ମୁଖ୍ୟ ସୂଚୀ ଦେଖିବେ
ଓଡ଼ିଆ ଭାଗବତ ଲେଖକ/କବି: ଜଗନ୍ନାଥ ଦାସ
ସପ୍ତମ ସ୍କନ୍ଧ

ବିଷୟସୂଚୀ

ପ୍ରଥମ ଅଧ୍ୟାୟସମ୍ପାଦନ କରନ୍ତୁ

ନମଇଁ ନୃସିଂହ ଚରଣ । ଅନାଦି ପରମ କାରଣ ।। ୧
ଲୀଳା-ବିହାରେ ତନୁ ଧରି । ମର୍ତ୍ତ୍ୟେ କେ ପାରେ ସାଧ୍ୟ କରି ।। ୨
କୃଷ୍ଣ ଚରଣେ ଦେଇ ଚିତ୍ତ । ବୋଲନ୍ତି ବ୍ୟାସଙ୍କର ସୁତ ।। ୩

ଶୁକ ଉବାଚ

ଏବେ ହୋ ଶୁଣ କୁରୁମଣି । ହରିଚରିତ ସୁଧାବାଣୀ ।। ୪
ଜନ୍ମବାସନା କର୍ମଫଳେ । ପ୍ରାଣୀ ଭୁଞ୍ଜନ୍ତି ଏ ଶୟଳେ ।। ୫
ସପ୍ତମସ୍କନ୍ଧେ ଭାଗବତେ । କହିବା ଶୁଣ ଏକଚିତ୍ତେ ।। ୬
କହିବା ପଞ୍ଚତତ୍ତ୍ୱ ଗୁଣ । ଶୁଣ ନୃପତି ସାବଧାନ ।। ୭
କର୍ମବାସନା ରୂପ ଧରି । ବେନି ପ୍ରକାରେ ସେ ସଞ୍ଚରି ।। ୮
ଶୁଭ ଅଶୁଭ ବେନି ପଦେ । ପ୍ରକାଶ କରେ ହେତୁ ଭେଦେ ।। ୯
ମହତ ଅପମାନ କୋପେ । ଅସୁର ଜନ୍ମ ପୁତ୍ରରୂପେ ।। ୧୦
ପୁଣ ମହତ ଅନୁଗ୍ରହେ । ସେ କର୍ମ ଶୁଭଫଳ ବହେ ।। ୧୧
ଶୁଣ କହିବା ପ୍ରିୟଭାବେ । ଯେ ଯହିଁ ଯେମନ୍ତ ପ୍ରସ୍ତାବେ ।।୧୨
ବୈକୁଣ୍ଠେ ହରି ଦ୍ୱାରପାଳ । ଜୟ ବିଜୟ ମହାବଳ ।।୧୩
ସେ ବେନିଭାଇ ହରିଦ୍ୱାରେ । ଖଟନ୍ତି ସେବା ଅନୁସାରେ ।।୧୪
ଚତୁଃସନଙ୍କ କୋପ ଫଳେ । ଜନ୍ମିଲେ ଅସୁରଙ୍କ କୁଳେ ।। ୧୫
ବ୍ରାହ୍ମଣେ ଅପରାଧ କରି । ଜନ୍ମ ଲଭିଲେ ଦେହଧରି ।। ୧୬
ଅସୁର ଅଂଶେ ଅବତାର । ହିରଣ୍ୟକଶିପୁ କୁମର ।। ୧୭
ସେ ପଦ୍ମଚରଣରେ ମୁହିଁ । ନିରତେ ଶରଣ ପଶଇ ।। ୧୮
ସପ୍ତମ ସ୍କନ୍ଧେ ପ୍ରହଲ୍ଲାଦ । ଚରିତ ଅମୃତ ସମ୍ବାଦ ।। ୧୯
ନୃସିଂହ ଅମୃତ ଚରିତ । ଆଜ୍ଞାରେ ରହୁ ମୋର ଚିତ୍ତ ।। ୨୦
ସାଧୁ ସୁଜନେ କୃପାକର । ମୁଁ ତୁମ୍ଭ ଚରଣେ କିଙ୍କର ।। ୨୧
ଏମନ୍ତେ ଶୁଣ ହେ ରାଜନ । ହରି ଚରିତ ସୁଧାପାନ ।। ୨୨
ସେ ପ୍ରହଲ୍ଲାଦ ଦୈତ୍ୟଦେହେ । ନାରଦ ମୁନି ଅନୁଗ୍ରହେ ।।୨୩
ଶ୍ରୀକୃଷ୍ଣ-ଚରଣ-କମଳେ । ନିଶ୍ଚଳ ଭକ୍ତି-ଯୋଗବଳେ ।।୨୪
ଜନ୍ମ-ବାସନା-ହେତୁ ସ୍ମରି । କୃଷ୍ଣ-ଭକତି ଦୃଢେ଼ ଧରି ।। ୨୫
ବିଷ୍ଣୁଭକତ ହୋଇ ଯେବେ । ଭକତି କରେ ସେହୁ ଭାବେ ।। ୨୬
ତାହାକୁ ରଖେ ଭଗବାନ । ନ ସହେ ଭକ୍ତ ଅପମାନ ।। ୨୭
ଜୟ ବିଜୟ ବେନିଭାଇ । ଅସୁର ଅଂଶେ ଜନ୍ମ ହୋଇ ।।୨୮
ହରିଙ୍କି ଅପରାଧ କଲେ । ତୃତୀୟ ଜନ୍ମେ ନିସ୍ତରିଲେ ।।୨୯
ଏଣୁ ପଣ୍ଡିତ ପ୍ରାଣୀମାନେ । ମହତ ଅନୁଗ୍ରହ ଧ୍ୟାନେ ।।୩୦
ଯତ୍ନ କରନ୍ତି ନିରନ୍ତରେ। ଆତ୍ମାକୁ ଆପଣେ ଉଦ୍ଧରେ ।।୩୧
ଏ ଭାବ ମୁନିଗଣେ ଚିନ୍ତି । ଭବସାଗରୁ ତରିଯାନ୍ତି ।।୩୨
ଏ ଆଦି-ଅନ୍ତ ତୋତେ କହି । ଶୁଣ ପରୀକ୍ଷ ମନଦେଇ ।।୩୩
ଦିତି ଉଦରେ ଦେହ ବହି । ଜୟବିଜୟ ବେନିଭାଇ ।।୩୪
ବିଷ୍ଣୁ ବଇରୀ ନିରନ୍ତରେ । ସ୍ୱଭାବେ ଅସୁର ବେଭାରେ ।।୩୫
ତାହାଙ୍କ କୁଳେ ପ୍ରହଲ୍ଲାଦ। ଶ୍ରୀକୃଷ୍ଣ ଭକ୍ତ ମଧ୍ୟେ ବୁଧ ।।୩୬
ଏ ପିତାପୁତ୍ର ମଧ୍ୟଗତେ । ପୂର୍ବବାସନା ଅନୁମତେ ।।୩୭
ମହାନ୍ତ-କୋପ-ଅନୁଗ୍ରହ । ବାସନାଭେଦ ଏ ନିଶ୍ଚୟ ।। ୩୮
ବାସନାବଳେ କର୍ମ ଜାତ । ଦଶଅଧ୍ୟାୟ ଏ ଚରିତ ।। ୩୯
ପଞ୍ଚପ୍ରସ୍ତାବ-ଶେଷେ ଜାଣ । ଧର୍ମର ନିର୍ଣ୍ଣୟ ଲକ୍ଷଣ ।। ୪୦
ପ୍ରଥମ ଅଧ୍ୟାରେ ପ୍ରସ୍ତାବ । କହିବା ପିତାପୁତ୍ର ଭାବ।। ୪୧
ହିରଣ୍ୟକଶିପୁ-କୁମର । କୃଷ୍ଣ ଭକତ ମଧ୍ୟେ ବର ।। ୪୨
ବ୍ରାହ୍ମଣ ଶାପେ ବେନିଭାଇ । ଅସୁର ଅଂଶେ ଜାତ ହୋଇ ।। ୪୩
ଇନ୍ଦ୍ରର ଅର୍ଥେ ଭଗବାନ । ଅସୁର କଲେକ ନିଧନ ।।୪୪
ତେଣୁ କଶ୍ୟପ ଋଷି-ନାରୀ । ସେ ଦିତି ମନେ କୋପ କରି ।। ୪୫
ପୁତ୍ରଙ୍କ ମରଣ ବିଶ୍ୱାସେ । ନିର୍ଘାତେ ରୋଦେ ଦଶଦିଶେ ।। ୪୬
ଏମନ୍ତ ଶୁକ ବାକ୍ୟ ଶୁଣି । ବୋଲେ ପାଣ୍ଡବ-ଚୂଡ଼ାମଣି ।। ୪୭

ପରୀକ୍ଷିତ ଉବାଚ

ଭୋ ମୁନି ଶୁଣ ମୋ ବଚନ । ସେ ହରି ସର୍ବଘଟେ ପୂର୍ଣ୍ଣ ।। ୪୮
ପ୍ରିୟ ଅପ୍ରିୟ ନାହିଁ ଯାର । ବିଶେଷେ ଶରଣସୋଦର ।। ୪୯
ସେ କିମ୍ପା ଇନ୍ଦ୍ରଙ୍କ ବୋଲରେ । ନିର୍ଦ୍ଦୟେ ଅସୁର ସଂହାରେ ।। ୫୦
ବିଷମ ମତ ଏ ତାହାର । ଯେ ହରି ଜଗତ ସୋଦର ।। ୫୧
ସୁରଗଣଙ୍କ ପକ୍ଷଧରେ । ନିଷ୍ଠୁରେ ଅସୁର ସଂହାରେ ।। ୫୨
ଯେ ହରି ସର୍ବ ଜୀବଗତି । ସେ ନିକି ଆଚାରେ ଅନୀତି ।। ୫୩
ଅଶେଷ ଜନ୍ତୁ ହୃଦେ ଥାଇ । ଅନ୍ତରେ ସର୍ବ ସେ ଦେଖଇ ।। ୫୪
ଆତ୍ମାର ନିସ୍ତାରଣ କରେ । ସେ କିମ୍ପା ଭେଦବୁଦ୍ଧି ଧରେ ।। ୫୫
ଦେବ-ଅସୁର ତାର ଦେହୀ । ସମ-ବିଷମ ତାର କାହିଁ ।। ୫୬
ସ୍ୱଭାବେ ତ୍ରିଗୁଣ ଶରୀର । ଯେ ନିରଞ୍ଜନ ନିର୍ବିକାର ।। ୫୭
ନିର୍ଗୁଣ ନିତ୍ୟ ଦେବପତି । ସକଳ ଭୂତେ ତାର ସ୍ଥିତି ।। ୫୮
ଏଣୁ ଗୋବିନ୍ଦ ଗୁଣ କର୍ମେ । ସଂଶୟେ ମୋର ଚିତ୍ତ ଭ୍ରମେ ।।୫୯
ପୁଚ୍ଛଇ ଚରଣେ ତୁମ୍ଭର । ମନୁ ସଂଶୟ ଦୂରକର ।। ୬୦

ଶୁକ ଉବାଚ

ଭୋ ନୃପ ସାଧୁ ତୋର ବାଣୀ । ତୁ ଯେ ପଚାରୁ ପରିମାଣି ।। ୬୧
ଅଦ୍ଭୁତ କୃଷ୍ଣର ମହିମା । କେ ଜାଣିପାରେ ଗୁଣ ସୀମା ।। ୬୨
ଏ ଗ୍ରନ୍ଥ ଭାଗବତ ଶୁଣ । କୃଷ୍ଣର ଭକତି ଲକ୍ଷଣ ।। ୬୩
ପରମ-ଜ୍ଞାନମୟ ବାଣୀ । ଯେ ଶୁଣେ ଯେବା ମୁଖେ ଭଣି ।। ୬୪
ନାରଦ ଆଦି ମୁନିଗଣେ । ଯାହା ଗାବନ୍ତି ଅନୁକ୍ଷଣେ ।। ୬୫
ବ୍ୟାସଚରଣେ ସେବି ମୁହିଁ । କହିବି ଯେ ଅବା ଜାଣଇ ।। ୬୬
ସେ ହରି ସ୍ୱଭାବେ ନିର୍ଗୁଣ । ଅଜନ୍ମା ଅବ୍ୟକ୍ତ କାରଣ ।। ୬୭
ସ୍ୱଭାବେ ସର୍ବଗୁଣ ପର । ବ୍ରହ୍ମା ଶଙ୍କରେ ଅଗୋଚର ।। ୬୮
ସେ ମାୟାଗୁଣ ଆଶ୍ରେ କରି । ବଧ୍ୟ ବଧିକ ରୂପ ଧରି ।। ୬୯
ଯେ ସତ୍ତ୍ୱ ରଜ ତମ ଗୁଣ । ପ୍ରକୃତି ଏହାଙ୍କ କାରଣ ।। ୭୦
ଆତ୍ମାର ଗୁଣ ଏ ନୁହନ୍ତି । ପ୍ରକୃତି ରୂପେ ପ୍ରକାଶନ୍ତି ।। ୭୧
ଉଦୟ ଅସ୍ତ ଏକାବେଳେ । ନୁହଁନ୍ତି ଗୁଣ କାଳବଳେ ।। ୭୨
ସୃଷ୍ଟି ପାଳନ କରେ ହରି । ସତ୍ତ୍ୱଗୁଣକୁ ଆଶ୍ରେ କରି ।। ୭୩
ଦେବତା-ଋଷି-ରୂପ ହୋଇ । ସ୍ୱଧର୍ମେ ସୃଷ୍ଟି ସେ ପାଳଇ ।। ୭୪
ରଜଗୁଣକୁ ଆଶ୍ରେ କରି । ଅସୁରମାନଙ୍କୁ ବିସ୍ତାରି ।। ୭୫
ଯକ୍ଷ ରାକ୍ଷସ ତମଗୁଣେ । ସୃଜଇ କାଳର ପ୍ରମାଣେ ।। ୭୬
ଜ୍ୟୋତି ସ୍ୱରୂପେ ପ୍ରକାଶଇ । ବିଚାରେ କାହିଁ ନ ମିଶଇ ।। ୭୭
କାଷ୍ଠ-ସଂଯୋଗେ ଅଗ୍ନି ଯେହ୍ନେ । ଜଳେ ଯେସନେ ପାତ୍ର ସ୍ଥାନେ ।।୭୮
ଆକାଶ ଯେହ୍ନେ ଜଳଘଟେ । ତେମନ୍ତ ରୂପେ ସେ ପ୍ରକଟେ ।। ୭୯
ମାୟାରେ ନାନାରୂପ ହୋଇ । ସେ ମାୟା ତାକୁ ନ ଲାଗଇ ।।୮୦
ଏହା ବିଚାରି ମୁନିଜନେ । ଆତ୍ମାକୁ ଆତ୍ମା ଅନୁମାନେ ।। ୮୧
ସଂଶୟ ନ କରନ୍ତି ମନେ । ହରି-ବିଷୟ କ୍ରୀଡ଼ାସ୍ଥାନେ ।। ୮୨
ସେ କାଳମାୟା-ଯୋଗ-ଯୁତେ । ପୁର ସର୍ଜଇ ଏ ଜଗତେ ।। ୮୩
ରଜ-ଗୁଣରେ ସୃଷ୍ଟି କରେ । କାରଣୁ ବ୍ରହ୍ମରୂପ ଧରେ ।। ୮୪
ଦେବାଧିଦେବ ଦେହ ମଧ୍ୟେ । ବସଇ ସତ୍ତ୍ୱ-ଅନୁବାଦେ ।। ୮୫
ରମିବା ଅର୍ଥେ ଭାବଗ୍ରାହୀ । ଅଶେଷ ଜନ୍ତୁ ହୃଦେ ଥାଇ ।। ୮୬
କ୍ରୀଡ଼ାର ଅନ୍ତେ ସେ ଆପଣେ । ସୃଷ୍ଟି-ସଂହରେ ତମୋଗୁଣେ ।। ୮୭
ସେ ସୃଷ୍ଟି-ଆଦ୍ୟକାଳେ ହରି । ଜୀବ ପ୍ରକୃତି ରୂପ ଧରି ।। ୮୮
ପ୍ରଧାନ ପୁରୁଷ ଏ ବେନି । ଜଗତ ପିଅର-ଜନନୀ ।। ୮୯
ନିମିତ୍ତେ ଏହା ସଙ୍ଗେ ଘେନି । ହରି ବିହରେ ଏ ମେଦିନୀ ।। ୯୦
ତାଙ୍କ ଆଶ୍ରୟ ସଙ୍ଗମେଳେ । ଜଗତ ଭିଆଇଲା କାଳେ ।। ୯୧
ସେ କାଳ ହରି ଆଜ୍ଞା ଘେନି । ପ୍ରଧାନ-ପୁରୁଷ ଏ ବେନି ।। ୯୨
ଉଭୟମତେ ନାନାଗୁଣେ । ହୋଇଲେ ସୃଷ୍ଟିର କାରଣେ ।। ୯୩
ସେ ହରି କାଳ ରୂପ ଧରେ । ସାତ୍ତ୍ୱିକେ ଦେବଙ୍କୁ ଉଦ୍ଧରେ ।। ୯୪
ଦେବଙ୍କ ପ୍ରିୟକର୍ମ କରେ । ଅସୁରବଳକୁ ସଂହାରେ ।। ୯୫
ଏଣୁ ସେ ପ୍ରଭୁ ଭଗବାନ । ବହଇ ସୁରପ୍ରିୟ ନାମ ।। ୯୬
ରଜ ତାମସ ଗୁଣ ଯେତେ । ତାଙ୍କୁ ସଂହାରେ ଅବିରତେ ।। ୯୭
ଏବେ ହୋ ଶୁଣ ନରନାଥ । କୃଷ୍ଣ ଚରିତ ଭାଗବତ ।। ୯୮
ତାହାଙ୍କ ମହିମା ବିଶେଷ । ଶୁଣ କହିବା ଇତିହାସ ।। ୯୯
ରାଜୁସି ଯଜ୍ଞ ସଭା ଅନ୍ତେ । ଧର୍ମନନ୍ଦନର ଅଗ୍ରତେ ।। ୧୦୦
ନାରଦ ମୁନି ଯାହା କହି । ସେ ସଭା ମଧ୍ୟେ ପାଞ୍ଚ ଭାଇ ।। ୧୦୧
ଦେବକୀନନ୍ଦନର ତୁଲେ । ଧର୍ମନନ୍ଦନ ପଚାରିଲେ ।। ୧୦୨
ସେ ସଭାମଧ୍ୟେ ଧର୍ମବଳା । ନୟନେ ଅଦ୍ଭୁତ ଦେଖିଲା । । ୧୦୩
ଶିଶୁପାଳର ପଞ୍ଚପ୍ରାଣ । ଗୋବିନ୍ଦେ ପଶିଲା ତକ୍ଷଣ । । ୧୦୪
ସଭାଲୋକଙ୍କ ଦୃଷ୍ଟିମାର୍ଗେ । ବିଜୁଳି ଯେହ୍ନେ ନୀଳମେଘେ । । ୧୦୫

ଯୁଧିଷ୍ଠିର ଉବାଚ

ଭୋ ମୁନି ଅଦ୍‌ଭୁତ ଏ କଥା । ଦେଖି ମୋ ମନେ ଗରୁଚିନ୍ତା । । ୧୦୬
ଅଷ୍ଟାଙ୍ଗଯୋଗେ ମୁନିଗଣ । ଚିନ୍ତନ୍ତି ଯେ ହରିଚରଣ । । ୧୦୭
ଏକାନ୍ତ ଭକ୍ତିଯୋଗେ ଚିନ୍ତି । ଯା ରୂପ କେହି ନ ଦେଖନ୍ତି । । ୧୦୮
ଦେବ ମାନବେ ଅଗୋଚର । ଯେ ବ୍ରହ୍ମ ନିତ୍ୟ-ନିରାକାର । । ୧୦୯
ଏ ଦମଘୋଷର କୁମର । ସ୍ୱଭାବେ ଦୁଷ୍ଟ-ଦୁରାଚାର । । ୧୧୦
କୃଷ୍ଣେ ଅନେକ ନିନ୍ଦାକଲା । ସେ କିମ୍ପା କୃଷ୍ଣଙ୍କୁ ପାଇଲା । । ୧୧୧
ଏ ସଭା ମଧ୍ୟେ ଏକେ ମୁହିଁ । ତୁମ୍ଭର ଛାମୁରେ ପୁଚ୍ଛଇ । । ୧୧୨
କହ ହେ କେବଣ କାରଣେ । ଶୁଣନ୍ତୁ ସକଳେ ଶ୍ରବଣେ । । ୧୧୩
ବିଷ୍ଣୁଙ୍କୁ ବିଷ୍ଣୁଜନ-ମେଳେ । ଯେବା ନିନ୍ଦନ୍ତି ଜ୍ଞାନଭୋଳେ । । ୧୧୪
ସେ ପ୍ରାଣୀ ନରକେ ପଡ଼ନ୍ତି । ମହାନ୍ତେ ଏମନ୍ତ କହନ୍ତି । । ୧୧୫
ସେ ଦମଘୋଷ-ସୁତ ବାଣୀ । ସଭାରେ ଦନ୍ତବକ୍ର ଶୁଣି । । ୧୧୬
ସେହି ଅନେକ ନିନ୍ଦାକଲା । ମୋତେ ତ ସନ୍ଦେହ ଲାଗିଲା । । ୧୧୭
ଏ ବେନିଜନେ ନିନ୍ଦାକଲେ । ସଭାର ମଧ୍ୟେ ଏକତୁଲେ । । ୧୧୮
କୃଷ୍ଣଙ୍କୁ ନିନ୍ଦାକରି ତୁଣ୍ଡେ । କିମ୍ପା ନଗଲେ ଯମଦଣ୍ଡେ । । ୧୧୯
କେବଣ ହେତୁ ବେନିବୀରେ । ପଶିଲେ କୃଷ୍ଣର ଶରୀରେ । । ୧୨୦
ଏଣେ ଭ୍ରମଇ ମୋର ମନ । ବନେ ଯେସନେ ହୁତାଶନ । । ୧୨୧
କାରଣ କହ ମୁନି ମୋତେ । ଶୁଣିଲେ ଯିବଇଁ ପରତେ । । ୧୨୨

ଶୁକ ଉବାଚ

ଏମନ୍ତେ ଧର୍ମସୁତ-ବାଣୀ । ଆନନ୍ଦେ ଶୁଣି ବ୍ରହ୍ମମୁନି । । ୧୨୩
କହନ୍ତି ରାଜାର ଅଗ୍ରତେ । ସକଳେ ଶୁଣନ୍ତି ଯେମନ୍ତେ । । ୧୨୪

ନାରଦ ଉବାଚ

ଏ ଯେତେ ନିନ୍ଦା-ସ୍ତୁତି ଅର୍ଥେ । ମନୁଷ୍ୟ ଶରୀର ଜଗତେ । । ୧୨୫
ପ୍ରକୃତି- ପୁରୁଷ-ସଂଯୋଗେ । ଜନ୍ମଇଁ ଅବିବେକ ଭାବେ । । ୧୨୬
ବହଇ ହିଂସା ଅଭିମାନ । ଦଣ୍ଡ ପୌରୁଷ ସାବଧାନ । । ୧୨୭
ମୁହିଁ ମୋହର ବୋଲି ଜାଣେ । ଯାବତ ବଶ ତିନିଗୁଣେ । । ୧୨୮
ଶରୀର ସ୍ୱଭାବ ଏମନ୍ତେ । ସଂସାର ମଧ୍ୟେ ଛନ୍ତି ଯେତେ । । ୧୨୯
ଆତ୍ମାଭିମାନେ ଦେହ ବହି । ଲୁବୁଧେ ପ୍ରାଣୀ ବଧ ହୋଇ । । ୧୩୦
ସେ ପୁଣି କୈବଲ୍ୟ ଆସ୍ଥାନେ । ନ ଘଟେ ଆତ୍ମା-ଅନୁମାନେ । । ୧୩୧
ହରି ବିଷୟେ କର୍ମ ଯେତେ । କୈବଲ୍ୟ ଭୁଞ୍ଜେ ପ୍ରାଣୀ ଅନ୍ତେ । । ୧୩୨
କେ ଭଜେ ରିପୁ-ଅନୁବନ୍ଧେ । କେ ଅବା ମିତ୍ରଭାବେ ସଧେ । । ୧୩୩
କେ ଅବା ଭଜେ ତାକୁ ଡରେ । କେ ଅବା ପ୍ରିୟଭାବ କରେ । । ୧୩୪
କେ କାମଭାବେ ଅନୁସରେ । କେ ଅବା ସ୍ନେହେ ଚିନ୍ତା କରେ । । ୧୩୫
ଏ ସର୍ବଜନେ ଅନ୍ତଃକାଳେ । ପଶନ୍ତି ଚରଣକମଳେ । । ୧୩୬
ନିତ୍ୟେ ବଇରୀ ଭାବେ ଚିନ୍ତି । ହରିଙ୍କି ଯେମନ୍ତେ ଲଭନ୍ତି । । ୧୩୭
ନିଶ୍ଚଳଚିତ୍ତେ ନିତ୍ୟେ ଧ୍ୟାୟୀ । ଯୋଗୀଏ ଲଭିବେ ତା’ କାହିଁ । । ୧୩୮
ଏ ଭାବ ନିଶ୍ଚେ ମୋର ମନେ । ଏବେ ହୋ ଶୁଣ ସାବଧାନେ । । ୧୩୯
ଭ୍ରମର ଯେତେ କୀଟ ମାରେ । ନେଇ ସ୍ଥାପଇ ନିଜ ଘରେ । । ୧୪୦
ସେ କୀଟ ପ୍ରାଣଯିବା କାଳେ । ସଭୟେ ଦେଖିଥାଇ ଡୋଳେ । । ୧୪୧
ସ୍ୱଭାବେ ଭୟଯୋଗେ ମରେ । ତାର ସ୍ୱରୂପ ଅନ୍ତେ ଧରେ । । ୧୪୨
ଏମନ୍ତେ କୃଷ୍ଣର ବିଷୟେ । ସେ ମାୟା ମନୁଷ୍ୟର ଦେହେ । । ୧୪୩
ବଇରୀ ପଣେ ତାକୁ ଚିନ୍ତି । ନିର୍ମଳ-ହୃଦୟେ ପଶନ୍ତି । । ୧୪୪
ଏ ଘେନି କାମ-କ୍ରୋଧ-ଭୟେ । ଯେବା ଭଜନ୍ତି ମିତ୍ରସ୍ନେହେ । । ୧୪୫
କୃଷ୍ଣବିଷୟେ ଚିତ୍ତ ଦେଇ । ଅନେକ ଗଲେ ମୋକ୍ଷ ହୋଇ । । ୧୪୬
ଗୋପନଗରେ ଗୋପୀ ଯେତେ । କୃଷ୍ଣ ଭଜିଲେ କାମଚିତ୍ତେ । । ୧୪୭
ବ୍ରାହ୍ମଣପତ୍ନୀ ଦେବନାରୀ । ମଥୁରାପୁର-ମନୋହାରୀ । । ୧୪୮
ରାଜକୁମାରୀ-ଆଦି ଯେତେ । ତରିଲେ ଭାବି କାମଚିତ୍ତେ । । ୧୪୯
କଂସାଦି ଦୈତ୍ୟେ ଭୟକଲେ । ଅନ୍ତେ ସେ ଗୋବିନ୍ଦେ ପଶିଲେ । । ୧୫୦
କ୍ଷତ୍ରିୟ-ଶିଶୁପାଳ ଆଦି । ତରିଲେ ହୋଇଣ ବିବାଦୀ । । ୧୫୧
ଯାଦବ-ବୃଷ୍ଣିବଂଶ ଯେତେ । ତୁ ଭଜୁ ଭ୍ରାତୃ ସ୍ନେହମତେ । । ୧୫୨
ମୁହିଁ ତା’ ଚରଣକମଳେ । ଭକତି କରଇ ନିଶ୍ଚଳେ । । ୧୫୩
ପୂର୍ବେ ଯେ ବେଣ ସତ୍ୟଯୁଗେ । ନିତ୍ୟେ ଭଜିଲେ ଶତ୍ରୁଭାବେ । । ୧୫୪
ବ୍ରାହ୍ମଣ-ଶାପୁଁ ନାଶ ଗଲା । ଅନ୍ତେ ସେ ନରକେ ପଡ଼ିଲା । । ୧୫୫
ଏଣୁ ହରିଙ୍କି ନାନାମତେ । ଯେ ଭଜିପାରେ ଦୃଢ଼ଚିତ୍ତେ । । ୧୫୬
ନିର୍ଭୟେ ଗୋବିନ୍ଦେ ପଶନ୍ତି । ଜନ୍ମ-ମରଣୁଁ ନିସ୍ତରନ୍ତି । । ୧୫୭
ଯେ ଦମଘୋଷର କାମିନୀ । ତୋହର ମାତାର ଭଗିନୀ । । ୧୫୮
ତାର ଉଦରୁ ବେନିବାଳ । ଯେ ଦନ୍ତବକ୍ର ଶିଶୁପାଳ । । ୧୫୯
ପୂର୍ବେ ଏ ହରିଦ୍ୱାରେ ଥିଲେ । ବ୍ରାହ୍ମଣେ ଅପରାଧ କଲେ । । ୧୬୦
ଏ ବେନିଭାଇ ସହୋଦର । କୃଷ୍ଣସେବକ ମଧ୍ୟେ ବର । । ୧୬୧
ମହାନ୍ତ-ଅପରାଧ ଫଳେ । ଜନ୍ମିଲେ ଅସୁରର କୁଳେ । । ୧୬୨
ଏ ଜନ୍ମେ ମନୁଷ୍ୟ ଶରୀରେ । ଏବେ ମିଳିଲେ ହରିଦ୍ୱାରେ । । ୧୬୩
ନାରଦ ମୁଖୁଁ ଏ ଚରିତ । ଶୁଣି ବୋଲନ୍ତି ଧର୍ମସୁତ । । ୧୬୪

ଯୁଧିଷ୍ଠିର ଉବାଚ

ଯେ ହରିନାମ ଉଚ୍ଚାରନ୍ତି । ସେ ସର୍ବସଂକଟୁ ତରନ୍ତି । । ୧୬୫
ଯେ ହରି-ଦ୍ୱାରପାଳ ପଣେ । ପାଣେ ଖଟନ୍ତି ଅନୁକ୍ଷଣେ । । ୧୬୬
ତାହାଙ୍କୁ କେବା ଶାପ ଦେଲା । ମୋତେ ତ ସନ୍ଦେହ ଲାଗିଲା । । ୧୬୭
ଯେ ବଇକୁଣ୍ଠପୁରେ ଥାନ୍ତି । ସେ ତ ସଂସାରେ ନ ପଡ଼ନ୍ତି । । ୧୬୮
ଦେହ ସମ୍ଭବ ଯହିଁ ନାହିଁ । ସେ କିମ୍ପା ବହେ ନରଦେହୀ । । ୧୬୯
କିକେ ହୋଇଲେ ଦୁରାଚାର । ଏଣୁ ସଂଶୟ ଚିତ୍ତେ ମୋର । । ୧୭୦
ଭୋ ମୁନି ନମୁଁ ତୋ ଚରଣ । କହ ଏ କେବଣ କାରଣ । । ୧୭୧
ଏମନ୍ତ ଯୁଧିଷ୍ଠି ବଚନ । ଶୁଣିଣ ବ୍ରହ୍ମାଙ୍କ ନନ୍ଦନ । । ୧୭୨

ନାରଦ ଉବାଚ

ଶୁଣ ରାଜନ ସାବଧାନେ । ଯେ କଥା ବିଷ୍ଣୁର ଭୁବନେ । । ୧୭୩
ବ୍ରହ୍ମାଙ୍କ ପୁତ୍ରେ ବେଦବାଦୀ । ସନକ ସନାତନ ଆଦି । । ୧୭୪
ସେ ଚାରିଭାଇ ଏକଦିନେ । ଭ୍ରମନ୍ତି ଏ ତିନିଭୁବନେ । । ୧୭୫
ପୁଣି ସେ ଅନ୍ତରୀକ୍ଷେ ଗଲେ । ବିଷ୍ଣୁର ଭୁବନେ ମିଳିଲେ । । ୧୭୬
ପ୍ରବେଶ ହେଲେ ଦ୍ୱାରଦେଶେ । ବିଷ୍ଣୁର ଦର୍ଶନ ଲାଳସେ । । ୧୭୭
ପଞ୍ଚ ଷଟ ବରଷ ପ୍ରାୟେ । ସର୍ବେ ଦିଶନ୍ତି ଏକଦେହେ । । ୧୭୮
ବାଳସ୍ୱଭାବେ ଦିଗମ୍ବର । ସ୍ୱଭାବେ ବ୍ରହ୍ମାଙ୍କ କୁମର । । ୧୭୯
ମରୀଚି ଆଦି ମୁନିଗଣେ । ସେବନ୍ତି ତାହାଙ୍କ ଚରଣେ । । ୧୮୦
ତାଙ୍କୁ ବାଳକ ପ୍ରାୟେ ଚାହିଁ । ଜୟ ବିଜୟ ବେନିଭାଇ । । ୧୮୧
ଉଲଗ୍ନ ଦେଖି ଦ୍ୱାରପାଳେ । ଦ୍ୱାର ନିରୋଧ କଲେ ବଳେ । । ୧୮୨
ତାହାଙ୍କ ମନ ହରିପାଦେ । ପଶି ନପାରିଲେ ପ୍ରମାଦେ । । ୧୮୩
ଦ୍ୱାରପାଳଙ୍କ ମୁଖ ଚାହିଁ । କୋପେ ବୋଇଲେ ଚାରିଭାଇ । ।୧୮୪
ତୁମ୍ଭେ ଯେ ଦୁଷ୍ଟ ବେନିଭାଇ । ଏ ପୁରେ ଥିବା ନ ଯୋଗାଇ । । ୧୮୫
ଏ ପୁର ବଇକୁଣ୍ଠ ଧାମ । ଏଥେ ନପଶେ ରଜ ତମ । । ୧୮୬
ଏଥେ ନ ଥାଅ ଭାଇ ବେନି । ମର୍ତ୍ତ୍ୟେ ଜନ୍ମିବ ଦେହ ଘେନି । । ୧୮୭
ଅତି ପାପିଷ୍ଠ ତୁମ୍ଭ ଦେହ । ଅସୁରକୁଳେ ଜନ୍ମହୁଅ । । ୧୮୮
ତକ୍ଷଣେ ବିପ୍ରଶାପ ପାଇ । ଦ୍ୱାରୁ ଖସିଲେ ବେନି ଭାଇ । । ୧୮୯
ଊର୍ଦ୍ଧ୍ୱ-ଚରଣ ଅଧୋମୁଖ । ତକ୍ଷଣେ ଦେଖି ତାଙ୍କ ଦୁଃଖ । । ୧୯୦
ଦୟା ବସିଲା ତାଙ୍କ ଦେହି । ସ୍ନେହେ ବୋଇଲେ ଚାରିଭାଇ । । ୧୯୧
ଅସୁର ହୋଇ ବେନିଜନ୍ମ । ନିତ୍ୟେ କରିବ ଦୁଷ୍ଟକର୍ମ । । ୧୯୨
ତୃତୀୟ ଜନ୍ମେ ନର ହୋଇ । ଶାପୁ ତରିବ ବେନିଭାଇ । । ୧୯୩
ବିଷ୍ଣୁଙ୍କୁ ଚିନ୍ତି ଅପରାଧ । ପୁଣି ଲଭିବ ବିଷ୍ଣୁପାଦ । । ୧୯୪
ପ୍ରଥମେ କଶ୍ୟପଙ୍କ ଘରେ । ଜନ୍ମିବ ଦିତିର ଉଦରେ । । ୧୯୫
ଜନ୍ମିଲେ ହିରଣ୍ୟକଶିପୁ । ହିରଣ୍ୟାକ୍ଷ ଯେ ମହାବପୁ । । ୧୯୬
ଦେବ-ଦାନବ ତାଙ୍କ ପାଦେ । ଖଟନ୍ତି ନିତ୍ୟେ ଅପ୍ରମାଦେ । । ୧୯୭
ହିରଣ୍ୟାକ୍ଷର ଗର୍ବ ଭରେ । ମହୀ କମ୍ପଇ ଥରହରେ । । ୧୯୮
ସେ କଷ୍ଟ ହରି ନ ସହିଲେ । ଶୂକର ରୂପକୁ ଧଇଲେ । । ୧୯୯
ଧରଣୀ ଉଦ୍ଧାରଣ ପାଇଁ । ବରୁଣପୁରେ ହେଲେ ଯାଇ । । ୨୦୦
ସେ ଦୁଷ୍ଟ ହିରଣ୍ୟାକ୍ଷ ବୀର । ଅସୀମ ବଳ ଅଟେ ଯାର । । ୨୦୧
ବରାହ ରୂପ ଦେଖି କୋପେ । ମିଳିଲା ଗୋବିନ୍ଦ ସମୀପେ । । ୨୦୨
ଅନେକ ଗଦାଯୁଦ୍ଧ କଲା । ଶବଦେ ବ୍ରହ୍ମାଣ୍ଡ କମ୍ପିଲା । । ୨୦୩
ବିଷ୍ଣୁର ଗଦାଘାତ ବଳେ । ପ୍ରାଣ ଛାଡ଼ିଲା ରସାତଳେ । । ୨୦୪
ବିଷ୍ଣୁ ନୃସିଂହ ରୂପ ଧରି । ହିରଣ୍ୟକଶିପୁ ବିଦାରି । । ୨୦୫
ହିରଣ୍ୟକଶିପୁର ସୁତ । ପ୍ରହ୍ଲାଦ ଗୋବିନ୍ଦ ଭକତ । । ୨୦୬
ତାକୁ ଅନେକ ଦୁଃଖ ଦେଇ । କୃଷ୍ଣ ଭଜନ ନସହଇ । । ୨୦୭
ସେ ପୁଣି ବିଷ୍ଣୁଭକ୍ତି ବଳେ । ଅଜେୟ ଏ ମହୀମଣ୍ଡଳେ । । ୨୦୮
ତାକୁ ଅନେକ ଦୁଃଖ ଦେଲା । କେବେହେଁ ମାରି ନ ପାରିଲା । । ୨୦୯
ଲୀଳାଏ ହରି ତାକୁ ମାରି । ପୁଣି ଜନ୍ମିଲେ ଦେହ ଧରି । । ୨୧୦
ପୁଣି ରାକ୍ଷସୀକୋଳେ ଯାଇ । ବିଶ୍ରବା ଗୃହେ ବେନି ଭାଇ । । ୨୧୧
କେଶିନୀଗର୍ଭେ ହୋଇ ଜନ୍ମ । ଅନେକ କଲେ ମନ୍ଦ କର୍ମ । । ୨୧୨
ରାବଣ କୁମ୍ଭକର୍ଣ୍ଣ ରୂପେ । ତ୍ରୈଲୋକ୍ୟ ବଶ କଲେ ଦର୍ପେ । ।୨୧୩
ତାହାଙ୍କୁ ରାମରୂପେ ମାରି । ରାକ୍ଷସ ଜନ୍ମରୁ ଉଦ୍ଧରି । । ୨୧୪
ସେ ରାମଚରିତ ତୁ ସୁଖେ । ଶୁଣିବୁ ମାରକଣ୍ଡ ମୁଖେ । । ୨୧୫
ପୁଣି ସେ ମହୀତଳେ ଜାତ । ତୋ ମାତା ଭଗିନୀର ସୁତ । । ୨୧୬
ଏବେ ତୋ ଯଜ୍ଞସଭା ମଧ୍ୟେ । କୃଷ୍ଣଙ୍କୁ ନିନ୍ଦି ଅପରାଧେ । । ୨୧୭
ଗୋବିନ୍ଦ ଚକ୍ରେ ଛେଦହୋଇ । ମୋକ୍ଷ ଲଭିଲେ ବେନିଭାଇ । । ୨୧୮
ବୈରାନୁବନ୍ଧେ କରି ଧ୍ୟାନ । ତେଣେ ପାଇଲେ ଦିବ୍ୟଜ୍ଞାନ । । ୨୧୯
ତୃତୀୟ ଜନ୍ମେ ମୋକ୍ଷ ହୋଇ । ଜୟ ବିଜୟ ବେନିଭାଇ । । ୨୨୦
ପୁଣି ମିଳିଲେ ନିଜପୁରେ । ବିଷ୍ଣୁର ବୈକୁଣ୍ଠ ଦୁଆରେ । । ୨୨୧
ଏମନ୍ତେ ଶୁଣି ଧର୍ମସୁତ । ମୁନି ଚରଣେ ଦେଇ ହସ୍ତ । । ୨୨୨
ଭାବେ ପୁଲକ ତାର ଦେହି । ବୋଲେ ନାରଦ ମୁଖ ଚାହିଁ । । ୨୨୩

ଯୁଧିଷ୍ଠିର ଉବାଚ

ହିରଣ୍ୟକଶିପୁର ସୁତ । ସେ ଯେବେ ଗୋବିନ୍ଦ ଭକତ । । ୨୨୪
ତାହାକୁ ପୁତ୍ରସ୍ନେହ ଛାଡ଼ି । ନିଷ୍ଠୁରପଥେ କିମ୍ପା ବଢ଼ି । । ୨୨୫
ହିରଣ୍ୟକଶିପୁ କିମ୍ପାଇ । ପୁତ୍ରକୁ ଦ୍ରୋହ ଆଚରଇ । । ୨୨୬
ଅସୁରେ ଜାତ ପ୍ରହଲ୍ଲାଦ । କିମ୍ପା ଭଜିଲା କୃଷ୍ଣପାଦ । । ୨୨୭
ବୋଇଲ ଦାସ ଜଗନ୍ନାଥ । ନାରଦ ଆଗେ କୁନ୍ତୀସୁତ । । ୨୨୮
ଯେ ପ୍ରଶ୍ନ ସଭାମଧ୍ୟେ କଲା । ଶ୍ରୀଭାଗବତ କୃଷ୍ଣଲୀଳା । । ୨୨୯
ସପ୍ତମ ସ୍କନ୍ଧେ ହରିବାଣୀ । ଶୁଣି ସଂସାରୁ ତର ପ୍ରାଣୀ । । ୨୩୦
ଶ୍ରୀଶୁକ କହେ ତୋଷଚିତ୍ତେ । ପରୀକ୍ଷ ରାଜାର ଅଗ୍ରତେ । । ୨୩୧
ଶୁଣି ରାଜନ କୃତକୃତ୍ୟ । ବିଷ୍ଣୁଚରଣେ ଦେଲା ଚିତ୍ତ । । ୨୩୨
ଯେ ଭାବେ ପାର ଦୃଢେ଼ ଧର । ପାରି କରିବେ ଚକ୍ରଧର । । ୨୩୩
ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ସପ୍ତମସ୍କନ୍ଧେ ପ୍ରହ୍ଲାଦଚରିତ ଉପକ୍ରମେ ପ୍ରଥମୋଽଧ୍ୟାୟଃ । ।

ଦ୍ୱିତୀୟ ଅଧ୍ୟାୟସମ୍ପାଦନ କରନ୍ତୁ

ନାରଦ ଉବାଚ

କହନ୍ତି ବ୍ରହ୍ମାଙ୍କ ନନ୍ଦନ । ରାଜନ ସାବଧାନେ ଶୁଣ । । ୧
ଅସୁର କୁଳେ ଜାତ ହୋଇ । ଜୟ-ବିଜୟ ବେନିଭାଇ । । ୨
ହିରଣ୍ୟ-ହିରଣ୍ୟାକ୍ଷ ବୀର । ତପେ ତୋଷିଲେ ବେଦବର । । ୩
ତିନିଭୁବନେ ମହାତେଜେ । ଅସୁର ବଳ ଘେନି ରାଜେ । । ୪
ହିରଣ୍ୟକଶିପୁ ଅସୁର । ବଳେ ହୋଇଲା ରାଜେଶ୍ୱର । । ୫
ଲୋକ ବିପ୍ଳବ ଭୟଙ୍କର । ତ୍ରାସେ କମ୍ପିଲେ ସୁରନର । । ୬
ତାର ଅନୁଜ ହିରଣ୍ୟାକ୍ଷ । ଗଦା-ସଂଗ୍ରାମେ ମହାଦକ୍ଷ । । ୭
ଦେବ-ମନୁଷ୍ୟ ତାର ତୁଲେ । ଗଦା ସଂଗ୍ରାମେ ଭାଜିଗଲେ । । ୮
ଏ ବେନି ଲୋକ ଜିଣି ବଳେ । ବିଜୟ କଲା ସେ ପାତାଳେ । । ୯
ବରୁଣ ପୁରେ ଯାଇ ମିଳି । ପ୍ରଚଣ୍ଡ ଗଦା ଊର୍ଦ୍ଧେ ତୋଳି । । ୧୦
ବୋଇଲା ମୋତେ ଯୁଦ୍ଧ ଦିଅ । ନୋହିଲେ ପାତାଳେ ନଥାଅ । । ୧୧
ମୋର ଏ ପାତାଳଭୁବନ । ଏମନ୍ତେ ଗଲା କେତେଦିନ । । ୧୨
ଯଜ୍ଞବରାହ ରୂପେ ହରି । ଦନ୍ତାଗ୍ରେ ଧରଣୀ ଉଦ୍ଧରି । । ୧୩
ସେ ହରି ଥିଲେ ତାର ପୁରେ । ତିନିଭୁବନେ ଉପକାରେ । । ୧୪
ଅସୁର ଦେଖି ଗଦାଧର । ଗଦାପ୍ରହାରେ କଲେ ଚୂର । । ୧୫
ହିରଣ୍ୟକଶିପୁ ତା ଶୁଣି । କୋପେ କମ୍ପିଲା ଶିର ଝୁଣି । । ୧୬
ଅଧର ଦଶନେ କାମୁଡ଼ି । ହା- ହା ଶବଦେ ଶିର ତାଡ଼ି । । ୧୭
ଭ୍ରାତୃ ନିଧନେ ସେ ବିକଳେ । ଚାହିଁଲା ଆକାଶ ମଣ୍ଡଳେ । । ୧୮
ସଧୂମ ଦିଶେ ଦଶଦିଶ । ତା’ ଦେଖି କଲା ମହାରୋଷ । । ୧୯
କରାଳ ଦନ୍ତ ଉଗ୍ର ଦୃଷ୍ଟି । ଲଲାଟେ କୁଟୀଳ ଭ୍ରୂକୁଟି । । ୨୦
ଶୂଳ ଉଞ୍ଚାଇ ସଭା ମଧ୍ୟେ । ବୋଲଇ ଭ୍ରାତୃ ଶୋକବାଦେ । । ୨୧
ଭୋ ଭୋ ଦାନବ ଦୈତ୍ୟଗଣ । କହଇ ସାବଧାନେ ଶୁଣ । । ୨୨
ଦିମୂର୍ଦ୍ଧା ତ୍ରିନେତ୍ର ସମ୍ବର । ହେ ଶତବାହୁ ହୟଶିର । । ୨୩
ନମୁଚି ହେ ପାକ ଇଲ୍ୱଳ । ହେ ବିପ୍ରଚିତ୍ତି ଶୁଣ ବୋଲ । । ୨୪
ପୁଲୋମା ଶକୁନି ସହିତେ । ଏ ମୋର ସଭାମଧ୍ୟେ ଯେତେ । । ୨୫
ମୋହର ବୋଲ ବେଗେ କର । ଏ ଶୋକସାଗରୁ ଉଦ୍ଧର । । ୨୬
ମୋର ବଇରୀ ଦେବଲୋକେ । ମନୁଷ୍ୟ ମଧ୍ୟେ ଛନ୍ତି ଥୋକେ । । ୨୭
ହରିଙ୍କି ଭଜନ୍ତି ଯେ ନିତ୍ୟେ । ବିଚାର କରି ଏକମତେ । । ୨୮
ହରିର ପକ୍ଷ ଆଶ୍ରେ କଲେ । ମୋର ଭ୍ରାତାକୁ ସଂହାରିଲେ । । ୨୯
ସେ ହରି ମୋହର ବଇରୀ । ଅତି ନିର୍ଦ୍ଦୟ ଅହଂକାରୀ । । ୩୦
ମାୟାରେ ନାନା ରୂପ ଧରେ । ଭକତ ସଙ୍ଗେ ସେ ବିହରେ । । ୩୧
ବାଳକ ପ୍ରାୟ ତାର ଗତି । ଏଣୁ ଅସ୍ଥିର ମୋର ମତି । । ୩୨
ଏ ଶୂଳ ମାରି ତା’ ଶରୀରେ । ତର୍ପଣ କରିବି ରୁଧିରେ । । ୩୩
ମୋ ଭାଇ ପ୍ରେତ କାର୍ଯ୍ୟଅର୍ଥେ । କହିଲି ତୁମ୍ଭର ଅଗ୍ରତେ । । ୩୪
ସେ ହରି ନଷ୍ଟ ଦୁରାଚାର । ତାର ବିଶ୍ୱାସୀ ବେଗେ ମାର । । ୩୫
ସେ ମଲେ ମରିବେ ସକଳେ । ମୂଳ କାଟିଲେ ଯେହ୍ନେ ଡାଳେ । । ୩୬
ଯାବତ ନମରଇ ହରି । ତାବତ ଭ୍ରମ ବସୁନ୍ଧରୀ । । ୩୭
ବ୍ରାହ୍ମଣ କ୍ଷତ୍ରୀ ବୈଶ୍ୟ ଯେତେ । କୃଷ୍ଣ ଭଜନ୍ତି ଅବିରତେ । । ୩୮
ତପସ୍ୱୀ ଜନ ବେଗେ ମାର । ଯଜ୍ଞର ଅଗ୍ନି ନାଶକର । । ୩୯
ଋତ୍ୱିକ ଅଗ୍ନିହୋତ୍ର ଯେତେ । ତାହାଙ୍କୁ ମାର ଅବିରତେ । । ୪୦
ଯେ ଧର୍ମ କ୍ରିୟା ମୂଳ ହରି । ସେ ଥାଇ ସର୍ବଘଟେ ପୂରି । । ୪୧
ଋଷି ଦେବତା ପିତୃଗଣେ । ଯେ ଥାନ୍ତି ଧର୍ମପରାୟଣେ । । ୪୨
ଗୁରୁ ବ୍ରାହ୍ମଣ ଯହିଁ ତହିଁ । ବେଦ ପଠନେ ମନ୍ତ୍ରଧ୍ୟାୟୀ । । ୪୩
ଆଶ୍ରମବେତ୍ତା ଯହିଁ ପାଅ । ଜଳେ ବୁଡ଼ାଇ ଅଗ୍ନି ଦିଅ । । ୪୪
ଏମନ୍ତ ରାଜା ଆଜ୍ଞା ପାଇଁ । ଅସୁରେ ଗଲେ ସଜ ହୋଇ । । ୪୫
ସ୍ୱଭାବେ ଅସୁର ନିର୍ଦ୍ଦୟ । ପ୍ରାଣୀ ମାରଣେ ବଡ଼ ପ୍ରିୟ । । ୪୬
ଋଷି ଆଶ୍ରମ ତପୋବନେ । ତୀର୍ଥ ପବିତ୍ର ନାନାସ୍ଥାନେ । । ୪୭
ତତ୍‌କ୍ଷଣେ ପଶି ଗ୍ରାମପୁରେ । ଗିରି-ବନସ୍ତ କ୍ଷେତ୍ରଦ୍ୱାରେ । । ୪୮
ଖେଟ ଖର୍ବଟ ନାନାସ୍ଥାନେ । ଋଷି ଆଶମ୍ର ତପୋବନେ । । ୪୯
ଗୋରୁ ବ୍ରାହ୍ମଣ ଯଜ୍ଞସ୍ଥାନ । ଅନଳେ ଦହିଲେ ତକ୍ଷଣ । । ୫୦
ଖନିତ୍ର ଘେନି ମହାସୁରେ । ଭେଦିଲେ ପ୍ରାକାର ଗୋପୁରେ । । ୫୧
ସୁଗନ୍ଧ ପୁଷ୍ପ ବୃକ୍ଷ ଛେଦି । ଚୂତ ଚମ୍ପକ ତୁଳୁସାଦି । । ୫୨
ଚଳନ୍ତି ଗିରିବର ଭେଦି । ବୃକ୍ଷକୁ ପକାଇଲେ ଛେଦି । । ୫୩
ଅସୁର ବଳ ବେଗେ ବ୍ୟାପି । ଛେଦି ପକାଇଲେ ବିଟପୀ । । ୫୪
ଜୀବିକା-ବୃକ୍ଷ ଯେତେ ଥିଲେ । ପରଶୁ ହସ୍ତେ ତା’ ଛେଦିଲେ । । ୫୫
ଏମନ୍ତ ରାଜାର ଆଦେଶେ । ଧର୍ମ ନାଶିଲେ ମହାରୋଷେ । । ୫୬
ନିରତେ ପ୍ରାଣୀ ନାଶକଲେ । ଦେବେ ଆକାଶୁ ପକାଇଲେ । । ୫୭
ଲୁଚିଲେ ବନ-ଗିରି-ଦ୍ରୋଣେ । ଯେହ୍ନେ କାନନେ ପଶୁଗଣେ । । ୫୮
ଏମନ୍ତେ ପ୍ରାଣୀ ନାଶକରି । ଭ୍ରାତୃମରଣେ ଶୋକକରି । । ୫୯
ଭାଇର ପ୍ରେତ କାର୍ଯ୍ୟକଲା । ଅନେକ ଅନ୍ନଦାନ ଦେଲା । । ୬୦
ତର୍ପଣ-ଶ୍ରାଦ୍ଧ କର୍ମସାରି । ଭ୍ରାତୃପୁତ୍ରଙ୍କୁ କୋଳେଧରି । । ୬୧
ତକ୍ଷଣେ ଅନ୍ତଃପୁରେ ଯାଇ । ସୁହୃଦ ଅସୁରଙ୍କୁ ରାଇ । । ୬୨
ଶକୁନି ସମ୍ବର ଧୃଷ୍ଟିକ । ଭୂତ ସନ୍ତାପନ ଯେ ବୃକ । । ୬୩
ଯେ କାଳନାଭ ମହାନାଭ । ହରିତଶ୍ମଶ୍ରୁ ଭଇରବ । । ୬୪
ଉତ୍କଟ ବିକଟ ବସାଇ । ଅନୁଜ ପତ୍ନୀକି ଅନାଇଁ । । ୬୫
ତାହାର ନାମ ରୁଷାଭାନୁ । ସ୍ୱାମୀ ମରଣେ ମହାମନ୍ୟୁ । । ୬୬
ମାତା ସଙ୍ଗତେ ତାକୁ ଆଣି । ବସାଇ କହେ ମଞ୍ଜୁବାଣୀ । । ୬୭

ହିରଣ୍ୟକଶିପୁ ଉବାଚ

ହେ ମାତା ବଧୂପୁତ୍ରେ ଶୁଣ । ଏ ମାୟା-ସଂସାର ଭିଆଣ । । ୬୮
ମୃତ ପ୍ରାଣୀକି ନ ସୁମରି । ଏ ଜୀବ ନୁହଇ କାହାରି । । ୬୯
ବୀର ମରଣ ରିପୁମୁଖେ । ଲଭେ ଅକ୍ଷୟ-ସ୍ୱର୍ଗସୁଖେ । । ୭୦
ତାର ମରଣେ ଚିନ୍ତା ନାହିଁ । ସ୍ୱର୍ଗେ ବସିଲା ମୋର ଭାଇ । । ୭୧
ଏ ଭବ-ସଂସାର-ସାଗର । କୃଷ୍ଣର କ୍ରୀଡ଼ାର ମନ୍ଦିର । । ୭୨
ଏ ଭବେ କିଛି ସ୍ଥିର ନୋହେ । ପଥେ ପଥୁକୀଜନ ପ୍ରାୟେ । । ୭୩
ପୂର୍ବଜନ୍ମର କର୍ମଫଳେ । ପ୍ରାଣୀଏ ମିଳନ୍ତି ସଂସାରେ । । ୭୪
ଜଳଛତ୍ରରେ ପ୍ରାଣୀ ଯେହ୍ନେ । ଶ୍ରମେ ମିଳନ୍ତି ଜଳପାନେ । । ୭୫
ବସିଣ ଜଳପାନ କରି । ତହୁଁ ଚଳନ୍ତି ଶ୍ରମ ସାରି । । ୭୬
ସେ ଯେହ୍ନେ ନୁହଇ କାହାରି । ସଂସାରେ ଘଟେ ସେହିପରି । । ୭୭
ଉପାଧି ବସ୍ତୁ ନାଶ ଯାଇ । ଆତ୍ମା କେବେ ହେଁ ନ ମରଇ । । ୭୮
ଏ ଆତ୍ମା ନିତ୍ୟ ସର୍ବଗତ । ଅବ୍ୟୟ ଶୁଦ୍ଧଗୁଣ ସତ୍ତ୍ୱ । । ୭୯
ସର୍ବଜ୍ଞ ସର୍ବପରେ ରହେ । ଆତ୍ମାରୁ ଆତ୍ମରୂପ ବହେ । । ୮୦
ସେ ଆତ୍ମା ଦେହରୁ ଚଳିଲେ । ଦେହ ବିନାଶ ଲଭେ ଭଲେ । । ୮୧
ବୃକ୍ଷର ଛାଇ ଜଳେ ଥିଲେ । ସେ ଜଳ ପବନେ ଚଳିଲେ । । ୮୨
ବୃକ୍ଷ ଚଳିଲା ପ୍ରାୟ ଦିଶେ । ସେ ଯେହ୍ନେ ଉଦକେ ନ ମିଶେ । । ୮୩
ବାଳକେ କ୍ରୀଡ଼ାରେ ଘୂରନ୍ତି । ଭ୍ରମିଣ ଭୂମିରେ ପଡ଼ନ୍ତି । । ୮୪
ଚାହାନ୍ତେ ଭ୍ରମଇ ସଂସାର । ଏମନ୍ତେ ମାୟା-କ୍ରୀଡ଼ାଘର । । ୮୫
ଏଣୁ ଏ ଭ୍ରମ ଗୁଣ ଦୋଷେ । ମନ ନ ରହଇ ବିଶ୍ୱାସେ । । ୮୬
ଅଦେହ ହୋଇ ଦେହବନ୍ତ । ଅଜ୍ଞାନୀ ଜନଙ୍କର ମତ । । ୮୭
ଅର୍ଜିଲା କର୍ମଫଳ ବଳେ । ପ୍ରାଣୀ ଭ୍ରମନ୍ତି ମହୀତଳେ । । ୮୮
ସଂସାର ସଂଯୋଗ-ବିଯୋଗେ । ଶୋକ ହରଷ ବେନିମାର୍ଗେ । । ୮୯
ଏ ଅର୍ଥେ ଇତିହାସ କହି । ଶୁଣ ଜନନୀ ମନଦେଇ । । ୯୦
ପୂର୍ବେ ଯେ ପ୍ରେତ-ବନ୍ଧୁ ତୁଲେ । ଯେବା ସମ୍ବାଦ ଯମ କଲେ । । ୯୧
ଶୁଣ ଜନନୀ ମନ ତୋଷେ । ଯେ କଥା ଉଶୀନର ଦେଶେ । । ୯୨
ସୁଯଜ୍ଞ ନାମେ ରାଜା ଥିଲା । ଶତ୍ରୁ-ସଂଗ୍ରାମେ ପ୍ରାଣ ଦେଲା । । ୯୩
ତା’ ଶୁଣି ତାର ଜ୍ଞାତି ଜନେ । ମିଳିଲେ ମୃତପିଣ୍ଡ ସ୍ଥାନେ । । ୯୪
ଦେଖିଲେ ରାଜାର ଶରୀର । ରୁଧିରେ ଧୂଳିରେ ଧୂସର । । ୯୫
ରତ୍ନକବଚ ଖଣ୍ଡ ଖଣ୍ଡ । ବିଭ୍ରମ ଅଳଂକାର ପିଣ୍ଡ । । ୯୬
ଶରେ ବିଚ୍ଛିନ୍ନ କଳେବର । ଶୟନ ଶ୍ମଶାନ-ଭୂମିର । । ୯୭
ବିବର୍ଣ୍ଣ କେଶ ତାର ମୁଣ୍ଡେ । ବହେ ରୁଧିର ଧାରା ତୁଣ୍ଡେ । । ୯୮
ଲଲାଟେ ଲୁଚିଛି ଲୋଚନ । ଓଷ୍ଠ ତା’ ଦିଶଇ ବିବର୍ଣ୍ଣ । । ୯୯
ରଜେ କୁଣ୍ଠିତ ନାସାଦ୍ୱାର । ଛିନ୍ନ ଆୟୁଧ ଅଛି କର । । ୧୦୦
ଏମନ୍ତେ ମିଳି ତା’ ସମୀପେ । କାମିନୀଗଣ ଶୋକତାପେ । । ୧୦୧
ବନ୍ଧୁ ବାନ୍ଧବ ତୁଲେ ଯାଇ । କାନ୍ଦନ୍ତି ରାଜା ମୁଖ ଚାହିଁ । । ୧୦୨
ଭୋ ନାଥ ତୋହର ମରଣେ । ତୋର ସକଳ ବଧୂଗଣେ । । ୧୦୩
ଜୀବନ ଥାଉଁ ଆମ୍ଭେ ମଲୁ । ବିଧି ଏମନ୍ତ ଭିଆଇଲୁ । । ୧୦୪
ହୃଦରେ ବେନି କରତାଡ଼ି । କାନ୍ଦନ୍ତି ମହୀତଳେ ପଡ଼ି । । ୧୦୫
ଚରଣ ପୁଣ ପୁଣ ଧରି । ଉଚ୍ଚେ କାନ୍ଦନ୍ତି ତାର ନାରୀ । । ୧୦୬
ଚରଣେ ସିଞ୍ଚି ଅଶ୍ରୁଜଳ । ଲୋତକେ ମିଶ୍ରିତ କଜ୍ଜ୍ୱଳ । । ୧୦୭
କୁଚ-କୁଙ୍କୁମ ଅଶ୍ରୁଜଳେ । ପଡ଼ଇ ରାଜା ପାଦତଳେ । । ୧୦୮
କେଶ-ବସନ ଅସମ୍ଭାଳ । ଶୁଭେ ରୋଦନ ମହାଗୋଳ । । ୧୦୯
ହା-ହା ଦଇବ ତୁ ନିର୍ଦ୍ଦୟ । ଦୂରେ ଛେଦିଲୁ ଆମ୍ଭ ସ୍ନେହ । । ୧୧୦
ଅଦୃଷ୍ଟ ଅଚିନ୍ତିତ କର୍ମ । ଭିଆଇ କଲୁ ମତିଭ୍ରମ । । ୧୧୧
ପୂର୍ବେ ଆମ୍ଭଙ୍କୁ ସୁଖ ଦେଲୁ । ଏବେ ତୁ ନିଷ୍ଠୁର ହୋଇଲୁ । । ୧୧୨
ପୁଣି ରାଜାର ପାଦଧରି । ଉଚ୍ଚେ କାନ୍ଦନ୍ତି ତାର ନାରୀ । । ୧୧୩
ଆମ୍ଭର ପ୍ରାଣନାଥ ତୁହି । ମୁହୂର୍ତ୍ତେ ତୋ ମୁଖ ନଚାହିଁ । । ୧୧୪
କେମନ୍ତେ ଧରିବୁ ଜୀବନ । ଦିଶଇ ଦଶଦିଗ ଶୂନ୍ୟ । । ୧୧୫
କହ କେବଣ ଦିଗେ ଯିବୁ । ତୋ ବିନୁ ଶରୀର ଦହିବୁ । । ୧୧୬
ଏମନ୍ତେ ପତିପାଦ ଧରି । ଉଚ୍ଚେ ରୋଦନ୍ତି ସର୍ବନାରୀ । । ୧୧୭
ଦହନ କରି ନଦିଅନ୍ତି । ଦୁଃଖ ରହିଲେ ଗୋତ୍ରଜ୍ଞାତି । । ୧୧୮
ଏମନ୍ତେ ରବି ଅସ୍ତ ଗଲା । ଘୋର-ତିମିରି ଆଚ୍ଛାଦିଲା । । ୧୧୯
ଅତି କାରୁଣ୍ୟ ତାଙ୍କ ଦେଖି । ଶମନ ଭୁବନ ଉପେକ୍ଷି । । ୧୨୦
ଶୋକ-ନିବାରେ ଇଚ୍ଛାକରି । ଯମ ବାଳକ ରୂପ ଧରି । । ୧୨୧
ମିଳିଣ ତାଙ୍କ ସନ୍ନିଧ୍ୟାନେ । କହନ୍ତି କୋମଳ ବଚନେ । । ୧୨୨

