ତୁ, ନାସ୍ତିକ ଆସନ୍ତୁ, ମୁସଲମାନ ଆସନ୍ତୁ, ବ୍ରାହ୍ମ ଆସନ୍ତୁ, ଆର୍ଯ୍ୟ ଆସନ୍ତୁ-ଖଣ୍ଡା ଦାଢ଼ରେ ହେଉ- ଧନ ଲୋଭରେ ହେଉ-ବାକ୍ୟ ବାଣରେ ହେଉ, ସେ ମୂର୍ତ୍ତିସୃହା ଏ ଦେଶରୁ ଉଠିଲା ନାହିଁ । ଯାହାକୁ ଧରି ହେବ ନାହିଁ- ଯାହାକୁ ଛୁଇଁ ହେବ ନାହିଁ, ଯାହା ଧାରଣାର ଅତୀତ- ମନର ଅଗୋଚର ଏପରି ପାଦର୍ଥକୁ କିଏ ଗୋଡ଼ାଇବ ? ହିନ୍ଦୁ ଅନନ୍ତ କାଳରୁ ସେ ମୂର୍ତ୍ତି ମଧ୍ୟରେ କଣ ଦେଖୁଛି, କେବେ ତାକୁ ଭୁଲିପାରେ ନାହିଁ ।

ଖ୍ରୀଷ୍ଟାନ ସ୍କୁଲରେ ପାଠ ପଢ଼ିଲେହେଁ- ମଣି ଦିନେ ଦିନେ ଏକାକୀ ବସି ଜଗନ୍ନାଥଙ୍କୁ ଡାକେ । ସେ ତ ହିନ୍ଦୁ ଘରର ବାଳିକା ! ପାଠ ପଢ଼ୁ, କବି ହେଉ, ତାର ତ ହୃଦୟ କୋମଳତା କଠିନ ହୋଇନାହିଁ । ତାର ବାପ ଅଜା ତେପନ ପୁରୁଷ ଜଗନ୍ନାଥଭକ୍ତ ବୋଲି ଯେ ସେ ଭକ୍ତି କରେ, ତାହା ନୁହେଁ- ସେ ଜଗନ୍ନାଥ କ‌ହିଲେ ପ୍ରାଣରେ ଗୋଟାଏ ଅପୂର୍ବ ଆନନ୍ଦ ଲାଭକରେ, ତାର ଆଶା ଜଗନ୍ନାଥ ପୂରଣ କରିବେ, ତାର ସର୍ବଦା ଏହି ଚିନ୍ତା । ସେ ଯେ ନିତି ନିତି ତାଙ୍କୁ ଅଶ୍ରୁରଞ୍ଜିତ ମୁଖରେ କେତେ ଡାକେ, ତାର ମନ ଜାଣେ । ମାତ୍ର ଜଗନ୍ନାଥେ କେବେ ଆନନ୍ଦ ଶୀଘ୍ର ଦିଅନ୍ତି ନାହିଁ । ସେ ପରୀକ୍ଷା କରନ୍ତି, ମନୁଷ୍ୟ ଉତ୍ତୀର୍ଣ୍ଣ ହେଲେ ତାର ପ୍ରାପ୍ୟ ପଦାର୍ଥଟି ତାକୁ ଦିଅନ୍ତି ।

ଉପରେ କଣ ଉଃ ଉଃ ଏପରି ଶବ୍ଦ ହେବାରୁ ତାହା ମଣିର କାନରେ ପଡ଼ି ଗଲା । ସେ ଝଟ କରି ଉପରକୁ ଯାଇ ଦେଖିଲା, ସରୋଜ ରେଜେଇ ଗୁଡ଼ାକ ଘୋଡ଼ାଇ ହୋଇ କମ୍ପୁଛି । ସେ ଆଉ ସମ୍ଭାଳି ପାରିଲା ନାହିଁ, ଯା ସଙ୍ଗେ ସଙ୍ଗେ ତାର ସେବାରେ ଲାଗିଗଲା ।

ଆଜକୁ କେତେ ମାସ ହେଲା ମଣି ସରୋଜକୁ କେଜାଣି କାହିଁକି ଲାଜରେ ଭାଇ ବୋଲି ସମ୍ବୋଧନ କରିପାରୁ ନ ଥିଲା । ଆଜି ଲାଜ ସରମ ଫିଙ୍ଗି ଦେଇ ଡାକିଲା- "ଭାଇ ! କିପରି ଏପରି ଜର ହେଲା ?"

ସରୋଜ କ‌ହିଲା- "ଏଇ ତ ଘରେ ପହଞ୍ଚିବା ସଙ୍ଗେ ସଙ୍ଗେ ଏପରି ମାଡ଼ି ଆସିଲା । ମଣି ! ତୁ ମୋ ଉପରେ ଆଉଜି ମାଡ଼ି ବସ ।"

ମଣି ବାଧ୍ୟ ହୋଇ ସେପରି କଲା । ଦାସିଆ ମଲା ପରେ ଗୋଟିଏ ବୁଢ଼ା ଚାକର ସରୋଜ ଖୋଜି ନ ପାଇ ପିଲାଟିଏ ରଖିଦେଇଥିଲା । ତାର ନାମ ମଧ୍ୟ ସେ ଦେଇଥିଲା ଦିବ୍ୟସିଂହ । ତାକୁ ସମସ୍ତେ ଦିବ ଦିବ ବୋଲି ଡାକୁଥିଲେ । ଏହି ସମୟରେ ଦିବଟି ପହଞ୍ଚି ତାର ଦିଦି ସାଙ୍ଗରେ ମିଶି ବାବୁଙ୍କର ଗୋଡ଼ ଘସିଦେଲା ।

ଦିନ ୩ଟା ବେଳେ ସରୋଜର କମ୍ପ ଛାଡ଼ିଲା । ସେ ମଣିର ବିବାହ କଥା ମଣିକୁ କିପରି କ‌ହିବ ? ତେବେ ଆଜି ସେ ଗୃହର ନିସ୍ତବ୍ଧତା ଅନୁଭବ କଲା । ଭାବିଲା, ଏ ଘରକୁ ଜଣେ ମଣିଷ ନ ହେଲେ ୧୬ ବର୍ଷର ଯୁବତୀ କୁମାରୀଟିଏ କିପରି ରହିବ ? ମୁଁ ତ ଚାରିଆଡ଼େ ଏପାଖ ସେପାଖ ହେଉଅଛି । ମଣି ତାର ଶେଜ ପାଖରେ ବଡ଼ ସଙ୍କୁଚିତ ଭାବରେ ବସି ଥିଲା । ତାକୁ ଡାକି ପଚାରିଲା-

"ମଣି ! ମୋର ଘରେ ରହିବାର କିଛି ଠିକଣା ନାହିଁ- ତୁ ଏକୁଟିଆ ଏ ଚାକର ଗୁଡ଼ାକୁ ନେଇ ଚଳିବାକୁ ବଡ଼ ତ କଷ୍ଟ ହେଉଥିବ ।"

ଲାଜ ଲାଜ କରି ମଣି କ‌ହିଲା- "କଣ କଷ୍ଟ ହେବ- ତମେ ତ ଘରେ ଅଛ ?"

"ଆଛା, ମୁଁ ଯଦି ୧୫ ଦିନ କୁଆଡ଼େ ଯାଏ ?" 'ନା' ତମେ କିଆଁ ଯିବ ? ଗଲେ ମୋତେ ରହିବାକୁ ହେବ, ସେଥିପାଇଁ ଭୟ କଣ ?"

"ନାଁ ମଣି ! ବଡ଼ କଷ୍ଟ ହେବ- ଆଛା- ମୁଁ ଗୋଟିଏ ପ୍ରସ୍ତାବ କରୁଛି, କିପରି ହୁଅନ୍ତା ? ତୋର ମନ ପାଇଲେ କ‌ହିବି ।"

"ଏମିତି କିଛି କଥା ନାହିଁ- ଯାହା ତମେ କ‌ହିବ, ସେଥିରେ ମୋର ମନ ପାଇବ ନାହିଁ ।" ମଣି ଆଉ ମୁହଁକୁ ଚାହିଁଲା ନାହିଁ, ବୁଲାଇ ଆଣିଲା । ସରୋଜର ଏତିକି ବେଳେ ଗୋଟିଏ କଥାରେ ପୂରା ବିଶ୍ୱାସ ଆସିଲା । ତାର ସନ୍ଦେହ ଦୂର ହୋଇଗଲା ।

ସେ କ‌ହିଲା- "ମଣି ! ମୋର ବାପାଙ୍କର ଭଉଣୀ ଯେ ମୋର ପିଉସୀ ଅଛନ୍ତି- ସେ ବୁଢ଼ୀ ଲୋକ । ତାଙ୍କର ଗୋଟିଏ ଝିଅ । ସେ ଶାଶୁ ଘରେ ତାର ଥାଏ । କେବେ କିମିତି ଅବା ମାଆ ପାଖକୁ ଆସେ । ପିଉସୀଙ୍କୁ ଆଣିବା କି ? ସେ ଖାଲି ଘରେ ବସିଥିଲେ ଆମର ସାହାସ । ସବୁ କଥାକୁ ଗୋଟାଏ ହାଁଭର ସେ ହେବେ । ଘର ଚଳେଇବା କଥା ପାଠପଢ଼ାରେ ହୁଏ ନାହିଁ । କଣ କ‌ହୁଚୁ ?"

ଏହା କ‌ହି ସାରି ସେ ଆଙ୍ଗୁଠିରେ ଜେମାର ହାତକୁ ଟିକିଏ ଟାଣି ଦେଲା । ସେହି ଟଣା ଭିତରେ ଜେମା କି ଅନୁଭୂତି ଲାଭ କଲା, ତାହା ସେ ଜାଣେ । ଦୂର ଭବିଷ୍ୟତର ଅନ୍ଧକାର କିଏ ଦେଖିଥାଏ ? ସମସ୍ତେ ତ ବର୍ତ୍ତମାନର ଆନନ୍ଦରେ ବିଭୋର । ହସି ଦେଇ ଭାଇକୁ କ‌ହିଲା- "ଭାଇ ! ମୁଁ କଣ ନାହିଁ କରୁଚି, ଅଧିକ ଭଲ ହବ ନା । ପିଉସୀ ଆସିଲେ ଘର ସମ୍ଭାଳିବେ, ଶିଖାଇବେ । ତାଙ୍କୁ ଆଣ । ଥରେ ପରା କ‌ହିଚି ତମ କଥାରୁ ମୁଁ ତିଳେ ଘୁଞ୍ଚିବି ନାହିଁ ?"

ସରୋଜର ଜ୍ୱରକ୍ଳିଷ୍ଟ ମୁଖରେ ହାସ୍ୟ ଆସିଲା । ସେ ହସି ଦେଲା ଏବଂ କ‌ହିଲା- "ପାଗଳ ! ତୋତେ ନ ପଚାରି- ମୁଁ କିପରି କରିବି । ତୁ ପରା ମୋର ପିତାଙ୍କର ସ୍ନେହରକନ୍ୟା । ତୋତେ ଛାଡ଼ି ଯିବି କିପରି ? ତୋ ପାଇଁ ଯେ ମତେ ବ‌ହୁ ସ୍ଥାନ ବୁଲିବାକୁ ହେବ ।" ବର୍ତ୍ତମାନ ମଣି ଭାବିବାକୁ ଲାଗିଲା ଦିଅଁ ଘରେ ଥାଉ ଥାଉ ତେବେ ଦଶରାଜ୍ୟ ବୁଲା ପଡ଼ିଚି କିଆଁ ? ତାର ମନ କଣ ହୋଇଗଲା । ତୁନି ତୁନି ଆଖିରୁ ଲୁହ ପୋଛି ଦେଲା ।

ଏଥର ଜ୍ୱର ସରୋଜକୁ ପ୍ରାୟ ଚାରିଦିନ ହେଲା । ଏହି ଚାରିଦିନର କ୍ଷତି ପୂରଣ କରିବା ପାଇଁ ତାକୁ ପ୍ରାୟ ଦୁଇମାସ ଲାଗିଥିଲା ।

ଦ୍ୱିତୀୟ ଦିନର କଠିନ ଜ୍ୱରରେ ମଣିର ବଡ଼ ଭୟ ହେଲା- ତେଣୁ ସେ ତାର ବିନୋଦ ଭାଇ ପାଖକୁ ଟେଲିଗ୍ରାମ କରି ଦେଲା । ବିନୋଦ ବର୍ତ୍ତମାନ ସ୍କୁଲ ମାଷ୍ଟର । ତେବେ ସେ ଯଥାସାଧ୍ୟ ଯତ୍ନ କରି ୪ର୍ଥ ଦିନ ସକାଳେ ଆସି ହାଜର ହୋଇ ଦେଖିଲା, ମଣି କାନ୍ଦୁଚି ଆଉ ସରୋଜକୁ ଆଉଁସୁଚି, ପାଖରେ ଚାକର ଟୋକା ଦିବ । କବିରାଜ କଣ ଔଷଧ ଦେଇଚି- ତେବେ ମଣି ତାର ନିଜ ଔଷଧ ଦେଉଚି । ସେ ନିଜର ହୋମିଓପ୍ୟାଥିକ- ଆଉ କବିରାଜ ଗୃହ ଚିକିତ୍ସା ବାକ୍ସ ପ୍ରଭୃତି ଆଣି ଚିକିତ୍ସା କରେ । ସୁନ୍ଦର ରୂପଟି ଧରି କେବଳ ସେ ଘରେ ବସି ନ ଥାଏ । ଘରର ଯାବତୀୟ କାମ ତାକୁ ଦେଖିବାକୁ ପଡ଼େ । ଚାକର ବାକର ଦରମା ଦେବା- ଘରର ପରିଷ୍କାର ପରିଚ୍ଛନ୍ନତା, କୋଉଠି ଉଇ ଲାଗିଲା- ଧୋବା ଠିକରେ ଲୁଗା ଦେଲା କି ନାହିଁ ଇତ୍ୟାଦି ଇତ୍ୟାଦି ସମସ୍ତ ଗୃହ ବିଷୟ ସେ ଏପରି ବୁଝେ ଯେ, ତାଙ୍କ ଘରେ ଟିକିଏ ପାଟି ଶୁଭେ ନାହିଁ । ରାଜକୁମାରୀ ହୋଇ ଏକ ମିନିଟ୍ ସେ ବସିବାକୁ ଭଲପାଏ ନାହିଁ- ନ ବସିଲେ କଣ ହେବ- ଗୋଟିଏ ଚିନ୍ତା ତା ମନରେ ସର୍ବଦା କୁଟୁ କୁଟୁ ହୋଇ ତାକୁ ଅନେକ କାମରେ ବାଧା ଦିଏ ।

ବିନୋଦକୁ ଦେଖି ଦେଇ ମଣିର ଗୋଟାଏ ନୂଆ ପ୍ରାଣ ଆସି ଦେହରେ ପଶିଗଲା । ସେ ଆନନ୍ଦରେ ଭାଇକୁ ତାର ଡାକିଲା- "ଭାଇ ! ଭାଇ ! ବିନୋଦ ଭାଇ ଆସିଛନ୍ତି ।"

ସରୋଜ କଡ଼ ଲେଉଟାଇଲା । ଆଖି ଫିଟାଇ ବିନୋଦକୁ ଚାହିଁଲା । ବିନୋଦ ସରୋଜର ଚିରସଙ୍ଗୀ । ବିନୋଦ ସରୋଜ ପାଇଁ ପ୍ରାଣ ଦେଇପାରେ । ଆଜି ସେମାନେ ପାଠ ସାରି ଅଲଗା ହୋଇ ରହିଥିଲେହେଁ ଟିକିଏ ଖବର ପାଇଲେ ଶତଶତ କାମ ଛାଡ଼ି ଦୁହେଁ ଦୁହିଁଙ୍କୁ ଯେ ଦେଖି ଯିବେ, ଏଥିରେ ସନ୍ଦେହ କଣ ?

ଯେବେ ବିନୋଦର ଭଉଣୀ ବିଭା ଘରକୁ ସରୋଜ ଯାଇ ପ‌ହ‌ଞ୍ଚି ଥିଲା- ତାଙ୍କ ଗାଁ ଆନନ୍ଦରେ ଭାସୁଥିଲା । ଡିପୋଟୀ ଶ୍ୟାମ‌ବାବୁଙ୍କ ପୁଅ ଏଇ କୁଡ଼ିଆ ଘରକୁ ଆସିଚି ବୋଲି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଲୋକଙ୍କର ଧରଣା ଥିଲା, ବଡ଼ ଲୋକର ପୁଅ ହେଲେ ବା ବେଶୀ ପାଠ ପଢ଼ିଲେ ସାନଲୋକଙ୍କୁ ଖାତିର କରନ୍ତି ନାହିଁ; ମାତ୍ର ସରୋଜ କୁମାରର ବ୍ୟବ‌ହାରରେ ଲୋକେ ଯେ ଆନନ୍ଦ ଅନୁଭବ କଲେ ତାହା ପୂର୍ବେ କେବେ ପାଇ ନ ଥିଲେ । ଆହା, ତାଙ୍କ ଗାଁରେ ମାଇନର ପାଶ କରି- ଅବା ତା ଉପରକୁ ଦି କ୍ଲାଶ ଯାଇ ପିଲାଗୁଡ଼ାକ ସମସ୍ତଙ୍କୁ ମୂର୍ଖ ମୂର୍ଖ କ‌ହି କି ବାବୁଗିରି ଦେଖାଉ ନାହାନ୍ତି କି ? ମାତ୍ର ଏତେ ପାଠ ପଢ଼ି, ଏଡ଼େ ବଡ଼ ଲୋକର ପୁଅ ହୋଇ, ଏତେ ଧନ ସମ୍ପତ୍ତିର ଏକମାତ୍ର ମାଲିକ ହୋଇ କେଡ଼େ ବିନୟୀଟି ସେ । ଦୀର୍ଘ ଜୀବନ ପାଇଥା ବାପା କ‌ହି ତାକୁ ଯେ କେତେ ବୁଢ଼ା ସୁକଲ୍ୟାଣ କରିଥିଲେ ତାର ସୀମା ନାହିଁ । ସରୋଜ ମଧ୍ୟ ସେମାନଙ୍କୁ ବେଶ୍ ସନ୍ତୋଷ କରିଥିଲା ।

ବିନୋଦ ମୁଣ୍ଡପାଖରେ ବସି ଡାକିଲା, "ସରୋଜ ତୋର ସବୁଦିନେ ଏହିପରି କେବେ କିମିତି ଜର ହୁଏ । ସେ ଅଭ୍ୟାସଟା ଗଲା ନାହିଁ-

ଘୁକରି ଜର ଆସିବ, ଏକବାରେ ଚେତା ଚଇତନ କିଛି ମାତ୍ର ରହିବ ନାହିଁ ।"

ବଡ଼ କଷ୍ଟରେ ସରୋଜ କ‌ହିଲା- "ଭାଇ, ଭୁବଲୋକ‌କୁ ଯାଇଥିଲି, ଏ ଚାରିଦିନ ମୁଁ ମଞ୍ଚ କଥା କିଛି ଜାଣି ନାହିଁ । ମଣି ମତେ ଫେରାଇ ଆଣିଚି, ମଣି ତାର ପ୍ରାଣ ଦେଇ ମତେ ବଞ୍ଚାଇଚି । ସେ କଣ ଖାଇଚି କି ନାଇଁ ଆଗ ବୁଝ । ସେ ଦୁଇ ଦିନ ହେଲା କିଛି ଖାଇ ନାହିଁ । ଖାଲି ଜଗନ୍ନାଥ ଜଗନ୍ନାଥ ହେଉଚି- କାନ୍ଦୁଚି ।"

ବିନୋଦ ମଣିକୁ କ‌ହିଲା- "ମଣି ! ଏ ସବୁ କି କଥା- ତୋର ଭାରି ଭାଇ ତ ? ଏଥିପାଇଁ ଖାଇ ନାହୁଁ କିଆଁ ? ଆସେ ଆମ୍ଭେମାନେ ଖାଇବା ।" ସରୋଜର ଦେହ ଚିପି ଦେଖିଲା ଆଉ ଜର ନାହିଁ- କେବଳ ନିର୍ବଳତା, ତା ମନରୁ ଭୟ ଛାଡ଼ିଗଲା । ସେ ମଣିକୁ ଘୋଷାରି ଘୋଷାରି ନେଇ ବଡ଼ କଷ୍ଟରେ ଦିଗୁଣ୍ଡା ଖୁଆଇ ଉପରକୁ ଆଣିଲା ।

ସରୋଜର ଦେହ ପୂର୍ଣ୍ଣ ସୁସ୍ଥ ହୋଇଅଛି । ସେ ବିନୋଦ ଜିମାରେ ମଣି ଛାଡ଼ିଦେଇ ପିଉସୀଙ୍କୁ ଆଣିବାକୁ ଯାଇଛି । ବିନୋଦ ଆଜକୁ ପ୍ରାୟ ୨ ମାସ ହେଲା ଛୁଟି ନେଇ ଏଠାରେ ଅଛି । ଏହା ମଧ୍ୟରେ ବ‌ହୁତ ସୁଖର ଦିନ ଗତ ହୋଇଅଛି; କେତେ ଦିନ ଦୁଇବନ୍ଧୁ ବସି ମଣି ବିଷୟରେ ଅନେକ କଥାବାର୍ତ୍ତା ହୋଇଛନ୍ତି । ମାତ୍ର ବାଟ କିଛି ପାଇ ନାହାନ୍ତି । ମଣିର ହୃଦୟ କଥା ବିନୋଦ ପରିଷ୍କାରଭାବରେ ଅନୁଭବ କଲେହେଁ ସରୋଜକୁ କେବେ କୁହେ ନାହିଁ । ଏଣେ ଦୁଇବନ୍ଧୁଙ୍କର ପ୍ରସ୍ତାବ ହୋଇଛି ଯେ, ସେମାନେ ଦୁହେଁ ଖୁବ୍ ଝୁଙ୍କାଏ ବର ଅନ୍ୱେଷଣରେ ବୁଲିବେ । ବିନୋଦ ସେଥିରେ ହଁ ଭରିଚି । ସେଥିପାଇଁ କେତେଦିନ ହେଲା ପିଉସୀଙ୍କୁ ଆଣିବାକୁ ସରୋଜ ଯାଇଛି ।

ଏଣେ ମଣି ଆଉ ବିନୋଦ ଘରେ ଅଛନ୍ତି । ଏଥିମଧ୍ୟରେ କୌଶଳୀ ବିନୋଦ ମଣିର କବିତା ଗୁଡ଼ିକ 'ସବୁ ଅମୂଳଚୂଳ ପଢ଼ିଚି । କବିତାରେ ସେ ଦେଖିଛି ଯେ, ଗୋଟିଏ ପ୍ରେମମୟ ଛଡ଼ା ସେ ଅନ୍ୟ କାହାକୁ ତାର କବିତାରେ ସ୍ଥାନ ଦେଇ ନାହିଁ । କବିତାର ମାଧୁରୀରେ କେଉଁ ଶୁଷ୍କ ପ୍ରାଣ ଯେ, ରସାଳ ନ ହେବ ଏପରି ନାହିଁ । ହୃଦୟ ଫୁଟି ଯାହା ପ୍ରକାଶିତ ହୋଇଅଛି ତାହା ତ କବିତା । ସେ କବିତା କାହାର ପାଠ୍ୟ ନୁହେଁ ? ସେ କବିତାରେ କେତେ ଚକ୍ଷୁର ଅଶ୍ରୁଧାରା କେତେ ହୃଦୟର ପ୍ରାଣସ୍ପର୍ଶୀ ଭଲ ପାଇଁ, କେତେ ଗଭୀର ଦୀର୍ଘଶ୍ୱାସ, କେତେ ଅଭିମାନ, କେତେ ସୁକ୍ଷ୍ମଚିନ୍ତା ଯେ ଅଛି, ତାହା ହୃଦୟରୁ ଝଲସାଇ ଦିଏ । ବିନୋଦ ପଢ଼ି ପଢ଼ି ଆତ୍ମହରା ହୋଇଗଲା ! ହାୟ- ଏ କବିତା ଯାହା ଅନ୍ତରର ଅନ୍ତରତମ ପ୍ରଦେଶରୁ ସ୍ୱତଃ ଫୁଟିଅଛି, ମୂର୍ଖ ସରୋଜ କାହାକୁ ତାକୁ ସମର୍ପି ଦେବାକୁ ଯାଉଛୁ ? ମୁଁ ସଙ୍ଗରେ ରହିବି । ଦେଖିବି, ତୋର ଦୃଷ୍ଟି ସମକ୍ଷରେ ମଣିର ହୃଦୟ ପାଇଁ ଆଉ ହୃଦୟ ଅଛି କି ନାହିଁ ।

ବିନୋଦ ବସି ଏହି ସବୁ କଥା ଭାବୁଚି- ଏହି ସମୟରେ ଅର୍ଗାନରେ ବାଜି ଉଠିଲା- ତପ୍ତ ନିରାଶାବ୍ୟଞ୍ଜିତ କୋମଳ ମଧୁର ସ୍ୱରରେ ଗୋଟିଏ ସଙ୍ଗୀତ- ସମ୍ଭବତଃ ତାହା ମଣିର ନୂଆରଚନା । ସଙ୍ଗୀତର ଅପୂର୍ବ ମାଧୁରୀରେ ବିନୋଦର ହୃଦୟ କଣ ହୋଇଗଲା- ସେ ଶୁଣିଲା- ଶୁଭୁଛି-

ଯେତେ କଲେ ପର ତୁମରି କତିକି
ଯିବାକୁ ମୋ ଚିର ବାସନା,
ଯେତେ କଲେ ଦୂର ନହେବି ଅନ୍ତର
କରିବି ଚରଣ ବନ୍ଦନା ।

ଅଶ୍ରୂନୀରେ ଧୋଇ ଦେବି ପାଦପଦ୍ମ
ତୁମେ ମୋ ହୃଦୟ ନିଧି,
ତୁମ କୃପା ବିନା ପାଇବି ନାହିଁ ମୁଁ
ଏ ଜୀବନେ କେବେ ସିଦ୍ଧି ।
ମୋ ହୃଦ ଆସନେ ନ ବସିବ ଯେବେ
କାନ୍ଦି ଫିଙ୍ଗିଦେବି ଦୂରେ,
ତୁମରି ନାମେ ମୁଁ ଗାଇବି ସଙ୍ଗୀତ
ଦୁଃଖେ ମର୍ମ‌ଭେଦୀ ସୁରେ ।
ତୁମରି ନାମକୁ କରି ଜପାମାଳି
ଘୋଷିବି ଦିବସ ନିଶି,
ତୁମରି ଚିନ୍ତାରେ କାଳ କାଟି ଦିନେ
ଧୂଳିସାଥେ ଯିବି ମିଶି ।
ନିରାଶ ଅନ୍ତରେ ଦେଇଥିଲ ଯେବେ
ଅମୀୟ ସେନେହ ଧାରା,
ସେହି ଦିନୁଁ ମୁଁ ତ କରି ନେଇଥିଲି
ତୁମ୍ଭଙ୍କୁ ହୃଦୟ ହାରା ।
ଯାଅ ଯାଅ ଭାସି ନବୀନ ପ୍ରବାହେ
ନ‌ଚାହଁ ନ‌ଚାହଁ ଆଉ
ତୁମ ବିମୋହନ ବଦନ-ତରଣୀ
ମନ-ନୀରେ ଭାସୁଥାଉ ।

ବିନୋଦର ପ୍ରାଣ କଣ ହୋଇଗଲା- ସେ ମନେ ମନେ ସରୋଜକୁ ଶତ ଧିକ୍କାର ଦେଲା । ଯା'ରେ---

ହାୟ ! ସେ କଣ କରିବ ? ବିଧିର ନିର୍ଦ୍ଦେଶ ଯାହା ତାହାହିଁ ହେବ ଏଥିରେ ସରୋଜର ଦୋଷ କଣ ?

