କଥାଲହରୀ (୧୯୨୩)  ଲେଖକ/କବି: ମଧୁସୂଦନ ରାଓ
କଞ୍ଚନବତୀ କଥା

ଗୋଟିଏ ସାଧବଟିଏ ତାର ସାତ ପୁଅ ସାତ ବୋହୂ, କଞ୍ଚନବତୀ ବୋଲି ଗୋଟିଏ ଝିଅ । ଦିନକର ଭାଇଯାକ ମା'କୁ କହିଲେ, ଆଜି କଞ୍ଚନବତୀ ଶାଗ ଖରଡ଼ୁ । ମା କହିଲା ହଉ, କଞ୍ଚନବତୀକି ଶାଗ ଗୁରିଏ ଦେଲା କହିଲା ଯା ଖରଡ଼ିବୁ, ଭାଇମାନେ କହିଚନ୍ତି ଖାଇବାକୁ । ଏ ଗଲା ଶାଗ ଧୋଇ ଆଣିଲା, କାଟିଲା, ସୁନ୍ଦର କରି ଖରଡ଼ିଲା । ସବୁ ଭାଇମାନଙ୍କୁ, ମାକୁ, ବାପକୁ ଖାଇବାକୁ ଦେଲା, ସମସ୍ତେ କହିଲେ ଆଜି ଶାଗ ଭଲ ହୋଇଛି, ସାନବୋହୂ କାହିଁକି ଏମିତି ଅବର୍ଜିୟା କରି ଖରଡ଼େ ? ଏହିପରି ସାନବୋହୂକୁ ସମସ୍ତେ ନିନ୍ଦା କଲେ । ସାନବୋହୂ ଆଉ କିଛି କହିଲା ନାହିଁ, ରାତିରେ ଯେତେବେଳେ ତାର ସ୍ୱାମୀ ସଙ୍ଗେ ଦେଖା ହେଲା, ଖାଲି କାନ୍ଦିଲା । ସ୍ୱାମୀ ଯେତେ ପଚାରୁଥାଏ କିଛି କହୁ ନ ଥାଏ, କେତେବେଳେ ସରିକି କହିଲା, ତେମେ ସତ୍ୟ କର ମୁଁ କହିବି । ସେ ସତ୍ୟ କାଲ, ସେଉଠୁ ତା ଭାରିଜା କହିଲା- କଞ୍ଚନବତୀ ଯୋଗୁଁ ମୋର ଆଜି ଏତେ ନିନ୍ଦା, ସେ ଯେବେ ଏ ଘରୁ ଯିବ ମୁଁ ତ ଭାତ ଖାଇବି, ନଇଲେ କେଭେଁ ଭାତ ଖାଇବି ନାହିଁ । ତାର ବର କହିଲା ହଉ, କାଲି ତାକୁ ନେଇ ମାରିପକାଇବି । ତହିଁ ଆରଦିନ ସକାଳୁ ସାନଭାଇ କଣ କଲା ଦାଣ୍ଡଦୁଆରୁ ଆଇଲା, କହିଲା ବୋଉ, କଞ୍ଚନବତୀର ଶଶୁର କହିଚି କଞ୍ଚନବତୀକି ପଠାଇ ଦେବାକୁ । ମା ଭାର ସଜିଲ କଲା, ସାନ ଭାଇ ସାଙ୍ଗରେ ଝିଅକୁ ଶାଶୁଘରକୁ ପଠାଇଦେଲା । କଞ୍ଚନବତୀ ଆଉ ତା ଭାଇ ଯାଉଛନ୍ତି, ବାଟରେ ଗୋଟିଏ ଗାଁ ପାଖରେ କଞ୍ଚନବତୀକି ତା ଭାଇ କହିଲା, ତୁ ଏଇଠି ବସିଥା, ମୁଁ ଗାଁ ଭିତରୁ ପାଣି ପିଇ ଆସେ । ଏହା କହିଲା, ଗଲା ଯେ ସେ ଆଡ଼େ କେତେବେଳଯାଏ ରହିଲା । ଯେ ଯାଉଥାଏ ବାଟରେ କଞ୍ଚନବତୀ ତାକୁ ପଚାରୁଥାଏ ମୋ ଭାଇକି ଦେଖିଚକି ? ସମସ୍ତେ ନାହିଁ କରୁଥାନ୍ତି, କେତେବେଳେକେ ତାର ଭାଇ ତେଣୁ ଗୋଟାଏ ପଠାଣର ପୋଷାକ ପିନ୍ଧି ଖଣ୍ଡା ପଟେ ହାତରେ ଧରି ପିକାଟାଏ ଖାଇଖାଇକା ଆସିଲା, କଞ୍ଚନବତୀକି ହାଣି ପକାଇଲା । କଞ୍ଚନବତୀ ସେଇଠି ଗୋଟିଏ ଆଛା ସୁନ୍ଦର କଞ୍ଚନଗଛ ହୋଇ ରହିଲା । ତହିଁରେ କତେଦିନକେ କଞ୍ଚନବତୀର ଶଶୁର କଞ୍ଚନବତୀକି ନେବାକୁ ଆସି ବାଟରେ ସେହି କଞ୍ଚନଗଛମୂଳେ ବସିଲା । ଶଶୁର ସାଙ୍ଗେ ଯେଉଁ କାରିକି ଥିଲା ସେ ଗଛରେ କିସୁନ୍ଦର ଫୁଲଗୁଡ଼ିଏ ଫୁଟିଚି ଦେଖି ଫୁଲଟିଏ ତୋଳିବାକୁ ଯେମନ୍ତି