ପ୍ରହ୍ଲାଦ ପିତା ସେ ଯେ ବଡ଼ ଦୁଷ୍ଟ ଦାରୁଣ ।
ସ୍ତମ୍ଭରୁ ବାହାରି ତାକୁ ବିଦାରିଲ ତତ୍କ୍ଷଣ ।
କହେ ସାଲବେଗ ହୀନ ଜାତିରେ ମୁଁ ଦମନ ।
ଶ୍ରୀରଙ୍ଗା ଚରଣେ ତଳେ କରୁଅଛି ଜଣାଣ ।
(୩)
ଶ୍ୟାମଗୋରା, ଆଜତ ବେଶ ବଡ଼ ତୋରା । ଘୋଷା
ତ୍ରିଭଙ୍ଗୀ ଛନ୍ଦେ ଉଭା କରେ ମୁରଲୀ ଶୋଭା
ଏ କୁଳ ବୁଢାଇବୁ ପରାରେ ।
ଶିଖିଲା ପ୍ରାୟ କରି ଡାକୁଛି ନାମ ଧରି
ଏ ଗୋପେ ନ ରଖିବୁ ପରାରେ ।
ତୋର ଚୂଳକୁ ଅନା ଉଡ଼ୁଛି ନେତ ବାନା
ତୁ ନନ୍ଦ ରାଜାପୁଅ ପରାରେ ।
ଯାଉଛୁ ରାଜଦାଣ୍ତେ ପଡ଼ିବୁ କାମକାଣ୍ତେ
ତୁ କାମେ ମରାଯିବୁ ପରାରେ ।
କହେ ସାଲବେଗ ହୀନ ରାଧା କୃଷ୍ଣ ପାଦେ ଧ୍ୟାନ
ମୁଁ ମୂଢ଼ ଜାତିରେ ଯବନ ।
(୪)
ସଖୀ, କୁଞ୍ଜବନେ ବଂଶୀ କେ ବଜାଇଲା ଗୋ । ପଦ ।
ଶୁଷ୍କ ତରୁମାନ ଥିଲେ ଧ୍ୱନି ଶୁଣି ପଲ୍ଲବିଲେ
ପବନ ସ୍ଥକିତ ହୋଇ ରହିଲା ଗୋ ।
ପାଷାଣ ହୁଅନ୍ତି ପାଣି ଯମୁନା ଟେକେ ଉଜାଣି
ଜଳ ତେଜି ମୀନ କୂଳେ ରହିଲା ଗୋ ।
ବାଜି ଧୀରେ କ୍ଷୁଦ୍ର ଘଣ୍ଟି ଲଜ୍ଜାବନ୍ଧ ଗଲା ଫିଟି
ବସନ ପିନ୍ଧନ୍ତେ ତର ନୋହିଲା ଗୋ ।
ଋଷିଙ୍କ ଆସନ ଟଳି ରସରେ ପଡ଼ିଲା ଢ଼ଳି
ବ୍ୟାଘ୍ର ପଛେ କୁରଙ୍ଗୀ ଗୋଡ଼ାଇଲା ଗୋ ।
କହେ ସାଲବେଗ ହୀନ ଜାତିରେ ଅଟେ ଯବନ
ରାଧାକୃଷ୍ଣ ପଦେ ଚିତ୍ତ ରହିଲା ଗୋ ।