ଯଥା ସମୟରେ ସରୋଜ ପିଉସୀଙ୍କୁ ଘେନି ଘରେ ପ‌ହ‌ଞ୍ଚିଲା । ତାହା ଶୁଭମୁହୂର୍ତ୍ତ କି ଅଶୁଭ ମୁହୂର୍ତ୍ତ ସେ ଆଦୌ ବୁଝି ନ ଥିଲା ତେବେ ବୁଢ଼ୀଙ୍କ ଜିମାରେ ମଣିକୁ ସମର୍ପିଦେଇ ଦୁଇବନ୍ଧୁ ବର ଖୋଜି ବାହାରିଲେ । ମଣି ଆଖିର ଲୁହ ଆଖିରେ ମାରି ଘରେ ରହିଲା । ତାର ପ୍ରାଣ କଲବଲ ହେଲା । ମୁହଁ ଫିଟାଇ ତାର ମର୍ମର ବେଦନା କାହାକୁ କ‌ହିବ ? ସର୍ବଦା ସଜଳ ନୟନରେ ଘରକୋଣରେ ପଡ଼ିରହିଲା । ଗଲାବେଳେ ମଣିର ମୁଖର ଭାବ ଲକ୍ଷ୍ୟ କରିଥିଲା ଜଣେ- ସେ ବିନୋଦ ।

ମଣି ଫୁଲର କୋମଳତା ନେଇ, ଦାମିନୀର-ଦୀପ୍ତିନେଇ, କୌମୁଦୀର ରୂପ ନେଇ ଜନ୍ମ ହୋଇଥିଲା । ସେ ଗାଢ଼ ଅଭାବ ମଧ୍ୟରେ ଥିଲା; ମାତ୍ର କଷ୍ଟ କେବେ କଣ ଜାଣି ନ ଥିଲା । ପ୍ରଥମ ଜୀବନ ପାଞ୍ଚବର୍ଷଯାଏ ସେ ଶିଶୁ ଅବସ୍ଥାରେ ବାପା ମାଆଙ୍କ କୋଳରେ ମହାସୁଖରେ ଥିଲା, ତାପରେ ତାର ବୁଢ଼ୀମାଆ ନିକଟରେ ୧୦ ବର୍ଷ ଯାଏ ରହି କେବେ ଏତେ ଅଭାବ ମଧ୍ୟରେ ଦୁଃଖ କଣ ଜାଣି ନ ଥିଲା । ତା ପରେ ଆସିଲା ବଡ଼ଲୋକ ଘରକୁ, ତାର ଭାଗ୍ୟ ପରିବର୍ତ୍ତିତ ହେଲା । ଶ୍ୟାମ‌ବାବୁଙ୍କର ସେ ହେଲା ଗେହ୍ଲା ଝିଅ । ତାକୁ ସେ ଫୁଲରୁ ବଳି ଆଦରରେ ସାଇତିଲେ । ଇସ୍କୁଲରେ ପଢ଼ିଲା । ହଜାର ହଜାର ଟଙ୍କାରେ ଭାସିଲା । ଆଦର ସ୍ନେହ ଛଡ଼ା ଦୁଃଖ, କଷ୍ଟ ସେ କିଛି ଜାଣିଲା ନାହିଁ । ପାଶ କଲା- ଘରକୁ ଆସିଲା, ବାପା ମଲେ- ତାପରେ ତାର ହୃଦୟର ନିଧି ପ୍ରାଣର ପ୍ରାଣ ଭାଇ ତ‌ତ୍ତ୍ୱରେ କାଳ କାଟିଲା । ତାର ଭାଇ ତାକୁ କେବେ ନିମିଷକ ପାଇଁ ମ ବୋଲି କ‌ହି ନାହିଁ । ମାତ୍ର ଆଜି- ?

ଯେ ରୂପ ଗୁଣରେ ଲକ୍ଷ୍ମୀ, ସରସ୍ୱତୀପରି, ତା ଉପରେ ଆଜି ଏ କି ଚଢ଼ୋଉ ? ତାର ପ୍ରାଣ ଅଥୟ ହେଲା । କାନ୍ଦିଲା- କାନ୍ଦି ପାରିଲା ନାହିଁ, ବସିଲା- ବସିପାରିଲା ନାହିଁ । ମନ ବଦଳାଇବାକୁ ଭାବିଲା; ମାତ୍ର ତାହା

ମଧ୍ୟ କରିପାରିଲା ନାହିଁ । ଆଜି ସେ ଏକାକୀ- ଶୂନ୍ୟ; ତାର ଆଜି ନିଜର କେହି ନାହିଁ- ତାର ଆଜି ହୃଦୟର କେହି ନାହିଁ । ଜଗତରେ ତ ତାର ଜଣେ ମାତ୍ର ନିଜର । ସେ ତ କେଉଁ ଦୂର ରାଇଜ ରାଇଜର ଅତିଥି, ସେ କାହା ଆଗରେ ତାର ଦୁଃଖ କାହାଣୀ କ‌ହିବ ? ସର୍ବଦା କେତେ କଣ ଭାବେ, ମାତ୍ର କିଛି ସେ ଭାବନାର ଥଳକୂଳ ପାଏନାହିଁ ।

ଆଜକୁ ମୋଟ ପନ୍ଦର ଦିନ ହେଲା ପିଉସୀଙ୍କର ଆଗମନ । ସେ ହିନ୍ଦୁ ବିଧବା । ତାଙ୍କର ବାର ଦିନରେ ୧୩ ଉପାସ ଝିଅପାଇଁ । ଯଦି ସୁନ୍ଦରୀ ହିସାବରେ- ଧନବନ୍ତ ହିସାବରେ- ଗୁଣ ହିସାବରେ କିଏ ଥାଏ ରବିତଳରେ, ତେବେ ତାଙ୍କ ମତରେ ତାଙ୍କ ଝିଅ । ମାତ୍ର ପ୍ରକୃତରେ ତାଙ୍କର ଝିଅଟିର ରଙ୍ଗ ଖୁବ୍ ତୋଫା । ଏହି ରଙ୍ଗକୁ ଯେ ସୌନ୍ଦର୍ଯ୍ୟ କୁହାଯାଏ ଏହା ସୌନ୍ଦର୍ଯ୍ୟ ଗ୍ରାହକମାନଙ୍କର ଧାରଣା କରିବା କର୍ତ୍ତବ୍ୟ । ଦେହ ମୁଖର ଗଠନ ଦେଖିଲେ ପ୍ରାଣ ଶିହରି ଉଠେ, ମାଙ୍କଡୀ କରି ଜନ୍ମ ନ ଦେଇ ବିଧାତା ଏପରି ଜନ୍ମ ଦେବାରେ କି ସାର୍ଥକ ହୋଇଚି ଜଣା ଯାଏ ନାହିଁ; ତଥାପି ସେ ସୁନ୍ଦରୀ । ଯେତେ ହେଲ ତାର ନାକ ୫/୭ଠା ଫୋଡ଼ା ହୋଇ ଅଛି । ସେଥିରୁ ଠାଏ ଏପରି ଆକାର ଧାରଣ କରିଚି ଯେ, ସେଥିରେ ଗୋଟାଏ ପେନସିଲ ଗଳିଯିବ । ନାକର ଚମଡ଼ା ଆଉ ଅଳ୍ପ ବାକି ଥାଉ ଥାଉ ବୁଦ୍ଧି କରି ସୁନ୍ଦରୀ ଅଲଗା କଣାକୁ ତାଙ୍କ ପରମ ବଡ଼େଇର ଧନ ୨୦ଟଙ୍କାର ନଥଟାକୁ ବଦଳେଇ ଦେଇଚନ୍ତି । ଆଉ ଗ‌ହଣାମାନେ ବେଶ୍ ଲାଗି ଲାଗି ଯତ୍ନରେ ଅଛନ୍ତି । ଏହି ଗ‌ହଣାହିଁ ସ୍ୱାମୀ ପ୍ରୀତି ଏବଂ ସତୀତ୍ୱର ପରମ ନିଦର୍ଶନ ପରା । କାନରେ ଅସଂଖ୍ୟ କଣା- କେତେ ଯେ କଣ ଓହଳିଛି ତାର ସୀମା ନାହିଁ; ମଳି ଗୁଡ଼ିକ ସେ ବେଶ୍ ଯତ୍ନରେ ମୁଖପଦ୍ମରେ ସାଇତି ରଖିଚିନ୍ତି । ନାକରୁ ମଇଳା ବାହାର କରିବାର ବିଜ୍ଞାନ ନୀତି ଏ ଜୀବନ୍ତ ପ୍ରକ୍ରିୟା ମଧ୍ୟରେ କିପରି ଲୁକ୍କାୟିତ ତାହା ସେ ଜାଣନ୍ତି । ଏହିପରି ସମଗ୍ର ଦେହର

ଗ‌ହଣା ବର୍ଣ୍ଣନା କଲେ ବେଳ ବୁଡ଼ି ଯିବ । ମୁଣ୍ଡରେ-ମୁଣ୍ଡ ବାଳରେ, ବେକରେ, ହାତରେ, ଗୋଡ଼ରେ, ଅଣ୍ଟାରେ ଇତ୍ୟାଦି ଇତ୍ୟାଦି । ଏଣେ ଲୁଗାଖଣ୍ଡି ବେଶ୍ ତାତ୍‌ପର୍ଯ୍ୟରେ ଶରୀର ଆବୃତ କରିଚି । ମୁଣ୍ଡ ଦିଶିବାକୁ ଚାରା ନାହିଁ, ମାତ୍ର ଆଉ କେତେ ଜାଗା ଦିଶାବା ଶାସ୍ତ୍ରବିରୁଦ୍ଧ ନୁହେଁ । ଗୋଡ଼ିଖାଇ ବେଶ୍ କରି ମୁଣ୍ଡଟିକୁ ବାଲିଭିତରେ ପୋତିଛି, ମାତ୍ର ତାର ଲାଞ୍ଜ ପାଖଟା ପରିଷ୍କାର ଭାବେ ଦର୍ଶକର ନେତ୍ରାତିଥି ।

ତେବେ ଯାହା କିଛି ହେଲେହେଁ ତାଙ୍କର ଝିଅ ସୁନ୍ଦରୀ । ସେ ଇସ୍କୁଲ-ଗାଁ ଚାଟଶାଳୀକୁ କେବ ଦିନେ ନା କଣ ଯାଇଥିଲା, ମାତ୍ର ପାଠଗୁଡ଼ାକ ବଡ଼ ଗରିଷ୍ଠ ଖାଦ୍ୟ । ମର୍କଟ ନୟନରେ ତାହାର ରୂପ ଦେଖି ତାକୁ ସୁନ୍ଦର ଶରୀରରେ ଜୀର୍ଣ୍ଣ ହେବ ନାହିଁ ଭାବି ଫେରିଅଇଲା । ଆଜି କାଲି କଥା ପଡ଼ିଲେ କ‌ହନ୍ତି- "ଯା ମ, ମୋର ଯୋଉ ବୁଦ୍ଧି- ମୁଁ ପାଠ ପଢ଼ିଥିଲେ ଏଇ ନବଖଣ୍ଡ ମେଦିନୀ ଏକ କରି ନ ଥାନ୍ତି ଯେବେ ।" ଆଉ ତାଙ୍କ ଗରବ ଗୌରବ କଥା ବେଶୀ ଲେଖି ଲାଭ ନାହିଁ । ମଧୁର ରସ ସ‌ହିତ ଅମ୍ଳରସ ଭଳି ଏହା ପ୍ରୀତିକର ହେବ ।

ପ୍ରଥମେ ପିଉସୀ ସରୋଜ ଘରକୁ ଆସି ପ୍ରାୟ ଦିନ ଯୋଡ଼ାକରେ ବେଶ ମାଲିକ ହୋଇ ପଡ଼ିଚନ୍ତି । ଏହାମଧ୍ୟରେ ତାଙ୍କର ସୁନ୍ଦରୀ କନ୍ୟାଙ୍କୁ ମଧ୍ୟ ଶାଶୁଘରଠୁ ଅଣାଇଚନ୍ତି । ସେ ଆଉ ଭୁଇଁରେ ଛିଡ଼ା ହେଉ ନାହାନ୍ତି । ମଣିକି ନେଇ ତାଙ୍କର ବେଳେ ବେଳେ ଥଟା ପରିହାସ ହୁଏ । କେବେ କେବେ ମିଛରେ ଦେଖାଇ ଶିଖାଇ ହୋଇ ମଧ୍ୟ କ‌ହନ୍ତି- "ଇଏ କି ବେଶ ଲୋ ମା, ମାଇକିନା ଝିଅ ଦିନରାତି ବ‌ହି କିତାବ ଧରି ବିସିଥିବ । ଛି ଛି !"

ପ୍ରଥମ ପାଞ୍ଚଟି ଦିନ ସରୋଜର ସମର୍ପଣ ଅନୁଯାୟୀ ପିଉସୀ ମଣିକୁ ବେଶ୍ ସ୍ନେହ କରିଥିଲେ । ସେଥିପାଇଁ ମଣି ଭାବିଥିଲା, ଏହି ବୃଦ୍ଧାଯୋଗେ

ତାର ଦିନ କଟିଯିବ । ମାତ୍ର ତାହା ହେଲା ନାହିଁ । ଦିନ‌କର ସାଧାରଣ ଘଟଣାରେ ମଣି ଉପରେ ବଜ୍ର ପଡ଼ିଲା ।

ପିଉସୀ ଅଇଲା ଦିନୁଁ ସେ ନିଜର ରୋଷେଇ କରି ଖାଆନ୍ତି । ପୂଜାରୀ ରୋଷେଇ କରେ ଯେ, ମଣି ଆଉ ଚାକର ବାକର ଖାଆନ୍ତି । ମଣି ପିଉସୀଙ୍କର ପରିବା ବନେଇ ଦିଏ, କେତେ କାମ କରିଦିଏ । ଦିନେ ସେ ଖାଇ ବସିଛନ୍ତି, ଏଣୁ ମଣି ଗୋଟାଏ ଖବରକାଗଜ ନେଇ "ଏଇ ଦେଖିଲଣି ନାନି ?" କ‌ହି ତାଙ୍କ ଖାଇବା ଜାଗାରେ ଝଟ୍‌କିନା ପ‌ହ‌ଞ୍ଚିଗଲା । ସେ ଜାଣେ ନାହିଁ, ଏଥିପାଇଁ କିଛି ଗୋଳ ଲାଗିବ । ତାର ଆନନ୍ଦ ଏକା ଥରକେଚୂର୍ଣ୍ଣ ହୋଇଗଲା । ପିଉସୀ ପ୍ରାୟ ୩ ଭାଗ ଭାତ ଖାଇ ସାରିଥିଲେ; ମାତ୍ର ଛାଇ ପଡ଼ିଗଲା ବୋଲି ଝଟ୍‌କିନି ଉଠି ପଡ଼ିଲେ । ଆଉ କିଛି କ‌ହିଲେ ନାହିଁ । ମନେ ମନେ ଗୁଣୁ ଗୁଣୁ ହେଲେ, "କି ଦୁର୍ଯୋଗରେ ରାତି ପାହିଥିଲା- ଶୁଦ୍ରଛାଇ ଖାଇବା ବେଳୁଟାରେ ପଡ଼ିଲା- କଣ ହେବ... !"

ଆଉ ମଣି ଏକମିନିଟ ଛିଡ଼ା ହୋଇ ରହି ପାରିଲା ନାହିଁ; ତାର ମୁଣ୍ଡ ବୁଲାଇ ନେଲା- ସେ ଆସି ବଡ଼ କଷ୍ଟରେ ବିଛଣାରେ ଶୋଇ ପଡ଼ିଲା । ଆଉ ସେ ଦିନଠୁ ସେ ଖାଇବା ବେଳେ ତାଙ୍କ ପାଖ ମାଡ଼ିଲା ନାହିଁ । ମାତ୍ର ମନ ବଦଳାଇବା ପାଇଁ ବେଳେ ବେଳେ ଯଦିଚ ତାଙ୍କ ପାଖକୁ ଗଲା, ସେ କାହିଁକି ସୁଖରେ କଥା କ‌ହିଲେ ନାହିଁ ।

ଦିନେ ମଣି ଉପର ମହଲାରେ ଛିଡ଼ା ହୋଇଚି- ତାକୁ କେହି ଦେଖି ନାହିଁ- ବୁଢ଼ୀ ମେହେନ୍ତରିଆଣୀ ସଙ୍ଗେ ବସି ଗପ କରୁଚି- "ହଇଲୋ ଝିଅ, କ‌ହିଲୁ କ‌ହିଲୁ, ମୁଁ ବେଶୀ ଆପଣାର କି- ଏଇ ବଙ୍ଗାଳୁଣୀ ବେଶୀ ଆପଣାର ? ସରୋଜ କଣ ଏକୁ କ‌ହି ଯାଇଚି ମତେ ଏପରି ପଡ଼ି ଦେବା ପାଇଁ- ପୂଜାରୀ ଘରଭିତରୁ ଜିନିଷ ବାହାର କରି

ନେବ, ମୋତେ ପ୍ରିତିଦିନ ଏପରି ଗଣ୍ଡେ ଗଣ୍ଡେ ପଡ଼ି ଦିଆ ହେବ ? କ‌ହିଲୁ ଝିଅ କ‌ହିଲୁ, କା ଦିହ ଏଥିରେ ସମାଳିବ । କାଲି ମୋ ଝିଅଟି ଆସିବ- ସେ କଣ ଏକଥା ସ‌ହିବଟି କି ? କିଲୋ, ତୋର କଣ ଅଛି- ତୁ ଆମ ଜାତିର ନାଁ ପତିର- ତୋତେ ସାଇତି ବଡ଼ କରିଦେଲେ, ଏଥିପାଇଁ କଣ ତୁ ଘରର ସର୍ବେସର୍ବା ? ସରୋଜ ଆସିଲେ ଏଥର ସବୁ ମୁଁ ଠିକଣା କରି ନେବି ଯେ । ଏଇପରି ଚାକରାଣୀ ରଖିବାକୁ ମୋତେ ଏଇଠିକି ଆଣିଚି, ଆଲୋ ଝିଅ ! ତୁମେ ଆଦୌ ବୁଝି ନାହିଁ । ଏ ଯୋଉ ମଣି, ୟା ଗୁଣ ତୁମେ ନ ଜାଣି ଭଲ ଭଲ ସିନା କ‌ହୁଚ- ସାରୁ ଭିତରେ ମାରୁ ନ ଥାଇ ଯିବ କୁଆଡ଼େ ?" ଏପରି କେତେ କେତେ କଥା-

ଏଥର ମଣିର ଆଖିରେ ଲୁହ ଆସିଲା- ସେ ବିପଦ ଗଣିଲା । ତାର ବିପଦ ଯୋଗ ଆସୁଚି । ସରୋଜ ତାକୁ ଛାଡ଼ି ଯାଇଚି, ଏହି ଦୁଃଖ କଷ୍ଟ ପାଇଁ । ବୁଢ଼ୀର ଗୁଣ ଅନୁଭବ କରିବାକୁ ଏତେ ବଡ଼ ଶିକ୍ଷିତା କୁମାରୀ କବିର ହୃଦୟ ବେଶ ଶକ୍ତ ଥିଲା । ସେ ବୁଝିଲା ଏ ଧନର କାଙ୍ଗାଳ । ଆଉ ଏକ ମିନିଟ ସମାଳିଲା ନାହିଁ । ଚାଉଳ ଇତ୍ୟାଦି ସାଧାରଣ ପଦାର୍ଥ ଘରର ଚାବିଟାମାନ ଶୀଘ୍ର ବାହାର କରି ତଳକୁ ଯାଇ ପିଉସୀ ହାତରେ ଦେଇ ଦେଲା । କ‌ହିଲା- "ନାନି ! ଏ ଚାବିଟାମାନ ତୁମେ ରଖୁନାହଁ- ସେ ପୂଜାରୀ ମୋତେ ସଦାବେଳ ଖାଇ ପକୋଉଚି । ତମେ ତାକୁ ଜିନିଷ‌ପାତି ଏଣିକି ଦେବ ।"

ବୁଦ୍ଧିମତୀର କ‌ହିବା ଚାତୁରୀରେ ବୁଢ଼ୀର ଖଳତୁଣ୍ଡର ଚିନ୍ତା ଦବିଗଲା । ସେ ଦାନ୍ତୁରୀ ହସରେ କ‌ହିଲେ "ହଉ ହଉ ଜେମା-" ଏହା କ‌ହି ଆନନ୍ଦରେ ତାକୁ ନେଇ କାନିରେ ବାନ୍ଧିଲେ ।

କିଛିଦିନ ପରେ ଯେତେବେଳେ ତାଙ୍କର ଝିଅ ଘର ଉଜ୍ୱଳ କରି ପ୍ରକାଶିତ ହେଲେ, ତେତେବେଳେ ଶାନ୍ତି- ଆନନ୍ଦ ମଣି କୋଠରୀରୁ

କୁଆଡ଼େ ଦୂର ହୋଇ ଗଲା । ଏ ରାଣୀଙ୍କର ବୟସ ୩୦ ପର୍ଯ୍ୟନ୍ତ । ଏ ନିଃସନ୍ତାନ ବତୀ; ତ‌ଥାପି ଆଶାନ୍ୱିତା । ତାଙ୍କର ହାତରେ କାଚ ଅଛି; ସେ ବିଧାବାମାନଙ୍କ ଅପେକ୍ଷା ପରମ‌ଭାଗ୍ୟବତୀ ବୋଲି ତାଙ୍କର ଗର୍ବ ।

ହଠାତ୍ ଘରେ ପ‌ହ‌ଞ୍ଚି ମଣିକୁ ଦେଖି କ‌ହିଲେ, "ବୋଉ- ! ଏଇ କି ଲୋ ସେଇ ଗରିବ ଘର ପିଲାଟା ? କେଡ଼େଟିଏ ତ ହୋଇ ଗଲାଣି । ପାଣ ପଠାଣ କୋଉ ଜାତିର କଣ ଜଣାଗଲା ବୋଉ ?

ବୁଢ଼ୀଙ୍କୁ ପ୍ରଥମେ ଏହି କଥା ଶୁଣିବାକୁ ଟିକିଏ ଅଳ୍ପରେ କଷ୍ଟ ହେଲା; ମାତ୍ର ସେ ଭାବି ନେଲେ, "ହଁ, କ୍ଷତି କଣ- ମଣି କଣ ସେଇୟା ନୁହେଁ କି ? ମୋ ଝିଅତ ମୁହେଁ ମୁହେଁ କ‌ହିବା ବାଲା, ସେ କିଆଁ ସମାଳିବ ? ଅସଲ କଥା କ‌ହିବାରେ ଲାଜ କିଆଁ ?"

ମଣି ଏତେ ଆଦରରେ ପିଉସୀ ଝିଅ ଭଉଣୀକୁ ଓଳଗି ହୋଇ ଆନନ୍ଦରେ ଆସି ଯେଉଁ ଉପ‌ହାର ପାଇଲା, ତାହା ତାହାର ପ୍ରଥମ ସ୍ୱର୍ଣ୍ଣ ପଦକ । ତେବେ ସେ କଥାରେ ସେ ବିଚଳିତ ହେଲା ନାହିଁ । ଆଉ କି ଉପ‌ହାର ଅଛି, ପାଇବ ବୋଲି ଚାହିଁ ରହିଲା ।

ବୋଉ ଝିଅଙ୍କ କଥା ଶୁଣି ଉତ୍ତର କଲେ- "ହଁ, ହଁ ବିଚରାଟି ମୋର ଭାଇ ଥିଲା ବୋଲି ଥଳ କୂଳରେ ରହିଲା । ନୋହିଲେ ତ ଶେଷ ହୋଇ ଯାଇଥାନ୍ତା । ସରୋଜ ପରା ଏଇ ପୋଡ଼ାକପାଳୀ ପାଇଁ ବୁଲି ବୁଲି ଥକିଲାଣି ଲୋ ମା'- ଏ ରୂପକୁ ବର କୁଠୁ ଆସିବ ?"

ଏ ସବୁ ସତ୍ୟବାଦିତା ମଧ୍ୟରେ କି ଆନନ୍ଦର ମାଧୁରୀ ଧାରା ଗୁପ୍ତେ ଗୁପ୍ତେ ରହିଥିଲା, ତାହା ଦୀର୍ଘନିଃଶ୍ୱାସ ଛାଡ଼ି ଅନୁଭବ କରୁଥିଲା ମଣି ! ତାର ଆଖି ଛଳ ଛଳ ହେବା ସାଙ୍ଗେ ସାଙ୍ଗେ ପିଉସୀଙ୍କ

ରୂପବତୀ କନ୍ୟା କ‌ହି ଉଠିଲେ- "କିଲୋ ଝିଅ ! କାନ୍ଦେ ନାଁ, କାନ୍ଦେ ନାଁ- ଯୋଉ ଘର ତୋତେ ଛତରଖିଆରୁ ଆଣି ଘରେ ଏତେ ବଡ଼ କରିଚନ୍ତି, ସେ କଣ ଆଉ ପାଞ୍ଚ ପଚିଶ ଟଙ୍କା ଖର୍ଚ୍ଚ କରିବେ ନାହିଁ ?..." ଏଥର ଦୃଷ୍ଟି ପଡ଼ିଗଲା ମଣିର ଗ‌ହଣା ଉପରେ । "ମଲା ମୋର ! ଏବେ ଏଇ ପିତଳ ସାଜ ଉପରେ ଭାରୀ ଦୃଷ୍ଟି ପଡ଼ିଚି । କାନରେ ହାତରେ ଏମିତି ପିତଳ ଜିନିଷ ଲଗେଇବାକୁ ଆମେ ଚାହୁଁ ନାହିଁ ଲୋ ମା' ! କରିବ ତ କରିବ ରୂପାରେ ଦିଖଣ୍ଡ କରିବ, ସୁନାରେ, ଦିଖଣ୍ଡ କରିବ । ଆହା ! ଗରିବ ସୁନାରୂପା କୋଉଠୁ ପାଇବେଟି ? ଏଥର ଠାକୁରାଣୀଙ୍କର ଦୟା ହେଲା- ।

ମଣି ସବୁ ଶୁଣିଲା, ମାତ୍ର କିଛି କ‌ହିଲା ନାହିଁ । ମାଆ ଝିଅ କେତେ ଯେ କଣ କଥାବାର୍ତ୍ତା ହେଲେ ତାହା ଲେଖି ହେବ ନାହିଁ ।

ହାୟ ! ଯେଉଁ ମାନେ-

"ଚାନରାଣାଂ ବିବାହେତୁ ଗର୍ଦ୍ଦଭାଃ ସ୍ତୁତିପାଠ କାଃ ।
ଅନ୍ୟୋନ୍ୟେତେ ପ୍ରଶଂସନ୍ତେ ଅହୋ ରୂପ ମହୋଧ୍ୱନି ।"

ସେମାନଙ୍କ ଦୃଷ୍ଟିରେ ପରମ ରମଣୀୟ କାନ୍ତି- ସୁନ୍ଦରୀ ରାଣୀ ମଣିର ମଣିମୟ ଦେହ ଯେ ଅସୁନ୍ଦର ନ ହେବ- ତାର ୩୦୦୦ ଟଙ୍କାର ଗ‌ହଣା ଯେ ପିତଳ ନ ହେବ- ତ‌ହିଁରେ ସନ୍ଦେହ କଣ ? କୌତୂହଳୀ ମଣି ସବୁ ଶୁଣି ଅଳ୍ପ ହସି ଅଳ୍ପ କାନ୍ଦି ଘରକୁ ଗଲା । ଭାଇଙ୍କର ଚିଠି ଆସିଥିଲା, ସେ ଉତ୍ତର ଦେଇ ବସିଲା । ସେଥିରେ ପିଉସୀଙ୍କ ଝିଅ 'କନ୍ଧ'ର ଆଗମନ ଲେଖି ଦେଲା ।

ଆଜିକାଲି ମଣିର ଦିନ ଗୁଡ଼ିକ ଶୀଘ୍ର କଟିଲା ନାହିଁ । ଏ ପୋଡ଼ା ପାଷଣ୍ଡୀ ମା ଝିଅ ବୁଝିଲେ ନାହିଁ ଯେ, ଏ ବାଳିକା ପରମ ଶିକ୍ଷିତାକବି । ଏହାର ବିବାହ ପାଇଁ ଶତଶତ ବଡ଼ ବଡ଼ ଘରର ପୁଅ ଇଚ୍ଛୁକ; ମାତ୍ର ସରୋଜ ସର୍ବଗୁଣ ସଂପନ୍ନ ଭାବରେ ବର ଖୋଜୁଛି । ଏ ଗୃହକୋଣ ଚାନ୍ଦିନୀ ମାର୍କଟା ତାକୁ ଅସୁନ୍ଦର କୁତ୍ସିତ ବର୍ଣ୍ଣନା କରି ଦୂର ଦୂର କରୁଚନ୍ତି- ଯେପରି ସେ ଆଦୌ ଏମାନଙ୍କ ସଂସ୍କୃତ କଳ୍ପନା ବୁଝି ପାରୁ ନାହିଁ । ହାୟ ! ହାୟ ! ହାୟ !