ଯମ ଉବାଚ

ଅହୋ ଅଦ୍ଭୁତ କର୍ମ ଦେଖ । ଏ ସର୍ବେ ବୟସେ ଅଧିକ । । ୧୨୩
ବାଳକ ପ୍ରାୟେ ନଜାଣନ୍ତି । ବିମୋହେ ରୋଦନ କରନ୍ତି । । ୧୨୪
ଏ ପ୍ରାଣ ଯହୁଁ ଆସିଥିଲା । କର୍ମ-ସଙ୍ଗତେ କରି ଖେଳା । । ୧୨୫
ତହିଁକି ଗଲା କର୍ମଅନ୍ତେ । ଜାଣି ନଜାଣନ୍ତି କେମନ୍ତେ । । ୧୨୬
କର୍ମର ତୁଲେ ରହେ ଦେହୀ । କର୍ମ ସରିଲେ କେବା ରହି । । ୧୨୭
ଏଣୁ ଏ କର୍ମମୟ ଦେହୀ । କର୍ମୁ ଅଧିକ କେହି ନାହିଁ । । ୧୨୮
ଯହୁଁ ଅଇଲା ତା’ ନଜାଣେ । ଦେହକୁ ନିତ୍ୟ ପ୍ରାୟ ମଣେ । । ୧୨୯
ଅନ୍ତେ ଯହିଁକି ପ୍ରାଣ ଯିବ । ଏହା ନଜାଣେ ବ୍ରହ୍ମା ଶିବ । । ୧୩୦
ସଂସାର ମଧ୍ୟେ ଦେହ ବହି । ବାଳକ-ଜନ୍ମେ ଧନ୍ୟ ମୁହିଁ । । ୧୩୧
ପିତା-ଜନନୀ ମୋର ନାହିଁ । ବୁଲଇ ଅରକ୍ଷିତ ହୋଇ । । ୧୩୨
ବ୍ୟାଘ୍ର ଭଲ୍ଲୁକ ଜନ୍ତୁ ଯେତେ । କେହି ତ ନ ଭକ୍ଷିଲେ ମୋତେ । । ୧୩୩
ଗର୍ଭେ ଯେ ରକ୍ଷାକଲା ମୋତେ । ଏବେ ସେ ଅଛି ମୋ ସଙ୍ଗତେ । । ୧୩୪
ଈଶ୍ୱର ଇଚ୍ଛାରେ ସର୍ଜଇ । ପାଳଇ ପୁଣି ସଂହାରଇ । । ୧୩୫
ତାହାର କ୍ରୀଡ଼ା ଏ ଜଗତ । କେ ଅବା ସୁତ ତାତ ମାତ । ।୧୩୬
ଯେ ପ୍ରାଣୀ ନିଜ ପଥ ହୁଡ଼େ । ନିୟତ କର୍ମ ଯେବେ ଛାଡ଼େ । ।୧୩୭
କର୍ମ ତାହାକୁ କରେ ରକ୍ଷା । ଗୁରୁଙ୍କ ପ୍ରାୟେ ଦେଇ ଦୀକ୍ଷା । ।୧୩୮
ବାଳକ ଗୃହେ ଥାଏ ଯେବେ । କର୍ମେ ନଥିବ ଭାଗ୍ୟ ତେବେ । ।୧୩୯
ରକ୍ଷକ ଥିଲେ ହେଁ ମରଇ । ଅତି ଯତନେ ଯେବେ ଥାଇ । ।୧୪୦
ଯେ ବାଳ ବନେ ବିସର୍ଜିତ । ସ୍ୱଭାବେ ହୋଇ ଅରକ୍ଷିତ । ।୧୪୧
ତାହାକୁ ଦଇବ ରଖଇ । ବେଦ ପୁରାଣେ ଏହା କହି । ।୧୪୨
ଏଣୁ ପ୍ରାଣୀଏ କର୍ମଫଳେ । ଜନ୍ମ-ମରଣ ଏ ଶୟଳେ । ।୧୪୩
ଆତ୍ମା ସକଳ ଦେହେ ଥାଇ । ଶରୀରୁ ଭିନ୍ନ ସେ ଅଟଇ । ।୧୪୪
ଆତ୍ମାରୁ ଶରୀର ବିଖ୍ୟାତ । ମୋହ ଗହନେ ହୋଇ ଜାତ । ।୧୪୫
ଗୃହସ୍ଥ ଗୃହେ ଥାଇ ଯେହ୍ନେ । ଆତ୍ମାକୁ ଗୃହ ଅନୁମାନେ । ।୧୪୬
ଯେହ୍ନେ ବୁଦ୍‍ବୁଦ୍ ଜଳୁ ଜାତ । ମାଟିରୁ ଘଟ ଯେ ସମ୍ଭୂତ । ।୧୪୭
ମୃତ୍ତିକା ଯେହ୍ନେ ଜଳେ ମାଡ଼ି । ଚକ୍ରେ ବସାଇ ରୂପ ଗଢ଼ି । ।୧୪୮
ଅଗ୍ନି ସଂଯୋଗେ ଦୃଢ଼େ ଦହି । ନାନା ପ୍ରକାରେ ବସ୍ତୁ ବିହି । ।୧୪୯
ସେ ଭାଣ୍ଡ ପ୍ରୟୋଜନ ଅନ୍ତେ । ପୁଣି ପଡ଼ଇ ଭୂମିଗତେ । ।୧୫୦
ସ୍ୱର୍ଣ୍ଣରୁ କୁଣ୍ଡଳ ହୁଅଇ । ବିନାଶେ ନିଜତ୍ୱ ରହଇ । । ୧୫୧
ମିଶଇ ବୁଦ୍‍ବୁଦ୍ ଜଳରେ । ଘଟ ବିଲୀନ ମୃତ୍ତିକାରେ । । ୧୫୨
ତେସନେ କାଳ ଭୋଗେ ଜାତ । କର୍ମ ଭୋଗେଣ ଜୀବ ମୃତ । । ୧୫୩
ବିନଷ୍ଟ ହୁଅଇ ଶରୀର । ଆତ୍ମା ଚଳଇ ନିରନ୍ତର । । ୧୫୪
ଅନଳ ଯେହ୍ନେ ଦାରୁ ମଧ୍ୟେ । ଭିନ୍ନେ ପ୍ରକାଶେ ବସ୍ତୁ ଭେଦେ । । ୧୫୫
ପବନ ଦେହ ମଧ୍ୟେ ଥାଇ । ନାସିକା ରନ୍ଧ୍ରେ ସଞ୍ଚରଇ । । ୧୫୬
ସେହି ନ ଲାଗେ ତାର ଦେହେ । ସର୍ବ ସଞ୍ଚରି ଭିନ୍ନେ ରହେ । । ୧୫୭
ଆକାଶ ସର୍ବବ୍ୟାପୀ ହୋଇ । କାହାରି ସଙ୍ଗେ ଲିପ୍ତ ନୋହି । । ୧୫୮
ଏ ଜୀବ ପୁରୁଷ ତେମନ୍ତ । ସ୍ୱଭାବେ ତ୍ରିଗୁଣେ ଯନ୍ତ୍ରିତ । । ୧୫୯
ସୁଯଜ୍ଞ ରାଜା ଏ ନୁହଇ । ରୋଦନ କର କାହିଁପାଇଁ । । ୧୬୦
ଶ୍ରୋତା ବକତା ନାହିଁ ଏଥେ । ରୋଦନ ଶୁଣିବ କେମନ୍ତେ । । ୧୬୧
ଏ ଦେହ ମଧ୍ୟେ ଆତ୍ମା ଥାଇ । ଇନ୍ଦ୍ରିୟ ସଙ୍ଗେ ପ୍ରକାଶଇ । । ୧୬୨
ସେ ଏଥୁ ଗଲା ଅନ୍ତରୀକ୍ଷେ । ଦେଖ ଏ ମୃତ୍ତିକା ପ୍ରତ୍ୟକ୍ଷେ । । ୧୬୩
ପାର୍ଥିବ-ବିକାର ଏ ଦେହୀ । ପୃଥିବୀ ସଙ୍ଗେ ଅଛି ଶୋଇ । । ୧୬୪
ଯାହାକୁ ଶୋକ ତୁମ୍ଭେ କର । ସେ ପ୍ରାଣ ଏ ଦେହରୁ ପର । । ୧୬୫
ଏ ପଞ୍ଚଭୂତ ଇନ୍ଦ୍ରିଗଣ । ମନଟି ଏହାଙ୍କ କାରଣ । । ୧୬୬
ଆତ୍ମାଟି ଏହାଙ୍କର ସଙ୍ଗେ । ପ୍ରକାଶ ଉଚ୍ଚ-ନୀଚ ଅଙ୍ଗେ । । ୧୬୭
ସେ ନିଜ ତେଜେ ପ୍ରକାଶଇ । ଶରୀର ଘେନଇ ଛାଡ଼ଇ । । ୧୬୮
ଯାବତ ଆତ୍ମା ଦେହେ ଥାଇ । ତାବତ ଲିଙ୍ଗ ରୂପ ବହି । । ୧୬୯
ଏ ଜୀବ କର୍ମରେ ବନ୍ଧନ । ଏହା ନ ଜାଣେ ମୂଢ଼ଜନ । । ୧୭୦
ଏଣୁ ଏ ଗତାଗତ-ପଥେ । କ୍ଳେଶ ଲଭଇ ଅବିରତେ । । ୧୭୧
ସେ ପୁଣି ମିଥ୍ୟା-କଳେବରେ । ଅତଥ୍ୟ ତଥ୍ୟପ୍ରାୟ ସ୍ଫୁରେ । । ୧୭୨
ଯେମନ୍ତେ ସ୍ୱପ୍ନ ମନୋରଥେ । ଭ୍ରମଇ ଇନ୍ଦ୍ରିୟଙ୍କ ଅର୍ଥେ । । ୧୭୩
ଦେଖଇ ସତ୍ୟ ପ୍ରାୟେ ତାହା । ନିଦ୍ରାର ଅନ୍ତେ ହୁଏ ମାୟା । । ୧୭୪
ଏହାଙ୍କୁ ନିତ୍ୟାନିତ୍ୟମତେ । ପଣ୍ଡିତେ ନ ଘେନନ୍ତି ଚିତ୍ତେ । । ୧୭୫
କର୍ମ ଅନ୍ୟଥା କେ କରିବ । ଯାହା ନ ମୁଞ୍ଚେ ବ୍ରହ୍ମାଶିବ । । ୧୭୬
ଶୁଣ କହିବା ପୂର୍ବବାଣୀ । ମୁଁ ଯେ ବାଳକ ଅଛି ଶୁଣି । । ୧୭୭
ଲୁବ୍ଧକ ପକ୍ଷୀଙ୍କ ମାରଣେ । ଦିନେ ପଶିଲା ଘୋରବନେ । । ୧୭୮
ବୁଲଇ ହସ୍ତେ ପାଶ ଲଇ । ପକ୍ଷୀଙ୍କ କାଳପ୍ରାୟ ହୋଇ । । ୧୭୯
ଲତାଗହଳେ ସେ ପଶିଲା । ଅନ୍ତରେ ଜାଲ ପ୍ରସାରିଲା । । ୧୮୦
ଆହାର ଜାଲତଳେ ଥୋଇ । ଲୁଚିଲା ଲତା ମଧ୍ୟେ ଯାଇ । । ୧୮୧
କୁଲିଙ୍ଗପକ୍ଷୀ ପତ୍ନୀମେଳେ । ବସି ଯେ ଥିଲା ବୃକ୍ଷ ଡାଳେ । । ୧୮୨
ଆହାର ଦେଖି ଜାଲତଳେ । ପଶିଲା କ୍ଷୁଧାର ବିକଳେ । । ୧୮୩
ଲୁବ୍ଧକ ଜାଲ ପାଶେ ଛନ୍ଦି । ତାର ପକ୍ଷିଣୀ ହେଲା ବନ୍ଦୀ । । ୧୮୪
ପତ୍ନୀ ବନ୍ଧନ ପତି ଦେଖି । ତକ୍ଷଣେ ଆସନ ଉପେକ୍ଷି । । ୧୮୫
ବୃକ୍ଷର ଉଚ୍ଚଡ଼ାଳେ ବସି । ନିର୍ଘାତେ ନିଃଶ୍ୱାସ ସାହାସି । । ୧୮୬
ଅତି ବ୍ୟାକୁଳେ ଦୁଃଖମନେ । ଲୋତକ ବହଇ ନୟନେ । । ୧୮୭
କର୍ମ ଆଦରି ଶୂନ୍ୟେ ଚାହିଁ । ବୋଲଇ ସୂର୍ଯ୍ୟଙ୍କୁ ଅନାଇଁ । । ୧୮୮
ହା- ହା ଦଇବ ତୁ ନିର୍ଦ୍ଧୟ । ମୋର ବିଷୟେ କଲୁ କୋହ । । ୧୮୯
କଷଣ ଦେଲୁ ପତ୍ନୀହୀନେ । ଏ ଦେହ ଧରିବି କେସନେ । । ୧୯୦
ଶରୀର ଅର୍ଦ୍ଧଅଙ୍ଗ ନାରୀ । ଅର୍ଦ୍ଧକେ କେବା ଦେହଧରି । । ୧୯୧
ବାଳକେ ଅଛନ୍ତି ମୋ ବାସେ । କି ଘେନି ଯିବି ତାଙ୍କ ପାଶେ । । ୧୯୨
ତାହାଙ୍କ ଦେହେ ପକ୍ଷ ନାହିଁ । କେମନ୍ତେ ପୋଷିବଇଁ ମୁହିଁ । । ୧୯୩
ବାଳକେ ମୋର ମାତୃହୀନେ । ଜୀବନ ଧରିବେ କେସନେ । । ୧୯୪
ମାତାକୁ ଲୋଡ଼ିବେ ନିରତେ । ମୁଁ ତାହା ସହିବି କେମନ୍ତେ । । ୧୯୫
ଏମନ୍ତେ ବୃକ୍ଷଡ଼ାଳେ ଥାଇ । ବିକଳେ କୁଲିଙ୍ଗ କାନ୍ଦଇ । । ୧୯୬
ପତ୍ନୀର ଦେହେ ଦେଇ ମନ । କ୍ଷଣକ୍ଷଣକେ ଅଚେତନ । । ୧୯୭
ଏମନ୍ତେ ବ୍ୟାଧ ବୃକ୍ଷତଳେ । ମିଳିଲା ଚରଣ ନିଶ୍ଚଳେ । । ୧୯୮
ନାରାଚ ବିନ୍ଧି ତାକୁ ମାରି । ମୁଦିଣ ଥୋଇଲା ପଞ୍ଜରୀ । । ୧୯୯
ତକ୍ଷଣେ ନିଜ ପୁରେ ଗଲା । ଶୁଣ ଗୋ ନୃପତି ଅବଳା । । ୨୦୦
ଆତ୍ମାର ଗତି ତ ନ ଜାଣ । ସୁଜନ ବଚନ ନ ଶୁଣ । । ୨୦୧
ଶତେ ବରଷ ଏହି ଠାବେ । ରୋଦନ କରୁଥିବ ଯେବେ । । ୨୦୨
ତେବେ କି ଉଠିବ ଶରୀର । ଏ ଜ୍ଞାନ ବୁଡ଼ିଲା ତୁମ୍ଭର । । ୨୦୩

ହିରଣ୍ୟକଶିପୁ ଉବାଚ

ବାଳକ ବଚନ ଏମନ୍ତେ । ଶୁଣି ସକଳ ଏକଚିତ୍ତେ । । ୨୦୪
ମାୟା ଛାଡ଼ିଲେ ଜ୍ଞାନ ପାଇ । ଉଠିଲେ ଏକୁ ଆରେ ଚାହିଁ । । ୨୦୫
ବୋଲନ୍ତି ମିଥ୍ୟା ଏ ସଂସାର । ଅନିତ୍ୟ ଜୀବନ ଶରୀର । । ୨୦୬
ଯମ ଏ ଉପଦେଶ ଦେଲା । ତକ୍ଷଣେ ଅନ୍ତର୍ଦ୍ଧାନେ ଗଲା । । ୨୦୭
ତହୁଁ ସେ ଜ୍ଞାତିଗୋତ୍ର ମେଳେ । ରାଜାର ପ୍ରେତକାର୍ଯ୍ୟ କଲେ । । ୨୦୮
ଏଣୁ ମୋ ଅନୁଜ ମରଣେ । ଶୋକ କରିବା କି କାରଣେ । । ୨୦୯
ଏମନ୍ତ ମାୟା ଏ ସଂସାର । କେ ନିଜ କେବା ଅଛି ପର । । ୨୧୦
କହନ୍ତି ବ୍ରହ୍ମାଙ୍କ ନନ୍ଦନ । ଶୁଣ ରାଜନ ତୋଷମନ । । ୨୧୧
ନାରଦ ଯୁଧିଷ୍ଠିର ପାଶେ । ତତ୍ତ୍ୱ କହନ୍ତି ଇତିହାସେ । । ୨୧୨

ନାରଦ ଉବାଚ

ଏମନ୍ତ ଶୁଣି ପୁତ୍ରକଥା । ଶୋକ ଛାଡ଼ିଲା ରାଜମାତା । । ୨୧୩
ପୁତ୍ରବଧୂଙ୍କୁ ଶାନ୍ତି କରି । ତତ୍ତ୍ୱବଚନ ମନେ ଧରି । । ୨୧୪
ଦିତି ଛାଡ଼ିଲା ପୁତ୍ର ଶୋକ । ବ୍ରହ୍ମରେ ନିବେଶି ବିବେକ । । ୨୧୫
ନାରଦ ମୁନି ଅନୁରାଗେ । କହିଲେ ଧର୍ମସୁତ ଆଗେ । । ୨୧୬
ଏ ବାଣୀ ତତ୍ତ୍ୱଜ୍ଞାନସାର । ଶୁଣି ସଂସାରୁ ପ୍ରାଣୀ ତର । । ୨୧୭
ଦେଖ ଏ ତତ୍ତ୍ୱଦିବ୍ୟଜ୍ଞାନ । ବାସନାବଳେ ଭ୍ରମେ ମନ । । ୨୧୮
କହଇ ଦାସ ଜଗନ୍ନାଥ । ସପ୍ତମ ସ୍କନ୍ଧେ ଭାଗବତ । । ୨୧୯
ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ସପ୍ତମସ୍କନ୍ଧେ ଦିତି ଶୋକାପନୟନଂ ନାମ ଦ୍ୱିତୀୟୋଧ୍ୟାୟଃ । ।

ତୃତୀୟ ଅଧ୍ୟାୟସମ୍ପାଦନ କରନ୍ତୁ

ନାରଦ ଉବାଚ

ଶୁଣ ପାଣ୍ଡବ-ଚୂଡ଼ାମଣି । ହିରଣ୍ୟକଶିପୁ କାହାଣୀ । । ୧
ଅନୁଜ-ମରଣର ତାପେ । ମନ ନିଶ୍ଚଳ କଲା ତପେ । । ୨
ଅଜୟ-ଅମର-ଶରୀର । ପାଇଁ ସାଧିବି ବେଦବର । । ୩
ଗୃହ ଉପେକ୍ଷି ତପ ଅର୍ଥେ । ମିଳିଲା ମନ୍ଦର ପର୍ବତେ । । ୪
ବସି ପର୍ବତଗୁହା ମଧ୍ୟେ । ତପସ୍ୟା କଲା ଯୋଗସାଧ୍ୟେ । । ୫
ହୋଇବି ତ୍ରିଭୁବନେ ରାଜା । ସର୍ବେ ହୋଇବେ ମୋର ପ୍ରଜା । । ୬
ଏମନ୍ତ କଳ୍ପେ ତାର ମନେ । ରିପୁ ନଥିବେ ତ୍ରିଭୁବନେ । । ୭
ଊର୍ଦ୍ଧ୍ୱେ ସେ ବେନିକର ତୋଳି । ଗଗନେ ଚାହିଁଲା ନିରୋଳି । । ୮
ପାଦଅଙ୍ଗୁଷ୍ଟେ ମହୀ ଚାପି । ଦେହ ରହିଲା ଶୂନ୍ୟେ ବ୍ୟାପି । । ୯
ପିଙ୍ଗଳଜଟା ଶିରେ ସାଜେ । ପ୍ରଳୟ-ରବି ପ୍ରାୟ ତେଜେ । । ୧୦
ତାହାର ଘୋରତପ ଚାହିଁ । ଶୂନ୍ୟେ ମିଳିଲେ ଦେବେ ଯାଇ । । ୧୧
ଶତେବରଷ ଦେବମତେ । ତପେ ରହିଲା ଦୃଢ଼ଚିତ୍ତେ । । ୧୨
କ୍ଷୁଧା ପିପାସା କଲା ଦୂର । କେବଳ ପବନ ଆହାର । । ୧୩
ତାର ମୂର୍ଦ୍ଧନି ମଧ୍ୟଗତ । ସଧୂମ-ଅନଳ ସମ୍ଭୂତ । । ୧୪
ତାପିଲା ଅଧଃ ଊର୍ଦ୍ଧ୍ୱେ ବ୍ୟାପି । ଦେଖି ଭୁବନଲୋକେ କମ୍ପି । । ୧୫
ନଦୀ ସମୁଦ୍ର ଦିଗ ଭୂଇଁ । କମ୍ପିଲେ ମହାଭୟ ପାଇ । । ୧୬
ଗଗନୁ ଗ୍ରହ ତାରା ତ୍ରାସେ । ଭୟେ ଖସିଲେ ଦଶଦିଶେ । । ୧୭
ଦେବେ କମ୍ପିଲେ ତାହା ଦେଖି । ସଭୟେ ଭୁବନ ଉପେକ୍ଷି । । ୧୮
ବିଚାର କରି ଏକେ ଏକେ । ସର୍ବେ ମିଳିଲେ ବ୍ରହ୍ମଲୋକେ । । ୧୯
ବ୍ରହ୍ମା-ଚରଣେ ପ୍ରଣମିଲେ । ଅନେକ ମତେ ସ୍ତୁତି କଲେ । । ୨୦

ଦେବଗଣ ଉବାଚ

ହେ ଧାତା ଜଗତ ଈଶ୍ୱର । ଆମ୍ଭେ ଯେ ଶରଣ ତୋହର । । ୨୧
ଦିତିସୁତର ତପ ଚାହିଁ । ଭୁବନେ ନ ପାରିଲୁ ରହି । । ୨୨
ଭୟେ ଅଇଲୁ ତୁମ୍ଭ ପୁର । ଆମ୍ଭଙ୍କୁ ରଖ ବେଦବର । । ୨୩
ତୋର ସଞ୍ଚିତ ସର୍ବଲୋକ । ଆମ୍ଭଙ୍କୁ ମହାଭୟୁ ରଖ । । ୨୪
ଯେମନ୍ତେ ଲୋକନାଶ ନୋହେ । ତେମନ୍ତ କର ତୁ ଉପାୟେ । । ୨୫
ଅସୁର ତପ ତୋର ଧ୍ୟାନେ । କିବା ସଂକଳ୍ପ ତାର ମନେ । । ୨୬
ସେ ନୋହେ ତୋତେ ଅଗୋଚର । ଆମ୍ଭେ ଯେ ତୋହର କିଙ୍କର । । ୨୭
ତଥାପି ତୋର ପାଦଗତେ । କହିଲୁ ଲୋକରକ୍ଷା ଅର୍ଥେ । । ୨୮
ତୁମ୍ଭେ ଯେ ଘୋରତପ କରି । ପୂର୍ବେ ତୋଷିଲ ନରହରି । । ୨୯
ତେଣୁ ଏ ବ୍ରହ୍ମଲୋକେ ସ୍ଥିତି । ପ୍ରଜା ଭିଆଣେ ପ୍ରଜାପତି । । ୩୦
ଏ ବଳବନ୍ତ ଯୋଗବଳେ । ଯୋଗ-ସମ୍ପାଦି ସୁନିଶ୍ଚଳେ । । ୩୧
ତପ ସାଧି ଜନ୍ମେ ଅନେକ । ସାଧ୍ୟ କରିବ ସର୍ବଲୋକ । । ୩୨
ଏତେ ବିଚାରେ ସତ୍ୟଲୋକେ । ବସିବ ତପେ ଆତ୍ମସୁଖେ । । ୩୩
ବ୍ରହ୍ମାଣ୍ଡ ସର୍ଜିବାର ଅର୍ଥେ । ଶ୍ରେୟ ବିଭୂତି କ୍ଷେମ ଯୁତେ । । ୩୪
ଏମନ୍ତ ତାହାର ବିଚାର । କହିଲୁ ଯାହା ଇଚ୍ଛା କର । । ୩୫
ଏବେ ଜଗତ ରକ୍ଷାକର । ତୁମ୍ଭେ ଯେ ଜଗତ ପିଅର । । ୩୬
ଏମନ୍ତ ଦେବବାକ୍ୟ ଶୁଣି । ସଙ୍ଗତେ ଭୃଗୁ ଦକ୍ଷ ଘେନି । । ୩୭
ଅପରେ ଯେତେ ବ୍ରହ୍ମମୁନି । ଘେନି ଚଳିଲେ ପଦ୍ମଯୋନି । । ୩୮
ଜନକୁଶଳ ମନେ ଭାଳି । ଦୈତ୍ୟର ତପସ୍ଥାନେ ମିଳି । । ୩୯
ଦେଖିଲେ ଅସୁର ଶରୀର । ସ୍ୱଭାବେ ଅତି ଭୟଙ୍କର । । ୪୦
ବଲ୍ମୀକ-କୀଟ ଆଚ୍ଛାଦିତ । ତୃଣ ପିପୀଲିକା ଭକ୍ଷିତ । । ୪୧
ମେଦ ଶୋଣିତ ମାଂସ ଚର୍ମ । ଅସ୍ଥି-ପଞ୍ଜରେ କୀଟଗ୍ରାମ । । ୪୨
ତପ ସାଧନେ କ୍ଷୀଣକାୟ । ମାଂସ ଶୋଣିତ ଶୁଷ୍କପ୍ରାୟ । । ୪୩
ତାହାର ତପ ଅତିରେକେ । ହେଳେ ତାପିତ ତିନିଲୋକେ । । ୪୪
ଦେହ ନ ଦିଶେ ତୃଣାଚ୍ଛନ୍ନେ । ମେଘେ ଆବୃତ ରବି ଯେହ୍ନେ । । ୪୫
ଏମନ୍ତ ଅସୁରର ଗତି । ଦେଖି ବିସ୍ମିତ ପ୍ରଜାପତି । । ୪୬
ଆରୋହୀ ନିଜ ହଂସ ଯାନ । କହନ୍ତି କୋମଳ ବଚନ । । ୪୭

ବ୍ରହ୍ମା ଉବାଚ

ଉଠ ହେ କଶ୍ୟପ କୁମର । ହୋଇଛି ତପସିଦ୍ଧି ତୋର । । ୪୮
ତପେ ତୋହର ତେଜ ଦେଖି । ଅଇଲୁ ଭୁବନ ଉପେକ୍ଷି । । ୪୯
ତୋହର ବରଦାତା ମୁହିଁ । ବାଞ୍ଛିତ ବର ମାଗ ତୁହି । । ୫୦
ତପେ ତୋ ପରି ସ୍ଥିରମତି । କେ ଅବା ଭୁବନେ ଅଛନ୍ତି । । ୫୧
ଅଦ୍ଭୁତ ଦେଖିଲି ମୁଁ ତୋତେ । ତୋ ସମ ନାହାନ୍ତି ଜଗତେ । । ୫୨
ପ୍ରାଣ ଅଛଇ ଅସ୍ଥିଗତେ । ଧ୍ୟାନ ତୋହର ଅନ୍ତର୍ଗତେ । । ୫୩
ପୂର୍ବେ ଯେ ଥିଲେ ମୁନିଜନେ । ତପ ଆଚରି ଘୋର ବନେ । । ୫୪
ତୋହର ପ୍ରାୟେ କେ ଅଛନ୍ତି । ନିରମ୍ବୁ-ଭକ୍ଷଣେ ରହନ୍ତି । । ୫୫
ଶତେ ବରଷ ଦେବମତେ । ତପ ସାଧିଲୁ ଏ ଜଗତେ । । ୫୬
ଭୂତ-ଭବିଷ୍ୟ-ଭର୍ତ୍ତମାନେ । ଦେଖିଲା ନାହିଁ ତ୍ରିଭୁବନେ । । ୫୭
ଦୁଃସହ-ତପ ଏ ତୋହର । ମନ ବଚନେ ଅଗୋଚର । । ୫୮
ତୋ ତପନିଷ୍ଠା ଦୃଢ଼ଚିତ୍ତେ । ସ୍ୱଭାବେ ଜିଣିଲୁ ତୁ ମୋତେ । । ୫୯
ଏଣୁ ତୋ ତପ ଦୃଢ଼ ଦେଖି । ଅଇଲି ଆସନ ଉପେକ୍ଷି । । ୬୦
ସିଦ୍ଧ ତୋହର ତପଦୀକ୍ଷା । ମାଗ ତୋ ମନେ ଯେବା ଇଚ୍ଛା । । ୬୧
ଦେବଲୋକଙ୍କ ଦରଶନ । ନିଷ୍ଫଳ ନୋହେ କଦାଚନ । । ୬୨

ନାରଦ ଉବାଚ

ଏମନ୍ତ କହି ତାକୁ ବାଣୀ । ଦୟାସାଗର କୁଶପାଣି । । ୬୩
ତକ୍ଷଣେ କମଣ୍ଡଳୁ କରେ । ଜଳ ସିଞ୍ଚିଲେ ତା ଉପରେ । । ୬୪
କୀଟ-ବଲ୍ମୀକ-ଭକ୍ଷ୍ୟ ଦେହୀ । ତକ୍ଷଣେ ଦିବ୍ୟରୂପ ହୋଇ । । ୬୫
ସର୍ବ ସଂପୂର୍ଣ୍ଣ କଳେବର । ବଜ୍ରହୁଁ କଠିନ ଶରୀର । । ୬୬
ଯୁବା-ବୟସ ସୁଗଠନ । ଯୁବତୀ ମନ ବିମୋହନ । । ୬୭
ତପ୍ତକାଞ୍ଚନ ପ୍ରାୟ ଦେହୀ । ତେଜେ ଅନଳ ରୂପ ଦହି । । ୬୮
ଲୋଚନ ଘଷି ଚାହେଁ ବେଗେ । ଧାତାକୁ ଦେଖେ ଶୂନ୍ୟମାର୍ଗେ । । ୬୯
ହଂସବାହନ-ରୂପ ଚାହିଁ । ନମିଲା ଦଣ୍ଡପ୍ରାୟ ହୋଇ । । ୭୦
ବ୍ରହ୍ମା-ଦରଶନ ଉତ୍ସବେ । ନିଷ୍ଠୁର ତପର ପ୍ରଭାବେ । । ୭୧
କରଅଞ୍ଜଳି ଶିରେ ଦେଇ । ହରଷେ ରୋମ ପୁଲକଇ । । ୭୨
ଆନନ୍ଦେ ଅଶ୍ରୁ ଗଦଗଦେ । ସ୍ତୁତି କରଇ ପଦ୍ମପାଦେ । । ୭୩

ହିରଣ୍ୟକଶିପୁ ଉବାଚ

ନମସ୍ତେ ପ୍ରଭୁ ବେଦପତି । ତ୍ରିଲୋକ ତୋହର କୀରତି । । ୭୪
କଳ୍ପ ଅନ୍ତରେ କାଳବଳେ । ଘୋର ଅନ୍ଧାର ଏ ଶୟଳେ । । ୭୫
ନିଜ ଶରୀର ତେଜପୁଞ୍ଜେ । ଜଗତେ ଯେ ପ୍ରଭୁ ବିରାଜେ । । ୭୬
ଆତ୍ମାତ୍ରିଗୁଣ ମାୟାଘୋରେ । ସର୍ଜଇ ପାଳଇ ସଂହରେ । । ୭୭
ଏଣୁ ତ୍ରିଗୁଣ-ଧାମ-ଯୁତେ । ପରମତତ୍ତ୍ୱ ନମୋସ୍ତୁତେ । । ୭୮
ଜ୍ଞାନ-ବିଜ୍ଞାନ ଆଦି କରି । ନମସ୍ତେ ବୀଜ-ଶକ୍ତିଧାରୀ । । ୭୯
ପ୍ରାଣ ଇନ୍ଦ୍ରିୟ ମନ ବୃଦ୍ଧି । ବିକାରେ ବ୍ୟକ୍ତ ଯେ ପ୍ରସିଦ୍ଧି । । ୮୦
ଜଗତ କଲ୍ୟାଣ ସ୍ୱରୂପୀ । ଜୀବକୁ ପ୍ରାଣବଳେ ବ୍ୟାପି । । ୮୧
ପ୍ରଜାପତିଙ୍କ ପତି ହୋଇ । ଇନ୍ଦ୍ରିୟ ଇନ୍ଦ୍ରିଅର୍ଥେ ବହି । । ୮୨
ତୁ ମହାଭୂତ ଗୁଣାଶ୍ରୟ । ସକଳ ଶ୍ରୁତି-ସ୍ମୃତିମୟ । । ୮୩
ତୁ ଦେବ ସପ୍ତତନୁ ହେତୁ । ଚତୁରହୋତ୍ର ମୂଳତତ୍ତ୍ୱୁ । । ୮୪
ଆତ୍ମାର ଆତ୍ମା ତୁ ଅନାଦି । ଅନନ୍ତ ଅପ୍ରମେୟବାଦୀ । । ୮୫
ତୁ ନାଥ ଅନିମିଷ-କାଳ । ହରୁ ପ୍ରାଣୀଙ୍କ ଆୟୁର୍ବଳ । । ୮୬
ନିମିଷ ଆଦି ରୂପ ତୋର । ତେଣୁ ପ୍ରାଣୀଙ୍କ ଆୟୁହର । । ୮୭
ତୋର ସର୍ଜିତ ଏ ଜଗତ । ତୁ କୂଟ ଆତ୍ମାରୂପେ ସ୍ଥିତ । । ୮୮
ତୁ ପରମେଷ୍ଠୀ ମହାଶ୍ରୟ । ଜୀବଲୋକର ଜୀବ ଦେହ । । ୮୯
ତୋ ତହୁଁ ଅନ୍ୟ କେ ଜଗତେ । ପର ଅପର ଛନ୍ତି ଯେତେ । । ୯୦
ସଂସାରେ ବିଦ୍ୟା କଳା ଯେତେ । ତୋର ଶରୀର ଏ ନିୟତେ । । ୯୧
ବ୍ରହ୍ମାଣ୍ଡ ତୋର ତହୁଁ ଜାତ । ତୁ ଦେବ ତିନିପୁରନାଥ । । ୯୨
ଜଗତ ହିତେ ତୋର ଦେହୀ । ମନଇନ୍ଦ୍ରିୟ ଗୁଣଗ୍ରାହୀ । । ୯୩
ଏହାଙ୍କ ଭୋଗ କରୁ ଗୁଣ । ପରମପଦେ ତୋର ସ୍ଥାନ । । ୯୪
ଅବ୍ୟକ୍ତ-ଆତ୍ମା ତୁ ନିର୍ଗୁଣ । ତୁ ନାଥ ପୁରୁଷ ପୁରାଣ । । ୯୫
ଅନନ୍ତ-ଅବ୍ୟକ୍ତ-ଶରୀର । ତୁ ନାଥ ବ୍ରହ୍ମାଣ୍ଡ ଭିତର । । ୯୬
ଚିତ-ଅଚିତ ଶକ୍ତିଯୁତ । ନମସ୍ତେ ପ୍ରଭୁ ଭଗବତ । । ୯୭
ଯେବେ ତୁ ବର ଦେବୁ ମୋତେ । ଶୁଣ କହିବି ତୋ ଅଗ୍ରତେ । । ୯୮
ତୋର ସଞ୍ଚିତ ସୃଷ୍ଟି ଯେତେ । ରୂପେ ଅଛନ୍ତି ଏ ଜଗତେ । । ୯୯
ତାହାଙ୍କ ହସ୍ତେ ନ ମରିବି । ଅଜରାମର ହୋଇଥିବି । । ୧୦୦
ବ୍ରହ୍ମାଣ୍ଡ ଅନ୍ତର ବାହାରେ । ରଜନୀ କିବା ଦିବସରେ । । ୧୦୧
ନାନା ଆୟୂଧ ଛନ୍ତି ଯେତେ । କେବେ ହେଁ ନ କାଟିବେ ମୋତେ । ।୧୦୨
ମୃତ୍ୟୁ ମୋ ନରପଶୁ ହସ୍ତେ । ନୋହିବ ଭୂମିଶୂନ୍ୟ ପଥେ । । ୧୦୩
ଜୀବେ ଅଜୀବେ ନ ମରିବି । ନିତ୍ୟେ ନିର୍ଭୟେ ମୁଁ ବଞ୍ଚିବି । । ୧୦୪
ସୁର ଅସୁର ସର୍ପାଘାତେ । ବିଯୋଗ ନ କରିବେ ମୋତେ । । ୧୦୫
ସମରେ ମୋର ତୁଲେ ବଳେ । କେହି ନ ଥିବେ ଏ ଶୟଳେ । । ୧୦୬
ହୋଇବି ତ୍ରିଭୁବନେ ରାଜା । ସର୍ବେ କରିବେ ମୋତେ ପୂଜା । । ୧୦୭
ଦିଗପାଳଙ୍କ ମଧ୍ୟଗତେ । ତୋହର ମହିମା ଯେମନ୍ତେ । । ୧୦୮
ମୋ ତପ-ମହିମା-ପ୍ରଭାବ । କେବେହେଁ ବିନାଶ ନୋହିବ । । ୧୦୯
ଏମନ୍ତେ ବ୍ରହ୍ମାର ସମ୍ମୁଖେ । ବର ମାଗିଲା ଆତ୍ମ ସୁଖେ । । ୧୧୦
କର ଅଞ୍ଜଳି ଶିରେ ଦେଇ । ବ୍ରହ୍ମାର ଶ୍ରୀମୁଖକୁ ଚାହିଁ । । ୧୧୧
ନାରଦ ଯୁଧିଷ୍ଠିର ବାଣୀ । ଯଜ୍ଞସଭାର ମଧ୍ୟେ ଭଣି । । ୧୧୨
ଅସୁର-ତପଫଳ ଶୁଣି । ଘୋର-ସଂସାରୁ ତର ପ୍ରାଣୀ । । ୧୧୩
ଭଣଇ ଦାସ ଜଗନ୍ନାଥ । ସପ୍ତମ ସ୍କନ୍ଧେ ଭାଗବତ । । ୧୧୪
ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ସପ୍ତମସ୍କନ୍ଧେ ହିରଣ୍ୟକଶିପୋର୍ବରଯାଜନଂ ନାମ ତୃତୀୟୋଽଧ୍ୟାୟଃ । ।

ଚତୁର୍ଥ ଅଧ୍ୟାୟସମ୍ପାଦନ କରନ୍ତୁ

ନାରଦ ଉବାଚ

ଶୁଣ ରାଜନ ସ୍ଥିରଚିତ୍ତେ । କହିବୁ ଯାହା ତୋ ଅଗ୍ରତେ । । ୧
ହିରଣ୍ୟ-ତପେ ତୋଷ ହୋଇ । ବ୍ରହ୍ମା ବୋଲନ୍ତି ତାକୁ ଚାହିଁ । ।୨

ବ୍ରହ୍ମା ଉବାଚ

ଶୁଣ ହେ ଅସୁରପୁଙ୍ଗବ । ତୋହର ତପ ଏ ଦୁର୍ଲ୍ଲଭ । । ୩
ଯେତେ ମାଗିଲୁ ବର ମୋତେ । ପ୍ରାଣୀଙ୍କି ଦୁର୍ଲ୍ଲଭ ଜଗତେ । । ୪
ତୋହର ତପେ ତୋଷହୋଇ । ଦେବି ଅନ୍ୟଥା ଏଥେ ନାହିଁ । । ୫
ହେଉ ତୋ ମନବାଞ୍ଛା ସିଦ୍ଧି । ଏମନ୍ତ କହି ବେଦନିଧି । । ୬
ତକ୍ଷଣେ ଗଲେ ଅନ୍ତର୍ଦ୍ଧାନେ । ବିଜୟେ ଆପଣା ଭୁବନେ । । ୭
ଏମନ୍ତେ ବ୍ରହ୍ମା ବର ପାଇ । ସୁବର୍ଣ୍ଣମୟ-ତନୁ ବହି । । ୮
ବିଷ୍ଣୁ-ବିଷୟେ କ୍ରୋଧକରି । ଅନୁଜ-ମରଣ ସୁମରି । । ୯
ବଳେ ତ୍ରାସିଲା ଦଶଦିଶ । ତିନିଭୁବନ କଲା ବଶ । । ୧୦
ଦେବ ଅସୁର ନୃପସର୍ବ । ଉରଗ ଗରୁଡ଼ ଗନ୍ଧର୍ବ । । ୧୧
ସିଦ୍ଧ ଚାରଣ ବିଦ୍ୟାଧର । ଋଷି ପିତର ମନୁବର । । ୧୨
ପିଶାଚ ଯକ୍ଷ ରକ୍ଷଗଣ । ଭୂତ ବେତାଳ ରୁଦ୍ରଗଣ । । ୧୩
ସକଳ ପ୍ରାଣୀ ଦର୍ପହରି । ବିଶ୍ୱ-ସଂସାର ବଶ କରି । । ୧୪
ଦିଗପାଳଙ୍କ ଘରୁ ଆଣି । ଅମୂଲ୍ୟ ଧନରତ୍ନ ମଣି । । ୧୫
ସ୍ୱର୍ଗଭୁବନେ ଭୋଗ ଯେତେ । ବିଚିତ୍ର ରଥ ବଳ ଯୁଥେ । । ୧୬
ସକଳ ବଳେ ଆବୋରିଲା । ଇନ୍ଦ୍ରଭୁବନେ ବିଜେ କଲା । । ୧୭
ବିଶ୍ୱକର୍ମାର ଶିଳ୍ପ ଯହିଁ । ଭୁବନେ ପଟାନ୍ତର ନାହିଁ । । ୧୮
ତ୍ରୈଲୋକ୍ୟଲକ୍ଷ୍ମୀ ଯହିଁ ବସେ । ଅଶେଷ ସମ୍ପଦ ପ୍ରକାଶେ । । ୧୯
ମର୍କତଭୂମି ଯହିଁ ସାଜେ । ପ୍ରବାଳ ପାବଚ୍ଛ ବିରାଜେ । । ୨୦
ସ୍ପଟିକ ପାଚେରୀ ଆରମ୍ଭ । ନିର୍ମିତ ବଇଦୂର୍ଯ୍ୟ ସ୍ତମ୍ଭ । । ୨୧
ଉପରେ ବିଚିତ୍ର ବିତାନ । ମାଣିକ୍ୟ ଘଟିତ ଆସନ । । ୨୨
ଶଯ୍ୟା ରଚିତ ଯହିଁ ହୋଏ । ଦିଶନ୍ତି ଦୁଗ୍ଧଫେନ ପ୍ରାୟେ । । ୨୩
ଲମ୍ବଇ ମୁକୁତାର ଝରା । ସୁବର୍ଣ୍ଣପୁଷ୍ପ କେରାକେରା । । ୨୪
ଦିବ୍ୟ କାମିନୀଗଣ ତହିଁ । ଚଳନ୍ତି ଇତସ୍ତତ ହୋଇ । । ୨୫
ଚରଣେ ନୂପୁର ବାଜେଣୀ । ରତ୍ନ ମେଖଳାର ସାଜେଣି । । ୨୬
ରତ୍ନମେଖଳା ପୂର୍ଣ୍ଣ ଜ୍ୟୋତି । ତଡ଼ିତ ପ୍ରାୟ ଝଟକନ୍ତି । । ୨୭
ଆପଣା ମୁଖ ରତ୍ନକାନ୍ଥେ । ହରଷେ ଦେଖନ୍ତି ଏକାନ୍ତେ । । ୨୮
ଏମନ୍ତେ ଇନ୍ଦ୍ରର ଭୁବନେ । ଅସୁର ବସେ ତୋଷମନେ । । ୨୯
ତିନିଭୁବନେ ଏକ ରାଜା । ଦେବେ କରନ୍ତି ପାଦପୂଜା । । ୩୦
ପ୍ରଚଣ୍ଡ ତେଜେ ଆଜ୍ଞା କରେ । ଯମର ପ୍ରାୟେ ରୋଷଭରେ । । ୩୧
ସୁଗନ୍ଧ ମଦ୍ୟ କରେ ପାନ । ସ୍ୱଭାବେ ଘୂର୍ଣ୍ଣିତ ଲୋଚନ । । ୩୨
ତମ୍ବାର ପ୍ରାୟେ ଚକ୍ଷୁଜଳେ । ଦେବେ ମିଳିଲେ ପାଦତଳେ । । ୩୩
ହସ୍ତରେ ଘେନି ଉପାୟନ । ଦିଶନ୍ତି ଅରକ୍ଷ ଯେସନ । । ୩୪
ସ୍ୱଭାବେ ତପ-ଯୋଗ-ବଳେ । ବିରାଜେ ଆଦିତ୍ୟ ମଣ୍ଡଳେ । । ୩୫
ସର୍ବଦେବତା ତାର ପାଶେ । ଖଟନ୍ତି ଜୀବନର ଆଶେ । । ୩୬
ବିଧାତା ବିଷ୍ଣୁ ମହେଶ୍ୱର । ଏହୁ ରହିଲେ ନିଜପୁର । । ୩୭
ଏହାଙ୍କୁ ଛାଡ଼ି ସର୍ବଦେବା । ତାର ଚରଣେ କଲେ ସେବା । । ୩୮
ଇନ୍ଦ୍ର ଆସନେ କରି ବିଜେ । ଇନ୍ଦ୍ରହୁଁ ଅଧିକ ବିରାଜେ । । ୩୯
ଗନ୍ଧର୍ବେ ମିଳି ତା ଚରଣେ । ସଙ୍ଗତେ ଅପସରାଗଣେ । । ୪୦
ତୁମ୍ବୁରୁ ନାରଦ ସହିତେ । ମିଳିଲେ ବିଶ୍ୱାବସୁ ଯେତେ । । ୪୧
ମିଳିଲେ ସିଦ୍ଧ ଋଷିଗଣେ । ସଭୟେ ଅସୁର ଚରଣେ । । ୪୨
ସ୍ତୁତି କରନ୍ତି ଅନୁକ୍ଷଣେ । ଗନ୍ଧର୍ବେ ନୃତ୍ୟଗୀତ ଗାନେ । । ୪୩
ବ୍ରାହ୍ମଣଆଦି ଚାରିବର୍ଣ୍ଣେ । ଅପରେ ଯେ ଚାରି ଆଶ୍ରମେ । । ୪୪
ପୂଜନ୍ତି ପିତୃଦେବ ଯଜ୍ଞେ । ତାର ଚରଣେ ହବିର୍ଭାଗେ । । ୪୫
ସପତଦ୍ୱୀପ ମହୀତଳେ । ବିନାକର୍ଷଣେ ଶସ୍ୟଫଳେ । । ୪୬
ମଧୁ ସ୍ରବନ୍ତି ବୃକ୍ଷପନ୍ତି । ଗାବେ କଳ୍ପିତ କ୍ଷୀର ଦ୍ୟନ୍ତି । । ୪୭
ଫୁଲ-ଫଳରେ ଭୂମି ପୂରି । ହୋଇଲା କାମଧେନୁ ସରି । । ୪୮
ଷଡ଼ଋତୁର ଅନ୍ତରାଳେ । ଶୁଭେ ଖଟନ୍ତି ଯେଝାକାଳେ । । ୪୯
ସମୁଦ୍ରେ ରତ୍ନମାନ ଦ୍ୟନ୍ତି । ନଦୀଏ ଊର୍ମି ଉଛୁଳାନ୍ତି । । ୫୦
ଲବଣ ଈକ୍ଷୁ ସୁରା ଘୃତ । ଦଧି ଦୁଗ୍ଧ ଜଳେ ପୂରିତ । । ୫୧
ପର୍ବତ ଦ୍ରୋଣି କ୍ରୀଡ଼ାସ୍ଥାନେ । ସକଳ ଋତୁ ପୁଷ୍ପମାନେ । । ୫୨
ଦିଗପାଳଙ୍କ ଗୁଣ ଯେତେ । ରହିଲେ ଅସୁର ଆୟତ୍ତେ । । ୫୩
ଏମନ୍ତେ ଦଶଦିଗ ଜିଣି । ସପତଦ୍ୱୀପେ ନୃପମଣି । । ୫୪
ସକଳ ଭୋଗ୍ୟ ଭୋଗକଲା । କେବେହେଁ ସନ୍ତୋଷ ନୋହିଲା । । ୫୫
ବିଶେଷେ ତପ-ଗର୍ବ ମୋହ । ସ୍ୱଭାବେ ଅଜିତ ଇନ୍ଦ୍ରିୟ । । ୫୬
ଅଜିତ ଇନ୍ଦ୍ରିୟ ସନ୍ତୋଷ । ମନବାରଣ ନିରଙ୍କୁଶେ । । ୫୭
ଅଜିତଇନ୍ଦ୍ରିୟର ବଳେ । ଘୃତେ ଅନଳ ଯେହ୍ନେ ଜଳେ । । ୫୮
ଐଶ୍ୱର୍ଯ୍ୟମଦେ ମତ୍ତ ହୋଇ । ଈଶ୍ୱର ବାକ୍ୟ ନ ମାନଇ । । ୫୯
ଏ ଅନ୍ତେ ବହୁକାଳ ଗଲା । ସନକ-ଶାପ ପ୍ରବେଶିଲା । । ୬୦
ତାହାର ଉପଦ୍ରବ ଦେଖି । ତ୍ରିଦଶେ ଭୁବନ ଉପେକ୍ଷି । । ୬୧
ଅନ୍ୟତ୍ର ଶରଣ ନ ପାଇ । ସକଳ ଦେବେ ରୁଣ୍ଡ ହୋଇ । । ୬୨
ଭାଳନ୍ତି ଏକଚିତ୍ତ ହୋଇ । କାହିଁ ଲୁଚିବୁ ଆମ୍ଭେ ଯାଇ । । ୬୩
ଯେ ଦିଗେ ଛନ୍ତି ଚକ୍ରଧର । ତହିଁକି କଲେ ନମସ୍କାର । । ୬୪
ନିର୍ମଳ ଯୋଗୀଜନେ ଯହିଁ । ଗଲେ ପୁନରାବୃତ୍ତି ନାହିଁ । । ୬୫
ଏମନ୍ତେ ଏକମନେ ଭାଳି । କ୍ଷୀରସମୁଦ୍ର ତୀରେ ମିଳି । । ୬୬
ଉନିଦ୍ର ପବନ ଭୋଜନ । ଡାକନ୍ତି ରଖ ଭଗବାନ । । ୬୭
ଅନେକମତେ କରି ସ୍ତୁତି । ଜଳଧି-ପୁଳିନେ ଭ୍ରମନ୍ତି । । ୬୮
ମସ୍ତକେ ଦେଇ ବେନିକର । ଡାକନ୍ତି ରଖ ଚକ୍ରଧର । । ୬୯
ମହାମହିମ ଭଗବାନ । ପରମଆତ୍ମା ନିରଞ୍ଜନ । । ୭୦
ବିଶୁଦ୍ଧ-ଆନନ୍ଦ-ସମୂହ । ନମସ୍ତେ ପ୍ରଭୁ ଦିବ୍ୟଦେହ । । ୭୧
ଏମନ୍ତେ ଦେବସ୍ତୁତି ଶୁଣି । ଶୁଭିଲା ଅନ୍ତରୀକ୍ଷ ବାଣୀ । । ୭୨
ମେଘ-ଗମ୍ଭୀର ପ୍ରାୟେ ସ୍ଫୁରେ । ସାଧୁଜନଙ୍କ ଦୁଃଖ ହରେ । । ୭୩
ଭୟ ନ କର ଦେବଗଣ । ତୁମ୍ଭର ହୋଇବ କଲ୍ୟାଣ । । ୭୪
ମୋହର ଦରଶନ ଲାଭ । ଅଶେଷ ସମ୍ପଦ ସମ୍ଭବ । । ୭୫
ପାପୀ ଅସୁର ଦୁଷ୍ଟପଣେ । ଭୟେ କମ୍ପିଲେ ଦେବଗଣେ । । ୭୬
ଏ ଭୟ କରିବି ମୁଁ ଶାନ୍ତି । ତୁମ୍ଭେ ନ କର ମନେ ଭ୍ରାନ୍ତି । । ୭୭
ଅଳପକାଳ ଦୁଃଖ ସହ । ନାଶିବି ତୁମ୍ଭର ସନ୍ଦେହ । । ୭୮
ବେଦବଚନ ପୁରାତନ । ଭୋଦେବ ସାବଧାନେ ଶୁଣ । । ୭୯
ଏ ଯେବେ ଦେବଙ୍କୁ ନିନ୍ଦିବ । ଗୋରୁ-ବ୍ରାହ୍ମଣ ବିନାଶିବ । । ୮୦
ସାଧୁଜନଙ୍କୁ ଦୁଷ୍ଟପଣେ । ଯେବେ ହିଂସିବ ଅକାରଣେ । । ୮୧
ନିର୍ଦ୍ଧୋଷ-ପ୍ରାଣୀଙ୍କର ମନେ । କ୍ଳେଶ-ସମ୍ପାଦେ ଅନୁକ୍ଷଣେ । । ୮୨
ମୋତେ କରିବ ରିପୁଭାବ । ତେବେ ଏ ବେଗେ ନାଶଯିବ । । ୮୩
ଏବେ ଏହାର ନିଜ ସୁତ । ହୋଇବ ଗୋବିନ୍ଦ ଭକତ । । ୮୪
ସମଦରଶୀ ସାଧୁ ଧୀର । ପ୍ରହଲାଦ ନାମ ତାହାର । । ୮୫
ତାହାକୁ ଅସୁର ଲଂଘିବ । କୋପେ ଅନେକ ଦୁଃଖ ଦେବ । । ୮୬
ତାହାକୁ ସଙ୍କଟୁ ରଖିବି । ବ୍ରହ୍ମାର ବର ବିନାଶିବି । । ୮୭
ଉଶ୍ୱାସ କରି ମହୀଭାର । ଦୁଃଖ ବିନାଶିବି ତୁମ୍ଭର । । ୮୮
କହନ୍ତି ବ୍ରହ୍ମାର କୁମର । ଶୁଣ ହେ ରାଜା ଯୁଧିଷ୍ଠିର । । ୮୯

ନାରଦ ଉବାଚ

ଏମନ୍ତେ ଆକାଶର ବାଣୀ । ଶୁଣି ନମିଲେ ଚକ୍ରପାଣି । । ୯୦
ଗୋବିନ୍ଦ ବଚନେ ବିଶ୍ୱାସ । ଜାଣିଲେ ନିଶ୍ଚେ ଯିବ ନାଶ । । ୯୧
ବିଷ୍ଣୁଙ୍କ ପାଦପଦ୍ମେ ନମି । ଦେବେ ଚଳିଲେ ନିଜ ଭୂମି । । ୯୨
ଏବେ ହୋ ଶୁଣ ଧର୍ମସୁତ । ଭକତ ପ୍ରହ୍ଲାଦ ଚରିତ । । ୯୩
ଯାହା ଶୁଣନ୍ତେ ପ୍ରାଣୀ ଦେହେ । ଅଶେଷ ଦୂରିତ ନ ରହେ । । ୯୪
ହିରଣ୍ୟକଶିପୁର ପୁରେ । ତାହାର ପତ୍ନୀର ଉଦରେ । । ୯୫
ଜନ୍ମ ଲଭିଲେ ଚାରିସୁତ । ତେଜେ ବିରାଜେ କି ଆଦିତ୍ୟ । । ୯୬
ସେ ପ୍ରହଲ୍ଳାଦ ଜ୍ୟେଷ୍ଠସୁତ । କୃଷ୍ଣ ଭଜଇ ଅବିରତ । । ୯୭
ଗୁଣେ କି ଦେବା ପଟାନ୍ତର । କୃଷ୍ଣ ଭକତ ମଧ୍ୟେ ବର । । ୯୮
ସତ୍ୟ-ସମ୍ପନ୍ନ-ଶୀଳ ଗୁଣେ । ସେବଇ ବିଷ୍ଣୁର ଚରଣେ । । ୯୯
ସର୍ବଭୂତଙ୍କ ମଧ୍ୟେ ପ୍ରିୟ । ସ୍ୱଭାବେ ବିଜିତ-ଇନ୍ଦ୍ରିୟ । । ୧୦୦
ସନ୍ଥ ଚରଣେ ଦାସ ପ୍ରାୟେ । ଦୁଃଖିଙ୍କି ସେବେ ପିତୃସ୍ନେହେ । । ୧୦୧
ସମାନେ ଭଜେ ଭ୍ରାତୃଭାବେ । ଗୁରୁଙ୍କୁ ଈଶ୍ୱର ସ୍ୱଭାବେ । । ୧୦୨
ବିଦ୍ୟାର୍ଥୀ ରୂପେ ସ୍ନେହ ସାର । ସ୍ୱଭାବେ ଗର୍ବ ନାହିଁ ତାର । । ୧୦୩
ଦୁଃଖେ ଦୁଃଖିତଚିତ୍ତ ନୋହେ । ଜ୍ଞାନ ଗୋଚରେ ସର୍ବେ ସହେ । । ୧୦୪
ଅସୁର ବଂଶେ ଜାତ ହୋଇ । ଅସୁର ଭାବ ହୃଦେ ନାହିଁ । । ୧୦୫
ବିପଦେ ଧୀର ଭାବ ବହି । ସମସ୍ତ ନଶ୍ୱର ଭାବଇ । । ୧୦୬
ଇନ୍ଦ୍ରିୟ ବୁଦ୍ଧି ଜୟ କରି । ଶାନ୍ତ ଭାବରେ ଦେହ ଧରି । । ୧୦୭
ନିଶ୍ଚଳ ଦୁଷ୍ଟ-ଶ୍ରୁତଗୁଣେ । ବସ୍ତୁ-ଅବସ୍ତୁ ପରିମାଣେ । । ୧୦୮
ଦୁଃଖୀ ବାଳକ ପ୍ରାୟେ ରହେ । ସ୍ୱଭାବେ ତପକ୍ଳେଶ ସହେ । । ୧୦୯
ପ୍ରଶାନ୍ତଚିତ୍ତ ନିତ୍ୟେ ବହେ । ମଦମତ୍ସର ନାହିଁ ଦେହେ । । ୧୧୦
ତାହାର ମହାଗୁଣମାନ । ମୁନି କହନ୍ତି ପୁଣ ପୁଣ । । ୧୧୧
ସେ ପୁଣି ବିଷ୍ଣୁର ବିଷୟେ । ଲକ୍ଷିତେ ଅଲକ୍ଷିତ ରହେ । । ୧୧୨
ସୁରସଭାରେ ଯାର କଥା । ନିତ୍ୟେ ଗାବନ୍ତି ସାଧୁ ଗାଥା । । ୧୧୩
ଶତ୍ରୁଙ୍କୁ ମିତ୍ର ପ୍ରାୟ ଦିଶେ । ଯାର ମହିମା ବିଷ୍ଣୁ ଅଂଶେ । । ୧୧୪
ତାହାଙ୍କୁ ସାଧୁ ସଭାମଧ୍ୟେ । ପ୍ରଶଂସା କରନ୍ତି ଆନନ୍ଦେ । । ୧୧୫
ଯାର ମହିମା ମୁନିଗଣେ । ଚିତ୍ତେ ଭାବନ୍ତି ଅନୁକ୍ଷଣେ । । ୧୧୬
ସ୍ୱଭାବେ ତାର ଶୁଦ୍ଧମତି । ହରି ଚରଣେ ନିତ୍ୟେ ରତି । । ୧୧୭
ବାଳକମେଳେ କ୍ରୀଡ଼ା କରେ । କ୍ରୀଡ଼ା-କନ୍ଦୁକ ନ ସୁମରେ । । ୧୧୮
ଜଡ଼ର ପ୍ରାୟ ହୋଇ ଖେଳେ । ଚିତ୍ତ ଗୋବିନ୍ଦ-ପାଦତଳେ । । ୧୧୯
ନଥାଏ ସଂଜ୍ଞା ତାର ଦେହେ । କୃଷ୍ଣେ ଆବିଷ୍ଟ ହୋଇଥାଏ । । ୧୨୦
ମନ ତା ଗୋବିନ୍ଦ ଚରଣେ । ସଂସାରସୁଖ ସେ ନ ମଣେ । । ୧୨୧
ଜାଗ୍ରତେ ଶୟନେ ଭୋଜନେ । ଭ୍ରମଣେ ବାକ୍ୟ-ଆଳାପନେ । । ୧୨୨
କୃଷ୍ଣଚରଣେ ଚିତ୍ତ ଦେଇ । ବିଷୟ ରସେ ଜ୍ଞାନ ନାହିଁ । । ୧୨୩
କୃଷ୍ଣଚରଣ ଚିନ୍ତାବଳେ । କି ଅବା ବୋଲେ କିବା କରେ । । ୧୨୪
ନିର୍ଲ୍ଲଜ ପ୍ରାୟ ନୃତ୍ୟ କରେ । ହସି କାନ୍ଦଇ ଉଚ୍ଚସ୍ୱରେ । । ୧୨୫
କୃଷ୍ଣ ଗାୟନ ସେ ଆନନ୍ଦେ । ନିର୍ମଳ ଭକ୍ତିଭାବ ଭେଦେ । । ୧୨୬
କୃଷ୍ଣର ଚେଷ୍ଟା ନିତ୍ୟେ କରେ । ସୁଜନଜନଙ୍କ ସଙ୍ଗରେ । । ୧୨୭
କୃଷ୍ଣଚରଣେ ଭାବେ ମଜ୍ଜି । ପୁଲକ କରେ ରୋମରାଜି । । ୧୨୮
ଆନନ୍ଦେ ଅଶ୍ରୁ ଝରଝର । ନିରତେ ବହେ ଚକ୍ଷୁଦ୍ୱାର । । ୧୨୯
କୃଷ୍ଣଚରଣ-ସେବା-ଭୋଳେ । ରମଇ ଅକିଞ୍ଚନ ମେଳେ । । ୧୩୦
ଆତ୍ମା-ନିବୃତ୍ତ ଅନୁକ୍ଷଣେ । ବିଷୟସଙ୍ଗ ଦୁଃଖ ମଣେ । । ୧୩୧
ଏମନ୍ତେ ପୁତ୍ରର ବିଷୟେ । ହିରଣ୍ୟକଶିପୁ ନିର୍ଦ୍ଧୟେ । । ୧୩୨
ଯାତନା କରେ ଅତିରେକେ । କେ ସହିପାରେ ନରଲୋକେ । । ୧୩୩