ହାତ ବଢ଼ାଇଚି, ସେ କଞ୍ଚନଗଛରେ କଞ୍ଚନବତୀ କହିଲା, ଥିରି ୨ କରି ତୋଳ ହେ ବାରିକ, ଗଛରୁପତର ଝଡ଼େନି, ମୋର ସାନ ଭାଇ ଖଣ୍ଡାରେ ହାଣିଚି ତହିଁକି ମୋ ଦେହ ଥରେଟି । ଗଛଭିତରୁ ଏମନ୍ତ ଶବଦ ବାହାରୁଚି ଶୁଣି ସମସ୍ତେ କାବା ହେଇଗଲେ । କଞ୍ଚନବତୀ ଶଶୁର ଫେର୍ ବିଡ଼ିବାପାଇଁ ଗଛକୁ ଫୁଲ ତୋଳିବାକୁ ହାତ ବଢ଼ାଇଲା; ସେ ଗଛରୁ ସେହିପରି ଶବଦ ହେଲା- ଥିରି ୨ କରି ତୋଳ ହେ ଶଶୁର ଗଛରୁ ପତର ଝଡ଼େଟି; ମୋର ସାନଭାଇ ଖଣ୍ଡାରେ ହାଣିକି ମୋ ଦେହ ଥରେଟି । ଶଶୁର ମନରେ କେତେ ଦୋଦୋପାଞ୍ଚ କଲା, ଗଲା ତା ଘରକୁ ବୋହୂ ଆଣିବାକୁ । ଶଶୁର ଆସି କହିଲା ମୋ ବୋହୂକୁ ପଠାଅ, କଞ୍ଚନବତୀର ବାପା ମା ଭାଇମାନେ ସମସ୍ତେ କହିଲେ ଆମେ ଝିଅକୁ ତ କୋଉଦିନୁ ଛାଡ଼ି ଆସିଲୁଣି, ତେମେ ଆଉ ବୋହୂପାଇଁ କଣ ଆସିଛ ? ଶଶୁର କହିଲା ହଉ ତେବେ ଏ ଗଛ ତଳକୁ ଆସିଲ, ଏ ଗଛ କଣ କହୁଚି ? ସମସ୍ତେ ଗଲେ, ଛ ଭାଇ, ଛ ଭାଉଯ, ବାପ, ମା, ସାନ ଭାଇ, ସାନ ଭାଉଜ ଗଲେ ନାହିଁ । ଆଗେ ବାପ ଗଲା ଫୁଲ ତୋଳିବାକୁ, ଗଛ କହିଲା, ଥରି ୨ କରି ତୋଳ ହେ ବାପା, ଗଛରୁ ପତର ଝଡ଼େଟି; ତମ ସାନ ପୁଅ ଖଣ୍ଡାରେ ହାଣିଚି ତହିଁକି ମୋ ଦେହ ଥରେଟି । ମା ଆଉ ୨ ଭାଇମାନେ ସେହିପରି ଗଲେ, ସେମାନଙ୍କୁ ବି ସେହିପରି କହିଲା । ଜାଣି ପାରିଲେ ଯେ ସାନ ଭାଇ କଞ୍ଚନବତୀକୁ ସେଠାରେ ମାରି ପକାଇଚି । ମା, ବାପା, ଶଶୁର, ଭାଇ, ଭାଉଜ ସମସ୍ତେ ବସି ସେଠାରେ କାନ୍ଦିଲେ । ରାତି ଯାଏ କାନ୍ଦୁଥାନ୍ତି, ରାତି ଅଧହେଲାଣି, ଇଶ୍ୱର ପାର୍ବତୀ ଉଡ଼ି ଯାଉଛନ୍ତି, ଏମାନଙ୍କ କାନ୍ଦଣା ଶୁଣି ସେଠାକୁ ଆସିଲେ । ଏମାନଙ୍କୁ ପଚାରିଲେ, ତେମେ ସବୁ କିଏ ? ଭୂତ ନା ପ୍ରେତ ? କାହିକି କାନ୍ଦୁଚ ? ଏମାନେ କହିଲେ, ଆମ୍ଭେମାନେ କେହି ନୋହୁ ଏହି ମଞ୍ଚର ଲୋକ, ଆମର ଗୋଟିଏ ଝିଅ ମରି ଗଛ ହେଇଚି, ଆମେ ତାରିପାଇଁ କାନ୍ଦୁଚୁଁ । ଇଶ୍ୱରକହିଲେ ହଉ, ତେଣିକି ମୁହଁବୁଲା ଏମାନେ ସେ ଆଡ଼କୁ ମୁହଁ କରି ବସିଲେ । ଇଶ୍ୱର କଣକଲେ, ଫୁଲ ପାଣି କରି ତୁନିମୁଠା ଛିଞ୍ଚିଦେଲେ ଯେ କଞ୍ଚବତୀ ଜୀଇ ଉଠିଲା । ଶଶୁର ବୋହୂକୁ ଘରକୁ ନେଇଗଲା । ଭାଇ,ଭାଉଜ, ମା, ବାପ ଘରକୁ ଆସିଲେ, ଗୋଟାଏ ଖଣି ଖୋଳିଲେ, ସାନ ପୁଅ, ସାନ ବୋହୂକୁ ସେଥିରେ ପେଲିଦେଲେ; ତଳକଣ୍ଟା ଉପରକଣ୍ଟା ଛାଟିଦେଲେ । ନିଶ୍ଚିନ୍ତରେ ଘରଦୁଆର କଲେ । ମୁଁ ଗଲାକୁ କଥା ନ କହିଲେ । ମୋ କଥାଟି ସରିଲା ଇତ୍ୟାଦି ।