ଆଗରୁ ତ ଚାବିକାଠିଟି ବୁଢ଼ୀ ପାଇ ଯାଇଥିଲେ । ତେଣୁ ଆଜି କାଲି ଘରଧନ ବିକିରି କିଣିରି ଲୁଚାଇ ଲୁଚାଇ କରିବାକୁ ତାଙ୍କୁ ବେଶ ସୁବିଧା ମିଳୁଥିଲା । ଚାକର ବାକରଙ୍କ ଠାରୁ ଶୁଣିଲେହେଁ ଏବଂ ସ୍ୱୟଂ ଦେଖିଲେହେଁ ମଣି କିଛି ମାତ୍ର କ‌ହେ ନାହିଁ- ତୁନି ହୋଇ ରହେ ।

ଦିନେ ମଣି ପଚାରି ଦେଇଥିଲା "ପିଉସି ! ସେ ମହଣକ ଡାଲି କଣ ସରିଗଲାଣି ?" ଆଉ କ‌ହିବାକୁ ଅବସର ନ ଦେଇ ବୁଢ଼ୀ ଯାହା ବକିଥିଲା, ଛାଡ଼ । ଶୁଣିଲେ ହୃଦୟ କଣ ହେଇଯିବ ।

"କିଲୋ ତୋର ଏଡ଼େ ମଗଦୂର- ଏ ଘରେ ତୁ କଣ ରଜା- କିଏ ଖାଇଗଲା କି? ଆଲୋ ମୁଁ ଚୋରଣୀ ନୁହେ ଲୋ- ମୁଁ ଘର କିରିଚି ମ ମା'- ମୋ ଘରେ ତ ଅଚଳାଚଳ ସମ୍ପତ୍ତି ଥିଲା- କେତେ କାହାକୁ ବାଣ୍ଟି ଦେଇଚିଲୋ ଝିଅ । ଆଜି ମୋର ସବୁ ମରି ହଜିଗଲେ ବୋଲି ନାହିଁ । ଏ ସମ୍ପତ୍ତି ମୋର ମୂଢ଼ି ଖିଆକୁ ନିଅଣ୍ଟ-

ସେଠୁ ଝିଅ ବାହାରି ପଡ଼ିଲେ- ମୋର ମାମୁଁର ତ ଘର- ଏ ଛତରଖାଇର ଗଲା କଣ ? କିଲୋ, ଏହାରି ତଳେ ଚାକିରି କରି ଆସିଚୁ କିଲୋ, ଶେଷ କାଳକୁ, ମଲା ଯେ-

ପରଧନରେ ଲହର ପ‌ହର
ଛଡ଼େଇ ନେଲେ ବିକଳେ ମର ଏ ମା- ତୁ ସିମିତି କଥା କ‌ହିବୁ ନାହିଁ- ତୁ ପରା ଛୋଟଘର ଝିଅ, ତୁ ବଡ଼ କଥା କାହୁଁ ଜାଣିବୁ । ପାଠରେ ନାଇଁ ଲୋ ମା ସେ କଥା ।

ମା ଝିଅ ଠିକ ମୋଫସଲି କଜିଆଖୋରଣି ପରି ତାକୁ ଆଉ କଥା କ‌ହିବାକୁ ଦେଲେ ନାହିଁ । ତାଙ୍କର ମନ, ଯଦି କିଛି ଉତ୍ତର କରନ୍ତା ତେବେ ଝାଡ଼ୁ ବାଡ଼ି ବେଇ ବାହାର କରିଦିଅନ୍ତୁ ।-

ହାୟ, ହାୟ ! ବୃଦ୍ଧା ସେ କିଏ- ତାକୁ ତୁମେ ଚିହ୍ନିନାହଁ ? କାହା ପ୍ରତି ଆଜି ଏ ଅତ୍ୟାଚାର କରୁଚ, ସରିଯାଇଚି ବୋଇଲେ ଆଉ ସେ ଅଣାଇ ଦେବ ଏଥିପାଇଁ ପଚାରିଥିଲା- ତୁମର ଏହି ଚାଉଳ ଡାଲି ବିକ୍ରୟକୁ ସେ ଖାତିର କରେ ନାହିଁ । ଯେ ଇଚ୍ଛାକଲେ ଜଣକୁ କ‌ହି ତୁମ୍ଭଙ୍କୁ ଧନରତ୍ନରେ ପୋତି ଦେଇପାରେ ତା'ଉପରେ ଏ ଭଳି କର୍କଶ ବାଣୀ । ଏ ଯେ ମୋଫସଲ ନୁହେଁ- ସେ ଯେ କଜିଆଖୋରଣୀ ନୁହେଁ- ସେ ଭଦ୍ରମହିଳା ।

କିପରି ଦିନଯାଏ- ରାତି ଆସେ, ରାତି ଯାଏ- ଦିନ ଆସେ, ଏହା ମଣିର ହୃଦୟ ବୁଝିପାରିଲା ନାହିଁ । ସର୍ବଦା ପ୍ରଭୁଙ୍କୁ ଡାକିଲା- ସେ କିପରି ଏ ଦୁଃଖରୁ ତ୍ରାଣ ପାଇବ । ସରୋଜ ପାଖରୁ ବାରମ୍ବାର ପତ୍ର ପାଏ, ମଧ୍ୟ ଦିଏ । ମାତ୍ର କେବେ ଏ କଥା ଲେଖେ ନାହିଁ । କିପରି ଲେଖିବ, କଣ ଲେଖିବ, ଠିକ୍ କରିପାରେ ନାହିଁ- ଲେଖିଲେ ସରୋଜ କଣ ଭାବିବ ? ସେ ଯଦି ତା' କଥାରେ ବିଶ୍ୱାସ ସ୍ଥାପନ ନ କରେ- ତେବେ ? ପୁଣି ଏହି ଛାର କଥାଗୁଡ଼ାକ କଣ ଲେଖିବ ?

ଆସ୍ତେ ଆସ୍ତେ ଅଙ୍ଗୁଳି ପ୍ରବେଶାତ୍ ବାହୁ ପ୍ରବେଶ ପରି ମା ଝିଅ ମଣିକୁ ଦାସୀପରି ଚକ୍ଷୁରେ ଦେଖିଲେ । ତାର ସ୍ୱଭାବ- ସେ କୌଣସି କଥାର ଉତ୍ତର ଦେଇ ପାରେ ନାହିଁ କିମ୍ବା ଏହି ବିଶାଳ ସଂପତ୍ତିର ରକ୍ଷଣାବେକ୍ଷଣ ତାର ହାତମୁଠାରେ ଥିଲେହେଁ ସେ ନିଜକୁ ପରିଚାଳିକା ଭାବିପାରେ ନାହିଁ । ତାର ଇଜ୍ଜା ଆସେ । କେବେ ଆମଘର ବୋଲି ସେ ଏହି ବଦ୍‌ମୁଖାମାନଙ୍କ ନିକଟରେ କ‌ହେ ନାହିଁ । ତ‌ଥାପି ତା ଉପରେ ପ୍ରହାର । ଏପରି କେତେ ଦିନଯାଏ ବାଳିକା ଉପବାସରେ ଦିନରାତି କଟାଇ ଦିଏ- ଏପରି କେତେଦିନ ଆସେ, ସେ ଚିନ୍ତାରେ ଜଡ଼ ହୋଇ ଶୋଇ ଶୋଇ କାନ୍ଦି କାନ୍ଦି ଦିନଟାକୁ କଟାଇଦିଏ । ରାତି ହେଲେ ଚାକର ଟୋକାଟିକୁ ଧରି ଶୋଇପଡ଼େ । ହାୟ ! ତାର ଏହି ଦୁଃଖମୟ ଜୀବନର କାହାଣୀ ଲେଖିବାକୁ ସ‌ହଜେତ ସେ ସଙ୍ଗୀହୀନ; ପୁଣି ଯେ ତାର ଭାଷା ଥିଲା ବ୍ୟକ୍ତ କରିବାକୁ, ତାହା ମଧ୍ୟ ପାଏ ନାହିଁ । କେବେ କେବେ ସରୋଜକୁ ଭାବିଭାବି, ଭବିଷ୍ୟତ ସୁଖ କଳ୍ପନାରେ ଦିନଟି କଟାଏ ।

ଅତିଶୟ ଯାତନା ମଧ୍ୟରେ ମଣି ତାର ପ୍ରେମମୟ ଚିନ୍ତାରେ ଦେଢ଼ମାସ କାଳ କାଟି ଦେଲା । ବୁଢ଼ୀ ସାଙ୍ଗ ସାଥୀ ହୋଇ ଘରର ପୁରୁଣା ଚାକରାଣୀ ଠାରୁ କେତେଗୁଡ଼ିଏ କଥା ସଂଗ୍ରହ କରିଥିଲେ ଯେ, ବାବୁ ଏଇ ମଣିଯୋଗେ ବିଭା ହେଉ ନାହାନ୍ତି ! ତାକୁ ବିଭା କଲେ ସେ ବିବାହ କରିବେ । ଆଉ ମଣିର ଇଚ୍ଛା ତାଙ୍କୁ ବିଭାହେବା ପାଇଁ ।

ବୁଢ଼ୀ ସେତିକି ଶୁଣି ଖଡ଼ ଖଡ଼ ହେଉଥିଲା । ଦେଖିଲା, ମଣି ତଳକୁ ଆସୁଚି; ତାକୁ ପାଖକୁ ଡାକି ପଚାରିଲା- "କିଲୋ ଝିଅ, କି ହୀନ କପାଳରେ ଜନ୍ମ ହୋଇଥିଲୁ- ଗୋଟିଏ ବଉଁଶ ଖାଇ ତ ଛତର ଯାଏ ଗଲୁ । ଆଉ କଣ ମୋ' ବାପଘରକୁ ସେମିତି କରିବୁ ଭାବିଚୁ କି ? କିଲୋ, ତୋର ଏତେ ମଗଦୁର ଯେ, ତୋର ସରୋଜଠେଇ ମନ ? ଯା, ଯା ଛି- ଛି- ଏକଥା ମନରେ ଧରନ୍ତି ଟିକି ? ସବୁକଥା ମୁଁ ବୁଝି ନାହିଁ । ତୁ ଏବେ ତୋ ବାଟ ଧ- ବୃଥାରେ ଏଠି ରହି ତୋର ଲାଭ କଣ ?" ମଣି ଆଉ ସମାଳି ପାରିଲା ନାହିଁ, କାତର ସ୍ୱରରେ "ପିଉସି ! ଏହି ସବୁ କଥା ଛଡ଼ା ତୁମ୍ଭର ଅନ୍ୟ କିଛି କଥା କ‌ହିବାକୁ ମୋତେ ନାହିଁ । ସର୍ବଦା ଏପରି କଟୁ କଥା ମୋତେ କ‌ହି କି ସୁଖ ପାଉଚ ଭଲା ?"

ଏତିକି କ‌ହି କାନ୍ଦି ପକାଇଲା । ଆଜି ସେ ଏତେ ନିର୍ଯ୍ୟାତନା ମଧ୍ୟରେ ଏହି ପଦକ କ‌ହିଲା, ମାତ୍ର ମା ଝିଅ ଗର୍ଜି ଉଠିଲେ-

"ଆଲୋ ମାଆ ଲୋ, ଜବରଦସ୍ତି ଏ ଛତର ଖାଇର ! ଏଡ଼େ ଟାଣୁଆ ! ଆରେ- ଭଲ କ‌ହିଲେ ଭେଲ ଲାଗୁଚି । ଏ କାଳ ତ ହେଇଚି ତା । ହଉ ହଉ ଝିଅ- ମୋ' କଥା ମତେ ଫେରେଇ ଦେ- ଆଉ କ‌ହିବି ବୋଇଲେ-"

ଝିଅ ମୂର୍ତ୍ତି ଚମକି ପଡ଼ି କଥାରେ ବାଧା ଦେଇ କ‌ହିଲେ- "କିଆଁ ଲୋ ! ତାକୁ ଡରି କଥା କ‌ହିବେ ନାହିଁ- କଣ ସୁନ୍ଦର ରୂପ ଦେଖି, ନା ବଙ୍ଗାଳୁଣୀ ଛଇ ଦେଖି ? ସକ କାଢ଼ିଚି- ହକ‌କଥା କ‌ହିଲେ କାନ୍ଦ !"

ମଣି କିଛିମାତ୍ର ଆଉ କ‌ହିଲା ନାହିଁ- ସେ ଏହି ଦେଢ଼ ମାସମଧ୍ୟରେ ଏପରି କେତେ ଶୁଣୁଛି, କେତେ କାନ୍ଦିଛି । ତାହାର ଏହା ତ ପୁରସ୍କାର ! ସେ କାନ୍ଦିବ, କାନ୍ଦ ତ ତାର କେହି ମନା କରିବେ ନାହିଁ । ତେବେ ମଧ୍ୟ ଏ ରାକ୍ଷସପୁରୀରେ ସେ ମନା ପରା ! ଏ ବୁଢ଼ୀ ଏପରି ଗୋଟାଏ ସ୍ତ୍ରୀ ଯେ ସର୍ବଦା ଚବିଶ ଘଣ୍ଟା ପାଟି ନ କଲେ ତାଙ୍କର ମୁକ୍ତି ନାହିଁ- ଧନ୍ୟ ତାଙ୍କର ପାଟି ! କେହି ପାଖରେ ନ ଥିଲେ ସୁଦ୍ଧା ମନ‌କୁ ମନ ସେ କଥା ହେବେ । ଯଦି ଘରେ କୌଣସି ଠାରେ ଟିକିଏ କଣ ତାଙ୍କ ମତର ଓଲଟା ଦେଖିବେ, ତେବେ ଦିନ ରାତି ବକ ବକ ହେଉଥିବେ ଏବଂ ବକ ବକ ଦେଖି ଚାକର ପୂଜାରୀ ପଳାଇବାକୁ ଇଚ୍ଛା କଲେଣି; ମାତ୍ର

ମଣିର କୋମଳ ଇଙ୍ଗିତକୁ ଛାଡ଼ି ଚାଲି ଯାଇ ପାରୁ ନାହାନ୍ତି । ଦିନ ରାତି ବକ ବକ ହେଲେ ମଣିଷ କେତେ ସ‌ହିବ- କେତେ ଶୁଣିବ ? କ‌ହିବାକୁ କାର ସାଧ୍ୟ ? କ‌ହିଲେ କାର ଚୁଟି ପିଠି ତ ରହିବ ନାହିଁ ।

ଯଦି କେହି ଖାଇ ଜାଣେ- ତେବେ ତାଙ୍କ ମା ଝିଅ; ଯଦି କେହି ଦାନ ଧ୍ୟାନ କରେ- ତେବେ ତାଙ୍କର ଘର; ଯଦି କେହି ସୁନ୍ଦର ତେବେ ସେ ନିଜେ । ସମସ୍ତଙ୍କର ବାହୁନା । ନିଜେ ମାଙ୍କଡ଼ ପରି ସୁନ୍ଦର-ମାତ୍ର-ଅପରର ନାକ କାର ବଂଶୀ ପରି- ଆଖି କାର ନୀଳକଇଁ ପରି, ମୁହଁ କାର ଗୋଲାପ କଢ଼ି ପରି- ପଦ୍ମ‌ଫୁଲ ପରି- ବାଳ କାର ଭ୍ରମର ପରି; ଏଗୁଡ଼ାକୁ ସୁନ୍ଦରୀଶିଖରା ବାହାଡ଼ାଦାନ୍ତି ଚେପଟାନା‌କୀ ବଳଦଆଖି ଲୋଦରପେଟି ଘୋଡ଼ାଗୋଡ଼ି ଆଦୌ ପସନ୍ଦ କରନ୍ତି ନାହିଁ । ତାଙ୍କ ପରି ଯାହାର ଅଙ୍ଗ ପ୍ରତ୍ୟଙ୍ଗ, ସେ ମହାମହିମାମୟୀ- ସୁନ୍ଦର ସଂସାର ରାଜରାଜେଶ୍ୱରୀ । ଧନ୍ୟରେ ସଂସାର ! ଏଗୁଡ଼ିକୁ କେବେ ତୋ କୋଳରୁ ବିଦାୟ ଦେବୁ ?

ମଣି ସକାଳେ ଟେଲିଗ୍ରାମ ପାଇଚି ଯେ, "ସରୋଜ ଏକା ଆଜି ଆସି ସନ୍ଧ୍ୟାବେଳେ ପ‌ହ‌ଞ୍ଚିବ ।" ସରୋଜ ଫେରି ଆସିବାର ପ୍ରଧାନ କାରଣ ମଣିର ଲେଖାରେ ମାଧୁରୀଶୂନ୍ୟତା ଦେଖି । ମଣିର ଚିଠି ଏବେ କିପରି ବିପଦ ଗ୍ରସ୍ତର ଲେଖା ପରି ଜଣା ଯାଏ । ତାହା ପଢ଼ି ସରୋଜର ସନ୍ଦେହ ହେଲା । ସେ ଜାଣେ ଯେ, ତାର ପିଉସୀ ମୋଫସଲର ଲୋକ । କାଳେ ମଣିକୁ କିଛି ହୀନସ୍ତା କରି ଥିବ ? ସନ୍ଦେହ ଦୋଳାରେ ଦୋଳାୟମାନ ହୋଇ ସରୋଜ ଘରକୁ ଫେରିଲା । ତାର ମଧ୍ୟ ଫେରିବାର ସମୟ ହୋଇଥିଲା । କାରଣ ୧୦ ଦିନ ହେଲା ବିନୋଦ ତାକୁ ଛାଡ଼ି ଚାଲି ଯାଇଥିଲା । ସ‌ହରରେ ଆଉ ବେଶୀ ଦିନ ରହିବାର ପ୍ରୟୋଜନ ନାହିଁ- ଢେର୍ ସେ

ଦେଖିଲା । ମଣି ପାଇଁ ବର ସଂବନ୍ଧ କରି ଆନନ୍ଦରେ ଫେରିଲା । ମଣିପାଇଁ କେତେକ ସୁନ୍ଦର ସୁନ୍ଦର ଜିନିଷ କିଣିଲା, ଆଉ ଶୁଣିଥିଲା ତାର ପିଉସୀ ଝିଅ ଭଉଣୀ ଆସଚି- ସେଥିପାଇଁ ଏଣୁ ତେଣୁ କିଛି କିଣି ଘରକୁ ଅଇଲା ।

ମଟରକାରଟା ତା ସ‌ହିତ ରହିଥିଲା । ସକାଳେ ଟେଲିଗ୍ରାମ ପାଇ ମଣିର ଆନନ୍ଦ ଆସି ଥିଲା । ସେ ଛନ ଛନ ହେଉଥିଲା ଭାଇକୁ କେତେ ବେଳେ ଦେଖିବ- ମାତ୍ର ପିଉସୀଙ୍କ ସ୍ନେହସ୍ପର୍ଶରେ ତାର ହୃଦୟ ଭାଙ୍ଗି ପଡ଼ିଲା । ତାକୁ ଯେ "ଅସତୀ- **** ପ୍ରଭୃତି ଗାଳି ଦେଲେ ତାର ମନରେ ତାହାହିଁ ବେଶୀ ଭେଦିଲା । ତେବେ ସେ କଣ ଏହିପରି ? ଜୀବନଟାକୁ ଏହି ପାପ ମଧ୍ୟରେ ଜୀବନ୍ତ ରଖିବାର ପ୍ରୟୋଜନ କଣ ? ଭାବିଲା ନଷ୍ଟ କରିଦେବ, ମାତ୍ର ପୁଣି ଭାବିଲା ନା- ଏହା ଯେ ଜଣକ ପାଇଁ ଉତ୍ସର୍ଗୀକୃତ । ତାହାର ହୃଦୟରେ ଆକାଶ ପାତାଳ ଚିନ୍ତା ଅଇଲା । ଅଭିମାନରେ, କୋହରେ ତାର ଛାତି ଫାଟିଗଲା ପରି ଲାଗିଲା । ତାର ମନ ହେଲା, ଏହିକ୍ଷଣି ସେ ମରିଗଲେ କ୍ଷତି କଣ ହୁଅନ୍ତା ? ସରୋଜ ତ ତାର ପିଉସୀକୁ ଧରି ଗୋଟିଏ ବିବାହ ହୋଇ ମହାସୁଖରେ ରହନ୍ତା, ଆଉ କଣ ? ମାତ୍ର ପୁଣି କିଏ ଯେପରି ତାକୁ ନାହିଁ କଲା, "ନା- ସେ ଆତ୍ମହତ୍ୟା ନିତାନ୍ତ ଗୁଢ଼ପାପ । ଅନ୍ଧକାର ପରେ ଆଲୋକ ଅଛି; ସ‌ହିଯାଅ କୁମାରି, ସ‌ହିଯାଅ । ତୁମର ଜ୍ଞାନ ଅଛି, ତୁମଙ୍କୁ ଏହି ପାଷଣ୍ଡ ହୀନ ଅବିବେକିନୀ କେହି 'ଅସତୀ' କ‌ହିଲା ବୋଲି ତୁମେ ବିଚଳିତ ହୁଅନା । ମା ଜାଣିଥାଅ- ତୁମର ଆତ୍ମ‌‌ପ୍ରତ୍ୟୟ ଯେବେ ତୁମଙ୍କୁ ପାପୀ ବୋଲି ବିଶ୍ୱାସ ଦେଉ ନାହିଁ, ତେବେ ତୁମେ ଅପର କାହାର କେଉଁ ହୀନ ଅମନୁଷ୍ୟର କଥାରେ ନିଜକୁ ପାପୀ ବୋଲି ବିଶ୍ୱାସ କର ନାହିଁ ।"

ମନରେ କେତେ ଭାବ ଆସିଲା । ମାତ୍ର ଆଖିର ଲୁହଧାର କୋମଳ ବଦନର ଆକର୍ଣ୍ଣବିଶ୍ରାନ୍ତ ଚକ୍ଷୁରୁ ବନ୍ଦ ହେଲା ନାହିଁ । ଖାଇବାକୁ ଚାକର

ଟୋକା କେତେ ଡାକିଲା, ମାତ୍ର ସେ ଉଠିଲା ନାହିଁ । ନିସ୍ତବ୍ଧ ଭାବେ ଭୟଙ୍କର ଅଭିମାନ ସମୁଦ୍ରରେ ବୁଡ଼ି ରହି ପଡ଼ି ରହିଲା । କଳ୍ପନା କଲା- ସେହି ଦାରିଦ୍ର୍ୟ ପୀଡ଼ାରେ ତାର ବ‌ହୁଦିନ ପୂର୍ବେ ମୃତ୍ୟୁ ହୋଇଥିଲେ କ୍ଷତି କଣ ହୋଇଥାନ୍ତା ? ଏହି ତିରସ୍କାର, ମର୍ମନ୍ତୁଦ ଅପମାନ ଅପେକ୍ଷା ତ ବରଂ ଭଲ ହୋଇଥାନ୍ତା । ତେବେ ବିଧାତା ତାକୁ ନ ମାରି ଏପରି ଦାବ ଦ‌ହନ କରିବାକୁ ରଖିଲା କାହିଁକି ? କାନ୍ଦୁ କାନ୍ଦୁ ଭାବୁ ଭାବୁ ଶୋଇ ପଡ଼ିଲା ।

ସରୋଜ ଘରେ ଚୁପ୍ କରି ପ‌ହ‌ଞ୍ଚି ପିଣ୍ଡାରେ ପାଦ ଦେବା ମାତ୍ରେ ଶୁଣିଲା- କଳି ଗୋଳର ବିକଟ ଶବ୍ଦ । ତାର ମନରେ ଆସିଲା, ବାସ୍ତବରେ କଳ୍ପନାଟା ଠିକ୍ । ଆହା ! କୁସୁମକୋମଳା ମଣିଟିକୁ ମୋର ତ ଏହିପରି କଣ କ‌ହି ଝାଉଁଳାଇ ଦେବେଣି !

ଆଉ ଟିକିଏ ପାଖକୁ ଗଲା- ଶୁଣିଲା ମା' ଝିଅ ପାଟିମାନ ଓସାରି ଏପରି କଥା ସବୁ କ‌ହୁଚନ୍ତି, ଯହିଁରେ ପକାଘର ଖଣ୍ଡ ଦୁଲୁ ଦୁଲୁ କରୁଚି ।

ବୁଢ଼ୀ ଏଠି ପାଣି ଟିକିଏ ଢାଳିଦେଇ- ସେଠି ଖଡ଼ିକା ଖାଡ଼ୁଟା ଟିକିଏ ମାରିଦେଇ କ‌ହି ଚାଲି ଯାଉଚି- "ଏ ନିଆଁଲଗା ପୋଡ଼ପାଡ଼ ଘରେ ପାଣି ଟିକିଏ କଣ ଅଛି ? ସମସ୍ତେ ତ ନବାବ । ଆଲୋ ଖଟେଇ ଖଟେଇ ମାରି ଦେବେ ଲୋ ? ମଣିଷ ଯୋଉଥିରେ ହାତ ନ‌ଦେଲା ତା ନ ହେଲା । ମୋ' ମାଲୋ- ଜେମାମଣି । ଏ ତ ସତେ ଜେମାମଣିଟିଏ ! ଇଏ ଗେଲବସର ହୋଇ ରୁଷିଲେ । ତାଙ୍କ ସାଙ୍ଗରେ ଚାକର ପୂଜାରୀ ସାଙ୍ଗ ହୋଇ ରୁଷିଲେ । ରୁଷରେ ବାପା ରୁଷ । ଆମେ ତମ ଭଲପାଇଁ କଥା କ‌ହିଲୁଁ । ଯେ ଯେତିକିର ଲୋକ ସେତିକିରେ ଚଳ । କାଲି ତ ଛତର ଖାଇ ବାରଦ୍ୱାର ଶୁଣ୍ଢିପିଣ୍ଡା ହେଉଥିଲ, ଆଜି ରାଜଭୋଗ

କଲ ବୋଲି କଣ ବଡ଼ଲୋକ ହୋଇଗଲ । ବଡ଼ ଘରେ ଅଛ ନିଜ ପଦଟିକୁ ଜଗି ଚଳିବ କି ?

ସରୋଜ ଆଉ ଶୁଣିପାରିଲା ନାହିଁ । ପାଟିର ଧାରା ଲମ୍ବି ଲମ୍ବି ଯାଉଥିଲା । ସେ ସମସ୍ତ ବାକ୍ୟବାଣ ତାର ସ୍ନେହମୟୀ ଉପରେ ପଡ଼ିବାର ସେ ଶୁଣିଲା । ତାର ମନ ବଡ଼ ଦୁଃଖ ହେଲା, ସେ ବଡ଼ ଭୁଲ୍ କରିଚି । ସେ ଜାଣିଶୁଣି ନାଗସାପ ଗାତରେ ହାତ ଭରତି କରିଚି- ସେ କାମୁଡ଼ିବ ନାହିଁ ତ କିଏ କାମୁଡ଼ିବ ?

ତା ପରେ ପିଉସୀଙ୍କ ଝିଅ ଭଉଣୀ ମହାଶୟା ଯାହା କ‌ହିଲେ, ତାହା ଶୁଣି ତାର ହୃଦୟ ବିଦାରି ହୋଇଗଲା । ଭାବିଲା, ଏମାନଙ୍କୁ ଏହି ମୁହୂର୍ତ୍ତରେ କାଳବିଳମ୍ବ ନ କରି ବିଦାୟ କରିଦେବି; ମାତ୍ର ପୁଣି ଧୈର୍ଯ୍ୟଧରି ସ‌ହିଲା । ଭାବିଲା- "ମଣି କିପରି ସ‌ହିଚି- ମତେ ତ ଆଦୌ ଲେଖିଲା ନାହିଁ । ଆହା, କି ସ‌ହଣି ପିଲା ? ଧନ୍ୟ କୁମାରୀ !" ତାର ଆଖି ସଜଳ ହେଲା । ଏଥର ସେ ଧୀରେ ଧୀରେ ଉପରକୁ ଉଠିଲା । ଦେଖିଲା, ଚାକର ଟୋକା ଦିବ ସିଡ଼ିପାଖରେ ଖାଙ୍କା ପେଟରେ ଶୋଇଚି; ତା ମୁହଁ ଦେଖିଲା, ସେ ଶୁଖିଲା । ଭାବିଲା, ଏପିଲା ଆଦୌ କିଛି ଖାଇନାହିଁ । ତାକୁ କୋମଳହସ୍ତ ସ୍ପର୍ଶ କରି ଉଠାଇ କ‌ହିଲା, "ଦିବ, ଅଇଲୁ-" କୋଳକୁ ଟାଣି ନେଲା । ଧୀରେ ଧୀରେ ମୂଳରୁ ଶେଷଯାଏ ତାକୁ ସବୁକଥା ପଚାରିଲା । ଦିବଟି ବଡ଼ ସୁନ୍ଦର ପିଲା । ସେଉଟି ସରୋଜ ଆଉ ମଣିର ଆଦରର ଧନ । ଠିକ୍ ପୋଷିଲା ହରିଣଛୁଆ ପରି । ଦିବ କାନ୍ଦି କାନ୍ଦି ସବୁ କଥା କ‌ହିଗଲା । ମଣିର ଅପମାନ କଥା ଶୁଣି ସରୋଜ ସମାଳି ପାରିଲା ନାହିଁ, କାନ୍ଦି ଉଠିଲା; ମାତ୍ର ସମାଳି ନେଲା । ଧୀରେ ଧୀରେ ଶୋଇବା ଘରେ ପଶିଲା ।

ଦେଖିଲା- ମଣି ବାହାର ପାଖକୁ ମୁହଁ କରି ଶୋଇଚି- ତାର ଆଖିରୁ ଲୁହ ବୋହି ବୋହି ଆଖି ଫୁଲି କଳା ପଡ଼ିଯାଇଚି- କୁନ୍ତଳ

ଆଲୁଲାୟିତ । ଲୁଗା ପଟା ଅସଂଯତ- ମୁହଁ ଶୁଖି ଯାଇଚି- ଦେହରେ ଯେପରି ପ୍ରାଣ ନାହିଁ ।

ତାର ମନେ ହେଲା, "ଏହି ବିକଚ ଶତଦଳଟିକୁ ମୁଁ କାହା ପାଖରେ ଦେଇଗଲି- ଯେ କୃମିର କୀଟ, ସେ ତାର କି ତ‌ତ୍ତ୍ୱ ନେବ ? ଆହା, ମୋର ଜୀବନର ଶ୍ରେଷ୍ଠ ଧନଟି କଣ ଏହି ଅବସ୍ଥା ? ତେବେ ବିନୋଦ କଥା ଠିକ୍- ?"