ଯୁଧିଷ୍ଠିର ଉବାଚ

ହେ ଦେବଋଷି ସତ୍ୟବ୍ରତ । କହିଲ ଅଦ୍‌ଭୁତ ଚରିତ । । ୧୩୪
ନିଜ ସୁତକୁ ତାତ ଯେବେ । ଦଣ୍ଡିଲା ଶତ୍ରୁଜନ ଭାବେ । । ୧୩୫
ସେ ଶୁଦ୍ଧଚେତା ପ୍ରହଲ୍ଲାଦ । କିମ୍ପାଇଁ ଅର୍ଜିଲା ପ୍ରମାଦ । । ୧୩୬
କୁପୁତ୍ରପଣ ଯେ କରନ୍ତି । ପିତାକୁ ରିପୁ ପ୍ରାୟ ଚିନ୍ତି । । ୧୩୭
ପୁତ୍ର-କୁଶଳେ ଶିକ୍ଷା ଅର୍ଥେ । ପିତା ଚିନ୍ତଇ ଦିବାରାତ୍ରେ । । ୧୩୮
ନିଜ ପୁତ୍ରକୁ ପିତା କେବେ । ନ ଦଣ୍ଡେ ଅପର ସ୍ୱଭାବେ । । ୧୩୯
ସେ ପୁତ୍ର ପିତା-ଅନୁଚର । ସ୍ୱଭାବେ ଶୁଦ୍ଧ ସାଧୁ ଧୀର । । ୧୪୦
ଏହାକୁ କିମ୍ପା ଦୁଃଖ ଦେଲା । ମୋତେ ତ ସନ୍ଦେହ ଲାଗିଲା । । ୧୪୧
ଯେ ପିତା ପୁତ୍ରେ ଦିଏ ଦୁଃଖ । ସେ କଥା ମରଣୁଁ ଅଧିକ । । ୧୪୨
ଏଣୁ ଦୁଃଖିତ ମୋର ମନ । କହ ହେ ବ୍ରହ୍ମାଙ୍କ ନନ୍ଦନ । । ୧୪୩

ଶୁକ ଉବାଚ

ଏମନ୍ତେ ଧର୍ମସୁତ ବାଣୀ । ନାରଦ ସଭା ମଧ୍ୟେ ଶୁଣି । । ୧୪୪
କୃଷ୍ଣଚରଣେ ଦେଇ ଚିତ୍ତ । କହିଲେ ବିଷ୍ଣୁର ଚରିତ । । ୧୪୫
ସେ ବ୍ରହ୍ମମୁନିର ଚରଣେ । ସୁଜନେ ନମ ଅନୁକ୍ଷଣେ । । ୧୪୬
ତୁମ୍ଭର ହିତେ ଭାଗବତ । ଭାଷା-ପ୍ରବନ୍ଧେ କଲି ଗୀତ । । ୧୪୭
ସପ୍ତମ ସ୍କନ୍ଧେ ଏହି ତତ୍ତ୍ୱ । କହଇ ଦାସ ଜଗନ୍ନାଥ । । ୧୪୮
ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ସପ୍ତମସ୍କନ୍ଧେ ପ୍ରହ୍ଲାଦ ଚରିତେ ଚତୁର୍ଥୋଽଧ୍ୟାୟଃ । ।

ପଞ୍ଚମ ଅଧ୍ୟାୟସମ୍ପାଦନ କରନ୍ତୁ

ନାରଦ ଉବାଚ

ଅସୁରକୁଳେ ପୁରୋହିତ । ସର୍ବଜ୍ଞ ଶୁକ୍ର ଭୃଗୁସୁତ । ।୧
ମୁନିଙ୍କ ପୁତ୍ର ବେନିଭାଇ । ଶଣ୍ଡ ଅମର୍କ ନାମେ ଦୁଇ । ।୨
ରାଜା ଆଚାର୍ଯ୍ୟ ତାଙ୍କୁ କଲେ । ପୁତ୍ରମାନଙ୍କୁ ପଢ଼ାଇଲେ । ।୩
ରାଜା ମନ୍ଦିରେ ବେନିଭାଇ । ଦୈତ୍ୟପୁତ୍ରଙ୍କୁ ସଙ୍ଗେ ଲଇ । ।୪
ଯେ ଷଡ଼ନୀତି ରାଜକୁଳେ । ସର୍ବେ ପଢ଼ନ୍ତି ଏକମେଳେ । ।୫
ତାହାଙ୍କ ମଧ୍ୟେ ପ୍ରହଲ୍ଲାଦ । ସକଳ-ଶାସ୍ତ୍ରେ ହେଲେ ସିଦ୍ଧ । ।୬
ଗୁରୁଙ୍କ ମୁଖୁଁ ବେଳେ ଶୁଣି । ତକ୍ଷଣେ ଚିତ୍ତେ ପରିମାଣି । ।୭
ଚିତ୍ତ ନିର୍ମଳେ ତାହା ଜାଣେ । କେବଳ ମନେ ନ ପ୍ରମାଣେ । ।୮
ବିଚାର କରେ ଅନ୍ତର୍ଗତେ । କେ ରିପୁ କେ ମିତ୍ର ଜଗତେ । ।୯
ଏକଇ ଆତ୍ମା ନରହରି । ସମେ ସକଳଘଟେ ପୂରି । ।୧୦
ଏକଥା ଅଟଇ ପ୍ରମାଣ । ସକଳ ଆତ୍ମା ନରାୟଣ । ।୧୧
ଯେ ପାଠ ପଢ଼େ ବାହ୍ୟମତେ । ଦୃଢ଼େ ନ ଧରେ ଅନ୍ତର୍ଗତେ । ।୧୨
ଦିନେକ ପ୍ରହଲ୍ଲାଦ ଆଣି । କୋଳେ ବସାଇ ନୃପମଣି । ।୧୩
ଅନେକ ଅଳଙ୍କାର ଦେଇ । ସାନନ୍ଦେ ପୁତ୍ରକୁ ପୁଚ୍ଛଇ । ।୧୪

ହିରଣ୍ୟକଶିପୁ ଉବାଚ

ହେ ପୁତ୍ର ଶୁଣ ବାକ୍ୟ ମୋର । ଯେ ଷଡ଼ନୀତି ରାଜାଙ୍କର । ।୧୫
ତୁ ତାହା ଗୁରୁମୁଖୁଁ ଶୁଣୁ । ସୁଦୃଢ଼ଚିତ୍ତେ ନ ପ୍ରମାଣୁ । ।୧୬
ମୁଁ ଭଲେ ଶୁଣିଲଇଁ ତାହା । କହ ତୁ ସାଧୁ ମଣୁ ଯାହା । ।୧୭
ଯେ ରାଜନୀତି ଚିତ୍ତେ ଧରେ । କେବେ ହେଁ ଶତ୍ରୁକୁ ନ ଡରେ । ।୧୮
ସଂଗ୍ରାମେ ରିପୁ ଜୟକରେ । ସେ ରାଜା ସୁଖ ଭୁଞ୍ଜେ ଭଲେ । ।୧୯
ବିଦ୍ୟା ପଢ଼ିଲୁ ଏତେ କାଳ । ଭଲ କି ମଣୁ ମୋତେ ବୋଲ । ।୨୦
ପିତା-ବଚନ ପୁତ୍ର ଶୁଣି । ଶିରେ ନିବେଶି ବେନି ପାଣି । ।୨୧
ସାନନ୍ଦେ ବାକ୍ୟ ଗଦଗଦ । କହେ ବାଳକ ପ୍ରହଲ୍ଲାଦ । ।୨୨

ପ୍ରହ୍ଲାଦ ଉବାଚ

ଶୁଣ ଭୋ ତାତ ଏକଚିତ୍ତେ । ଯେ ସାଧୁ ମଣେ ମୋର ମତେ । ।୨୩
ସଂସାର ସାଗର ପରାୟେ । ପ୍ରାଣୀଙ୍କୁ ଉଦବେଗ ଦିଏ । ।୨୪
ଦେଖ ଏ ଗୃହ-ଅନ୍ଧକୂପ । ଆତ୍ମା ନିପାତ ମହାତାପ । ।୨୫
ଏହାକୁ ଦୂରେ ପରିହର । ଅରଣ୍ୟେ କୃଷ୍ଣ ଆଶ୍ରେକର । ।୨୬
ସାଧୁ ମଣଇ ଏହା ଚିତ୍ତେ । ସତ୍ୟ କହିଲି ତୋ ଅଗ୍ରତେ । ।୨୭

ନାରଦ ଉବାଚ

ଏମନ୍ତେ ପୁତ୍ରବାକ୍ୟ ଶୁଣି । ଶତ୍ରୁର ପକ୍ଷ ପ୍ରାୟେ ମଣି । ।୨୮
ଉଚ୍ଚେ ହସିଲା ଅତିରେକ । ବୋଲଇ ପୁତ୍ର ଅବିବେକ । ।୨୯
ଏପରି ପରବୁଦ୍ଧି ବଳେ । ନଷ୍ଟ ହୁଅନ୍ତି ସର୍ବକାଳେ । ।୩୦
ଏହାର ବୁଦ୍ଧି କେ ହରିଲା । ଏ ମୋର ଶତ୍ରୁକୁ ଭଜିଲା । ।୩୧
କୋଳୁ ବାଳକ ତଳେ ଥୋଇ । ବୋଲେ ସେବକ ମୁଖ ଚାହିଁ । ।୩୨
ଗୁରୁ-ଭୁବନେ ନେଇ ଦିଅ । ଏକଥା ଗୁରୁ ଆଗେ କହ । ।୩୩
ଏ ମୋର ବାଳକର ମନ । ବିଷ୍ଣୁବିଷୟେ କିବା ଛନ୍ନ । ।୩୪
ଏହାର ମନ ବିଷ୍ଣୁ ପକ୍ଷେ । ଯେମନ୍ତେ ନ ଘଟେ ପ୍ରତ୍ୟକ୍ଷେ । ।୩୫
ରାଜାର ଆଜ୍ଞା ଭୃତ୍ୟେ ପାଇ । ବାଳକ ଗୁରୁଘରେ ନେଇ । ।୩୬
ବ୍ରାହ୍ମଣଗୋଷ୍ଠୀ ମଧ୍ୟେ ଦେଲା । ରାଜା ବଚନ ଜଣାଇଲା । ।୩୭
ତା ଶୁଣି ବିପ୍ର ଉଦବେଗେ । ବୋଲନ୍ତି ପ୍ରହଲ୍ଲାଦ ଆଗେ । ।୩୮
ସାଧୁ ବଚନ ବାକ୍ୟମତେ । କହନ୍ତି ହସ୍ତଧରି ହସ୍ତେ । ।୩୯
ହେ ବତ୍ସ ପ୍ରହଳ୍ଲାଦ ଶୁଣ । ସର୍ବଦା ହେଉ ତୋ କଲ୍ୟାଣ । ।୪୦
ଆମ୍ଭଙ୍କୁ ଲାଗଇ ସଂଶୟ । ମିଥ୍ୟା ତୁ ତେଜି ସତ୍ୟ କହ । ।୪୧
ବାଳକବୁଦ୍ଧି ତୋ ନ ଦେଖି । ଅଦ୍‌ଭୁତ ପ୍ରାୟେ ଉପଲକ୍ଷି । ।୪୨
ତୋହର ବୁଦ୍ଧି କେ ହରିଲା । ଶତ୍ରୁ-ଭଜନେ ଶିକ୍ଷା ଦେଲା । ।୪୩
କିବା ଏ ସ୍ୱଭାବ ତୋହର । ଆମ୍ଭଙ୍କୁ ଲାଗେ ଅଗୋଚର । ।୪୪
କହ କେ ତୋତେ ଦେଲା ଦୀକ୍ଷା । ଆମ୍ଭେ ଶ୍ରବଣେ କରୁ ଇଚ୍ଛା । ।୪୫

ପ୍ରହ୍ଲାଦ ଉବାଚ

ଯାହାର ମାୟାବଳେ ଜନ । ସ୍ୱ-ପର ବୁଦ୍ଧି କରେ ଭିନ୍ନ । ।୪୬
ଯାହାର ନାହିଁ ପରାପର । ତାହାଙ୍କୁ ମୋର ନମସ୍କାର । ।୪୭
ଯାହାଙ୍କ ଆଜ୍ଞା ପରମାଣେ । ପ୍ରାଣୀ ନିସ୍ତରେ ଭବ-ବଣେ । ।୪୮
ସେ ସର୍ବଆତ୍ମା ଯୋଗେଶ୍ୱର । ତାହାର ନାହିଁ ଆତ୍ମାପର । ।୪୯
ଯାହାକୁ ହରି କରେ ଦୟା । ତାହାର ଯାଏ ଭେଦମାୟା । ।୫୦
ବାସନାବଳେ ସର୍ବଜନ୍ତୁ । ଭୁଞ୍ଜନ୍ତି ପରାପର-ହେତୁ । ।୫୧
ତାହାର ମାର୍ଗେ ଶିବ-ବ୍ରହ୍ମ । ଗତି ନ ଲଭି ହୋନ୍ତି ଭ୍ରମ । ।୫୨
ସେ ମୋର ମନ ଭିନ୍ନ କଲା । ପର ଅପର ନ କହିଲା । ।୫୩
ଯେସନେ ଅୟସ୍କାନ୍ତ ଗୁଣେ । ଲୌହ ଭ୍ରମଇ ଆକର୍ଷଣେ । ।୫୪
ମୋହର ମନ ସେହିମତେ । ଭ୍ରମଇ ବିଷ୍ଣୁର ଆୟତ୍ତେ । ।୫୫

ନାରଦ ଉବାଚ

ଗୁରୁଙ୍କୁ କହି ଏ ବଚନ । ପ୍ରହ୍ଲାଦ ହୋଇଲା ମଉନ । ।୫୬
ବାଳକ ବାଣୀ ଶୁଣି କର୍ଣ୍ଣେ । କୋପ ବସିଲା ଗୁରୁ ମନେ । ।୫୭
ସମୀପେ ଥିଲେ ରାଜାଲୋକ । ଗୁରୁହିଁ ରାଜାର ସେବକ । ।୫୮
କୋପେ କମ୍ପିଲେ ବାକ୍ୟ ଶୁଣି । ତକ୍ଷଣେ ଘରୁ ବେତ ଆଣି । ।୫୯
ରାଜାର ବଂଶେ ଦୁରାଚାର । ନିଶ୍ଚେ ଜନ୍ମିଲା କୁଳାଙ୍ଗାର । ।୬୦
ଦୁର୍ବୁଦ୍ଧି ପଣ ଏ ବାଳକ । ଏହାକୁ ଦଣ୍ଡେ ହେଁ ନ ରଖ । ।୬୧
ଚନ୍ଦନବନେ କଣ୍ଟାବୃକ୍ଷ । ଦେଖ ହୋ ଜନ୍ମିଲା ପ୍ରତ୍ୟକ୍ଷ । ।୬୨
କଣ୍ଟକ ବୃକ୍ଷ ଯେବେ ମାରି । ଚନ୍ଦନ ବନ ଯତ୍ନ କରି । ।୬୩
ତେବେ ନିର୍ଭୟେ ଭୋଗକରି । କଣ୍ଟକ ଥିଲେ ନିତ୍ୟେ ଡରି । ।୬୪
ଚନ୍ଦନ ବନ ଦୈତ୍ୟଗଣ । ବିଷ୍ଣୁ ଯେ କୁଠାର ସମାନ । ।୬୫
କୁଠାର ବେଣ୍ଟ ଏହୁ ହୋଇ । ଏ ଥିଲେ ଆମ୍ଭ ଭଲ ନାହିଁ । ।୬୬
ଏମନ୍ତେ କରାଇଲେ ଭୟେ । ତର୍ଜ୍ଜିଲେ ବିବିଧ ଉପାୟେ । ।୬୭
ପୁଣି ଆଶ୍ୱାସ ତାକୁ କରି । ଗୁରୁ ପଢ଼ାନ୍ତି ହସ୍ତଧରି । ।୬୮
ଯେ ଧର୍ମ-ଅର୍ଥ-କାମଫଳେ । ସେ ବିଦ୍ୟା ପଢ଼ାଇଲେ ବଳେ । ।୬୯
ମୋକ୍ଷ ହିଁ ଅଛି ତାର ତହିଁ । ଏମନ୍ତ ବାଳକେ ପଢ଼ାଇ । ।୭୦
ମାତାଙ୍କ ଆଗେ ନେଇ ଦେଲେ । ସେ ତାକୁ ଅଳଙ୍କୃତ କଲେ । ।୭୧
ରାଜା ସମୀପେ ଦେଲେ ନେଇ । ତା ଦେଖି ରାଜା ତୋଷହୋଇ । ।୭୨
ଚରଣ ତଳେ ପୁତ୍ର ଚାହିଁ । ତକ୍ଷଣେ କୋଳ କଲା ନେଇ । ।୭୩
ଆନନ୍ଦେ ଗାତ୍ରେ ହସ୍ତ ଦେଇ । ସ୍ନେହରେ କୋଳରେ ବସାଇ । ।୭୪
ପୁତ୍ର ସ୍ୱଭାବେ ପ୍ରୀତିକରି । କଲ୍ୟାଣ କରେ କୋଳେ ଧରି । ।୭୫
ପ୍ରସନ୍ନ ବଦନେ ଅନାଇଁ । ସଧୀରେ ପୁତ୍ରକୁ ବୋଲଇ । ।୭୬

ହିରଣ୍ୟକଶିପୁ ଉବାଚ

ହେ ପୁତ୍ର ଶୁଣ ମୋ ବଚନ । ଗୁରୁ ଭୁବନେ ଏତେ ଦିନ । ।୭୭
ତୁ ଯେ ପଢ଼ିଲୁ ବାଳଭାବେ । ମୋର ସମ୍ମୁଖେ କହ ଏବେ । ।୭୮
ଉତ୍ତମ ବିଦ୍ୟା ପୁତ୍ର କହ । ମୋ ମନେ ନ ରହୁ ସନ୍ଦେହ । ।୭୯

ପ୍ରହ୍ଲାଦ ଉବାଚ

ଶୁଣ ହେ ତାତ ମନଦେଇ । ଯେ ବିଦ୍ୟା ଉତ୍ତମ ମଣଇ । ।୮୦
ଶ୍ରୀକୃଷ୍ଣ ଶ୍ରବଣ କୀର୍ତ୍ତନ । ସ୍ମରଣ ଚରଣସେବନ । ।୮୧
ସର୍ବସମ୍ପଦ ସମର୍ପିବ । ଚରଣେ ଦାସ ପଣେ ଥିବ । ।୮୨
ସଖ୍ୟ ଭାବରେ ନେବ ଦିନ । କରିବ ଆତ୍ମନିବେଦନ । ।୮୩
ଏତେ ପ୍ରକାରେ ବିଷ୍ଣୁଭାବ । ନିରତେ ଚିତ୍ତେ ସୁମରିବ । ।୮୪
ଏହା ମୁଁ ଉତ୍ତମ ମଣଇ । କହିଲି ତୋର ଆଗେ ମୁହିଁ । ।୮୫
ଏ ନବଲକ୍ଷଣେ ଭକତି । ଯେ ନର ଗୋବିନ୍ଦେ କରନ୍ତି । ।୮୬
ଉତ୍ତମ ବିଦ୍ୟା ବୋଲି ତାହା । ଯେଣେ ନ ଲାଗେ ବିଷ୍ଣୁମାୟା । ।୮୭
ଏମନ୍ତ ପୁତ୍ରମୁଖୁଁ ଶୁଣି । କୋପେ ଉଠିଲା ଶିର ଝୁଣି । ।୮୮
ଆରକ୍ତ ବେନିଚକ୍ଷୁ ତାର । ପ୍ରଚଣ୍ଡେ କମ୍ପଇ ଅଧର । ।୮୯
ଗୁରୁପୁତ୍ରର ମୁଖ ଚାହିଁ । ବୋଲଇ କୋପଭର ହୋଇ । ।୯୦
ତୁ ବ୍ରହ୍ମବନ୍ଧୁ ଗୁରୁସୁତ । ଏ ତ ତୋହର ବିପରୀତ । ।୯୧
ମୋର ବିପକ୍ଷ-ସ୍ତୁତି ଯେତେ । ଏହା ଶିଖାଇଲୁ କେମନ୍ତେ । ।୯୨
ଅସାର ବିଦ୍ୟା ଶିଖାଇଲୁ । ତୁ ତ ଅବଜ୍ଞା ମୋତେ କଲୁ । ।୯୩
ଅସାଧୁଲୋକ ଏ ସଂସାରେ । ଅଛନ୍ତି କୈତବ ବେଭାରେ । ।୯୪
ତାହାଙ୍କ ଦୋଷ ତାଙ୍କୁ ମାରେ । ରୋଗ ଯେସନେ କଳେବରେ । ।୯୫
ଯେ ପ୍ରାଣୀ ବ୍ରହ୍ମହତ୍ୟା କରେ । ସେ କ୍ଷୟରୋଗୀ ଜନ୍ମାନ୍ତରେ । ।୯୬
ଯେ ନିତ୍ୟ ମଦ୍ୟପାନ କରେ । ବିକଟଦନ୍ତ ତା ଅଧରେ । ।୯୭
ସୁବର୍ଣ୍ଣ ହରିଥାଇ ଯେପେ । କୁନଖୀ ହୋଇ ଜନ୍ମ ଲଭେ । ।୯୮
ଗୁରୁକାମିନୀ ଯେହୁ ରତେ । ଧବଳକୁଷ୍ଠ ମୁଖ ହସ୍ତେ । ।୯୯
ଏମନ୍ତେ ଅସୁର ବଚନେ । କହନ୍ତି ଗୁରୁଙ୍କ ନନ୍ଦନେ । ।୧୦୦

ଗୁରୁପୁତ୍ର ଉବାଚ

ମୋହର ଶିକ୍ଷା ଏ ନୁହଁଇ । ଆନ ବା ପଢ଼ାଇବ କେହି । ।୧୦୧
ତୋର ପୁତ୍ରର ଏ ସ୍ୱଭାବ । ଜାଣି ତୁ ଚିନ୍ତ ପରାଭବ । ।୧୦୨

ନାରଦ ଉବାଚ

ଏମନ୍ତେ ଗୁରୁବାକ୍ୟ ଶୁଣି । ସଂଶୟଚିତ୍ତେ ନୃପମଣି । ।୧୦୩
ପୁତ୍ରକୁ ଚାହିଁ କୋପଭରେ । ବୋଲଇ କୁତ୍ସିତ-ବେଭାରେ । ।୧୦୪

ହିରଣ୍ୟକଶିପୁ ଉବାଚ

ଏ ବିଦ୍ୟା ଗୁରୁବାକ୍ୟ ନୋହେ । କେ ଅବା ତୋର ମନ ମୋହେ । ।୧୦୫

ପ୍ରହ୍ଲାଦ ଉବାଚ

ଶୁଣ ହେ ତ୍ରୈଲୋକ୍ୟ ଈଶ୍ୱର । ମତିର ଗତି ଚକ୍ରଧର । ।୧୦୬
ଯେ ପ୍ରାଣୀ ଗୃହକୃତ୍ୟ କରେ । ତା ମତି କୃଷ୍ଣ ନ ସୁମରେ । ।୧୦୭
ଗୁରୁବଚନ କି କରିବ । ଯାହାର ଯେମନ୍ତ ସ୍ୱଭାବ । ।୧୦୮
ଅସାଧ୍ୟ ଇନ୍ଦ୍ରିୟଙ୍କ ବଳେ । ଗୃହସ୍ଥ ପଡ଼େ ରସାତଳେ । ।୧୦୯
କୁଳବେଭାରେ ବଶହୋଇ । ଚର୍ବିତ ଚର୍ବଣ କରଇ । ।୧୧୦
ତାହାଙ୍କ ମତି କୃଷ୍ଣଠାବେ । କେବେହେଁ ନୋହେ ଭକ୍ତିଭାବେ । ।୧୧୧
ଯେ ପ୍ରାଣୀ ଦୁରାଶୟ ପଣେ । ଅନର୍ଥ ଅର୍ଥ ପ୍ରାୟେ ମଣେ । ।୧୧୨
ସେ କାହିଁ କୃଷ୍ଣଙ୍କୁ ପାଇବ । ଯେ ବ୍ରହ୍ମାଶଙ୍କରେ ଦୁର୍ଲ୍ଲଭ । ।୧୧୩
ଯାହାର ମତି ଅର୍ଥ ଧ୍ୟାୟି । ସେ ପ୍ରାଣୀ ଲଭିବ ତା କାହିଁ । ।୧୧୪
ଅନ୍ଧକୁ ଅନ୍ଧ ଯେହ୍ନେ ବହେ । ସେ ଈଶତନ୍ତ୍ରେ ଭ୍ରମେ ମୋହେ । ।୧୧୫
ଏମନ୍ତ ପ୍ରାଣୀଙ୍କ ସ୍ୱଭାବ । କେମନ୍ତେ କୃଷ୍ଣଙ୍କୁ ଲଭିବ । ।୧୧୬
କୃଷ୍ଣ-ଚରଣ-ପଦ୍ମ ଦୁଇ । ଏ ଘେନି ଲଭି ନ ପାରଇ । ।୧୧୭
ଯାହାର ଚରଣର ଅର୍ଥ । ସ୍ମରଣେ ଖଣ୍ଡଇ ଅନର୍ଥ । ।୧୧୮
ଯାହାଙ୍କ ଚରଣାରବିନ୍ଦ । ସେବି ନ ପାନ୍ତି ସୁରବୃନ୍ଦ । ।୧୧୯
ବିଷ୍ଣୁଭକତ ପାଦଧୂଳି । ଉଦକ ସେଙ୍ଗ ଶିରେ ବୋଳି । ।୧୨୦
ତହିଁ ଯେ ସ୍ନାନ ନ କରଇ । ହରିଙ୍କି ଲଭିବ ସେ କାହିଁ । ।୧୨୧
ଏମନ୍ତ କହି ଦୈତ୍ୟବଳା । ଅନ୍ତରେ ମଉନ ହୋଇଲା । ।୧୨୨
ଶୁଣି ଅସୁର କୋପାନଳେ । କୋଳରୁ ପକାଇଲା ତଳେ । ।୧୨୩
ରୋଷେ ଅରୁଣଚକ୍ଷୁ କଲା । ଅସୁରଗଣେ ଆଜ୍ଞା ଦେଲା । ।୧୨୪

ହିରଣ୍ୟକଶିପୁ ଉବାଚ

ଶୁଣ ହେ ନଈରତଗଣ । ମୋର ପୁତ୍ରର ଦୁଷ୍ଟପଣ । ।୧୨୫
ମରଣ ଅର୍ଜିଲା ବେଭାରେ । ଏହାକୁ ରାଜ୍ୟୁ କର ଦୂରେ । ।୧୨୬
ମୋର ଅନୁଜ ନାଶ କରି । ଯେ ବିଷ୍ଣୁ ମୋହର ବଇରୀ । ।୧୨୭
ତାହାର ପକ୍ଷ ଏ ଧଇଲା । ନିଜ ସୁହୃଦ ଉପେକ୍ଷିଲା । ।୧୨୮
ବିଷ୍ଣୁର ଦାସପଣେ ରହେ । କେ ପ୍ରାଣ ଥାଉଁ ଏହା ସହେ । ।୧୨୯
ବିଷ୍ଣୁର ଆଶ୍ରେ ଏ ମୋହର । ନିଶ୍ଚେ କରିବ ଅପକାର । ।୧୩୦
ପିତା ସୁହୃଦ ପୁତ୍ରଙ୍କର । ଦୁସ୍ତ୍ୟଜ୍ୟ ଏ ଶାସ୍ତ୍ର ବେଭାର । ।୧୩୧
ଏ ପଞ୍ଚବରଷର ସୁତ । ପିତାମାତାରେ ଅଭକତ । ।୧୩୨
ପରର ପୁତ୍ର ହୋଇ ଯେବେ । ଆପଣା ହିତ ଅନୁଭାବେ । ।୧୩୩
ତାହାକୁ ଜାଣି ନିଜ ସୁତ । ରୋଗକୁ ଔଷଧ ଯେମନ୍ତ । ।୧୩୪
ଆପଣା ତହୁଁ ଜାତ ହୋଇ । ପରର ହିତେ ଯେବେ ଥାଇ । ।୧୩୫
ବ୍ୟାଧିର ପ୍ରାୟ ଜନ୍ମ ତାର । ତା ମଲେ ଆତ୍ମାର ନିସ୍ତାର । ।୧୩୬
ଯେ ଅଙ୍ଗେ ସର୍ପାଘାତ କରେ । ସେ ଅଙ୍ଗ ଦୋଷେ ପ୍ରାଣୀ ମରେ । ।୧୩୭
ସେ ଅଙ୍ଗ ଛେଦି ପକାଇଲେ । ଦେହେ ଜୀବନ ରହେ ଭଲେ । ।୧୩୮
ଯେ ହିତ କରେ ପର ହୋଇ । ତା ତହୁଁ ଆର ବନ୍ଧୁ କାହିଁ । ।୧୩୯
ଅହିତ କରେ ବନ୍ଧୁ ଯେବେ । ତାହାକୁ ଲେଖି ଶତ୍ରୁଭାବେ । ।୧୪୦
ଦେହରୁ ବ୍ୟାଧି ଜନ୍ମ ହୋଇ । ଆତ୍ମା ସହିତେ ସଂହାରଇ । ।୧୪୧
ଅରଣ୍ୟୁ ଅଉଷଧି ଆଣି । ରୋଗ-ସଙ୍କଟୁ ତରେ ପ୍ରାଣୀ । ।୧୪୨
ପର ଅପର ଏ ବିଚାର । କେ ରିପୁ କେବା ଆପଣାର । ।୧୪୩
ସୁହୃଦ ହୋଇ ଶତ୍ରୁପଣେ । ପାପ ଚିନ୍ତଇ ଅନୁକ୍ଷଣେ । ।୧୪୪
ନାନା-ଉପାୟେ ତାକୁ ମାରି । ସେ ମଲେ ସୁଖେ ପ୍ରାଣ ଧରି । ।୧୪୫
ଯୋଗୀଙ୍କ ଯୋଗଧ୍ୟାନ କାଳେ । ଦୁଷ୍ଟଇନ୍ଦ୍ରିୟ ଯେବେ ବଳେ । ।୧୪୬
ତାହାକୁ ଯେବେ କରେ ସାଧ୍ୟ । ତେବେ ଲଭଇ ବ୍ରହ୍ମପଦ । ।୧୪୭
ଏ ମିତ୍ରବେଶଧାରୀ ପର । ଏହାକୁ ବେଗେ ବଧ କର । ।୧୪୮
ଭୋଜନ ଶୟନ ଆସନେ । ଉପାୟ କର ତା ମରଣେ । ।୧୪୯
ଏମନ୍ତେ ରାଜା ଆଜ୍ଞା ପାଇ । ଅସୁରେ ଅସ୍ତ୍ର ଘେନି ଧାଇଁ । ।୧୫୦
ବାଳକ-ନାଶ ମନେ ଚିନ୍ତି । ଶୂଳ ଅନ୍ତରୀକ୍ଷେ ବୁଲାନ୍ତି । ।୧୫୧
ସୁତୀକ୍ଷ୍‌ଣ ଦିଶେ ଦନ୍ତପନ୍ତି । କରାଳ-ବଦନେ ଚାହାନ୍ତି । ।୧୫୨
ତମ୍ବାର ବର୍ଣ୍ଣ ପ୍ରାୟେ ଦାଢ଼ି । ଶିରେ କପିଳଜଟା ବେଢ଼ି । ।୧୫୩
ନାଚନ୍ତି ଭଇରବ ନାଦେ । ଅସୁରେ ଛନ୍ଦି ପାଦ ପାଦେ । ।୧୫୪
ଶୂଳ ବୁଲାଇ ମହାଘୋରେ । ପିଟିଲେ ବାଳକ ଉପରେ । ।୧୫୫
ତା ଦେଖି ଅସୁରକୁମର । ମନେ ଚିନ୍ତିଲା ଚକ୍ରଧର । ।୧୫୬
ଗୋବିନ୍ଦପାଦେ ଚିତ୍ତ ଦେଇ । ବୋଲଇ ଅସୁରଙ୍କୁ ଚାହିଁ । ।୧୫୭
ତୁମ୍ଭର ଦେହେ ଯେବେ ହରି । ଆତ୍ମା-ସ୍ୱରୂପେ ଛନ୍ତି ପୂରି । ।୧୫୮
ସକଳ ଶସ୍ତ୍ରେ ହରି ଯେବେ । ଘଟଣେ ଛନ୍ତି ଆତ୍ମାଭାବେ । ।୧୫୯
ଏକଥା ସତ୍ୟ ଯେବେ ହୋଇ । ଶସ୍ତ୍ର ନ କାଟୁ ମୋର ଦେହୀ । ।୧୬୦
ଶୁଣି ଅସୁର କୋପଭରେ । ଅନେକଶସ୍ତ୍ର ପ୍ରହାରିଲେ । ।୧୬୧
ପ୍ରହଲ୍ଲାଦର ଦେହେ ବାଜି । ସକଳ ଶସ୍ତ୍ରେ ଗଲେ ଭାଜି । ।୧୬୨
ଅପୁଣ୍ୟବନ୍ତପ୍ରାଣୀ ଦେହେ । ସାତ୍ତ୍ୱିକଫଳ ଯେହ୍ନେ ନୋହେ । ।୧୬୩
ଅଦ୍‌ଭୁତ-କର୍ମ ତାର ଦେଖି । ତକ୍ଷଣେ ଆସନ ଉପେକ୍ଷି । ।୧୬୪
ଭିତରେ ପଶିଲା ଅସୁର । ଭୟରେ କମ୍ପେ ଥରହର । ।୧୬୫
ମନ୍ତ୍ରୀ ସଙ୍ଗତେ ବିଚାରିଲା । ବାଳକ-ମରଣ ଚିନ୍ତିଲା । ।୧୬୬
ଅଇରାବତ ଆଦି ନାଗେ । ତାହାଙ୍କୁ ଅଣାଇଲା ବେଗେ । ।୧୬୭
ବୋଲଇ ଦନ୍ତାଘାତ କର । ଯେମନ୍ତେ ମରଇ କୁମର । ।୧୬୮
ଶୁଣି ଅନେକ ହସ୍ତୀ ତୁଲେ । ବାଳକ-ସମୀପେ ମିଳିଲେ । ।୧୬୯
ହସ୍ତୀଙ୍କି ଚାହିଁ ଦୈତ୍ୟବଳା । ଅନ୍ତରେ କୃଷ୍ଣ ସୁମରିଲା । ।୧୭୦
ମହାକ୍ରୋଧରେ ଗଜବରେ । ନିଷ୍ଠୁର-ଦନ୍ତର ଅଗ୍ରରେ । ।୧୭୧
ନିର୍ଘାତେ କରନ୍ତେ ପ୍ରହାର । ସକଳ ଦନ୍ତ ହେଲା ଚୂର । ।୧୭୨
ଭୟେ ଭାଜିଲେ ହସ୍ତୀବଳ । ଦେଖି ଅସୁର କୋପାନଳ । ।୧୭୩
ତକ୍ଷକ ଆଦି ଅଷ୍ଟନାଗେ । ଥିଲେ ଯେ ଅନ୍ତରୀକ୍ଷ ମାର୍ଗେ । ।୧୭୪
ତାହାଙ୍କୁ ରାଇ ନୃପବର । ନିଷ୍ଠୁରେ ବୋଲଇ ଉତ୍ତର । ।୧୭୫
ଏ କୁଳାଙ୍ଗାର ମୋ କୁମର । ଏହାର ପ୍ରାଣ ବେଗେ ହର । ।୧୭୬
ନାଗକୁ ଦେଖି ପ୍ରହଲ୍ଲାଦ । ଚିତ୍ତେ ଚିନ୍ତିଲା କୃଷ୍ଣପାଦ । ।୧୭୭
ତକ୍ଷଣେ କୋପେ ନାଗେ ଗଲେ । ବାଳକ ଶରୀରେ ଦଂଶିଲେ । ।୧୭୮
ମୁଖରୁ ଦନ୍ତ ଝଡ଼ିଗଲା । ନାଗଙ୍କ ଫଣା ବଥାଇଲା । ।୧୭୯
ନାଗେ ପଳାଇଗଲେ ବେଗେ । ଜୀବନ ଭୟେ ଦଶଦିଗେ । ।୧୮୦
ପୁଣି ସେ କୃତ୍ୟାହୋମ କଲା । ପର୍ବତ ଶିଖୁ କଚାଡ଼ିଲା । ।୧୮୧
ଶମ୍ବର ହସ୍ତେ ମାୟା କଲା । କେବେହେଁ ପ୍ରାଣ ତା ନଗଲା । ।୧୮୨
ବନ୍ଧନ କରି ହସ୍ତପାଦ । ମେଲିଲା ଅଗାଧ ସମୁଦ୍ର । ।୧୮୩
ବନ୍ଧନ କରି ପ୍ରତିଦିନେ । ମରିବ ବୋଲଇ କେସନେ । ।୧୮୪
ଭର୍ତ୍ସନା କଲା ପ୍ରତିଦିନେ । ଗରଳ ଦେଲା ଅନ୍ନପାନେ । ।୧୮୫
କେତେହେଁ ଦିନ ଅଭୋଜନ । ବଞ୍ଚିଲା ଅସୁରନନ୍ଦନ । ।୧୮୬
ହିମ ପବନ ଅଗ୍ନି ଜଳେ । ପର୍ବତ ଚାପି କୋପାନଳେ । ।୧୮୭
ନାନାପ୍ରକାରେ କଷ୍ଟ ଦେଲା । କେବେହେଁ ବାଳକ ନ ମଲା । ।୧୮୮
ସ୍ୱଭାବେ ପାପ ତାର ନାହିଁ । ଦଣ୍ଡ ବାଧିବ ତାକୁ କାହିଁ । ।୧୮୯
କେବେହେଁ ମାରି ନ ପାରିଲା । ଚିନ୍ତାସାଗରେ ନିମଜ୍ଜିଲା । ।୧୯୦
ଜାଗ୍ରତ ସ୍ୱପ୍ନ ପ୍ରାୟେ ହୋଇ । କେବେହେଁ ଶାନ୍ତି ନ ଭଜଇ । ।୧୯୧
ଦେଖ ଏ ବାଳକ ବିଷୟେ । କେତେ ନ ଚିନ୍ତିଲି ଉପାୟେ । ।୧୯୨
ଶତ୍ରୁର ପ୍ରାୟେ ପଛେ ଥାନ୍ତେ । କେବେହେଁ ନ ଡରଇ ଚିତ୍ତେ । ।୧୯୩
କଷଣ ଦେଲି ଯେତେ ମୁହିଁ । କିଛି ଏହାର ହେଲା ନାହିଁ । ।୧୯୪
ଶୁନଃଶେଫର ପ୍ରାୟେ ସହେ । କି ଆଉ କରିବି ଉପାୟେ । ।୧୯୫
ମହାନୁଭବ ଏ କୁମର । ମନବଚନେ ଅଗୋଚର । ।୧୯୬
ନିର୍ଭୟେ ଏତେ ଦୁଃଖ ସହେ । ଏଣୁ ମୋ ଚିତ୍ତେ ମହାଭୟେ । ।୧୯୭
ଏହାର ତୁଲେ ବାଦ କଲେ । ପ୍ରାଣ ମୁଁ ନ ପାଇବି ଭଲେ । ।୧୯୮
ଏମନ୍ତେ ଭାଳି ମନଦୁଃଖେ । ଦଣ୍ଡେ ରହିଲା ଅଧୋମୁଖେ । ।୧୯୯
ସାଧୁ ବିଷୟେ ଦ୍ରୋହ କଲେ । କେବା ସଂସାରେ ଥିବ ଭଲେ । ।୨୦୦
ଗୁରୁ କୁମରେ ତାହା ଶୁଣି । ଅସୁର ମୁଖ ଚାହିଁ ଭଣି । ।୨୦୧

ଗୁରୁପୁତ୍ର ଉବାଚ

ଶୁଣ ହେ ନୃପ ଚୂଡ଼ାମଣି । ତପେ ତୁ ତ୍ରିଭୁବନ ଜିଣି । ।୨୦୨
ଆତ୍ମାର ସୁଖେ ଭୋଗକରୁ । ଯେହ୍ନେ ଅଚଳ-ମହମେରୁ । ।୨୦୩
ତୋହର ରିପୁ ଏ ସଂସାରେ । ନ ଦେଖି ଶରୀର-ବେଭାରେ । ।୨୦୪
ଏ ବାଳକୁମର ତୋହର । ଏହାକୁ କିମ୍ପା ତୋର ଡର । ।୨୦୫
ବାଳକ ଗୁଣ-ଦୋଷ ନାହିଁ । ସଂଶୟ କରୁ କିମ୍ପା ତୁହି । ।୨୦୬
ଯେବେ ସଂଶୟ ତୋର ମନେ । କହିବା ଶୁଣ ସାବଧାନେ । ।୨୦୭
ଏହାକୁ ବରୁଣର ପାଶେ । ବନ୍ଧନ କର ତୁ ବିଶ୍ୱାସେ । ।୨୦୮
ନିକଟେ ରଖ ତୋ ଆୟତ୍ତେ । ଭୟ ନ ଲାଗୁ ତୋର ଚିତ୍ତେ । ।୨୦୯
ବାଳୁତ-ଦଶା ଏ ଛାଡ଼ିଲେ । ସୁବୁଦ୍ଧି ପ୍ରକାଶିବ ଭଲେ । ।୨୧୦
ବ୍ରହ୍ମାର ପୁରୁ ଆମ୍ଭ ତାତ । ତୋ ପାଶେ ନ ଆସେ ଯାବତ । ।୨୧୧
ତାବତ ଥାଉ ଏହିମତେ । ସଂଶୟ ନ କର ତୁ ଚିତ୍ତେ । ।୨୧୨
ଗୁରୁପୁତ୍ରଙ୍କ ବାକ୍ୟ ଶୁଣି । ସନ୍ତୋଷେ କହେ ନୃପମଣି । ।୨୧୩

ହିରଣ୍ୟକଶିପୁ ଉବାଚ

ଶୁଣ ହେ ଗୁରୁଙ୍କ କୁମର । ଏବେ ମୋହର ବୋଲ କର । ।୨୧୪
ଗୃହସ୍ଥାଶ୍ରମ ଧର୍ମ ଯେତେ । ସେ ରାଜଧର୍ମ ନୀତି ଯୁକ୍ତେ । ।୨୧୫
ତ୍ରିବର୍ଗ ଧର୍ମ-ଅର୍ଥ-କାମେ । ଯେମନ୍ତେ ପଢ଼େ ଅନୁକ୍ରମେ । ।୨୧୬
ଏମନ୍ତେ ରାଜାର ବଚନେ । ପ୍ରହ୍ଲାଦେ ଗୁରୁ ବେନିଜନେ । ।୨୧୭
ଅନେକ ଯତ୍ନେ ପଢ଼ାଇଲେ । ଅସୁରକୁମରଙ୍କ ତୁଲେ । ।୨୧୮
ଗୁରୁଙ୍କ ମୁଖୁଁ ଯେତେ ଶୁଣେ । ଅନ୍ତରେ ସାଧୁ ତା ନମଣେ । ।୨୧୯
ଗୃହସ୍ଥ-ଧର୍ମର ବ୍ୟବସ୍ଥା । ଆତ୍ମାର ନିପାତ ଏ କଥା । ।୨୨୦
ଏ ଧର୍ମେ ମୋହିହୋନ୍ତି ଜନ । ଏଣେ କି ମୋର ପ୍ରୟୋଜନ । ।୨୨୧
ଏମନ୍ତେ କରଇ ବିଚାର । ଏବେ ହୋ ଶୁଣ ନୃପବର । ।୨୨୨
ପଢ଼ଇ ବାଳକଙ୍କ ମେଳେ । ଗୁରୁ ଯେ ଗୃହକର୍ମେ ଗଲେ । ।୨୨୩
ସେ ପ୍ରହଲ୍ଲାଦ ଦୟାବହି । ବୋଲେ ବାଳକ ମୁଖ ଚାହିଁ । ।୨୨୪
ଶୁଣ ହେ ଅସୁରକୁମରେ । ଯେ ବିଦ୍ୟା ସଂସାରୁ ଉଦ୍ଧରେ । ।୨୨୫
ମଞ୍ଚେ ମାନବ ଦେହ ବହି । ଆତ୍ମା ଜ୍ଞାନଟି ଯାର ନାହିଁ । ।୨୨୬
ତାର ଜୀବନ ଅକାରଣ । ଏବେ ହୋ ସାବଧାନେ ଶୁଣ । ।୨୨୭
ଏ ପିତାପୁତ୍ରଙ୍କ ସମ୍ବାଦ । ଶୁଣନ୍ତେ ନ ଲାଗେ ପ୍ରମାଦ । ।୨୨୮
କହଇ ଦାସ ଜଗନ୍ନାଥ । ସପ୍ତମ ସ୍କନ୍ଧେ ଭାଗବତ । ।୨୨୯
ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ସପ୍ତମସ୍କନ୍ଧେ ପ୍ରହ୍ଲାଦାନୁଚରିତେ ପଞ୍ଚମୋଽଧ୍ୟାୟଃ । ।

ଷଷ୍ଠ ଅଧ୍ୟାୟସମ୍ପାଦନ କରନ୍ତୁ

ପ୍ରହ୍ଲାଦ ଉବାଚ

ଶୁଣ ହେ ଅସୁର ବାଳକେ । ଯେ ବିଦ୍ୟାସାର ନରଲୋକେ । ।୧
ଆହେ ବୟସ୍ୟେ ତୁମ୍ଭେ ଦେଖ । ମୃତ୍ୟୁ-ଅଧୀନ ଜୀବଲୋକ । ।୨
ମାୟାକ୍ରୀଡ଼ାରେ ଭୋଳହୋଇ । ତୁମ୍ଭର ଦେହେ ଜ୍ଞାନ ନାହିଁ । ।୩
ବାଳୁତ ଯୁବା ବୃଦ୍ଧଦେହୀ । କେବେହେଁ ମୃତ୍ୟୁ ନ ତରଇ । ।୪
ଏ ଭାବ ଚିତ୍ତେ ଯେ ଚିନ୍ତନ୍ତି । ଅନ୍ତେ ସେ କୈବଲ୍ୟ ଭୁଞ୍ଜନ୍ତି । ।୫
ଯେବେ ଅଶେଷ ଗ୍ରନ୍ଥ ପଢ଼ି । ଆତ୍ମାର ଗତିପଥ ହୁଡ଼ି । ।୬
ପର-ଅପର ବୋଲି ଚିନ୍ତି । ସେ ମୃତ୍ୟୁ-ମୁଖେ ସଞ୍ଚରନ୍ତି । ।୭
ଯେ ଗୁରୁ କହେ ଶାସ୍ତ୍ରମତେ । ଅର୍ଥକୁ ବୁଝାଇ ଅନର୍ଥେ । ।୮
ଅଜ୍ଞାନ ନିନ୍ଦିତ ବଚନେ । ନ ଘଟେ ଶାସ୍ତ୍ର ଅନୁମାନେ । ।୯
ସେ ଗୁରୁବାକ୍ୟେ କାର୍ଯ୍ୟ କିସ । ନିଷ୍ଫଳ ତାର ଉପଦେଶ । ।୧୦
ଆତ୍ମ-ଶରୀର ଉଦ୍ଧାରଣେ । ନ କହେ ଅଜ୍ଞାନ କାରଣେ । ।୧୧
ଏଣୁ ଏ ଆତ୍ମଜ୍ଞାନୀ ଯେତେ । ଯତ୍ନ କରନ୍ତି ଆତ୍ମାହିତେ । ।୧୨
ଏଣୁ ଅଜ୍ଞାନୀଙ୍କ ବଚନ । ନ ମାନେ ଆତ୍ମଜ୍ଞାନୀ ଜନ । ।୧୩
ଅଜ୍ଞାନୀ ଅଜ୍ଞାନ ଦେଖାଏ । ଅନ୍ଧକୁ ଅନ୍ଧ ଯେହ୍ନେ ବାହେ । ।୧୪
ଜ୍ଞାନୀର ଶତ୍ରୁ-ମିତ୍ର ନାହିଁ । ନିତ୍ୟେ ଉଦାସିପଣେ ଥାଇ । ।୧୫
ଜନ୍ତୁର କର୍ମର ଆୟତ୍ତେ । ସଂପଦ ବିପଦ ଯୁଗତେ । ।୧୬
ଏ ମାୟାମୟ ଗୃହବାସେ । ପ୍ରାଣୀ ଯନ୍ତ୍ରିତ ମୋହପାଶେ । ।୧୭
ମନର ଚରଣେ ଶାଙ୍କୋଳି । ଏଣୁ ନ ପାରେ ପ୍ରାଣୀ ଚଳି । ।୧୮
ଏ ମାୟାବନ୍ଧ ଯା ବଚନେ । ତୁଟଇ ଜ୍ଞାନ ଅନୁମାନେ । ।୧୯
ସେ ଗୁରୁବଚନ ପ୍ରମାଣି । ତେବେ ସଂସାରୁ ତରେ ପ୍ରାଣୀ । ।୨୦
ବିଅର୍ଥେ କ୍ରୀଡ଼ା ନିତ୍ୟେ ଚିନ୍ତି । ଆୟୁଷ କ୍ଷୟ ନ ଜାଣନ୍ତି । ।୨୧
ଏମନ୍ତେ ଅସୁରଙ୍କୁ ଚାହିଁ । ସେ ପ୍ରହଲ୍ଲାଦ ଦୟାବହି । ।୨୨
କହଇ ଭାଗବତ ଧର୍ମ । ଯେଣେ ତୁଟଇ ଭବଭ୍ରମ । ।୨୩
ଏମନ୍ତେ ଦୈତ୍ୟଶିଶୁ ଆଗେ । ପୁଣ କହନ୍ତି ଅନୁରାଗେ । ।୨୪
ଶୁଣ ବାଳକେ ମୋ ବଚନ । ସଂସାରେ ଯେବା ବୁଧଜନ । ।୨୫
କୁମାର କାଳୁ ଭକ୍ତିଭରେ । ଶରୀର ଅନିତ୍ୟ ବିଚାରେ । ।୨୬
ମନୁଷ୍ୟ ଶରୀର ଦୁର୍ଲ୍ଲଭ । ଏଣୁ ଗୋବିନ୍ଦେ କର ଭାବ । ।୨୭
ଯେ ହରି ସର୍ବଜୀବ ଦେହେ । ଆତ୍ମା ସୁହୃଦ ପ୍ରିୟ ପ୍ରାୟେ । ।୨୮
ବସଇ ଈଶ୍ୱର ସ୍ୱଭାବେ । ଏଣୁ ଭଜିବ ଆତ୍ମଲାଭେ । ।୨୯
ଏ ସୁଖ ଦୁଃଖ ଭୋଗ ଲାଭେ । କର୍ମର ବଳେ ତାହା ଲଭେ । ।୩୦
ଏଣୁ ନ କରି ପ୍ରତିଆଶ । ନିରତେ ହୋଇବ ସନ୍ତୋଷ । ।୩୧
ଦେଖ ଆୟୁଷ ଏ ଶରୀରେ । ଛିଦ୍ରଘଟର ପ୍ରାୟେ ଝରେ । ।୩୨
ଏଣୁ ମୁକୁନ୍ଦ-ପାଦଯୁଗେ । ନିରତେ ଭଜ ମନଯୋଗେ । ।୩୩
ମରଣ ନିତ୍ୟେ ସନ୍ନିହିତେ । ତା ମୁଖେ ନ ପଡ଼ ଯାବତ । ।୩୪
ଯାବତ ସୁସ୍ଥ ଏ ଶରୀର । ବୃଦ୍ଧ ଅବସ୍ଥା ଅଛି ଦୂର । ।୩୫
ଯାବତ ଏ ଦୁର୍ଲ୍ଲଭ ଦେହେ । ଇନ୍ଦ୍ରିୟଶକ୍ତି ନଷ୍ଟ ନୋହେ । ।୩୬
ଯାବତ ଜୀବ ରହେ ଦେହେ । କାଳର ବଳେ କ୍ଷୟ ନୋହେ । ।୩୭
ତାବତ ଆତ୍ମା ନିସ୍ତାରଣେ । ଯତ୍ନ କରିବ ଅନୁକ୍ଷଣେ । ।୩୮
ତେବେ ଆତ୍ମାର ହିତକରେ । ଦୁର୍ଲ୍ଲଭ ମାନବ ଶରୀରେ । ।୩୯
ଏ ଜ୍ଞାନ ନ ବୁଝି ଯେ ହେଳେ । ବୋଲେ ସାଧିବି ବୃଦ୍ଧକାଳେ । ।୪୦
ଗୃହେ ଲାଗିଲେ ଅଗ୍ନି ଯେହ୍ନେ । ଉଦ୍ୟମ କୂପର ଖନନେ । ।୪୧
ଏମନ୍ତ ଅଜ୍ଞାନୀଙ୍କ ମତି । କେବେହେଁ ସୁଖ ନ ଲଭନ୍ତି । ।୪୨
ସ୍ୱଭାବେ ଅଳପ ଆୟୁଷ । ଜୀବର ଶତେକ ବରଷ । ।୪୩
ଯେବେ ଅଜ୍ଞାନପଣେ ଥାଇ । ତାହାର ଅର୍ଥେ ନାଶ ଯାଇ । ।୪୪
ସ୍ୱଭାବେ ରାତ୍ରେ ନିଦ୍ରାକାଳେ । ଅର୍ଦ୍ଧଆୟୁଷ ଯାଇ ହେଳେ । ।୪୫
ବାଳକ ପୌଗଣ୍ଡ କୈଶୋରେ । ବିଂଶବରଷ ତହୁଁ ହରେ । ।୪୬
କାଳର ସ୍ୱଭାବ ଏମନ୍ତ । କ୍ରୀଡ଼ା ବିନୋଦେ କରେ ଗ୍ରସ୍ତ । ।୪୭
ପୁଣ ବିଂଶତି ବୃଦ୍ଧେ ଯାଇ । ବଞ୍ଚଇ ଅସମର୍ଥ ହୋଇ । ।୪୮
ଅପରେ ଯେ ଅବା ରହଇ । ତା ଗୃହବନ୍ଧେ ପାସୋରଇ । ।୪୯
ଗୃହବନ୍ଧନେ ବନ୍ଦୀ ହୋଇ । ଆତ୍ମା ଉଦ୍ଧରି ନ ପାରଇ । ।୫୦
ଅତି ଯନ୍ତ୍ରିତ ସ୍ନେହପାଶେ । ଦୁର୍ଜୟ ଇନ୍ଦ୍ରିୟ ଲାଳସେ । ।୫୧
ଅର୍ଥ ଅର୍ଜନେ ଅବିରତେ । ଲୋଭ ବଢ଼ଇ ତାର ଚିତ୍ତେ । ।୫୨
ପ୍ରାଣୁଁ ଅଧିକ ସ୍ନେହଭରେ । ସେ ତୃଷ୍ଣା କେବା ତେଜିପାରେ । ।୫୩
ଯେ ଧନଅର୍ଥେ ବିକେ ପ୍ରାଣ । ତାହାର କାହିଁ ପରିତ୍ରାଣ । ।୫୪
ତସ୍କରପଣେ ଚୋରି କରେ । ସେବା କରଇ ଯାଇ ପରେ । ।୫୫
ବୋଇତେ ବସି ବଣିଜରେ । ଅଗାଧସିନ୍ଧୁ ଲୋଭେ ତରେ । ।୫୬
ନିରତେ ଗୃହବନ୍ଧେ ବଞ୍ଚେ । ଯକ୍ଷର ପ୍ରାୟେ ଧନ ସଞ୍ଚେ । ।୫୭
ଏକାନ୍ତେ କାମିନୀର ମେଳେ । କ୍ରୀଡ଼ା କରଇ କାମଭୋଳେ । ।୫୮
ପତ୍ନୀର ବାକ୍ୟ ଅନୁକ୍ଷଣେ । ଗୁରୁଙ୍କ ମନ୍ତ୍ର ପ୍ରାୟେ ମଣେ । ।୫୯
ବନ୍ଧୁବାନ୍ଧବ ବନ୍ଧନରେ । ବାଳକ ସ୍ନେହେ ମନହରେ । ।୬୦
ସ୍ନେହମମତା ଅବିରତେ । ଚିନ୍ତଇ ଅନୁରାଗ ଚିତ୍ତେ । ।୬୧
ଘରୁ ବାହାର ହୋଇ ଯେବେ । ପ୍ରବାସ କରଇ ସ୍ୱଭାବେ । ।୬୨
ତହିଁ ଜୀବନେ ସୁସ୍ଥ ନାହିଁ । ଭାଳଇ ଗୃହେ ମନ ଦେଇ । ।୬୩
ପୁତ୍ର ଦୁହିତା ସ୍ନେହଚିତ୍ତେ । ମନୋଜ୍ଞ ପତ୍ନୀଭାବ ଚିନ୍ତେ । ।୬୪
ତାତ ଜନନୀ ଭ୍ରାତ ସ୍ମରେ । ଏ ଭଲେ ଥିବେ କି ମୋପୁରେ । ।୬୫
ମନୋଜ୍ଞ ଗୃହବସ୍ତୁ ଯେତେ । ଜୀବିକା ପଶୁ ଭୃତ୍ୟ ମତେ । ।୬୬
ଏ ରୂପେ କୋଷକାରୀ ପ୍ରାୟେ । ଅନ୍ତରେ ଅବିରତ ଧ୍ୟାୟେ । ।୬୭
ଲୋଭେ ଅତୃପ୍ତକାମ ହୋଇ । ଜିହ୍ୱା ଉପସ୍ଥ ଭାବ ଧ୍ୟାୟି । ।୬୮
ରହନ୍ତି ମୋହଭାବ ଚିତ୍ତେ । ସେ ପ୍ରାଣୀ ଛାଡ଼ିବେ କେମନ୍ତେ । ।୬୯
ଦୁସ୍ତର ଭବମୋହ ଚିତ୍ତେ । ସେ ପ୍ରାଣୀ ତରିବେ କେମନ୍ତେ । ।୭୦
ନିରତେ କୁଟୁମ୍ବ ପୋଷଣେ । ଆୟୁଷ କ୍ଷୟ ନ ପ୍ରମାଣେ । ।୭୧
ସର୍ବଦା ତାପତ୍ରୟେ ଦୁଃଖୀ । କୁଟୁମ୍ବ-ରାଗ ନ ଉପେକ୍ଷି । ।୭୨
ନିତ୍ୟେ ବିଭବ ଭବେ ଚିନ୍ତେ । କାମେ ଯନ୍ତ୍ରିତ ଅବିରତେ । ।୭୩
ପଣ୍ଡିତପଣେ ସର୍ବ ଜାଣେ । ଆତ୍ମାର ଗତି ନ ପ୍ରମାଣେ । ।୭୪
ଯେ ଫଳ ଇହ ପରଲୋକେ । ତା ଶୁଣି ଜାଣେ ଶାସ୍ତ୍ରମୁଖେ । ।୭୫
କୁଟୁମ୍ବୀପଣେ ଗୃହ କରେ । କ୍ରୀଡ଼ା-ବିନୋଦେ ସେ ବିହରେ । ।୭୬
କୁଟୁମ୍ବ-ଗ୍ରସ୍ତ ଯାକୁ କରେ । ଉଭୟଲୋକୁ ନ ନିସ୍ତରେ । ।୭୭
ବିଭିନ୍ନ ଆତ୍ମା ପରଭାଗୀ । କାମସଙ୍କଳ୍ପେ ଅନୁରାଗୀ । ।୭୮
ବିମୂଢ଼ମତି ଭବେ ଭ୍ରମେ । ଅନ୍ତେ ପଡ଼ଇ ଘୋରତମେ । ।୭୯
ତୁମ୍ଭେ ସକଳେ ଏହା ଶୁଣି । ଆତ୍ମାର ହିତ ମନେ ଗୁଣି । ।୮୦
ବିଷୟ ନ କର ହୋ ସଙ୍ଗ । ଯେସନେ ଉଦଧି-ତରଙ୍ଗ । ।୮୧
ଏ ସଙ୍ଗ ଦୂରେ ପରିହର । ନାରାୟଣଙ୍କୁ ଆଶ୍ରେ କର । ।୮୨
ସେ ନାରାୟଣ ସର୍ବଧାତା । ଈଷିତେ କଇବଲ୍ୟଦାତା । ।୮୩
କୃଷ୍ଣଙ୍କୁ ଆଶ୍ରେ ଯେ କରନ୍ତି । ସେ ସର୍ବଦୁଃଖୁ ନିସ୍ତରନ୍ତି । ।୮୪
ଅସୁରଭାବକୁ ଉପେକ୍ଷ । ଆତ୍ମାର ପ୍ରାୟ ସର୍ବ ଦେଖ । ।୮୫
ଏ ବିଷ୍ଣୁମାୟା ପାରାବାର । ବ୍ରହ୍ମାଣ୍ଡ ବାହ୍ୟ-ଅଭ୍ୟନ୍ତର । ।୮୬
ବ୍ରହ୍ମାଦି ସ୍ଥାବର ପର୍ଯ୍ୟନ୍ତେ । ଅବ୍ୟକ୍ତରୂପ ପଞ୍ଚଭୂତେ । ।୮୭
ଗୁଣ ଅଗୁଣ ଗୁଣସାମ୍ୟେ । ଏ ଆଦି ସର୍ବଘଟେ ରମେ । ।୮୮
ବସଇ ଏକଆତ୍ମା ହରି । ଭୁଞ୍ଜେ ଅବ୍ୟୟରୂପ ଧରି । ।୮୯
ଆତ୍ମା ସ୍ୱରୂପେ ସର୍ବଦେହେ । ଦୃଶ୍ୟ ଅଦୃଶ୍ୟ ଭାବେ ରହେ । ।୯୦
ନିର୍ଲେପ ନିର୍ବିଷୟ ମତେ । କଳ୍ପି କେ ପାରିବ ଜଗତେ । ।୯୧
କେବଳ ଆନନ୍ଦାନୁଭବେ । ଅଶେଷ-ଦେହେ ସର୍ବଜୀବେ । ।୯୨
ବାହ୍ୟ-ଅନ୍ତରେ ବ୍ୟାପିରହେ । ଐଶ୍ୱର୍ଯ୍ୟଗୁଣ ସଙ୍ଗେ ବହେ । ।୯୩
ଏ ଘେନି ସର୍ବଭୂତେ ସାର । ପ୍ରାଣୀବିଷୟେ ଦୟାକର । ।୯୪
ସୁହୃଦଭାବ ଧର ଚିତ୍ତେ । ହରିଙ୍କି ଲଭିବ ଯେମନ୍ତେ । ।୯୫
ଅସୁରଭାବ ଦୂର କରି । ଯେଣେ ସନ୍ତୋଷ ହୋଏ ହରି । ।୯୬
ଏ ଭାବ ଦୃଢ଼ କରି ଚିତ୍ତେ । ହରିଙ୍କି ଭଜ ଅବିରତେ । ।୯୭
ସେ ବିଷ୍ଣୁ ତୋଷ ଯାକୁ ଚିତ୍ତେ । କିବା ଅଲଭ୍ୟ ଏ ଜଗତେ । ।୯୮
ଅନନ୍ତ ଅବ୍ୟକ୍ତ ମହିମା । କି ଗୁଣେ ଦେବା ତା ଉପମା । ।୯୯
ତ୍ରିଗୁଣୁଁ କରେ ନିସ୍ତାରଣ । କୈବଲ୍ୟ ପରମ କାରଣ । ।୧୦୦
ସଂସାର ମଧ୍ୟେ ସାର ସେହି । ତାର ଚରଣୁଁ ଅନ୍ୟ ନାହିଁ । ।୧୦୧
ଏ ଘେନି କୃଷ୍ଣର ଚରଣ । ପ୍ରାଣୀଏ ପଶନ୍ତି ଶରଣ । ।୧୦୨
ତାଙ୍କ ଚରଣେ ସେବାକର । ଏ ବିଷ୍ଣୁମାୟାରୁ ନିସ୍ତର । ।୧୦୩
ଏବେ ହୋ ଶୁଣ ମୋର ବାଣୀ । ଶ୍ରୀଭାଗବତ ଯେ ବଖାଣି । ।୧୦୪
ଧମାର୍ଥ-କାମ ବେଦମତେ । ଏ ତିନିବର୍ଗ ପରାପତେ । ।୧୦୫
ସାଧନ କରି ଶମଦମ । ଯଜ୍ଞାଦି ନାନାବିଧ କର୍ମ । ।୧୦୬
ସତ୍ୟବଚନ ବେଦବାଣୀ । ଏଥେ ସଂସାରୁ ତରେ ପ୍ରାଣୀ । ।୧୦୭
ନାନାପ୍ରକାରେ ତପ ଦାହି । ଯେ ହରିପାଦେ ସମର୍ପଇ । ।୧୦୮
ଧନ୍ୟ ତା ଶରୀର-ଧାରଣ । ସେ ଲଭେ ପରମ କାରଣ । ।୧୦୯
ନିର୍ମଳ ଦୁର୍ଲ୍ଲଭ ଏ ଜ୍ଞାନ । ନିଗମସାର ଅନୁପମ । ।୧୧୦
ନାରଦ ମୁନିଙ୍କ ଅଗ୍ରତେ । ସୁପୁଣ୍ୟ ବଦରିକା ତୀର୍ଥେ । ।୧୧୧
ତପ ଆଚରି ଅନୁକ୍ଷଣ । ଅଛନ୍ତି ନରନାରୟଣ । ।୧୧୨
ନାରଦ ମୁନି ଶୁଦ୍ଧଚେତା । ପୁଚ୍ଛିଲେ ହରିଗୁଣ ଗାଥା । ।୧୧୩
ସେ ନାରାୟଣ ଶୁଦ୍ଧଭାବେ । ଯେ ବାଣୀ ବିବିଧ ପ୍ରସ୍ତାବେ । ।୧୧୪
ନାରଦ ମୁନିଙ୍କ ସନ୍ତୋଷେ । କହିଲେ ଜ୍ଞାନ ଉପଦେଶେ । ।୧୧୫
କୃଷ୍ଣର ପାଦପଦ୍ମ ଧୂଳି । ସାନନ୍ଦ ମନେ ଅଙ୍ଗେ ବୋଳି । ।୧୧୬
ସଂସାରେ ଅକିଞ୍ଚନ ଜନେ । ଯାହା ଭାବନ୍ତି ଶୁଦ୍ଧମନେ । ।୧୧୭
ପୂର୍ବେ ମୁଁ ନାରଦଙ୍କ ବାଣୀ । ମାତାଙ୍କ ଗର୍ଭେ ଥାଇ ଶୁଣି । ।୧୧୮
ଏ ବାଣୀ ଭାଗବତ କଥା । ଶୁଣନ୍ତେ ତୁଟେ ଭବବ୍ୟଥା । ।୧୧୯
ଭାବେ କହିଲି ତୁମ୍ଭ ଆଗେ । ହରିଚରିତ ଅନୁରାଗେ । ।୧୨୦
ଏମନ୍ତେ ପ୍ରହଲ୍ଲାଦ ବାଣୀ । ଭାବେ ଅସୁରପୁତ୍ରେ ଶୁଣି । ।୧୨୧
ବୋଲନ୍ତି ପ୍ରହଲ୍ଲାଦ ଆଗେ । ତୁଲ୍ୟବୟସ ଅନୁରାଗେ । ।୧୨୨
ଶୁଣ ହେ ନୃପତି କୁମର । ଆମ୍ଭେ ଯେ ସଙ୍ଗତେ ତୋହର । ।୧୨୩
ତୋହର ଭିନ୍ନ ଗୁରୁ ନାହିଁ । ଏ ବିଦ୍ୟା ସମ୍ପାଦିଲୁ କାହିଁ । ।୧୨୪
ଏ ଗୁରୁପୁତ୍ରଙ୍କ ଚରଣେ । ଆମ୍ଭେ ଭଜିଲୁ ଅନୁକ୍ଷଣେ । ।୧୨୫
ତାହାଙ୍କ ଉପଦେଶ ଜାଣୁ । ତୁ ଏହା କେମନ୍ତେ ବଖାଣୁ । ।୧୨୬
ତୁହି ତ ବାଳକ ବେଭାରେ । ନିରତେ ଥାଉ ଅନ୍ତଃପୁରେ । ।୧୨୭
ସ୍ୱଭାବେ ସ୍ତିରୀଙ୍କ ମନ୍ଦିର । ଦେବଦାନବେ ଅଗୋଚର । ।୧୨୮
ତହିଁ ଭିତରେ ଥାଉ ତୁହି । ମହତ ସଙ୍ଗ ତୋର ନାହିଁ । ।୧୨୯
ତେଣୁ ସଂଶୟ ଆମ୍ଭ ମନ । ନିହାର ବଳେ ଯେହ୍ନେ ଦିନ । ।୧୩୦
ତୋହର ପାଦେ ନମସ୍କାର । ସଂଶୟ ଛେଦ ତୁ ଆମ୍ଭର । ।୧୩୧
ଏମନ୍ତେ ଅସୁରବାଳକେ । ତାର ସମୀପେ ଏକେଏକେ । ।୧୩୨
ଚରଣ ଧରି ପଚାରିଲେ । ବିଶ୍ୱାସବାକ୍ୟେ ପ୍ରବୋଧିଲେ । ।୧୩୩
ଏମନ୍ତ ଭାଗବତ ବାଣୀ । ଶୁଣି ସଂସାରୁ ତର ପ୍ରାଣୀ । ।୧୩୪
ସପ୍ତମ ସ୍କନ୍ଧେ ଭାଗବତ । କହଇ ଦାସ ଜଗନ୍ନାଥ । ।୧୩୫
ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ସପ୍ତମସ୍କନ୍ଧେ ପ୍ରହ୍ଲାଦଚରିତେ ଷଷ୍ଠୋଽଧ୍ୟାୟଃ । ।

