ପୃଷ୍ଠା:Amari jatir agua neta.pdf/25

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜଣେ ହେଲେ ବିଦ୍ରୋହୀ ପାଇକ ନାହାନ୍ତି। ସେଠାରୁ ସେ ପୁରୀ ଗଲେ ଆଉ ବାଟରେ ଯେତେ ପାଇକ ଗାଁ ପଡିଲା, ସବୁକୁ ପୋଡି ଜାଳି ଧ୍ୱଂସ କରିଦେଲେ।

କଣାସର ଦେବାନ କୃଷ୍ଣଚନ୍ଦ୍ର ପାଂବରେଙ୍କ ଫଉଜଙ୍କୁ ପୁରୀ ଯିବାରେ ବାଧା ଦେବା ପାଇଁ ଲୁଣା ନଦୀ ବନ୍ଧ ପଛପଟେ ଛକି ରହିଥିଲେ। ଏ ଖବର ପାଇ ପାଂବରେ ଫଉଜଙ୍କୁ ତିନିଭାଗ କରି ତିନିପଟୁ ପାଇକଙ୍କ ଉପରେ ଚଢଉ କଲେ। ପାଇକମାନେ ଇଂରେଜଙ୍କ ଗୁଳି ଗୁଳାର ସମ୍ମୁଖୀନ ହୋଇ ନ ପାରି କଣାସ ଆଡକୁ ପଳାଇ ଗଲେ। ପାଂବରେ ପୁରୀ ଆଡକୁ ଆଗେଇଲେ।

ପୁରୀରେ ବକ୍ସି ଜଗବନ୍ଧୁ ପାଂବରେଙ୍କ ପୁରୀ ଆସିବା ଓ ବାଟରେ କଣାସର ଦେବାନଙ୍କ ପାଇକମାନଙ୍କୁ ହଟାଇ ଦେବା କଥା ଶୁଣିଲେ। ସେ ଦେଖିଲେ ଏ ଥର ଆଉ ଆହତ ବାଘକୁ ଅଟକାଇ ହେବ ନାହିଁ। ତେଣୁ ସେ ପାଇକମାନଙ୍କୁ ଧରି ବାଣପୁର ଆଡକୁ ପଳାଇଲେ। ଏଥି ଭିତରେ ରାଜା ମୁକୁନ୍ଦଦେବ ମଧ୍ୟ ପୁରୀ