ବ୍ୟଥିତ ସରୋଜ କାନ୍ଦି କାନ୍ଦି ଯାଇ ମଣିକୁ କୋଳକୁ ଟାଣି ଆଣିଲା । ମଣିର ଆଖି ଫିଟିଗଲା । ସେ ଯାହା ଦେଖିଲା, ତାର ହୃଦୟ ପୁଷ୍ପ ଫୁଟିଉଠିଲା । ପ୍ରାଣରେ ପୁଲକ ଆସିଲା । ମନ ଦୁଃଖ କ୍ଳେଶ ଅଭିମାନ ଭୁଲିଯାଇ ଆନନ୍ଦରେ ନାଚିଲା; ମାତ୍ର ଅଭିମାନିନୀ ସରୋଜକୁ ଦୁଇ ବାହୁରେ ହୃଦୟ ପାଖକୁ ଟାଣି ଆଣିବାକୁ ଇଚ୍ଛାକଲା, ମାତ୍ର ପାରିଲା ନାହିଁ- ତାର ଆଖିରୁ ଠସ୍ ଠସ୍ ଲୁହଧାର ବ‌ହିଗଲା ।

ବ‌ହୁ ବେଳ ଧରି ଦୁହେଁ ଦୁହିଁଙ୍କୁ ଧରି କାନ୍ଦିଲେ । ଏହି କ୍ରନ୍ଦନରେ ବ‌ହୁଦିନର ଅଭିଶାପ ଦୂରହେଲା ପରା ! ସରୋଜ ମଣିକୁ କିଛି ପଚାରିଲା ନାହିଁ; ମାତ୍ର ଏତିକି କ‌ହିଲା- "ମଣି ଖାଇଚୁ- ? ମୁହଁ ତ ଶୁଖିଲା ଦିଶୁଚି ?"

ଆଜି ନିଦ ଭାଙ୍ଗିବା ସଙ୍ଗେ ତାର ପ୍ରିୟଦର୍ଶନ ହେବ; ସେ ଆଦୌ ଭାବି ନଥିଲା; ମାତ୍ର ପ୍ରଭୁଙ୍କ କରୁଣାକୁ ସେ ଶତ ଶତ ଧନ୍ୟବାଦ ଦେଇ କ‌ହିଲା- "ମୋର ଦେହ ଖରାପ ଥିଲା ବୋଲି ଖାଇ ନାହିଁ ।" ଏତିକି କ‌ହି ଭାଇଙ୍କ ପାଇଁ କିଛି ବନ୍ଦୋବସ୍ତ କରିବା ପାଇଁ ତଳକୁ ଗଲା । ଅଲାଜୁକ ଝିଅଟା ସମାଳି ପାରିଲା ନାହିଁ- ଝଟ୍‌କିନି କ‌ହିଦେଇ ଆସିଲା- ଭାଇ ଅଇଲେଣି । ବୁଢ଼ୀ ଏଥର ଚମକି ପଡ଼ିଲେ । ତେବେ ମଣି ବିରୁଦ୍ଧରେ ବାକ୍ୟବାଣ ସବୁ ପ୍ରସ୍ତୁତ କଲେ । ହାୟ, ଏତେ

ଅପମାନରେ ସୁଦ୍ଧା ଯେ ଛଳ କରୁ ନାହିଁ, ଯାର ଏ ବିରାଟ ସଂପତ୍ତି ନ‌ଖାଗ୍ରରେ- ଜଣେ ତା' ପାଇଁ ସମସ୍ତ ବ୍ୟୟ କରିପାରେ- ରାକ୍ଷସୀ ତାଠାରେ ତୁମର ଏ କି ବିରୋଧ ?

ସରୋଜ ମଣିକୁ ଆଉ କୌଣସି ବିଷୟ ପଚାରିଲା ନାହିଁ- ଦିବଠାରୁ ସେ ମାସସବୁର ପଞ୍ଜିକା ପାଇଯାଇଥିଲା । ସମସ୍ତେ ଉପରେ ରହି ସରୋଜ ଆଣିଥିବା ମିଷ୍ଟାନ୍ନ ଜଳଖିଆ କଲେ । ଏମାନେ ତ ସମସ୍ତେ ପିଲା । କାହାର ଗତ କଥା ପ୍ରତି ଆଦୌ ଦୃଷ୍ଟି ରହିଲା ନାହିଁ । ପୂଜାରୀ ମହାଶୟ ପରିଷ୍କାର ସୁଦର୍ଶନ ହେଲେହେଁ ତାଙ୍କ ପଖାଳକୁ ସେ ଛାଡ଼ି ପାରିଲେ ନାହିଁ । ଜଳଖିଆ ତାଙ୍କ ଦେହରେ ନ ଯିବା କଥା ତାଙ୍କ ପୁରାଣରେ ପ୍ରସିଦ୍ଧ ।

ପିଉସୀ ଭଉଣୀଙ୍କ ପାଖକୁ ଖୁବ୍ ଥୋଡ଼ା ପଠାଇଦେଲେ । ସରୋଜ ତଳକୁ ଗଲା । ଏଥର ପିଉସୀଙ୍କ ସକ ସକ ହେଲା ଶୁଖିଲା ଆଖିଟାମାନ, କାନ୍ଦିଲା ପରି ହୋଇ କେତେ କ‌ହିଲେ- "କୁଆଡ଼େ ଯାଇ ବୁଲୁଚୁରେ ବାପା, ବୟସ ହେଲା- ବିଭା ସିଭାଟିଏ ହୁଅନ୍ତୁ, ଘର ଦୁଆର କରନ୍ତୁ- ଅଭିଆଡ଼ି ହୋଇ ଏମିତି କେତେ କାଳ ରହିବୁ କ‌ହିଲୁ ? ମର୍ଦପୁଅ କୁ ଆମକୁ କନ୍ୟା ଅପୂର୍ବ ? ବାୟାମନ ଥିର କର । ଏମିତି ପଗଲା ପରି ହୁଅନାଁ:- ନିଶଦାଢ଼ି ତ ହେଲା, ଆଉ ବିଭାରେ ସୁନ୍ଦର କଣ ରହିବ ? ବିଭା ହେଲେ ତ, ଆଉ କରଣ ଘର ରଜାଘର ପରି ଆମଘର ନୁହେଁ- ଅବଶ୍ୟ ୩ ବର୍ଷ ତ ଯିବ ?"

ଆହୁରି କ୍ରନ୍ଦନ ସ୍ୱରକୁ ଲମ୍ବା କରିଦେଇ କ‌ହିଲେ- "ହଇରେ ବାପା ! ଏ ପିଲାଟିକୁ ଆମର ରଖିବାର ଲୋଡ଼ା କଣ କ‌ହିଲୁ ବାପା ? ତାକୁ ଛାନ୍ଦିଦବାକୁ ଭାବିଥିଲୁ । ବର କଣ ସ‌ହଜରେ ମିଳୁଚନ୍ତି- ଗୁଣ ଥିଲେ

ହବ କି- ରୂପ ଥିଲେ ହବ କି ? ସେ ତ ସାଆନ୍ତିଆ ଜାତି । କିଛି ଖାଇଲେ ହେବ କି ? ଏବେ ମୋର ଗୋଟିଏ କଥା ଶୁଣ । ମୁଁ ଏ ଝିଅଟିପାଇଁ ଛୋଟରା ସାଆନ୍ତ ଘରେ ଗୋଟିଏ ପିଲାକୁ ଠିକଣା କରିଚି- ଦି ଅକ୍ଷର ପଢ଼ିଚି- ତେବେ ଗୋଟିଏ ହାତ କେମ୍ପା । ହେଲେ କଣ ହେବ ପୁରୁଷ ପୁଅ । ତାଙ୍କର ରୂପ କିଏ ଖୋଜୁଛି ? କଣ କ‌ହୁଛୁ କ‌ହିଲୁ- ତାଙ୍କୁ ଖବର କରି ଏ କାମରୁ କିମିତି ତ୍ରାହି ପାଇବା ? ଏ ଅଲକ୍ଷଣୀ ମୋ ପିଲାକୁ ସର୍ବନାଶ କଲା !"

ଆଉ ଶୁଣିବାକୁ ସରୋଜ ଅବସର ଦେଲା ନାହିଁ- ସେ ଅତିଶୀଘ୍ର ସେ ସ୍ଥାନ ପରିତ୍ୟାଗ କଲା । କି ଉପାୟରେ ଏମାନଙ୍କୁ ଦୂର କରିବ, ଏହାହିଁ ଭାବିଲା । ହଠାତ୍ ଛାଡ଼ିଦେଲେ ଲୋକେ ଭିନ୍ନ ଭାବିବେ, ତେବେ ଆଉ ମାସେ ପକ୍ଷେ ଏମିତି ଯାଉ । କୌଶଳରେ ଏମାନଙ୍କୁ ଶୀଘ୍ର ଦୂର କରିବା ପ୍ରୟୋଜନ ।

ବୁଢ଼ୀର କଥା ଶୁଣି ସରୋଜର ମନ‌କୁ ଯେପରି ବାଧିଲା, ସେପରି ମଧ୍ୟ ହସ ମାଡ଼ିଲା । ହାୟ, ତାର ମଣିକୁ ଏପରି ତ କେତେ କଟୁ କଥା ଏମାନେ କ‌ହୁଥିବେ । ମଣିମୋର ମଣି- କମ୍ ସ‌ହି ନାହିଁ । ଆହା, ମୁଁ କି ଭୁଲ୍ କଲିଟି ?-

+ + + +

ସରୋଜ ଏତେଗୁଡ଼ାଏ ଦିନ ମଣିକୁ ଘରେ ଏକୁଟିଆ ଛାଡ଼ି ଦେଇ ମଉଜରେ ବିନୋଦ ସ‌ହିତ ବୁଲୁ ନ ଥିଲା । ଏ ରାଜ୍ୟ ସେ ରାଜ୍ୟ ହୋଇ ବର ଖୋଜୁଥିଲା । ଯେଉଁ ବରଟିକି ଠିକଣା କରି ଆସିଲା, ସେଥିରେ ତାର ମନ ମାନିଥିଲା । + + +

ମଣି ତଳକୁ ଆସି ଖାଇବା ପିଇବାକୁ ବୁଝୁଥିଲା- ସରୋଜ ଉପରେ ବସି ଭାବୁଥିଲା ମଣିର ଭବିଷ୍ୟତ । ପିଲାଟି ସୁନ୍ଦର, ଓକିଲାତି କରିଛି- ଅବସ୍ଥାସଂପନ୍ନ ଘର- ବାପା, ମା ଅଛନ୍ତି । ତେବେ ମଣିର ଆଉ ଦୁଃଖ କଣ ?

ସେ ଏହିପରି କେତେ କଥା ଭାବୁଛି, ଏହି ସମୟରେ ମଣି ପ‌ହ‌ଞ୍ଚିବା ସଙ୍ଗେ ସଙ୍ଗେ ସରୋଜ କ‌ହିଲା- "ମଣି, ମୁଁ ଯେ ଏତେ ଦିନ ବାହାରେ ଘୁରୁଥିଲି ତାର କାରଣ କଣ ତୁ ଜାଣି ପାରିଥିବୁ ତ ?"

ମଣି କିଛି କ‌ହିଲା ନାଇଁ- ଚିତ୍ରପିତୁଳା ପରି ଛିଡ଼ା ହେଲା । ସେଠୁ ସରୋଜ କ‌ହିଲା- "ମୁଁ ଆଉ ଲୁଚାଇବି କାହିଁକି- ତୁ ତ କିଛି ପିଲା ନୁହଁ, ତେବେ ତୋର ଶାଶୁ ଘର ଠିକଣା ହେଲା । ବିନୋଦ ଆଉ ମୁଁ ନିର୍ବନ୍ଧ କରି ଆସିଛୁ ।"

ମଣିର ଆଖି ଲୁହଭରା ହୋଇଗଲା- ମାତ୍ର ସେ ନିଜକୁ ସମ୍ଭାଳି ନେଇ କ‌ହିଲା- "ତୁମର ଇଚ୍ଛା ଯାହା କରିବ, ସେଥିରେ ମୋର କଣ ଅଛି ?" ଏତିକିମାତ୍ର କ‌ହି ସେଠୁ ଉଠି ଚାଲିଗଲା; ଆଉ ଭାବିଲା, "ଭଗବାନ ଅଭାଗୀ କପାଳରେ ବ‌ହୁତ ଦୁଃଖ ଲେଖିଚନ୍ତି- ଜୀବନରେ ମୋର ସୁଖ କେଉଁଠି ?" ଏହିକଥା ଭିତରେ କି ରହସ୍ୟ ଥିଲା ସେ ଜାଣେ; ବିନୋଦ ଜାଣେ, ଶୁଷ୍କ କାଠ ପଥର ହୃଦୟ ସରୋଜ କାହୁଁ ବୁଝିବ ?

ସରୋଜ କିଛି ଭାବିଲା ନାହିଁ- ପତ୍ର ଅପେକ୍ଷାରେ ଚାହିଁ ରହିଲା । ମଣିର ବରଘର ପତ୍ର ଦେବାକୁ ସ୍ୱୀକୃତ କରିଥିଲେ; ତେଣୁ ସେ ଆଉ କଥା କିଛି ନ ପକାଇ ତୁନି ରହିଲା ।

ଦୁଇ ଦିନପରେ ଦିବ ଆଣି ଖଣ୍ଡେ ମୁଦାଚିଠି ସରୋଜ ହାତରେ ଦେଲା । ସେ ଦିନ ସରୋଜର ମନ କେଜାଣି କାହିଁକି ସୁଖ ନଥିଲା- ତେବେ ଚିଠି ଖୋଲି ପଢ଼ିବା ସାଙ୍ଗେ ସାଙ୍ଗେ ତାର ମନ ମଧ୍ୟ ଆଉରି

ଦୁଃଖରେ ଭରି ଉଠିଲା । ତେବେ କଣ ମଣିର ଗ୍ରହ ଖରାପ ? ଯେଉଁ ଡାଳ ଧଇଲେ ସେ ଡାଳ ଛିଡ଼ୁଚି । କି ଅସମ୍ଭବ କଥା ? ତାର କୋମଳ ହୃଦୟ ଚିଠି ପଢ଼ୁ ପଢ଼ୁ ଚମକି ଉଠିଲା । କି ସଇତାନିକାମ, କି ନିର୍ଲ୍ଲଜ କଥା ! ହାୟରେ ସଂସାର, ତୋର କେତେ ଭଳିର ଲୀଳା ନିତି ଅହରହ ଲାଗିଚି, କିଏ ତା ବୁଝିବ ?

ଚିଠିଟି ଏ ପାଖ ସେ ପାଖ କେତେ ଲେଉଟାଇଲା, ଥରେ ପଢ଼ିଲା, ଫିଙ୍ଗି ଦେଲା- ଦୁଇଥର ପଢ଼ିଲା, ଫିଙ୍ଗି ଦେଲା- ପୁଣି ଆଉଥରେ ପଢ଼ିଲା, କାଳେ କିଛି ସେ ଭୁଲ ପଢ଼ିଥିବ । ମାତ୍ର ସବୁ ଥର ତାକୁ ଏକା ଏକା ଜଣା ଗଲା । ତେବେ ମଣିର ଭାଗ୍ୟ ଅପ୍ରସନ୍ନ । ମଣି ତେବେ ଚାଣ୍ଡାଳୁଣୀ ? ହେଲା କଣ- ସେ ଚାଣ୍ଡାଳୁଣୀ ହେଉ, ସମାଜଚ୍ୟୁତା ହେଉ- ସରୋଜ ନିକଟରେ ତାର କଣ ସ୍ଥାନ ନାହିଁ ? ଭାବିଲା- ମାତ୍ର କିଛି ଠିକ୍ କରି ପାରିଲା ନାହିଁ । ଚିଠିରେ ଲେଖା ଥିଲା-

ଭାଇ ସରୋଜ,

ମୋର ବିବାହ ପାଇଁ ତୁମେ ଯେ ସବୁ ଠିକ୍ କରିଗଲ, ତାହା ଏବେ ତାଣ୍ଡବଲୀଳାରେ ଆସି ଉପସ୍ଥିତ । ତୁମେ ଭଲ କରି ଜାଣ ଯେ, ମୁଁ ମୋର ବାପା, ମାଆଙ୍କର ଇଚ୍ଛା ବିରୁଦ୍ଧରେ କିଛି କାମ କରିବି ନାଇଁ, କାରଣ ଆମର ସମାଜ ଅଛି- ଆମର ଜାତି ଅଛି । କ୍ଷତ୍ରିୟ ସମାଜର ଆଜି ସେ ବୀରତ୍ୱ ନ ଥାଇପାରେ; ମାତ୍ର ତାର ମହତ୍ତ୍ୱ ଅଛି ।

ମୋର ପିତା ତୁମ ମଣି ବିଷୟରେ କୁଆଡ଼ୁ କେତେ କଥା ସଂଗ୍ରହ କରିଚନ୍ତି । ମୁଁ ଲେଖି ପାରିବି ନାହିଁ, ତୁମ ମନରେ କଷ୍ଟ ଆସିପାରେ; ତେବେ ଏତିକି କ‌ହିପାରେ ଯେ ତାର ଜାତି ନାହିଁ- ତେଣୁ ମୋର ବିବାହ ସେଠି ହୋଇ ପାରିବ ନାହିଁ । ବୋଧହୁଏ ମୋର ପିତା ତୁମ୍ଭଙ୍କୁ ନିକଟରେ ସେ ବିଷୟରେ ପତ୍ର ଲେଖିବେ । ତୁମ ମନରେ ମୋ ପ୍ରତି କାଳେ କିଛି ମନ୍ଦ ଧାରଣା ଆସିପାରେ, ଏଇଥିପାଇଁ ଏ ପତ୍ର ଲେଖିଲି- ମତେ କ୍ଷମା କରିବ । ଇତି-

ତୁମର
ମର୍ଦ୍ଦରାଜ ସିଂହ

ସେ ମର୍ଦ୍ଦରାଜ ସିଂହ ସ୍ୱାକ୍ଷରିତ ପତ୍ରଟି ପାଠ କରିସାରିଲା; ମାତ୍ର କଥାଟା କିଛି ବୁଝି ପାରିଲା ନାହିଁ । ମଣିର ଜାତି ନାହିଁ, ଏହାର ଅର୍ଥ କଣ ? ସେ ଗରିବ ଥିଲା, ଭିକ ମାଗି ତ ନାହିଁ ମାଗିଲେ ବା କଣ ହେବ ? ସେ ପୋଲିସ ଦ୍ୱାରା ପିଲା ଦିନେ ମିଛରେ ଧରା ହେଇଚି, ଏଥିରେ ଜାତି ଯିବାରକଥା କଣ ଥିଲା ? ସେ ମିଶନସ୍କୁଲ ବୋଡିଂରେ ଥିଲା, ଏଥିରେ ବୋଧହୁଏ ତାର ଜାତି ଯାଇଚି- ଜାତି ଗୋଟାଏ କଣ ? ସେ ଗଲା କିପରି ? ସ୍ତ୍ରୀ ଜାତିର ସ୍ୱଭାବ କଣ ତାର ଲୋପ ହେଇଚି ? ଛି- ଛି, ମର୍ଦ୍ଦରାଜ ତେବେ ପାଠ ପଢ଼ି ଏତେ ନିମ୍ନରେ ?

ସରୋଜ ଏତେବେଳେ କଣ ଭାବିଲା, ତା ମନ ଜାଣେ, ମାତ୍ର ଥୟ ହୋଇ ରହି ପାରିଲା ନାହିଁ । ସବୁ ମଣିର ଭାଗ୍ୟକୁ ଦୋଷ ଦେଲା- ଶେଷକୁ ହୁଁକାର କରି ଉଠିଲା- ସରୋଜ ନିଜର ଧ୍ୱଂସ ଯାଏ ଚେଷ୍ଟାକରି ମଣିକୁ ସୁପାତ୍ରରେ ନିଶ୍ଚୟ ଦେବ- ଦେବ- ଦେବ ।

ମଣିକୁ କିଛି ନ କ‌ହି ପୁଣି ଥରେ ସେ ବୁଲିବ- ଏହିପରି କେତେ କଥା ଭାବି ଠିକ୍ କଲା । ତାକୁ କଣ କ‌ହି ବିଦେଶକୁ ଯିବ- ପୁଣି କାହା ଯିମାରେ ବା ତାକୁ ଦେବ ? ଜାତି ସମାଜର ଭୟ ନ ଥିଲେ ସେ ଆଜି ନିଜେ କଣ ରକ୍ଷାକର୍ତ୍ତା ହୋଇ ପାରନ୍ତା ନାଇଁ- ମାତ୍ର ଶାସ୍ତ୍ର ଯେ ସବୁ ଭୟ ଦେଖାଉଚି ସେ 'କଣ କରିବ', 'କଣ କରିବ' ଏହି କଥା ପ୍ରତିନିୟତ ଭାବିଲା । ରାତିରେ ଖିଆ ପିଆ ସରିଲା । ସମସ୍ତେ ଶୋଇବାକୁ ଯିବାକୁ ବାହାରିଲେ । ସରୋଜ ମଣିକୁ ପାଖକୁ ଡାକିଲା, ପଚାରିଲା-

"ମଣି ! କଣ କରିବି କ‌ହିଲୁ- ବ‌ହୁ ସ୍ଥାନ ବୁଲିଲି, ଗୋଟିଏ ସୁପାତ୍ର ମୋତେ ମିଳିଲା ନାହିଁ, ଯହିଁରେ ତୋର ଜୀବନ ସୁଖମୟ ହେବ । ସେପରି ପାତ୍ର ମୋ ଦୃଷ୍ଟିରେ ଆଦୌ ପଡ଼ିଲା ନାହିଁ । ଯେ ବା ପଡ଼ିଲେ, ବିନୋଦର ସେଥିରେ ତିଳେ ମତ ହେଲା ନାହିଁ । ବାପାଙ୍କର କଥା ରକ୍ଷା ନ କରି ମୁଁ ତ ରହି ପାରୁ ନାହିଁ- କଣ କରିବି ?" ଏପରି କେତେକ କଥା ଯୋଡ଼ିଯାଡ଼ି କ‌ହିଦେଲା ।

ମଣି ଆଖିରୁ ଲୁହ ଗଡ଼ିଲା । ସେ କିଛି ମାତ୍ର ଉତ୍ତର ଦେଲା ନାହିଁ, ଖଟ ତଳକୁ ଓହ୍ଲାଇ ପଡ଼ି ସରୋଜର ପାଦ ଦୁଇଟି ଧରି ଗୋଟିଏ ମୁଣ୍ଡିଆ ମାରିଦେଇ ତା କୋଠରୀକୁ ପଳାଇଲା । ସରୋଜ ସେଥିର ଅର୍ଥ ବୁଝିଲା କି ନାହିଁ, ସେ ଜାଣେ, ମାତ୍ର ନ ବୁଝିଲା ପରି ରହିଲା । ସେ କି ସାହସରେ ମଣିକୁ ସେ ଚିଠି କଥା କ‌ହିବ ? ଭାବିଲା, ଆଛା, ପୂନର୍ବାର ଚେଷ୍ଟା କରେ । ପ୍ରଫେସର କଣ ଲେଖୁଛନ୍ତି- ତାଙ୍କୁ ତ କ‌ହି ଆସିଛି । ଭାବି ଆଶ୍ୱସ୍ତ ହେଲା, ଶୋଇ ପଡ଼ିଲା ।

ମାତ୍ର ଚିନ୍ତାରେ ପଡ଼ିଲା- ମଣି । ତାର ଜୀବନର ପ୍ରତ୍ୟେକ ଚିତ୍ର ଆଜି ତା' ଆଖି ଆଗରେ ଉଦ୍‌ଭାସି ଉଠିଲା । ସରୋଜ କଣ ଏତେ ନିର୍ମମ- ତାଠି କଣ ଟିକିଏ ମାୟା ନାହିଁ ! ଏହି ନିବଶ୍ରୟାଟିକୁ ନିଜେ ଗ୍ରହଣ କଲେ ଏପରି କଣ ବା କ୍ଷତି ହୁଅନ୍ତା- ହାୟ, ନିଜେ ଏହା କିପରି କ‌ହିବ ? ନିଜର ସ୍ୱାର୍ଥ ପାଇଁ ନିଜେ କିପରି ପ୍ରସ୍ତାବନା ଆଣିବି ? ବିଧାତାର ଅନ୍ୟ କିଛି ତେବେ ସୃଷ୍ଟିର ରହସ୍ୟ ଅଛି । ଥିଲେ ବା ମୁଁ ତ ଗ୍ରହଣ କରିବି ନାହିଁ । ଯେଉଁ ପାଦପଲ୍ଲବରେ ମନପୁଷ୍ପଟିକୁ ଅର୍ପଣ କରିଚି, ତାହା ତ କେବେ ଫେରାଇ ଆଣିବ ନାହିଁ । ଦାସୀ ହୋଇ ରହିବି- ତ‌ଥାପି ତାର ପରିବର୍ତ୍ତନ ମୋ ପାଖରେ ଅସମ୍ଭବ । ହିନ୍ଦୁନାରୀର ତାହା ଜାତକରେ ନାହିଁ । ହିନ୍ଦୁନାରୀ ତାହା କିପରି କରିବ ? ୧୧ବର୍ଷଦିନୁ ଯେ ସ୍ନେହରେ କୋଳକୁ ଟାଣିନେଇ ଚୁମ୍ବନ ଦେଇଚି, ସେଇତ ସ୍ମୃତି, ସେଇତ ସତ୍ୟ- ଆଉ କଣ ? ନା, ହେବ ନାହିଁ ପ୍ରଭୁ ! ଆଉ କେତେଦିନ ଚିନ୍ତାନଳରେ ଦଗ୍‌ଧ କରିବ- ଆଉ କେତେଦିନ ପୋଡ଼ି ମାରିବ ?

କେତେ କଣ ତା' ମନରେ ଅଇଲା- ଲେଖିଥିଲେ 'ବିଷାଦତା' ବୋଲି ଖଣ୍ଡେ ବିରାଟ କାବ୍ୟ ହୋଇଥାନ୍ତା । ମାତ୍ର ବ‌ହୁଦିନୁଁ ସେ ଲେଖନୀ ଛାଡ଼ିଥିଲା । ଲେଖିହବାକୁ ତାର ଇଚ୍ଛା ଆଦୌ ହେଉ ନଥିଲା । କଣ କରିବି- କରିବି କଣ ? ପ୍ରଭୁ ଜଗନ୍ନାଥ- ଦୂରେ ଦୂରେ କେତେ ରଖିବଥି, ତାର ତ ହେଲା ମନ୍ତ୍ର- ସେ ଆଉ କବିତା ଲେଖିବ କିପରି ?