ସପ୍ତମ ଅଧ୍ୟାୟସମ୍ପାଦନ କରନ୍ତୁ

ନାରଦ ଉବାଚ

ଏବେ ହୋ ଶୁଣ ପରୀକ୍ଷିତ । ଅସୁରବାଳକ ଚରିତ । ।୧
ସେ ପ୍ରହଲ୍ଲାଦ ଦୟା ମନେ । କହେ ବାଳକ ଅବଧାନେ । ।୨

ପ୍ରହଲ୍ଲାଦ ଉବାଚ

ଏବେ ହୋ ଶୁଣ ଦୈତ୍ୟସୁତେ । ଯାହା କହିବା ତୁମ୍ଭ ହିତେ । ।୩
ମୋହର ପିତା ତପ ଅର୍ଥେ । ଗଲେ ଯେ ମନ୍ଦର ପର୍ବତେ । ।୪
ନିଶ୍ଚଳ ତପ ତାର ଦେଖି । ବିବୁଧେ ଗଗନ ଉପେକ୍ଷି । ।୫
ଯୁଦ୍ଧଉଦ୍ୟମ କରି ହେଳେ । ମିଳିଲେ ଅବନୀମଣ୍ଡଳେ । ।୬
ହିରଣ୍ୟକଶିପୁ ଅସୁର । ସ୍ୱଭାବେ ପାପୀ ଦୁରାଚାର । ।୭
ସର୍ପକୁ ପିପୀଲିକା ଯେହ୍ନେ । ନାଶନ୍ତି ଆତ୍ମ ପାପ-ଗୁଣେ । ।୮
ଏ ରୂପେ ତୁଚ୍ଛ-ମତ କରି । ବିବୁଧେ ସମର ଉଭାରି । ।୯
ଯେତେ ଅସୁର ଥିଲେ ପୁରେ । ଦେବଙ୍କୁ ଦେଖି ମହାଡ଼ରେ । ।୧୦
ନିଶସ୍ତ୍ର ହୋଇ ଶସ୍ତ୍ରାଘାତେ । ସଂଗ୍ରାମେ ଭାଜିଲେ ସମସ୍ତେ । ।୧୧
ଭୟେ ପଶିଲେ ଦଶଦିଶେ । ମିଳିଲେ ଘୋର ବନଦେଶେ । ।୧୨
ଗୃହ କଳତ୍ର ପୁତ୍ର ଏଡ଼ି । ସର୍ବସମ୍ପଦ ବେଗେ ଛାଡ଼ି । ।୧୩
ଜୀବନ ଘେନି ପଳାଇଲେ । ବିବୁଧେ ନବରେ ପଶିଲେ । ।୧୪
ସର୍ବସମ୍ପଦ ଜୂର କରି । ମୋହର ଜନନୀଙ୍କି ଧରି । ।୧୫
ପଥେ ଚଳାଇ ନ୍ୟନ୍ତି ବେଗେ । ପିତାର ଭୟେ ଉଦବେଗେ । ।୧୬
ମୋର ଜନନୀ ଅତିଭୟେ । ଚଳି ନ ପାରେ-ଗରୁ -ଦେହେ । ।୧୭
ଅନେକ ଦୁଃଖ ଗରୁଶୋକେ । କୁରରୀ ପ୍ରାୟେ କାନ୍ଦେ ଦୁଃଖେ । ।୧୮
ଏମନ୍ତେ ଗଲେ କେତେ ଦୂର । କାନନେ ବ୍ରହ୍ମାଙ୍କ କୁମର । ।୧୯
ମୋର ଜନନୀ ଦେଖି ପଥେ । ମିଳିଲେ ଦେବଙ୍କ ଅଗ୍ରତେ । ।୨୦
ବୋଲନ୍ତି ଇନ୍ଦ୍ରମୁଖ ଚାହିଁ । ଏ କଥା ଉଚିତ ନୁହଁଇ । ।୨୧
ନିରପରାଧୀ ଏ ତୋହର । ଏହାକୁ ଛାଡ଼ ସୁନାସୀର । ।୨୨
ପରର ସତୀ ଏ ସୁନ୍ଦରୀ । ତୁ କିମ୍ପା ନେଉ ବଳେ ଧରି । ।୨୩
ଏହାର ଅପରାଧ ନାହିଁ । ବେଗେ ଏହାକୁ ଛାଡ଼ ତୁହି । ।୨୪
ଏମନ୍ତେ ନାରଦ ବଚନେ । ଇନ୍ଦ୍ର ବୋଲଇ ଭୟମନେ । ।୨୫

ଇନ୍ଦ୍ର ଉବାଚ

ଅସୁର ବୀର୍ଯ୍ୟ ଏହା ଗର୍ଭେ । ଏ ମୋର ବଇରୀ ସ୍ୱଭାବେ । ।୨୬
ଯେ ପୁତ୍ର ଅଛି ଗର୍ଭେ ରହି । ତାହାର ତେଜ କେବା ସହି । ।୨୭
ସ୍ୱର୍ଗ ଘେନିବ ଏ ମୋହର । ଏହାକୁ ମୋର ବଡ଼ ଡ଼ର । ।୨୮
ଏ ନାରୀ ମୋର ପୁରେ ଥିବ । ଯାବତ ଗର୍ଭ-ପ୍ରସବିବ । ।୨୯
ଗର୍ଭକୁ ମାରି ସତୀ ପୁଣି । ଛାଡ଼ିବି ନିଜଘରେ ଆଣି । ।୩୦
ଏକଥା ସଙ୍କଳ୍ପ ମୋହର । କହିଲି ଶୁଣ ମୁନିବର । ।୩୧
ଏମନ୍ତେ ଇନ୍ଦ୍ରବାକ୍ୟ ଶୁଣି । ନାରଦ ମନେ ଧ୍ୟାନେ ଜାଣି । ।୩୨
ବୋଇଲେ ଶୁଣ ସୁରନାଥ । ମୁହିଁ ଜାଣଇ ପୂର୍ବବୃତ୍ତ । ।୩୩

ନାରଦ ଉବାଚ

ଏହାର ଗର୍ଭେ ଯେ କୁମର । ନିଶ୍ଚେ ସେ ବଇଷ୍ଣବ ସାର । ।୩୪
ଅଶେଷଗୁଣେ ଗୁଣନିଧି । ଏହାର ଦେହେ ସର୍ବସିଦ୍ଧି । ।୩୫
କୃଷ୍ଣର ଏ ନିଜ ସେବକ । ଏବେ ଗର୍ଭର ତେଜ ଦେଖ । ।୩୬
ତୁ କାହିଁ ଏହାକୁ ମାରିବୁ । ଏହାର ଚରଣେ ସେବିବୁ । ।୩୭

ପ୍ରହଲ୍ଲାଦ ଉବାଚ

ଏକଥା ମୁନିମୁଖୁଁ ଶୁଣି । ଇନ୍ଦ୍ର ଯେ ମନେ ମନେ ଗୁଣି । ।୩୮
ନାରଦ ବାକ୍ୟେ ଶଚୀପତି । ଛାଡ଼ିଲା ଅସୁର-ଯୁବତୀ । ।୩୯
ଅତ୍ୟନ୍ତ ପ୍ରିୟଭାବ ଭରି । ମାତାଙ୍କୁ ପ୍ରଦକ୍ଷିଣ କରି । ।୪୦
ତକ୍ଷଣେ ନିଜପୁରେ ଗଲା । ଶୁଣ ହେ ଅସୁରଙ୍କ ବଳା । ।୪୧
ମୋର ମାତାଙ୍କୁ ଆଗକରି । ଆଶ୍ୱାସ କରି ବ୍ରହ୍ମଚାରୀ । ।୪୨
ନିଜ ଆଶ୍ରମେ ମୁନି ଆଣି । ମୁଖେ ସିଞ୍ଚିଲେ ଶୀତପାଣି । ।୪୩
ବୋଲନ୍ତି ମଧୁର ବଚନ । ତୁ ଏଥେ ଥାଅ କେତେଦିନ । ।୪୪
ଯାବତ ସ୍ୱାମୀ ତପୁଁ ଆସେ । ତାବତ ଥାଅ ମୋର ପାଶେ । ।୪୫
ମୁନି ବଚନେ ମୋର ମାତା । ଛାଡ଼ିଲା ମନୁ ଦୁଃଖ-ଚିନ୍ତା । ।୪୬
ନିର୍ଭୟେ ମୁନିପାଶେ ରହି । ଭର୍ତ୍ତାଆଗମେ ପଥ ଚାହିଁ । ।୪୭
ପରମ ଭକ୍ତି ମୁନିପାଦେ । ମୋର ଜନନୀ ଅପ୍ରମାଦେ । ।୪୮
ସେବା କରଇ ନିରନ୍ତରେ । ମୁନି-ପ୍ରସନ୍ନ ଅନୁସାରେ । ।୪୯
ମୁନି-ଚରଣ ପରସାଦେ । ପ୍ରସବ ହେବ ଅପ୍ରମାଦେ । ।୫୦
ଏମନ୍ତ ମନେ କରି ଚିନ୍ତା । ସୁଖେ ରହିଲା ମୋର ମାତା । ।୫୧
ଗୃହେ ନାରଦ ବ୍ରହ୍ମଚାରୀ । ମୋର ମାତାଙ୍କୁ ଦୟାକରି । ।୫୨
ଦିନକୁ ଦିନ କହି ଜ୍ଞାନ । ଆନନ୍ଦ କରି ମାତା ମନ । ।୫୩
ନିର୍ମଳ-ଧର୍ମ-ତତ୍ତ୍ୱ ଯେତେ । କହନ୍ତି ମାତାଙ୍କ ଅଗ୍ରତେ । ।୫୪
କୃଷ୍ଣର ଅଶେଷ ସମ୍ପଦେ । କହନ୍ତି ମନର ଆନନ୍ଦେ । ।୫୫
ଯେତେ କହିଲେ ମହାମୁନି । ମୁଁ ତାହା ଗର୍ଭେ ଥାଇ ଶୁଣି । ।୫୬
ଜନନୀ ସ୍ୱଭାବେ ଅବଳା । କାଳେ ସେ ଜ୍ଞାନ ପାସୋରିଲା । ।୫୭
ନାରଦ ଅନୁଗ୍ରହମତେ । ଜ୍ଞାନ ରହିଲା ମୋର ଚିତ୍ତେ । ।୫୮
ମୋର ବଚନେ ଶ୍ରଦ୍ଧା କର । ଏ ଜ୍ଞାନ ହୋଇବ ତୁମ୍ଭର । ।୫୯
ନିର୍ମଳ ଜ୍ଞାନ ପ୍ରସରିବ । ଅବିଦ୍ୟା-ବନ୍ଧ ନାଶଯିବ । ।୬୦
ନିର୍ମଳଜ୍ଞାନ ହେଲେ ଜାତ । ବିନାଶ ହୋଇ ଦୁରିତ । ।୬୧
ସ୍ୱଭାବେ ମନୁଷ୍ୟ-ଶରୀରେ । ଜନ୍ମଇ ଏ ଷଡ଼ବିକାରେ । ।୬୨
ଆତ୍ମାର ନୁହଁଇ ସ୍ୱଭାବ । ଶୁଣ କହିବା ଜ୍ଞାନଭାବ । ।୬୩
ବୃକ୍ଷର ଫଳ ଯେହ୍ନେ କାଳେ । ପାଚି ପଡ଼ଇ ମହୀତଳେ । ।୬୪
ଷଡ଼ବିକାରେ ନାଶ ଯାଇ । ଶରୀର ସ୍ୱଭାବଟି ଏହି । ।୬୫
ଗର୍ଭୁ ଶରୀର ଜନ୍ମ ହୋଇ । ବାଳକ-ସ୍ୱରୂପେ ବଢ଼ଇ । ।୬୬
ପୌଗଣ୍ଡ କିଶୋର ତରୁଣ । ଜରାନ୍ତେ ଲଭଇ ମରଣ । ।୬୭
ଏ ଷଡ଼ବିକାରେ ଶରୀର । ଆତ୍ମା ସ୍ୱଭାବେ ନିର୍ବିକାର । ।୬୮
ନିତ୍ୟ ଅବ୍ୟୟ ଶୁଦ୍ଧ ଏକ । କ୍ଷେତ୍ରଜ୍ଞ ଭାବେ ସର୍ବସାକ୍ଷ୍ୟ । ।୬୯
ସର୍ବ-ଆଶ୍ରୟ ସର୍ବବ୍ୟାପି । ନିଷ୍କ୍ରିୟ ଅନାବୃତ୍ତ-ରୂପୀ । ।୭୦
ଅସଙ୍ଗ ହେତୁ ବଦ୍ଧ ନୋହେ । ସ୍ୱପ୍ନ ଜାଗ୍ରତ ଯେହ୍ନେ ଦେହେ । ।୭୧
ବୁଦ୍ଧିର ଧର୍ମ ପ୍ରକାଶଇ । ସେ ପୁଣି ତାକୁ ନ ଲାଗଇ । ।୭୨
ବସ୍ତୁ ସ୍ୱଭାବେ ବଦ୍ଧ ନୋହେ । ଅଜ୍ଞାନେ ଦିଶେ ବଦ୍ଧ ପ୍ରାୟେ । ।୭୩
ଭୂତ ଭବିଷ୍ୟ ବର୍ତ୍ତମାନେ । ବସ୍ତୁ ପ୍ରକାଶେ ଭିନ୍ନେ ଭିନ୍ନେ ।୭୪
ସେ ପୁଣି ରହେ ଶେଷ ହୋଇ । ପୂର୍ଣ୍ଣ ସ୍ୱଭାବେ ପ୍ରକାଶଇ । ।୭୫
ଏ ଘେନି ଦ୍ୱାଦଶପ୍ରକାର । ଆତ୍ମାଲକ୍ଷଣ ପ୍ରାଣୀଙ୍କର । ।୭୬
ଅହଙ୍କାରକୁ ପରିହରେ । ଦେହାଭିମାନ ଦୂର କରେ । ।୭୭
ଆତ୍ମଯୋଗରେ କରେ ଧ୍ୟାନ । ଏ ଦେହେ ଲଭେ ବ୍ରହ୍ମଜ୍ଞାନ । ।୭୮
ମୁହିଁ ମୋହର ବୋଲି ଯେତେ । ମିଥ୍ୟା-ସ୍ୱଭାବ ଏ ଜଗତେ । ।୭୯
ଦେହାଦି-ଉପାଧି ବିଶେଷ । ମୋହରୁ ଜାତ ଯେତେ ଅଂଶ । ।୮୦
ମୂଢ଼-ସ୍ୱଭାବ ବେଗେ ତେଜ । ମୁକୁନ୍ଦ ପଦ୍ମପାଦେ ଭଜ । ।୮୧
ସୁବର୍ଣ୍ଣକାର ଯେହ୍ନେ ଜଳେ । ପାଷାଣୁ ସୁବର୍ଣ୍ଣ ଧୋଇଲେ । ।୮୨
ଘେନଇ ଅତି ଯତ୍ନ କରି । ସେହି ସ୍ୱଭାବ ବ୍ରହ୍ମଚାରୀ । ।୮୩
କ୍ଷେତ୍ରଜ୍ଞ କ୍ଷେତ୍ରରୁ ଉଦ୍ଧରେ । ଆତ୍ମାକୁ ଲଭେ ଅଭ୍ୟନ୍ତରେ । ।୮୪
ଅଷ୍ଟପ୍ରକୃତି ତିନିଗୁଣ । ଷୋଡ଼ଶ ବିକାର ଲକ୍ଷଣ । ।୮୫
ଏତେ ପ୍ରକାରେ ଭିନ୍ନ ଆତ୍ମା । ଏ ଭାବେ ବିଚାରେ ମହାତ୍ମା । ।୮୬
ଏତେ ପ୍ରକାରେ ଦେହ ଜାତ । ସ୍ଥାବର ଜଙ୍ଗମେ ବିଦିତ । ।୮୭
ଏ ଭାବେ ଯେ ଜନ ବିଚାରେ । ମାୟାସମୂହ ପରିହରେ । ।୮୮
ଜୀବେ ଅଜ୍ଞାନ ବ୍ୟତିରେକେ । ଜ୍ଞାନସଞ୍ଚରି ଏକେଏକେ । ।୮୯
ସୃଷ୍ଟି ସ୍ଥିତି ଯେ ପ୍ରଳୟର । କାରଣ ବୁଝି ହେତୁକର । ।୯୦
ସୁଷୁପ୍ତି ସ୍ୱପ୍ନ ଜାଗରଣ । ବୁଦ୍ଧିର ଏ ତିନିଲକ୍ଷଣ । ।୯୧
ଯା ତହୁଁ ଅନୁଭବ ହୋଏ । ଅଧ୍ୟକ୍ଷ ପୁରୁଷ ସେ ଦେହେ । ।୯୨
ଆତ୍ମା ଏ ତିନିଗୁଣେ ଦେହେ । ପବନେ ଗନ୍ଧପ୍ରାୟେ ରହେ । ।୯୩
ଏ ତିନିଗୁଣ ନିବନ୍ଧନେ । ସଂସାରେ ମାୟା ଅନୁମାନେ । ।୯୪
ଅଜ୍ଞାନ ମୂଳ ଏ ଅନର୍ଥ । ସ୍ୱପ୍ନ ଯେସନେ ନିଦ୍ରାଗତ । ।୯୫
ଆତ୍ମାର ସ୍ୱପ୍ନ ଏ ଜଗତ । ଯେଣୁ ଏ ତ୍ରିଗୁଣେ ନିଦ୍ରିତ । ।୯୬
ତ୍ରିଗୁଣାତ୍ମକ କର୍ମବୀଜେ । ଅଙ୍କୁରି ସମସ୍ତ ଉପୁଜେ । ।୯୭
ଏ ବୀଜ ଅନଳ ସଂଯୋଗେ । ଦହନ କର ଯୋଗମାର୍ଗେ । ।୯୮
ଅନ୍ୟଥା ସହସ୍ର-ଉପାୟେ । କେ ସାଧି ପାରିବ ଏ ଦେହେ । ।୯୯
ଯେ ଭାବେ କୃଷ୍ଣେ ହୋଏ ରତି । ଭକ୍ତି-ଲକ୍ଷଣେ ତାହା ଚିନ୍ତି । ।୧୦୦
ଭକ୍ତି-ଲକ୍ଷଣେ ଗୁରୁ ସେବ । କୃଷ୍ଣେ ସମର୍ପି ସର୍ବଲାଭ । ।୧୦୧
ସଙ୍ଗ କରିବ ସାଧୁଜନ । ଏଣେ ଈଶ୍ୱର ଆରାଧନ । ।୧୦୨
ସେ କୃଷ୍ଣକଥାର ଶ୍ରବଣେ । ଶ୍ରଦ୍ଧା କରିବ ଅନୁକ୍ଷଣେ । ।୧୦୩
କୃଷ୍ଣର ଯେତେ ନାମଗୁଣ । କରିବ ଶ୍ରବଣ କୀର୍ତ୍ତନ । ।୧୦୪
ପଦାରବିନ୍ଦ ଧ୍ୟାନବଳେ । ବଞ୍ଚିବ ବଇଷ୍ଣବମେଳେ । ।୧୦୫
ବିଷ୍ଣୁଭକ୍ତଙ୍କ ପାଦ ସେବି । ଭାବବିହ୍ୱଳେ ବିଷ୍ଣୁ ଭାବି । ।୧୦୬
ସକଳ ଭୂତେ ଭଗବାନ । ଅଛନ୍ତି ବୋଲି ଜାଣି ପୁଣ । ।୧୦୭
ମନ-କର୍ମରେ ପ୍ରାଣୀ ସେବ । ଭାବୁକ ସଙ୍ଗେ କର ଭାବ । ।୧୦୮
ଏ ଭକ୍ତିଯୋଗ ବଳେ ପ୍ରାଣୀ । ଅଇରି ଷଡ଼ବର୍ଗ ଜିଣି । ।୧୦୯
କୃଷ୍ଣବିଷୟେ ଲଭେ ରତି । ଏ ଭାବେ ସଂସାରୁ ତରନ୍ତି । ।୧୧୦
ଏବେ ଅସୁରପୁତ୍ରେ ଶୁଣ । ଯେଣେ ଜୀବର ପରିତ୍ରାଣ । ।୧୧୧
କୃଷ୍ଣର ଯେତେ ପ୍ରିୟକର୍ମ । ଯେବା ଅଧିକ ଗୁଣଗ୍ରାମ । ।୧୧୨
ଲୀଳାଶରୀରେ ଯେତେ କଲା । ଅନନ୍ତ ବୀର୍ଯ୍ୟ ଗୁଣ ଖେଳା । ।୧୧୩
ସେ କଥା ଶୁଣି କର୍ଣ୍ଣଦ୍ୱାରେ । ପୁଲକ ଯାହାର ଶରୀରେ । ।୧୧୪
ଆନନ୍ଦେ ଅଶ୍ରୁଜଳ ବହେ । କଣ୍ଠ ଗଦ୍‌ଗଦେ ବାଣୀ କହେ । ।୧୧୫
ଆନନ୍ଦେ ଗାଏ କୃଷ୍ଣବାଣୀ । ଉଚ୍ଚେ କାନ୍ଦଇ ନାମ ଗୁଣି । ।୧୧୬
ନୃତ୍ୟ କରଇ ବେନିପାଦେ । ହରଷେ ଡାକେ ଉଚ୍ଚନାଦେ । ।୧୧୭
ଭୂତ ବେତାଳ ଗ୍ରହଗଣେ । ଲାଗିଲେ ଭୋଳ ହୋନ୍ତି ଯେହ୍ନେ । ।୧୧୮
ଉନ୍ମତ୍ତ ହୋଇ ଭାବଭୋଳେ । ହୁଁକାର ନାଦେ କୃଷ୍ଣ ବୋଲେ । ।୧୧୯
ଜନଙ୍କୁ କୃଷ୍ଣପ୍ରାୟେ ମଣେ । ନମଇଁ ତାହାଙ୍କ ଚରଣେ । ।୧୨୦
ତୁଣ୍ଡେ ବୋଲଇ ରାମ ହରି । ହେ ଜଗନ୍ନାଥ ଦଇତାରି । ।୧୨୧
ହେ ନାରାୟଣ ଯଦୁପତି । ଭବସାଗରୁ କର ଗତି । ।୧୨୨
ହୃଦେ ଗୋବିନ୍ଦନାମ ଚିନ୍ତି । ନିର୍ଲ୍ଲଜପ୍ରାୟେ ବହେ ମତି । ।୧୨୩
ଏମନ୍ତ ଭାବେ ଯେତେବେଳେ । ଭଜଇ କୃଷ୍ଣପାଦ ମୂଳେ । ।୧୨୪
ଅଶେଷ-କର୍ମବନ୍ଧ-ପାଶ । ତକ୍ଷଣେ ହୋଏ ସେହୁ ନାଶ । ।୧୨୫
କୃଷ୍ଣଚରଣେ ଭାବ କରେ । ଅଶେଷ-ବନ୍ଧନୁ ନିସ୍ତରେ । ।୧୨୬
କୃଷ୍ଣଭାବନେ ହୋଏ ଶୁଦ୍ଧି । ଚେତନା ଅହଙ୍କାର ବୁଦ୍ଧି । ।୧୨୭
ଏମନ୍ତ ବାହ୍ୟ-ଅଭ୍ୟନ୍ତର । ନିର୍ମଳେ ପ୍ରକାଶ ଶରୀର । ।୧୨୮
କର୍ମବାସନା ବୀଜବଳେ । ଜୀବ ସଞ୍ଚରେ ଏ ଶୟଳେ । ।୧୨୯
କୃଷ୍ଣଭଗତି ଯୋଗବଳେ । ପ୍ରକାଶ ପ୍ରଳୟ ଅନଳେ । ।୧୩୦
ସେ ଅଗ୍ନିତେଜେ କର୍ମବୀଜ । ତକ୍ଷଣେ ହୁଅଇ ଦହିଯ୍ୟ । ।୧୩୧
କର୍ମ ବିନାଶେ ଜୀବ ତରେ । ନିଶ୍ଚିନ୍ତେ କୃଷ୍ଣ ଆଶ୍ରେ କରେ । ।୧୩୨
କୃଷ୍ଣ ଆଶ୍ରୟେ ପ୍ରାଣୀଙ୍କର । ଶୁଭ-ଅଶୁଭ ହୋଏ ଦୂର । ।୧୩୩
ଏ ଶୁଭାଶୁଭ-ଚକ୍ରେ ଥାଇ । ପ୍ରାଣୀ ଅଶେଷ ଜନ୍ମ ପାଇ । ।୧୩୪
ସଂସାରଚକ୍ର ଦୃଢ଼ ପାଶ । ହରି ଭଜନେ ହୋଏ ନାଶ । ।୧୩୫
ଏ ଜୀବ ବନ୍ଧୁ ମୋକ୍ଷ ହୋଇ । ବ୍ରହ୍ମନିର୍ବାଣେ ପଶେ ଯାଇ । ।୧୩୬
ପଣ୍ଡିତଜନଙ୍କର ମତ । କୃଷ୍ଣଭଜନ ବ୍ରହ୍ମତତ୍ତ୍ୱ । ।୧୩୭
ବାଳକେ ମୋର ବୋଲ କର । ବେଳହୁଁ ଗୋବିନ୍ଦ ସୁମର । ।୧୩୮
ହରିଙ୍କି ଭଜ ଦୃଢ଼ମନେ । କି ଦୁଃଖ କୃଷ୍ଣ-ଉପାସନେ । ।୧୩୯
ହରି ଅଶେଷ ପ୍ରାଣୀ-ଦେହେ । କ୍ଷୁଦ୍ର-ଆକାଶ ପ୍ରାୟେ ରହେ । ।୧୪୦
ଆତ୍ମାର ସଖା ପଦ୍ମନାଭ । ଅନ୍ୟ ଭଜନେ କିବା ଲାଭ । ।୧୪୧
ଦେଖ ଏ ଧନ ଦାରା ସୁତ । ପଶୁ କୁଞ୍ଜର ଗୃହ କ୍ଷେତ୍ର । ।୧୪୨
ନାନା ସମ୍ପଦ ଅର୍ଥ କାମ । କ୍ଷଣଭଙ୍ଗୁର ସର୍ବ ଜାଣ । ।୧୪୩
ସ୍ୱପ୍ନର ପ୍ରାୟେ ମିଥ୍ୟା ହୋନ୍ତି । ଜୀବକୁ କିବା ଏ କରନ୍ତି । ।୧୪୪
ସମ୍ପଦ ନୁହଁଇ ନିଶ୍ଚଳ । ଯେସନେ ସମୁଦ୍ର ଉଲ୍ଲୋଳ । ।୧୪୫
ଏହା ନ ଜାଣି ମୂଢ଼ଜନେ । ଏ ମାୟା ନିଗମ ବଚନେ । ।୧୪୬
ଯଜ୍ଞ ଆରମ୍ଭେ କରେ କର୍ମ । ଶ୍ରୁତି-ସଙ୍କୁଳେ ହୋଏ ଭ୍ରମ । ।୧୪୭
ସେ ଯଜ୍ଞଫଳ ବେନିଲୋକେ । ଆବୋରି ଭୁଞ୍ଜେ ଏକେଏକେ । ।୧୪୮
କର୍ମ ସରିଲେ ପୁଣି ଚଳେ । ଭ୍ରମଇ ଏ ମାୟାଶୟଳେ । ।୧୪୯
ଅଦୃଷ୍ଟ କୃତକର୍ମ ଫଳ । କେବେହେଁ ନୁହଁଇ ନିର୍ମଳ । ।୧୫୦
ଏ କର୍ମ ଦୂରେ ପରିହର । ଆତ୍ମାକୁ ମାୟାରୁ ଉଦ୍ଧର । ।୧୫୧
ଅନ୍ତରେ ଆତ୍ମ-ସୁଖଲାଭେ । କୃଷ୍ଣଚରଣ ଚିନ୍ତ ଭାବେ । ।୧୫୨
ଯେ ଅର୍ଥେ କର୍ମ ଇହଲୋକେ । କରଇ ପ୍ରାଣୀ ଏକେଏକେ । ।୧୫୩
ସେ କର୍ମ ଯେବେ ହରିପାଦେ । ଅର୍ପଇ ନାହିଁ ସେ ଆନନ୍ଦେ । ।୧୫୪
ନିମିଷେ ହରିଙ୍କୁ ନ ଭାବେ । ସେ ବିପରୀତ ଫଳ ଲଭେ । ।୧୫୫
ଦୁଃଖ ବିନାଶେ ସୁଖ ଅର୍ଥେ । ପ୍ରାଣୀ ଭ୍ରମନ୍ତି ଏ ଜଗତେ । ।୧୫୬
ଆପଦ ଦୁଃଖ ଭୁଞ୍ଜେ ନିତ୍ୟେ । ସୁଖ ନ ମିଳେ କଦାଚିତେ । ।୧୫୭
ଅଶେଷ କାମଭୋଗ ଅର୍ଥେ । କର୍ମ କରଇ ପ୍ରାଣୀ ନିତ୍ୟେ । ।୧୫୮
ସେ ଫଳ ପରଲୋକେ ପାଇ । ମିଳଇ ଅବା ନ ମିଳଇ । ।୧୫୯
ଯେ ଦେହ ପାଇଁ କର୍ମମାନ । କରଇ ତାକୁ ଭଣି ଶ୍ୱାନ । ।୧୬୦
ଏ ଦାରା ସୁତ ଗୃହ ଧନ । ରାଜ୍ୟ ଭଣ୍ଡାର ଭୃତ୍ୟଜନ । ।୧୬୧
ମମତା-ଆବୃତେ ଏ ଥାନ୍ତି । ଦିଶନ୍ତି ପୁଣି ନ ଦିଶନ୍ତି । ।୧୬୨
ଇନ୍ଦ୍ରିୟ ପ୍ରାୟେ ଦେହ ତୁଲେ । ସର୍ବେ ନାଶନ୍ତି ଅନ୍ତଃକାଳେ । ।୧୬୩
ଅନର୍ଥ ଅର୍ଥ ପ୍ରାୟେ ମଣି । ମାୟା ସଂଗ୍ରହେ ସର୍ବପ୍ରାଣୀ । ।୧୬୪
ଏ ନିତ୍ୟ ଆନନ୍ଦସାଗରେ । ଚିତ୍ତ ମଜ୍ଜାଅ ନିରନ୍ତରେ । ।୧୬୫
ଦେହ ଧାରଣେ ଏତେ ଲାଭ । ଅସୁରମତି ଛାଡ଼ି ଭାବ । ।୧୬୬
ଦେଖ ଏ ଶରୀର-ଧାରଣ । ଜନ୍ମହୁଁ ଯାବତ ମରଣ । ।୧୬୭
ଏ ମଧ୍ୟେ ଅଶେଷ ଉପାୟେ । ଜୀବର କ୍ଳେଶ ମାତ୍ର ହୋଏ । ।୧୬୮
କର୍ମସଂଯୋଗେ ଦେହ ବହି । ନିରତେ କର୍ମହିଁ ସଞ୍ଚଇ । ।୧୬୯
ଜନ୍ମ ମରଣ କର୍ମ ଫଳେ । ଭୁଞ୍ଜଇ ଅବିବେକ ବଳେ । ।୧୭୦
ଏ ଘେନି ଧର୍ମ ଅର୍ଥ କାମ । ଏ ତିନି ଜୀବର ଯେ ଭ୍ରମ । ।୧୭୧
ଏଣୁ ଭ୍ରମଇ ନିରନ୍ତରେ । କ୍ଷଣେ ନ ରହେ ସୁଖେ ଘରେ । ।୧୭୨
ଏଣୁ ସଂଶୟ ଦୂରକରି । ଅନ୍ତରେ ଭଜ ନରହରି । ।୧୭୩
ଆତ୍ମାର ପ୍ରିୟ ଯେ ଈଶ୍ୱର । ଚିତ୍ତ-ନିର୍ମଳେ ଆଶ୍ରେକର । ।୧୭୪
ଏ ସୂକ୍ଷ୍ମଭୂତ ମହାଭୂତେ । ଜନ୍ମ କରାଏ ସ୍ୱଆୟତ୍ତେ । ।୧୭୫
ସଂଯୋଗେ ଶରୀର ପ୍ରକାଶେ । କର୍ମ ସରିଲେ ପ୍ରାଣୀ ନଶେ । ।୧୭୬
ଦେବ ଅସୁର ନର ଯେବେ । ଯକ୍ଷ ଗନ୍ଧର୍ବ ଭକ୍ତିଭାବେ । ।୧୭୮
ବିପ୍ର ଦେବତା ଋଷି ହୋଇ । ଯେବେ କୃଷ୍ଣଙ୍କୁ ନ ଭଜଇ । ।୧୭୯
ଅନେକ ବିଦ୍ୟାବାଦ କରେ । ସ୍ୱବୃତ୍ତି-କର୍ମେ ଦିନ ହରେ । ।୧୮୦
ଅନେକ ଦାନ ତପ ସାଧି । ଅଷ୍ଟାଙ୍ଗଯୋଗ କର୍ମବିଧି । ।୧୮୧
ଯଜ୍ଞ ଶଉଚ ବ୍ରତ ଯେତେ । ନାନା ଉପାୟ ଏ ଜଗତେ । ।୧୮୨
ଅଜ୍ଞାନ ବିଡ଼ମ୍ବନ ଏହି । ଏଣେ ଗୋବିନ୍ଦଙ୍କୁ ନ ପାଇ । ।୧୮୩
ଯେବେ ଜନ୍ମଇ ଅନ୍ତର୍ଗତେ । ନିର୍ମଳଭକ୍ତି ଅବିରତେ । ।୧୮୪
ତେବେ ଲଭଇ ଭଗବାନ । ଅନ୍ୟଥା ସର୍ବ ବିଡ଼ମ୍ବନ । ।୧୮୫
ଏଣୁ ଗୋବିନ୍ଦପାଦେ ଭଜ । ଅସୁରବୁଦ୍ଧି ଦୂରେ ତେଜ । ।୧୮୬
ସେ ଆତ୍ମା ସୁବୁଦ୍ଧି ବିବେକ । ଆତ୍ମା ସମାନେ ସର୍ବ ଦେଖ । ।୧୮୭
ସକଳ ଘଟେ ବିଜେ ହରି । ସୂକ୍ଷ୍ମ ସ୍ୱରୂପେ ଛନ୍ତି ପୂରି । ।୧୮୮
ଏ ଭାବ ଜାଣି ଏ ଶୟଳେ । ଅନେକ ପ୍ରାଣୀ ନିସ୍ତରିଲେ । ।୧୮୯
ଅସୁର ଯକ୍ଷ ରକ୍ଷଗଣ । ସ୍ତିରୀ ଗୋପାଳ ଶୂଦ୍ରଜନ । ।୧୯୦
ମୃଗ ପତଙ୍ଗ ପାପୀଜୀବେ । ସର୍ବେ ତରିଲେ କୃଷ୍ଣଭାବେ । ।୧୯୧
ଏ ଜୀବଲୋକେ ଏ ଦୁର୍ଲ୍ଲଭ । ଏକାନନ୍ତଚିତ୍ତେ ହରି ଭାବ । ।୧୯୨
ଜ୍ଞାନଲୋଚନେ ସର୍ବ ଦେଖ । ଆତ୍ମାକୁ ଆତ୍ମାଭାବେ ରଖ । ।୧୯୩
ଉତ୍ତମ କର୍ମର ଲକ୍ଷଣ । ଦେଖ ଏ ଦୈତ୍ୟସୁତେ ପୁଣ । ।୧୯୪
ଅସୁରପୁତ୍ରଙ୍କର ଆଗେ । ସେ ପ୍ରହଲ୍ଲାଦ ଅନୁରାଗେ । ।୧୯୫
ଯେତେ କହିଲେ ହରିବାଣୀ । ସୁଜନେ ତର ଏହା ଶୁଣି । ।୧୯୬
ସପ୍ତମ ସ୍କନ୍ଧେ ହରିଲୀଳା । ଏ ଭବସମୁଦ୍ରକୁ ଭେଳା । ।୧୯୭
ଭଣଇ ବିପ୍ର ଜଗନ୍ନାଥ । ଭାଷା ପ୍ରବନ୍ଧେ ଭାଗବତ । ।୧୯୮
ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ସପ୍ତମସ୍କନ୍ଧେ ପ୍ରହ୍ଲାଦାନୁଚରିତେ ଦୈତ୍ୟପୁତ୍ରାନୁଶାସନଂ ନାମ ସପ୍ତମୋଽଧ୍ୟାୟଃ । ।

ଅଷ୍ଟମ ଅଧ୍ୟାୟସମ୍ପାଦନ କରନ୍ତୁ

</poem>

ନାରଦ ଉବାଚ

ଏମନ୍ତେ ପ୍ରହଲ୍ଲାଦ ବାଣୀ । ବାଳକେ ସାବଧାନେ ଶୁଣି । ।୧ ଭାଳନ୍ତି ପୁଣି ମନେ ମନ । ନିନ୍ଦନ୍ତି ଗୁରୁଙ୍କ ବଚନ । ।୨ ଏଣେ ଆମ୍ଭର କାର୍ଯ୍ୟ ନାହିଁ । ଏମନ୍ତ ଭାଳି ସର୍ବେ ଯାଇ । ।୩ ଗୁରୁଙ୍କ ଆଗେ ଜଣାଇଲେ । ସଂକ୍ଷେପି ସକଳ କହିଲେ । ।୪ ଶିଷ୍ୟଙ୍କ ବାକ୍ୟ ଶୁଣି ଗୁରୁ । ମନେ ପାଇଲେ ଚିନ୍ତାଗରୁ । ।୫ ଏକାନ୍ତ ବୁଦ୍ଧି ତ ଏହାର । ଅନ୍ୟେ ଅଲକ୍ଷ୍ୟ ଅଗୋଚର । ।୬ ସତ୍ୟସଂଯୁତେ ଆବୋରିଲା । ବାଳକବୁଦ୍ଧି ନାଶ କଲା । ।୭ ଯେବେ ଏହାର ବୋଲେ ଥିବେ । ସର୍ବ ବାଳକ ନାଶ ଯିବେ । ।୮ ଏମନ୍ତ ହୃଦୟେ ବିଚାରି । ରାଜଦଣ୍ଡକୁ ଭୟ କରି । ।୯ ବେଗେ ରାଜାର ଆଗେ ଆସି । ବିସ୍ତାରି କହିଲେ ବିଶ୍ୱାସି । ।୧୦ ରାଜନ ଶୁଣି ସର୍ବକଥା । ମନେ ପାଇଲା ଗରୁବ୍ୟଥା । ।୧୧ ପୁତ୍ରର ଅନ୍ୟାୟ ବଚନ । ଶୁଣି ଅସୁର ଛନଛନ । ।୧୨ କ୍ରୋଧେ କମ୍ପଇ ତା ଶରୀର । ସର୍ପ ଯେସନେ ଫୁଫୁକାର । ।୧୩ ଅନେକ ମତେ ବିଚାରିଲା । ପୁତ୍ରମାରଣେ ମନଦେଲା । ।୧୪ ଗୁରୁପୁତ୍ରଙ୍କ ବାକ୍ୟ ଶୁଣି । ପ୍ରଚଣ୍ଡ-କୋପେ ବୀରମଣି । ।୧୫ ଅରୁଣନୟନେ ସେ ଚାହେଁ । ପାପିଷ୍ଠ-ପଣେ କାଳଭୟେ । ।୧୬ ପ୍ରହ୍ଲାଦ ପିତାର ଅଗ୍ରତେ । କର-ଅଞ୍ଜଳି ଦେଇ ମାଥେ । ।୧୭ ବିନୟଭାବେ ଅବନତ । ସ୍ୱଭାବ ଶୀଳ ଶାନ୍ତ ଦାନ୍ତ । ।୧୮ ଚରଣେ ନମସ୍କାର କଲେ । ସର୍ବବାଳକ ସଙ୍ଗମେଳେ । ।୧୯ ଏମନ୍ତେ ପୁତ୍ରକୁ ଅନାଇଁ । ଚିତ୍ତେ ପ୍ରଚଣ୍ଡ କୋପ ବହି । ।୨୦ ଗର୍ଜଇ ମନେ କରି ତାପ । ପାଦ ପ୍ରହାରେ ଯେହ୍ନେ ସର୍ପ । ।୨୧ ସ୍ୱଭାବେ ଦାରୁଣ ଅସୁର । ଦିଶଇ ଯେହ୍ନେ ଦିବାକର । ।୨୨ ପ୍ରଳୟାଳନ-କୋପ ବହି । ବୋଲଇ ପୁତ୍ର ମୁଖ ଚାହିଁ । ।୨୩

ହିରଣ୍ୟକଶିପୁ ଉବାଚ

ଆରେ ଦୁର୍ବୃତ୍ତ ମନ୍ଦବୁଦ୍ଧି । ଅଧମ ଦୁଷ୍ଟ କୁଳଭେଦୀ । ।୨୪ ମୋହର କୋପେ ତିନିପୁର । ଭୟେ କମ୍ପନ୍ତି ଥରହର । ।୨୫ ତ୍ରାସେ କମ୍ପନ୍ତି ଦିଗପାଳେ । ନକ୍ଷତ୍ରେ ଗଗନମଣ୍ଡଳେ । ।୨୬ ନିର୍ଭୟଚିତ୍ତେ ମୂଢ଼ପଣେ । ମୋ ଆଜ୍ଞା ଭାଙ୍ଗି ଅପ୍ରମାଣେ । ।୨୭ କୁପୁତ୍ର ମୋର କୁଳାଙ୍ଗାର । ଆଜି ପେଷିବି ଯମପୁର । ।୨୮ କାହାର ବୋଲେ ଦୁଷ୍ଟପଣେ । ମୋ ଆଜ୍ଞା ଭାଙ୍ଗୁ କି କାରଣେ । ।୨୯

ପ୍ରହ୍ଲାଦ ଉବାଚ

ଶୁଣ ପିଅର ମୋର ବାଣୀ । ତୁ ଯେ ତ୍ରୈଲୋକ୍ୟେ ବୀରମଣି । ।୩୦ ଏ କଥା ଅନୁଚିତ ତୋର । କହଇ ଶୁଣ ନୃପବର । ।୩୧ ଯେଉଁ ପ୍ରଭୁର ବଳେ ମୁହିଁ । ଜୀବକୁ ସମାନ ମଣଇ । ।୩୨ ତୋର ମୋହର ଆଦି କରି । ଅପରେ ଯେତେ ଦେହଧାରୀ । ।୩୩ ଜଗତେ ମହାବଳୀ ଯେତେ । ସ୍ଥାବର ଜଙ୍ଗମ ସହିତେ । ।୩୪ ବ୍ରହ୍ମାଦି ଯେତେ ସୁରଦେବା । ଯାର ଚରଣେ କରେ ସେବା । ।୩୫ ଯେ ହରି କାଳ-କର୍ମରୂପୀ । ଜଗଦୀଶ୍ୱର ବିଶ୍ୱବ୍ୟାପି । ।୩୬ ପ୍ରାଣୀଙ୍କ ବଳ ପ୍ରାଣ ସେହି । ବାହ୍ୟ ଅନ୍ତରେ ଶୁଦ୍ଧଦେହୀ । ।୩୭ ଇନ୍ଦ୍ରଦେବତା ଇନ୍ଦ୍ରିଗଣ । ଇନ୍ଦ୍ରିୟ-ବିଷୟ କାରଣ । ।୩୮ ସେ ବିଷ୍ଣୁ ସଂସାର ସର୍ଜଇ । ତ୍ରିଗୁଣ ମାୟା ସଙ୍ଗେ ଲଇ । ।୩୯ ଭୁଞ୍ଜଇ ଅଶେଷ ଶରୀରେ । କ୍ରୀଡ଼ାର ଅନ୍ତେ ଅନ୍ତଃକରେ । ।୪୦ ହେ ତାତ ଜାଣି ତାଙ୍କୁ ସ୍ମର । ଅସୁରଭାବ ଦୂର କର । ।୪୧ ଆତ୍ମାକୁ ଆତ୍ମଜ୍ଞାନେ ରଖ । ସକଳଘଟେ ସମ ଦେଖ । ।୪୨ ଯେ ଭାବେ ରିପୁ-ମିତ୍ର ନାହିଁ । ସେ ଭାବେ ରହ ମନ ଧ୍ୟାୟି । ।୪୩ ମିତ୍ର ଉଦାସ ଶତ୍ରୁପଣେ । ମନହୁଁ ଅନ୍ୟ ନାହିଁ ଜଣେ । ।୪୪ ଏ ଭାବେ ଚିନ୍ତି ହୁଅ ସ୍ଥିର । କୃଷ୍ଣ-ସନ୍ତୋଷେ କର୍ମ କର । ।୪୫ ତୁ ଯେ ବୋଲାଉ ବୀରମଣି । ଏ ତିନି ଭୁବନେ କାରେଣୀ । ।୪୬ ଏ ତିନିଭୁବନ ଆବୋରି । ଭୁଞ୍ଜୁ ତୁ ଅକଣ୍ଟକ-ଶିରୀ । ।୪୭ ମନେ ବିଚାର କରୁ ତୁହି । ସଂସାରେ ରିପୁ ମୋର ନାହିଁ । ।୪୮ ଭୋ ତାତ ଦୋଷ କର ତ୍ରାହି । କହିବି ଶୁଣ ମନ ଦେଇ । ।୪୯ ବ୍ରହ୍ମାଣ୍ଡେ ଯେତେ ଗୁଣ ଅଛି । ସେ ଗୁଣ ପିଣ୍ଡ ମଧ୍ୟେ ଲକ୍ଷି । ।୫୦ ଯେ ଷଡ଼ରିପୁ କାମ ଆଦି । ହୃଦୟମଧ୍ୟେ ଛନ୍ତି ଭେଦି । ।୫୧ ମନକୁ କରି ସେନାପତି । ଆତ୍ମାର ସମ୍ପଦ ଲୁଟନ୍ତି । ।୫୨ ଏ ଦଶଇନ୍ଦ୍ରି ଦିଗପାଳେ । ଆତ୍ମାକୁ ନାଶନ୍ତି ସମୂଳେ । ।୫୩ ଏହାଙ୍କୁ ଦେହେ ନ ନିବାରୁ । ମୁଁ ବୀର ବୋଲି ଗର୍ବ କରୁ । ।୫୪ ଏହାକୁ ଜିଣିବୁ ଯେମନ୍ତେ । ଏବେ ହୋ ଦୃଢ଼କର ଚିତ୍ତେ । ।୫୫