(୬)

ଆଖି ବୁଜି ଶେଜରେ ପଡ଼ି ସରୋଜ କାଲି ରାତିରେ ଦେଖି ଆସିଥିବା ସିନେମା କୋମ୍ପାନିର ବାୟସ୍କୋପ- Love reward (ପ୍ରେମ ପ୍ରତିଦାନ) କଥା ଭାବୁଥିଲା । ଦୁଷ୍ଟର ଲେଲିହାନ ଜିହ୍ୱା ପାଖରୁ ବାପ‌ପୁଅ ରୁଷି ବାଳିକାକୁ ଛଡ଼ାଇ ଆଣିଲେ, ତା ପରେ ସେ ଅଳ୍ପ ଦିନରେ ବଡ଼ ଲୋକର ଝିଅ ହୋଇଗଲା । ହାୟ, ସେ କି ସୁନ୍ଦର ! ଯୁବକ ସ‌ହିତ କୁମାରୀର ଅବାଧ ମିଳନ କି ପବିତ୍ର ଭାବରେ ଘଟୁଥିଲା ! ଏହା ଭିତରେ ସେମାନେ ପରସ୍ପର ପ୍ରତି ଏତେ ଭଲ ପାଇଲେ ଯେ, ଜଣେ ଜଣକୁ ନ ଦେଖିଲେ ସମ୍ଭାଳି ପାରିଲା ନାହିଁ । ପିତାଙ୍କ ହାବୁଡ଼େ ଦିନେ ଦୁହଁଏ ପଡ଼ିଲେ । ପିତା ଜଣେ ଜ‌ଜ- ସେ ବାଳିକାକୁ ଘରୁ ବାହାର କରିଦେଲେ, ସେ ଚାଲିଗଲା- ତା ପଛରେ ମଧ୍ୟ ଏ ଯୁବକ ଘରର ସମସ୍ତ ମାୟା ତ୍ୟାଗ କରି ଚାଲିଗଲା । ଶେଷରେ ବାଳିକା ପାଇଁ ବାଳକ ଫାଶି କାଠରେ ଝୁଲିଲା- ମାତ୍ର ବାଳିକା ତାକୁ ରକ୍ଷା କଲା । ଯୁବକର କି ବାତୁଳତା ! ସେ ତାର ପ୍ରାଣ ପର୍ଯ୍ୟନ୍ତ ତାର ପ୍ରେମିକା ନିକଟରେ ବଳି ଦେବାପାଇଁ ଭୟ କଲା ନାହିଁ । ତାର ମନରେ ଅଇଲା, ସେ କଣ ଏହି ଲୋକାଚାର, ସମାଜ ଭୟକୁ ସେପରି ପାଦରେ ଦଳି ପାରିବ ? ସେ କଣ ଜଣକ ପାଇଁ ପ୍ରାଣବଳି ଦେବାକୁ କୁଣ୍ଠିତ ହେବ ନାହିଁ ? ଭାବିଲା, ଆଉ କଣ ଚେଷ୍ଟା- ସେ ନିଜେ ଚେଷ୍ଟାର ପରିପୂର୍ଣ୍ଣ ସାମଗ୍ରୀ । ସରୋଜ ବୁଝିଥିଲା, ମାତ୍ର ନ ବୁଝିଲାପରି ରହିଲା ।

ଉଠିବା ମାତ୍ରେ ଦେଖିଲା, ଘର ଆଲୁଅ କରି ସେହି ଦିବ୍ୟ ପ୍ରତିବିମ୍ବଟି ଝଲ ଝଲ ହେଉଚି । ଆହା, ଏହାକୁ ଅପରକୁ ଦେବାରେ ଲାଭ କଣ ? ତେବେ ତାର ସ୍ୱୀକୃତି- !

କିଛି ସମୟପରେ ଡାକବାଲା ଖଣ୍ଡେ ଚିଠି ଦେଇଗଲା । ଉପରେ ଦେଖିଲା ବିନୋଦଠାରୁ ଆସିଚି- ମୁହଁ ଧୋଇ ଖୋଲି ତାକୁ ଦେଖିଲା, ସେ ଚିଠି କଣ- ଗୋଟିଏ ପ୍ରବନ୍ଧ ! ବିନୋଦ ଏକବାରେ ଲେଖି ଯାଇଚି କେତେ କଣ !

ପ୍ରିୟତମ ଭାଇ !

ତୋର ପତ୍ର ପଢ଼ି ମୁଁ ବିସ୍ମୟ ହୋଇଚି । ମୁଁ ତୋତେ ବାରମ୍ବାର କ‌ହୁଚି ଯେ, ମୁଁ ପରୀକ୍ଷାକରି ଦେଖିଚି, ମୁଁ ହାତଲେଖା କବିତା ପଢ଼ି ଜାଣିଚି- ମୁଁ ସୁମଧୁର ସଙ୍ଗୀତ ମଧ୍ୟରେ ଶୁଣିଚି- ସେହି ତୁଣ୍ଡରେ ସେହି ହୃଦୟରେ ସେହି ମାଧୁରୀ ମଧ୍ୟରେ ତୋର ପ୍ରତିବିମ୍ବ ! ତୋରି ରୂପ । ସେଠାରେ ଅନ୍ୟର ଆଦୌ ନାମ ଗନ୍ଧ ନାହିଁ । ତାର ଅସ୍ୱୀକାର ହେବ ଏ କଳ୍ପନା ତୁ କିପରି କଲୁ ମୁଁ ଜାଣେ ନାହିଁ ! ହାୟ, ଦିନ ନାହିଁ, ରାତି ନାହିଁ, ସନ୍ଧ୍ୟା ନାହିଁ, ସକାଳ ନାହିଁ, ସର୍ବଦା ଯେ ତୋରି ରୂପ, ତୋରି ଗୁଣ, ତୋରି ପ୍ରାପ୍ତ ହୃଦୟରେ ପୂର୍ଣ୍ଣରୂପେ ସ୍ଥାନ ଦେଇଚି, ତୁ ଭୀତ- ଏ ପ୍ରସ୍ତାବ କରି ପାରିବୁ ନାହିଁ ?

ମୋରେ ଲେଖିଚୁ ଯେ "ତୁ ମତେ କଣ ଏପରି କଲେ ପୂର୍ବପରି ଗ୍ରହଣ କରିବୁ ?" କିପରି ଲେଖିଲୁ ବୁଝି ପାରିଲି ନାହିଁ । ଥରେ କ‌ହିଚି, ତୁ ଯଦି ନର୍କର ସୁଗଭୀର ପ୍ରଦେଶକୁ ଭଲ ପାଇ ଯାଉ ତେବେ ମୋତେ ନ ଡାକୁଣୁ ମୁଁ ନିଶ୍ଚୟ ଯିବି । ଏଥିରେ ତୋର ଭୟ କଣ ମୁଁ ବୁଝି ପାରୁ ନାହିଁ । ତୋ ଛଡ଼ା ଆଉ ମଣିର ଉପଯୁକ୍ତ କିଏ ? ଯଦି ମୋ ପରି ଗରିବ ଘରେ ବନ୍ଧୁ କରୁ, ତେବେ ମୁଁ ତୋର ସମଧି ହେବି । ତୋ ଦଳରେ କେତେ ଯୁବକ ନାମ ଲେଖାଇବେ । ଏ ଜାତି-ସମାଜର ବନ୍ଧନ ମନୁଷ୍ୟର ସ୍ୱାର୍ଥକୃତ । ଯେଉଁମାନେ ଶାସ୍ତ୍ର ଶାସ୍ତ୍ର ହେଉଚନ୍ତି- ଯେଉଁ ସ୍ମୃତି ପ୍ରଭୃତିରୁ ଆଦର୍ଶ ଦେଖାଇ ଏ ନାସସୁଙ୍ଘାଦଳ ଖଡ୍‌ଗ ଘେନି ଆଜି ବାହାରୁଚନ୍ତି ତାଙ୍କର ଜାତି କେଉଁଠି ? ଆଜି ବିଶ୍ୱ ବ୍ରହ୍ମାଣ୍ଡରେ ମାନବ ଜାତି । ମାନବ ଧର୍ମ ପ୍ରଚଳିତ ହେବ । ସେ ସ୍ୱାର୍ଥ ତ୍ୟାଗ କର । ଭାରତର ଅଧିବାସୀମାତ୍ରେ ହିନ୍ଦୁ । ସ୍ମୃତିକର୍ତ୍ତାମାନଙ୍କର କଣ ଜାତି ଥିଲା ତୁ ତ ଜାଣୁ ? ବଶିଷ୍ଠ ପରା ଦାସୀ ପୁତ୍ର- ପରାଶର ପରା ଚଣ୍ଡାଳୀର ପୁତ୍ର- ନାରଦ ପରା ଶୁଦ୍ରାର ପୁତ୍ର- ବ୍ୟାସ ପରା କେଉଟୁଣୀ ପୁଅ, ଏହା ସେହି ଯୁକ୍ତିତରଙ୍ଗାୟିତବକ୍ଷ ମନୀଷୀମାନେ ଜାଣିଚନ୍ତି ଟିକି ? କ‌ହିଲେ କ‌ହନ୍ତି- ସେମାନେ ନହିଲେ ତୁମେ । ଆରେ ଏ କଣ ହେଲା ତାର ଉତ୍ତର । ଏ ମୂର୍ଖମାନଙ୍କ କଥାରେ କୌଣସି ମୂଲ୍ୟ ନାହିଁ ।

ତୋର ବିବାହ ଆଶାସ୍ତ୍ରୀୟ ଆଦୌ ନୁହେଁ । ସେଥିପାଇଁ ଏହି କ୍ଷୁଦ୍ର ଜାତିଭୟ ତୋତେ ଛାଡ଼ିବାକୁ ହେବ । ମୁଁ ଲଢ଼ାଇ କରିବି । ଲଢ଼ାଇ କଲେ ଜାତି ଶିଖିବ । ବଶିଷ୍ଠ- "ଅକ୍ଷମାଳା"କୁ ବିବାହ କରିଥିଲେ, ସେ କି ଜାତିର କନ୍ୟା? ନୀଚ ବର୍ଣ୍ଣ ଅନାର୍ଯ୍ୟ ଟିକି? ଜମଦଗ୍ନି ରେଣୁକାକୁ ବିବାହ କରିଥିଲେ, ସେ କଣ କ୍ଷତ୍ରିୟଟି ? ଗୌତମଙ୍କ ସ୍ତ୍ରୀ ଅହଲ୍ୟା କଣ ?- କ୍ଷତ୍ରିୟଟି ? ପୁରାଣରେ ଏପରି ଲକ୍ଷ ଲକ୍ଷ ଅସବର୍ଣ୍ଣ ବିବାହ ସେହି ବୈଦିକ ଯୁଗରୁ ଚଳି ଆସୁଅଛି । ସେଥିରେ କୌଣସି ପ୍ରକାର ଦୋଷ ନାହିଁ ।

ଆଦି କାଳରୁ ଦେଶରେ ପ୍ରତିଲୋମ ଆଉ ଅନୁଲୋମ ବିବାହ ପ୍ରଚଳିତ ଅଛି । ତେବେ ଉଚ୍ଚ ଜାତିର ପୁରୁଷ ନିମ୍ନ ଜାତୀୟା ସ୍ତ୍ରୀକୁ ବିବାହ କରିବାକୁ ଅନୁଲୋମୀ ବିବାହ କ‌ହନ୍ତି, ଏହା ଦେଶରେ ସର୍ବତ୍ର ଚଳି ଆସି ଅଛି; ମାତ୍ର ପ୍ରତିଲୋମ ବିବାହ ଅଳ୍ପ ଏବଂ ଦୂଷଣୀୟ ହେଲେହେଁ ଶ୍ରୀମଦ୍ ଭାଗବତର ୧୦|୭୮|୧୩|୧୪ ଶ୍ଳୋକରେ ପ୍ରତିଲୋମକ ରୋମ-ହର୍ଷଣ ବ୍ରାହ୍ମଣମାନଙ୍କ ମଧ୍ୟରେ ଉଚ୍ଚାସନ ଲାଭ କରିଅଛନ୍ତି । ଆଉ ପଚାରୁଛୁ କଣ ?

ଅସବର୍ଣ୍ଣ ବିବାହ ପୂର୍ବ ଯୁଗରେ ଅବାଧରେ ପ୍ରଚଳିତ ଥିଲା । ଯଦି ଶାସ୍ତ୍ରୀୟ ପ୍ରମାଣ ଦେଖିବାକୁ ଚାହଁ, ତେବେ ଦେଖ-

ତିସ୍ରସ୍ତୁ ଭାର୍ଯ୍ୟା ବିପ୍ରସ୍ୟ ଦ୍ୱେଭାର୍ଯ୍ୟା କ୍ଷତ୍ରିୟସ୍ୟତୁ । ଏକୈକ ଭାର୍ଯ୍ୟା ବୈଶ୍ୟସ୍ୟ ତ‌ଥା ଶୁଦ୍ରସ୍ୟ କୀର୍ତ୍ତିତା ବ୍ରାହ୍ମଣୀ କ୍ଷତ୍ରିୟା ବୈଶ୍ୟା ବ୍ରାହ୍ମଣସ୍ୟ ପ୍ରକୀର୍ତ୍ତିତାଃ କ୍ଷତ୍ରିୟା ଚୈବ ବୈଶ୍ୟଚ କ୍ଷତ୍ରିୟସ୍ୟ ବିଧୀୟତେ ବୈଶ୍ୟୈବ ଭାର୍ଯ୍ୟା ବୈଶ୍ୟସ୍ୟ ଶୁଦ୍ରାଶୂଦ୍ରସ୍ୟ କୀର୍ତ୍ତିତା ।

ଏ କାହାର ମନ‌ଗଢ଼ା ଶ୍ଳୋକ ନୁହେଁ । ବ୍ରାହ୍ମଣର ତିନିଜାତିର କନ୍ୟା ଭାର୍ଯ୍ୟା, କ୍ଷତ୍ରିୟର ଦୁଇଜାତି ଏବଂ ବୈଶ୍ୟ ଓ ଶୂଦ୍ରର ଏକ ଏକ ଜାତି ହେବ । ବ୍ରାହ୍ମଣ, କ୍ଷତ୍ରିୟ, ଶୁଦ୍ର କନ୍ୟା ବ୍ରାହ୍ମଣ-କ୍ଷତ୍ରିୟ, ବୈଶ୍ୟ, କନ୍ୟା କ୍ଷତ୍ରିୟ ବିବାହ କରିବ । ମହର୍ଷିବ୍ୟାସ ବ୍ୟାସ ସଂହିତାର ଦ୍ୱିତୀୟ ଅଧ୍ୟାୟରେ ମଧ୍ୟ ଏହି କଥା ସମର୍ଥନ କରିଚନ୍ତି ଯେ-

"ଉଦେ୍ ବହେତ୍ କ୍ଷତ୍ରିୟାଂ ବିପ୍ରୋ ବୈଶ୍ୟଞ୍ଚ କ୍ଷତ୍ରିୟୋ ବିଶାଂ ।"

"ବ୍ରାହ୍ମଣ-କ୍ଷତ୍ରିୟ ଓ ବୈଶ୍ୟ, କ୍ଷତ୍ରିୟ-ବୈଶ୍ୟ କନ୍ୟା ଆଉ ବୈଶ୍ୟ-ଶୂଦ୍ରକନ୍ୟା ବିବାହ କରିପାରେ ।"

ଶାସ୍ତ୍ରାନ୍ଧ ବ୍ୟକ୍ତିଙ୍କର ମୁଖମଣ୍ଡନ କଥାରେ କାହାର ପ୍ରୟୋଜନ ଅଛି ? ଆମେ ତ ପ୍ରଥମେ ଶାସ୍ତ୍ର ମାନିବୁ ନାହିଁ- କାରଣ ମନୁଙ୍କ ଆଇନ ମନୁଙ୍କ ଯୁଗ ପାଇଁ ଥିଲା, ଆଜି ଯୁଗର ମନୁ ଆମ୍ଭେମାନେ- ଆଇନ କରିବୁ । ଯେତିକି ପଦାର୍ଥ ମନୁ ତାଙ୍କ ଯୁଗରେ ଦେଖିଥିଲେ, ଯେତୋଟି ଆଚାର ବିଚାର ମନୁ ଅନୁଭବ କରିଥିଲେ, ତେତୋଟି ଲେଖିଚନ୍ତି । ଆଛା ସିଗାରେଟ ଖାଇଲେ ବିଡ଼ି ଖାଇଲେ କି ପ୍ରାୟଶ୍ଚିତ୍ତ କରିବାକୁ ହେବ ତାହା ମନୁ କେଉଁଠି ଲେଖିଚନ୍ତି- ତେବେ ଏଠାରେ ଧୂମ୍ରପାନ ବୋଲି ନେଇଯିବେ ଯୁକ୍ତିକାରୀମାନେ । ମାତ୍ର ମନୁ ଏପରି ଗୋଟିଏ ଚିନ୍ତା କରିଥିଲେ କି, ତାଙ୍କ ବର୍ଣ୍ଣିତ ମ୍ଳେଛ ଦେଶରୁ ଯେଉଁ କାଗଜ ମଧ୍ୟ ଦେଇ ଯତ୍ନରେ ଧୂମ୍ରପାନର ଉପକରଣ ଆସିବ, ତାହା ପାଇଁ କଣ କରାଯିବ ?

ପୂର୍ବରୁ ନିୟମକୁ ଯଯାତି କି ଭୀଷଣ ଭାବରେ ଚୂର୍ଣ୍ଣ କରିଛନ୍ତି । ଦେବଯାନୀ ବ୍ରାହ୍ମଣ କୁମାରୀ- ପୁଣି ଗୁରୁପୁତ୍ରୀ- ତାକୁ ବିବାହ ହେବା କି ପ୍ରକାର ଅନିୟମ କାର୍ଯ୍ୟ ! ମାତ୍ର ତାହା ପ୍ରାଚୀନ ଋଷିମହର୍ଷି ତ ଅସମର୍ଥନ କରି ନାହାନ୍ତି । ସେମାନେ ବର୍ତ୍ତମାନ ସମାଜ ନେତାଙ୍କ ଭଳି ମୂର୍ଖ, ହୀନ ନ ଥିଲେ ।

ବିଷ୍ଣୁ ସଂହିତାରେ ଲେଖା ଅଛି-

ଅଥ ବ୍ରାହ୍ମଣସ୍ୟ ବର୍ଣ୍ଣାନୁକ୍ରମେଣ
ଚତସ୍ରୋ ଭାର୍ଯ୍ୟା ଭବନ୍ତି । ତିସ୍ରଃ କ୍ଷତ୍ରିୟସ୍ୟ ।
ଦ୍ୱେବୈଶ୍ୟସ୍ୟ । ଏକା ଶୂଦ୍ରସ୍ୟ ।- ୨୪ ଅଧ୍ୟାୟ

ପୁଣି ମନୁ ସଂହିତାର ୩ୟ ଅଧ୍ୟାୟ ୧୩ଶ ଶ୍ଳୋକରେ ଲେଖା ଅଛି-

ଶୂଦ୍ରୈବ ଭାର୍ଯ୍ୟା ଶୁଦ୍ରସ୍ୟ ସାଚ ସ୍ୱାଚ ବିଶଃସ୍ମୂତେ
ତେଚ ସ୍ୱା ଚୈବ ରାଜ୍ଞଃସ୍ୟୁ ସ୍ତାଣ୍ଣ ସ୍ୱାଚାଗ୍ରଜନ୍ମନଃ ।

"ଶୂଦ୍ରା କେବଳ ଶୂଦ୍ରର ଭାର୍ଯ୍ୟା ହେବ; ଶୂଦ୍ରା ଏବଂ ବୈଶ୍ୟା ‌‌‌‌- ବୈଶ୍ୟର ବିବାହଯୋଗ୍ୟା । ଶୂଦ୍ରା, ବୈଶ୍ୟା, କ୍ଷତ୍ରିୟା କ୍ଷତ୍ରିୟ ବର୍ଣ୍ଣର ବିବାହଯୋଗ୍ୟା ଏବଂ ଶୂଦ୍ରା, ବୈଶ୍ୟା, କ୍ଷତ୍ରିୟା ଏବଂ ବ୍ରାହ୍ମଣ ବ୍ରାହ୍ମଣର ବିବାହଯୋଗ୍ୟା ହେବ ।"

Mr. Elphinstone (ଏଲ୍‌ଫିନ୍‌ଷ୍ଟୋନ୍) ସାହେବ ତାଙ୍କ ରଚିତ ଭାରତବର୍ଷର ଇତିହାସରେ କଣ ଲେଖିଚନ୍ତି-

"Men of the three first classes are freely indulged in the choice of women from any inferior caste, but not marriage is permitted with woman of a higher class-."

ଏହିପରି ଲକ୍ଷ ଲକ୍ଷ ପ୍ରମାଣ ଆର୍ଯ୍ୟ ଶାସ୍ତ୍ରରେ ପୂର୍ଣ୍ଣ ହୋଇ ରହିଅଛି । ଶୂଦ୍ରାଦି ନିକୃଷ୍ଟ ବର୍ଣ୍ଣୀୟ ବଂଶ ସବୁ ବ୍ରାହ୍ମଣାଦି ଉଚ୍ଚବଂଶ ସ‌ହିତ ବୈବାହିକ ସୂତ୍ରରେ ବଦ୍ଧ ହେଲେ ଯେ ଉଚ୍ଚ ବଂଶତ୍ୱ ପ୍ରାପ୍ତ ହୁଅନ୍ତି ଏହା ମନୁ ତାଙ୍କର ତୃତୀୟ ଅଧ୍ୟାୟ ୪୪ ଶ୍ଳୋକରେ ଲେଖି ଯାଇ ଅଛନ୍ତି-

"ଶରଃ କ୍ଷତ୍ରିୟୟା ଗ୍ରାହ୍ୟଃ ପ୍ରତୋ ଦୋ ବୈଶ୍ୟ କନ୍ୟାୟା
ବସନସ୍ୟ ଦଶା ଗ୍ରାହ୍ୟା ଶୂଦ୍ରୟୋତ୍‌କୃଷ୍ଟ ବେଦନେ ।"

ଆଜି ନିମ୍ନ ବ୍ରାହ୍ମଣ ଜାତି ନିଜମଧ୍ୟରେ ଶତ ଶତ ପ୍ରଭେଦ ସୃ୍ଷ୍ଟି କରି ଅନ୍ୟାନ୍ୟ ଜାତିକୁ ହୀନ କରି ରଖି ଅଛି । ସେଥିପାଇଁ ଉଠିବାକୁ ହେବ- ବୀର ବିକ୍ରମରେ ଜାଗିବାକୁ ହେବ । ତୁ ବୀରକେଶରୀ ହେବୁ ସରୋଜ ! ତୋରି ଯୋଗେ ଜାତି ନବ ଜୀବନ ପାଇବ । ନାନା ସ୍ଥାନରେ ନାନା ଉପାୟରେ ଏହା ଅନେକେ ଚଳାଇ ଲେଣି । ଛାର କଟୁ ଭର୍ତ୍ସନା ପ୍ରତି ଭୟ କର ନାଁ । ପ୍ରକୃତରେ ତୋର ସ୍ଥାନ ବର୍ତ୍ତମାନ କଠିନ- ତୁ ସ୍ୱୟଂ ପରିବର୍ତ୍ତନ ଆଣିବୁ । ତୁ ଏପରି ଦୀପ୍ତ ସାହାସରେ ଉଠିବାକୁ ଇଚ୍ଛା କରୁଅଛୁ- ମୁଁ ତୋର ଚିରସାଥୀ- ଏଥିରେ ସାଙ୍ଗ ହେବି ନାହିଁ ? ମୁଁ ତ ଗାଇ ବୁଲିବି ମନୁଙ୍କର-

ସେହି ନବମ ଅଧ୍ୟାୟ ବର୍ଣ୍ଣିତ ୨୩|୨୪ ଶ୍ଳୋକ ଦୁଇଟିକୁ- ଚତୁର୍ଦ୍ଦିଗରେ-ଗ‌ଗନ ପବନ ମୁଖରିତ କରି-

ଅକ୍ଷମାଳା ବଶିଷ୍ଠେନ ସଂଯୁକ୍ତାଧମ ଯୋନିଜା
ଶାରଙ୍ଗୀ ମନ୍ଦପାଳେନ ଜଗାମାର୍ଭା ର୍ହନୀୟତାଂ
ଏତା ଶ୍ଚାନ୍ୟାଶ୍ଚ ଲୋକେଅସ୍ମିନ୍ନପକୃଷ୍ଟ ପ୍ରସୂତୟଃ
ଉତ୍‌କର୍ଷଂ ଯୋଷିତଃ ପ୍ରାପ୍ତାଃ ସ୍ୱୈଃ
ସ୍ୱୈର୍ଭର୍ତ୍ତୃଗୁଣୈଃ ଶୁଭୈଃ । ନିକୃଷ୍ଟକୁଳସମ୍ଭୂତା ଅକ୍ଷମାଳା ଏବଂ ପକ୍ଷିନୀ-ଶାରଙ୍ଗୀ କ୍ରମାନ୍ୱୟରେ ଋଷିବଶିଷ୍ଠ ଓ ମନ୍ଦପାଳଙ୍କ ସ‌ହିତ ବିବାହସୂତ୍ରରେ ମିଳିତ ହୋଇ ପରମ ମାନ୍ୟା ହୋଇଥିଲେ । ଉକ୍ତ ରମଣୀ ଦୁହେଁ ଏବଂ ସତ୍ୟ ତା ପ୍ରଭୃତି ଆହୁରି କେତେଗୁଡ଼ିଏ ରମଣୀ ଅପକୃଷ୍ଟ ବଂଶୀୟା ବା ଅପକୃଷ୍ଟଯୋନିଜା ହେଲେ ମଧ୍ୟ ଭର୍ତ୍ତୃଗୁଣରେ ସବିଶେଷ ଉତକର୍ଷ ଲାଭ କରିଥିଲେ ।

"ସ୍ତ୍ରୀରତ୍ନଂ ଦୁଷ୍ଫୁଳାଦପି"- ମନୁ ଲେଖିଛନ୍ତି, ଦୁଷ୍ଫୂଳରୁ ସୁଦ୍ଧା ଗ୍ରହଣ କରି ପାରିବ ।

ଆଉ ଲେଖି ପାରିବି ନାହିଁ । ଢେର ଲେଖିଛି । ସମାଜର ଲୋକେ କଣ କ‌ହିବେ, ଏହି ଭୟ କାପୁରୁଷ ଛଡ଼ା ଅନ୍ୟ କାହାଠାରେ ଦେଖା ଯାଏ ନାହିଁ । ମୋତେ ଆମ ଗାଁରେ କଣ କରୁ ନ ଥିଲେ । ମୁଁ ମୋର ସ୍ତ୍ରୀ ଠାରୁ ନାକ କାନରୁ ଗ‌ହଣା ଫିଙ୍ଗି ଦେଇଥିଲି- ତାର ବ୍ରହ୍ମରାକ୍ଷସୀ ରୂପ ବଦଳାଇ ଦେଇଥିଲି-

ମାତ୍ର ମୋର ଏ ଦୋଷ କେତେ ଦିନ ରହିଲା ? ଆଜି ମୋର ଶିକ୍ଷା ଏ ରାଜ୍ୟରେ ଉପକାର କରିଛି । ବ‌ହୁତ ବାଳିକା ନିଜେ ନିଜେ ବୁଝି ପାରି ତାହା ଫିଙ୍ଗି ଦେଇଅଛନ୍ତି, ବ‌ହୁତ ଯୁବକ ସ୍ୱ ସ୍ୱ ସ୍ତ୍ରୀମାନଙ୍କଠାରୁ ବାହାର କରି ଦେଇଅଛନ୍ତି । ହାୟ ହାୟ ! ନାକଟାକୁ ଗୁଡ଼ାଏ ବିଭତ୍ସତାରେ ମଣ୍ଡନ କଲେ ସେ କି କଷ୍ଟ ପାଇବ ନାହିଁଟି ? ପୁଣି ବ୍ରହ୍ମରାକ୍ଷସୀ ଦେଖିଲେ କିଏ ନ ଚମକିବ ?