ନାରଦ ଉବାଚ

ଏମନ୍ତେ ପ୍ରହଲ୍ଲାଦ ବାଣୀ । ଅସୁର ଦେହ କମ୍ପେ ଶୁଣି । ।୫୬ ବୋଲଇ ପୁତ୍ରମୁଖ ଚାହିଁ । ନିଶ୍ଚେ ମରିବୁ ଆଜ ତୁହି । ।୫୭ ଅଧିକ ଯେତେକଥା କହୁ । ତୁ ଏ ଅସୁର ଜନ୍ମ ନୋହୁ । ।୫୮ ମୃତ୍ୟୁ ଯାହାର ସନ୍ନିଧାନ । ମନୁଁ ହରଇ ତାର ଜ୍ଞାନ । ।୫୯ ଆତ୍ମାର ଗତି ନ ପ୍ରମାଣି । ବାତୁଳଭାବେ କହୁ ବାଣୀ । ।୬୦ ଜୀବନ୍ତେ ଭାଗ୍ୟ ନାହିଁ ତୋର । ବଚନ କହୁ ଅଗୋଚର । ।୬୧ ଏ ତିନିପୁରେ ମୁଁ ଈଶ୍ୱର । ମୋ ତହୁଁ କେବା ଅଛି ଆର । ।୬୨ କାହାର ବୋଲେ ତୁ ପାମର । ମୋ ବାକ୍ୟେ ଅବଜ୍ଞା ତୋହର । ।୬୩ ସ୍ଥାବର ଜଙ୍ଗମ ସହିତେ । ମୁହିଁ ପାଳଇ ଏ ଜଗତେ । ।୬୪ ମୋ ତହୁଁ ଯେବେ ଅଛି ଭିନ୍ନେ । ଈଶ୍ୱର ଏ ତିନିଭୁବନେ । ।୬୫ ତୁ ଯେ ବୋଲୁ ମୋ ପ୍ରଭୁ ହରି । ଦୃଶ୍ୟେ ଅଦୃଶ୍ୟେ ଛନ୍ତି ପୂରି । ।୬୬ ଆଜ ତୁ ମୋହର ସମକ୍ଷେ । ହରିଙ୍କୁ ଦେଖାଅ ପ୍ରତ୍ୟକ୍ଷେ । ।୬୭ ସେ ଯେବେ ସର୍ବ ବ୍ୟାପି ଥାଇ । ଏ ସ୍ତମ୍ଭେ କିମ୍ପା ନ ଦିଶଇ । ।୬୮ ତୁ ଯେବେ ବୋଲୁ ମୋର ସଖା । ପ୍ରତ୍ୟକ୍ଷେ ସ୍ତମ୍ଭମଧ୍ୟେ ଦେଖା । ।୬୯ ଆଜ ଛେଦିବି ତୋର ଶିର । ଆସି ରଖୁ ତୋ ଚକ୍ରଧର । ।୭୦ ଏମନ୍ତେ ପିତାର ବଚନେ । ପ୍ରହ୍ଲାଦ ଭୟ କଲା ମନେ । ।୭୧ ବାଳକ କୃଷ୍ଣର ବିଶ୍ୱାସେ । ଚଞ୍ଚଳେ ଚାହେଁ ଦଶଦିଶେ । ।୭୨ ଦେଖିଲା ସ୍ତମ୍ଭମଧ୍ୟେ ହରି । ଶଙ୍ଖ କମଳ ଚକ୍ରଧାରୀ । ।୭୩ ଉଦ୍ଦଣ୍ଡ-ଗଦା ଶୋହେ କରେ । ପ୍ରକାଶ ସ୍ତମ୍ଭର ଭିତରେ । ।୭୪ ବୋଲଇ ପିତାମୁଖ ଚାହିଁ । କପାଳେ ବେନିକର ଦେଇ । ।୭୫ ଭୋ ତାତ ସ୍ତମ୍ଭ ମଧ୍ୟେ ହରି । ଦେଖ ପ୍ରତ୍ୟକ୍ଷେ ଛନ୍ତି ପୂରି । ।୭୬ ଏମନ୍ତେ ପୁତ୍ରମୁଖୁଁ ଶୁଣି । କୋପେ ଅସୁର ନୃପମଣି । ।୭୭ ଡେଇଁ ଉଠିଲା ଶିରଝୁଣି । ଖଡ଼ଗ କରେ ବୀରମଣି । ।୭୮ ପୁତ୍ରକୁ ଚାହିଁ କୋପ ଦୃଷ୍ଟି । ଓଷ୍ଠେ ଚାପିଣ ଦନ୍ତ ପାଟି । ।୭୯ ତୀକ୍ଷ୍ମ ଖଡ଼ଗ ଧରି କରେ । ଅସୁର ଉଠି କୋପଭରେ । ।୮୦ ସ୍ତମ୍ଭକୁ ଚାହିଁ କୋପ ଦୃଷ୍ଟି । ପ୍ରହାର କଲା ପାଦ-ମୁଷ୍ଟି । ।୮୧ ତକ୍ଷଣେ ଘୋରନାଦ କରି । ସ୍ତମ୍ଭ ଭିତରେ ନରହରି । ।୮୨ ଅତି ଭୀଷଣ ଘୋରନାଦେ । ବ୍ରହ୍ମାଣ୍ଡ ପୂରିଲା ଶବଦେ । ।୮୩ ବ୍ରହ୍ମାଦି ଭୁବନପାଳକେ । ଭୟେ କମ୍ପିଲେ ଏକେ ଏକେ । ।୮୪ ଶବଦ ଶୁଭେ ଘଡ଼ଘଡ଼ି । ବ୍ରହ୍ମାଣ୍ଡ ପଡ଼ିଲା କି ଝଡ଼ି । ।୮୫ ଅଦ୍ଭୁତ ଘୋରନାଦ ଶୁଣି । କୋପେ ଧାଇଁଲା ଖଡ୍ଗ ଘେନି । ।୮୬ ଦେଖି କମ୍ପିଲେ ଦିଗପାଳ । ଧଇଲା ପ୍ରହଲ୍ଲାଦ ବାଳ । ।୮୭ ଦେଖିଲା ସ୍ତମ୍ଭେ କେହି ନାହିଁ । ବୋଲଇ ପୁତ୍ରମୁଖ ଚାହିଁ । ।୮୮ ଆଜ ପେଷିବି ଯମପୁର । ଦେଖା ତୁ ସ୍ତମ୍ଭେ ଚକ୍ରଧର । ।୮୯ ସେ ପ୍ରଭୁ ଭକତବତ୍ସଳ । ଦେଖିଲେ ଭୃତ୍ୟର ବିକଳ । ।୯୦ ଯେ ହରି ସର୍ବଭୂତେ ପୂରି । ଭକ୍ତ ବଚନ ସତ୍ୟ କରି । ।୯୧ ସ୍ତମ୍ଭର ମଧ୍ୟେ ଦଇତ୍ୟାରି । ନରକେଶରୀ ରୂପ ଧରି । ।୯୨ ଅଦ୍ଭୁତ ରୂପ ଦେବରାୟେ । ଶୋହେ ମନୁଷ୍ୟ-ପଶୁକାୟେ । ।୯୩ ଅଦ୍ଭୁତ ରୂପ ଭୟଙ୍କର । ଦେଖି ବିଚାରଇ ଅସୁର । ।୯୪ ଏ ରୂପ ଦେଖିଲା ତ ନାହିଁ । ସ୍ତମ୍ଭେ ଏ ପ୍ରକାଶିଲା କାହିଁ । ।୯୫ ଦଗ୍ଧସୁବର୍ଣ୍ଣ ପ୍ରାୟେ ବର୍ଣ୍ଣ । କର୍କଶ-ପିଙ୍ଗଳ-ଲୋଚନ । ।୯୬ ସ୍ଫୁରିତ-କେଶର କମ୍ପନେ । ଜଳଦେ ଉଡ଼ିଲେ ଗଗନେ । ।୯୭ ବିସ୍ତାରତୁଣ୍ଡ ବେନିକଳେ । ଜିହ୍ୱା ବୁଲାନ୍ତି ଅନ୍ତରାଳେ । ।୯୮ ବିକଟ-ଦନ୍ତ ବେନିପାଟି । ନିଷ୍ଠୁର ଚଞ୍ଚଳ ଭୂକୁଟୀ । ।୯୯ ଊର୍ଦ୍ଧ୍ୱେ ଚଳଇ କର୍ଣ୍ଣ ଦୁଇ । ଗିରି-ଗୁହାର ପ୍ରାୟେ ହୋଇ । ।୧୦୦ ନାସିକା-ରନ୍ଧ୍ର ଅନ୍ଧକାର । ବିସ୍ତାର ହନୁ ମହାଘୋର । ।୧୦୧ ଅଦୀର୍ଘ ସ୍ଥୂଳ ଗ୍ରୀବାଦେଶ । ଶରୀର ସ୍ପରଶେ ଆକାଶ । ।୧୦୨ ବିସ୍ତାର ବକ୍ଷସ୍ଥଳ ସାଜେ । କ୍ଷୀଣ-ଉଦର ଯେ ବିରାଜେ । ।୧୦୩ ଚନ୍ଦ୍ରଗଉର ତନୁରୁହେ । ବିଶ୍ୱ ପୂରତି ବିଶ୍ୱଦେହେ । ।୧୦୪ କର ଚରଣ ନଖାୟୁଧ । ତା ଦେଖି କମ୍ପିଲେ ବିବୁଧ । ।୧୦୫ ଅସୁର ପଳାଇଲେ ତ୍ରାସେ । ଭୟେ ଲୁଚିଲେ ଦଶଦିଶେ । ।୧୦୬ ଏମନ୍ତ ରୂପ ଦେଖି ଆଗେ । ଦାନବପତି ମହାରାଗେ । ।୧୦୭ ଗଦା ବୁଲାଇ ଅତି ଖରେ । ଧାଇଁଲା ନୃସିଂହ ଉପରେ । ।୧୦୮ ଘୋର ଶବଦେ ମହାବୀର । ଦେଖି କମ୍ପିଲେ ସୁରନର । ।୧୦୯ ଯେ ହରି ମାୟାବୀଙ୍କ ବର । ତା କାହିଁ ଜାଣିବ ଅସୁର । ।୧୧୦ ଧାମଇଁ ଗଦା ତୋଳି ହସ୍ତେ । ଅଗ୍ନିକି ପତଙ୍ଗ ଯେମନ୍ତେ । ।୧୧୧ ଗଦା ଉଞ୍ଚାଇ ମହାବୀର । ପିଟିଲା ନୃସିଂହ ଉପର । ।୧୧୨ ପୁଣି ପ୍ରହାରେ ବାମ-ଦକ୍ଷେ । ଦେବେ ଦେଖନ୍ତି ଅନ୍ତରୀକ୍ଷେ । ।୧୧୩ ଅତି ବିକ୍ରମ-ତେଜ ଦେଖି । ନୃସିଂହ ଉନ୍ମୀଳେ ନିରେଖି । ।୧୧୪ କର ପ୍ରସାରି ନରହରି । ତକ୍ଷଣେ ଅସୁରକୁ ଧରି । ।୧୧୫ ଗଦାଏ ଅଛି ତାର ହସ୍ତେ । ସର୍ପକୁ ଗରୁଡ଼ ଯେମନ୍ତେ । ।୧୧୬ ତକ୍ଷଣେ ଦାନବ ନୃପତି । ହସ୍ତରୁ ଗଳି ଚିତ୍ରଗତି । ।୧୧୭ ଗରୁଡ଼ ହସ୍ତୁ ଯେହ୍ନେ ନାଗ । ପଡ଼ି ଧାମଇଁ ଅତି ବେଗ । ।୧୧୮ ଓଷ୍ଠ କାମୋଡ଼ି ଅତି ବଳେ । ଦେଖି ଡରିଲେ ଦିଗପାଳେ । ।୧୧୯ ଅସାଧ୍ୟ ଦେଖି ଦେବଗଣେ । ମେଘେ ଲୁଚିଲେ ତତକ୍ଷଣେ । ।୧୨୦ ନୃସିଂହ ହସ୍ତୁ ଯାନ୍ତେ ଗଳି । ଦେବେ ଭାଳନ୍ତି ଶୂନ୍ୟେ ମିଳି । ।୧୨୧ ପୁଣି ଅସୁର ନାଦ କରି । ତକ୍ଷଣେ ଖଡ୍ଗ-ଚର୍ମ ଧରି । ।୧୨୨ ଚର୍ମେ ଶୋଭିତ ଶତଚନ୍ଦ୍ର । ଦୁର୍ଜୟ ଅସୁର ନରେନ୍ଦ୍ର । ।୧୨୩ ଖଡ୍ଗ-ମଣ୍ଡଳ ଗତି ଦେଖି । ଭୟେ ବୁଜିଲେ ସର୍ବେ ଆଖି । ।୧୨୪ ଶୂନ୍ୟେ ଉଡ଼ଇ ବାହୁବଳେ । ପୁଣି ମିଳଇ ଭୂମିତଳେ । ।୧୨୫ ଚଣ୍ଡାଟ୍ଟହାସେ ନରହରି । କୋପେଣ ଅସୁରକୁ ଧରି । ।୧୨୬ ଦୃଢ଼େ ଚାପନ୍ତେ ପୁଣି ଗଳି । ତଳେ ପଡ଼ିଲା ମହାବଳୀ । ।୧୨୭ ପୁଣି ଧରନ୍ତି ଅତିବେଗେ । ବଳେ ଉଛୁଡ଼େ ଦଶଦିଗେ । ।୧୨୮ ପୁଣିହିଁ ଚାପିଲେ ଅଧରେ । ମୂଷିକେ ଯେହ୍ନେ ସର୍ପଧରେ । ।୧୨୯ ସ୍ୱଭାବେ ଦୁର୍ଜୟ ଅସୁର । ବଜ୍ରହୁଁ କଠିନ ଶରୀର । ।୧୩୦ ନୃସିଂହ-ହିରଣ୍ୟର ଯୁଦ୍ଧ । ଗଗନେ ଦେଖନ୍ତି ବିବୁଧ । ।୧୩୧ ସଂକ୍ଷେପି କହିବଇଁ କେତେ । ପୁରାଣମତେ ଭିନ୍ନ ଯେତେ । ।୧୩୨ ଉରୁ ଉପରେ ନରହରି । ଉତ୍ତାନ କରି ତାକୁ ଧରି । ।୧୩୩ ବାମ ଦକ୍ଷିଣ ବେନିକରେ । ଲୀଳାମାତ୍ରକେ ନଖାଙ୍କୁରେ । ।୧୩୪ ରୋଷେ ହୁଁକାର ନାଦକରି । ହୃଦୟକମଳ ବିଦାରି । ।୧୩୫ ଦେବେ ଦେଖନ୍ତି ଥାଇ ଶୂନ୍ୟେ । ସର୍ପକୁ ଗରୁଡ଼ ଯେସନେ । ।୧୩୬ ଅସୁର-ହୃଦୟ-ରୁଧିରେ । ତିନ୍ତିଲା ଲଲାଟ-କେଶରେ । ।୧୩୭ ସିଂହ ଯେସନେ ଗଜ ମୁଣ୍ଡେ । ବସି ବିଦାରେ ଧରି ତୁଣ୍ଡେ । ।୧୩୮ ଅସୁର ହୃଦୟକମଳ । ବିଦାରି ଅନ୍ତ କଲେ ମାଳ । ।୧୩୯ କୋପେ ଚାହାଁନ୍ତେ ଦଶଦିଶେ । ଦୈତ୍ୟେ ମିଳିଲେ ଆସି ପାଶେ । ।୧୪୦ ନାନା ଆୟୁଧ ଧରି କରେ । ପିଟିଲେ ନୃସିଂହ ଉପରେ । ।୧୪୧ ତାହାଙ୍କୁ ଧରି ତତକ୍ଷଣେ । ନଖେ ବିଦାରିଲେ ଆପଣେ । ।୧୪୨ ସହସ୍ର ସହସ୍ର ଅସୁର । ସମରେ ଗଲେ ଯମପୁର । ।୧୪୩ ଅସୁରବଳ ରଣେ ମାରି । କୋପେ ଧାଇଁଲେ ନରହରି । ।୧୪୪ କଟା କମ୍ପନ ଘୋରବାତେ । ମେଘେ ଉଡ଼ିଲେ ଶୂନ୍ୟପଥେ । ।୧୪୫ ଶବଦ ଶୁଭେ ଘଡ଼ଘଡ଼ି । ଗଗନମାର୍ଗେ ପଡ଼େ ହୁରି । ।୧୪୬ ଗ୍ରହ-ନକ୍ଷତ୍ର ମାଳମାଳ । ସ୍ୱର୍ଗୁ ପଡ଼ିଲେ ମହୀତଳ । ।୧୪୭ ଊର୍ଦ୍ଧ୍ୱେ ଚାହାଁନ୍ତେ କୋପାନଳେ । ଦେଖି ଡରିଲେ ଦିଗପାଳେ । ।୧୪୮ ନିଃଶ୍ୱାସବାତେ ସିନ୍ଧୁଜଳ । ଉଲ୍ଳୋଳ ଲହରୀ ସଙ୍କୁଳ । ।୧୪୯ ଦେବେ ଗଗନୁ ଗଲେ ତ୍ରାସେ । ଗଜେ ଉଡ଼ିଲେ ଅଷ୍ଟଦିଶେ । ।୧୫୦ ଶ୍ୱାସ-ପବନ-ଘାତ-ବଳେ । ବିମାନେ ଆକାଶ ମଣ୍ଡଳେ । ।୧୫୧ ଉଡ଼ିଲେ ସ୍ଥାନଭ୍ରଷ୍ଟ ହୋଇ । ପାଦ ବିଘାତେ କମ୍ପେ ମହୀ । ।୧୫୨ ନୃସିଂହ ଶରୀର ପବନେ । ପର୍ବତେ ଉଡ଼ିଲେ ଗଗନେ । ।୧୫୩ ଦିଶ ଆକାଶ ତେଜ ନାଶେ । ଧୂମ ଯେ ପ୍ରକାଶେ ଆକାଶେ । ।୧୫୪ ଦିଗ ଅଦୃଶ୍ୟ ଧୂମାକୁଳେ । ନିଃଶ୍ୱାସ ପବନ ନ ଚଳେ । ।୧୫୫ ଏମନ୍ତେ ଅସୁର ସଂହାରି । ସଭାର ମଧ୍ୟେ ବିଜେକରି । ।୧୫୬ ବସିଲେ ଅସୁର ଆସନେ । ଯେହୁ ପୂଜିତ ତ୍ରିଭୁବନେ । ।୧୫୭ ଦେଖି ଅସୁର ପଳାଇଲେ । ଯେ ଅବା ଅବଶେଷ ଥିଲେ । ।୧୫୮ ଶସ୍ତ୍ର ଧରନ୍ତା ନାହିଁ କେହି । ଭାଜିଲେ ଚଉଦିଗେ ଚାହିଁ । ।୧୫୯ ହିରଣ୍ୟକଶିପୁ ଅସୁର । ତ୍ରୈଲୋକ୍ୟ କଲା ସେହୁ ଜୂର । ।୧୬୦ ସଂଗ୍ରାମେ ହରି ତା ଜୀବନ । ସୃଷ୍ଟି ରଖିଲେ ଭଗବାନ । ।୧୬୧ ଅସୁର-ନିଧନ-ସମ୍ବାଦେ । ବିବୁଧେ ପରମ ଆନନ୍ଦେ । ।୧୬୨ ନନ୍ଦନବନୁଁ ପୁଷ୍ପ ତୋଳି । ଶୂନ୍ୟେ ସକଳ ଦେବେ ମିଳି । ।୧୬୩ ହରଷ ଲୋଚନେ ଅନାଇଁ । ମଙ୍ଗଳସ୍ୱରେ ଗୀତ ଗାଇ । ।୧୬୪ ମିଳି ସକଳ ସୁରନାରୀ । ସାନନ୍ଦେ ପୁଷ୍ପବୃଷ୍ଟି କରି । ।୧୬୫ ଶୂନ୍ୟେ ଅସୁରେ ଭୟେ ଭାଳି । ଥିଲେ ଯେ ଦଶଦିଗେ ମିଳି । ।୧୬୬ ଗଗନେ ବିମାନ-ସଙ୍କୁଳେ । ମିଳିଲେ ଦଶଦିଗପାଳେ । ।୧୬୭ ଦୁନ୍ଦୁଭି ବାଦ୍ୟନାଦ କଲେ । ଗନ୍ଧର୍ବେ ଅପସରା ମେଳେ । ।୧୬୮ ହରଷେ ନୃତ୍ୟ-ଗୀତ କରି । ଚିତ୍ତ ଆନନ୍ଦେ ମୋଦଭରି । ।୧୬୯ ବ୍ରହ୍ମା ଶଙ୍କର ଇନ୍ଦ୍ର ତୁଲେ । ଋଷିଏ ପିତୃ ସିଦ୍ଧ ମେଳେ । ।୧୭୦ ଉରଗ ବିଦ୍ୟାଧରଗଣ । ମନୁଏ ପ୍ରଜାପତି ପୁଣ । ।୧୭୧ ମିଳିଲେ ଗୃହ୍ୟକ ଚାରଣ । ଯକ୍ଷ କିଂପୁରୁଷ ଏମାନ । ।୧୭୨ ଆବର ବେତାଳ କିନ୍ନର । ଏ ଆଦି ଅଶେଷ ଅମର । ।୧୭୩ ମିଳିଲେ ବିଷ୍ଣୁ-ପାରିଷଦ । ସନକ ସୁନନ୍ଦ କୁମୁଦ । ।୧୭୪ କର ଅଞ୍ଜଳି ଶିରେ ଦେଇ । ମିଳିଲେ ବିଷ୍ଣୁପାଶେ ଯାଇ । ।୧୭୫ ପ୍ରଚଣ୍ଡ ତେଜ ମହାଘୋର । ଭୟେ ରହିଲେ କିଛି ଦୂର । ।୧୭୬ ରହିଲେ ସ୍ତମ୍ଭୀଭୂତ ହୋଇ । ସମୀପେ ନ ପାରିଲେ ଯାଇ । ।୧୭୭ ଭୟେ ଶଙ୍କିତ ଦିଗପାଳେ । ସ୍ତୁତି କରନ୍ତି ପାଦମୂଳେ । ।୧୭୮ ବ୍ରହ୍ମା ନୃସିଂହ ମୁଖ ଚାହିଁ । ବୋଲନ୍ତି ଶିରେ କର ଦେଇ । ।୧୭୯

ବ୍ରହ୍ମା ଉବାଚ

ନମସ୍ତେ ଅନନ୍ତ ମୂରତି । ଦୂରନ୍ତବୀର୍ଯ୍ୟ ତୋର ଶକ୍ତି । ।୧୮୦ ବିଚିତ୍ରବୀର୍ଯ୍ୟ ଶୁଦ୍ଧକର୍ମା । ଅଶେଷ ତୋହର ମହିମା । ।୧୮୧ ଗୁଣ-ସଂଯୋଗେ ଲୀଳାମତେ । ସଂସାର ସୃଷ୍ଟି-ସ୍ଥିତି-ଅନ୍ତେ । ।୧୮୨ ଅଶେଷ ଯାହାର ମହିମା । କେ କହିପାରେ ଗୁଣସୀମା । ।୧୮୩ ସେ ପ୍ରଭୁ ଚରଣାରବିନ୍ଦେ । ପ୍ରସନ୍ନ ଅର୍ଥେ ମୁହିଁ ବନ୍ଦେ । ।୧୮୪ ସେ ହରି ପ୍ରସନ୍ନ ହୁଅନ୍ତୁ । ସକଳେ ଅଭୟ ଦିଅନ୍ତୁ । ।୧୮୫

ରୁଦ୍ର ଉବାଚ

ଯୁଗାନ୍ତକାଳ ତୋର କୋପ । ସ୍ୱଭାବେ ଅସୁର ଅଳପ । ।୧୮୬ ହେ ପ୍ରଭୁ ଭକତବତ୍ସଳ । ଦୁଷ୍ଟ-ଅସୁର ବିନାଶିଲ । ।୧୮୭ ତା ପୁତ୍ର ଭକ୍ତ ପ୍ରହଲ୍ଲାଦ । ଆଶ୍ରା ନେଇଛି ତୁମ୍ଭପାଦ । ।୧୮୮ ତା ସମ ଭକ୍ତ କେହି ନାହିଁ । ରଖ ତାହାକୁ ଭାବଗ୍ରାହୀ । ।୧୮୯ ଏ ସର୍ବ ତୋହର କିଙ୍କର । ଜଗତ ତୋର ଲୀଳାଘର । ।୧୯୦

ଇନ୍ଦ୍ର ଉବାଚ

ଇନ୍ଦ୍ର ଅଞ୍ଜଳି ଶିରେ ଦେଇ । ବୋଲେ ନୃସିଂହ କର ତ୍ରାହି । ।୧୯୧ ଏ ମହାସୁର ମହାବେଗେ । ଯଜ୍ଞ ଆରମ୍ଭେ ହବିର୍ଭାଗେ । ।୧୯୨ ବଳେ ଭୁଞ୍ଜଇ ଏ ଆକର୍ଷି । ଆମ ହୃଦୟପଦ୍ମେ ପଶି । ।୧୯୩ ତୁ ନାଥ ସର୍ବ ପ୍ରାଣୀଙ୍କର । ହୃଦୟପଦ୍ମେ ତୋର ଘର । ।୧୯୪ ସେ ପଦ୍ମ ଅସୁର-ଶଶାଙ୍କେ । ମୁଦ୍ରିତ ଥିଲା ଅତିରେକେ । ।୧୯୫ ତୁ ଏବେ ସୂର୍ଯ୍ୟ ରୂପ ଧରି । ହୃଦୟପଦ୍ମ ଭେଦ କରି । ।୧୯୬ ତୁ ତୋର ଗୃହ ସମାର୍ଜିଲୁ । ଆମ୍ଭଙ୍କୁ ଯଜ୍ଞଭାଗ ଦେଲୁ । ।୧୯୭ ଏ ଘୋର-ସଂସାର-ସାଗରେ । ପ୍ରାଣୀ ଜୀବନ ନିରନ୍ତରେ । ।୧୯୮ ଗ୍ରସ୍ତ କରଇ କାଳ ବଳେ । କିବା କହିବୁ ଅନ୍ତରାଳେ । ।୧୯୯ ତୋର ସେବକ-ପ୍ରାଣୀଙ୍କର । ତୁ ନାଥ ଶରଣ ସୋଦର । ।୨୦୦ ଋଷି ସକଳ ଏକମେଳେ । ସ୍ତୁତି କରନ୍ତି ପାଦତଳେ । ।୨୦୧

ଋଷିଗଣ ଉବାଚ

ତୋର ଚରଣ ଧ୍ୟାନ ଅର୍ଥେ । ତପ ସମ୍ପାଦି ଏ ଜଗତେ । ।୨୦୨ ତୋର ବଚନେ ଆମ୍ଭେ ରହି । ସଂସାରେ ବିପ୍ରଦେହ ବହି । ।୨୦୩ ସେ ତପ ସାଧିବାର କଷ୍ଟ । ବଳେ ହିରଣ୍ୟ କଲା ନଷ୍ଟ । ।୨୦୪ ତୋର ବଚନେ ତୋତେ ଭାବି । ଦୃଢ଼େ ପଦାରବିନ୍ଦେ ସେବି । ।୨୦୫ ସେ ତପ ହରିଲା ଆମ୍ଭର । ନିଜ ପ୍ରତାପେ ଏ ଅସୁର । ।୨୦୬ ଏବେ ଏହାକୁ ନାଶକରି । ଆମ୍ଭର ତପସ୍ୟା ଉଦ୍ଧରି । ।୨୦୭ ରଖିଲୁ ବିପ୍ର ଋଷି ଧର୍ମ । ତୁ ନାଥ ସର୍ବ-କୁଳ-କର୍ମ । ।୨୦୮

ପିତୃଗଣ ଉବାଚ

ଆମ୍ଭର ଶ୍ରାଦ୍ଧକର୍ମ ଯେତେ । ପୁତ୍ରେ କରନ୍ତି ବେଦମତେ । ।୨୦୯ ଆମ୍ଭ ଦିବସା-ଶ୍ରାଦ୍ଧକାଳେ । ଅସୁର ଭୁଞ୍ଜେ ଆସି ବଳେ । ।୨୧୦ ତିଳଉଦକ ଯେତେ ତୀର୍ଥେ । ପୁତ୍ରେ କରନ୍ତି ଧର୍ମମତେ । ।୨୧୧ ସେ ଶ୍ରାଦ୍ଧଜଳ ପାନ କରେ । ଅର୍ପିତ ଦାନ ବଳେ ହରେ । ।୨୧୨ ଆମ୍ଭର ଜଳପିଣ୍ଡ ଯେତେ । ଥିଲା ଅସୁର ଗର୍ଭଗତେ । ।୨୧୩ ନଖଅଙ୍କୁରେ ତାହା ଚିରି । ଆମ୍ଭଙ୍କୁ ଦେଲୁ ନରହରି । ।୨୧୪ ସିଦ୍ଧେ କହନ୍ତି ଯୋଡ଼ି କର । ଶୁଣିମା ଦେବ ଚକ୍ରଧର । ।୨୧୫

ସିଦ୍ଧଗଣ ଉବାଚ

ଆମ୍ଭର ଯୋଗସିଦ୍ଧି ଗତି । ବଳେ ହରିଲା ଦୈତ୍ୟପତି । ।୨୧୬ ତାହାକୁ ନଖେ ବିଦାରିଲୁ । ତୁ ନାଥ ଆମଙ୍କୁ ରଖିଲୁ । ।୨୧୭ ତୋର ଚରଣେ ନମସ୍କାର । ଯେଣୁ ତୁ ଶରଣ ସୋଦର । ।୨୧୮ କର ପ୍ରସାରି ବିଦ୍ୟାଧରେ । ବୋଲନ୍ତି ନୃସିଂହ ଛାମୁରେ । ।୨୧୯

ବିଦ୍ୟାଧର ଉବାଚ

ଆମ୍ଭର ଅନ୍ତର୍ଦ୍ଧାନ-ଗତି । ତୋର ପ୍ରସାଦେ ସେ ପ୍ରାପତି । ।୨୨୦ ତାହାକୁ ପଶୁବଧ ପ୍ରାୟେ । ସଂହାର କଲୁ ଦେବରାୟେ । ।୨୨୧ ମାୟା-ନୃସିଂହ-ଅବତାର । ଆମ୍ଭେ ଯେ ଶରଣ ତୋହର । ।୨୨୨ ନାଗ ସକଳେ ଜଣାବନ୍ତି । ଶୁଣ ହେ ପ୍ରଭୁ ଲକ୍ଷ୍ମୀପତି । ।୨୨୩

ନାଗଗଣ ଉବାଚ

ଆମ୍ଭ ଫଣାରେ ଯେତେ ମଣି । ଯା ଗୃହେ ଉତ୍ତମ ରମଣୀ । ।୨୨୪ ସର୍ବ ହରିଲା ବାହୁବଳେ । ଅଜେୟ ଭୁବନ ମଣ୍ଡଳେ । ।୨୨୫ ସେ ଭୟ ନିବାରି ଗୋବିନ୍ଦ । ଆମ୍ଭଙ୍କୁ ଦେଲୁ ତୁ ଆନନ୍ଦ । ।୨୨୬ ତୁ ନାଥ ସଂସାର ଉଦ୍ଧର । ତୋର ଚରଣେ ନମସ୍କାର । ।୨୨୭

ମନୁଗଣ ଉବାଚ

ବିଧାତା-ବଂଶେ ଅବତରି । ତୋହର ଆଜ୍ଞା ଶିରେ ଧରି । ।୨୨୮ ମନୁ ବୋଲାଉଁ ଏ ଜଗତେ । ଆମ୍ଭେ ଯେ ତୋହର ଆୟତ୍ତେ । ।୨୨୯ ଧର୍ମେ ସଂସାର-ଜନ ପାଳୁ । ତୁ ନାଥ ପରମ ଦୟାଳୁ । ।୨୩୦ ତୋର କିଙ୍କର ଆମ୍ଭ ଦେହ । କିବା କରିବୁ ଆଜ୍ଞା ଦିଅ । ।୨୩୧ ପ୍ରଜାପତିଏ ସ୍ତୁତି କରି । ବୋଲନ୍ତି ଶୁଣ ନରହରି । ।୨୩୨

ପ୍ରଜାପତିଗଣ ଉବାଚ

ତୋ ପ୍ରଜାସୃଷ୍ଟିର ପାଳନେ । ଆମ୍ଭଙ୍କୁ ସୃଜି ବିଦ୍ୟମାନେ । ।୨୩୩ ରଖିଲୁ ପ୍ରଜାପାଳ କରି । ଆମ୍ଭେ ତୋ ଆଜ୍ଞା ଶିରେ ଧରି । ।୨୩୪ ସୃଷ୍ଟି-ପାଳନ କରୁ ଭଲେ । ମାନବ-ପ୍ରଜାପତି ତୁଲେ । ।୨୩୫ ଅସୁର-ଭୟ ଚିତ୍ତେ ବହି । ସ୍ଥାନେ ନ ପାରୁ ଆମ୍ଭେ ରହି । ।୨୩୬ ସେ ବୀର ତୋର ନଖଘାତେ । ମରି ପଡ଼ିଛି ଭୂମିଗତେ । ।୨୩୭ ତୁ ସତ୍ତ୍ୱମୂର୍ତ୍ତି ଦାମୋଦର । ଏ ତୋ ନୃସିଂହ-ଅବତାର । ।୨୩୮ ଜଗତ-ମଙ୍ଗଳ-ବିଧାନ । ସଂସାର ରଖ ଭଗବାନ । ।୨୩୯ ଗନ୍ଧର୍ବେ ନୃସିଂହ ଚରଣେ । କହନ୍ତି ଭକ୍ତି ଅନୁମାନେ । ।୨୪୦

ଗନ୍ଧର୍ବଗଣ ଉବାଚ

ଭୋ ନାଥ ତୋହର ବଚନେ । ନିତ୍ୟେ ଦେବଙ୍କ ସନ୍ନିଧାନେ । ।୨୪୧ ନୃତ୍ୟ-ଖଟଣି ଗୀତ ସ୍ୱରେ । ଖଟୁ ଯେ ଥିଲୁ ନିରନ୍ତରେ । ।୨୪୨ ଏବେ ତାଣ୍ଡବେ ଦୈତ୍ୟ ପାଶେ । ନିରତେ ଖଟୁ ଅବକାଶେ । ।୨୪୩ ଭୟେ ନପାରୁ ସ୍ଥାନେ ରହି । ତାହାର ଆଜ୍ଞା ଶିରେ ବହି । ।୨୪୪ ଉତ୍ପଥଗାମୀ ଜନଙ୍କର । କେବେହେଁ ନାହିଁ ସୁଖସାର । ।୨୪୫ ତୋହର ଚରଣ ପ୍ରସାଦେ । ଆମ୍ଭେ ବର୍ତ୍ତିଲୁ ଅପ୍ରମାଦେ । ।୨୪୬ ଚାରଣେ ମିଳିଣ ଜଣାନ୍ତି । ଶୁଣ ହେ ପ୍ରଭୁ ଶିରୀପତି । ।୨୪୭

ଚାରଣଗଣ ଉବାଚ

ଭୋ ହରି ଚରଣ ତୋହର । ଚତୁରବର୍ଗ ସୁଖକର । ।୨୪୮ ସଂସାର ନିବୃତ୍ତି କାରଣ । ଭୋ ନାଥ ତୋହର ଚରଣ । ।୨୪୯ ସେ ପାଦସେବା ଆମ୍ଭେ ଛାଡ଼ି । ଅସୁରଘରେ ବନ୍ଦୀ ପଡ଼ି । ।୨୫୦ ସେ ଘୋର ଦୁଃଖ ଏବେ ଗଲା । ଯେଣୁ ଅସୁର ବୀର ମଲା । ।୨୫୧ ଯକ୍ଷ ସକଳେ ମନ ସ୍ଥିରେ । କହନ୍ତ ନୃସିଂହ ଛାମୁରେ । ।୨୫୨

ଯକ୍ଷଗଣ ଉବାଚ

ସେବକ ଲୋକ ଆମ୍ଭେ ତୋର । ନିରତେ ଚରଣେ କିଙ୍କର । ।୨୫୩ ଅନେକ ପୁଣ୍ୟ ସାଧି ପୂର୍ବେ । ତୋର ଚରଣ ସେବୁ ଆମ୍ଭେ । ।୨୫୪ ଆମ୍ଭକୁ ଦିତିସୁତ ନେଇ । ବାହାନ କରେ ଦୁଃଖଦେଇ । ।୨୫୫ ସେ ଦୈତ୍ୟ ଜନ ପରିତାପେ । ପ୍ରାଣ ଛାଡ଼ିଲା ତୋର କୋପେ । ।୨୫୬ କହନ୍ତି କିଂପୁରୁଷ ମାନ । ଶୁଣିମା ପ୍ରଭୁ ଭଗବାନ । ।୨୫୭

କିଂପୁରୁଷ ଉବାଚ

ତୁ ମହାପୁରୁଷ ଈଶ୍ୱର । ଆମ୍ଭେ କିଙ୍କରଗଣ ତୋର । ।୨୫୮ କୁତ୍ସିତ-ପୁରୁଷ ଏ ନଷ୍ଟ । ସାଧୁ ବର୍ଜିତ ମହାଦୁଷ୍ଟ । ।୨୫୯ ଅନ୍ୟାୟକର୍ମ ଆଚରିଲା । ତୋର ପ୍ରତାପେ ନାଶଗଲା । ।୨୬୦

ବୈତାଳିକଗଣ ଉବାଚ

ଆମ୍ଭେ ସାଧୁଙ୍କ ସଭାମଧ୍ୟେ । ଯଜ୍ଞ-ଆରମ୍ଭ-ପରିବନ୍ଧେ । ।୨୬୧ ତୋର ନିର୍ମଳ-ଯଶ ଗାଇ । ସତ୍କାର-ପୂଜା-ଧର୍ମ ପାଇ । ।୨୬୨ ଆନନ୍ଦେ ଭୁଞ୍ଜୁ ସାଧୁମେଳେ । ଏ ମହାସୁର ତାହା ବଳେ । ।୨୬୩ ତୋହର ଯଶ ନାଶ କଲା । ଆମ୍ଭକୁ ମହାଦୁଃଖ ଦେଲା । ।୨୬୪ ଏ ଆମ୍ଭ ଦେହେ ବ୍ୟାଧି ଥିଲା । ତୋ ଉଗ୍ରତେଜେ ନାଶଗଲା । ।୨୬୫ କିନ୍ନରଗଣ ହରି ଚାହିଁ । ବୋଲନ୍ତି ଶିରେକର ଦେଇ । ।୨୬୬

କିନ୍ନରଗଣ ଉବାଚ

ତୋର କିଙ୍କରଗଣ ଆମ୍ଭେ । ତୋ ଅନୁଗ୍ରହେ ଥାଉଁ ଦମ୍ଭେ । ।୨୬୭ ଏ ଦିତିସୁତ ମହାନଷ୍ଟ । ଆମ୍ଭଙ୍କୁ ଦେଲା ଅତି କଷ୍ଟ । ।୨୬୮ ଏବେ ଅସୁର ନାଶ କଲୁ । ଆମ୍ଭର ମାନ ଉଦ୍ଧରିଲୁ । ।୨୬୯ ତୁ ନାଥ ଦେବଙ୍କର ଦେବ । ଆମ୍ଭର ମଙ୍ଗଳ-ବିଭବ । ।୨୭୦ ଶ୍ରୀବିଷ୍ଣୁ-ପାରିଷଦ ଗଣ । ବୋଲନ୍ତି ଦେବଦେବ ଶୁଣ । ।୨୭୧

ବିଷ୍ଣୁ ପାରିଷଦଗଣ ଉବାଚ

ଭୋ ନାଥ ଏ ରୂପ ତୋହର । ଅଦ୍ଭୁତ ମହାଭୟଙ୍କର । ।୨୭୨ ନୟନେ ଦେଖି ସର୍ବଜନେ । ଭୟେ କମ୍ପିଲେ ତ୍ରିଭୁବନେ । ।୨୭୩ ତାହାଙ୍କ କର୍ମଦାତା ତୁହି । ଆମ୍ଭକୁ କଲୁ ନାଥ ତ୍ରାହି । ।୨୭୪ ଯେଣୁ ନାଶିଲୁ ମହାସୁର । ଆମ୍ଭଙ୍କୁ ଅନୁଗ୍ରହ କର । ।୨୭୫ କହେ ନାରଦ ମହାଋଷି । ଶୁଣ ପାଣ୍ଡବ ସୋମବଂଶୀ । ।୨୭୬ ଏମନ୍ତେ ନୃସିଂହ ସମ୍ମୁଖେ । ସ୍ତୁତି ବଚନେ ଏକେ ଏକେ । ।୨୭୭ କହି କରାଇ ତୋଷ ମନ । ଏବେ ହୋ ସାଧୁଜନେ ଶୁଣ । ।୨୭୮ ନାରଦ ଯୁଧିଷ୍ଠିର ଆଗେ । ଯାହା କହିଲେ ଅନୁରାଗେ । ।୨୭୯ ସୁଜନେ ଜନେ ଏହା ଶୁଣି । ତରିବେ ଭବ ତରଙ୍ଗିଣୀ । ।୨୮୦ ଅଦ୍ଭୁତ ନୃସିଂହ-ଚରିତ । କହିଲା ଦାସ ଜଗନ୍ନାଥ । ।୨୮୧ ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ସପ୍ତମସ୍କନ୍ଧେ ପ୍ରହ୍ଲାଦାନୁଚରିତେ ଦୈତ୍ୟରାଜବଧେ ନୃସିଂହସ୍ତବୋ ନାମାଷ୍ଟମୋଽଧ୍ୟାୟଃ । । </poem>

ନବମ ଅଧ୍ୟାୟସମ୍ପାଦନ କରନ୍ତୁ

</poem>

ନାରଦ ଉବାଚ

ବ୍ରହ୍ମାଦି ଯେତେ ଦେବଗଣେ । ନୃସିଂହ ମୂରତି ଦର୍ଶନେ । ।୧ କାତରେ ନାନା ସ୍ତୁତି କଲେ । ସମୀପେ ରହି ନପାରିଲେ । ।୨ ଲକ୍ଷ୍ମୀ ଅଣାଇ ଦେବଗଣେ । ବିଶ୍ୱାସେ ମିଳିଲେ ଚରଣେ । ।୩ ବୋଇଲେ ଯାଅ ଜନମାତ । ଶାନ୍ତି କରାଅ ତୋର କାନ୍ତ । ।୪ ଦେବଙ୍କ ବଚନେ କମଳା । ଭାବେ କେତେହେଁ ଦୂର ଗଲା । ।୫ ଅଦୃଷ୍ଟପୂର୍ବ ରୂପ ଚାହିଁ । ସନ୍ନିଧେ ନ ପାରିଲେ ଯାଇ । ।୬ ନିକଟେ ପ୍ରହଲ୍ଲାଦ ଆଣି । ବିଶ୍ୱାସେ କହେ କୁଶପାଣି । ।୭ ନୃସିଂହ ପାଶେ ବେଗେ ଯାଇ । ସ୍ତୁତିରେ ତୋଷ କର ତୁହି । ।୮ ଭୟେ ନ ପାରୁ ଆମ୍ଭେ ଯାଇ । ତକ୍ଷଣେ ବ୍ରହ୍ମା ଆଜ୍ଞା ପାଇ । ।୯ ନୃସିଂହ ନିକଟେ ମିଳିଲା । କରଅଞ୍ଜଳି ଶିରେ ଦେଲା । ।୧୦ ଚରଣତଳେ ଶିର ଦେଇ । ନମିଲା ଦଣ୍ଡବତ ହୋଇ । ।୧୧ ଦେଖି ନୃସିଂହ ଦୟାଚିତ୍ତେ । ଆନନ୍ଦେ ଧରି ତାକୁ ହସ୍ତେ । ।୧୨ ଭୂମିରୁ ତୋଳି ବସାଇଲେ । ହସ୍ତପଙ୍କଜ ଶିରେ ଦେଲେ । ।୧୩ ସେ ପଦ୍ମକରର ମହିମା । କି ଦେବା ତହିଁକି ଉପମା । ।୧୪ କାଳଭୁଜଙ୍ଗ ଭୟ ପାଇ । ଯେ ପ୍ରାଣୀ ଶରଣ ପଶଇ । ।୧୫ ସେ ପଦ୍ମକର ରଖେ ତାରେ । ବେଗେ ପଶଇ ସୁଖଘରେ । ।୧୬ ନୃସିଂହ କର ଲାଗି ଶିରେ । ଅଶୁଭ ଗଲା ଅତି ଦୂରେ । ।୧୭ ତକ୍ଷଣେ ଜ୍ଞାନ ପ୍ରକାଶିଲା । ଆନନ୍ଦେ ଅସୁରର ବଳା । ।୧୮ ନୃସିଂହ-ଚରଣ-କମଳେ । ମନ ନିରୋପିଲା ନିଶ୍ଚଳେ । ।୧୯ ରୋମ ପୁଲକ ତାର ଦେହେ । ଆନନ୍ଦେ ଅଶ୍ରୁ ଜଳ ବହେ । ।୨୦ ଏକାଗ୍ରେ ମନ ଦୃଢ଼ କରି । ସେ ରୂପ ଅନ୍ତର୍ଗତେ ଭରି । ।୨୧ ଚରଣେ ଦେଇ ବେନିପାଣି । କଣ୍ଠ ଗଦ୍‌ଗଦେ କହେ ବାଣୀ । ।୨୨ ବ୍ରହ୍ମାଦି ଦେବଙ୍କ ବିଷୟେ । ଯେଣେ ନୃସିଂହ ଦୟାବହେ । ।୨୩ ଆତ୍ମାର ନିସ୍ତାରଣ ଅର୍ଥେ । ସଂସାରୁ ତରିବା ନିମନ୍ତେ । ।୨୪ ତ୍ରିଚତ୍ୱାରିଂଶ ପଦ ଶ୍ଳୋକେ । ସ୍ତୁତି କରଇ ଏକେ ଏକେ । ।୨୫

ପ୍ରହ୍ଲାଦ ଉବାଚ

ବ୍ରହ୍ମାଦି ସିଦ୍ଧ ମୁନିଗଣେ । ସ୍ୱଭାବ ସାତ୍ତ୍ୱିକ ଲକ୍ଷଣେ । ।୨୬ ଅମୃତ-ବଚନ-ପ୍ରବାହେ । ନିର୍ମଳ-ବିଶୁଦ୍ଧ-ହୃଦୟେ । ।୨୭ ନାନା ପ୍ରକାରେ ସ୍ତୁତି କରି । ଆରାଧି ନପାରିଲେ ହରି । ।୨୮ ମୁଁ ଛାର ଅସୁର ହୋଇଣ । କାହୁଁ ତୋଷିବି ନାରାୟଣ । ।୨୯ ଧନ ସତ୍‌କୁଳ ଅବା ରୂପ । ପଣ୍ଡିତପଣ ତେଜ ତପ । ।୩୦ ବଳ ପୌରୁଷ ବୁଦ୍ଧି ଯୋଗ । ଓଜ ବିଭୂତି ବାରମାର୍ଗ । ।୩୧ ଏ ଆଦି ଯେତେ ଗୁଣଗ୍ରାମ । ନୁହଁନ୍ତି ବିଷ୍ଣୁତୋଷେ କ୍ଷମ । ।୩୨ କେବଳ ଭକ୍ତିଯୋଗେ ତୋଷ । ଯେସନେ ଗଜେନ୍ଦ୍ର-ବିଶ୍ୱାସ । ।୩୩ ଦ୍ୱାଦଶଗୁଣେ ବିପ୍ର ଯୁକ୍ତ । ସେ ଯେବେ ନୋହେ ବିଷ୍ଣୁଭକ୍ତ । ।୩୪ ସେ ବିପ୍ରଶ୍ରେଷ୍ଠ ନ ବୋଲାଇ । ସଂସାରୁ ତରିବ ସେ କାହିଁ । ।୩୫ ଯେହୁ ଦ୍ୱାଦଶଗୁଣ ଧରେ । ସେ ବିପ୍ର ସଂସାର-ବେଭାରେ । ।୩୬ ସ୍ୱଭାବେ ସତ୍ୟ ଶମ ଦମ । ଅହିଂସା ତପ କ୍ଷମା ଧର୍ମ । ।୩୭ ଆର୍ଜବ ଦାନ ବ୍ରତ ଧୃତି । ଶଉଚ ଶ୍ରୁତ ଆଦି କୃତି । ।୩୮ ଦ୍ୱାଦଶ ବ୍ରାହ୍ମଣ ଲକ୍ଷଣ । ବେଦେ ବର୍ଣ୍ଣିତ ଏତେ ଗୁଣ । ।୩୯ ଏମନ୍ତ ବିପ୍ର ହୋଇ ଯେବେ । ଭକ୍ତି ନକରେ କୃଷ୍ଣଭାବେ । ।୪୦ ଚଣ୍ଡାଳ ଜନ୍ମ ହୋଇ ଯେବେ । ମନ ଅର୍ପଇ କୃଷ୍ଣଭାବେ । ।୪୧ ଆତ୍ମା ପବିତ୍ର ବେଗେ କରେ । ଚଣ୍ଡାଳ କୁଳକୁ ଉଦ୍ଧରେ । ।୪୨ ବ୍ରାହ୍ମଣ ସର୍ବମାନ୍ୟ ହୋଇ । ଆତ୍ମା ଉଦ୍ଧରି ନ ପାରଇ । ।୪୩ ଯେ ହରି ନିତ୍ୟ ଶୁଦ୍ଧଜ୍ଞାନ । ଆତ୍ମା ପ୍ରକାଶେ ନିରଞ୍ଜନ । ।୪୪ ସେ କାହିଁ ଅଜ୍ଞାନ-ସଙ୍କଳ୍ପେ । ଆବର ନାନା ପୂଜା ରୂପେ । ।୪୫ ଯେଣୁ ଦୟାଳୁ ସେ ବୋଲାଇ । ଏଣୁ ଭରସା ପ୍ରାଣୀ ପାଇ । ।୪୬ କରନ୍ତି ପୂଜାବିଧି ଯେତେ । ଆତ୍ମା ମଙ୍ଗଳପ୍ରାପ୍ତି ଅର୍ଥେ । ।୪୭ ସ୍ୱଭାବେ ନିଜ ମୁଖ ବେଶ । ଯେସନେ ଦର୍ପଣେ ପ୍ରକାଶ । ।୪୮ ତେଣୁ ଭରସା ପାଇ ମୁହିଁ । ଈଶ୍ୱର-ମହିମା ବର୍ଣ୍ଣଇ । ।୪୯ ଯଦ୍ୟପି ନୀଚ ଦେହ ମୋର । ସ୍ତବନେ ନାହିଁ ଅଧିକାର । ।୫୦ ତଥାପି ବୁଦ୍ଧି ଯେତେ ମୋର । ସ୍ତୁତି କରିବି ତୋ ଛାମୁର । ।୫୧ ଅବିଦ୍ୟାବଳେ ଏ ସଂସାରେ । ଏ ଜୀବ ଅଶେଷ ପ୍ରକାରେ । ।୫୨ କର୍ମର ବଳେ ସଞ୍ଚରଇ । ତୋର ଭଜନେ ସେ ତରଇ । ।୫୩ ତୁ ସତ୍ୟଧାମ ଦାମୋଦର । ମୁହିଁ ଯେ ତୋହର କିଙ୍କର । ।୫୪ ବ୍ରହ୍ମାଦି ଯେତେ ଦେବଗଣେ । ସେ ସର୍ବେ ତୋହର ଚରଣେ । ।୫୫ ତୋତେ ଚିନ୍ତନ୍ତି ଭୟଚିତ୍ତେ । ପାଦେ ସେବନ୍ତି ଅବିରତେ । ।୫୬ ଏଣୁ ସଂସାର ରକ୍ଷାଅର୍ଥେ । ତୋ ଅବତାର ଏ ଜଗତେ । ।୫୭ ତେଣୁ ତୋ କୋପ ତୁ ସଂହର । ତୁ ନାଥ ଜଗତ ଈଶ୍ୱର । ।୫୮ ତୁ ଏ ଅସୁର ହତ କଲୁ । ସଂସାର ଭୟ ନିବାରିଲୁ । ।୫୯ ଆନନ୍ଦ ସାଧୁଙ୍କର ମନେ । ସର୍ପ-ବୃଶ୍ଚିକ-ନାଶେ ଯେହ୍ନେ । ।୬୦ ଲୋକେ ଆନନ୍ଦେ ସ୍ଥିରମନେ । ଭଜିଲେ ତୋହର ପ୍ରସନ୍ନେ । ।୬୧ ଶୁଣ ହେ ପ୍ରଭୁ ଚକ୍ରଧର । ଏରୂପ ମହାଭୟଙ୍କର । ।୬୨ ଏବେ ଏ ଭୟରୂପ ହର । ଲୋକଙ୍କ ଭୟକୁ ସଂହର । ।୬୩ ଜିହ୍ୱା ଚଞ୍ଚଳ ସୌଦାମିନୀ । ପ୍ରଳୟାନଳ ନେତ୍ର ବେନି । ।୬୪ ଭ୍ରୂକୁଟୀ କୁଟୀଳ ପ୍ରଚଣ୍ଡ । ଦଂଷ୍ଟ୍ରା କରାଳ ପାଟିତୁଣ୍ଡ । ।୬୫ ଅସୁର-ହୃଦୟ-ରୁଧିରେ । ତା ଅନ୍ତ୍ର-ପୁଷ୍ପମାଳ କରେ । ।୬୬ କେଶର ଦିଶେ ଶୋଣି ବର୍ଣ୍ଣ । ରୁଧିରେ ରଙ୍ଗ ବେନି କର୍ଣ୍ଣ । ।୬୭ ତୁମ୍ଭର ଘୋରନାଦ ଶୁଣି । ପ୍ରଳୟ-ବଜ୍ର ପ୍ରାୟ ମଣି । ।୬୮ ଅଇରାବତ ଆଦି ନାଗେ । ପଳାଇଗଲେ ଅଷ୍ଟଦିଗେ । ।୬୯ ଅନଳ ପ୍ରାୟ ନଖପନ୍ତି । ଅସୁର ରୁଧିର ପିବନ୍ତି । ।୭୦ ଏମନ୍ତ ରୂପ ତୋର ଚାହିଁ । ଭୋ ନାଥ ମୋର ଭୟ ନାହିଁ । ।୭୧ ତୁ ନାଥ ଶରଣ-ବତ୍ସଳ । ଅବ୍ୟୟ ଆତ୍ମା ଆଦିମୂଳ । ।୭୨ ତୋର ସଂସାରଚକ୍ରେ ପଡ଼ି । ଆତ୍ମାର ନିଜ ପଥ ହୁଡ଼ି । ।୭୩ ସେ ମାୟାଚକ୍ର ମୋତେ ଘେନି । କାଳେ ଭ୍ରମାଇ ନାନା ଯୋନି । ।୭୪ ସ୍ୱକର୍ମବଦ୍ଧେ ମୋ ଜୀବନ । ଏଣୁ ହରାଇ ନିଜ ଜ୍ଞାନ । ।୭୫ ଏବେ ତୋହର ପାଦମୂଳେ । ଶରଣ ପଶିଲି ନିଶ୍ଚଳେ । ।୭୬ ତୋତେ ନଭଜି ନାରାୟଣ । ମୋର ଜୀବନ ଗତି ଶୁଣ । ।୭୭ ଏ ଘୋର ସଂସାର-ସାଗରେ । ଜନ୍ମ-ମରଣ ଅଭ୍ୟନ୍ତରେ । ।୭୮ ସଂଯୋଗ-ବିଯୋଗ ଅଜ୍ଞାନ । ଶୋକ-ଅନଳେ ଦହେ ମନ । ।୭୯ ଏ ଦେହେ ସର୍ବ ଦୁଃଖ ବ୍ୟାଧି । ତୋହର ଚରଣ ଔଷଧି । ।୮୦ ସେ ପାଦ ଛାଡ଼ି ମୁହିଁ ଦୂରେ । ଭ୍ରମଇଁ ଘୋର ଅନ୍ଧକାରେ । ।୮୧ ଏବେ ଏମନ୍ତ ଆଜ୍ଞା କର । ଯେମନ୍ତେ ସେବିବି ପୟର । ।୮୨ ତୁ ନାଥ ପ୍ରାଣୀଙ୍କ ଜୀବନ । ପ୍ରିୟ-ଦେବତା ବନ୍ଧୁଜନ । ।୮୩ ତୋହର ଲୀଳା-କ୍ରୀଡ଼ା ବାଣୀ । ବିରଞ୍ଚି ସଭାମଧ୍ୟେ ଭଣି । ।୮୪ ମୁଁ ତୋର ଲୀଳାଗୁଣ ଗୁଣି । ତରିବି ଭବ-ତରଙ୍ଗିଣୀ । ।୮୫ ତୋ ପାଦ-ପଦ୍ମବନ ମଧ୍ୟେ । ଯେ ହଂସ ଖେଳନ୍ତି ଆନନ୍ଦେ । ।୮୬ ତାହାଙ୍କ ସଙ୍ଗୀ ମୋତେ କର । ଏ ମାୟା-ସଂସାରୁ ଉଦ୍ଧର । ।୮୭ ବାଳକ ରକ୍ଷଣ ସଂସାରେ । ପିତାମାତା ହୁଁ ନାହିଁ ପରେ । ।୮୮ ଅଗାଧ-ସମୁଦ୍ର ଲଙ୍ଘନେ । ପ୍ରାଣୀଙ୍କ ନଉକା ଯେସନେ । ।୮୯ ପଥେ-ତୃଷିତ-ପ୍ରାଣୀ ଯେହ୍ନେ । ଜୀବନ ରଖେ ଜଳପାନେ । ।୯୦ ବ୍ୟାଧିରେ ଆର୍ତ୍ତ ହେଲେ ଜନ । ଔଷଧି ହୁଅଇ ଶରଣ । ।୯୧ ମାତ୍ର ତୋ ପାଦ କୃପା ବିନେ । ଏ କେହି ନୁହଁନ୍ତି କାରଣେ । ।୯୨ ଏମନ୍ତ ତୋ ପଦ୍ମଚରଣ । ଏଣୁ ମୁଁ ପଶିଲି ଶରଣ । ।୯୩ ଭୋ ନାଥ ତୋର ମାୟାବଳେ । ପ୍ରକୃତି ଏ ମାୟା ଶୟଳେ । ।୯୪ କାଳର ବଳେ ସଙ୍ଗ ହୋଇ । ଯାହାକୁ ଯେମନ୍ତ ଭାବଇ । ।୯୫ ଯେଣେ ଯାହାକୁ ନିଯୋଜଇ । ସେ ଫଳ ତାର ହସ୍ତେ ଦେଇ । ।୯୬ କାହୁଁ ଆସଇ କାହିଁ ଥାଇ । କାହାକୁ କାହିଁ ନେଇ ଥୋଇ । ।୯୭ ଜୀବକୁ କରେ ନାନା ଗତି । ଏମନ୍ତେ ପ୍ରଧାନ ପ୍ରକୃତି । ।୯୮ ସେ ଜୀବ ତୋର ସଙ୍ଗେ ରହେ । ଭାବେ ଭ୍ରମଇଁ ସର୍ବଦେହେ । । ୯୯ ଏ ଜୀବ ତୋର ଅଂଶୁ ଜାତ । ତୋହର ବଶ ଏ ଜଗତ । ।୧୦୦ କାଳର ବଳେ ବଶ ହୋଇ । ଦେହ-ବନ୍ଧନେ ବଦ୍ଧ ଦେହୀ । ।୧୦୧ ସଂସାରଚକ୍ରେ ଷୋଡ଼ଶାରେ । କର୍ମେ ଭ୍ରମଇ ନିରନ୍ତରେ । ।୧୦୨ ଦଶଇନ୍ଦ୍ରିୟ ମନବନ୍ଧେ । ଶବ୍ଦ ସ୍ପରଶ ରୂପ ଗନ୍ଧେ । ।୧୦୩ ରସେ ରସଇ ସର୍ବକାଳେ । ଏମନ୍ତେ ଭ୍ରମେ ମହୀତଳେ । ।୧୦୪ ଏମନ୍ତ ଚକ୍ରେ ଜୀବ ବସି । କର୍ମ-ବିଷୟ ରସେ ରସି । ।୧୦୫ ଚକ୍ରେ ଭ୍ରମଇ ଦୁଃଖ ସହି । ତୋ ବିନୁ ତାର ମୋକ୍ଷ ନାହିଁ । ।୧୦୬ ନିତ୍ୟ ବିଜିତ ଆତ୍ମାଗୁଣ । ସ୍ୱତେଜ ବଳେ ନାରାୟଣ । ।୧୦୭ ଏ କାଳଆତ୍ମା ବଶ କରି । ବିସର୍ଗ-ଶକ୍ତିକି ବିସ୍ତାରି । ।୧୦୮ ସେ ସୃଷ୍ଟି କାଳଚକ୍ରେ ଥୋଇ । ସେ ଚକ୍ରେ ଜୀବକୁ ବସାଇ । ।୧୦୯ ପେଡ଼ଇ ଈକ୍ଷୁଦଣ୍ଡ ପ୍ରାୟେ । ଏଣୁ ଡରଇ ମୋର କାୟେ । ।୧୧୦ ଏବେ ମୁଁ ତୋ ଶରଣାଗତ । ଚକ୍ରୁ ଉଦ୍ଧର ମୋର ନାଥ । ।୧୧୧ ମୁଁ ଏବେ ଦେଖିଲି ପ୍ରତ୍ୟକ୍ଷେ । ଭୋ ନାଥ ତୋହର ସମକ୍ଷେ । ।୧୧୨ ବ୍ରହ୍ମାଣ୍ଡ ମଧ୍ୟେ ଯେତେ ଦେବା । ମନୁଷ୍ୟ କରେ ତାଙ୍କୁ ସେବା । ।୧୧୩ ଇଚ୍ଛନ୍ତି ଅଇଶ୍ୱର୍ଯ୍ୟ ଭୋଗ । ସାତ୍ତ୍ୱିକ ସଂଯୋଗ ବିଯୋଗ । ।୧୧୪ ଏ ଦେବେ ମୋର ପିତା ତ୍ରାସେ । ଦଣ୍ଡେ ନଥାନ୍ତି ଅବକାଶେ । ।୧୧୫ ତାହାର ଭ୍ରୂକୁଟୀ କୁଟୀଳେ । ଭୟେ ପଶନ୍ତି ଅନ୍ତରାଳେ । ।୧୧୬ ତୁ ଏବେ ତାହାକୁ ସଂହାରି । ରଖିଲୁ ସର୍ବଦେବ ଶିରୀ । ।୧୧୭ ତେଣୁ ଯେ ପ୍ରାଣୀଙ୍କ ଆଶିଷ । ଯେ ଫଳ ଏ ଭୂତ ଭବିଷ୍ୟ । ।୧୧୮ ଆୟୁ ସମ୍ପଦ ଭୋଗ ଅର୍ଥ । ଇନ୍ଦ୍ରିୟ ସୁଖର ପ୍ରାପତ । ।୧୧୯ ସେ ସର୍ବବାଞ୍ଛା ତୋର ବଳେ । କାଳ ହରଇ ଅବହେଳେ । ।୧୨୦ ତେଣେ ମୋହର କାର୍ଯ୍ୟ ନାହିଁ । ତୋ ପାଦେ ରଖ ଭାବଗ୍ରାହୀ । ।୧୨୧ ତୋ ମାୟା-ସଂସାର-ସାଗରେ । ସ୍ୱପ୍ନ ମୃଗତୃଷ୍ଣା ପ୍ରକାରେ । ।୧୨୨ ଏ କଳେବରର ମହିମା । ଅଶେଷ ରୋଗଙ୍କର ସୀମା । ।୧୨୩ ଏ ସର୍ବ ଶ୍ରୁତିମୁଖେ ଶୁଣି । ସ୍ୱପ୍ନର ପ୍ରାୟେ ପରିମାଣି । ।୧୨୪ ଅଛଇ ତୋର ମାୟାମୋହେ । କେବେ ହେଁ ବିରକତ ନୋହେ । ।୧୨୫ କାମଅନଳ ମଧୁ ଲୋଭେ । କେମନ୍ତେ ଲିଭିବ ସ୍ୱଭାବେ । ।୧୨୬ ମୋହର ଜନ୍ମ ରଜଗୁଣେ । ଅଧିକ ତାମସ ଲକ୍ଷଣେ । ।୧୨୭ ଅସୁରକୁଳେ ଜାତ ମୁହିଁ । ତୋ ଅନୁକମ୍ପା ଅବା କାହିଁ । ।୧୨୮ ଭୋ ନାଥ ମୋର ଶିରେ ଆଣି । ପ୍ରସନ୍ନେ ଦେଲୁ ପଦ୍ମପାଣି । ।୧୨୯ ତୋର ପ୍ରସାଦ ପଦ୍ମନାଭ । ବ୍ରହ୍ମା ଶଙ୍କରରେ ଦୁର୍ଲ୍ଲଭ । ।୧୩୦ କମଳା ତୋର ହୃଦେ ଥାଇ । ତୋ ଭାବ ଲଭି ନପାରଇ । ।୧୩୧ ତୋର ମହିମା ଭାବଗ୍ରାହୀ । ପର-ଅପର ତୋର ନାହିଁ । ।୧୩୨ ଏ ଜୀବ ପରାପର ଜାଣେ । ସଂସାରଗତି ନ ପ୍ରମାଣେ । ।୧୩୩ ଉତ୍ତମ ସେବା ତୋ ଚରଣେ । ଯେ ପ୍ରାଣୀ କରେ ଅନୁକ୍ଷଣେ । ।୧୩୪ ସେ ପାଦ ଯାରେ ଦୟା କରେ । ପ୍ରସନ୍ନ କଳ୍ପଦ୍ରୁମ ତାରେ । ।୧୩୫ ସେବାନୁରୂପ ଫଳ ପାଇ । ପର-ଅପର ତୋର ନାହିଁ । ।୧୩୬ ଏମନ୍ତେ ଭବବନ୍ଧ-କୂପେ । ବେଢ଼ି ଅଛନ୍ତି କାଳସର୍ପେ । ।୧୩୭ ସେ କୂପେ ପଡ଼ି ସର୍ବଜନେ । କାମ କଳ୍ପନ୍ତି ନିତ୍ୟ ମନେ । ।୧୩୮ ତାହାଙ୍କ ସଙ୍ଗତରେ ଥାଇ । ସେ କାମ କଳ୍ପୁଥାଇ ମୁହିଁ । ।୧୩୯ ନାରଦ ମୁନି ବେଦମୟ । ସେ ମୋତେ କଲେ ଅନୁଗ୍ରହ । ।୧୪୦ ଏଣୁ ସାଧୁଙ୍କ ସଙ୍ଗେ ଭାବି । ତୋ ସେବା କେମନ୍ତେ ଛାଡ଼ିବି । ।୧୪୧ ଅନନ୍ତ ମୋ ପ୍ରାଣ ରକ୍ଷଣ । ପିଅର ମରଣ କାରଣ । ।୧୪୨ ଭକ୍ତ-ରକ୍ଷଣ ବାକ୍ୟମତେ । ତୋ ଅବତାର ଏ ଜଗତେ । ।୧୪୩ ମୋ ପିତା ଖଡ଼୍‌ଗ ଧରି ହସ୍ତେ । ପ୍ରତିଜ୍ଞା କଲା ମୋ ଅଗ୍ରତେ । ।୧୪୪ ବୋଇଲା ଦେଖା ତୋ ଠାକୁର । ନୋହିଲେ ଛେଦିବଇଁ ଶିର । ।୧୪୫ ମୁହିଁ ଈଶ୍ୱର ତିନିପୁରେ । ମୋ ତହୁଁ କେବା ଅଛି ପରେ । ।୧୪୬ ଏଣୁ ମୋ ବାକ୍ୟ ସତ୍ୟ କରି । ତୋ ଅବତାର ନରହରି । । ୧୪୭ ତୁ ଏ ଜଗତେ ଦେହ ଧରି । ଜନଙ୍କ ମଧ୍ୟେ ଅବତରି । । ୧୪୮ ପ୍ରକାଶୁ ସ୍ଥୂଳ ସୂକ୍ଷ୍ମ ରୂପେ । ଏବେ ରହୁ ନିର୍ଲେପ ରୂପେ । । ୧୪୯ ତ୍ରିଗୁଣ ସର୍ଜୁ ଗୁଣମୟେ । ମାୟା ପ୍ରକାଶୁ ନାନାଦେହେ । ।୧୫୦ ବିହରୁ ଗୁଣମଧ୍ୟେ ପଶି । କେ କହୁ ତୋ ରୂପ ବିଶେଷି । ।୧୫୧ ସତ ଅସତ ଏ ଜଗତ । ତୋ ତହୁଁ ନାହିଁ ଭିନ୍ନମତ । ।୧୫୨ ମାୟାରେ ଆତ୍ମ ପର କରେ । ବିଅର୍ଥେ ବୁଦ୍ଧିରେ ବିଚାରେ । ।୧୫୩ ପ୍ରକାଶ ସ୍ଥିତି ଅନ୍ତ ସୃଷ୍ଟି । ତରୁ-ପଲ୍ଲବେ ଯେହ୍ନେ ଅଷ୍ଟି । ।୧୫୪ ତୁ ଏ ଜଗତେ ଆତ୍ମବଳେ । ଆତ୍ମାରେ ଥାଉ ଅନ୍ତଃକାଳେ । ।୧୫୫ ସୃଷ୍ଟି ସଂହାରି ମାୟାବଳେ । ନାଗ ଶୟନେ ତୁ ନିଶ୍ଚଳେ । ।୧୫୬ ତୋ ନିଜ ସୁଖେ ଅନୁଭବ । ନିରୀହ ରୂପ ପଦ୍ମନାଭ । ।୧୫୭ ମୁଦ୍ରିତ ଲୋଚନେ ମୁରାରି । ନିଦ୍ରାକୁ ହୃଦରେ ସଂହାରି । ।୧୫୮ ତୁରୀୟେ ସୁଖେ ରହୁ ତୁହି । ତ୍ରିଗୁଣେ ତୋର କାର୍ଯ୍ୟ ନାହିଁ । ।୧୫୯ ସେ ଗୁଣମୟ ତୋ ଶରୀରେ । ଚେତଇ ନିଦ୍ରା ଅଭ୍ୟନ୍ତରେ । ।୧୬୦ କାଳର ବଳେ ତୋ ନୟନେ । ଯୋଗ ସମାଧି ଅବସାନେ । ।୧୬୧ ତୋ ନାଭିମଧ୍ୟେ ଜଳକଣେ । ବୀଜ ପ୍ରକାଶେ ତତକ୍ଷଣେ । ।୧୬୨ ବୀଜୁ ଯେସନେ ବଟ ହୋଇ । ପଦ୍ମ ମୃଣାଳ ପ୍ରକାଶଇ । ।୧୬୩ ସେ ପଦ୍ମମଧ୍ୟୁ ବ୍ରହ୍ମା ଜାତ । ନ ଜାଣେ ଆତ୍ମାର ବୃତ୍ତାନ୍ତ । ।୧୬୪ ତୁ ବୀଜଆତ୍ମା ତା ଶରୀରେ । ପ୍ରକାଶୁ ବାହ୍ୟ ଅଭ୍ୟନ୍ତରେ । ।୧୬୫ ତାହା ନଜାଣି ବେଦମୁଖ । ଆରତେ ଖୋଜିଲେ ଅନେକ । ।୧୬୬ କାହୁଁ ଅଇଲି ବୋଲି ଚିନ୍ତି । ଭୟେ ଭାଳଇ ପ୍ରଜାପତି । ।୧୬୭ ପୁଣି ପଶିଲା ପଦ୍ମନାଳେ । ଶତେବରଷ ଯୋଗବଳେ । ।୧୬୮ ଅଙ୍କୁରମାର୍ଗେ ବୀଜ ଲୋଡ଼ି । ଭ୍ରମିଲା ବହୁ ଦୁଃଖେପଡ଼ି । ।୧୬୯ ଲୋଡ଼ି ନ ପାଇ ମହାଜଳେ । ପୁଣି ଉଠିଲା ପଦ୍ମନାଳେ । ।୧୭୦ ଭାଳଇ ପଦ୍ମମଧ୍ୟେ ରହି । ତୋ ଅନ୍ତ ପାଇବ ସେ କାହିଁ । ।୧୭୧ ତୋତେ ନପାଇ ପ୍ରଜାପତି । ତପସାଧନେ କଲା ମତି । ।୧୭୨ ଅନେକ କାଳ ସାଧି ତପ । ଦେଖିବା ନିମନ୍ତେ ତୋ ରୂପ । ।୧୭୩ ତୋ ରୂପ କରି ଅନୁମାନେ । ଭୂମିରୁ ଗନ୍ଧମାତ୍ରା ଯେହ୍ନେ । ।୧୭୪ ସହସ୍ର-ବଦନ-ନୟନ । ସହସ୍ର-ଶିର-ନାସା-କର୍ଣ୍ଣ । ।୧୭୫ ସହସ୍ର-ଉର ସସ୍ରପାଦ । ସହସ୍ର ଭୁଜେ ସସ୍ରାୟୁଧ । ।୧୭୬ ସେ ମାୟାମୟ ରୂପ ସୁଖେ । ବିଧାତା ଦେଖିଲା ସମ୍ମୁଖେ । ।୧୭୭ ତୋହର ଦେଖି ଦିବ୍ୟବେଶ । ବିଧାତା ହୋଇଲା ହରଷ । ।୧୭୮ ବ୍ରହ୍ମାର ଅର୍ଥେ ପଦ୍ମନାଭ । ରୂପ ପ୍ରକାଶ ହୟଗ୍ରୀବ । ।୧୭୯ ବିଷ୍ଣୁର ଯୋଗନିଦ୍ରା କାଳେ । କର୍ଣ୍ଣରୁ ମଳ ପଡ଼ି ଜଳେ । ।୧୮୦ ରଜ-ତାମସ-ଗୁଣେ ଜାତ । ମଧୁ-କୈଟଭ ବେନି ଦୈତ୍ୟ । ।୧୮୧ ଦେବହେଳନ ମହାଘୋର । ତେଜ ପ୍ରଚଣ୍ଡ ଭୟଙ୍କର । ।୧୮୨ ତାହାଙ୍କୁ ମାରି ଶତ୍ରୁଗଣ । ବ୍ରହ୍ମାଙ୍କୁ କଲୁ ସମର୍ପଣ । ।୧୮୩ ଏହି ପ୍ରକାରେ ନରହରି । ନୃ ପଶୁ ଋଷି ରୂପ ଧରି । ।୧୮୪ ଦେବତା ଜଳଜନ୍ତୁ ରୂପେ । ତୋ ଅବତାର ମହାକଳ୍ପେ । ।୧୮୫ ଦୁଷ୍ଟ ନିବାରି ସନ୍ଥ ପାଳୁ । ତୁ ନାଥ ପରମ ଦୟାଳୁ । ।୧୮୬ ଯୁଗାନୁଧର୍ମେ ପାଳୁ ନାଥ । କଳିଲେ ନୋହୁ ତୁ ତେମନ୍ତ । ।୧୮୭ ଏ ରୂପେ ଛନ୍ନରୂପ ହେଉ । ଏଣୁ ତ୍ରିଯୁଗ ତୁ ବୋଲାଉ । ।୧୮୮ ନିରତେ ମାୟାଜଡ଼େ ଛନ୍ନ । ପାପ-ସଙ୍କଳ୍ପେ ଦୁଷ୍ଟମନ । ।୧୮୯ ଏଣୁ ତୋ କଥାମୃତେ ରତି । କେ କରିପାରେ ଦୃଢ଼ ମତି । ।୧୯୦ କାମ-ସଙ୍କଳ୍ପେ ମୁଁ ଆତୁର । କାହୁଁ ଜାଣିବି ଗତି ତୋର । ।୧୯୧ ଏ ଦେହେ ଇନ୍ଦ୍ରିୟଙ୍କ ଗୁଣ । ଭୋ ନାଥ ସାବଧାନେ ଶୁଣ । ।୧୯୨ ଆତ୍ମା ନରହି ହୃଦଗତେ । ଚଳଇ ଇନ୍ଦ୍ରିୟ ଆୟତ୍ତେ । ।୧୯୩ ରସ-ଲାଳସେ ଜିହ୍ୱା ଧରେ । ତୃଷିତେ ତୃଷା ବଳ କରେ । ।୧୯୪ ଉପସ୍ଥ ଧରେ କାମ ଭୋଗେ । ଗୁହ୍ୟ ଧରଇ ମଳୋତ୍ସର୍ଗେ । ।୧୯୫ ଚର୍ମ ଧରଇ ଶୀତ-ଉଷ୍ମେ । ଉଦର ଧରେ ଭକ୍ଷ-କର୍ମେ । ।୧୯୬ ଶ୍ରବଣ ଶବ୍ଦ-ଅର୍ଥେ ଧରେ । ଗନ୍ଧାର୍ଥେ ନାସିକା-ବିବରେ । ।୧୯୭ ରୂପ ସଂଯୋଗେ ଦୃଷ୍ଟି ରହେ । ବଳ-ବିକ୍ରମ ଶକ୍ତି ବହେ । ।୧୯୮ ଏ ଇନ୍ଦ୍ରିଗଣ କର୍ମବଳେ । ପ୍ରାଣୀ ନାଶନ୍ତି ଅବହେଳେ । ।୧୯୯ ବହୁତ ସପତଣୀ ଘରେ । ଗୃହସ୍ଥ ରମେ ନିରନ୍ତରେ । ।୨୦୦ ସେ ଯେହ୍ନେ ପତ୍ନୀଙ୍କ ଆୟତ୍ତେ । ନିରତେ ରମେ ନାନାମତେ । ।୨୦୧ ସେ ନାରୀଗଣେ ତାର ଚିତ୍ତ । କରନ୍ତି ଆପଣା ଆୟତ୍ତ । ।୨୦୨ ଯେ ଯାହାମତେ ସୁଖ ଚିନ୍ତି । ସ୍ୱାମୀ ଜୀବନ ସେ ହରନ୍ତି । ।୨୦୩ ଏମନ୍ତେ କର୍ମପାଶ ବଳେ । ବଇତରଣୀ ଭବ ଜଳେ । ।୨୦୪ ଜନ୍ମ ମରଣ ପ୍ରାଣୀ ବହେ । ଅନ୍ୟୋନ୍ୟ ଘଟଣା-ପ୍ରବାହେ । ।୨୦୫ ସ୍ୱ-ପରଭେଦେ ପଥ ହୁଡ଼ି । ଯାତନା ମଧ୍ୟେ ଛନ୍ତି ଜଡ଼ି । ।୨୦୬ ତାହାଙ୍କ ମଧ୍ୟେ ମୁହିଁ ଥାଇ । ଆତ୍ମାର ଗତି ନ ଜାଣଇ । ।୨୦୭ ତୋ ପାଦେ ପଶିଲି ଶରଣ । ମୋତେ ଉଦ୍ଧର ନାରାୟଣ । ।୨୦୮ ଦୁଃଖୀଜନଙ୍କ ଉପକାରେ । ତୋ ସମ ନାହିଁନା ସଂସାରେ । ।୨୦୯ ସଂସାର ଉତ୍ପତ୍ତି ପାଳନ । ଈଷିତେ କରୁ ସଂହରଣ । ।୨୧୦ ମୂଢ଼ପ୍ରାଣୀଙ୍କି ତୋର ଦୟା । କେ ଜାଣିପାରେ ନାଥ ଏହା । ।୨୧୧ ଆରତ ଜନବନ୍ଧୁ ହେଉ । କରୁଣାସିନ୍ଧୁ ନାମ ବହୁ । ।୨୧୨ ତୋହର ସେବକ ତାରଣେ । ତୁ ନାଥ ଥାଉ ଅନୁକ୍ଷଣେ । ।୨୧୩ ତୋର ମହିମା-ଗୁଣ ଗୁଣି । ନିଶ୍ଚଳ ଚିତ୍ତେ ପରିମାଣି । ।୨୧୪ ଏଣୁ ମୋହର ଭୟ ନାହିଁ । ବଇତରଣୀ ମଧ୍ୟେ ଥାଇ । । ୨୧୫ ତୋରେ ବିମୁଖ ଯାର ମନ । ସେ ପ୍ରାଣୀ ସେ ଜଳେ ନିମଗ୍ନ । ।୨୧୬ କୁଟୁମ୍ବ-ଭରଣ ନିମନ୍ତେ । ଭାର ବହଇ ଅବିରତେ । ।୨୧୭ ଇନ୍ଦ୍ରିୟ ସୁଖେ ଗୃହେ ରହେ । କୁଟୁମ୍ବ ସ୍ନେହେ ମାୟାମୋହେ । ।୨୧୮ ଏ ଯେ ସକଳ ମୁନିଜନେ । ନିର୍ମଳ-ନିଶ୍ଚଳ-ଚିନ୍ତନେ । ।୨୧୯ ମାୟା-କଳ୍ପନା ଦୂର କରି । ମଉନବ୍ରତେ ବ୍ରହ୍ମଚାରୀ । ।୨୨୦ ବିଜନେ ରହନ୍ତି ନିରତେ । ଜପନ୍ତି ନିଜ ମୁକ୍ତି ଅର୍ଥେ । ।୨୨୧ ତାହାଙ୍କ ଚିନ୍ତା କାହିଁ ଏଣେ । ଯେ ବା ଭ୍ରମନ୍ତି ଭବ-ବଣେ । ।୨୨୨ ଭ୍ରମେ ଭ୍ରମନ୍ତା ପ୍ରାଣୀଙ୍କର । ତୋ ତହୁଁ ରକ୍ଷକ କେ ଆର । ।୨୨୩ ଏ ଗୃହେ ମୈଥୁନାଦି ସୁଖେ । ପ୍ରାଣୀ କ୍ରୀଡ଼ନ୍ତି ଦୁଃଖ ଶୋକେ । ।୨୨୪ କଣ୍ଡୁ ଯେସନେ ନଖମାଝେ । ନିମିଷ ମାତ୍ର ସୁଖ ବୁଝେ । ।୨୨୫ କଣ୍ଡୁ ଅନ୍ତରେ ମହାଦୁଃଖ । ତେସନେ ଗୃହବନ୍ଧ-ସୁଖ । ।୨୨୬ ଏଣୁ ନରମେ ଜ୍ଞାନୀଜନ । ତୋ ପାଦପଦ୍ମେ ଦେଇ ମନ । ।୨୨୭ ମଉନବ୍ରତ ଶ୍ରୁତ ତପ । ସ୍ୱଧର୍ମ ଅଧ୍ୟୟନ ଜପ । ।୨୨୮ ଏକାନ୍ତ ସର୍ବସେବା-ବିଧି । ବ୍ୟାଖ୍ୟାନ ନିଶ୍ଚଳ-ସମାଧି । ।୨୨୯ ଜ୍ଞାନ ଅମୃତ ଗୁରୁବାଣୀ । ସୁଜନେ ବୁଝ ପରିମାଣି । ।୨୩୦ ଏ ଦଶ ଅପବର୍ଗ ଅର୍ଥେ । ଅଜିତେନ୍ଦ୍ରିୟ ସାଧେ ଯେତେ । ।୨୩୧ ତାହାଙ୍କ ସୁଖ ଲେଶ ନାହିଁ । ମାୟା-ସଂସାରେ ଭ୍ରମୁଥାଇ । ।୨୩୨ ତୋର ଚରଣ ଅବିରତ । ଜ୍ଞାନୀଜନଙ୍କ ହୃଦେ ସ୍ଥିତ । ।୨୩୩ ତୋତେ ଲଭନ୍ତି ଭାବଗ୍ରାହୀ । ଦାମ୍ଭିକେ ଲଭିବେ ତା କାହିଁ । ।୨୩୪ ଏ ସୃଷ୍ଟି ମଧ୍ୟେ ପଦ୍ମମୁଖ । ତୁ ନାଥ ହେଉ ସ୍ଥୂଳ ସୂକ୍ଷ୍ମ । ।୨୩୫ ବୀଜରୁ ଅଙ୍କୁର ଯେମନ୍ତ । ପ୍ରକାଶ କରେ ଏ ଜଗତ । ।୨୩୬ ସେ ବୀଜ-ଅଙ୍କୁର ତୋ ଦେହ । ତୋର ପ୍ରକାଶ ଏ ଉଭୟ । ।୨୩୭ ତୋତେ ଯେ ଭଜେ ଅବିରତେ । ତୋ ରୂପ ଜାଣଇ ସେ ଚିତ୍ତେ । ।୨୩୮ ଭକତି ଯୋଗମାର୍ଗେ ସାଧେ । ଅନଳ ଯେହ୍ନେ ଦାରୁ ମଧ୍ୟେ । ।୨୩୯ ଗଗନ ସମୀର ଅନଳ । ଅବନୀ ଆଦି ମହାଜଳ । ।୨୪୦ ମାତ୍ରା-ସ୍ୱରୂପୀ ଇନ୍ଦ୍ରିଗଣ । ଚତୁର ଅନ୍ତର କରଣ । ।୨୪୧ ତୋ ଅନୁଗ୍ରହେ ଦେହେ ରହି । ଗୁଣ ବିଗୁଣ ଯେତେ ହୋଇ । ।୨୪୨ ମନ ବଚନେ ଯେତେ କରି । ତୁ ସର୍ବରୂପ ନରହରି । ।୨୪୩ ତ୍ରିଗୁଣ ମହତ୍ ଅହଙ୍କାର । ମନ ପ୍ରକୃତି ଦେବ ନର । ।୨୪୪ ଏ ଆଦି ଅନ୍ତ ମଧ୍ୟେ ଥାନ୍ତି । କେବେହେଁ ତୋତେ ନ ଜାଣନ୍ତି । ।୨୪୫ ସେ ଭାବ ଜାଣି ମୁନିଜନେ । ନିଶ୍ଚଳେ ରହନ୍ତି ମଉନେ । ।୨୪୬ ଭୋ ନାଥ ତୋର ନାମ ସ୍ତୁତି । ତୋ ପୂଜା କର୍ମେ ଯାର ମତି । ।୨୪୭ ନିତ୍ୟେ ଚିନ୍ତନ୍ତି ତୋ ଚରଣ । ତୋ ପୁଣ୍ୟ କଥନ ଶ୍ରବଣ । ।୨୪୮ ସୁପୁଣ୍ୟ କର୍ମ ଅର୍ପି ତୋତେ । ଏ ଷଡ଼ଅଙ୍ଗ ଭକ୍ତିମତେ । ।୨୪୯ ଯେ ଅବା ସାଧନ୍ତି ଜଗତେ । ସେ ତୋତେ ଲଭନ୍ତି ନିଶ୍ଚିନ୍ତେ । ।୨୫୦ ଯେବେ ତୋ ଭାବେ ନାହିଁ ମନ । ସେ ତୋର ଭକ୍ତିଭାବୁଁ ହୀନ । ।୨୫୧ ତୁ ନାଥ ଅନନ୍ତ ମୂରତି । ପରମଯୋଗୀଙ୍କର ଗତି । ।୨୫୨ ଯେ ତୋର ଅଭୟଚରଣ । ତହିଁ ମୁଁ ନିଶ୍ଚୟେ ଶରଣ । ।୨୫୩