ସବୁ ଚାଲାକି ସରୋଜ ମୁଁ ଜାଣେ ।

ସେ ପରା କବିତା ଲେଖିଥିଲା- "କବିତା ରାଇଜେ ସେହି ପ୍ରଥମ ଚୁମ୍ବନ"- ସବୁ ମନେ ଅଛି । ଉଭୟଙ୍କର ଉଭୟଙ୍କଠାରେ ପ୍ରୀତି ଅଛି , ଏ ମିଳନ ଅତି ମଙ୍ଗଳଜନକ । ଏଥିରେ ପଛେଇବାର କୌଣସି କଥା ନାହିଁ । ବୃଥାରେ ହୂଦୟକୁ ବିଚଳିତ କରି ପାଗଳ ହେବାର ପ୍ରୟୋଜନ ନାହିଁ । ଧୀରସ୍ଥିର ଭାବରେ କାର୍ଯ୍ୟ କଲେ- ସାହାସ ଧୈର୍ଯ୍ୟଧରି କର୍ମରେ ପ୍ରବେଶ କଲେ ସଫଳତା ଆପେ ଆପେ ମିଳିବ- ମଣିକାଞ୍ଚନର ସଂଯୋଗ ହେବ ।

ଏ ବିବାହରେ ପୁରୋହିତ- ବିନୋଦ । ସେଥିପାଇଁ ତିଳେ ଭୟ ନାହିଁ ମୋର । ଏହା ଲୁଚାଇ ଛପାଇ ହେବ ନାହିଁ- ସମସ୍ତେ ଜାଣିବେ, ସମାଲୋଚନା କରିବେ, ଆଦୌ ସେଥିପାଇଁ ଚିନ୍ତା ନାହିଁ । ବୀର ଯୁବକ, ଧୈର୍ଯ୍ୟ ଧରି ଉଠ । ପଛକୁ ଚାହଁ- ତୁମ୍ଭର ସ୍ନେହମୟ ସଖା ବିନୋଦ ଚାରିହତିଆର ବାନ୍ଧି ଛିଡ଼ା ହୋଇଚି । ଶୁଭଦିନ ନିକଟରେ । ମୁଁ ଶୀଘ୍ର ଯିବି- ଆଜି ଏତିକି ।

ଚିରସ୍ନେହର
ଶ୍ରୀମାନ୍ ବିନୋଦ-

ଦୀର୍ଘ ଦଶପୃଷ୍ଠାବ୍ୟାପୀ ପତ୍ରଖଣ୍ଡି ସରୋଜ ପଢ଼ିସାରି ଗୋଟିଏ ଦୀର୍ଘ ନିଶ୍ୱାସ ପକାଇଲା । ଦେଖିଲା- ମଣି ତାକୁ ଚାହିଁ ବସି ଶେଯ ସାଇତୁଚି । ହାଠାତ୍ ଉଠିଯାଇ ତାକୁ ଦୁଇ ବାହୁରେ ଆବଦ୍ଧ କରି କ‌ହିଲା- "ମଣି ! ମଣି ! ଏତେଦିନ ନବଶକ୍ତିରେ ତୋ ନିକଟରେ ଗୋଟିଏ ପ୍ରସ୍ତାବ କରିବାକୁ ମୁଁ ସାହାସୀ ହୋଇଛି । ପିତାଙ୍କର ଶୁଭ ଇଚ୍ଛା ପୂରଣ ପାଇଁ ମୁଁ ତୋ ପାଇଁ ତୋ ସମକକ୍ଷ ସୁପାତ୍ରଟିଏ ଖୋଜିଛି । ସେ କଣ ତୋ ମନ‌କୁ ପାଇବ ? ଆଛା, ତୁ କଣ ମୋତେ ବିବାହ କରି ପାରିବୁ ?

ଦୁଃଖୀ କୋଟି ନିଧି ପାଇଲେ ଯେପରି ହୁଏ, ଦିଗ‌ହରା ତାର ପ୍ରକୃତ ପଥ ପାଇଲେ ଯେପରି ଆନନ୍ଦରେ ମୁଗ୍‌ଧ ହୋଇଯାଏ, ମଣି ଠିକ୍ ସେହିପରି ହେଲା । ତାର ହୃଦୟ ଆନନ୍ଦରେ ଗଦ ଗଦ ହୋଇଗଲା । କିଛି କ‌ହି ପାରିଲା ନାହିଁ । ସ୍ନିଗ୍‌ଧ ଆନନ୍ଦ- ମାଧୁରୀ ତାର ବିଶ୍ୱ ମନୋହାରୀ ଆଖି ଯୁଗଳର କୋଣରୁ ଝରି ପଡ଼ିଲା । ସେ ଦୁଇ ବାହୁ ଲତାରେ ତାର ପ୍ରିୟତମକୁ ଟାଣି ଧରି ତାର ହୃଦୟରେ ମୁହଁଟିକୁ ଲୁଚାଇ ଦେଲା । ଦିନ ଦିନ ରାତି ରାତି ଚିନ୍ତାରେ-କଳ୍ପନାରେ ଆଶାରେ-କବିତାରେ-କଥାରେ-ଗାନରେ ସେ ଯାହାକୁ ଅନବରତ ଭାବୁଚି; ସେ ପ୍ରଶ୍ନ କରୁଚି ଏତେ ଭୀତ ହୋଇ କାହିଁକି ? ସେ ଭାବିଲା ଏ ଅଭାଗୀର କଣ ଏପରି ଭାଗ୍ୟ ଅଛି- କ‌ହିବ ବୋଲି ମାତ୍ର କ‌ହି ପାରିଲା ନାହିଁ ।

ଏତେ ଅଭିନୟରେ ତ‌ଥାପି ସରୋଜ ବିଶ୍ୱାସ କରିପାରିଲା ନାହିଁ; ସେ ପୁଣି ପଚାରିଲା- "ତୋର ହୃଦୟକଥା ମୋତେ ସ୍ପଷ୍ଟ କ‌ହ- ମୁଁ ଶୁଣିବାକୁ ଚାହେଁ- ବାସ୍ତବରେ ତୁ କଣ ମୋତେ ସେପରି ଇଚ୍ଛାରେ ଭଲପାଉ ? ଉଦ୍ଦ୍ୱାରା ତୋର ଜୀବନ ସୁଖମୟ ହେବ ?"

ମଣିର ମନ କଣ ହୋଇଗଲା । ସେ ଆଉ କିପରି ଭଲ ପାଇବ ? ତାର ପ୍ରେମ ଭିତରେ ସେ କଣ ସେହି ଜୀବନ୍ତ ମୂର୍ତ୍ତିର ଛାୟାକୁ ଅନୁଭବ କରିନାହିଁ ? କ‌ହିବାକୁ ଲାଜ ମାଡ଼ିଲେ ସୁଦ୍ଧା ମୁହଁଟିକୁ ଲୁଚାଇ କ‌ହିଲା- "ମୋର ସେପରି ଭାଗ୍ୟ ଥିଲେ ସିନା ? ଯଦି ପ୍ରାଣ‌ଟି ଅର୍ପଣ କରି ଦେଇଛି କାହାର ପାଦପଦ୍ମରେ, ଯଦି କାହାପାଇଁ ନିତି ପ୍ରତି ମୁହୂର୍ତ୍ତରେ ଲୋତକ ଢ଼ାଳିଚି - ଯଦି କାହାର ଏକମାତ୍ର ପ୍ରାଣମନ ବିମୋହନ ମୂର୍ତ୍ତି ଚିନ୍ତାକରିଚି, ତେବେ ମୋର ସେହି ଆଦରଧନଟିର-ଯାହାର ହସ୍ତ ସ‌ହିତ ପିତା ମୃତ୍ୟୁକାଳର ଠିକ୍ ପୂର୍ବ ମୁହୂର୍ତ୍ତରେ ମୋର ହାତଟିକୁ ମିଶାଇ ଦେଇ ଚିପି ଧରିଥିଲେ-"

ଆଉ କ‌ହି ପାରିଲା ନାହିଁ- ତୋଟି ବସିଗଲା । ବେଳୁ ବେଳ ସରୋଜକୁ ଟାଣି ଧଇଲା । ଏତେଦିନେ ସେ ତାର ଚିରପ୍ରୀତିମୟକୁ ହୃଦୟ ନିକଟରେ ପାଇଚି- ଛାଡ଼ିବ କିପରି ? ସୋରଜର ସବୁ ପୂର୍ବ କଥା ଗୋଟିକଠୁ ମନେ ପଡ଼ିଲା, ସେ ମନେ କଲା- "ବିନୋଦର କଥା ଠିକ୍ । ହାୟ ! ଏହି ସୁକୁମାର ଫଳଟିକୁ ତପ୍ତ ଜଳରେ ନିକ୍ଷେପ କରିଥିଲେ ତାର ଅବସ୍ଥା କଣ ହୋଇଥାନ୍ତା- ଏବଂ ତା' ସଙ୍ଗେ ମୋର ଦଶା କଣ ହୋଇଥାନ୍ତା ?"

"ମଣି ! ମଣି ! ଯେବେ ମୁଁ ତୋତେ ବିବାହ କରେଁ, ତେବେ ମୁଁ ତ ବ୍ରାହ୍ମଣ ଜାତିରେ ଆଉ ରହିବି ନାହିଁ ? କିପରି ପୁଣି ହେବ ? ମୋତେ ତ ଜାତିବାଲା ଅଟକ କରିବେ ?"

ମଣି କିଛି ସଙ୍ଗେ ସଙ୍ଗେ କ‌ହି ପାରିଲା ନାହିଁ- ଶେଷରେ ବଡ଼ କଷ୍ଟରେ କ‌ହିଲା- "ତୁମ ନିକଟରେ ଜାତି ସମାଜର ବନ୍ଧନ କେତେ ଦୂର ଜାଣେ ନାଁ- ତ‌ଥାପି ତମର ଯଦି ସେପରି ଅସୁବିଧା ହୁଏ, ତେବେ ମୋର ବିବାହ ପ୍ରୟୋଜନ ନାହିଁ । ମୁଁ ଚାହେଁ ତମର ମଙ୍ଗଳ । ମୋର ସ୍ୱାର୍ଥ ପାଇଁ ତମର କ୍ଷତି କରିବା ମୋର ଇଚ୍ଛା ନୁହେଁ । ଆହା ମୋତେ କଣ ତୁମ ବିବାହିତ ସ୍ତ୍ରୀର ଦାସୀଭାବରେ ରଖିବ ନାହିଁ ?"

ସରୋଜ କାନ୍ଦିପକାଇଲା- ଦୁହେଁ ଦୁହିଁଙ୍କୁ ଧରି ଖୁବ୍ ଅସରାଏ ଲେଖାଏଁ କାନ୍ଦିଲେ । ସରୋଜ ଧୈର୍ଯ୍ୟ ଧରି କ‌ହିଲା- "ମଣି ! ତୁ ମୋର ହୃଦୟର ଦେବତା-ନନ୍ଦନର ପାରିଜାତ-ତୋତେ ମୁଁ ଦାସୀ କରି ରଖିବି-ଆଉ ମୋର ଗୃହର ଅଧୀଶ୍ୱରୀ କିଏ ହେବ ? ଛାର ଜାତି-ସମାଜର ବନ୍ଧନ ପାଇଁ ମୁଁ ତୋତେ ଦାସୀ କରିବି-? ହାୟ, ଆଉ କାନ୍ଦନା ? ତୁ ମୋର-ମୁଁ ତୋର-ମୁଁ ତୋ'ପାଇଁ-ତୁ ମୋ ପାଇଁ-ଆମେ ଦୁହେଁ ପରସ୍ପର ବନ୍ଧା- । ପିତା ବାନ୍ଧି ଦେଇ ଯାଇଅଛନ୍ତି-ମୁଁ ମୂଢ-ବୁଝି ନ ପାରି ବ୍ରହ୍ମାଣ୍ତ ବୁଲୁଥିଲି । ତୁ ମୋତେ ପ୍ରାଣ‌ଠାରୁ ଅଧିକ ଭଲ ପାଉ- ମୁଁ ତୋତେ ପ୍ରାଣ‌ଠୁ ଅଧିକ ଭଲପାଏ । ଏହା କେହି କାହା କଥା ଆଦୌ ନ ଜାଣି ଆମେ ଏପରି ସନ୍ଦିଗ୍ଧ । ତୋ କଥା ମୁଁ ଜାଣିପାରେ ନାହିଁ- କିଂବା ମୋ କଥା ତୁ ଜାଣିପାରୁ ନାହିଁ । ଏହି କଥା ନାଁ କଣ ?""

ମଣି ଏଥର ଆଗ୍ରହରେ କ‌ହିଲା- "ହଁ" ସରୋଜ କିଛି ସମୟ ଛାଡ଼ି ହସିଦେଇ କ‌ହିଲା- "ମଣି ! ଆଛା- ମୁଁ ତ ତୋତେ ମୋର ସ୍ତ୍ରୀ ଭାବରେ ସମ୍ମାନ ଦେଇ କଥା କ‌ହିପାରିବି ନାହିଁ କିଂବା ତୋତେ ତ ପ୍ରିୟତମା ବୋଲି ସଂବୋଧନ କରି ପାରିବି ନାହିଁ - ତୁ ତ କବି, ଏତେ ବଡ଼ ଶିକ୍ଷିତା ମହିଳା- ମୋତେ ବିରକ୍ତ ହେବୁ ନାହଁ ? ଆଛା- ଆରେ ତତେ ତ ବେଶୀ ଅଡ଼ୁଆ ପଡ଼ିବ- ତୁ ମୋତେ କଣ ବୋଲି ଡାକିବୁ ? ଭାଇ କଣ ଆଉ କ‌ହିବୁ ?"

ଏଥର ମଣି ମୁହଁରେ ହସ ଦେଖାଗଲା । ସେ ଦରହସା ମୁହଁରେ କ‌ହିଲା- "ବେଳ ଆସିଲେ ଯାହା ବୋଲି ଡାକିବି, ଏଇ ଆଗ ଡାକି ଦେଉଚି- "ମୋ ପ୍ରିୟତମ !"

ସରୋଜ ହସି ଉଠିଲା- "ଆଛା, ମୁଁ ତେବେ ପ୍ରିୟତମା ବୋଲି ଗୋଟାଏ ଡାକ ଡାକି ଦେଉଚି ।" ମାତ୍ର ସେ କ‌ହିଲା, ଡାକିପାରିଲା ନାହିଁ । ସରୋଜ ପୁଣି କ‌ହିଲା- "ସତେ ମଣି, ମୁଁ କଣ ତ‌ତେ- 'ତୁ'-'ମଣି' ଏପରି ଡାକିବି ?"

ଏଥର ମଣି ମୁଣ୍ଡ ନୁଆଇଁ କ‌ହିଲା- "ମୋତେ କିଛି ସେପରି ଡାକି ନ ପାରିଲେ ମୋର 'ଗୋବର ଗୋଟେଇ' ନାମ ଧରି ଡାକୁ ନାହଁ ?" ଆଜି ତାର ଏହି ମିଳନ ଦିନରେ ସେହି ବ‌ହୁକାଳର ଗତ ସ୍ମୃତି ମନେ ପଡ଼ିଗଲା ।

ସରୋଜ ମଣିକୁ କ‌ହିଲା- "ନାଁ-ନାଁ-ତୁ ମୋର ଗୋବର ଗୋଟେଇ ନୁହଁ- ତୁ ମୋର ପ୍ରିୟତମା ନୁହଁ- ତୁ ମୋର ସେହି ଆଦରର ମଣି-'ମଣି' । ଏହା କ‌ହି ହୃଦୟକୁ ଟାଣିନେଲା । ଦୁଇଟିପ୍ରାଣ ଏକାଠି ମିଶିଗଲା । ସେ କି ପରମ ସୁଖ ! ସେ କି ମଧୁର ଅନୂଭୁତି !!!!

ମଣିର ମନେ ପଡ଼ିଲା ତାର ଇସ୍କୁଲ ପାଠ ପଢ଼ା କଥା । ତାକୁ ମିସରାୟ ଯେ ସର୍ବଦା ତା ନିକଟରେ ଜଗନ୍ନାଥ ପ୍ରତିମାର କୃଷ୍ଣ ମୂର୍ତ୍ତିର ହୀନତା ବର୍ଣ୍ଣନା କରି ଯୀଶୁଙ୍କର ମହତ୍ତ୍ୱ ଶିଖାଇ ପରାସ୍ତ ହୋଇଥିଲେ ତାହା ମନେ ପଡ଼ିଲା । ସରୋଜକୁ ସେହି କଥା କ‌ହି, କ‌ହିଲା- "ଭାଇ, ବାସ୍ତବରେ ମୁଁ କିପରି ଛାଡ଼ିବି- ତୁମେ ତ ମୋର ଭାଇ । ମୁଁ ତାହା ବଦଳାଇ ପାରିବି ନାହିଁ । କାରଣ ମିସ୍‌ରାୟଙ୍କ ଶତ ଚେଷ୍ଟାରେ ମୋର ଜଗନ୍ନାଥ ଭକ୍ତି ଦୂର ହୋଇ ନାଇଁ, ଆଉ 'ଭାଇ' ଡାକ କିପରି ଛାଡ଼ିବି ? ମୁଁ ଯେ ଗୋଟିଏ ପଥରଯାତ୍ରୀ ।" ସରୋଜ "ବଦଳାନା ପଛକେ", କ‌ହି ସେ ମିସ୍‌ରାୟ କଥା ଶୁଣିବାକୁ ବଡ଼ କୈତୂହଳୀ ହେଲା ।

ମଣି କ‌ହିଲା- "ଆମର ପ୍ରିନ୍‌ସପାଲ ମିସ୍‌ରାୟ ମତେ ବଡ଼ ଭଲ ପାଆନ୍ତି । ଇସ୍କୁଲରେ ସମସ୍ତେ ଯେତେ ଭଲପାଆନ୍ତି, ତାହା ଅପେକ୍ଷା ସେ ବେଶୀ ଭଲ ପାଆନ୍ତି ଗୋଟିଏ କାରଣ ନେଇ । କାରଣ ତାଙ୍କର ଇଚ୍ଛା, ସେ ମୋତେ ଖ୍ରୀଷ୍ଟିୟାନ କରିବେ । ସେଥିପାଇଁ ମୋତେ କେତେ ପ୍ରଲୋଭନ ଦେଖାନ୍ତି ଏବଂ ନାନାପ୍ରକାର ଶୁଖିଲା ଧମକ ଦିଅନ୍ତି । ଉପାସନା ବେଳେ ଯୀଶୁ ନାମଠାରେ ମୋର କୃଷ୍ଣନାମ କିଂବା ଜଗନ୍ନାଥ ନାମ ହୋଇଯାଏ ।

"ଛାତ୍ରୀମାନଙ୍କୁ ଉପାସନା ଶେଷରେ ବୁଝାଇ ଦିଆଯାଏ ଯେ- ଦେଖ, ଇଶ୍ୱରଙ୍କ ପୁତ୍ରଙ୍କ ପାଖରେ ତୁମ୍ଭେମାନେ ଶରଣ ନ ନେଇ ଯଦି ପିତୁଳା ନିକଟରେ ନିଅ, ତେବେ ଅନନ୍ତ ନରକ ଭୋଗିବ । ଥରେ ଖଣ୍ଡେ ଠେଙ୍ଗା ନେଇ ତୁମ୍ଭ ଠାକୁରଙ୍କୁ ଏକପାହାର ଦେବଟି, ସେ ଦେଖିବା କିପରି ବଞ୍ଚି ଉଠିବେ ? ଆଉ ତୁମ୍ଭଙ୍କୁ ଓଲଟି କିପରି ଚାପୁଡ଼ା ମାରିବେ ? ତାହା ଯଦି ନ ହୁଏ ତେବେ ସେ ତୁମ୍ଭଙ୍କୁ ଅନନ୍ତ ନରକରୁ କିପରି ତ୍ରାଣ କରିବେ ?"

"ଏସବୁ ଯୁକ୍ତି ଶୁଣି ମୋତେ ହସ ମାଡେ । ହିନ୍ଦୁ ତେବେ ପିତୁଳା ପୂଜାକରେ ଏହି ଅର୍ଥରେ । ଅନ୍ୟାନ୍ୟ ଛାତ୍ରୀମାନେ ବିଶ୍ୱାସ ନ କଲେହେଁ ପ୍ରିନିସ୍‌ପାଲଙ୍କର ଆଦର ପାଇବା ପାଇଁ ସବୁ କଥାରେ ହଁ କରି ଦିଅନ୍ତି- ମାତ୍ର ମୁଁ ବାସ୍ତବରେ କେବେ ମିଛ କ‌ହେ ନାହିଁ । ମିସ୍‌ରାୟ ତ ପ୍ରାୟ ସଦାବେଳେ ମେମ୍ ସାଜିଥାନ୍ତି; ତାଙ୍କର ମୁଣ୍ଡବାଳ ଠାରୁ ଆରମ୍ଭ କରି ଗୋଡ଼ଯାଏ ସେ ବିଂଶ ଶତାବ୍ଦୀର ସଭ୍ୟତାଲୋକିତ ଉଲଗ୍ନ ପ୍ରକୃତିର ମେମ୍‌ଟିଏ । ତା ନ ହେଲେ ମିଶନ୍‌ ସ୍କୁଲରେ ପ୍ରିନିସ୍‌ପାଲ ହେବେ କିପରି ? ବିଲାତରୁ ଫେରି ତାଙ୍କର କୌଣସି ପ୍ରକାରେ ବିଲାତି ଫେଶ୍‌ନ‌ଟା ଦୂର ହୋଇ ନ ଥାଏ ।

"ଦିନେ ମୋତେ ଉପାସନା ଗୀତଗାନ ସମୟରେ ପଚାରିଲେ- "ମନି ! ଆଇ ହୋପ୍ ଇଉ ଲାଇକ୍ ଦି ସାମସ୍ ? (ମୁଁ ଆଶା କରେ- ଧର୍ମସଙ୍ଗୀତ ତୁମ୍ଭଙ୍କୁ ବଡ଼ ଭଲ ଲାଗେ ?)"

ମୁଁ ମିଥ୍ୟା କ‌ହି ପାରିଲି ନାହିଁ- ସତ୍ୟ କ‌ହି ତାଙ୍କ କଟୂ କଟାକ୍ଷରେ ପଡ଼ିଲି ସତ୍ୟ ତେବେ ମୋଠି ଏପରି କଣ ତାଙ୍କର ଶ୍ରଦ୍ଧା ଥିଲା, ସେ ରାଗଟା ଦଣ୍ଡକେ ଭୁଲିଯାଇ ପୁଣି ପ୍ରତିମା ପୂଜାରେ ଅନନ୍ତ ନରକ ଭୋଗ ଶିଖାଇ ବସିଲେ ।

"ମୁଁ କ‌ହିଲି- ନୋ ! ଓଃ ହାଉ ଶକ !" (ନା, ଉଃ ବଡ଼ ଭୟାନ‌କ !) ତାଙ୍କର ଆଖି ଲାଲ ହୋଇଗଲା- ସେ ଗର୍ଜନ କରି ପାଟିକରି ଉଠିଲେ ଏବଂ ଜଗନ୍ନାଥଙ୍କର ନିନ୍ଦାରେ ସେଠା ସ୍ଥାନର ଗ‌ଗନ ପବନ ଏକାବେଳେ ଅପରିଷ୍କାର କରିଦେଲେ । ଜଗନ୍ନାଥଙ୍କ ନିନ୍ଦା ଶୁଣିଲେ ମୋ ଆଖିରୁ ଲୁହ ଗଡ଼ିଯାଏ- ମୁଁ ସମାଳିପାରେ ନାହିଁ । ସେଥିପାଇଁ ସେ ମୋତେ ଛଳାଇ କ‌ହନ୍ତି- 'ଛି-ଛି, ଏତେବଡ଼ ଶିକ୍ଷିତା ଚତୁରୀ ପିଲାଟା ପିତୁଳାର ନିନ୍ଦା ଶୁଣି କାନ୍ଦୁଚି ! ଆଛା, ମଣି ! ତୁ ତ ହିନ୍ଦୁସମାଜର ପିଲାପରି ଦେଖା‌ ଯାଉନାହୁଁ; ତୋର ଚେହେରା ତ ଖ୍ରୀଷ୍ଟିଆନ ସମାଜ ପରି ସ୍ପଷ୍ଟ ଦେଖାଯା‌ଉଚି । ତୁ ଉନ୍ନତ ସମାଜ ନାମରେ ନାମିତ ହେବାକୁ କୁଣ୍ଠିତ କାହିଁକି ?

"ମୁଁ କିଛିମାତ୍ର କ‌ହେ ନାହିଁ । ମୋର ସ୍କୁଲ ଛାଡ଼ିବା ଯାଏ ମିସ୍ ରାୟ ବ‌ହୁତ ଚେଷ୍ଟା କରିଚନ୍ତି; ମାତ୍ର ମୋର ଜଗନ୍ନାଥ କୃଷ୍ଣ-ନାମର ପରିବର୍ତ୍ତନ ନ ଦେଖି ଚମକି ପଡ଼ିଚନ୍ତି । ଆଉ ଶେଷରେ ବିଦାୟ ନେଲା-ବେଳେ ମୋତେ କୋଳକୁ ନେଇ କ‌ହିଚନ୍ତି- ମଣି ! ତୋର ସତ୍ୟବାଦିତା, ନିର୍ଭିକତା ଏହି ଦଶବର୍ଷ ସର୍ଭିସ୍‌ରେ କୌଣସି ବାଳିକାଠାରେ କେବେ ମାତ୍ର ଦେଖି ନାହିଁ । ତୁ ମୋର କଣ ଶିଷ୍ୟା ହେବୁ, ତୁ ମୋର ଗୁରୁ । ଦେଖ, ଏଇ ଆଜି ତୋରି ସମ୍ମୁଖରେ ପ୍ରତିଜ୍ଞା କରୁଚି ଯେ, ତୁମେ ଯେତେବେଳେ ମୋର ଏତେ ଚେଷ୍ଟାରେ ଭିନ୍ନ‌ଧର୍ମକୁ ଅନ୍ତରର ସ‌ହିତ ଗ୍ରହଣ କରିପାରିଲୁ ନାହିଁ, ମୁଁ ସ୍ୱତଃବୃତ୍ତ ହୋଇ ପରର ବେଶଭୂଷା ଆପଣାର କରିବାର ଲୋଡ଼ା କଣ ? ତୋପରି ମୁଁ ନିର୍ମଳ ହେବି-ଜଗନ୍ନାଥଙ୍କୁ ଭକ୍ତି କରିବି-ତୋ ପରି ଶାଢ଼ୀ ପିନ୍ଧିବି-ମୁଁ ହିନ୍ଦୁନାରୀ ହେବି । ଯଦି ସେପରି ସୁବିଧା ମିଳେ, ମୁଁ ନିଶ୍ଚୟ ଏ ଧର୍ମ ତ୍ୟାଗକରି ସ୍ୱଦେଶ ଧର୍ମ ଗ୍ରହଣ କରିବି ।"

ସରୋଜର ହୃଦୟ ପ୍ରଫୁଲ୍ଲ ହୋଇଗଲା । ସେ କ‌ହିଲା- "ମଣି, ମୁଁ ତ ଶୁଣିଛି, ମିସ୍ ରାୟ ତୁମ୍ଭ ସ୍କୁଲର ମାଷ୍ଟର ଲାହୋରରେ ହିନ୍ଦୁ ହୋଇ ଯାଇଚନ୍ତି ।"

ସେହିଦିନ ଉଭୟଙ୍କ ହୃଦୟରୁ ପାପତାପ ଦୂର ହୋଇଗଲା । ଅଭିମାନ ଦଃଖର ବନ୍ଧ ଭାଙ୍ଗିଗଲା- ଦୁଇଟି ପରିଷ୍କାର ବିସ୍ତୃତ ସୁନ୍ଦର ଅଗଣା ମଧ୍ୟରୁ ସୁଦୃଢ଼ ପକ୍କା କାନ୍ଥଟି ଉଠିଗଲା । ବିନୋଦର ଚିଠି ଖଣ୍ଡକ ସରୋଜ ଜେମାମଣି ହାତକୁ ବଢ଼ାଇ ଦେଇ ନିତ୍ୟକର୍ମ ସାରିବା ପାଇଁ ତଳକୁ ଚାଲିଆସିଲା । ମଣି ସ୍ନେହରେ ଲୁଚାଇ ଲୁଚାଇ ତାହା ପାଠକଲା । ଥରେ ପଢ଼ିଲା, ଦୁଇଥର ପଢ଼ିଲା, ମଧ୍ୟ ତାର ତେବେ ତୃପ୍ତି ଆସିଲା ନାହିଁ । ତେବେ ବିନୋଦ ତାର ଏତେ ଉପକାରୀ-ବିନୋଦ ତାର ଏତେ ହିତକାମୀ ! ହାୟ, ବିନୋଦ ଭାଇ, ଆମ ପାଖରେ ନ ରହି ଦୂରରେ ରହିବ କାହିଁକି ? ତାର ନାନା ପ୍ରକାର ଚିନ୍ତା ଅଇଲା-

+ + + +

ସରୋଜ ତଳକୁ ଯାଇ ପିଉସୀଙ୍କର ଗର୍ଜନ ଶୁଣି ଥମିଗଲା । ଧନ୍ୟ ପାଟି ! ଏ ପାଟି କାହିଁରେ ତିଆରି ହୋଇଛି, ଏହାର ତିଳେମାତ୍ର ବିଶ୍ରାମ ନାହିଁ ! ଧନ୍ୟ ଧନ୍ୟ ! ସରୋଜ ବୁଢ଼ୀର ଭାବ ଗତିବିଧି ଦେଖିବା ପାଇଁ କ‌ହିଲା, "ନାନି ! ମୋର ବିବାହ ଏବେ ୧୫ ଦିନ ପରେ ଶୁକ୍ଳ ଦଶମୀ ଦିନ ହେଉଚି- ଶୁଣିଚ ନା ?"

ବୁଢ଼ୀ ଆନନ୍ଦ ହୋଇ କ‌ହି ଉଠିଲା- "ଆଲୋ, ମୋ ବାୟାର ବୁଦ୍ଧି ହେଲାଣି ଲୋ ! ହଉ ହଉ ! କଣ ପାଡୁଷୀଙ୍କ ଘରେ କଲୁପୁଅ ? ଦୁଃଖୀ ତ ଭାରି ଭଲ ପିଲା । ଗୋଟିଏ ଚାଉଳରେ ଗଢ଼ା । ଆଉ ଅଳଙ୍କାର ଦ‌ହିମୁଣ୍ଡ ଡାଳରେ ଫୁଲ ଗୁନ୍ଥା ହେଲା ପରି ରହିଚି । ହଉ-ହଉ !