ଶୁକ ଉବାଚ

ଏମନ୍ତେ ଧର୍ମସୁତ ଆଗେ । ନାରଦ ମୁନି ଅନୁରାଗେ । ।୨୫୪ କହନ୍ତି ସଭାମଧ୍ୟେ ବସି । ଶୁଣ ନୃପତି କୁରୁବଂଶୀ । ।୨୫୫

ନାରଦ ଉବାଚ

ଅସୁରସୁତ ବିଷ୍ଣୁ ଆଗେ । ଯେତେ ବର୍ଣ୍ଣିଲା ଭକ୍ତିମାର୍ଗେ । ।୨୫୬ ଶୁଣି ସନ୍ତୋଷ ନାରାୟଣ । ଯେ ହରି ପରମ କାରଣ । ।୨୫୭ ସୁପ୍ରୀତେ ତାଙ୍କୁ କୋଳେ ଧରି । ପ୍ରଚଣ୍ଡ କୋପ ପରିହରି । ।୨୫୮ କହନ୍ତି ମଧୁର-ବଚନ । ଶୁଣ ହେ ଅସୁରନନ୍ଦନ । ।୨୫୯

ନୃସିଂହ ଉବାଚ

ସନ୍ତୋଷେ ଜାଣିଲି ତୋ ଭାବ । ଏ ନରଲୋକେ ସୁଦୁର୍ଲ୍ଲଭ । ।୨୬୦ ମୁଁ କାମ ପୂରାଏ ପ୍ରାଣୀର । ଆତ୍ମାନୁରୂପେ ମାଗ ବର । ।୨୬୧ ଯେ ପ୍ରୀତି ନ କରଇ ମୋତେ । ମୁଁ ତାକୁ ଦୁର୍ଲ୍ଲଭ ଜଗତେ । ।୨୬୨ ମୋତେ ଯେ ଦେଖଇ ନୟନ । ତାର କି ତପେ ପ୍ରୟୋଜନ । ।୨୬୩ ଏ ଘେନି ଜ୍ଞାନୀଜନ ଯେତେ । ଭାବେ ଭଜନ୍ତି ନିତ୍ୟେ ମୋତେ । ।୨୬୪ ଚିତ୍ତ ପ୍ରସନ୍ନେ ବର ଦେଇ । ସର୍ବ ଆଶିଷ ପତି ମୁହିଁ । ।୨୬୫

ନାରଦ ଉବାଚ

ଏମନ୍ତ ବର-ଲୋଭ କହି । ମନ ମୋହିଲେ ଭାଗଗ୍ରାହୀ । ।୨୬୬ ଏକାନ୍ତ ଭକ୍ତି ହୃଦେ ତାର । ବରେ ନକଲା ଅଙ୍ଗୀକାର । ।୨୬୭ ଏମନ୍ତ ମହିମା ଯାହାର । ଦେବମାନବେ ଅଗୋଚର । ।୨୬୮ ଯେ ଏହା ଆରତେ ଶୁଣନ୍ତି । ପଢ଼ନ୍ତି ଅବା ନିତିନିତି । ।୨୬୯ ସେ ସର୍ବେ ସଙ୍କଟୁ ତରନ୍ତି । ହରିପାଦରେ ଲଭେ ଭକ୍ତି । ।୨୭୦ ଶୁଣ ସୁଜନେ ଏହୁ ରସ । ହରିବ ଦୁର୍ଗତି ଅଶେଷ । ।୨୭୧ ସେ ପ୍ରହଲ୍ଲାଦ ପାଦଗତ । ନମଇଁ ବିପ୍ର ଜଗନ୍ନାଥ । ।୨୭୨ ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ସପ୍ତମସ୍କନ୍ଧେ ପ୍ରହ୍ଲାଦଚରିତେ ଭଗବତ୍‌ସ୍ତବୋନାମ ନବମୋଽଧ୍ୟାୟଃ । । </poem>

ଦଶମ ଅଧ୍ୟାୟସମ୍ପାଦନ କରନ୍ତୁ

ନାରଦ ଉବାଚ

ବିଷ୍ଣୁର ବରଲୋଭ ଶୁଣି । ମନେ ବିଚାରେ ଭକ୍ତମଣି । ।୧
ଭକ୍ତିଯୋଗକୁ ବିଘ୍ନ ପ୍ରାୟେ । ମଣି ପ୍ରହ୍ଲାଦ କଲା ଭୟେ । ।୨
ହସି ନୃସିଂହ ମୁଖ ଚାହିଁ । ବୋଲଇ ଶିରେ କର ଦେଇ । ।୩

ପ୍ରହ୍ଲାଦ ଉବାଚ

ଭୋ ନାଥ ଶୁଣ ଚକ୍ରଧର । ବର-ପ୍ରସଙ୍ଗେ ମୋର ଡର । ।୪
କାମେ ଆସକ୍ତ ପ୍ରାୟେ ମଣି । ବର ଯାଚିଲୁ ଚକ୍ରପାଣି । ।୫
ସ୍ୱଭାବେ କାମେ ମୁଁ ଆସକ୍ତ । ବର-ଲୋଭରେ ମୋହୁ ଚିତ୍ତ । ।୬
ମୋହର ମନ ତୋର ପାଦେ । ତୁ ମୋତେ ନ କଳ୍ପ ପ୍ରମାଦେ । ।୭
ଭୃତ୍ୟ-ଲକ୍ଷଣ ଜାଣିବାରେ । ସ୍ୱାମୀ ସ୍ୱଭାବ ଏ ସଂସାରେ । ।୮
କାମେ ଭ୍ରମାଇ ଭୃତ୍ୟ ଚିତ୍ତ । ଜାଣଇଁ ଭକ୍ତ କି ଅଭକ୍ତ । ।୯
ସଂସାର-ବୀଜ ହୃଦଗ୍ରନ୍ଥି । ତେଣେ ଭ୍ରମାଉ ମୋର ମତି । ।୧୦
ସେ କଥା ଭଲେ ଜାଣେ ମୁହିଁ । ଏଣୁ ଅନ୍ୟଥା ନ ଘଟଇ । ।୧୧
ତୋତେ ଆରାଧି ପ୍ରାଣୀ ଯେବେ । ତୋର ଆଶିଷ ବିତ୍ତେ ଭାବେ । ।୧୨
ଭୃତ୍ୟ ଲକ୍ଷଣ ତା ନ ଜାଣି । ଯେ ଆତ୍ମାହିତ ନ ପ୍ରମାଣି । ।୧୩
ବଣିକ ସ୍ୱଭାବ ତାହାର । ସେ କାହିଁ ତରିବ ସଂସାର । ।୧୪
ଯେ ପ୍ରାଣୀ ଇଷ୍ଟ ଆଶା କରେ । ଭୃତ୍ୟ ନ ବୋଲିବ ତାହାରେ । ।୧୫
ଯେ ସ୍ୱାମୀ ଭୃତ୍ୟେ କଷ୍ଟ ଦେଇ । ତା ସ୍ୱାମୀପଣ ରହେ ନାହିଁ । ।୧୬
ନିଷ୍କାମ ଭକ୍ତ ମୁହିଁ ତୋର । ତୁ ନାଥ ଭକତ ସୋଦର । ।୧୭
ରାଜାର ସେବକ ଯେସନେ । ବଞ୍ଚଇ ଆଜ୍ଞା ଅଲଂଘନେ । ।୧୮
ତଥାପି ତୋର ତୋଷ ଅର୍ଥେ । ତୋ ବାକ୍ୟ ପାଳିବା ଉଚିତେ । ।୧୯
ମାଗଇ ବର ତୋର ପାଦେ । ଯେମନ୍ତେ ନ ପଡ଼େ ପ୍ରମାଦେ । ।୨୦
ଏମନ୍ତ ବର ଦିଅ ମୋତେ । ତୋ ମାୟା ତରିବି ଯେମନ୍ତେ । ।୨୧
ଯେ କାମ ମୋର ହୃଦେ ରହି । ବୃକ୍ଷ-ରୋପଣ ପ୍ରାୟେ ହୋଇ । ।୨୨
ପତ୍ର-କୁସୁମ-ଫଳ ଯେତେ । ମୂଳ ସଙ୍କୁଳେ ଜଡ଼େ ଚିତ୍ତେ । ।୨୩
ସେ ବୃକ୍ଷ ହୃଦରେ ନ ରହୁ । ଭୋ ନାଥ ଏହି ବର ହେଉ । ।୨୪
ଇନ୍ଦ୍ରିୟ ମନ ପ୍ରାଣ ସ୍ତୁତି । ଆତ୍ମା ସ୍ୱଧର୍ମ ଧୃତି ମତି । ।୨୫
ଲାଜ ସମ୍ପଦ ତେଜ ଜ୍ଞାନ । ସତ୍ୟ ସନ୍ତୋଷ ବ୍ରତମାନ । ।୨୬
ଯେ କାମେ ଏସର୍ବ ନଶନ୍ତି । ସେ କାମୁଁ ରଖ ଦାଶରଥି । ।୨୭
କାମ-ସଙ୍କଳ୍ପ ଯେତେ ଥାଇ । ଯେ ଜନ୍ମେ ପ୍ରାଣୀ ତା ମୁଞ୍ଚଇ । ।୨୮
ସେ ଜନ୍ମେ ମିଳେ ତୋ ସମୀପେ । ତୋ ସମେ ଅଇଶ୍ୱର୍ଯ୍ୟ କଳ୍ପେ । ।୨୯
ନମୋ ପୁରୁଷ ମହାତ୍ମନ । ନୃସିଂହ ରୂପୀ ଭଗବାନ । ।୩୦
ତୁ ବ୍ରହ୍ମ ପରାମାତ୍ମା ତୁହି । ତୁ ହରି ତୋତେ ମୁଁ ନମଇଁ । ।୩୧
ଏମନ୍ତେ ପ୍ରହଲ୍ଲାଦ ବାଣୀ । ଶୁଣି କହନ୍ତି ଚକ୍ରପାଣି । ।୩୨

ନୃସିଂହ ଉବାଚ

କହନ୍ତି ପ୍ରଭୁ ଭଗବାନ । ଶୁଣ ହେ ଭକତ ପ୍ରଧାନ । ।୩୩
ଏକାନ୍ତ-ଭକ୍ତ ଯେ ମୋହର । ଏ ନିଶ୍ଚେ ତାହାର ବେଭାର । ।୩୪
କେବେ ମୋ ଆଶିଷ ନ କଳ୍ପେ । ଯେ ଭୋଗ ଇହ ପରଲୋକେ । ।୩୫
ତୋର ସଦୃଶ ଭକ୍ତ ଯେତେ । ନିଷ୍କାମେ ଛନ୍ତି ଏ ଜଗତେ । ।୩୬
ତୁ ଏବେ ମୋର ବୋଲ କର । ଏ ଯେତେ କାଳ ମନ୍ୱନ୍ତର । ।୩୭
ଦୈତ୍ୟମାନଙ୍କ ମଧ୍ୟେ ରହି । ଅତୁଲ୍ୟ ଭୋଗ ଭୁଞ୍ଜ ତୁହି । ।୩୮
ତୁ ମୋତେ ସର୍ବଭୂତେ ଭଜ । ଯଜ୍ଞ-ଈଶ୍ୱର ରୂପେ ପୂଜ । ।୩୯
କର୍ମ ବିନାଶି ଯୋଗବଳେ । ସାଧ ଏ ଅବନୀ ମଣ୍ଡଳେ । ।୪୦
ଶରୀର ଛାଡ଼ି କାଳବଳେ । ପଶିବୁ ମୋ ପାଦ କମଳେ । ।୪୧
ତୁ ଯେତେ ସ୍ତୁତି କଲୁ ମୋତେ । ସଂସାର ତାରଣ ନିମନ୍ତେ । ।୪୨
ରଜନୀଅନ୍ତେ ପ୍ରାତଃକାଳେ । ଆନନ୍ଦେ ହୃଦୟ ନିଶ୍ଚଳେ । ।୪୩
ମୋତେ ସ୍ମରିବେ ତୋର ସଙ୍ଗେ । ପାପ ନ ରହୁ ତାଙ୍କ ଅଙ୍ଗେ । ।୪୪
ଅଶେଷ କର୍ମ-ବନ୍ଧ-ପାଶ । ତକ୍ଷଣେ ହୋଇବ ବିନାଶ । ।୪୫
ଏମନ୍ତେ ନରହରି ବାକ୍ୟେ । ଅସୁରପୁତ୍ର ମନ ଶୋକେ । ।୪୬
ପ୍ରହ୍ଲାଦ କରଯୋଡ଼ି ପୁଣ । କହେ ନୃସିଂହ ଅଗ୍ରତେଣ । ।୪୭

ପ୍ରହ୍ଲାଦ ଉବାଚ

ଶୁଣ ହେ ପ୍ରଭୁ ଭଗବାନ । ସକଳ ଭୂତେ ତୋର ସ୍ଥାନ । ।୪୮
ତୁ ବରଦାତାଙ୍କ ଈଶ୍ୱର । ପିତାର ଅର୍ଥେ ମାଗେ ବର । ।୪୯
ତୁ ବ୍ରହ୍ମ ପ୍ରଭୁ ଚକ୍ରପାଣି । ତୋର ମହିମା ସେ ନ ଜାଣି । ।୫୦
ତୋତେ ନିନ୍ଦିଲା କୋପମନେ । ବୋଲେ ଈଶ୍ୱର ମୁଁ ଭୁବନେ । ।୫୧
ଭ୍ରାତ-ମରଣେ କୋପ ବହି । ତୋହର ମହିମା ନିନ୍ଦଇ । ।୫୨
ତୋ ଭକ୍ତ ବୋଲିକରି ମୋତେ । କ୍ରୋଧେ ହିଂସଇ ଅବିରତେ । ।୫୩
ସେ ପାପୁଁ ପିତାଙ୍କୁ ଉଦ୍ଧର । ଭୋ ନାଥ ମାଗେ ଏହି ବର । ।୫୪
ଅମୃତପୂର୍ଣ୍ଣ ଦୃଷ୍ଟି ତୋର । ପଡ଼ଇ ଯାହାର ଉପର । ।୫୫
ପବିତ୍ର ଦୃଷ୍ଟି ଯାରେ ହୋଇ । ଅଙ୍ଗେ ଦୁରିତ ନ ରହଇ । ।୫୬
ଏମନ୍ତେ ଶୁଣି ତା ବଚନ । କହନ୍ତି ପ୍ରଭୁ ଭଗବାନ । ।୫୭

ଭଗବାନ ଉବାଚ

ପ୍ରହ୍ଲାଦ ଶୁଣ ମୋର ବାଣୀ । ତୋ ପିତା ମୋହର କାରେଣୀ । ।୫୮
କଶ୍ୟପ ମରୀଚି ବିଧାତା । ସହିତେ ଉଦ୍ଧରିଲୁ ପିତା । ।୫୯
ଅପର କଳ୍ପେ ପିତୃ ଯେତେ । ସର୍ବେ ପବିତ୍ର ତୋ ଚରିତେ । ।୬୦
ତାହାଙ୍କ କୁଳେ ତୋର ଜନ୍ମ । ତୁ କଲୁ ସକଳ ପାବନ । ।୬୧
ମୋର ଭକତ ଯହିଁ ଥାଇ । ସମଦରଶୀ ଶାନ୍ତ ହୋଇ । ।୬୨
ଜଗତେ ସାଧୁ ସେ ବୋଲାନ୍ତି । ପତିତେ ପବିତ୍ର କରନ୍ତି । ।୬୩
ପ୍ରାଣୀ-ହିଂସନ ତାଙ୍କ ନାହିଁ । ଯେ ଉଚ୍ଚ-ନୀଚେ ଦେହ ବହି । ।୬୪
ମୋହର ଭାବେ ନିତ୍ୟେ ଥାନ୍ତି । ନିଷ୍କାମ ଭାବେ ମୋତେ ଚିନ୍ତି । ।୬୫
ଯେ ପୁଣି ଥାନ୍ତି ତାଙ୍କ ପଛେ । ସେ ମୋର ଭକତ ପ୍ରତ୍ୟକ୍ଷେ । ।୬୬
ତୁ ମୋର ଭକ୍ତମଧ୍ୟେ ସାର । ମହିମା ବର୍ଣ୍ଣିଲୁ ମୋହର । ।୬୭
ଏଣୁ ତୁ ବଇଷ୍ଣବବର । ମୋର ବଚନ ଏବେ କର । ।୬୮
ମୋର ଭକତଜନ ଯେତେ । ଯତ୍ନ କରନ୍ତି ପିତୃ ଅର୍ଥେ । ।୬୯
ପୁତ୍ର-ସ୍ୱଧର୍ମ ଏ ବେଭାର । ପିତାଙ୍କୁ ପ୍ରେତୁଁ କର ପାର । ।୭୦
ମୋ ଅଙ୍ଗ-ସ୍ପର୍ଶରୁ ତୋ ତାତ । ସ୍ୱଭାବେ ହୋଇଛି ମୁକତ । ।୭୧
ବେଦବାଦୀଙ୍କ ବାକ୍ୟ ଅର୍ଥେ । ପିତୃତର୍ପଣ କର ତୀର୍ଥେ । ।୭୨
ମୋ’ ପାଦେ ମନ କର ସ୍ଥିର । ପିଣ୍ଡେ ତୁ ପିତାଙ୍କୁ ଉଦ୍ଧର । ।୭୩

ନାରଦ ଉବାଚ

ନୃସିଂହ ଆଜ୍ଞା ଘେନି ଶିରେ । ପିତାର କର୍ମ ଗଙ୍ଗାତୀରେ । ।୭୪
ଆନନ୍ଦେ ହିରଣ୍ୟର ବଳା । ପିତୃ-ତର୍ପଣ-ପିଣ୍ଡ ଦେଲା । ।୭୫
ବିପ୍ରେ ମିଳିଲେ ବିଷ୍ଣୁ ବାକ୍ୟେ । ପ୍ରହଲ୍ଲାଦର ଅଭିଷେକେ । ।୭୬
କ୍ଷିତିମଣ୍ଡଳେ କଲେ ରାଜା । ନୃପେ କରନ୍ତି ପାଦପୂଜା । ।୭୭
ଅଦ୍ଭୁତ ଦେଖି ତାର କଥା । ଆନନ୍ଦମନେ ସେ ବିଧାତା । ।୭୮
ସର୍ବଦେବଙ୍କୁ ଘେନି ସେଙ୍ଗ । ମିଳିଲେ ନରସିଂହ ଆଗେ । ।୭୯
ଆନନ୍ଦେ କର ଦେଇ ଶିରେ । ପବିତ୍ରବାକ୍ୟେ ସ୍ତୁତି କରେ । ।୮୦

ବ୍ରହ୍ମା ଉବାଚ

ଭୋ ଦେବ ଦେବଙ୍କର ବର । ଅଖିଳ ଲୋକ ସୃଷ୍ଟି କର । ।୮୧
ଭୂତଭାବନ ସର୍ବସିଦ୍ଧି । ତୁ ନାଥ କରୁଣାବାରିଧି । ।୮୨
ଲୋକ-ସନ୍ତାପୀ ଏ ଅସୁର । ଭୋ ନାଥ କଲୁ ତୁ ସଂହାର । ।୮୩
ମୋହର ତହୁଁ ବର ପାଇ । ମୋ ସୃଷ୍ଟି ମଧ୍ୟେ ମୃତ୍ୟୁ ନାହିଁ । ।୮୪
ତପର ତେଜବଳେ ଦୁଷ୍ଟ । ନିଗମମାର୍ଗ କଲା ନଷ୍ଟ । ।୮୫
ତୁ ନାଥ ତାହାକୁ ସଂହାରି । ରଖିଲୁ ବେଦମାର୍ଗ-ଶିରୀ । ।୮୬
ତାହାର ପୁତ୍ର ଭାଗ୍ୟବନ୍ତ । ଦୁର୍ଲ୍ଲଭ ବିଷ୍ଣୁଙ୍କ ଭକତ । ।୮୭
ତାକୁ ରଖିଲୁ ପିତା ମାରି । ମରଣ-ସଙ୍କଟୁ ଉଦ୍ଧରି । ।୮୮
ଏ ନରସିଂହ ରୂପ ତୋର । ଧ୍ୟାନେ ଚିନ୍ତିବେ ଯେତେ ନର । ।୮୯
ସର୍ବ ସଙ୍କଟୁ ହେବେ ପାର । ସ୍ମରଣେ ଫିଟିବ ଦୁସ୍ତର । ।୯୦
ଏମନ୍ତେ ବ୍ରହ୍ମାର ସ୍ତବନ । ଶୁଣି କହନ୍ତି ଭଗବାନ । ।୯୧

ଭଗବାନ ଉବାଚ

ଶୁଣି ବିଧାତା ମୋ ଉତ୍ତର । ତପ ସନ୍ତୋଷେ ଯେବା ବର । ।୯୨
ତପ ସମାଧି ଯୋଗ ସାଧ୍ୟେ । ନ ଦେବୁ ଅସୁରଙ୍କ ମଧ୍ୟେ । ।୯୩
ଦୁଷ୍ଟପ୍ରାଣୀଙ୍କି ବରଦାନ । ସର୍ପକୁ ଯେହ୍ନେ କ୍ଷୀରପାନ । ।୯୪

ନାରଦ ଉବାଚ

ବ୍ରହ୍ମାଙ୍କୁ ବୋଧି ଏ ବଚନ । ଅଦୃଶ୍ୟ ହେଲେ ଭଗବାନ । ।୯୫
ତକ୍ଷଣେ ଶୂନ୍ୟେ ବିଜେକରି । ଲାବଣ୍ୟ ରୂପେ ଦେବହରି । ।୯୬
ଜୟ ଶବଦ ତ୍ରିଭୁବନେ । ପ୍ରହ୍ଲାଦ ଦେଖି ତୋଷମନେ । ।୯୭
ଶିର-ନିବେଶି ବ୍ରହ୍ମାପାଦେ । ନମିଲା ପରମ ଆନନ୍ଦେ । ।୯୮
ସକଳ ପ୍ରଜାପତିଗଣେ । ବନ୍ଦିଲା ଦେବଙ୍କ ଚରଣେ । ।୯୯
ସନ୍ତୋଷ ହୋଇ ପଦ୍ମଯୋନି । ସଙ୍ଗେ ସପତଋଷି ଘେନି । ।୧୦୦
ପ୍ରହ୍ଲାଦେ ସ୍ଥାପି ରାଜପଦେ । ଦୈତ୍ୟ-ଦାନବଙ୍କର ମଧ୍ୟେ । ।୧୦୧
ଆଶିଷ ଦେଲେ ଦେବଗଣେ । ହସ୍ତ ପ୍ରସାରି ଜଣେ ଜଣେ । ।୧୦୨
ପୂଜିଲା ବ୍ରହ୍ମା ଆଦିମୂଳେ । ଇନ୍ଦ୍ରାଦି ଦଶଦିଗପାଳେ । ।୧୦୩
ଅସୁର ପୁତ୍ର ସୁପୂଜିତେ । ସର୍ବେ ପରମାନନ୍ଦ ଚିତ୍ତେ । ।୧୦୪
ସ୍ୱସ୍ଥାନେ ଗଲେ ଦେବଗଣ । ଏବେ ହୋ ଧର୍ମସୁତ ଶୁଣ । ।୧୦୫
ଜୟ-ବିଜୟ ବେନି ଭାଇ । ବିଷ୍ଣୁଭୁବନ-ଦ୍ୱାରେ ଥାଇ । ।୧୦୬
ବ୍ରହ୍ମାକୁମର ଶାପ ଫଳେ । ଜନ୍ମ ଲଭିଲେ ଦିତି-କୋଳେ । ।୧୦୭
ବଇରୀଭାବ ହୃଦେ ଭରି । ବିଷ୍ଣୁ-ଦ୍ରୋହରେ କାଳ ହରି । ।୧୦୮
ହରିର ହସ୍ତେ ପ୍ରାଣ ଦେଇ । ପୁଣି ଜନ୍ମିଲେ ବେନିଭାଇ । ।୧୦୯
ରାକ୍ଷସୀ ଗର୍ଭେ ଅବତାର । ରାବଣ-କୁମ୍ଭକର୍ଣ୍ଣ ବୀର । ।୧୧୦
ସୀତା-ହରଣେ ରାମବାଣେ । ପ୍ରାଣ ଛାଡ଼ିଲେ ଘୋରରଣେ । ।୧୧୧
ବଇରୀ ଭାବେ ଚିତ୍ତ ଦେଇ । ସଂଗ୍ରାମେ ମଲେ ବେନିଭାଇ । ।୧୧୨
ପୁଣି ଏ ଧରଣୀମଣ୍ଡଳେ । ଜନ୍ମ ଲଭିଲେ ରାଜକୁଳେ । ।୧୧୩
ଯେ ଦନ୍ତବକ୍ର ଶିଶୁପାଳ । ତେଜ ସ୍ୱଭାବେ ଅନର୍ଗଳ । ।୧୧୪
ବୈରାନୁବନ୍ଧେ ହରିଦେହେ । ସାଯୁଜ୍ୟ ଲଭିଲେ ସମୂହେ । ।୧୧୫
ଏମନ୍ତେ ଦୁଷ୍ଟ ରାଜାଗଣେ । ବିଷ୍ଣୁ ନିନ୍ଦିଲେ ରିପୁପଣେ । ।୧୧୬
ଅନ୍ତେ ପାଇଲେ ବିଷ୍ଣୁଗତି । ଯେସନେ କୀଟ ପେଶସ୍କୃତି । ।୧୧୭
ଯେ ପ୍ରାଣୀ ଯେମନ୍ତେ ଭଜଇ । ହୃଦେ ଭକତି ଭାବ ବହି । ।୧୧୮
ସେହି ପ୍ରକାରେ ଲଭେ ଗତି । ଯେହ୍ନେ ଗରିଷ୍ଠ ଚେଦିପତି । ।୧୧୯
ଏବେ ହୋ ଶୁଣ ନୃପବର । ହରି ମହିମା ଅଗୋଚର । ।୧୨୦
ଯେବେ ପୁଚ୍ଛିଲୁ ମୋତେ ଭାବେ । ସେ ହରି ଚରିତ ପ୍ରସ୍ତାବେ । ।୧୨୧
ସେ ସର୍ବ ପ୍ରଶ୍ନ ତୋ ଅଗ୍ରତେ । କହିଲୁ ଯଥାଶକ୍ତିମତେ । ।୧୨୨
ଏ କୃଷ୍ଣକଥା ସୁଧାରସ । ଆଦି ଅସୁରଙ୍କ ବିନାଶ । ।୧୨୩
ପ୍ରହଲ୍ଲାଦର ଏ ଚରିତ । ସ୍ୱଭାବେ ମହାଭାଗ୍ୟବନ୍ତ । ।୧୨୪
ଜ୍ଞାନ-ବିରକ୍ତି-ଭକ୍ତିବଳେ । ରହିଲା କୃଷ୍ଣ-ପାଦତଳେ । ।୧୨୫
ବିଷ୍ଣୁର ସର୍ଗ-ସ୍ଥିତି-ଅନ୍ତ । ଯେ ଗୁଣ-କର୍ମାନୁବର୍ଣ୍ଣିତ । ।୧୨୬
ଦେବ-ଦାନବଙ୍କର ସ୍ଥାନ । କେବେହେଁ ନୁହଁଇନା ଆନ । ।୧୨୭
ହରି ଭଜନ ଅବିରତ । ଏ ବିଷ୍ଣୁ ଜନଙ୍କର ମତ । ।୧୨୮
ଅଶେଷ ବଇଷ୍ଣବ ଧର୍ମ । ଏ ଜ୍ଞାନ-ଅଧ୍ୟାତ୍ମ-ବର୍ଣ୍ଣନ । ।୧୨୯
କୃଷ୍ଣ ମହିମା ପୁଣ୍ୟବାଣୀ । ଯେ ନର ଶ୍ରୁତିମାର୍ଗେ ଶୁଣି । ।୧୩୦
ଲୋକେ କହନ୍ତି ଶ୍ରଦ୍ଧାରସେ । ସର୍ବ ଦୁରିତ ଏ ବିନାଶେ । ।୧୩୧
ଏ ଆଦିପୁରୁଷଙ୍କ କଳା । ଶ୍ରୀ ନରସିଂହ ରୂପ ଲୀଳା । ।୧୩୨
ଅସୁର-ବଧ-ଗତି-ବାଣୀ । ଯେ ମୁଖେ କହେ କର୍ଣ୍ଣେ ଶୁଣି । ।୧୩୩
ସନ୍ଥଜନଙ୍କ ପୁଣ୍ୟକଥା । ଅଶେଷ ମୁନିମଧ୍ୟେ ଗାଥା । ।୧୩୪
ପ୍ରସ୍ତାବେ ଶୁଣି ଜନମଧ୍ୟେ । ନିର୍ଭୟେ ଯାନ୍ତି କୃଷ୍ଣପାଦେ । ।୧୩୫
ତୁ ଯେ ପାଣ୍ଡବକୁଳେ ଜାତ । ତ୍ରୈଲୋକ୍ୟେ ମହଭାଗ୍ୟବନ୍ତ । ।୧୩୬
ଲୋକ-ନିସ୍ତାରେ ମୁନିଗଣେ । ତୋର ଭୁବନେ ଅନୁକ୍ଷଣେ । ।୧୩୭
ମିଳନ୍ତି ଘେନି ତୋର ଭାବ । ତୋ ଗୃହେ ବସେ ପଦ୍ମନାଭ । ।୧୩୮
ଯାର ମହିମା ଦେବଗଣେ । ଲୋଡ଼ି ନ ପାନ୍ତି ବେଦ-ବଣେ । ।୧୩୯
ଯେ ବ୍ରହ୍ମ-ନିର୍ବାଣ-ଦୁର୍ଲ୍ଲଭ । କୈବଲ୍ୟ ମୋକ୍ଷ ଅନୁଭବ । ।୧୪୦
ସେ ପ୍ରିୟ ସୁହୃଦ ତୋହର । ସୋଦର ମାତୁଳ କୁମର । ।୧୪୧
ସକଳଆତ୍ମା ସେ ପୂଜିତ । ଅଖିଳଗୁରୁ ଦଇବତ । ।୧୪୨
ତାହାର ମହିମା ବର୍ଣ୍ଣନେ । ଭବ ବିରଞ୍ଚି ଆଦି ଜନେ । ।୧୪୩
ବସ୍ତୁ ବୁଦ୍ଧିରେ ଭାବ ଚିନ୍ତି । କେବେ ହେଁ ବର୍ଣ୍ଣି ନ ପାରନ୍ତି । ।୧୪୪
ମଉନେ ଭକ୍ତିଯୋଗେ ଭଜି । କେବେହେଁ ନ ପାରନ୍ତି ଖୋଜି । ।୧୪୫
ସେ ବଇଷ୍ଣବ ଜନ ଗତି । ତା ପାଦେ ରହୁ ତୋର ମତି । । ୧୪୬
ସେ ହରି ତୋତେ ଦୟା କରୁ । ତୋ ଯଶ ଜଗତେ ବିସ୍ତାରୁ । । ୧୪୭
ପୂର୍ବେ ଯେ ଦେବାସୁର ଯୁଦ୍ଧେ । ରୁଦ୍ରଙ୍କୁ ରଖିଲେ ପ୍ରମାଦେ । ।୧୪୮
ସେ ତୋର କରୁ ସର୍ବଶୁଭ । ସର୍ବଦା ଲଭ ତାର ଭାବ । ।୧୪୯
ଏ ବାଣୀ ମୁନିମୁଖୁଁ ଶୁଣି । କପୋଳେ ଦେଇ ବେନିପାଣି । ।୧୫୦
ବୋଲେ ନାରଦ ମୁଖ ଚାର୍ହି । ଭୋ ମୁନି କର ମୋତେ ତ୍ରାହି । ।୧୫୧

ଯୁଧିଷ୍ଠିର ଉବାଚ

କହ କେବଣ କାଳେ ହରି । ଈଶ୍ୱର-ତ୍ରାସ ଦୂର କରି । ।୧୫୨
ଅସୁର ବଳ କଲେ ନାଶ । ଯେ ହରି ଜଗତ-ବିଶ୍ୱାସ । ।୧୫୩
ଏମନ୍ତ ଧର୍ମସୁତ ବାଣୀ । ଶୁଣି କହନ୍ତି ବ୍ରହ୍ମମୁନି । ।୧୫୪

ନାରଦ ଉବାଚ

ପୂର୍ବେ ଯେ ଦେବାସୁରଗଣେ । ଯୁଦ୍ଧେ ଜିଣିଲେ ଦେବଗଣେ । ।୧୫୫
ଅସୁରେ ପଳାଇ ବିଷାଦେ । ମୟ ଦଇତ୍ୟ ବେନିପାଦେ । ।୧୫୬
କାତରେ ପଶିଲେ ଶରଣ । ଭଗ୍ନସଙ୍କଳ୍ପେ ବୀରଗଣ । ।୧୫୭
ମୟ ଦଇତ୍ୟ ତାହା ଚାହିଁ । ଅସୁରଗଣେ ଦୟାବହି । ।୧୫୮
ବିମାନ କଲା ତିନିପୁର । ଭିତରେ ଘୋର ଅନ୍ଧକାର । ।୧୫୯
କାଞ୍ଚନ ରୌପ୍ୟ ଲୌହମୟ । ଦେଖି ତ୍ରିଦଶେ କଲେ ଭୟ । ।୧୬୦
ଲକ୍ଷି ନ ପାରି ତାକୁ ଭଲେ । ତା ଗତି ଯିବା ଆସିବାରେ । ।୧୬୧
ବିତର୍କି ନୋହେ ପରିଚ୍ଛଦ । ପୂରିତ ଅଶେଷ ଆୟୁଧ । ।୧୬୨
ସେ ରଥେ ବସି ଦୈତ୍ୟଗଣେ । ଦେବଙ୍କୁ ଆବୋରିଲେ ରଣେ । ।୧୬୩
ତିନିଭୁବନ-ଲୋକଶିରୀ । ନାଶନ୍ତି ବଇର ସୁମରି । ।୧୬୪
ଆକୁଳେ ତ୍ରିଭୁବନ-ଲୋକେ । ଶିବ ଭଜିଲେ ଅତିରେକେ । ।୧୬୫
ଡାକନ୍ତି ରଖ ତ୍ରିଲୋଚନ । ତୋ ପାଦେ ପଶିଲୁ ଶରଣ । ।୧୬୬
ଭୁବନେ ରହି ନ ପାରିଲୁ । ଅସୁରଭୟେ ପଳାଇଲୁ । ।୧୬୭
ତ୍ରିପୁରେ ରହି ଅଲକ୍ଷିତେ । ପ୍ରଜା ନାଶିଲେ ଶସ୍ତ୍ରାଘାତେ । ।୧୬୮
ଶୁଣି ଈଶ୍ୱର ତୋଷମନ । ବୋଲନ୍ତି ମଧୁର-ବଚନ । ।୧୬୯
ଭୟ ନ କର ତୁମ୍ଭେ କେହି । ଅସୁର ସଂହାରିବି ମୁହିଁ । ।୧୭୦
ଏମନ୍ତ କହି ତ୍ରିଲୋଚନ । ହସ୍ତେ ଘେନିଲେ ଶରାସନ । ।୧୭୧
ଶର-ସନ୍ଧାନେ ସେ ବିମାନେ । ଧରି ବିନ୍ଧିଲେ କୋପମନେ । ।୧୭୨
ରୁଦ୍ର ନାରଦ ତେଜୋମୟ । ପ୍ରକାଶେ ସୂର୍ଯ୍ୟରଶ୍ମି ପ୍ରାୟ । ।୧୭୩
ଅଦୃଶ୍ୟପୁର ଦୃଶ୍ୟ ହୋଏ । ଭେଦିଲା ଅସୁରଙ୍କ ଦେହେ । ।୧୭୪
ଶିର ହୃଦୟ କର ଛିଡ଼ି । ପଡ଼ିଲେ ମହୀତଳେ ମାଡ଼ି । ।୧୭୫
ଜୀବନ୍ତେ ଭାଜିଲେ ଥୋକାଏ । ଘୋର-ପ୍ରଚଣ୍ଡ ଶରଘାଏ । ।୧୭୬
ମୟ ଦଇତ୍ୟ ଦେଖି ତାହା । ଅସୁର ବଳେ କରି ଦୟା । ।୧୭୭
ମିଳିଲା ଅସୁର ସମୀପେ । ପ୍ରବେଶ କଲା ସୁଧାକୂପେ । ।୧୭୮
ଅମୃତ ରସ ଜଳ ସଙ୍ଗେ । ଲାଗିଲା ଅସୁରଙ୍କ ଅଙ୍ଗେ । ।୧୭୯
ବଜ୍ରର ପ୍ରାୟେ ଦେହ ଧରି । ଉଠିଲେ ଘୋରନାଦ କରି । ।୧୮୦
ପୁରେ ପ୍ରବେଶ ତତକ୍ଷଣ । ଦେଖି ଡରିଲେ ଦେବଗଣ । ।୧୮୧
ଯୁଝନ୍ତି ନାନାଶସ୍ତ୍ର ଘେନି । ଶବଦେ କମ୍ପଇ ମେଦିନୀ । ।୧୮୨
ଭୟେ ପଳାଇ ଦେବଗଣ । ଡାକନ୍ତି ରଖ ନାରାୟଣ । ।୧୮୩
ଦେଖି ଶଙ୍କର ମନଦୁଃଖ । ଭଗ୍ନ ସଙ୍କଳ୍ପ ଅତିରେକ । ।୧୮୪
ବିମୁଖ ଦେଖିଣ ଶଙ୍କର । ଉପାୟ କଲେ ଚକ୍ରଧର । ।୧୮୫
ବ୍ରହ୍ମାଙ୍କୁ ବତ୍ସାରୂପ କରି । କୃଷ୍ଣ ସୁରଭୀ ରୂପ ଧରି । ।୧୮୬
ବଦନ ରସକୂପେ ଭରି । ନିମିଷେ ପାନ କଲେ ହରି । ।୧୮୭
ଯେତେ ଅସୁର ଜଗିଥିଲେ । ନିଷେଧି କେହି ନ ପାରିଲେ । ।୧୮୮
ଚାହିଁ ଅସୁରଙ୍କ ବଦନ । ବୋଲଇ ମୟ ଯାତୁଧାନ । ।୧୮୯
ଦେବ ଅସୁର କିବା ନର । କର୍ମକୁ ନୁହଁନ୍ତି ଈଶ୍ୱର । ।୧୯୦
ଯେ କର୍ମ ଅତି ବଳୀୟାର । ସେ ନ ଜାଣଇ ଆତ୍ମାପର । ।୧୯୧
ସେ ନିଶ୍ଚେ ହାନିଲାଭ କରେ । କେବା ନିବାରି ତାକୁ ପାରେ । ।୧୯୨
ତକ୍ଷଣେ ପ୍ରଭୁ ନରହରି । ରୁଦ୍ର-ଶରୀରେ ତେଜ ଭରି । ।୧୯୩
ସେ ବିଷ୍ଣୁଶକ୍ତି ବଳେ ବଳ । ତେଜେ ବିରାଜେ ଅନର୍ଗଳ । ।୧୯୪
ବିରକ୍ତି ଜ୍ଞାନ ଧର୍ମ ଋଦ୍ଧି । ଯେ ତପବିଦ୍ୟା କ୍ରିୟା ଆଦି । ।୧୯୫
ଏ ସପ୍ତଗୁଣ ସପ୍ତତେଜ । ରଥ ସାରଥି ମହାଧ୍ୱଜ । ।୧୯୬
ସାରଙ୍ଗ ଧନୁ ତ୍ରୋଣ ଶର । ରୁଦ୍ରଙ୍କୁ ଦେଲେ ଦାମୋଦର । ।୧୯୭
ଏ ଆଦି ନାନାଶସ୍ତ୍ର ଯେତେ । ରୁଦ୍ରଙ୍କୁ ଦେଲେ ଜଗନ୍ନାଥେ । ।୧୯୮
ବର୍ମେ ଆଚ୍ଛାଦି ଦେହ ହର । କରେ ଧଇଲେ ଧନୁଶର । ।୧୯୯
ମଧ୍ୟାହ୍ନ-ସମୟେ ଶଙ୍କର । ବିମାନେ ବିଜେ ରୋଷଭର । ।୨୦୦
ଅନଳଗର୍ଭ-ବାଣ ବିନ୍ଧି । ସର୍ବ ଅସୁର ବଳ ଛେଦି । ।୨୦୧
ତ୍ରିପୁର କଲେ ସେ ଦହନ । ହରଷ ଦେବଙ୍କର ମନ । ।୨୦୨
ବିମାନେ ଶତଶଙ୍ଖ ଶୂନ୍ୟେ । ଦୁନ୍ଦୁଭି-ବାଦ୍ୟ-ନାଦ ଘନେ । ।୨୦୩
ପିତୃ ଦେବତା ସିଦ୍ଧଗଣେ । ପୁଷ୍ପ ବରଷି ତତକ୍ଷଣେ । ।୨୦୪
କୁସୁମ-ବୃଷ୍ଟି ରୁଦ୍ର ଶିରେ । ଜୟ-ଶବଦ ନିରନ୍ତରେ । ।୨୦୫
ଆନନ୍ଦ ମନେ ଶୁଭଗାନେ । ନାଚନ୍ତି ଅପସରାଗଣେ । ।୨୦୬
ଏହି ପ୍ରକାରେ ତିନିପୁର । ଦହନ କଲେ ଦେବହର । ।୨୦୭
ବ୍ରହ୍ମାଦି ଦେବେ କଲେ ସ୍ତୁତି । ସ୍ୱଗୃହେ ଗଲେ ଉମାପତି । ।୨୦୮
ଏହି ପ୍ରକାରେ ନରହରି । ମାୟା-ମନୁଷ୍ୟ ରୂପ ଧରି । ।୨୦୯
ଯେ କର୍ମ କଲେ ଏ ଜଗତେ । ମୁନି ବର୍ଣ୍ଣନ୍ତି ତାହା ଗୀତେ । ।୨୧୦
ଲୋକ-ପାବନ ଯା ମହିମା । ଏଣୁ କେ କହୁ ଗୁଣସୀମା । ।୨୧୧
ସପ୍ତମ ସ୍କନ୍ଧେ ହରିବାଣୀ । ଶୁଣି ସଂସାରୁ ତର ପ୍ରାଣୀ । ।୨୧୨
ଭଣଇ ବିପ୍ର ଜଗନ୍ନାଥ । ଗୀତପ୍ରବନ୍ଧେ ଭାଗବତ । ।୨୧୩
ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ସପ୍ତମସ୍କନ୍ଧେ ତ୍ରିପୁରବିଜୟୋ ନାମ ଦଶମୋଽଧ୍ୟାୟଃ । ।

ଏକାଦଶ ଅଧ୍ୟାୟସମ୍ପାଦନ କରନ୍ତୁ

ନାରଦ ଯୁଧିଷ୍ଠିର ପାଶେ । କହନ୍ତି ଅଧ୍ୟା ଏକାଦଶେ । ।୧
ମନୁଷ୍ୟ-ବର୍ଣ୍ଣ ଧର୍ମ ଯେତେ । ଯେ ଚାରିବର୍ଣ୍ଣ ଏ ଜଗତେ । ।୨
ନ ଥାନ୍ତି ପାଷଣ୍ଡଙ୍କ ମତେ । ଗୋବିନ୍ଦ ଭଜି ଶୁଦ୍ଧଚିତ୍ତେ । ।୩
ମୋକ୍ଷ ସାଧନ ଆଦି କରି । ଯେ କର୍ମେ ସିଦ୍ଧି ନରହରି । ।୪
ଦଶଅଧ୍ୟାରେ ମହାମୁନି । କହିଲେ ଭକ୍ତିଜ୍ଞାନ ବେନି । ।୫
ପାଞ୍ଚଅଧ୍ୟାରେ ପୁଣି ଏବେ । କର୍ମଯୋଗକୁ ସେ କହିବେ । ।୬
ଶୁକ କହନ୍ତି ଭକ୍ତିମାର୍ଗେ । ଆନନ୍ଦେ ପରୀକ୍ଷିତ ଆଗେ । ।୭

ଶୁକ ଉବାଚ

ଶୁଣି ନାରଦ ମୁଖୁଁ କଥା । ସେ ଧର୍ମସୁତ ଶୁଦ୍ଧଚେତା । ।୮
ସେ ପ୍ରହଲ୍ଲାଦର ଚରିତ । ସୁସାଧୁ-ସଭାମଧ୍ୟେ ଗୀତ । ।୯
ଉତ୍ତମ ମଧ୍ୟେ ଯେ ଅଗ୍ରଣୀ । ଯାହାର ଆତ୍ମା ଚକ୍ରପାଣି । ।୧୦
ତାର ଚରିତ ଧର୍ମସୁତ । ଶୁଣି ଆନନ୍ଦେ ହରଷିତ । ।୧୧
ବ୍ରହ୍ମାନନ୍ଦନ ପରିମୁଖେ । ପୁଣି ପୁଚ୍ଛିଲେ ଆତ୍ମସୁଖେ । ।୧୨

ଯୁଧିଷ୍ଠିର ଉବାଚ

ମନୁଷ୍ୟ ଜନ୍ମର ସ୍ୱଧର୍ମ । ଯେ ବର୍ଣ୍ଣେ ସାଧି ଯେବା କର୍ମ । ।୧୩
ଈଶ୍ୱରବାକ୍ୟେ ଧର୍ମ ସାଧି । ଯେବା ଆଶ୍ରମେ ଯେବା ବିଧି । ।୧୪
ଧର୍ମ ସମ୍ପାଦି କର୍ମମଧ୍ୟେ । ଅନ୍ତେ ପଶନ୍ତି କୃଷ୍ଣପାଦେ । ।୧୫
ଏହା ଶୁଣିବି ଇଚ୍ଛା ମୋର । ହେ ମୁନି ମୋତେ ଦୟାକର । ।୧୬
ତୁମ୍ଭେ ଯେ ପଦ୍ମଯୋନି ସୁତ । ଜାଣ ସକଳ ପରମାର୍ଥ । ।୧୭
ସମାଧି ତପ ଜ୍ଞାନ ତୋର । ସନ୍ତୋଷ ତୋତେ ବେଦବର । ।୧୮
ଯେ ବିପ୍ର ନାରାୟଣ ପର । କି ଅବା ତାର ଅଗୋଚର । ।୧୯
କରୁଣାବନ୍ତ ଶାନ୍ତ ଦେହେ । ଯେବା ଅଛନ୍ତି ତୁମ୍ଭ ପ୍ରାୟେ । ।୨୦
ସେ ଗୁପ୍ତ ଧର୍ମକୁ ଜାଣନ୍ତି । ଯେ ଧର୍ମ ଅନ୍ୟେ ନ ଜାଣନ୍ତି । ।୨୧
କେବଳ ଦୟାସିନ୍ଧୁ ଧୀର । ଅଶେଷ ଜ୍ଞାନର ଈଶ୍ୱର । ।୨୨
ଏମନ୍ତେ ରାଜା ଭାବ ଘେନି । ହସି କହନ୍ତି ବ୍ରହ୍ମମୁନି । ।୨୩

ନାରଦ ଉବାଚ

ନମଇଁ ପ୍ରଭୁ ନରହରି । ଅଜନ୍ମା ଜନ୍ମ-ରୂପ ଧରି । ।୨୪
ଅଶେଷ ପ୍ରାଣୀ ଧର୍ମସେତୁ । ପ୍ରକାଶ କଲେ ପାର ହେତୁ । ।୨୫
ସେ ସନାତନ-ଧର୍ମ-ବାଣୀ । ମୁଁ ନାରାୟଣ ମୁଖୁଁ ଶୁଣି । ।୨୬
ସକଳ ଲୋକ ଧର୍ମ ଅର୍ଥେ । କହିବି ନରନାଥ ତୋତେ । ।୨୭
ସେ ଅବତାର ଆତ୍ମାଅଂଶେ । ଜନ୍ମ ଲଭିଲେ ଧର୍ମବଂଶେ । ।୨୮
ଦକ୍ଷକନ୍ୟାର ଗର୍ଭେ ହରି । ଜନ୍ମିଲେ ଋଷି ରୂପ ଧରି । ।୨୯
ସଂସାର ଲୋକ ସିଦ୍ଧି କାମେ । ସେ ବସି ବଦରିକାଶ୍ରମେ । ।୩୦
ତପ ସାଧନ୍ତି ଦୃଢ଼କରି । ନୃ-ନାରାୟଣ ରୂପ ଧରି । ।୩୧
ଯେ ହରି ସର୍ବଦେହେ ଆତ୍ମା । ଧର୍ମର ମୂଳ ଶୁଦ୍ଧକର୍ମା । ।୩୨
ତାର ବଚନ ଶ୍ରୁତିପଥେ । ଯେ ପ୍ରାଣୀ ଶୁଣେ ଅବିରତେ । ।୩୩
ଭକ୍ତି ସମ୍ପାଦି ତା ଚରଣ । ଆନନ୍ଦେ ପଶନ୍ତି ଶରଣ । ।୩୪
ସତ୍ୟ ଶଉଚ ଦୟା ତପ । ତିତିକ୍ଷା ଶମ ଦମ କଳ୍ପ । ।୩୫
ଅହିଂସା ବ୍ରହ୍ମଚର୍ଯ୍ୟ ତ୍ୟାଗ । ସାଧୁ ଶରୀର ରିପୁଭୋଗ । ।୩୬
ସନ୍ତୋଷ ସମଦୃଷ୍ଟି ସେବା । ଯେଣେ ସନ୍ତୋଷ ଋଷିଦେବା । ।୩୭
କର୍ମେ ନିବୃତ୍ତି ଗ୍ରାମ୍ୟଧର୍ମ । ମଉନ ଆତ୍ମବିଚାରଣ । ।୩୮
ହୃଦେ ନିରୋଧ ଦୁଷ୍ଟମନ । ଏ ପ୍ରାଣୀ ସାଧାରଣ-ଧର୍ମ । ।୩୯
ତତ୍ତ୍ୱ-ଧାରଣା ତତ୍ତ୍ୱଜ୍ଞାନ । ଯା ଦେଖି ରହିବ ଚେତନ । ।୪୦
ବିଷୟ କର୍ମ ଜାଣି ବ୍ୟର୍ଥ । କେବେ ନ ଦେବ ତହିଁ ଚିତ୍ତ । ।୪୧
ନ କରି ଅନ୍ୟ ଭୋଗାଭୋଗ । ଭୂତ ଅତିଥି ପୂଜ ଆଗ । ।୪୨
ଆତ୍ମା ଦେବତାବୁଦ୍ଧି କରି । ଏ ଭାବେ ଗୃହେ ଥିଲେ ତରି । ।୪୩
ଶ୍ରୀକୃଷ୍ଣ ନାମ ଅନୁକ୍ଷଣ । ସ୍ମରଣ ଶ୍ରବଣ କୀର୍ତ୍ତନ । ।୪୪
ସେବା ପୂଜନ ଦାସପଣ । ସୁସଖ୍ୟ ଆତ୍ମନିବେଦନ । ।୪୫
ପରମଧର୍ମ ଏ ପ୍ରସିଦ୍ଧି । ମନୁଷ୍ୟ-ଜନ୍ମର ଏ ବିଧି । ।୪୬
କୁଳ ଲକ୍ଷଣ ଧର୍ମ ଏହି । ଯେଣେ ସନ୍ତୋଷ ଭାବଗ୍ରାହୀ । ।୪୭
ଅଖିଳ-ସଂସ୍କାର-କାରଣେ । ବେଦ ଅଭ୍ୟାସିବେ ବ୍ରାହ୍ମଣେ । ।୪୮
ବ୍ରାହ୍ଣଣ ଆଦି ତିନିବର୍ଣ୍ଣ । ଯଜନ ଦାନ ଅଧ୍ୟୟନ । ।୪୯
ଜନ୍ମାଦି -କ୍ରିୟାକର୍ମ ଯେତେ । ଚତୁର-ଆଶ୍ରମ ସହିତେ । ।୫୦
ପଠନଆଦି ଷଟକର୍ମ । ବ୍ରାହ୍ମଣ-ଜନର ଏ ଧର୍ମ । ।୫୧
ରାଜାର ଧର୍ମ ପ୍ରଜା ରକ୍ଷା । ଆଦାନ ବିନେ ପଞ୍ଚଦୀକ୍ଷା । ।୫୨
ବାଣିଜ୍ୟ କୃଷି ଗୋରକ୍ଷଣ । ବୈଶ୍ୟଜନର ଏ ଲକ୍ଷଣ । ।୫୩
ଶୂଦ୍ରଜନର ଦ୍ୱିଜସେବା । ଯେଣେ ସନ୍ତୋଷ ସର୍ବଦେବା । ।୫୪
ଯେ ଧର୍ମ ଶ୍ରୁତି-ସ୍ତୁତି-ଭେଦେ । ତାହା ସାଧିବ ନିରାପଦେ । ।୫୫
ଆପଦେ ଅନ୍ୟ ବର୍ଣ୍ଣକର୍ମେ । ସାଧି ବଞ୍ଚିବ ତିନିବର୍ଣ୍ଣେ । ।୫୬
ବିପ୍ର-ଜୀବନ-ବୃତ୍ତି ଅର୍ଥେ । କୃଷି ଅଥବା ଅଯାଚିତେ । ।୫୭
ଧାନ୍ୟ-ଯାଚଜ୍ଞା ପ୍ରତିଦିନ । ଯେ ଅବା ବୃତ୍ତି ଶିଳେଳାଞ୍ଛନ । ।୫୮
ବାଣିଜ୍ୟ କରି ବା ବଞ୍ଚିବ । ନୀଚକୁ ସେବା ନ କରିବ । ।୫୯
ବିପ୍ର କ୍ଷତ୍ରିୟ ବେନିବର୍ଣ୍ଣ । ବର୍ଜିବ ନିନ୍ଦାବୃତ୍ତି ମାନ । ।୬୦
ଏତେ ଲକ୍ଷଣ ତୋତେ କହି । ରାଜନ ଶୁଣ ମନଦେଇ । ।୬୧
ତପ ଶଉଚ ଶମ ଦମ । ସନ୍ତୋଷ ଋଜୁ କ୍ଷମା ଜ୍ଞାନ । ।୬୨
ସଦା ଅଚ୍ୟୁତ ଆତ୍ମା ସତ୍ୟ । ବିପ୍ରଲକ୍ଷଣ ଏ ବିହିତ । ।୬୩
ତେଜ ଶଉର୍ଯ୍ୟ ବୀର୍ଯ୍ୟ ଧୃତି । ତ୍ୟାଗ ସଂଯମ ସତ୍ୟ ଶାନ୍ତି । ।୬୪
ନିତ୍ୟେ ପ୍ରସନ୍ନ ବିପ୍ରରକ୍ଷା । କ୍ଷତ୍ରିୟ ଲକ୍ଷଣ ଏ ଦୀକ୍ଷା । ।୬୫
ଗୁରୁ ଅଚ୍ୟୁତ ଦେବେ ଭକ୍ତି । ତ୍ରିବର୍ଗ ସାଧନ ଯେ ନିତି । ।୬୬
ଆସ୍ତିକ୍ୟ ଉଦ୍ୟମ ନୈପୁଣ୍ୟ । ବୈଶ୍ୟଜନର ଏ ଲକ୍ଷଣ । ।୬୭
ଅକପଟରେ ସ୍ୱାମୀ ସେବା । କେବେ ହେଁ ଚୋରି ନ କରିବା । ।୬୮
ସତ୍ୟ ଯେ ଗୋ-ବିପ୍ର ରକ୍ଷଣ । ମନ୍ତ୍ରବିହୀନେ ଯଜ୍ଞକର୍ମ । ।୬୯
ସାଧୁ ବିନତି ଶୌଚକର୍ମ । ଶୂଦ୍ରଜନର ଏ ସ୍ୱକର୍ମ । ।୭୦
ଏବେ ହୋ ଯୁଧିଷ୍ଠିର ଶୁଣ । ସ୍ତିରୀଜନର ଯେ ଲକ୍ଷଣ । ।୭୧
ସ୍ୱାମୀର ଚରଣ-କମଳେ । ସେବିବ ମନର ନିଶ୍ଚଳେ । ।୭୨
ସ୍ୱାମୀର ବନ୍ଧୁ ଥିବେ ଯେତେ । ତାଙ୍କ ତୋଷଣେ ଥିବ ନିତ୍ୟେ । ।୭୩
ପତିବ୍ରତାଙ୍କ ଏ ଲକ୍ଷଣ । ନିଗମ-ବଚନ ପ୍ରମାଣ । ।୭୪
ଗୃହମାର୍ଜନ ଉପଲେପ । ମଣ୍ଡନ ସାୟଂକାଳେ ଦୀପ । ।୭୫
ଶୌଚ ମାର୍ଜନ ତନୁ କେଶ । ହରିଦ୍ରା ସୁଗନ୍ଧ ଉତ୍କର୍ଷ । ।୭୬
ଶୁଦ୍ଧ ସୁନିତ୍ୟକର୍ମ ସ୍ନାନ । ପବିତ୍ର ସାତ୍ତ୍ୱିକ ଭୋଜନ । ।୭୭
ଆତ୍ମ-ମଣ୍ଡନ ନିରନ୍ତରେ । ଭୂଷଣ କଜ୍ଜ୍ୱଳ ସିନ୍ଦୂରେ । ।୭୮
ବିନୟେ ଦମେ ସାଧ୍ୱୀ ନାରୀ । ଯେ ଉଚ୍ଚନୀଚ କର୍ମ କରି । ।୭୯
ସର୍ବଦା ସ୍ନେହ ସତ୍ୟଶୀଳେ । ଭଜିବ ପତି କାଳେ-କାଳେ । ।୮୦
ସତ୍ୟବଚନେ ପ୍ରେମେ ସଦା । ପତିଙ୍କି ଭଜିବ ସର୍ବଦା । ।୮୧
ସନ୍ତୋଷ ଅଲୋଭ ସୁଦକ୍ଷ । ଧର୍ମଜ୍ଞ ପ୍ରିୟ ସତ୍ୟବାକ୍ୟ । ।୮୨
ଶୁଚି ସୁସିଗ୍ଧେ ସେ ଆନନ୍ଦେ । ନିରତେ ସେବେ ସ୍ୱାମୀପାଦେ । ।୮୩
ସେବା କରିବ ଜନ୍ତୁଜନେ । ପରପୁରୁଷ ପିତୃଜ୍ଞାନେ । ।୮୪
ଯେ ନାରୀ ହରି ଭାବେ ନିତି । ସେବା କରନ୍ତି ନିଜ ପତି । ।୮୫
ସେ ନାରୀ ଲକ୍ଷ୍ମୀପ୍ରାୟ ହୋଇ । ପତିର ହସ୍ତେ ହସ୍ତ ଦେଇ । ।୮୬
ପତି ସଙ୍ଗତେ ବିଷ୍ଣୁଲୋକେ । ବସଇ ଆନନ୍ଦେ ଅଶୋକେ । ।୮୭
ଅନ୍ୟଜାତିର ଯେବା ଧର୍ମ । ନିୟତ କୁଳର ସେ କର୍ମ । ।୮୮
ଏମନ୍ତ ଧର୍ମ ଯୁଗେ ଯୁଗେ । ଜାଣି ସେବନ୍ତି ଅନୁରାଗେ । ।୮୯
ବେଦଦୃଷ୍ଟିରେ ବିପ୍ରଜନେ । ଧର୍ମ କହନ୍ତି ଅବଧାନେ । ।୯୦
ଯେ ଧର୍ମେ ଇହ ପରଲୋକେ । ପ୍ରାଣୀ ତରନ୍ତି ଆତ୍ମସୁଖେ । ।୯୧
ବୃତ୍ତି-ସ୍ୱଭାବେ କ୍ରିୟା ଘେନି । ଯେ ଧର୍ମ ଇହପରେ ମାନି । ।୯୨
ବର୍ତ୍ତନ୍ତି ସ୍ୱକର୍ମ-କରଣେ । ସେ ନରେ ପଶନ୍ତି ନିର୍ଗୁଣେ । ।୯୩
ନିରତେ ତପ-ବ୍ରତ କରି । ବିଷ୍ଣୁମାୟାରୁ ଯାନ୍ତି ତରି । ।୯୪
ନିଷ୍କାମମାର୍ଗେ ଯେବେ ଭଜେ । ଅଙ୍କୁର ଯେହ୍ନେ ଦଗ୍ଧବୀଜେ । ।୯୫
କେବେହେଁ ବୃକ୍ଷ ସେ ନୁହଇ । ଯତ୍ନ କଲେହେଁ ନାଶ ଯାଇ । ।୯୬
କି ଅବା କାମ ଜଡ଼ଚିତ୍ତେ । ଯେବେ ସେବଇ ଅବିରତେ । ।୯୭
ତେବେ ବିରକ୍ତ ଚିତ୍ତ ହୋଏ । ବହୁତ ଘୃତେ ଅଗ୍ନି ପ୍ରାୟେ । ।୯୮
ସେ ବର୍ଣ୍ଣେ ଯେମନ୍ତ ଲକ୍ଷଣ । ଦେବେ ବର୍ଣ୍ଣନ୍ତି ମୁନିଗଣ । ।୯୯
ତା ଅଧୋଊର୍ଦ୍ଧ୍ୱେ ଯେବେ ଦେଖି । ସେ ବର୍ଣ୍ଣଧର୍ମେ ତାକୁ ଲେଖି । ।୧୦୦
ଏମନ୍ତ ଧର୍ମ ଅନୁବାଦେ । ମୁନି କହନ୍ତି ସଭାମଧ୍ୟେ । । ୦୧
ଶୁଣି ସାନନ୍ଦ ଧର୍ମସୁତ । କହଇ ଦାସ ଜଗନ୍ନାଥ । ।୧୦୨
ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ସପ୍ତମସ୍କନ୍ଧେ ଯୁଧିଷ୍ଠିର ନାରଦ ସମ୍ବାଦେ ସଦାଚାର ନିର୍ଣ୍ଣୟୋ ନାମ ଏକାଦଶୋଽଧ୍ୟାୟଃ । ।

ଦ୍ୱାଦଶ ଅଧ୍ୟାୟସମ୍ପାଦନ କରନ୍ତୁ

ନାରଦ ଉବାଚ

ଶୁଣ ହେ ଧର୍ମର ନନ୍ଦନ । ବନସ୍ଥ-ବ୍ରହ୍ମଚାରୀ-ଧର୍ମ । ।୧
ଗୃହସ୍ଥ-ଭିକ୍ଷୁଧର୍ମ ଯେତେ । ଏବେ କହିବା ତୋ ଅଗ୍ରତେ । ।୨
ଗୁରୁ-ଭୁବନେ ବ୍ରହ୍ମଚାରୀ । ବସିବ ଦୃଢ଼ବ୍ରତ କରି । ।୩
ସ୍ୱଭାବେ-ତପକ୍ଳେଶ ଯୁତେ । ନିରତେ ଥିବ ଗୁରୁହିତେ । ।୪
ସୁହୃଦ-ସୁଦୃଢ଼-ଲକ୍ଷଣେ । ଆଜ୍ଞା ବହିବ ଦାସପଣେ । ।୫
ଗୁରୁ ଅନଳ ସୁରୋତ୍ତମ । ତ୍ରିସନ୍ଧ୍ୟା କରିବ ପ୍ରମାଣ । ।୬
ଉଭୟ ସନ୍ଧ୍ୟାରେ ମଉନ । ଜପିବ ବ୍ରହ୍ମ-ସନାତନ । ।୭
ବେଦ ପଢ଼ିବ ନିରନ୍ତରେ । ଗୁରୁବଚନ ଧରି ଶିରେ । ।୮
ନିକଟେ ଥିବ ଶୁଦ୍ଧଚିତ୍ତେ । ଚରଣେ ନମି ବେନିହସ୍ତେ । ।୯
ମେଖଳା ଚର୍ମ କଉପୀନ । ଦଣ୍ଡ କମଣ୍ଡଳୁ ଧାରଣ । ।୧୦
ଯଜ୍ଞୋପବୀତ ଦର୍ଭପାଣି । ଯେବା କଳ୍ପିତ ଅନ୍ନ ଆଣି । ।୧୧
ବିପ୍ରଭୁବନୁ ମାଗି ଭିକ୍ଷା । ଦୃଢ଼େ ରଖିବ ଗୁରୁଦୀକ୍ଷା । ।୧୨
ପଞ୍ଚଭୁବନୁ ଯା ପାଇବ । ଗୁରୁ-ସମୀପେ ସମର୍ପିବ । ।୧୩
ଯେ ଧର୍ମ ବ୍ରହ୍ମଚାରୀ ଦୀକ୍ଷା । ଗୁରୁ-ବଚନେ କରି ଭିକ୍ଷା । ।୧୪
ଗୁରୁ-ଆଜ୍ଞାରେ ତା ଭୁଞ୍ଜିବ । ନୋହିଲେ ଉପବାସେ ଥିବ । ।୧୫
ସୁଶାନ୍ତ ମନେ ବଞ୍ଚି ଦିନ । କରିବ ଉଶ୍ୱାସ ଭୋଜନ । ।୧୬
ଗୁରୁଙ୍କ କାର୍ଯ୍ୟେ ଦକ୍ଷପଣେ । ଶ୍ରଦ୍ଧା କରିବ ଅନୁକ୍ଷଣେ । ।୧୭
ଇନ୍ଦ୍ରିୟଗଣ କରି ବନ୍ଦୀ । ଚଞ୍ଚଳମନ ହୃଦେ ରୁନ୍ଧି । ।୧୮
ସ୍ତିରୀ ସ୍ତ୍ରୀବଶ ଲୋକମେଳେ । ସଙ୍ଗେ ନଥିବ ସର୍ବକାଳେ । ।୧୯
ନଶୁଣି ସ୍ତିରୀଙ୍କ ବଚନ । ନକରି ମୁଖାବଲୋକନ । ।୨୦
କେଶ-ପ୍ରସାଧନ ମର୍ଦ୍ଧନ । ସ୍ନାହାନ ବେଶ ଆଦିକର୍ମ । ।୨୧
ଗୁରୁକାମିନୀଙ୍କ ଗୋଚରେ । ଦୃଢ଼େ ବର୍ଜିବ ଅତି ଦୂରେ । ।୨୨
ଯୁବତୀଜନ ଅଗ୍ନିସ୍ତମ୍ଭ । ପୁରୁଷ-ଦେହ ଘୃତକୁମ୍ଭ । ।୨୩
ଏଣୁ ଯୁବତୀ ଦୂର କରି । ଧର୍ମ ସାଧିବ ବ୍ରହ୍ମଚାରୀ । ।୨୪
ଜୀବ ଈଶ୍ୱର ଭେଦଜ୍ଞାନ । ଯାବତ ନ ଛାଡ଼ଇ ମନ । ।୨୫
ତାବତ ଥାଏ ଦ୍ୱୈତ ଭ୍ରମ । ଏ ସ୍ତିରୀ ଏ ପୁରୁଷ ଜ୍ଞାନ । ।୨୬
ଏଣୁ ତା ଭୋଗେ ହୋଏ ମତି । ତେଣୁ ଛାଡିବ ସ୍ତ୍ରୀ ସଙ୍ଗତି । ।୨୭
ଏ ସର୍ବ ବ୍ରହ୍ମଚାରୀ-ବ୍ରତ । ପାଳିବ ଯଦି ଯେ ଗୃହସ୍ଥ । ।୨୮
ସ୍ତିରୀ-ଗମନ ଋତୁକାଳେ । ଉଚିତ ଗୃହସ୍ଥାଶ୍ରମରେ । ।୨୯
ଅଞ୍ଜନ-ତଇଳ-ମର୍ଦ୍ଧନ । ସ୍ତିରୀ ବା ସ୍ତ୍ରୀ ମୂର୍ତ୍ତି ଦର୍ଶନ । ।୩୦
ଭୂଷା-ଲେପନ ମାଲ୍ୟ ଗନ୍ଧ । ତେଜିବ ବ୍ରହ୍ମଚାରୀ ମଦ୍ୟ । ।୩୧
ଏମନ୍ତେ ବଞ୍ଚି ଗୁରୁପୁରେ । ବେଦ-ଅଭ୍ୟାସ ନିରନ୍ତରେ । ।୩୨
ଅଙ୍ଗ-ଉପାଙ୍ଗ ବେଦ ପଢ଼ି । ଗୁରୁ-ସମୀପେ କରଯୋଡ଼ି । ।୩୩
ଉଭା ହୋଇଣ ଗୁରୁଆଗେ । ଆଜ୍ଞା ମାଗିବ ଅନୁରାଗେ । ।୩୪
ଗୁରୁ-ବଚନ ଶିରେ ଧରି । ତେବେ ବଞ୍ଚିବ ଗୃହକରି । ।୩୫
ଅଥବା ବନସ୍ତେ ପଶିବ । ସନ୍ନ୍ୟାସମତେ ବା ବଞ୍ଚିବ । ।୩୬
ଗୁରୁ ଅନଳ ସର୍ବଦେହେ । ତୁଲ୍ୟେ ଦେଖିବ ବିଷ୍ଣୁମୟେ । ।୩୭
ଏହି ପ୍ରକାରେ ସାଧି ଧର୍ମ । ଯେବା ଆଶ୍ରମେ ଯେବା କର୍ମ । ।୩୮
ଯେବା ସାଧନ୍ତି ଅପ୍ରମାଦେ । ଅନ୍ତେ ପଶନ୍ତି କୃଷ୍ଣପାଦେ । ।୩୯
ଏବେ ହୋ ଶୁଣ ମହୀପତି । ଆଶ୍ରମ ବାନପ୍ରସ୍ଥ ଗତି । ।୪୦
ବନସ୍ତେ ଧର୍ମ ସାଧି ସୁଖେ । ଅନ୍ତେ ମିଳନ୍ତି ମୁନିଲୋକେ । ।୪୧
ଭକ୍ଷଣ ଫଳ-ମୂଳ-ଶାକ । ଅଗ୍ନିରେ ନ କରିବ ପାକ । ।୪୨
ନବୀନ ଫଳମୂଳ ଲାଭେ । ପୁରୁଣା ତେଜିବ ସ୍ୱଭାବେ । ।୪୩
ବନ-ସମ୍ଭବ ବସ୍ତୁ ଘେନି । କାଳେ ପୂଜିବ ଈଷ୍ଟ ଅଗ୍ନି । ।୪୪
ଅଗ୍ନି-ରକ୍ଷଣ ଅର୍ଥେ ଘର । ଅଥବା ପର୍ବତ-କନ୍ଦର । ।୪୫
କେଶ-ଲୋମାଦି ନଖ ଶ୍ମଶ୍ରୁ । ଜଟିଳ କଷାବସ୍ତ୍ର ପାଂଶୁ । ।୪୬
ଦଣ୍ଡ କମଣ୍ଡଳୁ ଅଜିନ । ବୃକ୍ଷ-ବକଳ ପରିଧାନ । ।୪୭
ତ୍ରିସନ୍ଧ୍ୟା କରିବ ସ୍ନାହାନ । ବାଲୁକା-ମଣ୍ଡଳେ ଶୟନ । ।୪୮
ଏମନ୍ତେ ଦ୍ୱାଦଶ-ବତ୍ସର । ବନେ ବଞ୍ଚିବ ବ୍ରତଧର । ।୪୯
ଅଷ୍ଟ-ବରଷ କିବା ଅର୍ଦ୍ଧେ । ଧର୍ମ ସାଧିବ ଅପ୍ରମାଦେ । ।୫୦
ବେନିବରଷ କିବା ଏକ । ବଞ୍ଚିବ ଏ ବିଧି ବିବେକ । ।୫୧
ଧର୍ମ-ସାଧନେ ଅସମର୍ଥ । ଯେବେ ହୋଇବ ବ୍ୟାଧିଗ୍ରସ୍ତ । ।୫୨
ଆଗମ ନିଗମ ପ୍ରମାଣେ । ସନ୍ନ୍ୟାସ କରିବ ତକ୍ଷଣେ । ।୫୩
ସଙ୍କଳ୍ପି ଅନଶନ-ବ୍ରତ । ହରିଚରଣେ ଦେଇ ଚିତ୍ତ । ।୫୪
ଯେ ସୃଷ୍ଟି ଶରୀର ଧାରଣେ । ନ୍ୟାସିବ ପରମ କାରଣେ । ।୫୫
ଗଗନେ ନ୍ୟାସି ଇନ୍ଦ୍ରିଗଣେ । ନିଃଶ୍ୱାସ ନ୍ୟାସି ସମୀରଣେ । ।୫୬
ତେଜେ ତେଜକୁ ନ୍ୟାସ କରି । ଧାତୁ ସମୂହ ଜଳେ ଭରି । ।୫୭
ଅନଳେ ବଚନ ବିନାଶି । କ୍ଷିତି କାରଣେ ଶେଷ ନ୍ୟାସି । ।୫୮
କରଯୁଗଳ ଇନ୍ଦ୍ରେନ୍ୟାସି । ସୁଦୃଢ଼େ ସ୍ଥାପିବ ସନ୍ନ୍ୟାସୀ । ।୫୯
ପାଦର ଗତି ନାରାୟଣେ । ଉପସ୍ଥ ପ୍ରଜାପତିଗଣେ । ।୬୦
ଗୁହ୍ୟ ବିସର୍ଗ ମୃତ୍ୟୁ ଅଙ୍ଗେ । ଦିଗେ ସମର୍ପି ଶ୍ରୁତିଯୁଗେ । ।୬୧
ସ୍ପରଶ ଗୁଣ ତ୍ୱଚେ ନ୍ୟାସି । ରୂପକୁ ଚକ୍ଷୁବଳେ ଗ୍ରାସି । ।୬୨
ରୂପେ ନିବେଶି ଦୃଷ୍ଟି ଗୁଣ । ଜିହ୍ୱାକୁ ରସେ ଗନ୍ଧେ ଘ୍ରାଣ । ।୬୩
ମନକୁ ଚନ୍ଦ୍ରରେ ସଂହରି । ବୋଧକୁ ବୁଦ୍ଧି ମଧ୍ୟେ ଭରି । ।୬୪
ଅଶେଷକର୍ମ ରୁଦ୍ର ଦେହେ । କ୍ରିୟାକୁ କର୍ତ୍ତବ୍ୟ ସମୂହେ । ।୬୫
ଚିତ୍ତକୁ ସତ୍ତ୍ୱଗୁଣେ ଭରି । ଗୁଣେ ବିକାରକୁ ସଂହରି । ।୬୬
କ୍ଷିତିକି ନ୍ୟାସକରି ଜଳେ । ଜଳକୁ ବିନାଶି ଅନଳେ । ।୬୭
ଅନଳ ବିନାଶି ଅନିଳେ । ପବନ ଗଗନମଣ୍ଡଳେ । ।୬୮
ଗଗନ ଅହଙ୍କାରେ ଭରି । ଅବ୍ୟକ୍ତେ ସମୂହ ସଂହାରି । ।୬୯
ମହତତତ୍ତ୍ୱେ ଅହଙ୍କାର । ମହତ ପ୍ରକୃତି ଗୋଚର । ।୭୦
ସେ ଗୁଣମୟ ସର୍ବବ୍ୟାପୀ । କ୍ଷର ଅକ୍ଷର ବେନିରୂପୀ । ।୭୧
ଚିନ୍ମାତ୍ର ଅକ୍ଷର ବିଶେଷ । ଜୀବ ପରମ ପରଂହଂସ । ।୭୨
ତହିଁ ପ୍ରବେଶ ଧ୍ୟାନମୟେ । କାଷ୍ଠ-ଦହନେ ଅଗ୍ନିପ୍ରାୟେ । ।୭୩
ଏମନ୍ତ ସୃଷ୍ଟିକି ସଂହରି । ବିଷ୍ଣୁମାୟାରୁ ଯାନ୍ତି ତରି । ।୭୪
ସୁଜନେ ବୋଲ ହରି ହରି । ଭବସାଗରୁ ହେବ ପାରି । ।୭୫
ଏମନ୍ତେ ତରେ ବାନପ୍ରସ୍ଥ । କହଇ ଦାସ ଜଗନ୍ନାଥ । ।୭୬
ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ସପ୍ତମସ୍କନ୍ଧେ ଯୁଧିଷ୍ଠିର ନାରଦ ସମ୍ୱାଦେ ସଦାଚାର ନିର୍ଣ୍ଣୟୋ ନାମ ଦ୍ୱାଦଶୋଽଧ୍ୟାୟଃ । ।

ତ୍ରୟୋଦଶ ଅଧ୍ୟାୟସମ୍ପାଦନ କରନ୍ତୁ

ନାରଦ ଉବାଚ

ଏବେ କହିବା ଯତିଧର୍ମ । ସ୍ୱଭାବେ ଅବଧୂତ-କର୍ମ । ।୧
ମାୟାସଂସାର ଦୂର କରି । ବୁଲିବ ଦେହ ମାତ୍ର ଧରି । ।୨
ଗ୍ରାମେ ବଞ୍ଚିବ ଏକ ଦିନ । ଦ୍ୱିଦିନ ନ ରହିବ ପୁଣ । ।୩
ନିର୍ଜନେ ଦିଗମ୍ବର-ବେଶେ । ଯେବେ ପଶିବ ବନଦେଶେ । ।୪
କୌପୀନ କରିବ ବସନ । ଏକା ଭ୍ରମିବ ରାତ୍ରଦିନ । ।୫
କେବେ ହେଁ ନ କରିବ ସଙ୍ଗ । ସମୁଦ୍ରେ ଯେସନେ ତରଙ୍ଗ । ।୬
ସର୍ବଭୂତରେ ଶାନ୍ତପଣେ । ଶ୍ରୀନାରାୟଣ ପ୍ରାୟ ମଣେ । ।୭
ସତ ଅସତ ବିଶ୍ୱ ବେନି । ତୁଲେ ଭାବିବ ଆତ୍ମା ଘେନି । ।୮
ପରମବ୍ରହ୍ମ ଆତ୍ମା ସାର । ସର୍ବବ୍ୟାପିତ ନିରନ୍ତର । ।୯
ଜାଗ୍ରତ-ସ୍ୱପ୍ନ ମଧ୍ୟେ ରହି । ଆତ୍ମାର ଗତି ଆତ୍ମେ ଧ୍ୟାୟି । ।୧୦
ଆତ୍ମାର ବନ୍ଧ-ମୋକ୍ଷ ବେନି । ଲକ୍ଷିବ ମାୟା ମାତ୍ର ଘେନି । ।୧୧
ବସ୍ତୁ ସ୍ୱଭାବ ନାହିଁ ତାର । ଏଣୁ ସର୍ବଦା ନିର୍ବିକାର । ।୧୨
ବସ୍ତୁର ନିତ୍ୟାନିତ୍ୟ-ଭାବ । ଏଣୁ ଏ ଶରୀର ଅଧ୍ରୁବ । ।୧୩
ଜୀବର ଉତ୍ପତ୍ତି-ମରଣ । କାଳଟି ଏହାର କାରଣ । ।୧୪
ଏଣୁ ଶରୀର-ଧର୍ମ ଜାଣି । ଆତ୍ମାର-ଗତି ପରିମାଣି । ।୧୫
ଅଶାସ୍ତ୍ରେ ନ କରିବ ରତି । ଜୀବିକା ଜ୍ୟୋତିଷ ପ୍ରଭୃତି । ।୧୬
ଦୂରେ ତେଜିବ ତର୍କବାଦ । ଯେ ଶାସ୍ତ୍ରେ ପକ୍ଷପାତ ଭେଦ । ।୧୭
ଅଭ୍ୟାସ ନ କରି ସେ ପଥେ । ଶିଷ୍ୟ ନ କରିବ ସଙ୍ଗତେ । ।୧୮
ବ୍ୟାଖ୍ୟାନ ନିଜ ପ୍ରୟୋଜନ । କେବେ ହେଁ ନ କରିବ ମନେ । ।୧୯
ମଠାଦି ଗୃହକୁ ନିର୍ମାଣ । କେବେ ହେଁ ନୋହେ ଯତିଧର୍ମ । ।୨୦
ସୁଶାନ୍ତ ବୁଦ୍ଧି ସମଚିତ୍ତ । ହୋଇବ ଅର୍ଥରେ ବିରକ୍ତ । ।୨୧
ଦୃଶ୍ୟ-ଅଦୃଶ୍ୟ ଭାବେ ଥିବ । ବାଇବାଳକ ଚେଷ୍ଟାଭାବ । ।୨୨
ମୂକ ବଧିର ପ୍ରାୟେ ବେଶେ । ଭାବେ ବଞ୍ଚିବ ଆତ୍ମବଶେ । ।୨୩
ଶୁଣ ରାଜନ ସାବଧାନ । ଯେ ଇତିହାସ ପୁରାତନ । ।୨୪
ପ୍ରହ୍ମାଦ ସଙ୍ଗେ ମୁନିବର । ନାମ ଯାହାର ଅଜଗର । ।୨୫
ଏ ବେନିଜନଙ୍କ ସମ୍ବାଦ । ଶୁଣନ୍ତେ ନ ଲାଗେ ପ୍ରମାଦ । ।୨୬
ସେ ପ୍ରହଲ୍ଲାଦ ଏକଦିନେ । ମୃଗୟା ଅର୍ଥେ ଗଲେ ବନେ । ।୨୭
ଭୃତ୍ୟନିକର ଘେନି ସଙ୍ଗେ । ବନେ ବିହରେ କ୍ରୀଡ଼ାରଙ୍ଗେ । ।୨୮
ଏମନ୍ତେ ସହ୍ୟଗିରି ତଟେ । କାବେରୀ ତଟେ ଭୂମିପୃଷ୍ଠେ । ।୨୯
ଶୟନେ ଦେଖେ ମୁନିବର । ଶରୀର ଧୂଳିରେ ଧୂସର । ।୩୦
ସ୍ୱେଦ-କର୍ଦ୍ଧମେ ସେ ଭୂଷିତ । ସମ୍ମୁଖେ ଦେଖେ ବିପରୀତ । ।୩୧
କର୍ମ-ବଚନ-ଲିଙ୍ଗ-ବର୍ଣ୍ଣେ । ଲକ୍ଷି ନ ପାରେ ଅନୁମାନେ । ।୩୨
କିବା ଆଶ୍ରମ ଲକ୍ଷି ନୋହେ । ଶୟନ ବିପରୀତ-ଦେହେ । ।୩୩
ତାହାଙ୍କୁ ଦେଖି ପ୍ରହଲ୍ଲାଦ । ଭାବେ ନମିଲା ବେନିପାଦ । ।୩୪
ଲକ୍ଷଣେ ମଣି ତାର ଗତି । ବୋଲନ୍ତି ଅସୁରଙ୍କ ପତି । ।୩୫

ପ୍ରହ୍ଲାଦ ଉବାଚ

ଏ ସ୍ଥୂଳ-ଶରୀର ତୋହର । ସ୍ୱଭାବେ ଦିଶଇ ସୁନ୍ଦର । ।୩୬
ଭୋଗୀପୁରୁଷ ପ୍ରାୟେ ହୋଇ । ତୋ ଦେହ ଦେଖି ପଚାରଇ । ।୩୭
ବିତ୍ତ-ଅର୍ଜନେ ଭୋଗୀଜନେ । ଭ୍ରମନ୍ତି ନଗର ବିପିନେ । ।୩୮
ଭୋଗର ବଳେ ପୁଷ୍ଟଦେହୀ । ଏ ଅନୁମାନେ ମୁଁ ମଣଇ । ।୩୯
ଉଦ୍ୟମ ନ କରି ତୁ ଧନେ । କିମ୍ବା ଶୋଇଛୁ ଘୋରବନେ । ।୪୦
କେମନ୍ତେ ପୁଷ୍ଟ ତୋ ଶରୀର । କହ ସଂଶୟ ଯାଉ ଦୂର । ।୪୧
କହ ତୁ ନ ଭଜି ମଉନ । ମୁଁ ଯେବେ ଶୁଣିବା ଭାଜନ । ।୪୨
ଯେ ଦକ୍ଷ ପଣ୍ଡିତ ଚତୁର । ବିଚିତ୍ରବାକ୍ୟ ପ୍ରିୟକର । ।୪୩
ତାଙ୍କୁ ପୁଚ୍ଛିଲେ ସର୍ବ କହେ । ମନେ ଅହଙ୍କାର ନ ବହେ । ।୪୪
ଏମନ୍ତେ ପ୍ରହଲ୍ଲାଦ ବାଣୀ । ସେ ଅବଧୂତ କର୍ଣ୍ଣେ ଶୁଣି । ।୪୫
ତାହାର ଅମୃତ-ବଚନେ । କହଇ ହୃଷିତବଦନେ । ।୪୬

ଅବଧୂତ ଉବାଚ

ତୁ ପ୍ରହଲ୍ଲାଦ ଦୈତ୍ୟବର । ଜାଣଇଁ ମହିମା ତୋହର । ।୪୭
ସଂଶୟ ନାହିଁ ତୋର ମନେ । ତୁ ଦେଖୁ ନିର୍ମଳ ନୟନେ । ।୪୮
ଯାର ହୃଦୟେ ନାରାୟଣ । ବସଇ ପୁରୁଷ ପୁରାଣ । ।୪୯
ସେ ଭକ୍ତିବଳେ ତମଘୋର । ନାଶଇ ଯେହ୍ନେ ଦିବାକର । ।୫୦
ତୁ ମୋତେ ପଚାରିଲୁ ଯେବେ । ଶୁଣ କହିବା ତୋତେ ଭାବେ । ।୫୧
ଆତ୍ମାର ଶୁଦ୍ଧି ଯେ ଇଚ୍ଛନ୍ତି । ମହାନ୍ତ ପୁଚ୍ଛିଲେ କହନ୍ତି । ।୫୨
ଭବ-ବାହିନୀ ତୃଷ୍ଣା ନାମ । ତାର ପୂରଣେ କେହୁ କ୍ଷମ । ।୫୩
ସେ ତୃଷ୍ଣାବଳେ ମୁଁ ଜଗତେ । ଭ୍ରମିଲି କୋଟି ଜନ୍ମ ଶତେ । ।୫୪
ଅଶେଷ-ଯୋନି ଗର୍ଭବାସ । ତେବେ ହେଁ ନ ପୂରିଲା ଆଶ । ।୫୫
ଅର୍ଜିଲା କର୍ମଦୋଷେ ଭ୍ରମି । ଫୁଟି ହୋଇଲି ପଥଶ୍ରମୀ । ।୫୬
ଯେ ଶୁଭକର୍ମ ମୋର ଥିଲା । ସେ ଫଳ ଏ ଜନ୍ମେ ଫଳିଲା । ।୫୭
ସ୍ୱଭାବେ ସ୍ୱର୍ଗ-ମୋକ୍ଷ ଦ୍ୱାର । ଦୁର୍ଲ୍ଲଭ ମନୁଷ୍ୟ ଶରୀର । ।୫୮
ସ୍ୱଧର୍ମ କଲେ ସ୍ୱର୍ଗବାସ । ଅଧର୍ମେ ନରକେ ପ୍ରବେଶ । ।୫୯
ଏ ବେନିଦ୍ୱାର ଯେ ତେଜନ୍ତି । ନିଶ୍ଚଳଯୋଗେ ଆତ୍ମା ଚିନ୍ତି । ।୬୦
ଭଜନ୍ତି ଗୋବିନ୍ଦ ଚରଣେ । ତରନ୍ତି ଏ ଜନ୍ମ ମରଣେ । ।୬୧
ମୁଁ ଏ ସଂସାର ସୁଖ ଦେଖି । ବିଚାରି ମନେ ହେଲି ଦୁଃଖୀ । ।୬୨
ଦ୍ୱନ୍ଦ୍ୱ ମୈଥୁନ ଗୃହବାସେ । ଇନ୍ଦ୍ରିୟ ସୁଖଭୋଗ ଆଶେ । ।୬୩
ଅନ୍ତେ ନରକେ ବିଶ୍ରାମନ୍ତି । ଏ ଘେନି ମନେ କଲି ଭ୍ରାନ୍ତି । ।୬୪
ଏଣୁ ମୁଁ ଗୃହଦ୍ୱନ୍ଦ୍ୱ ଏଡ଼ି । ତପ ସାଧଇ ଦୁଃଖେ ପଡ଼ି । ।୬୫
ପ୍ରବୃତ୍ତିମାର୍ଗେ ନର ଦୁଃଖୀ । ନିବୃତ୍ତିମାର୍ଗେ ହୋନ୍ତି ସୁଖୀ । ।୬୬
ଏବେ ମୁଁ କୃଷ୍ଣର ପ୍ରସାଦେ । ନିବୃତ୍ତି-କର୍ମଯୋଗ ସାଧେ । ।୬୭
ନିତ୍ୟେ ଭ୍ରମଇ ଆତ୍ମାଭାବେ । ମନ ଆନନ୍ଦେ ସୁଖପ୍ଲବେ । ।୬୮
ମନ-ସଙ୍କଳ୍ପ-ଭୋଗ ତେଜି । ପ୍ରାରବ୍ଧ-ଭୋଗ ବନେ ଭୁଞ୍ଜି । ।୬୯
ଏଣୁ ଆତ୍ମାର ଅର୍ଥେ ମୁହିଁ । ସଙ୍କଳ୍ପି ଏକାନ୍ତେ ଭ୍ରମଇ । ।୭୦
ଏବେ ହୋ ପ୍ରହଲ୍ଲାଦ ଶୁଣ । ବିଷୟ ବଶେ ଯେତେ ଗୁଣ । ।୭୧
ତାମସ ରଜଗୁଣ ତେଜେ । ବିବିଧ କାମ୍ୟକର୍ମ ଭଜେ । ।୭୨
ଆତ୍ମାର ହିତ ନ ସୁମରେ । ଅସାଧୁମାର୍ଗେ କର୍ମ କରେ । ।୭୩
ପ୍ରାଣୀ ଭ୍ରମନ୍ତି ଘୋରପଥେ । ନାନା-ଯାତନା କର୍ମତନ୍ତ୍ରେ । ।୭୪
ଘୋର ସଂସାରେ ସଞ୍ଚରନ୍ତି । ଏ ଘେନି ମୋର ମନେ ଭ୍ରାନ୍ତି । ।୭୫
ଦେଖ ଅଜ୍ଞାନେ ମୋହଚ୍ଛନ୍ନେ । ସଂସାରେ ସଞ୍ଚରନ୍ତି ଜନେ । ।୭୬
ଯେ ଜଳ ତୃଣେ ଆଚ୍ଛାଦିତ । ତାହା ନ ଇଚ୍ଛଇ ତୃଷିତ । ।୭୭
ମୃଗତୃଷ୍ଣାକୁ ଜଳ ମଣେ । ଭ୍ରମେ ଭ୍ରମଇ ଅକାରଣେ । ।୭୮
ତାହାର ଶ୍ରମ ମାତ୍ର ସାର । ଯେ ଆତ୍ମା ନ କରେ ବିଚାର । ।୭୯
କର୍ମ-ଆୟତ୍ତେ ଦେହ ବହି । ଆତ୍ମାର ସୁଖ ଯେ ଇଚ୍ଛଇ । ।୮୦
ସଙ୍କଳ୍ପି କ୍ରିୟା କରେ ଯେତେ । ନିଷ୍ଫଳ ହୋଏ କାର୍ଯ୍ୟ ଅନ୍ତେ । ।୮୧
ଅଧ୍ୟାତ୍ମ ଆଦି ଦୁଃଖ ଯେତେ । ଆତ୍ମା ନିପାତ ଯାର ଅନ୍ତେ । ।୮୨
ବିମୁକ୍ତ ନୋହେ ପ୍ରାଣୀ ଏଣେ । କି ପ୍ରୟୋଜନ ଅର୍ଥ କାମେ । ।୮୩
ଲୋଭୀ ପ୍ରାଣୀଙ୍କ ଦୁଷ୍ଟ-ମନ । ବଳେ ବନ୍ଧନ କରେ ଧନ । ।୮୪
ଧନୀଜନଙ୍କ ଦୁଃଖ ଦେଖି । ମୁଁ ଧନତୃଷ୍ଣାକୁ ଉପେକ୍ଷି । ।୮୫
ଦେଖଇ ଧନୀଙ୍କର ଦୁଃଖ । ନିଦ୍ରା-ଭୋଜନେ ନାହିଁ ସୁଖ । ।୮୬
ରାଜାର ଭୟ ନିତ୍ୟେ ଧନେ । ଚୌର ସ୍ୱଜନ ଶତ୍ରୁଜନେ । ।୮୭
ଯେ ଅବା ଆସେ ଧନ ମାଗି । ତା ଦେଖି ଚିତ୍ତେ ଦୁଃଖଭାଗୀ । ।୮୮
ଅଶେଷ ଆପଦର ସ୍ଥାନ । ଏ ଧନମୂଳୁଁ ହୋଏ ଜନ୍ମ । ।୮୯
ଯେ ଶୋକ ମୋହ ଲୋଭ କ୍ରୋଧ । ନିତ୍ୟେ ଉଦ୍‌ବେଗ ଯେ ପ୍ରମାଦ । ।୯୦
ଯାହାର ମୂଳୁଁ ଏ ସ୍ରବନ୍ତି । ଧନର ମୂଳେ ପ୍ରାଣଭୀତି । ।୯୧
ଏ ଘେନି ଯେ ପଣ୍ଡିତ ଜନେ । ଲୋଭ ତେଜନ୍ତି ଜାଣି ଧନେ । ।୯୨
ମଧୁମକ୍ଷିକା ଅଜଗର । ଏ ଜନ୍ମେ ଗୁରୁ ଏ ମୋହର । ।୯୩
ଯେ ବଇରାଗ ପରିତୋଷ । ଏହାଙ୍କ ତହୁଁ ଉପଦେଶ । ।୯୪
ବୈରାଗ୍ୟ ସର୍ବକାମେ ମୋର । ଏ ଶିକ୍ଷା ଦେଲା ମଧୁକର । ।୯୫
ଅନେକ ଦୁଃଖେ ଯେ ଅର୍ଜନ । ତାକୁ ବିନାଶି ହରେ ଆନ । ।୯୬
ଧନ ନ ଇଚ୍ଛି ତୋଷ ମନେ । ଭ୍ରମଇ ଯଥା ଲାଭ ଧନେ । ।୯୭
ମହାସର୍ପର ପ୍ରାୟେ ହୋଇ । ବଞ୍ଚଇ ଉପଦେଶ ଧ୍ୟାୟି । ।୯୮
ତଥାପି ଗୋବିନ୍ଦ ପ୍ରସନ୍ନେ । ନିତ୍ୟେ ଆନନ୍ଦ ମୋର ମନେ । ।୯୯
ମୋ ଦେହେ ବଳ କାନ୍ତି ତୁଷ୍ଟି । ସୁଖ-ବର୍ଦ୍ଧନେ ଦେହ ପୁଷ୍ଟି । ।୧୦୦
ଏ ଭାବେ ବଞ୍ଚେ ମୋର ଦେହୀ । ମୁଁ ସୁଖ ଦୁଃଖ ନ ଜାଣଇ । ।୧୦୧
ଅଳ୍ପ-ଆହାର କାହିଁ ପାଇ । କାହିଁବା ସମ୍ପୂର୍ଣ୍ଣ ଭୁଞ୍ଜଇ । ।୧୦୨
ସ୍ୱାଦୁ-ଅସ୍ୱାଦୁ ନ ମଣଇ । ଯେ ଦିନେ ଯେ ଅବା ମିଳଇ । ।୧୦୩
ଗ୍ରାସକୁ ଅମୃତ ମଣଇ । ସୁମିଷ୍ଟ ମିଳେ ଅବା କାହିଁ । ।୧୦୪
କାହିଁବା କଟୁ ତିକ୍ତ ପାଇ । ମନ-ସନ୍ତୋଷେ ତା ଭୁଞ୍ଜଇ । ।୧୦୫
କାହିଁବା ଶ୍ରଦ୍ଧା-ଉପହୃତ । କାହିଁବା ମାନ୍ୟ ବିବର୍ଜିତ । ।୧୦୬
କାହିଁବା ଦଧିଅନ୍ନ ଘୃତ । କାହିଁବା ଲବଣ ବର୍ଜିତ । ।୧୦୭
ଅଳ୍ପ ବହୁତ ନ ବାରଇ । ଯହିଁ ଯା ମିଳେ ତୁଷ୍ଟ ତହିଁ । ।୧୦୮
ଏମନ୍ତେ ପୋଷଇ ଜୀବନ । ନିଶ୍ଚିନ୍ତ ମନେ ମୋ ଶୟନ । ।୧୦୯
ରାତ୍ର ଦିବସ ନ ଜାଣଇ । ଉଭୟ ଏକ ପ୍ରମାଣଇ । ।୧୧୦
ପାଟବସନ କାହିଁ ପିନ୍ଧି । କାହିଁ ବୁଲଇ ଚର୍ମ ବାନ୍ଧ । ।୧୧୧
ଚୀରାଣି ବସ୍ତ୍ର କାହିଁ ମିଳେ । କାହିଁବା ବଞ୍ଚଇ ବକଳେ । ।୧୧୨
କର୍ମ ଆଦରି ତୋଷମନେ । ବସଇ ଇଚ୍ଛା ସୁଖ ସ୍ଥାନେ । ।୧୧୩
କାହିଁ ବା ଧରଣୀ ଶୟନ । କାହିଁ ପାଷାଣ କାହିଁ ତୃଣ । ।୧୧୪
କାହିଁ ପ୍ରାସାଦ ମଧ୍ୟେ ଥାଇ । କାହିଁ ପଲେଙ୍କ ନିଦ୍ରା ଯାଇ । ।୧୧୫
କାହିଁ ହଂସୁଲୀତୂଳୀ ପରେ । କାହିଁ ଶ୍ମଶାନେ ବନ ଘୋରେ । ।୧୧୬
କାହିଁ ବା ସ୍ନାନ କରେ ଶୁଦ୍ଧେ । ସୁବାସ ତଇଳ ସୁଗନ୍ଧେ । ।୧୧୭
କାହିଁ ଚନ୍ଦନ ଗନ୍ଧସାର । କାହିଁ ବା ନାନା ଅଳଙ୍କାର । ।୧୧୮
ସୁବାସ ପୁଷ୍ପମାଳ ଗନ୍ଧେ । କାହିଁ ବା ଗଜ ଅଶ୍ୱ କନ୍ଧେ । ।୧୧୯
କାହିଁ ବେଷ୍ଟିତ ପୀତାମ୍ବର । କାହିଁ ବା ଭସ୍ମ ଦିଗମ୍ବର । ।୧୨୦
କାହିଁ ବା ଜ୍ଞାନ ଥାଇ ଦେହେ । କାହିଁ ଭ୍ରମଇ ଗୃହୀ ପ୍ରାୟେ । ।୧୨୧
କାହିଁ ପ୍ରମାଦ ଦେହେ ଥାଇ । କାହିଁ ବା ବୃକ୍ଷମୂଳେ ଶୋଇ । ।୧୨୨
ହେ ପ୍ରହଲ୍ଲାଦ ଶୁଣ ଧୀରେ । ଆର କହିବା ତୋ ଛାମୁରେ । ।୧୨୩
ବିଷୟ-ଜଡ଼େ ପ୍ରାଣୀ ଥାନ୍ତି । ନିଜ ସ୍ୱଭାବ ପ୍ରକାଶନ୍ତି । ।୧୨୪
କାହାକୁ ନିନ୍ଦା ସ୍ତୁତି ମୋର । କେବେ ହେଁ ନ କରେ ବିଚାର । ।୧୨୫
ସର୍ବପ୍ରାଣୀଙ୍କ ଶ୍ରେୟ ଚିନ୍ତି । ଏଣୁ ମୋ ମନେ ନାହିଁ ଭ୍ରାନ୍ତି । ।୧୨୬
ଆନନ୍ଦେ ଗୋବିନ୍ଦ-ଚରଣେ । ଚିତ୍ତ ନିବେଶି ଅନୁକ୍ଷଣେ । ।୧୨୭
ଚିତ୍ତ-ବିକଳ୍ପ ହୋମ କରି । ତାହାକୁ ମନ ମଧ୍ୟେ ଭରି । ।୧୨୮
ମନ-ବିକାର ତତ୍ତ୍ୱେ ଥୋଇ । ଯେଣେ ମାୟାକୁ ଭୟ ନାହିଁ । ।୧୨୯
ସେ ମାୟା ଆତ୍ମା ଅନୁଭୂତେ । ସତ୍ୟ ସଙ୍କଳ୍ପ ମୁନିମତେ । ।୧୩୦
ତେଣୁ ନିର୍ବିକାର ମୋ ମନ । ନିର୍ଗୁଣ-ବ୍ରହ୍ମେ କରି ଧ୍ୟାନ । ।୧୩୧
ଏମନ୍ତେ ଆତ୍ମା-ଅନୁଭୂତେ । କହିଲି ତୋହର ଅଗ୍ରତେ । ।୧୩୨
ଯେ ଲୋକ-ଶାସ୍ତ୍ର ମତ ଦୁଇ । ଏଣେ ବର୍ଜିତ ମୋର ଦେହୀ । ।୧୩୩
ତୁ ଯେଣୁ ବିଷ୍ଣୁର ଭକତ । ତେଣୁ କହିଲି ତୋ ଅଗ୍ରତ । ।୧୩୪
ତୁ ପ୍ରହଲ୍ଲାଦ କୃଷ୍ଣଦାସ । ଏଣୁ ମୁଁ ତୋହରେ ବିଶ୍ୱାସ । ।୧୩୫

ନାରଦ ଉବାଚ

ଏମନ୍ତେ ମୁନି ମୁଖୁଁ ଶୁଣି । ପରମହଂସ ଧର୍ମବାଣୀ । ।୧୩୬
ସେ ପ୍ରହଲ୍ଲାଦ ଜ୍ଞାନୀ ଧୀର । ସ୍ୱଭାବେ ବିଷ୍ଣୁର କିଙ୍କର । ।୧୩୭
ସେ ଅବଧୂତ ତତ୍ତ୍ୱବାଣୀ । ପ୍ରବାହ-ସୁଧା ତରଙ୍ଗିଣୀ । ।୧୩୮
ସେ ପ୍ରହଲ୍ଲାଦ ଶୁଣି କର୍ଣ୍ଣେ । ବନ୍ଦିଲା ବିବିଧ-ସ୍ତବନେ । ।୧୩୯
ଆନନ୍ଦେ ନମି ତା ଚରଣେ । ସଦନେ ଗଲା ତତକ୍ଷଣେ । ।୧୪୦
ଶୁଣ ସୁଜନେ ଦୃଢ଼ଚିତ୍ତେ । ହରି-ଚରିତ ଭାଗବତେ । ।୧୪୧
ସପ୍ତମ ସ୍କନ୍ଧେ ଯେତେ ଧର୍ମ । ଯେ ଧର୍ମ ଅବଧୂତ-କର୍ମ । ।୧୪୨
ପ୍ରହ୍ଳାଦ-ଅବଧୂତ କଥା । ଶୁଣନ୍ତେ ଖଣ୍ଡେ ଭବବ୍ୟଥା । ।୧୪୩
ଏଣେ ନିର୍ମଳ କର ଚିତ୍ତ । କହଇ ଦାସ ଜଗନ୍ନାଥ । ।୧୪୪
ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ସପ୍ତମସ୍କନ୍ଧେ ଯୁଧିଷ୍ଠିର ନାରଦ ସମ୍ୱାଦେ ଯତିଧର୍ମେ ତ୍ରୟୋଦଶୋଽଧ୍ୟାୟଃ । ।

ଚତୁର୍ଦ୍ଦଶ ଅଧ୍ୟାୟସମ୍ପାଦନ କରନ୍ତୁ

ଯୁଧିଷ୍ଠିର ଉବାଚ

ଶୁଣ ହେ ବ୍ରହ୍ମାର ନନ୍ଦନ । ବନସ୍ଥ ଅବଧୂତ ଧର୍ମ । ।୧
ଶୁଣିଲି ଶାସ୍ତ୍ରର ପ୍ରସ୍ତାବେ । ଗୃହସ୍ଥ ଧର୍ମ କହ ଏବେ । ।୨
ଦେଶକାଳାଦି ଭେଦେ ଯହିଁ । ଅନେକ ଶ୍ରେୟ ଜାତ ହୋଇ । ।୩
ଯେ ବିଧି ଗୃହ-ଆଚରଣେ । ଆଗମ ନିଗମ ପ୍ରମାଣେ । ।୪
ଏମନ୍ତେ ଧର୍ମସୂତ-ବାଣୀ । ଶୁଣି କହନ୍ତି ବ୍ରହ୍ମମୁନି । ।୫