ସରୋଜ ମୁଡ଼କି ହସିଲା । ମାତ୍ର ସେଦିନ ଆଉ କିଛି କ‌ହିଲା ନାହିଁ । ମଣିକୁ ସରୋଜ କ‌ହିଦେଲା ଯେ, ସେମାନେ ତାକୁ ଯାଚ୍ଛା ତା' କ‌ହିଲେ ସେ ଯେପରି ସ‌ହିଯାଏ । ମଣି କି ସରୋଜ କଥାକୁ ଅମାନିଆ ହେବ ?

ବୁଢ଼ୀ ଆଉ ଦିନେ ସରୋଜକୁ ଡାକି ମଣି କଥା ନେଇ କେତେ ମନ୍ଦ କଥା ଅତି ଧୀରରେ କ‌ହି ବସିଲା- ଯେପରି ସରୋଜ ତାଙ୍କର ନିଜର ! ମଣିଟା କିଏ ଗୋଟାଏ କୁଆଡର । ସରୋଜ କିଛି ଉତ୍ତର କଲା ନାହିଁ- ମାତ୍ର ଏତିକି କ‌ହି ଅଇଲା "ଦେଖିବା-"

ସେତିକି କଥାରେ ମା ଝିଅଙ୍କର ଏପରି ମନ ମୋଟ ହୋଇଗଲା ଯେ, ମଣିକୁ ଗୋଡ଼େ ଗୋଡ଼େ ଜଗିଲା- କଣ ପଦେ କଟୁ କରି ଶୁଣାଇ ଦେବା ପାଇଁ । ମାତ୍ର ଚତୁରୀ କୁମାରୀକୁ ସୁବିଧାରେ କେହି ପାଇଲେ ନାହିଁ । ମଣି ସେମାନଙ୍କ କଥା ସବୁକୁ ଉପନ୍ୟାସ ଲେଖିବା ପାଇଁ ନୋଟ୍ କରି ରଖିଲା ଏବଂ ତାଙ୍କ କଥାରେ ସେ ହସି ହସି ଗଡ଼ିଗଲା ।

ବିନୋଦ ଯେତେବେଳେ ଆସି ଘରେ ପ‌ହ‌ଞ୍ଚିଲା- ପ୍ରଥମରେ ତାର ପାଦ ବନ୍ଦନା କଲା ମଣି । ବିନୋଦକୁ କଷ୍ଟ ହେଲା । ମଣିର ଏ କି ସଂବର୍ଦ୍ଧନା ? ପରେ କଥାବାର୍ତ୍ତାରୁ ଜାଣିଲା, ମଣିର ସେ ଯେ ପୁରୋହିତ- ମଣିର ସେ ଯେ ପଥପ୍ରଦର୍ଶକ, ପୁଣି ଭାଇ- ତାର ପ୍ରାଣର ପ୍ରାଣ ସରୋଜର ସଖା- ସେଥିପାଇଁ ଏ ସଂବର୍ଦ୍ଧନା ! ମଣି ପ୍ରଥମେ ପ୍ରଥମେ ନ ଜାଣିଲା ପରି ବ୍ୟବ‌ହାର କଲା । ମାତ୍ର ପରେ ବିନୋଦ ପାଖରେ ଧରା ପଡ଼ିଲା । ବିନୋଦର ରହସ୍ୟମୟ ମୁଖ ବି'ପଦ କ‌ହିବାକୁ ଭୁଲିଲା ନାହିଁ ।

ଏଥର ସୁଖର ଦିନ ଜୀବନ୍ତ ମୂର୍ତ୍ତି ଧରି ସେମାନଙ୍କର ଅଙ୍ଗ ଧୀରେ ଧୀରେ ପରଶିଲା ।

ଏହି ସମୟରେ ବିନୋଦ ଘରେ ବିଷମ କୋଳାହଳ ଆଣି ଘଟାଇଲା । ସେ ଜାଣେ ନାହିଁ, ସରୋଜର ପିଉସୀ ଏପରି କଜିଆ-ଖୋରଣୀ । ସେ ତଳକୁ ଯାଉଥିଲା, ପଡ଼ିଲା ତାଙ୍କ ହାବୁଡ଼େ ବୁଢ଼ୀ ତାକୁ ଆଦରରେ ପାଖକୁ ଡାକି ନେଲେ, ଆସନ ଖଣ୍ଡିଏ ପକାଇ ଦେଲେ । ଝିଅମୂର୍ତ୍ତିମତ୍ତାଙ୍କୁ ପାନ ଦିଖଣ୍ଡ ଦେବାକୁ କ‌ହିଲେ । ବିନୋଦ ବସିଲା । ତାକୁ ଚୁପ୍ ଚୁପ୍ କରି ପଚାରିଲେ"ହଇରେ ବାପ ! ତୁ କଥାଟା ବୁଝିଥିବୁ । ସରୋଜ ତ କଥାଟା ଖୋଲି କ‌ହିଲା ନାହିଁ, ଖାଲି କ‌ହିଲା- ପିଉସି ! ମୋର ବିବାହ ଆସନ୍ତା ଶୁକ୍ଳ ଦଶମୀକୁ ହେଉଛି- କଣ ପାଡ଼ୁଷୀଘରେ କଲେ ନାଁ ପୁରୋହିତଙ୍କ ଘରେ କଲେ ? ଶୁଣୁଚି ସବୁ ପରା ବାମନ ମିଶ୍ର କରୁଚି ? ଆଲୋ ମା, ଆଲୋ, ବାମନ ମିଶ୍ର ତ ମୋର ଛାଇ ଦେଖି ପାରେ ନାହିଁ । କଣ କଥାଟା କ‌ହିଲୁ ବାପ ?"

ବିନୋଦ ମୁରୁକିହସା ଦେଇ କ‌ହିଲା- "ନାଇଁ ଏଇ ପାଖରେ କେଉଁଠି ବିଭା ହେଉଛି । ସେ ସ୍କୁଲରେ ପାସ୍ କରିଚି-

"ଆରେ କଣ ଖିରସ୍ଥାନିଆ କିରେ- ଆଉ ପାଠ କିଏ ପଢ଼ିଚି ମ ? ଦୁଃଖୀ କି ଲାବ କେହି ତ ପାଠ ପଢ଼ିନାହାନ୍ତି ! ଆଉ କିଏ, କଥାଟା ଖୋଲି କ‌ହମ ? ଏତେ ଲୁଚାଲୁଚି କିଆଁ ? ଏଠି ଆଉ କିଏ ଅଛି କି ?"

ବିନୋଦ କ‌ହିଲା- "ହଁ, ଗୋଟିଏ ଅଛି- ସେ ଭାରି ସୁନ୍ଦରୀ, ଭାରି ବୁଦ୍ଧିମତି-ଭାରି ଶିକ୍ଷିତା । ତା'ଠୁ ବଳି ପିଲା ଏ ରାଜ୍ୟରେ କେହି ନାହିଁ ।"

ବୁଢ଼ୀ ଭାବି ଭାବି କିଛି ଥଳକୂଳ ପାଇଲା ନାହିଁ- "ଆଉ କିଏ ସେ ? କିଏ ତ ଗୋଟାଏ ଖିରସ୍ତାନିଆ ହୋଇଥିବ ? ସୁନ୍ଦରୀ- ମଲା ମୋର, ସୁନ୍ଦର ଆଉ ଦେଖା ନାହିଁ । ଏହି ମଣି ଅଛନ୍ତି ରେ ପୁଅ, ଏ ଘରେ ସେ ଯେମିତି ସୁନ୍ଦରୀ, ସେପରି ସୁନ୍ଦରୀ ହୋଇଥିବେ ?:

ଏତିକିବେଳେ ଖୁବ୍ ସରଳରେ ବିନୋଦ ଟିକିଏ କାଶୀ କ‌ହି ଦେଲା- "ପିଉସି ! ସରୋଜ ପରା ମଣିକୁ ବିଭା ହେଉଛି । ଦୋଷ କଣ ? ମଣିପରି ପିଲାକୁ ସରୋଜ ବିଭା ନ ହେଲେ ସାଜିବ ଟିକି ?" ଶୁଣୁ ଶୁଣୁ ବୁଢ଼ୀର ଚେତା ହଜିଗଲା । ସେ କଣ କ‌ହିଦିଅନ୍ତା ପରା ? ଖୋରଣୀ ପାଟିକୁ ଓସାର କରି ଆଉ ଥରେ ପଚାରିଲା- "ସତ ପୁଅ ସତ ?"

ବିନୋଦ ଆଦୌ ହସା ହସି କିଛି ନ କରି କ‌ହିଲା- "ଆଉ କଣ ତମକୁ ମିଛ କ‌ହୁଛି ? ମୋର ଲାଭ କଣ ?"

ଏଥର ବୁଢ଼ୀ ମୁଣ୍ଡ ବୁଲେଇ ନେଲା- "ଆଲୋ, ସାରିଦେଲା ଲୋ- ସାରିଦେଲା ! କୂଳରେ କଳାକନା ଲିପିଦେଲା- ଏ ବୁଦ୍ଧି ତାକୁ କିଏ ଶିଖେଇଲାଟି ? ପିତୃପୁରୁଷ ପାଣିପାତ୍ରିଏ ତ ପାଇବେ ନାହିଁ, ମ-କଣ କଲା ? ହଇରେ ପୁଅ ! ସରୋଜ ପାଇଁ କଣ ଏ ଗୁମାନମୁହୀଁଠୁ ସୁନ୍ଦର ଆଉ ମିଳିଲେ ନାହିଁ ! ମୁଁ ଜାଣେ, ସେ କୋଡରେ ରହି କୋଡ଼ ମାଉଁସ ଖାଇବ । ତା ମୁହଁ, ତା ଆଖି ମୋତେ ଦେଖିଲା ଦିନୁଁ କ‌ହି ଦେଇଚି । ଯଃ- ଏଠି ଆଉ ଦଣ୍ଡେ ରହି କରି ନାହିଁ । ଝିଅ, କାଲି ଚାଲ, ଆମର ଚାଲିଯିବା- !"

ବିନୋଦ ହସି ପଳାଇ ଆସିଲା । ବୁଢ଼ୀ ଛି-ଛି-ମ-ମ- ଏପରି ଦିନ ତମାମ୍ ହୋଇ ରାତି ୧୨ଟା ଯାଏ ହେଲେ । ତାପରେ ଆଲୁଅ ଲଗେଇ ଏଥର କାଠି କୁଟା ସଜଡ଼ାରେ ଲାଗି ପଡ଼ିଲେ । ଲୁଚେଇ ଚୋରେଇ କୁଠି ଗଣ୍ଡେ ବିରି- ଗଣ୍ଡେ ମୁଗ ଏପରି କେତେ କଣ ସବୁ ରଖିଥିଲେ, ତାକୁ କନାରେ ବାନ୍ଧି ସଜାଡ଼ି ପକାଇଲେ ! ଝିଅକୁ କ‌ହିଲେ- "ଝିଅ ! ଲୋକ ହସିବେ ଏଠି ଆଉ ଦଣ୍ଡେ ରହି କରି ନାହିଁ । ସମସ୍ତେ କ‌ହିବେ ତାଙ୍କ ଘରେ ୬୦ ବର୍ଷ ବୁଢ଼ୀଟେ ଥିଲା, ସେ କିଛି କ‌ହିପାରିଲା ନାହିଁ । ଭିତର କଥା କିଏ ବୁଝିବ ଲୋ ଝିଅ !"

ରାତି ପାଇଲା । ସରୋଜ ନ ଜାଣିଲା ପରି ହୋଇ ଆସି ପଚାରିଲା, "ପିଉସି ଆଜି ସକାଳୁ କିଆଁ ଗୋଧୋଇ ନାହଁ- ଦିହ କଣ ଖରାପ ଅଛି କି ?" ବୁଢ଼ୀ କ‌ହିଲା- "ନାଇଁରେ ପୁଅ, ବାଟରେ ନଈରେ ଗୋଧୋଇବି । ମୋତେ ଗୋଟେ ଲୋକ ଟିକିଏ କରିଦେ । ମୁଁ ଯାଏଁ ଭାରି । ଆମେପରା ଜାଣିବା ଶୁଣିବା ଲୋକଗୁଡ଼ାକ- ଏକଥା ସହିପାରିବୁଁ ନାହିଁ ।"

ସରୋଜ କ‌ହିଲା- "କି କଥା ପିଉସି !" "ସବୁ ଶୁଣିଛିରେ ବାବୁ, ଶୁଣିଛି, ଯଃ- ଆଉ କ‌ହି ଲାଭ କଣ ? ମାଳିକା କଥା ତ ଘଟିଗଲା । ଘୋରକଳି ପ‌ହ‌ଞ୍ଚିଗଲା । ହଉରେ ବାପା, ସୁଖେ ରହି ଘର ଦୁଆର କର ।"

"ପିଉସି ! ସେ ତ ଆହୁରି କେତେ ଦିନ ଅଛି । ଏତେ ତର ତର କିଆଁ ହଉଚ ?"

ବୁଢ଼ୀ ଆଉ ଶୁଣିଲା ନାହିଁ । ସରୋଜକୁ ଯିବା ପାଇଁ ବଡ଼ ବ୍ୟସ୍ତ କରି ପକେଇଲା । ସରୋଜ ମଟରଟି ଆଣି ହାଜର କଲା । ମଣିହାତରେ ୧୦୦ଟଙ୍କା ଦେଲା । ଦୁହିଁଙ୍କୁ ୫୦ଟାଙ୍କ ଲେଖାଏଁ ଦେବା ପାଇଁ ଆଉ ଆଣିଥିବା ପାଟଅଳଙ୍କାର ପ୍ରଭୃତି ପିଉସୀଝିଅ ଭଉଣୀକୁ ଦେବା ପାଇଁ ତା' ହାତରେ ଦେଲା ।

ମହାସମାରୋହରେ ଦୁଇଟା ମଟର ସଜଲି କରି ବଉଁଶଯାକ ପିଉସୀଙ୍କୁ ଛାଡ଼ି ବାହାରିଲେ । ଯେତେ ବୁଝାଇଲେ ବୁଝିଲା ନାହିଁ । ସେ ଯିବାକୁ ନିହାତି ଅଡ଼ି ଧରି ବସିଲା, ଶେଷରେ ତାହାହିଁ ହେଲା । ବୁଢ଼ୀଙ୍କୁ ବିଦାୟ ଦେବାପାଇଁ ସମସ୍ତେ ମଟରରେ ଚଢ଼ିଲେ । ମଣି ଯିବାଟା ବୁଢ଼ୀକୁ କିଂବା ତାର ଝିଅକୁ ଭଲ ଲାଗିଲା ନାହିଁ । ପୁଣି ମଣି-ବୁଢ଼ୀ-ଆଉ ତାଙ୍କ ଝିଅ ଏ ବସିଲେ ଗୋଟାଏ ମଟରରେ ତାଙ୍କ ବୁଜୁଳି ମୁଜୁଳି ଧରି-ଆରଟାରେ ବିନୋଦ-ସରୋଜ-'ଦିବ' ବସିଲେ । ମଟର ଚାଲିଲା । ମଣିକୁ ମା ଝିଅ ଆଦୌ ଚାହିଁଲେ ନାହିଁ । ବଡ଼ ଖିତ୍ ଖିତ୍ ହେଉଥାନ୍ତି । ବକି ଦିଅନ୍ତେ ପରା- ମାତ୍ର ପାଖରେ ଯେ ଆର ପାଖକୁ ଡ୍ରାଇଭର୍‌ଟା ବସିଛି- କିପରି କଣ କ‌ହିବେ; ତେବେ ଗର ଗର ହେଉଥାନ୍ତି ।-ଏଉଟା କିଆଁ ଆମ ସାଙ୍ଗରେ ଆସିଚି ! ମନେ ମନେ ଭାବୁଥାନ୍ତି, ପଇସା ଦିଅଣା କରି ସରୋଜ ବାଟ ଖର୍ଚ୍ଚ ସୁଦ୍ଧା ଦେଲା ନାହିଁ ? ସବୁ ଏଇ ନଟକଟୀର ନବରଙ୍ଗ ! ମା ଝିଅ କଣ କଥାବାର୍ତ୍ତା ହେବାକୁ ମନ କରୁଥିଲେ, ମାତ୍ର ହେବାର କୌଣସି ସୁବିଧା ପାଇଲେ ନାହିଁ । ତେବେ ମଣିକୁ ନଚାହିଁ ବାର ଦିଗରେ ଆଖି ବୁଲାଉ ଥାନ୍ତି ।

ଏହି ସମୟରେ ମଣି ଟଙ୍କାଗୁଡ଼ିକ କାନିରୁ ଫିଟେଇ ଆଗ ଭାଗେ ପିଉସୀଙ୍କ ହାତରେ ଗୁଞ୍ଜିଦେଲା । ଏଥର ପିଉସୀ ଚମକି ପଡ଼ିଲେ । ବୁଢ଼ୀଙ୍କର ରାକ୍ଷସୀ ଭାବ ଦଣ୍ଡକେ କୁଆଡ଼େ ବଦଳିଗଲା । ସ୍ନେହରେ ମୁଣ୍ଡକୁ ମଣିର ଆଉଁଶି ଦେଇ କ‌ହିଲେ, "ଆଲୋ ମା, ଦଉଚୁ କିଲୋ ?- ଏ ଝିଅ ସାରାଜୀବନ ତ ପୋଷିବୁ । ତୁ ତ ଆମର ।"

ଏହି ସମୟରେ ମଣି ଆର ପାଖରେ ଝିଅଙ୍କ ହାତରେ ବାକି ୫୦ଟି ଧରାଇ ଦେଇ ଧୀରେ ଧୀରେ କ‌ହିଲା- "ନାନି ! ଏଇତକ ନେଇଥାଅ, ବାଟଖର୍ଚ୍ଚ ହେରିକା କରିବ । ଆହା, ତମେ ତ ଚାଲି ଯାଉଚ- ପୁଣି ଆସିବ ?"

ବିଜୁଳି ଆଲୁଅ ଧପ୍ କରି ଯେପରି ଜଳି ଉଠେ ଠିକ୍ ସେହିପରି ଆଖି ପିଛୁଳାକେ ମା' ଝିଅଙ୍କର ପରିବର୍ତ୍ତନ ଦେଖି ଆଶ୍ଚର୍ଯ୍ୟ ଲାଗିଲା । ଏଥର ମା ଝିଅମୁହଁକୁ, ଝିଅ ମା ମୁହଁକୁ ଚାହିଁ ଅସ୍ୱକୃତ ପାପକୁ ଦୃଷ୍ଟିଦେଲେ । ଆହା, ସେମାନେ ଏଇ ଶିରୀଷକୋମଳ ଦେହକୁ କି କଷ୍ଟ ଦେଇ ନାହାନ୍ତି- କି ବାକ୍ୟବାଣ ମାରି ନାହାନ୍ତି । କୋଉ ପୁରୁଷରେ ଦିକୋଡ଼ି ଦଶ ଟଙ୍କା ଲେଖାଏଁ ସେମାନେ ହାତରେ ଧରିଥିଲେ ? ବୁଢ଼ୀ ଏଥର ମଣିକୁ କୋଡ଼କୁ ନେଇଗଲା- ତାଙ୍କର ଝିଅକାନ୍ଧ ପାଖକୁ ଲାଗିଗଲା । ବୁଢ଼ୀ ସକେଇ କରି କ‌ହିଲେ- "ଆଲୋ ଝିଅ, ମୁଁ ଚାଲି ଯାଉଚି ବୋଲି ଦୁଃଖ କରୁଚୁ କି ? ନାଇଁ ମା, ମୁଁ ଯାଉଚି କୁଆଡ଼େ ? ଆଲୋ, ଆମେ ପରା ବିଧବା ବୁଢ଼ୀ ମଣିଷ । ତମର ଏ କାମଟା ସରିଗଲା ପରେ ମତେ ଡାକିଲେ ମୁଁ ତଳଟାରେ ପଡ଼ିଥିବି । ମୋ ବାୟାଣୀ ମୋର କୁଳବଧୂ ହେବ । ଆଲୋ, ପୁରୁଷଠୋଉଁ ଆମେ ପରା ଟିକିଏ ଭୟାଳୁ । ତ‌ତେ ଏବେ ପାଞ୍ଚକଥା ମୁଁ କ‌ହି ଦିଏ- କିଆଁ କ‌ହେ ? ସେମିତି ଆଗ ଆଗକ‌ହନ୍ତି । ଏ ପରା ନୂଆକଥା ହବ । ଆଇ ସୁଲକ୍ଷଣୀ ହେଇ ଥା-ମା-ଆହା, କି ସୁନ୍ଦର ଦେହ । ମୋ ମା'ତ ସରଗର ଅପସରୀ ।" ଏଥର ବୁଢ଼ୀ ମଣିକୁ କେତେ ଗେଲ କଲେ । ମଣି ଯତ୍ନରେ ଲୁଚାଇ ରଖିଥିବା ପାଟଖଣ୍ଡି ଆଉ ଅଳଙ୍କାରଗୁଡ଼ିକ ବୁଢ଼ୀଙ୍କୁ ଦେଇ କ‌ହିଲା- "ପିଉସି ! ଏହାକୁ ନିଅ କି, ନାନୀ ଶାଶୁଘରକୁ ଗଲା ବେଳେ ତାକୁ ଦବ ।" ଏଥର ମା ଝିଅ ଦୁହିଁଙ୍କ ଆଖିରୁ ଲୁହଧାର ଗଡ଼ି ପଡ଼ିଲା । ଏଭଳି ପାଟ ତାଙ୍କ ଜନ୍ମରେ ସେ ଦେଖି ନାହାନ୍ତି । କଥାରେ ସିନା କୁବେରଭଣ୍ଡାର ବର୍ଣ୍ଣନା କରିପାରନ୍ତି, ମାତ୍ର ସତରେ କେଉଁଠି କଣ ଅଛି ? ସେ ସବୁକୁ ବୁଢ଼ୀ ଝଟ୍ କରି ଆଉ କିଏ ଦେଖିବ, କି ଡ୍ରାଇଭର୍‌ଟା ଦେଖିଯାଇ ସରୋଜ ପ୍ରଭୃତିଙ୍କୁ କ‌ହିଦବ, ଏଥିପାଇଁ ତାକୁ ଲୁଗାକାନିତଳେ ଲୁଚାଇ ଦେଲେ । ହାୟ, ତାଙ୍କର ଘରମଣି ମଣି କଣ ସତେ ଦେଖିବାକୁ ଯେପରି ଅସାମାନ୍ୟ ସୁନ୍ଦରୀ-ସେପରି ଗୁଣରେ କଣ ସର୍ବଗୁଣସମଳଂକୃତା । ମଣିକୁ ଏଥର ଆଦର ଗୌରବରେ ମା ଝିଅ ପୋତି ପକାଇଲେ ।

"ମା, ମା, କିଛି ଦୁଃଖ କରିବୁ ନାହିଁ- କାମଟା ସରିଗଲା ମାତ୍ରେ ମଟର ପଠେଇ ଦେଲେ ମୋର ଯେତେ କାମ ଥାଉ ମୁଁ ଆସିବିକିଛି ଚିନ୍ତା କର ନାହିଁ । ସବୁ ହରି ସୁଖରେ ସୁଖରେ ସଂପୂର୍ଣ୍ଣ କରିବେ ।"

କାନ ପାଖରେ ମୁହଁ ରଖି ଚୁପ୍ ଚୁପ୍ କ‌ହିଲେ- ବାୟାଣି ! ଯେବେ ଆମ ମା ଝିଅଙ୍କୁ ବିଭାଘରେ ଲୋଡ଼ାକରୁ ତେବେ ବିଭାଘର ଦିଦିନ ଥିବ ଡକେଇ ପଠେଇବୁ । ଯା, ମୋର ତ ତିନିକାଳ ଯାଇଚି- କିଏ ପଚାରୁଚିଲୋ ମା ? ଝିଅ ମୋର ମଧ୍ୟ ଘରେ ଥିବ । ଅହ୍ୟ ମାଇକିନାଟିଏ ଘରକୁତ ଅଇଲେ ଭଲହେବ- କଣ କ‌ହୁଚୁ ?"

ମଣି ମନେ ମନେ ଭାବୁଥାଏ-ଧନର-ଅର୍ଥର-ମହତ୍ୱ, ସେ ତ ବେଶ୍ ପରିବର୍ତ୍ତନ ମନୁଷ୍ୟକୁ କରିପାରେ-ମାତ୍ର କ୍ଷଣକପାଇଁ-ଯେତେବେଳଯାଏ ଗାଡ଼ିରେ ତେଲ ଅଛି ତେତେବେଳ ଯାଏ ସେ ଚାଲୁଛି । ତେଲ ସରିଲେ ସେ ବନ୍ଦ । ଅର୍ଥ ଦେବା ପର୍ଯ୍ୟନ୍ତ ସମସ୍ତେ ଆପଣାର-ଅର୍ଥ ସରିଲେ କେହି କାହାର ନୁହନ୍ତି । ଏ ମା' ଝିଅଙ୍କ କଥା ଶୁଣି ତାକୁ ହସ ମାଡ଼ିଲା । ଏମାନେ ତାକୁ କି ବାକ୍ୟ ବାଣରେ ନିର୍ଜାତିତ କରୁ ନ ଥିଲେ- ମାତ୍ର ବର୍ତ୍ତମାନ କୋଡ଼ରେ କାଖରେ ବସାଇ କି ମଧୁର କଥା କ‌ହୁଛନ୍ତି ପୁଣି କି ମହତ୍ୱ ବର୍ଣ୍ଣନା କରୁଚନ୍ତି । ହାୟ ! ସଂସାରର ରୀତି ଏହିପରି ।

ବର୍ତ୍ତମାନ ବିଦାୟର ସମୟ ଆସି ପ‌ହଞ୍ଚିଲା । ଗାଡ଼ି ଛିଡ଼ା ହେଲା । ପିଉସୀ- ଝିଅ ଦୁହେଁ ମଣିକୁ କୋଡ଼ରେ ପୂରାଇ ଖୁବ୍ଝୁଙ୍କାଏ କାନ୍ଦି ପକାଇଲେ । ତାକୁ ଛାଡ଼ି ଯିବା ପାଇଁ ଯେପରି ତାଙ୍କର ମନ ଆଦୌ ହେଲା ନାହିଁ । ଏ ଅଭିନୟ ବିନୋଦ ଆଉ ସରୋଜ ଦେଖି ଆଶ୍ଚର୍ଯ୍ୟ ହେଲେ । ମୁହଁରେ ରୋମାଲ ଦେଇ ହସିଲେ । ବାଃ-କି ଚମତ୍କାର ପରିବର୍ତ୍ତନ ! ତେବେ ମଣି ଏମାନଙ୍କର ନିଜର ଏତେ ଦୂର । ଆମେ ସବୁ ପର ନିଶ୍ଚୟ ବିନୋଦ !' ବିନୋଦ କ‌ହିଲା- "ରହ-ଦେଖ ଅଭିନୟ ।"

ବୁଢ଼ୀ ମଣିକୁ ଆଶୀର୍ବାଦ ଉପରେ ଆଶୀର୍ବାଦ ଢାଳି ଦେଇ ଦିହମୁଣ୍ଡ ଆଉଁଶି ପକାଇଲେ । ଆଜି ତାଙ୍କର କରାଳ କାଳୀ ମୂର୍ତ୍ତି ଏପରି ପ୍ରସନ୍ନ ବଦନା-ଶାନ୍ତ ମୂର୍ତ୍ତି ଧରିଛି ଯାହା ପୂର୍ବେ କେବେ ହେଲେ ଥରକ ପାଇଁ ଲୋକ ଲୋଚନ ଅଗୋଚର ଥିଲା ।

ସରୋଜ ହସକୁ ମାରି ବିନୋଦ ସ‌ହିତ ଯାଇ ପିଉସୀଙ୍କୁ ନମସ୍କାର ହୋଇ କ‌ହିଲା- "ଯାଉଛତ- ମନେ ପକୋଉ ଥିବ ?"