ନାରଦ ଉବାଚ

ଗୃହସ୍ଥ ରଜନୀ ପ୍ରଭାତେ । ଶୁଚି ନିର୍ମଳ ଶୁଦ୍ଧଚିତ୍ତେ । ।୬
ସ୍ମରିବ ନାରାୟଣ ନାମ । ହରି ଗୋବିନ୍ଦ କୃଷ୍ଣ ରାମ । ।୭
ପୁରୁଷୋତ୍ତମ ଦାମୋଦର । ବିଶ୍ୱସମ୍ଭବ ବିଶ୍ୱମ୍ଭର । ।୮
ଏ ଆଦି ପୁଣ୍ୟଶ୍ଳୋକ ଯେତେ । ନାମ-ସଂକୀର୍ତ୍ତନ ପ୍ରଭାତେ । ।୯
କୃଷ୍ଣେ ଅର୍ପଣ ନିତ୍ୟେ କରି । ଗୃହସ୍ଥ ଧର୍ମକୁ ଆଚରି । ।୧୦
ମହତ-ଜନେ ଉପାସନ । କରିବ ନିତ୍ୟେ କୃଷ୍ଣଧ୍ୟାନ । ।୧୧
କୃଷ୍ଣର ଅବତାର କଥା । ପୁରାଣ ଆଦି ଶାସ୍ତ୍ରଗୀତା । ।୧୨
ସଙ୍ଗ କରିବ ସାଧୁସନ୍ଥେ । ଦିନ ବଞ୍ଚିବ ଶୁଣି ନିତ୍ୟେ । ।୧୩
ସାଧୁସଙ୍ଗତେ ଥୋଇ ମନ । ପୁତ୍ର କଳତ୍ର ଗୃହଜନ । ।୧୪
ତାହାଙ୍କୁ ସୁଖଭୋଗ ଦେଇ । ଆତ୍ମାକୁ ସନ୍ତୋଷେ ଭୁଞ୍ଜଇ । ।୧୫
ସମ୍ପଦ ସ୍ୱପ୍ନ ପ୍ରାୟ ମଣି । ଚିତ୍ତେ ଚିନ୍ତିବ ଚକ୍ରପାଣି । ।୧୬
ଯାବତ ପ୍ରୟୋଜନ ଅର୍ଥ । ଗୃହେ ସାଧିବ ନିତ୍ୟ ନିତ୍ୟ । ।୧୭
ବିରକ୍ତଚିତ୍ତ ଅନ୍ତର୍ଗତେ । ଲୋକବେଭାର ଜନ ସାଥେ । ।୧୮
ଭ୍ରାତ ସୁହୃଦ ତାତ ମାତ । ଜ୍ଞାତି ବାନ୍ଧବ ଦାରା ସୁତ । ।୧୯
ଯେ ବା ଇଚ୍ଛନ୍ତି ଯେ ବୋଲନ୍ତି । ଯେ ଭାବେ ସନ୍ତୋଷେ ରହନ୍ତି । ।୨୦
ମନ ସନ୍ତୋଷେ ସୁଖ ଦେବ । ନିର୍ମଳେ ସର୍ବଦା ବଞ୍ଚିବ । ।୨୧
ଭୂମି ଗଗନ ଅନ୍ତରୀକ୍ଷେ । ଯେ ଧନ ମିଳିବ ପ୍ରତ୍ୟକ୍ଷେ । ।୨୨
କୃଷ୍ଣର ଦେଲା ପ୍ରାୟେ ବୁଝି । ସେ ଧନ ଦୁଃଖ ସୁଖେ ଭୁଞ୍ଜି । ।୨୩
ଦିନ ବଞ୍ଚିବ ହରି ଭାବେ । ଯତ୍ନ କରିବ ଧର୍ମଲାଭେ । ।୨୪
ଯାବତ ଦେହେ ପ୍ରାଣ ଥିବ । ତାବତ ସନ୍ତୋଷେ ବଞ୍ଚିବ । ।୨୫
ଲୋଭେ ଅଧିକ ଯେ ଚିନ୍ତନ୍ତି । ଚୋର ସମାନେ ଦଣ୍ଡ ପାନ୍ତି । ।୨୬
ଏବେ ହୋ ଶୁଣ ନୃପବର । କହିବା ସର୍ବଧର୍ମସାର । ।୨୭
କପି ମକ୍ଷିକା ଉଷ୍ଟ୍ର ଖଗ । ମୂଷିକ ଗର୍ଦ୍ଦଭ ଯେ ମୃଗ । ।୨୮
ଉରଗ ପତଙ୍ଗାଦି ଯେତେ । ତାହାଙ୍କୁ ପୁତ୍ରପ୍ରାୟେ ଚିତ୍ତେ । ।୨୯
ଆତ୍ମାର ପ୍ରାୟେ ନିତ୍ୟେ ଦେଖି । ଅନ୍ତର ମନେ ନ ଉପେକ୍ଷି । ।୩୦
ତ୍ରିବର୍ଗ କଷ୍ଟେ ନ ସାଧିବ । ଯେ ଭାବେ ନିନ୍ଦନ୍ତି ସାଧବ । ।୩୧
ଯେ ଦ୍ରବ୍ୟ ଅତିକଷ୍ଟେ ପାଇ । ଯେ ସୁଖେ ଅତିଲୋଭ ହୋଇ । ।୩୨
ଯେଣେ ବା ପରପୀଡ଼ା ହେବ । ଏ ତିନି ଚିତ୍ତେ ନ ଧରିବ । ।୩୩
ଯେ ଦେଶ-କାଳ-ପାତ୍ର ମତେ । ମିଳଇ କର୍ମର ଆୟତ୍ତେ । ।୩୪
ସେ ଭାବେ ପୋଷିବ ଜୀବନ । ଦେଖିବ ସକଳେ ସମାନ । ।୩୫
ଶ୍ୱାନ ଚଣ୍ଡାଳ ଅନ୍ୟ ଜାତି । ଆତ୍ମାର ପ୍ରାୟେ ତାଙ୍କୁ ଚିନ୍ତି । ।୩୬
ବିଭାଗେ ଭୋଗ ତାଙ୍କୁ ଦେବ । ଆତ୍ମାର ପରାୟେ ଭାବି । ।୩୭
ଏକ ଗୃହିଣୀ ସଂଗ୍ରହଣ । ସ୍ୱଧର୍ମ ଗୃହର କାରଣ । ।୩୮
ଅର୍ଦ୍ଧାଙ୍ଗ ସମ ଅଟେ ନାରୀ । ସାତ୍ତ୍ୱିକେ ତାହା ଭୋଗ କରି । ।୩୯
ନିଯୋଗି ଅତିଥି ସେବନେ । ଯତ୍ନ କରିବ ନିଜ ଧର୍ମେ । ।୪୦
ଯା ପାଇଁ ପିତା ଗୁରୁ ପ୍ରାଣ । ପ୍ରାଣୀ ହିଂସଇ ହେଳେ ଜାଣ । ।୪୧
ଅତିଥି-ସେବାରେ ସେ ନାରୀ । ଦେଇଣ ଆପଦୁଁ ଉଦ୍ଧରି । ।୪୨
ଆନେ ଅସାଧ୍ୟ ଯେଉଁ ହରି । ଏ ଭାବେ ତାଙ୍କୁ ସାଧ୍ୟ କରି । ।୪୩
ଦେଖ ଏ ତୁଚ୍ଛ-କଳେବର । ଅନ୍ତେ ଭଜଇ ତ୍ରିପ୍ରକାର । ।୪୪
ଭସ୍ମ ପୁରୀଷ କୃମିସ୍ଥାନ । ଅବଶ୍ୟ ଭଜେ ଅବସାନ । ।୪୫
ସେ ଦେହେ ରତି ପତ୍ନୀମେଳେ । ଏ କାହିଁ ଆତ୍ମାର କୁଶଳେ । ।୪୬
ମଜ୍ଜଇ ସୁଧାପ୍ରାୟ ମଣି । କାହୁଁ ତରିବ ମୂଢ଼ପ୍ରାଣୀ । ।୪୭
ଯଜ୍ଞାବଶେଷ ସିଦ୍ଧଅନ୍ନେ । ଆହାର କଳ୍ପିବ ଜୀବନେ । ।୪୮
ଅଧିକେ ମମତା ନଥାଇ । ତେବେଟି ମହତ ବୋଲାଇ । ।୪୯
ଦେବତା ଋଷି ଭୂତଗଣେ । ଆତ୍ମା ଅତିଥି ପିତୃଜନେ । ।୫୦
ଏହାଙ୍କୁ ବିଷ୍ଣୁପ୍ରାୟେ ମଣି । ସନ୍ତୋଷେ ଦେବ ଅନ୍ନ ପାଣି । ।୫୧
ଆତ୍ମାଧିକାରେ ନାନାବିଧି । ଯଜ୍ଞର ସମ୍ଭାର ସମ୍ପାଦି । ।୫୨
ବିଧିବିଧାନ ବେଦମତେ । ଯଜ୍ଞ କରିବ ଅଗ୍ନିହୋତ୍ରେ । ।୫୩
ଅଗ୍ନିହୋତ୍ରର ଅବସାନେ । ବିପ୍ରଙ୍କୁ ତୋଷିବ ଭୋଜନେ । ।୫୪
ବ୍ରାହ୍ମଣ-ଦେହେ ଥାଇ ହରି । ଏଣୁ ଭୋଜନେ ପୂଜାକରି । ।୫୫
ବିପ୍ର ଭୋଜନେ ତୋଷ ଯେତେ । ସେ ନୋହେ ଯଜ୍ଞ କୋଟିଶତେ । ।୫୬
ଏ ଘେନି ଦେବତା-ବ୍ରାହ୍ମଣେ । ପୂଜା କରିବ ଅନୁକ୍ଷଣେ । ।୫୭
ଏଣୁ ବ୍ରାହ୍ମଣ-ମୁଖେ ଦେଇ । ପୂଜା କରିବ ଭାବଗ୍ରାହୀ । ।୫୮
ଆଶ୍ୱିନମାସ-କୃଷ୍ଣପକ୍ଷେ । ପିତୃଙ୍କୁ ପୂଜିବ ପ୍ରତ୍ୟକ୍ଷେ । ।୫୯
ସମ୍ଭାର ଯଥାଶକ୍ତିମତେ । ପିତୃ ପୂଜିବ ଶ୍ରଦ୍ଧାଚିତ୍ତେ । ।୬୦
ଜ୍ଞାତି ସୁହୃଦ ବନ୍ଧୁଜନ । ଭୋଜନ ନେବ ମିଷ୍ଟଅନ୍ନ । ।୬୧
ଏବେ ହୋ ଶୁଣ ମହୀପତି । ଗୃହସ୍ଥଜନର ଏ ଗତି । ।୬୨
ବେନି-ଅୟନ ବିଷୁବାନ୍ତେ । ଦିବସ କ୍ଷୟ ବ୍ୟତିପାତେ । ।୬୩
ଅକ୍ଷୟତୃତୀୟା ଦିବସେ । ଆଦିତ୍ୟ-ଶଶାଙ୍କର ଗ୍ରାସେ । ।୬୪
ଦ୍ୱାଦଶୀ-ଶ୍ରବଣା-ସଂଯୋଗେ । ତୃତୀୟାତିଥି କ୍ଷୟଭୋଗେ । ।୬୫
ଶୁକ୍ଳ-ନବମୀ ଭର୍ଜ୍ଜମାସେ । ଚତୁର ଅଷ୍ଟକା-ଦିବସେ । ।୬୬
ମାଘ-ସପ୍ତମୀ ଶୁକ୍ଳପକ୍ଷେ । ପୂର୍ଣ୍ଣିମା ମିଶି ମଘାରକ୍ଷେ । ।୬୭
ଦ୍ୱାଦଶୀ ଅନୁରାଧା ଭୋଗେ । ଶ୍ରବଣା ତ୍ରି-ଉତ୍ତରା ଯୋଗେ । ।୬୮
ଏ ତିନିଯୋଗେ ଏକାଦଶୀ । ଶ୍ରବଣା ଜନ୍ମରକ୍ଷେ ମିଶି । ।୬୯
ଶ୍ରେୟ-ସାଧନ-ଯୋଗ ଏତେ । ଗୃହସ୍ଥଧର୍ମ ସାଧ୍ୟ ଅର୍ଥେ । ।୭୦
ଏ ଦିନେ ଧର୍ମକର୍ମ କଲେ । ଶ୍ରେୟ-ଆୟୁଷ ବଢ଼େ ଭଲେ । ।୭୧
ଏ ଦିନେ ତପ ହୋମ ସ୍ନାନ । ଯଜ୍ଞେ ଦେବତା-ଆରାଧନ । ।୭୨
ପିତୃଦେବତା ଭୂତଗଣେ । ଅନ୍ନ ଜଳ ତିଳତର୍ପଣେ । ।୭୩
ପତ୍ନୀର ସଂସ୍କାର କାଳରେ । ଅପତ୍ୟ-ସମ୍ଭବ ଦିନରେ । ।୭୪
ଜ୍ଞାତି-ମରଣେ ପ୍ରେତକାର୍ଯ୍ୟେ । ପୂଜିବ ବାନ୍ଧବ-ସମାଜେ । ।୭୫
ଏବେ ହୋ ଶୁଣ ଧର୍ମଶିଷ୍ୟ । କହିବା ପୁଣ୍ୟ ସ୍ଥାନ ଦେଶ । ।୭୬
ବିଷ୍ଣୁ ପ୍ରତିମା ବସେ ଯହିଁ । ସଚରାଚର ବିଶ୍ୱ ତହିଁ । ।୭୭
ସତ୍‌ପାତ୍ର-ଜନ ଲଭି ଯହିଁ । ସେ ପୁଣ୍ୟତମ-ଦେଶ କହି । ।୭୮
ବ୍ରାହ୍ମଣକୁଳ ବସେ ଯହିଁ । ଦୟା ତପସ୍ୟା ବିଦ୍ୟା ବହି । ।୭୯
ବିଷ୍ଣୁର ପୂଜା ଯହିଁ ନିତ୍ୟେ । ସେ ପୁଣ୍ୟଦେଶ ବେଦମତେ । ।୮୦
ଗଙ୍ଗାଦି ନଦୀ ଯହିଁ ବହେ । ସେ ପୁଣ୍ୟକ୍ଷେତ୍ର ବେଦ କହେ । ।୮୧
ପୁଷ୍କର ଆଦି ସରୋବର । ଯହିଁ ବସନ୍ତି ବିଷ୍ଣୁ ହର । ।୮୨
ପ୍ରୟାଗ ପୁଲହ ଆଶ୍ରମ । ନୈମିଷାରଣ୍ୟ ପୁଣ୍ୟଧାମ । ।୮୩
ପ୍ରଭାସ କୁରୁ ବ୍ରଜଗଳି । ଗୟା ମଥୁରା କୁଶସ୍ଥଳୀ । ।୮୪
ସେ କାଶୀ ପମ୍ପା ବିନ୍ଦୁସର । ସେତୁବନ୍ଧ ଯେ ରାମେଶ୍ୱର । ।୮୫
ଆଶ୍ରମ ନରନାରାୟଣ । ନନ୍ଦା ସୀତୟା ରାମାଶ୍ରମ । ।୮୬
ମହେନ୍ଦ୍ର ମଳୟ ପର୍ବତେ । ଏ ମଧ୍ୟେ କ୍ଷେତ୍ର ଛନ୍ତି ଯେତେ । ।୮୭
ଏ ସର୍ବସ୍ଥାନ ହରିପ୍ରିୟ । ତେଣୁ ଜଗତେ ପୁଣ୍ୟମୟ । ।୮୮
ସେ ପୁଣ୍ୟତମ ଦେଶ ଭାବି । ବିଷ୍ଣୁପ୍ରତିମା ଯହିଁ ସେବି । ।୮୯
କୈବଲ୍ୟ ଇଚ୍ଛା ଯାର ଚିତ୍ତେ । ଏ ଦେଶେ ସେହୁ ଥିବ ନିତ୍ୟେ । ।୯୦
ଏବେ କହିବା ପାତ୍ର ଯେତେ । ଶୁଣ ରାଜନ ଶୁଦ୍ଧଚିତ୍ତେ । ।୯୧
ପୁରାଣପୁରୁଷ ମୁରାରି । ଯାର ଭିଆଣ ବସୁନ୍ଧରୀ । ।୯୨
ସଚରାଚର ଯା ଶରୀର । ଋଷି ଦେବତା ବ୍ରହ୍ମା ହର । ।୯୩
ଅଗ୍ରେ ଚରଣ ପୂଜି ଯାର । ତା ତହୁଁ ପାତ୍ର କେବା ଆର । ।୯୪
ଦେବତା ଋଷି ସିଦ୍ଧେଶ୍ୱର । ସନକ ଆଦି ଯଜ୍ଞେ ତୋର । ।୯୫
ସଭାରେ ସର୍ବଜନ ଥିଲେ । କୃଷ୍ଣଙ୍କୁ ଅଗ୍ରେ ପୂଜା କଲେ । ।୯୬
ଏଣୁ ସକଳ-ପାତ୍ର-ସାର । ଅଚ୍ୟୁତ ଅଟେ ନୃପବର । ।୯୭
ଜୀବରାଶିରେ ହୋଇ ବ୍ୟାପ୍ତ । ଯେ ଅଣ୍ଡକୋଷ ବୃକ୍ଷଶତ । ।୯୮
ସେ ବୃକ୍ଷମୂଳ ଯେଣୁ ହରି । ତାହାଙ୍କୁ ଯେହୁ ପୂଜା କରି । ।୯୯
ପୂଜିବା ଫଳ ଜଗତର । ନିଶ୍ଚେ ଲଭଇ ସେହୁ ନର । ।୧୦୦
ଯାର ଶରୀର ଜୀବରାଶି । ଯେ ଅଣ୍ଡକୋଷ ମୂଳେ ବସି । ।୧୦୧
ଯେ ହରି ସର୍ବଜୀବ-ମୂଳ । ଅଶେଷ ପୁଣ୍ୟକର୍ମ-ଫଳ । ।୧୦୨
ନାନା ପ୍ରପଞ୍ଚେ ପୁର କରି । ତା ମଧ୍ୟେ ଜୀବ ରୂପ ଧରି । ।୧୦୩
ହୃଦୟପଦ୍ମ ମଧ୍ୟେ ଶୋହେ । ପୁରୁଷୋତ୍ତମ ନାମ ବହେ । ।୧୦୪
ତେଣୁ ପୁରୁଷ ପାତ୍ରୋତ୍ତମ । ଯେ ନିତ୍ୟେ ରମେ ଆତ୍ମାରାମ । ।୧୦୫
ଯେଣୁ ଏ ପୁରୁଷଙ୍କ ଦେହେ । ସେ ହରି ତାରତମ୍ୟେ ରହେ । ।୧୦୬
ଏ ଭାବେ ସଂଶୟ ବିଚାରି । ତ୍ରୋତାଦି ଯୁଗେ ମୂର୍ତ୍ତି କରି । ।୧୦୭
ସଂସ୍କାର-ନିଗମ-ଆଗମେ । ପୂଜା କରନ୍ତି ଗ୍ରାମେ-ଗ୍ରାମେ । ।୧୦୮
ସେ ପୂଜା ମାତ୍ରେ ତୋଷ ହୋନ୍ତି । ବାଞ୍ଛିତ ଫଳ ନିତ୍ୟେ ଦ୍ୟନ୍ତି । ।୧୦୯
ଯେ ପ୍ରାଣୀ ପରେ ହିଂସା କରେ । ଦେବତା ପୂଜି ସେ ନ ତରେ । ।୧୧୦
ଏଣୁ ପୁରୁଷଙ୍କର ମଧ୍ୟେ । ଯେ ବିପ୍ର ଜ୍ଞାନୀ ବେଦ ସାଧେ । ।୧୧୧
ତା ତହୁଁ ପାତ୍ର ଆର ନାହିଁ । ସେ ବିପ୍ର ନିଶ୍ଚେ ବିଷ୍ଣୁଦେହୀ । ।୧୧୨
ଯେ କୃଷ୍ଣ ଆତ୍ମା ତ୍ରିଲୋକର । ବ୍ରାହ୍ମଣ ଦେବତା ତାଙ୍କର । ।୧୧୩
ଏଣୁ ସେ ବ୍ରାହ୍ମଣ ଚରଣ । ତ୍ରୈଲୋକ୍ୟ ନିସ୍ତାର କାରଣ । ।୧୧୪
ଏ ଭାବେ ଦେଶ କାଳ ପାତ୍ର । ଦୀକ୍ଷାଦି ଧର୍ମ ଦଇବତ । ।୧୧୫
ନାରଦ ମୁନି ଅନୁରାଗେ । କହିଲେ ଯୁଧିଷ୍ଠିର ଆଗେ । ।୧୧୬
ଏ ଭାଗବତ କୃଷ୍ଣବାଣୀ । ଶୁଣି ସଂସାରୁ ତର ପ୍ରାଣୀ । ।୧୧୭
ଏହା ଯେ ପଢ଼ନ୍ତି ଶୁଣନ୍ତି । ସେ ଗୃହଦ୍ୱନ୍ଦ୍ୱେ ନ ପଡ଼ନ୍ତି । ।୧୧୮
ସପ୍ତମ ସ୍କନ୍ଧେ ଭାଗବତ । ଭଣଇ ଦାସ ଜଗନ୍ନାଥ । ।୧୧୯
ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ସପ୍ତମସ୍କନ୍ଧେ ସଦାଚାର ନିର୍ଣ୍ଣୟୋ ନାମ ଚତୁର୍ଦ୍ଦଶୋଽଧ୍ୟାୟଃ । ।

ପଞ୍ଚଦଶ ଅଧ୍ୟାୟସମ୍ପାଦନ କରନ୍ତୁ

ଏ ପଞ୍ଚଦଶେ ବର୍ଣ୍ଣାଶ୍ରମ । ସାର ସଂଗ୍ରହେ ଯେବା ଧର୍ମ । ।୧
ପ୍ରାଣୀଙ୍କ ନିସ୍ତାର କାରଣେ । ମୋକ୍ଷ ଲକ୍ଷଣ ଯେ ପ୍ରମାଣେ । ।୨
ବର୍ଣ୍ଣିତ ନିଗମ ବଚନେ । ଶୁଣ ରାଜନ ସାବଧାନେ । ।୩
ରାଜୁସୀ ଯଜ୍ଞ-ସଭା ଚାହିଁ । କୁନ୍ତୀନନ୍ଦନ ଭାବ ବହି । ।୪
କହନ୍ତି ବ୍ରହ୍ମାଙ୍କ କୁମର । ଅଶେଷ ଜ୍ଞାନ ଧର୍ମସାର । ।୫

ନାରଦ ଉବାଚ

ବ୍ରାହ୍ମଣ କେବା କର୍ମନିଷ୍ଠ । ତପସାଧନେ କେ ପ୍ରତିଷ୍ଠ । ।୬
ବେଦ ପଠନେ କାର ସିଦ୍ଧି । କେବା ନିସ୍ତରେ ଯୋଗସାଧି । ।୭
ଗୃହସ୍ଥ ପିତୃଶ୍ରାଦ୍ଧ କାଳେ । ଜ୍ଞାନୀ-ପୁରୁଷ ଯେବେ ମିଳେ । ।୮
ତାହାଙ୍କୁ ହବ୍ୟ-କବ୍ୟ ଦାନ । କଲେ ଅନେକ ହୁଏ ପୁଣ୍ୟ । ।୯
ଜ୍ଞାନୀ ଅଭାବେ ଯଥାକ୍ରମେ । ଯେ ବିପ୍ରେ ଥାନ୍ତି ନିଜ ଧର୍ମେ । ।୧୦
ତାହାଙ୍କୁ ଯଥାଭୋଗ ଦେଇ । ତେବେ ଉଚିତ-ଫଳ ପାଇ । ।୧୧
ଶ୍ରାଦ୍ଧେ ଦେବତା-ଅର୍ଥେ ଦୁଇ । କରିବ ବିଶ୍ୱଦେବା ପାଇଁ । ।୧୨
ତୃତୀୟ ପିତୃସ୍ଥାନେ ବରି । ଅଭାବେ ଏକ ଏକ କରି । ।୧୩
ଉତ୍ତମ-ଦ୍ରବ୍ୟେ ଭୁଞ୍ଜାଇବ । ଶ୍ରାଦ୍ଧେ ବିସ୍ତାର ନ କରିବ । ।୧୪
ଯେ ଦ୍ରବ୍ୟ ଦେଶ-କାଳୋଚିତେ । ମିଳିବ ଶ୍ରଦ୍ଧା ଅନୁମତେ । ।୧୫
ଯେ ପାତ୍ରେ ଯେବା ଅରହଣ । ବିସ୍ତାରେ ନୁହଁଇ ଘଟଣ । ।୧୬
ଏମନ୍ତେ ଦେବ-ପିତୃ-ଯଜ୍ଞେ । ଯେବା ପୂଜନ୍ତି ହବ୍ୟ-କବ୍ୟେ । ।୧୭
ଉତ୍ତମ-ଫଳ ସେ ଲଭନ୍ତି । ଏ ଭବସଂସାର ତରନ୍ତି । ।୧୮
ଏଣୁ ଯେ ଦେଶ-କାଳ-ପାତ୍ରେ । ଆମିଷ ବର୍ଜି ବନଜାତେ । ।୧୯
ଯଥାସଂସ୍କାରେ ଦେଇ ଅନ୍ନ । ବିଷ୍ଣୁଙ୍କୁ କରି ନିବେଦନ । ।୨୦
ଶ୍ରଦ୍ଧାରେ ସତପାତ୍ରେ ଦେଇ । ସେ ଶ୍ରାଦ୍ଧ କାମଧେନୁ ହୋଇ । ।୨୧
ଭୁଞ୍ଜନ୍ତି ଅକ୍ଷୟ-କଲ୍ୟାଣ । ଏ ବାକ୍ୟ ନିଗମ ପ୍ରମାଣ । ।୨୨
ଦେବ-ବ୍ରାହ୍ମଣ-ପିତୃ-ଭୂତେ । ସ୍ୱଜନ ଆଦି ବନ୍ଧୁଯୁତେ । ।୨୩
ଏହାଙ୍କୁ ବିଷ୍ଣୁଭାବେ ମଣି । ସନ୍ତୋଷେ ଦେବ ଅନ୍ନପାଣି । ।୨୪
ଯା ଚିତ୍ତ ଧର୍ମ-ଉପଦେଶେ । ଶ୍ରାଦ୍ଧ କରିବ ନିରାମିଷେ । ।୨୫
ଯେ ଧର୍ମ ଲଭି ନିରାମିଷେ । ସେ କାହିଁ ଲାଭ ପଶୁହିଂସେ । ।୨୬
ସ୍ୱଧର୍ମେ ଇଚ୍ଛା ଯାର ଥିବ । କେବେହେଁ ପଶୁ ନ ହିଂସିବ । ।୨୭
ମାନସ-କାୟିକ-ବଚନେ । ନ କରି ପଶୁକୁ ହିଂସନେ । ।୨୮
ଉତ୍ତମ-ଧର୍ମ ଯେ ଇଚ୍ଛଇ । ଏ ସମ ଧର୍ମ ଆଉ ନାହିଁ । ।୨୯
ଯଜ୍ଞର ଫଳ ଯେ ଜାଣନ୍ତି । ଅନିତ୍ୟ କର୍ମମୟ ଚିନ୍ତି । ।୩୦
ଆତ୍ମାସଂଯମ ଅଗ୍ନି ଜାଳି । ଇନ୍ଦ୍ରିୟ-ଅର୍ଥ-ଘୃତ ଢାଳି । ।୩୧
ଏ ଜ୍ଞାନଯଜ୍ଞେ ଦୃଢ଼ କରି । ବିଷ୍ଣୁମାୟାରୁ ଯାନ୍ତି ତରି । ।୩୨
ଯେ ଦ୍ରବ୍ୟମୟ ଯଜ୍ଞ କରେ । ତାହାଙ୍କୁ ଦେଖି ସାଧୁ ତରେ । ।୩୩
ଏହାର ଦେହେ ଜ୍ଞାନ ନାହିଁ । ଆମ୍ଭ ଜୀବନ ରଖେ କାହିଁ । ।୩୪
ଏ ଘେନି ଦୟା ଯାର ଚିତ୍ତେ । ଯଜ୍ଞ କରିବ ମୁନିମତେ । ।୩୫
ବିଧର୍ମ ପରଧର୍ମ ବେନି । ଆଭାସ ଉପମାକୁ ଘେନି । ।୩୬
ଛଳ ସମେତ ପଞ୍ଚ ଜାଣ । ଅଧର୍ମ ଶାଖା ଏ ପ୍ରମାଣ । ।୩୭
ଯେ ଧର୍ମେ ସ୍ୱଧର୍ମେରେ ବାଧା । ସେ ଧର୍ମେ ନକରିବ ଶ୍ରଦ୍ଧା । ।୩୮
ଯେ ଧର୍ମ ପରବାକ୍ୟେ କରି । ସେ ଧର୍ମେ କେବେହେଁ ନ ତରି । ।୩୯
ପାଷଣ୍ଡଧର୍ମ ଉପଧର୍ମ । ଦମ୍ଭ ମତ୍ସରେ ଯେବା କର୍ମ । ।୪୦
ଶାସ୍ତ୍ରର ତତ୍ତ୍ୱ ନ ବିଚାରି । ବାହ୍ୟଧର୍ମର ଧ୍ୱଜା ଧରି । ।୪୧
ଯେ ଶାସ୍ତ୍ରବାକ୍ୟ ଭେଦକରି । ଛଳଧର୍ମ ଯେ ତାକୁ ବୋଲି । ।୪୨
ଧର୍ମ ଆଭାସ ମାତ୍ର ଧରି । ଆଶ୍ରମ ଧର୍ମ ପରିହରି । ।୪୩
ସ୍ୱଇଚ୍ଛେ ଏକଧର୍ମ କରି । ଆଭାସ ଧର୍ମ ତାକୁ ବୋଲି । ।୪୪
ଯେ ଧର୍ମ ଆତ୍ମଶାନ୍ତି କରେ । କେ ତାହା ନିତ୍ୟେ ନ ସୁମରେ । ।୪୫
ନିର୍ଦ୍ଧନ-ପ୍ରାଣୀ ଯେବେ ହୋଇ । ଧର୍ମ ବା ଜୀବିକାର ପାଇଁ । ।୪୬
ଚେଷ୍ଟା ନକରେ ବହୁଧନେ । ସନ୍ତୋଷ ଅଳପ-ଭୋଜନେ । ।୪୭
ସହଇ ଅଜଗର ଯେହ୍ନେ । ଆହାର ନ ବାଞ୍ଛଇ ମନେ । ।୪୮
ସନ୍ତୋଷ ଆତ୍ମା ଯେବା ନରେ । ଅନ୍ତେ ପଶନ୍ତି ସୁଖଘରେ । ।୪୯
ଯେ ଧନଲୋଭେ ଅସନ୍ତୋଷ । ଭ୍ରମେ ଭ୍ରମଇ ଦଶଦିଶ । ।୫୦
ତହିଁରେ କଷ୍ଟ ସାର ହୋଏ । ସର୍ବ ସନ୍ତୋଷ ସୁଖମୟେ । ।୫୧
ଚର୍ମ ପାଦୁକା ଯା ଚରଣେ । ସେ ଯେହ୍ନେ କଣ୍ଟକ-ପାଷାଣେ । ।୫୨
ଭ୍ରମି ନ ଲଭେ କିଛି ଦୁଃଖ । ରାତ୍ର ଦିବସେ ଲଭେ ସୁଖ । ।୫୩
କଲେ କେବଳ ଜଳପାନ । ବଞ୍ଚେ ସନ୍ତୋଷେ ସୁଖେ ଦିନ । ।୫୪
ଜିହ୍ୱା-ଉପସ୍ଥେ ଲୋଭ ଯାର । ସେ ଗୃହପାଳ ପ୍ରାୟେ ନର । ।୫୫
ଯେ ବିପ୍ର ହୋଏ ଅସନ୍ତୋଷ । ତାହାର ତପ ବିଦ୍ୟା ଯଶ । ।୫୬
ଇନ୍ଦ୍ରିୟ-ଲୋଭେ ହୋନ୍ତି ନାଶ । ଅଜ୍ଞାନ-କର୍ମେ ହୋନ୍ତି ଧ୍ୱଂସ । ।୫୭
ଯେ ଜିହ୍ୱା-ଉପସ୍ଥକୁ ଜିଣି । ସନ୍ତୋଷ ଲଭଇ ଯେ ପ୍ରାଣୀ । ।୫୮
ସେ ପ୍ରାଣୀ ଇହପର ଲୋକେ । ଅଶେଷ ଫଳ ଭୁଞ୍ଜେ ଏକେ । ।୫୯
ଯେ ଜନ କ୍ଷୁଧା-ତୃଷାବନ୍ତ । ସେ ନିଶ୍ଚେ କାମ କରେ ଅନ୍ତ । ।୬୦
ହିଂସା ଉଦୟ ହୋଏ ଯାର । କ୍ରୋଧ ହୁଅଇ ଅନ୍ତ ତାର । ।୬୧
ଯେ ଜନ ସର୍ବଦିଗ ଜିଣି । ଏକାନ୍ତେ ଭୁଞ୍ଜଇ ଧରଣୀ । ।୬୨
ସେ ଲୋଭ ନପାରଇ ଜିଣି । ଶୁଣ ନୃପତି-ଚୂଡ଼ାମଣି । ।୬୩
ପଣ୍ଡିତଜନ ହୋଇ ଯେବେ । ନିରତେ ଅସନ୍ତୋଷ-ଭାବେ । ।୬୪
ଅଧୋଗମନ ତାହାଙ୍କର । ଶୁଣ ସୁମନେ ନୃପବର । ।୬୫
କାମକୁ ଜିଣେ ଅସଂକଳ୍ପେ । ପ୍ରାଣୀ ନାଶଇ ଯାର ଦର୍ପେ । ।୬୬
କାମର କ୍ଷୟେ କ୍ରୋଧ ଯାଏ । ଅର୍ଥ-ବର୍ଜନେ ଲୋଭ କ୍ଷୟେ । ।୬୭
ଭୟକୁ ଜିଣେ ତତ୍ତ୍ୱଜ୍ଞାନେ । ଶୋକମୋହକୁ କୃଷ୍ଣଧ୍ୟାନେ । ।୬୮
ମହାନ୍ତସେବା ଦମ୍ଭ ନାଶେ । ଯେ ଭାବେ କୈବଲ୍ୟ ପ୍ରକାଶେ । ।୬୯
ତତ୍ତ୍ୱଜ୍ଞାନରେ ହୋଏ ମୁକ୍ତି । ଏ ଧର୍ମ ବଇଷ୍ଣବ ଭକ୍ତି । ।୭୦
ଯୋଗ ସାଧନେ ଯେତେ ବିଘ୍ନ । ତାହାକୁ ଖଣ୍ଡଇ ମଉନ । ।୭୧
ହିଂସାକୁ ଜିଣେ କାମତ୍ୟାଗେ । କାମକୁ ଜିଣେ ଯୋଗମାର୍ଗେ । ।୭୨
ଦୟା ପ୍ରାଣୀଙ୍କ ଭୟ ହରେ । ତ୍ରିତାପ ସମାଧି ସଂହରେ । ।୭୩
ସଞ୍ଜମ ଦେହବ୍ୟାଧି ହରେ । ନିଦ୍ରାକୁ ସାତ୍ତ୍ୱିକ-ଆହାରେ । ।୭୪
ରଜ-ତମକୁ ସତ୍ତ୍ୱଗୁଣେ । ସତ୍ତ୍ୱକୁ ଉପଶମେ ଜିଣେ । ।୭୫
ଗୁରୁସେବନେ ସର୍ବଦୁଃଖେ । ପ୍ରାଣୀ ତରନ୍ତି ଆତ୍ମା ସୁଖେ । ।୭୬
ଯେ ଗୁରୁ ଜ୍ଞାନ-ଦାନ ଦେଇ । ତାକୁ ଯେ ମନୁଷ୍ୟେ ଗଣଇ । ।୭୭
ସେ ଯେତେ ଧର୍ମ କରେ ଦେହେ । ନିଷ୍ଫଳ ହସ୍ତୀସ୍ନାନ ପ୍ରାୟେ । ।୭୮
ଯା ଦେହେ ପ୍ରଭୁ ଚକ୍ରଧର । ପ୍ରସନ୍ନ ପୁରୁଷ ଈଶ୍ୱର । ।୭୯
ତାର ଚରଣସେବା ଅର୍ଥେ । ଅଜ୍ଞାନୀ ନୁହଁନ୍ତି ସମର୍ଥେ । ।୮୦
ତାହାକୁ ନରପ୍ରାୟେ ମଣି । ଅଧୋଗମନେ ଯାନ୍ତି ପ୍ରାଣୀ । ।୮୧
ଏକାନ୍ତଭକ୍ତି ଯେଉଁ ପ୍ରାଣୀ । ସାଧଇ ଷଡ଼ରିପୁ ଜିଣି । ।୮୨
ସର୍ବନିୟମ ସାଧି ଜାଣେ । ନିଗମ-ବଚନ-ପ୍ରମାଣେ । ।୮୩
ଯେବେ ନ ଭଜେ ନରହରି । ସେ ଶ୍ରମଭାରେ ହୋନ୍ତି ଭାରି । ।୮୪
ବୃତ୍ତି-କଳ୍ପନେ ଯେତେ ଅର୍ଥ । ଯୋଗେ ନୁହନ୍ତି ସାମରଥ । ।୮୫
ଏମନ୍ତେ ଈଷ୍ଟାପୂର୍ତ୍ତିମାନେ । ଅନର୍ଥ କୃଷ୍ଣର ବିହୁନେ । ।୮୬
ଚିତ୍ତ-ବିଜୟେ ଯତ୍ନ ଯାର । ନିଃସଙ୍ଗେ କରଇ ବିହାର । ।୮୭
ଗୃହେ ଅସଙ୍ଗ ମନସୁଖେ । ଯୋଗ ସାଧଇ ଅତିରେକେ । ।୮୮
ଏକାନ୍ତେ ଏକମତେ ଥାଇ । ଅଳ୍ପଭୋଜନେ ତୋଷହୋଇ । ।୮୯
ଏକାନ୍ତମନେ ଶୁଚିଦେଶେ । ବସିବ ଆସନେ ଉଶ୍ୱାସେ । ।୯୦
ପବିତ୍ର ସ୍ଥିର ସୁଖମନେ । ଓଁକାର କରି ଉଚ୍ଚାରଣେ । ।୯୧
ବାମଚରଣ ଗୁହ୍ୟଦ୍ୱାରେ । ଦକ୍ଷିଣପାଦ ତା’ ଉପରେ । ।୯୨
ଦେଇ ଟେକିବ ମେରୁଦଣ୍ଡ । ଭୁଜେ ଆମଞ୍ଚି ଜାନୁଖଣ୍ଡ । ।୯୩
ପ୍ରାଣ-ଅପାନ-ବାୟୁବଳେ । ରସନା ତୋଳି ତାଳୁମୂଳେ । ।୯୪
ନିଶ୍ଚଳଧ୍ୟାନ ଦୃଷ୍ଟି ଏକେ । ସାଧିବି ପୂରକ କୁମ୍ଭକେ । ।୯୫
ରେଚକେ କରି ତାକୁ ସମ । ନାସାଗ୍ରେ ସ୍ଥାପିବ ନୟନ । ।୯୬
ଯାବତ କାମନା ନ ତେଜେ । ତାବତ ସଞ୍ଜମ ନ ଭଜେ । ।୯୭
ଏଣୁ ନିଶ୍ଚଳେ ସ୍ଥାପି ମନ । କରିବ ନାସାଅଗ୍ରେ ଧ୍ୟାନ । ।୯୮
ଅଗ୍ନିର ବଳେ କାମବନ । ଜ୍ଞାନେଣ ଇନ୍ଦ୍ରିୟ ଦହନ । ।୯୯
ଯୋଗ-ଅଭ୍ୟାସ ଧୀରେ କରି । ତହିଁ ରହିବ ମନ ଧରି । ।୧୦୦
ନିର୍ମଳ କରି ଚକ୍ଷୁଦ୍ୱାର । କର୍ମ-ସାଧିବ ନିରନ୍ତର । ।୧୦୧
ଅଭ୍ୟାସ-ବଳେ ଜିଣି ମନ । ଅଳପ ଅଳପ ସାଧନ । ।୧୦୨
ଏମନ୍ତ ସାଧି-ନିରନ୍ତରେ । ସୁଖେ ମିଳିବ ମୋକ୍ଷଦ୍ୱାରେ । ।୧୦୩
କାଷ୍ଠ-ବିହୁନେ ଅଗ୍ନିପ୍ରାୟେ । ସକଳ କାମ ଲୀନ ହୋଏ । ।୧୦୪
ଯେ ଚିତ୍ତ ସର୍ବବୃତ୍ତିତେଜେ । କାମାଦି ରିପୁକୁ ନ ଭଜେ । ।୧୦୫
ଯେ ଚିତ୍ତ ମିଶେ ବ୍ରହ୍ମସୁଖେ । କେବେହେଁ ନ ପଡ଼ଇ ଦୁଃଖେ । ।୧୦୬
କେବେହେଁ ମାୟା ନ କଳ୍ପଇ । ଅନ୍ତରେ ରହେ ସୂକ୍ଷ୍ମ ହୋଇ । ।୧୦୭
ଯେ ପ୍ରାଣୀ ଗୃହଦ୍ୱନ୍ଦ୍ୱ ତେଜେ । ତ୍ରିବର୍ଗ ଛାଡ଼ି ବନ ଭଜେ । ।୧୦୮
ପୁଣି ମିଳଇ ଗୃହେ ଯାଇ । ନିର୍ଲ୍ଲଜ ସେହୁ ବାନ୍ତି ଖାଇ । ।୧୦୯
ଏ ଦେହେ ସୁଖ ଯେ ଲୋଡ଼ନ୍ତି । ଅଜରାମର ପ୍ରାୟ ଚିନ୍ତି । ।୧୧୦
ଜୀବନ ଅନ୍ତେ ଏ ଶରୀର । ଭସ୍ମ ପୁରୀଷ କୃମି ସାର । ।୧୧୧
ଏହାକୁ ସତ୍ୟ ପ୍ରାୟେ ମଣି । ଅଧର୍ମେ ପଶନ୍ତି ଯେ ପ୍ରାଣୀ । ।୧୧୨
ତାହାକୁ ବୋଲି ମୂଢ଼ଜନ । ନିଷ୍ଫଳ ତାହାଙ୍କ ଜୀବନ । ।୧୧୩
ଗୃହସ୍ଥ ଗୃହଧର୍ମ ଛାଡ଼ି । ଅନ୍ୟ ଆଶ୍ରମେ ଲୋଭ ବଢ଼ି । ।୧୧୪
ବ୍ରତକୁ ତେଜେ ବ୍ରହ୍ମଚାରୀ । ତପସ୍ୱୀଗ୍ରାମେ ବାସ କରି । ।୧୧୫
ସନ୍ନ୍ୟାସୀ ଇନ୍ଦ୍ରି ଲୋଭେ ରସେ । ଗ୍ରାମ-ଗହନେ ଯେବେ ପଶେ । ।୧୧୬
ଆଶ୍ରମ-ଭ୍ରଷ୍ଟ ଏତେ ପ୍ରାଣୀ । ଏହାକୁ ଆଶ୍ରମେ ନ ଗଣି । ।୧୧୭
ଅଧର୍ମେ ବିଡ଼ମ୍ବନ-କର୍ମ । ବିଷ୍ଣୁମାୟାରେ ହୋଇ ଭ୍ରମ । ।୧୧୮
ବୁଲନ୍ତି ମାୟାରୂପ ଧରି । ତାହାଙ୍କୁ ସମ୍ଭାଷ ନ କରି । ।୧୧୯
ପରମଜ୍ଞାନ ଚିତ୍ତେ ଚିନ୍ତି । ଯେ ଆତ୍ମାଗତି ନ ଜାଣନ୍ତି । ।୧୨୦
ସେ କି କାରଣେ ଦେହ ଧରି । ବହୁ ଭୋଜନେ ପୁଷ୍ଟ କରି । ।୧୨୧
ଏବେ ହୋ ଶୁଣ ଯୁଧିଷ୍ଠିର । ଏ ନର-ଶରୀର ବେଭାର । ।୧୨୨
ଦେହ ବହିଲା ଯେବା ଅର୍ଥେ । କେବେହେଁ ନ ଭଜେ ତା ଚିତ୍ତେ । ।୧୨୩
ବିଧାତା-ନିର୍ମାଣ-ବିଧାନ । ଏହା ନ ଜାଣେ ମୂର୍ଖଜନ । ।୧୨୪
ଦେହକୁ ରଥପ୍ରାୟେ ରଚି । ଦଶ ତୁରଙ୍ଗ ଯହିଁ ଯୋଚି । ।୧୨୫
ଦଶ-ଇନ୍ଦ୍ରିୟ ଦଶ-ବାଜି । ମନ ରଶ୍ମିଏ ତହିଁ ଯୋଚି । ।୧୨୬
ଶବ୍ଦ ସ୍ପରଶ ରସ ଗନ୍ଧେ । ରୂପରେ ଚଳେ ଅନୁବନ୍ଧେ । ।୧୨୭
ସାରଥିପଣେ ବୁଦ୍ଧି ରହେ । ଏ ପଞ୍ଚମାର୍ଗେ ରଥ ବାହେ । ।୧୨୮
ଏ ନରଦେହ ବନ୍ଧ ଚିତ୍ତେ । ଛନ୍ଦ ବନ୍ଧନ ଈଷଯନ୍ତ୍ରେ । ।୧୨୯
ପ୍ରାଣ ବସଇ ଏ ଶରୀରେ । ଦ୍ୱିପଞ୍ଚ ବାହ୍ୟ ଅଭ୍ୟନ୍ତରେ । ।୧୩୦
ସେ ପ୍ରାଣ ଅକ୍ଷରୂପ ଧରି । ବାହାର ଭିତରେ ସଞ୍ଚରି । ।୧୩୧
ଧର୍ମ ଅଧର୍ମ ଚକ ଦୁଇ । ଏ ଜୀବ ଅହଙ୍କାର ବହି । ।୧୩୨
ରଥେ ବସଇ ରଥୀ ରୂପେ । କର୍ମାନୁସାରେ ବଳ ଦର୍ପେ । ।୧୩୩
ପ୍ରଣବ ହସ୍ତେ ଧନୁ ତାର । ଅକାର ଉକାର ମକାର । ।୧୩୪
ଜୀବକୁଶର ରୂପେ କରି । ପ୍ରଣବ ଧନୁ ହସ୍ତେ ଧରି । ।୧୩୫
ପରମଆତ୍ମା କରି ଲକ୍ଷ୍ୟ । ନାରାଚ ବିନ୍ଧିବ ପ୍ରତ୍ୟକ୍ଷ । ।୧୩୬
ସମ୍ମୁଖେ ଯେତେ ରିପୁ ଥିବେ । ଯୁଦ୍ଧେ ସକଳେ ନାଶଯିବେ । ।୧୩୭
ଶୁଣ ରାଜନ ଶୁଦ୍ଧଚିତ୍ତେ । ସମ୍ମୁଖେ ରିପୁ ଛନ୍ତି ଯେତେ । ।୧୩୮
ଏ କାମକ୍ରୋଧ ଶୋକ ମୋହ । ଲୋଭ ଅସୂୟା ମାୟା ଭୟ । ।୧୩୯
ମଦ ମତ୍ସର ଅପମାନ । ପ୍ରମାଦ ହିଂସା ମିଥ୍ୟାମାନ । ।୧୪୦
ରଜ ତାମସ ନିଦ୍ରା କ୍ଷୁଧା । ଏତେ ଶତ୍ରୁରେ ଯହିଁ ବାଧା । ।୧୪୨
ତ୍ରିଗୁଣମୟୀ ଯେ ପ୍ରକୃତି । ଏ ଆଦି ରିପୁ ଯେତେ ଛନ୍ତି । ।୧୪୩
ଏହାକୁ ସମ୍ମୁଖେ ଆବୋରି । ଯେ ରଥୀ ପାରେ ଯୁଦ୍ଧେ ମାରି । ।୧୪୪
ରଥକୁ ଆତ୍ମା-ବଶ କରି । ଜ୍ଞାନ-ଖଡ଼ଗ ହସ୍ତେ ଧରି । ।୧୪୫
ସୁଖେ ଭୁଞ୍ଜଇ ସ୍ୱର୍ଗରାଜ୍ୟ । ଆନନ୍ଦେ ଅଷ୍ଟ ଅଇଶ୍ୱର୍ଯ୍ୟ । ।୧୪୫
ଯେବେ ଏ ରଥ ତ୍ୟାଗକରି । ନିଶ୍ଚିନ୍ତେ ରହେ ମୋହ ଭରି । ।୧୪୬
ଏମନ୍ତେ ରିପୁ ଯେ ନ ମାରେ । ସେ କାହିଁ ଆତ୍ମସୁଖେ ତରେ । ।୧୪୭
ଯେବେ ଅଳସେ ରହେ ରଥେ । ତାହାଙ୍କୁ ବେଢ଼ନ୍ତି ସମସ୍ତେ । ।୧୪୮
ଅସାଧ୍ୟ-ଅଶ୍ୱ ଯେତେ ରଥେ । ସାରଥି ବିମାନ ସହିତେ । ।୧୪୯
ଦୁର୍ଗମ ମାର୍ଗେ ରଥ ନ୍ୟନ୍ତି । ଶତ୍ରୁଙ୍କ ମଧ୍ୟେ ପ୍ରବେଶନ୍ତି । ।୧୫୦
ସେ ଶତ୍ରୁଗଣେ ବଳେ କରି । ଅଶ୍ୱ ସାରଥି ରଥ ଧରି । ।୧୫୧
ସଂସାର-କୂପ-ଅନ୍ଧକାରେ । କ୍ଷେପନ୍ତି ମୃତୁ୍ୟଭୟ ଘୋରେ । ।୧୫୨
ପ୍ରବୃତ୍ତି ନିବୃତ୍ତି ଏ କର୍ମ । ସଂସାରେ ବଇଦିକ ଧର୍ମ । ।୧୫୩
ପ୍ରବୃତ୍ତି-ପଥେ ସଞ୍ଚରନ୍ତି । ନିବୃତ୍ତେ ଅମୃତ ଭୁଞ୍ଜନ୍ତି । ।୧୫୪
ଯେ ଦ୍ରବ୍ୟମୟ ଯଜ୍ଞ କାମ । ଆବର ଅଗ୍ନିହୋତ୍ର ନାମ । ।୧୫୫
ପୂର୍ଣ୍ଣିମା ଅମାବାସ୍ୟା ଆଦି । ପଶୁ ଯେ ଚାତୁର୍ମାସ୍ୟା ବିଧି । ।୧୫୬
କୂପ ପ୍ରାସାଦ ଉପବନ । ଏ ଆଦି ଈଷ୍ଟାପୂର୍ତ୍ତି କର୍ମ । ।୧୫୭
ହୁତ ପ୍ରହୁତ ଆଦି ଯେତେ । ପ୍ରବୃତ୍ତିପଥ-କର୍ମ ଏତେ । ।୧୫୮
ସୂକ୍ଷ୍ମ ଦ୍ରବ୍ୟ ବିପାକମୟ । ଧୂମ ରଜନୀ ଅପକ୍ଷୟ । ।୧୫୯
ଦକ୍ଷିଣାୟନେ ସୋମ ବୁଧ । ଦରଶ ଓଷଧି ବିରୁଧ । ।୧୬୦
ଯେ ଅନ୍ନ ରେତରୁ ସମ୍ଭବ । ଏ ପିତୃଯାନ ପୁନର୍ଭବ । ।୧୬୧
ଏ ଅନ୍ନରୂପେ ଏକେ ଏକେ । ଭବେ ଭ୍ରମନ୍ତି ଜୀବଲୋକେ । ।୧୬୨
ପ୍ରବୃତ୍ତିମାର୍ଗ ଏ ପ୍ରମାଣ । ଏବେ ହୋ ଧର୍ମସୁତ ଶୁଣ । ।୧୬୩
ଦେବଙ୍କ ରାତ୍ର ଏ ବୋଲାଇ । ଶୁଣ ଦିବସ ଏବେ କହି । ।୧୬୪
ସମ୍ଭବୁଁ ମରଣ ପର୍ଯ୍ୟନ୍ତେ । ଦ୍ୱିଜ-ସଂସ୍କାର ବେଦମତେ । ।୧୬୫
ସେ ଦ୍ୱିଜ ଯେବେ ଜ୍ଞାନୀ ହୋଏ । ଯଜ୍ଞ କରଇ ନିଜ ଦେହେ । ।୧୬୬
ଇନ୍ଦ୍ରି ବନ୍ଧନ ଅର୍ଥେ କଳ୍ପେ । ହୋମ କରଇ ଜ୍ଞାନ ଦୀପେ । ।୧୬୭
ମନେ କରିବ ଇନ୍ଦ୍ରି ଲୀନ । ବଚନେ ସଂହରିବ ମନ । ।୧୬୮
ବଚନ ସ୍ୱରେ ଲୀନକରି । ସ୍ୱରକୁ ଓଁକାରେ ସଂହରି । ।୧୬୯
ଓଁକାର ବିନ୍ଦୁ ନାଦେ ଦେଇ । ବିନ୍ଦୁକୁ ପ୍ରାଣ ସଙ୍ଗେ ଥୋଇ । ।୧୭୦
ଜ୍ଞାନୀର ଏମନ୍ତ ଲକ୍ଷଣ । ଯେ ପଥେ ଯିବ ତାହା ଶୁଣ । ।୧୭୧
ଅଗ୍ନି ଆଦିତ୍ୟ ପ୍ରାତଃକାଳ । ପୂର୍ଣ୍ଣିମା ପକ୍ଷ ଯେ ଶୁକଳ । ।୧୭୨
ଏ ବ୍ରହ୍ମମାର୍ଗ ଅନୁପମ । ଉତ୍ତରାୟଣ ଏହା ନାମ । ।୧୭୩
ବିଶ୍ୱ-ତୈଜସ-ପ୍ରାଜ୍ଞେ ଲୟ । ତୁରୀୟାତୀତେ ଆତ୍ମମୟ । ।୧୭୪
ଏ ଦେବଯାନ-ପଥ ଚିନ୍ତି । ଏ ମାର୍ଗେ ଭବେ ନ ମିଳନ୍ତି । ।୧୭୫
ଯେ ଆତ୍ମା-ଉପଶାନ୍ତ ଜନେ । ନିତ୍ୟେ ରହନ୍ତି ଆତ୍ମଧ୍ୟାନେ । ।୧୭୬
ସେ ନ ପଡ଼ନ୍ତି ନରଲୋକେ । ନିଶ୍ଚନ୍ତେ ଥାନ୍ତି ଆତ୍ମାସୁଖେ । ।୧୭୭
ଏ ପିତୃ-ଦେବଯାନ-ପଥେ । ଯେ ଜନେ ଯାନ୍ତି ବେଦମତେ । ।୧୭୮
ଗମନାଗମନ କରନ୍ତି । ଜ୍ଞାନୀ ରହନ୍ତି ଏହା ଚିନ୍ତି । ।୧୭୯
ଯେ ଆଦିଅନ୍ତ ପ୍ରାଣୀଙ୍କର । ବ୍ୟାପିଛି ବାହ୍ୟ ଅଭ୍ୟନ୍ତର । ।୧୮୦
ପର-ଅପର ଯାହା ଦେହେ । ଯେ ଅବା ଜ୍ଞାନ ଜ୍ଞେୟ ହୋଏ । ।୧୮୧
ବଚନ ବାଚ୍ୟ ତମ ଜ୍ୟୋତି । ଦୃଶ୍ୟ ଅଦୃଶ୍ୟ ଯେ ଅଟନ୍ତି । ।୧୮୨
ଯେ ତାଙ୍କୁ ଯେମନ୍ତେ ଚିନ୍ତଇ । ଆଭାସ ମାତ୍ରେ ସେ ଦେଖଇ । ।୧୮୩
ଭାବ-ପ୍ରମାଣେ ଦୃଶ୍ୟ ହୋଏ । ଦର୍ପଣେ ପ୍ରତିବିମ୍ବ ପ୍ରାୟେ । ।୧୮୪
ବସ୍ତୁ ନୁହଁଇ କଦାଚିତେ । ଏ ଭାବ ଘଟିବ କେମନ୍ତେ । ।୧୮୫
ଏଣୁ ନିଶ୍ଚଳ ଦୃଢ଼ଚିତ୍ତେ । ଯେ ତାଙ୍କୁ ଚିନ୍ତେ ଅବିରତେ । ।୧୮୬
କର୍ମେ ଭଜନ୍ତି ତାର ପଥ । ଏ ଭାବ ନିଗମେ ସମ୍ମତ । ।୧୮୭
ଏ ଭୂମି ଆଦି ପଞ୍ଚଭୂତେ । ସେ ରହେ ବାହ୍ୟ ଅନ୍ତର୍ଗତେ । ।୧୮୮
ତାଙ୍କୁ ନ ପାଇ ଏକେ ଏକେ । ସେ ତାରତମ୍ୟ ଅତିରେକେ । ।୧୮୯
ବନ-ସମୂହେ ଲତା ଯେହ୍ନେ । ଜାଣିଲେ କର୍ମ ଅନୁମାନେ । ।୧୯୦
ବିଚାରେ ବହେ ଏକମୂଳେ । ଅନ୍ୟତ୍ର ନ ଲାଗେ ନିଶ୍ଚଳେ । ।୧୯୧
ତା ଆଦି ଅନ୍ତ ଯେ ନ ଜାଣି । ଏହି ପ୍ରକାରେ ଭ୍ରମେ ପ୍ରାଣୀ । ।୧୯୨
ନିଦ୍ରା ଜାଗ୍ରତ ସ୍ୱପ୍ନ ମଧ୍ୟେ । ଯେ ରୂପେ ଏ ବିଧି ନିଷେଧେ । ।୧୯୩
ଯେ କ୍ରିୟା ଭାବ ଦ୍ରବ୍ୟମତେ । ମୁନି କହନ୍ତି ଶାସ୍ତ୍ରଗତେ । । ୧୯୪
ଜାଗ୍ରତ ସ୍ୱପ୍ନ ନିଦ୍ରା ଯେହ୍ନେ । ନ ଲାଗେ ଶୁଦ୍ଧ ଚଇତନେ । ।୧୯୫
କାର୍ଯ୍ୟକାରଣ ବସ୍ତୁ ଯେତେ । ଦେଖଇ ପଟ-ତନ୍ତୁମତେ । ।୧୯୬
ଦେହରେ ଅବସ୍ତୁ-ବିକଳ୍ପ । ଏ ଭାବାଦ୍ୱୈତ୍ୟ କହି ନୃପ । ।୧୯୭
ଶରୀର ବହି ଏ ଜଗତେ । ଯେ କର୍ମ କରି ବେଦମତେ । ।୧୯୮
ହରି-ବିଷୟେ ସମର୍ପିଲେ । ବିଷ୍ଣୁମାୟାରୁ ତରେ ଭଲେ । ।୧୯୯
ଏହାର ନାମ କ୍ରିୟାଦ୍ୱୈତ । ଅପରେ ଶୁଣ ନରନାଥ । ।୨୦୦
ଶରୀର ଦାରା ସୁତ ଆଦି । ଅନ୍ୟ ବାନ୍ଧବ ଯେ ପ୍ରସିଦ୍ଧି । ।୨୧୦
ଯେ ଅର୍ଥକର୍ମେଏହା ଦେଖି । ଏହାକୁ ଦ୍ରବ୍ୟାଦ୍ୱୈତ ଲେଖି । ।୨୦୨
ଯେ କର୍ମ ଯେଉଁ ଉପାୟରେ । ଯାହା ସକାଶୁଁ ଯେଉଁଠାରେ । ।୨୦୩
ଯାହାର ଯେ ନିଷେଧ ଥିବ । ବିନା ଆପଦେ ନ କରିବ । ।୨୦୪
ଏ ଆଦି ବେଦବାକ୍ୟ ଯେତେ । ଗୃହେ ଯେ ସାଧେ ଅବିରତେ । ।୨୦୫
କୃଷ୍ଣେ ନ କରେ ସମର୍ପଣ । ତାର ଜୀବନ ଅକାରଣ । ।୨୦୬
ଦେଖ ତୁ ଗୃହଧର୍ମେ ଥାଇ । ସଙ୍ଗତେ ଘେନି ଚାରିଭାଇ । ।୨୦୭
ରାଜ୍ୟ ବିହୁନେ ବନବାସେ । ଯେତେ ଭ୍ରମିଲୁ ନାନାଦେଶେ । ।୨୦୮
ଯାର ଚରଣେ ଆଶ୍ରେକରି । ଘୋର-ସଂକଟୁ ତୁ ନିସ୍ତରି । ।୨୦୯
ଏବେ ତୋହର ଦେଖ ଭାଗ୍ୟ । କଲୁ ରାଜୁସି ମହାଯାଗ । ।୨୧୦
ଲଭିଲୁ ପରମ କାରଣ । ତୋତେ ସୁଲଭ ନାରାୟଣ । ।୨୧୧
ମୁହିଁ ଯେ ପୂର୍ବେ ଦେହବହି । କୃଷ୍ଣମାୟାରେ ଭ୍ରମି ହୋଇ । ।୨୧୨
ପୂର୍ବକଳ୍ପର ନାମ ଶୁଣ । ଗନ୍ଧର୍ବ ଉପବରହରଣ । ।୨୧୩
ସେ କଳ୍ପଅନ୍ତେ ଦେହବହି । ଗନ୍ଧର୍ବଗଣ ମଧ୍ୟେ ଥାଇ । ।୨୧୪
ସ୍ୱଭାବେ ରୂପ-ଗୁଣ ମୋର । ଅତି ସୁନ୍ଦର ମନୋହର । ।୨୧୫
ଗନ୍ଧର୍ବ-ନାରୀଗଣ ମଧ୍ୟେ । ଉନ୍ମତ୍ତ ରୂପେ ମୁଁ ଆନନ୍ଦେ । ।୨୧୬
ଯୁବତୀଗଣେ ପ୍ରିୟତମ । ଏମନ୍ତେ ଗଲା କିଛୁଦିନ । ।୨୧୭
ଏକ-ଦିବସେ ଦେବଗଣେ । ସମସ୍ତେ ମିଳି ପୁଷ୍ପବନେ । ।୨୧୮
ବ୍ରହ୍ମାଶଙ୍କର ଆଦି ବସି । ହରିଗାୟନ-ରସେ ରସି । ।୨୧୯
ଗନ୍ଧର୍ବଗଣେ ଅଣାଇଲେ । ମୁହିଁ ଯେ ଥିଲି ତାଙ୍କ ତୁଲେ । ।୨୨୦
ଯୁବତୀଗଣ ମଧ୍ୟେ ଥାଇ । ଆନନ୍ଦେ ବୀଣା-ବାଦ୍ୟ ବାଇ । ।୨୨୧
ଆବୃତ ଅପସରାବୃନ୍ଦେ । ହସ୍ତ ନିବେଶି ତାଙ୍କ କନ୍ଧେ । ।୨୨୨
ନୃତ୍ୟ ମୁଁ କଲି ନାନାମତେ । ତା ଦେଖି ବ୍ରହ୍ମା କୋପଚିତ୍ତେ । ।୨୨୩
ଦେବହେଳନ କର୍ମ ଦେଖି । କୋପେ ଅରୁଣ କଲେ ଆଖି । ।୨୨୪
ବୋଇଲେ ମୋତେ କୋପ ବହି । ଯା ବେଗେ ଶୂଦ୍ର ହୁଅ ତୁହି । ।୨୨୫
ବ୍ରହ୍ମାଙ୍କ ଶାପ-କୋପାନଳେ । ପଡ଼ିଲି ଅବନୀ ମଣ୍ଡଳେ । ।୨୨୬
ଲଭିଲି ଦାସୀଗର୍ଭେ ଜନ୍ମ । ଯେଣୁ ମୋ ଥିଲା ଶୁଭକର୍ମ । ।୨୨୭
ତେଣୁ ମୁଁ ସେବି ବିପ୍ରପାଦ । ତରିଲି ଦୁର୍ଗମ-ପ୍ରମାଦ । ।୨୨୮
ବିପ୍ର-ଚରଣ ସେବାଫଳେ । ପୁଣି ଜନ୍ମିଲି ବ୍ରହ୍ମା-କୋଳେ । ।୨୨୯
ତୋର ଅଗ୍ରତେ ଗୃହଧର୍ମ । ବର୍ଣ୍ଣିଲି ଯଥା ବେଦକର୍ମ । ।୨୩୦
ଏହା ଶୁଣନ୍ତେ ପାପହରେ । ଯେ ଧର୍ମେ ଗୃହେ ଥାଇ ତରେ । ।୨୩୧
ତୁ ନରଲୋକେ ଭାଗ୍ୟବନ୍ତ । ଯେଣୁ ତୋ ବାନ୍ଧବ ଅନନ୍ତ । ।୨୩୨
ତୋହର ଗୃହେ ନରହରି । ବସଇ ନରରୂପ ଧରି । ।୨୩୩
ସେ ହରି ବ୍ରହ୍ମ-ନିରଞ୍ଜନ । ଧ୍ୟାନେ ନ ପାନ୍ତି ମୁନିଜନ । ।୨୩୪
କୈବଲ୍ୟ-ସୁଖଦ ଯେ ଭକ୍ତି । ପରମ ସୁଖେ ତାର ସ୍ଥିତି । ।୨୩୫
ସେ ତୋର ପ୍ରିୟ ଭଗବାନ । ସ୍ୱଭାବେ ମାତୁଳନନ୍ଦନ । ।୨୩୬
ଜଗତ ଆତ୍ମା ମହାଗୁରୁ । କେବା ମହିମା ବର୍ଣ୍ଣିପାରୁ । ।୨୩୭
ବ୍ରହ୍ମାଶଙ୍କର ଆଦି ଦେବେ । ଯାର ମହିମା ନ ଜାଣିବେ । ।୨୩୮
ମଉନବ୍ରତ ତପ ଆଦି । ନିଶ୍ଚଳ ଧାରଣା ସମାଧି । ।୨୩୯
ନିର୍ମଳ ଭକ୍ତି-ଉପଶମେ । ନିର୍ବାଣ ଲଭେ ଯାର ନାମେ । ।୨୪୦
ସାତ୍ତ୍ୱତଜନଙ୍କର ପତି । ସେ ହରି ହେଉ ଆମ୍ଭ ଗତି । ।୨୪୧
ଶୁଣ ତୁ ରାଜା ଯୁଧିଷ୍ଠିର । ଗୋବିନ୍ଦପାଦେ ଆଶ୍ରେ କର । ।୨୪୨

ଶୁକ ଉବାଚ

ଏମନ୍ତେ ବେଦଋଷି- ବାକ୍ୟେ । ପଞ୍ଚପାଣ୍ଡବ ଏକେ ଏକେ । ।୨୪୩
କୃଷ୍ଣଚରଣେ ପୂଜା କଲେ । ନାରଦ ପାଦେ ପ୍ରଣମିଲେ । ।୨୪୪
ନାରଦ ଉଠିଣ ତକ୍ଷଣେ । ନମିଲେ ଶ୍ରୀକୃଷ୍ଣ ଚରଣେ । ।୨୪୫
ସେ କୃଷ୍ଣ ଆଜ୍ଞା ଘେନି ଶିରେ । ତକ୍ଷଣେ ଅନ୍ତର୍ଦ୍ଧାନ ହେଲେ । ।୨୪୬
ଏମନ୍ତେ ଦକ୍ଷକନ୍ୟା ଗର୍ଭେ । ଯେତେ ଉପୁଜିଲେ ଦାନବେ । ।୨୪୭
ଦେବ-ଦାନବ ଆଦି ଯେତେ । ପୂର୍ବେ ମୁଁ କହିଅଛି ତୋତେ । ।୨୪୮
ଏବେ କହିଲି ତୋତେ ଭାବେ । ଯେ ଯହିଁ ଦେବତା-ଦାନବେ । ।୨୪୯
ସର୍ବ କହିଲି ତୋ ଅଗ୍ରତେ । ସୁଜନେ ଶୁଣ ଏକଚିତ୍ତେ । ।୨୫୦
ହରିଚରିତ ଭାଗବତ । ନୃସିଂହ-ଚରିତ-ଅମୃତ । ।୨୫୧
ସପ୍ତମ ସ୍କନ୍ଧେ ଭାଗବତ । ସୁପୁଣ୍ୟ-ପ୍ରହ୍ଲାଦ ଚରିତ । ।୨୫୨
ଯେ ଏହା ଶ୍ରୁତିପଥେ ଶୁଣେ । ମନ-ବଚନେ ପରିମାଣେ । ।୨୫୩
ନୁହନ୍ତି ମାୟାରେ ମୋହିତ । ଭଣଇ ଦାସ ଜଗନ୍ନାଥ । ।୨୫୪
ଶୁଣି ସଂସାରୁ ତର ପ୍ରାଣୀ । ସୁଜନ ହିତେ ମୁହିଁ ଭଣି । ।୨୫୫
ସଂସାର-ସୁଖଦୁଃଖେ ଥାଇ । ମୂଢ଼ ତରିବେ ଏହା ଗାଇ । ।୨୫୬
ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ସପ୍ତମସ୍କନ୍ଧେ ପ୍ରହ୍ଲାଦାନୁଚରିତେ ଯୁଧିଷ୍ଠିରନାରଦସମ୍ବାଦେ ସଦାଚାର-ନିର୍ଣ୍ଣୟେ ନାମ ପଞ୍ଚଦଶୋଽଧ୍ୟାୟଃ । ।