ଏଥର ପିଉସୀ ସରୋଜକୁ ପାଖକୁ ଡାକି ଟିକିଏ ଦୂରେଇ ହୋଇ ଛିଡ଼ା ହୋଇ ଚିବୁକରେ ତାର ହାତ ଦେଇ କ‌ହିଲେ "ବାୟା । ଯାଉଚି-ବାୟାଣୀକୁ ସବୁ କ‌ହିଚି-ସେ କ‌ହିବ ଯେ ।"

ଏହି ସମୟରେ ମଣି କାନର ଫୁଲ ଦୁଇଟିକୁ ବାହାର କଲା । ଏ ଫୁଲ ଦୁଇଟିର ସୌନ୍ଦର୍ଯ୍ୟ ଅତୁଳନୀୟ । ତାର କାନରେ ଲାଗି ଏହା ଯେ କି ମଧୁର ଦିଶେ ତାହା ବର୍ଣ୍ଣନା କରି ହେବନାହିଁ । ତେବେ ସେ ଏହି କାନଫୁଲ ଦୁଇଟିକୁ ବଡ଼ ଆଦର କରେ । ଅଳ୍ପ ଭୂଷଣାର ସାଧାରଣ କେତେ ଖଣ୍ଡ ଗ‌ହଣା ଭିତରେ କାନଫୁଲ ତା ନିକଟରେ ଅତି ସ୍ନେହର । ପିଉସୀଙ୍କ ଝିଅର ଆଦର ତାହା ପ୍ରତି ଗାଡ଼ିଚାଲିବା ବେଳେ ସେ ଅନୁଭବ କରିଥିଲା । ତାର ଏହି ଫୁଲକୁ ବ‌ହୁବାର ଦେଖି କନ୍ଧ ପଚାରିଥିଲା-"ଏହାର ଦାମ କେତେ- ଏହା କେତେଦିନୁଁ ଲଗାଇଲୁଣି ? ଇତ୍ୟାଦି ।"

ମଣି ବୁଝିଥିଲା କନ୍ଧ ନାନୀର ଏହା ପ୍ରତି ସ୍ନେହ ଆସିଛି । ସେ ସେଥିପାଇଁ ଶେଷ ବିଦାୟ ସମୟରେ କାନରୁ ବାହାର କରି ତା ହାତରେ ଗୁଞ୍ଜି ଦେଲା । ସେ ପ୍ରଥମେ ଅନିଚ୍ଛା ପ୍ରକାଶ କରୁଥିଲା- ମାତ୍ର ମଣିର ଗଳାଯୋରରେ ନେଲା । ମଣିକୁ କୁଣ୍ଢେଇ ଗେଲ କରି-ଆଶୀର୍ବାଦ ଦେଇ-ଚୁମାଦେଇ ବୁଢ଼ୀ ଆଉ କନ୍ଧ ବିଦାୟ ନେଲେ କାନ୍ଦି କାନ୍ଦି ।

ସରୋଜ, ବିନୋଦ, ମଣି ଅନ୍ୟ ଗାଡ଼ିରେ ଫେରି ଆସିଲେ । ଏଥର ହସର ଯୁଆର ଉଠିଲା । ମାତ୍ର ମଣି ବିଦାୟ ଦୁଃଖରେ ଏପରି ବିଷାଦିତ ଥିଲା ଯେ ଆଦୌ ସେମାନଙ୍କ ହସରେ ଯୋଗଦେଇ ପାରିଲା ନାହିଁ । ବରଂ ଆଖିରୁ ଲୁହ ଧାରା ଗଡ଼ାଇଲା । ସରୋଜ ଆଉ ସମ୍ଭାଳି ପାରିଲା ନାହିଁ‌-ହୋ ହୋ ହୋଇ ହସି ଉଠିଲା । "ବାଃ-ଭାରିତ ପ୍ରେମ-ପିଉସୀ ତ ଏକବାରେ ହୃଦୟର ମଣି କରି ନେଇଗଲେ । ବାଃ-ଅର୍ଥ କଣ ନ କରେ ?

ଏଥର ମଣି ବିରକ୍ତ ହେଲା- "ନାଇଁ ତା'ନୁହେ, ସେମାନେ ଭାରି ଭଲ ଲୋକ- ।"

"ଆରେ କବିଙ୍କ ଦୃଷ୍ଟିରେ କିଏ ଭଲ ନୁହେଁ କି ? ବାଲି ଗୁଡ଼ାକତ ମୁକ୍ତା ରେଣୁ । ହେଉ ହେଉ ପିଉସୀ କଣ ଗୁପ୍ତମନ୍ତ୍ର ଦେଉ ଥିଲେ ? ସମସ୍ତ କଥା ମଣି ଗୋଟି ଗୋଟି କ‌ହିଗଲା ସରୋଜର ବିନୋଦର ପେଟ ପିଡ଼ା ହୋଇଗଲା ହସି ହସି । ତେବେ ପିଉସୀ-ଆସିବେ-ଆଛା ।"

ନାନାପ୍ରକାର ହସ ରହସ୍ୟରେ ସମସ୍ତେ ଘରକୁ ଫେରିଗଲେ । ସେ ଦିନ ସାରା ମଣିକୁ ଦୁହେଁଯାକ-ଘାଣ୍ଟି ପକାଇଲେ । କିମିତି ସେମାନେ ଉଗ୍ରଚକ୍ଷୁରେ ଚାହୁଁଥିଲେ-ତୁ କିପରି ଟଙ୍କା ତାଙ୍କୁ ଦେଲୁ ? ସେଠୁ ବୁଢ଼ୀ କଣ କ‌ହିଲା-ଝିଅ କଣ କ‌ହିଲା । ତାକୁ ବାରଂବାର ଏହି କଥାଟା ଶୁଣିବାକୁ ବଡ଼ ଭଲ ଲାଗିଲା ।

ବିନୋଦ କାଗଜ ପେନ୍‌ସିଲ୍ ଧରି ବସିଗଲା । ଏ ଦୃଶ୍ୟଟାକୁ ସେ ଗୋଟାଏ ଗଳ୍ପ ନ‌କଲେ ହୃଦୟର ବେଗ ସମଳା ଯିବ ନାହିଁ । ଗଳ୍ପଟି ଲେଖା ସରିଲା । ତାହା ସମସ୍ତେ ବ‌ହୁବାର ପଢ଼ିଲେ । ବିନୋଦ ବ‌ହୁଦିନୁଁ ଲେଖା ଲେଖି ଚୁଲିକି ଫିଙ୍ଗି ଦେଇଥିଲା । କଲେଜରେ ଥିବାଯାଏ ଗୋଟାଏ ଗୋଟାଏ କେବେ କିପରି ଲେଖୁଥିଲା- ମାତ୍ର ଗୋଡ଼ାଗାଁକୁ ଯାଇ ସେ ଦଣ୍ଡେ ସମୟ ପାଇଲା ନାହିଁ । ସେଥିପାଇଁ ଗୀତ କବିତା ଏକାବେଳେ ଭୁଲିଥିଲା । ଆଜି ତାର ଗଳ୍ପଟି ଅତି ମନୋହର ହୋଇଅଛି । କବିଙ୍କୁ ତାର ସଂଶୋଧନ ଭାର ଦିଆଗଲା-କାରଣ-ସେ ଅନୁଭବୀ ।

ବିନୋଦ ଚତୁର୍ଦ୍ଦିଗରେ ପତ୍ରଲେଖି ପ୍ରାୟ ୭୦-୭୫ ସରିକି ଯୁବକ ବନ୍ଧୁ ଆମନ୍ତ୍ରଣ କରି ଆଣିଲା । ବନ୍ଧୁମାନଙ୍କର ସ୍ତ୍ରୀ-ଭଉଣୀମାନେ ଆସି ଘର ମଣ୍ଡି ପକାଇଲେ । ବିନୋଦର ସ୍ତ୍ରୀ ମଧ୍ୟ ଅଇଲା । ଶୁଭ ଶଙ୍ଖ ଧ୍ୱନି ବାଜି ଉଠିଲା । ହୁଳୁ ହୁଳି ତାନରେ ଗ‌ଗନ ପବନ କମ୍ପିଗଲା । ପଡ଼ୋଶୀ ବ୍ରାହ୍ମଣମାନେ ଉଁକି ମାରୁଥିଲେ ।

(୭)

ଦୂର ସ୍ୱର୍ଗ ଧାମରୁ ଦେଖିଯାଅ ବୃଦ୍ଧା ! ଦେଖିଯାଅ-ଶ୍ୟାମ‌ବାବୁ । କିପରି ମଣି ସ‌ହିତ କାଞ୍ଚନର ମିଶ୍ରଣ ଶୋଭା ଚତୁର୍ଦ୍ଦିଗ ମୁଗ୍ଧ କରୁଅଛି ।

ବୃଦ୍ଧ ! ଏ ସୌଭାଗ୍ୟ ଦେଖିବାକୁ ବିଧାତା ତୁମ୍ଭଙ୍କୁ ଇହଲୋକରେ ରଖିଦେଲା ନାହିଁ ତୁମର "ଗୋବର ଗୋଟେଇ" ଆଜି ରାଜରାଣୀ । ଆଜି ଧନେ-ମାନେ-ବିଦ୍ୟାରେ-ସୌନ୍ଦର୍ଯ୍ୟରେ କୁଳୀନତାରେ ଶ୍ରେଷ୍ଠ ସରୋଜ କୁମାର ମିଶ୍ର ଏମ୍, ଏ ବି, ଏଲ୍‌ଙ୍କର ସ‌ହଧର୍ମଣୀ-ତାଙ୍କ ହଏତ୍ ପଦ୍ମର କମଳା ।

ଯେଉଁ ବାଳିକା, ଦିନେ ଘସିଦିଖଣ୍ଡି ପକାଇ ତାହାରି ଉପାର୍ଜ୍ଜନରେ ପ୍ରାଣରକ୍ଷା କରୁଥିଲା- ଆଜି ସେ କୁବେର ଭଣ୍ଡାରର ଅଧିକାରୀ-ଆଜି ସେ ଶତ ଶତ ନିରନ୍ତ-ଦୁଃଖ କ୍ଳିଷ୍ଟ ପରିବାରର ପୋଷଣ କର୍ତ୍ତୀ । ଏ ସୌଭାଗ୍ୟ ଯାହା ତୁମ୍ଭେ ଦେଖିଲ ନାହିଁ । କେତେ ଯତ୍ନରେ ପାଳନ କରିଥିଲ । ଛିନ୍ନ ଅଞ୍ଚଳ ତଳେ ନିଜର ରକ୍ତ ଦେଇ ବଞ୍ଚାଇଥିଲ, ସ୍ୱର୍ଗରେ ଥାଇ ତାର ସୌଭାଗ୍ୟ ଦେଖ ।

ମହା ସମାରୋହରେ ବିବାହ ସଂପନ୍ନ ହେଲା । ବ୍ରାହ୍ମଣ ପୁଂଗବ ବାଚପ୍ପତି ଶର୍ମା ଏହିବିବାହରେ ପୌରାହିତ୍ୟ କଲେ । ବ୍ରାହ୍ମଣମାନେ ପ୍ରଥମେ ପ୍ରଥମେ ନାନାପ୍ରକାର ଗୋଳ ଯୋଗ ଆରମ୍ଭ କଲେ । କିଏ କେତେ ପ୍ରକାର ଭାବଭଙ୍ଗୀ ଦେଖାଇଲେ ମାତ୍ର "ଅର୍ଥେନ ସର୍ବେ ବଶାଃ"- ବିବାହ ଭୋଜି ଖାଇବା ପାଇଁ ଜଣେ କେହି ଅଟକିଲେ ନାହିଁ ।- ଅନ୍ନଭୋଜନ‌କୁ ବନ୍ଧୁବାନ୍ଧବମାନେ ଆସିବାକୁ ଇଚ୍ଛାକଲେ ନାହିଁ-ମାତ୍ର ଦେଖିଲେ ଯେ ଶିକ୍ଷିତ ଯୁବକ ବାପାମାନଙ୍କୁ ଛାଡ଼ି ଚାଲି ଆସିଲେ । ତେଣୁ ବୁଢ଼ାମାନେ ଅଭିଶାପ ବର୍ଷଣ କଲେ । ମାତ୍ର ଅବ୍ରାହ୍ମଣତ୍ୱ ଯୋଗେ ଅଭିଶାପ ଆଦୌ ଗୁଣକଲାନାହିଁ । ଯେତେବେଳେ ସରୋଜ ସ୍ୱୟଂ ଦୁଆର ଦୁଆର ବୁଲି ବୁଢ଼ାମାନଙ୍କୁ ଡାକିଲା ତେତେବେଳେ କେତେଜଣ ଏ ପାଖ ସେପାଖ ହୋଇ ବିଚାର କଲେ ।

ବିଚାରରେ ଯିବାଟା ଠିକ ହେଲା । ଆସିଲେ ଖାଇଲେ-ମାତ୍ର ଯିବାବେଳେ କଥାଟାକୁ ସ୍ୱୀକାର କଲେ ନାହିଁ-କେହି କେହି ଗାୟତ୍ରୀ ସାବିତ୍ରୀ କରିବେ ବୋଲି ରାତି ପାହିବାକୁ ଅନାଇଁ ବସିଲେ- କେହି ବା "ଘୃତ-ପକ୍ୱାନ୍ନ ଭୋଜନଂ, ନ‌ଦୋଷ ଭାକ୍" ଏହି ସୂତ୍ରରେ ଦୋଷ କ୍ଷାଳନ କଲେ ।

ସେମାନଙ୍କର ହୃଦୟ ବୁଝିଲା ନାହିଁ । ଏକ‌କରଣୀରେ ଦୁଇଟି ପାପ (?) ତାଙ୍କୁ ବ୍ୟସ୍ତ କରିଦେଲା । ଏଣେ ବ୍ରାହ୍ମଣ ହୋଇ ବୃଷଳୀ କନ୍ୟା (ଯୁବତୀ) ବିବାହ ପୁଣି କ୍ଷତ୍ରିୟା । ବାପ୍‌ରେ- କି ଅଘଟନ କଥା ! ତେବେ କାମସରିବା ପରେ ୧୫/୨୦ ଦିନ ଏପରି ଆଲୋଚନା ଲାଗିଲା । ମାତ୍ର ଯେମାମଣିଠାରୁ ଗାଁର ଲୋକେ ଯେତେବେଳେ ପାଞ୍ଚ କଥା ପାଇଲେ, ପାଞ୍ଚ ଅଭାବ ପୂରା କଲେ ଏବଂ ତାର ସୁରୂପ-ସୁଗୁଣ ଦେଖିଲେ, ତେତେବେଳେ ସବୁ କଥା ଭୁଲିଗଲେ । ମଣିଯୋଗେ ସେମାନଙ୍କର ଅଭାବ ଆଉ ରହିଲା ନାହିଁ । ମଣି ଯୋଗେ ଇସ୍କୁଲରେ ପିଲାଟିମାନ ପାଠ ପଢ଼ିଲେ ।

ବିନୋଦ ସସ୍ତ୍ରୀକ ପ୍ରାୟ ଦୁଇମାସ ଯାଏ ରହିଲା; ମାତ୍ର ତାର ପିତାଙ୍କର ଆଗ୍ରହ ଡକରାରେ ସେ ଯିବାକୁ ଉତ୍ସୁକ ହେଲା । ତାର ପିତା ପୁଅର ପ୍ରତ୍ୟେକ କାର୍ଯ୍ୟକୁ ସମର୍ଥନ କରୁଥିଲେ । କଥା ପଡ଼ିଲେ କ‌ହୁଥିଲେ- "ଆହେ, ଆମଯୁଗଥିଲା ଅଲଗା- ଏ ପରା ନୂଆଯୁଗର ପିଲା । ତାଙ୍କ ମନଇଚ୍ଛାରେ ସେ ଚଳିବେ ନାହିଁ ଆଉ କଣ ଆମରି ଏଇ ମୂର୍ଖ କଥା ଗୁଡ଼ାଏ ଶୁଣିବେ । କ‌ହିଲ- କଣ ପାଠପଢ଼ା ଆମର ? ଏତେ ଦେଶ ବିଦେଶର କଥା- ଏତେ ଶାସ୍ତ୍ର ଆଲୋଚନା କୋଉଁ ପଣ୍ଡିତ କରୁଛନ୍ତି ? ଆମ କ୍ଷୁଦ୍ର ଗଣ୍ଡିଟି ଭିତରେ ଆମେ ଆବଦ୍ଧ ରହି କ‌ହୁଛୁଁ- ସପ୍ତ ବ୍ରହ୍ମାଣ୍ତ ଦେଖୁଛୁ । ସେ ଯେଉଁ ଶାସ୍ତ୍ର ପ୍ରମାଣ ଦେଉଚନ୍ତି କେତେ ଜଣ ଦେଉଚ ତମ ଭିତରୁ । ଖାଲି କଥା ।"

ବୁଢ଼ା ନୃତନତ୍ୱକୁ ବଡ଼ ଭଲ ପାଉଥିଲେ । ତାଙ୍କର ଧାରଣା ଏମାନେ ପାଠ ସାଠ ପଢ଼ିଚନ୍ତି ଯେଉଁ ବାଟ କରିବେ ସେଟା ଆମମାନଙ୍କୁ ଅପେକ୍ଷା ଭଲ ନ ହେବ କାହିଁକି ? କେତେଗୁଡ଼ାଏ ଲୋକ ତାଙ୍କୁ ଏହି କଥା ଶୁଣି ବଡ଼ ଅସନ୍ତୁଷ୍ଟ ହୁଅନ୍ତି, କ‌ହନ୍ତି- "ଦେଖ ବୁଢ଼ାଟେ-ତିନିକାଳ ଗଲା । ୪ର୍ଥ ଅବସ୍ଥାରେ କିକଥା କ‌ହି ପିଲାଗୁଡ଼ାକର ମନ ମୋଟ କରିଦେଉଚି ।" ବିନୋଦ ଦିନେ ତାର ସ୍ତ୍ରୀକୁ ଧରି ତାର ଗାଁକୁ ଚାଲିଗଲା । ମଣି ଆଉ ସରୋଜ ତାକୁ ପ୍ରାୟ ଅଧାବାଟଯାଏ ଛାଡ଼ିଯାଇ କାନ୍ଦି କାନ୍ଦି ଫେରି ଆସିଲେ । ମଣି କିଛିଦିନ ପରେ ବିନୋଦ ଗାଁକୁ ଯିବ ବୋଲି ଅମ୍ବିକାକୁ କ‌ହିଲା । ବିନୋଦ ସ୍ତ୍ରୀର ନାମ ଅମ୍ବିକା । ସେ ଯେପରି ସୁନ୍ଦରୀ ସେପରି ଗୁଣବତୀ । ତେବେ-ତେତେ ପାଠ ପଢ଼ିନାହିଁ । ବିନୋଦ ଯାହା ଅଳ୍ପ ପଢ଼ାଇଛି । ବିନୋଦ ମଧ୍ୟ ପାଠ ଲୋଡ଼େ ନାହିଁ । ଯାହା ସ୍ତ୍ରୀଠାରେ ଥିବାର ପ୍ରୟୋଜନ ସେ ତାହା ଅମ୍ବିକାଠାରୁ ପାଇ ସନ୍ତୁଷ୍ଟ । ଅମ୍ବିକାର ଗୁଣରେ ମଣି ଏପରି ମୁଗ୍ଧ ହୋଇଥିଲା ଯେ, ତାକୁ ପ୍ରାଣ‌ଠାରୁ ଅଧିକ କରି ଭଲ ପାଉଥିଲା । ଦୁହେଁ ଦୁଇ ଭଉଣୀ ପରି ଚଳୁଥିଲେ । ତାଙ୍କ ଭିତରେ ଏହା ମଧ୍ୟରେ କଥାହେଲା ଯେ, ସେମାନେ ସମୟ ନେଇ ଏକାଠି ରହିବେ । ଅମ୍ବିକା ଥିଲା ଗୃହିଣୀ ପରି ବଡ଼ସ୍ଥିର । ମାତ୍ର ମଣିର ଶିଶୁଭାବ ଯାଇ ନ ଥିଲା । ତାର ଗୃହିଣୀର ଦାୟିତ୍ୱରେ କେତେକ ଅଭାବ ଥିଲା । କଳ୍ପନାର କଳ୍ପଲୋକରେ ଭାସିବା ତାର ଥିଲା ବିଶେଷ ଅନୁଭୂତି ।

ଅମ୍ବିକାକୁ ମଣି କଣ ଦେଇ ନଥିଲା- ଧନ ପଦାର୍ଥତ ଯାହା ଦେବାର ଦେଇଥିଲା- ସେକଥା କିଏ ପଚାରେ- ତେବେ ସେ ଆଉ ଗୋଟିଏ ଅମୂଲ୍ୟ ପଦାର୍ଥ ଦେଇଥିଲା- ତାହା- ତାର ପ୍ରାଣର ଭଲ ପାଇବା ।

ସେଥି ମଧ୍ୟରେ ମଣିଥିଲା ସ୍ୱର୍ଗର ପାରିଜାତ ଅମ୍ବିକା ଥିଲା ମର୍ତ୍ତ୍ୟର ମନ୍ଦାର-ଉଭୟଙ୍କର ବିଦାୟ ମିଳନର ଦୃଶ୍ୟକୁ ସ୍ମୃତିକୋଷର ଅମୂଲ୍ୟ ନିଧି କରି ଉଭୟେ ଭିନ୍ନ ଭିନ୍ନ ଦିଗରେ ଗଲେ ।

କବିଙ୍କ ତୁଣ୍ଡରୁ ଶୁଭିଲା-
ବିରହ ଦ‌ହନେ ନ ତାତିଲେ ତନୁ
ମିଳନ ମାଧୁରୀ ପାଶୋରନ୍ତା ମନୁ ନଥିଲେ ବଜର ବରଷନ୍ତା ଘନୁଁ
ସୁଧାରସ ଧାରା କେ କରନ୍ତା ପାନ ।

ସମାଜର କୁସଂସ୍କାର ଗୌରବ ଚୁଡ଼ାକୁ ସରୋଜ ଭାଙ୍ଗିଦେଇ କେତେ ସମାଜ ମିତ୍ରଙ୍କଠାରୁ ଗାଳିଖାଇଲା, ମାତ୍ର ଦେଶର ପ୍ରତ୍ୟେକ ପତ୍ର ପତ୍ରିକା ତାର ମଙ୍ଗଳ ଚିନ୍ତାକଲେ- ତାକୁ ଧନ୍ୟବାଦ ଦେଲେ । ଏ ବିବାହର ନୂତନତ୍ୱରେ ପତ୍ରିକା ମଣ୍ଡଳୀ ଛବି ମାଳରେ ଭୂଷିତ ହୋଇ କାଟଭିର ସୀମା ରଖିଲେ ନାହିଁ । "ଶେଷରେ ମଣି-ସରୋଜ" ଛବି ଦର୍ଶକ‌କୁ ନବ‌ଭାବରେ ବିମୁଗ୍ଧ କରି ଦେଇଥିଲା ।

ସେମାନଙ୍କର ପ୍ରଦର୍ଶିତ ପଥରେ ଦେଶର ଶତ ଶତ ଯୁବକ ଆଗଭର ହୋଇ ପଥିକ ହେଲେ । ସେମାନଙ୍କର ସୁଗୁଣ ସୌରଭ ଚତୁର୍ଦ୍ଦିଗରେ ବିକିରିତ ହେଲା । ଲେଖକ ବିଚରା କର୍ତ୍ତବ୍ୟ ଚକରୁ ପଛକେ ଶତ୍ରୁକାରେ ନାଁଟି ଦେଖାଇବା ପାଇଁ ଲେଖିଲା-

"ସେ ସୌରଭେ ବ୍ରାହ୍ମଣର ଦର୍ପ‌ ହେଲା ଚୂନା ।
ଚାଣ୍ଡାଳ ରଚିଲା ନିତି ଦେବ ଅରଚନା ।
ପତିତ ସେ ସୌରଭରେ ହୋଇଲା ଜାଗ୍ରତ ।
ଶଠତା ଭଣ୍ଡତା ଯେତେ ଦଳିଲା ମହତ ।"

ସନାତନ ଧର୍ମ ସଂସ୍କୃତ ହେଲା- ଅର୍ଯ୍ୟ ଗୌରବ ରବି ବିକଶି ଉଠିଲା ।

+ + +

ବାଡ଼ି ପଛ ବଗିଚାରେ ଗୋଟିଏ ଗଛ ମୂଳେ ବସି ସରୋଜ ଚାହିଁଥିଲା ଦୂର ଆକାଶକୁ ଏବଂ ତାର ଜୀବନର ଲକ୍ଷକୁ ଚିନ୍ତା କ୍ଷେତ୍ରକୁ ଟାଣୁଥିଲା । ତା' ମନରେ ଗୋଟାଏ ଅପୂର୍ବ ଆନନ୍ଦ ଆସିଲା, ତାର ଜୀବନ କି ସୁଖମୟ ! ଦୁଃଖ ଯେ ସେ ପାଇନାହିଁ, ପାଇବ ନାହିଁ ତାହା ନୁହେଁ । ମାତ୍ର ସେ ଦୁଃଖକୁ ହୁଃଖ ଭାବିନାହିଁ ବା ଭାବିବ ନାହିଁ । କାହିଁକି - ଯେପରି ତାର ମନର ଭାବ ଅନୁଭବ କରି ସୁନ୍ଦରୀ ରାଣୀ "ଜେମାମଣି"- ତେଣୁ ଗାଇ ଗାଇ ଆସି କୋଳରେ ପଶିଗଲା- ସେହି ଅତୀତର ଅନ୍ଧକାର ପାଶୋରା ଭବିଷ୍ୟତର ଭାବନାମରାକବି ଓମରଙ୍କର ଲଳିତକାନ୍ତ ବର୍ତ୍ତମାନ ଚିନ୍ତାର କବିତା-

"ଏଇଠାରେ ଏଇ ତରୁତଳେ
ତୁମେ ମୁଁ ବସି କୁତୂହଳେ
ଜୀବନର ଯେ କେତୋଟି-ଦିନ
କାଟିଦେବା ହେଳେ ।

ସଙ୍ଗେଥିବ ପାନୀୟ ପାତ୍ର
ଅଳ୍ପ କିଛି ଆହାର ମାତ୍ର
ଖଣ୍ଡିଏ ମାତର ଛାନ୍ଦ ମଧୁର କାବ୍ୟ କଳା କରେ-
ଥିବ ତୁମେ ମୋହରି ପାଶେ
ଗାଇବା ଦୁହେଁ ପ୍ରେମୋଚ୍ଛାସେ
ମରୁ ମଝିରେ ସ୍ୱପ୍ନ ସ୍ୱର୍ଗ କରିବା ବିରଚନ
ଗ‌ହନ କାନନ ହେବ ସିନା
ସରଗ ନନ୍ଦନ ।"

୨ ଜୁନ ୧୯୨୮
-ଘାଟଶୀଳା-
ସିଂହଭୂମି ଭାରତୀ ତପୋବନ ସଂଘର
ପ୍ରକାଶିତ ପୁସ୍ତକ
କବି ଶ୍ରୀମତୀ କୁନ୍ତଳାକୁମାରୀ ଦେବୀ

୧ ରଘୁଅରକ୍ଷିତ (ବିରାଟ ସଚିତ୍ର ଉପନ୍ୟାସ) ଟ୨୧
୨ ପରଶମଣି (୨ୟ ସଂସ୍କରଣ) ଟ୦୪
୩ ଅର୍ଚ୍ଚନା (କଳିତ ଲଳିତ ସଂଗୀତ ପୁସ୍ତକ) ଟ୧
୪ ଅଞ୍ଜଳି (୨ୟ ସଂସ୍କରଣ) ଟ୧
୫ ଭ୍ରାନ୍ତି (୨ୟ ସଂସ୍କରଣ) ଟ୧
୬ ସ୍ଫୁଲିଙ୍ଗ (ଜାତୀୟ ଅଗ୍ନି ସ୍ଫୁଲିଙ୍ଗ କବିତା) ଟ୪
୭ କାଳୀବୋହୂ (ଗାର୍ହସ୍ଥ୍ୟ ଉପନ୍ୟାସ) ଟ୧
୮ ନଅତୁଣ୍ଡି (ହସି ହସି ପେଟ ପୀଡ଼ା ହେବା ବ‌ହି) ଟ୪
୯ ଉଚ୍ଛ୍ୱାସ (ଗୀତି କବିତାର ଅମୃତ ନିର୍ଝର) ଟ୪
୧୦ ଆହ୍ୱାନ (ସ୍ୱରାଜ ଯୁଦ୍ଧର ଅଗ୍ନିମୟ ଡାକ) ଟ୧

ନୂତନ ପ୍ରକାଶିତ
୧୧ ଗୋବର ଗୋଟେଇ (ଚକ୍ରଧର ମହାପାତ୍ର) ଟ ୪
୧୨ ଅପୂର୍ଣ୍ଣ ପ୍ରେମ ( ଚକ୍ରଧର ମହାପାତ୍ର ) ଟ୩

ଅମୂଲ୍ୟ ପୁସ୍ତକ
୧୩ ପ୍ରେମ ଚିନ୍ତାମଣି (ରାଧାକୃଷ୍ଣ ଲୀଳା ସନ୍ଦର୍ଭ) ଟ ୧୧

ପ୍ରାପ୍ତିସ୍ଥାନ-
ଓଡ଼ିଶାର ଯେ କୌଣସି ପୁସ୍ତକ ଦୋକାନ