ତପସ୍ୱିନୀ ଲେଖକ/କବି: ଗଙ୍ଗାଧର ମେହେର
ସପ୍ତମ ସର୍ଗ

[ ରାଗ: କଳହଂସ କେଦାର ]

ବୋଇଲେ ସତୀ, "ସଖି, ମୋ' ଦୁର୍ବିପାକ
ଘଟାଇ ଅଛି ଏକା ମୋ ଦୁଃଖଯାକ;
ମୋ କର୍ମ ପାଇଁ ଦୋଷୀ ନୁହନ୍ତି ବିଧି
କାନ୍ତ ତ ସ୍ୱଭାବେ ମୋ କରୁଣାନିଧି ଗୋ ! ୧ |
କାନ୍ତ ବିଚ୍ଛେଦେ ରହିପାରେ ଜୀବନ,
ଏମନ୍ତ କ୍ଷଣେ ଭାବି ନ ଥିଲା ମନ;
ସହିଲି ସହି, ଘୋର ଦୁଃସହ ଦୁଃଖ,
ଦେଖିବି ବୋଲି ଏକା ସ୍ୱମୀ-ଶ୍ରୀମୁଖ ଗୋ ! ୨ |
ସେକାଳେ ଆଶା ମୋର କର୍ଣ୍ଣକୁହରେ
ଆଶ୍ୱାସ ମନ୍ତ୍ର ଦେଇ ମୁମୂର୍ଷା ହରେ,
ଏବେ ସେ ଆଶା ନିଜେ ଯାଇଛି ମରି;
ଦଗ୍ଧ ହେଉଛି ପ୍ରାଣ ତାହାକୁ ସ୍ମରି ଗୋ !" ୩ |
ସଖୀ ବୋଇଲେ; 'ସଖି', ବୁଝିଲି ନାହିଁ,
କେମନ୍ତେ ଥିଲା ଆଶା ମଲା କିପାଇଁ ?
ତୋ ପରି ସାଧ୍ୱୀ ପାଇ ଦାରୁଣ ବ୍ୟଥା,
ନ ନିନ୍ଦୁ ବିଧୁ, ଏତ ବିଚିତ୍ର କଥା ଗୋ !" ୪ |
ବୋଇଲେ ସତୀ, "ମୋର ଦୁଃଖ-କାହାଣୀ
ଶୁଣି ସଜନି, ସବୁ ପାରିବୁ ଜାଣି,
ଯେମନ୍ତେ ଆମନ୍ତ୍ରିଲି ଘୋର କଷଣ,
ଯେମନ୍ତେ ଆଶାର ମୋ ହେଲା ମରଣ ଗୋ ! ୫ |
ପଞ୍ଚବଟୀରେ ଦିନେ କୁଟୀର ପାଶେ
ଖେଳିଲା ସ୍ୱର୍ଣ୍ଣମୃଗ ଏକ ଉଲ୍ଲାସେ,
ଚିକ୍କଣ ଲଭି-ରବି-କିରଣ ସଙ୍ଗ ଗୋ ! ୬ |
ହେମାଙ୍ଗେ ଚିତ୍ରବିନ୍ଦୁ ଚୟର କାନ୍ତି
ନେତ୍ରେ ଆଣିଲା ମୋର ରତନଭ୍ରାନ୍ତି,
ସେ ଜାତି ମୃଗ ଦେଖି ନ ଥିଲି ଦିନେ
ନଗରେ, ରାଜପୁରେ ଅବା ବିପିନେ ଗୋ ! ୭ |
ଭାବିଲି, ବାହୁଡ଼ିବି ଯେବେ ନଗରେ
ସୁଚାରୁ ମୃଗଟିକି ନେବି ସଙ୍ଗରେ,
ଚକିତ କରାଇବି ପୂରବାସୀଙ୍କି
ତା ସଙ୍ଗେ ବର୍ଣ୍ଣି ବନଶୋଭାରାଶିକି ଗୋ ! ୮ |
ଆହାର ଦେଖାଇଲି ଧରିବା ଆଶେ
ଚମକି ମୃଗବର ପାଶେ ନ ଆଶେ,
ମନ ଲୋଭଇ ମୋର ନେତ୍ର ରଞ୍ଜାଇ
ପଶିଲା ବାରମ୍ବାର ବିପିନେ ଯାଇ ଗୋ ! ୯ |
ତା' ପାଇଁ ବ୍ୟସ୍ତ ହେବା ଦେଖି ମୋ ମନ
କାନ୍ତ ବୋଇଲେ ସ୍ନେହବହି ବହନ,
'ସୁନ୍ଦର ମୃଗଟିକୁ ଆଣି ମୁଁ ତୂର୍ଣ୍ଣ
ସଖି, ତୋ କୁତୂହଳ କରିବି ପୂର୍ଣ୍ଣ ଗୋ ! ୧୦ |
ଧନୁ ଆଶୁଗ ଧରି ଆଶୁ ଗମନେ
ଚଳିଲେ କାନ୍ତ ତାର ଅନୁଧାବନେ,
ମୃଗାନୁସାରୀ କାନ୍ତ ଅତି ସତ୍ୱର
ଦୃଷ୍ଟି-ସୀମାରୁ ମୋର ହେଲେ ଅନ୍ତର ଗୋ ! ୧୧ |
ଶୁଭିଲା ବନ ମଧ୍ୟେ "ରଖ ଲକ୍ଷ୍ମଣ"
ସେ ଡାକେ ବିଚଳିତ ହେଲା ମୋ ମନ,
ମନ ସହିତ ତହିଁ ଦେଲି ଶ୍ରବଣ |
ପୁଣି ଉଠିଲା ରବ 'ରଖ ଲକ୍ଷ୍ମଣ' ଗୋ ! ୧୨ |
ଲକ୍ଷ୍ମଣ ବୀର ଥିଲେ ମୋର ନିକଟ
ବୋଇଲି, 'ଦେଖ ବତ୍ସ, ହେଲା ସଙ୍କଟ |'
ବୋଇଲେ କରିବାକୁ ମୋ ମନ ଥୟ,
'ରାଘବୀ ଭାଷା ନୁହେଁ ନ କର ଭୟ ଗୋ !' ୧୩ |
ବୀର ସ୍ୱଭାବ ସଖି, ବୁଝନ୍ତି ବୀର,
ଦେଖିଲି ଲକ୍ଷ୍ମଣଙ୍କୁ ଧୀର ଗମ୍ଭୀର |
ନାରୀ-ହୃଦୟ ସତେ ଅତି ଦୁର୍ବଳ;
ଅଧିକ ହେଲି ତାଙ୍କ ବାକ୍ୟେ ବିକଳ ଗୋ ! ୧୪ |
ବିନୟ ପରେ କରି କଟୁ ଭାଷଣ
ସ୍ୱାମୀ ସମୀପେ ତାଙ୍କୁ କଲି ପ୍ରେଷଣ,
ମୋ ସୁଖ-ସଉଭାଗ୍ୟ ସମ୍ପଦରାଶି
ଗଲେ ଲକ୍ଷ୍ମଣ ଗତି-ସ୍ରୋତରେ ଭାସି ଗୋ ! ୧୫ |
ବିପଦ ହୋଇ ଏଣେ ବିଗ୍ରହଧାରୀ
ଯୋଗୀନ୍ଦ୍ର ବେଶେ ଦ୍ୱାରେ ହେଲା ଭିଖାରୀ,
ସ୍ୱାମୀ ଆସିବା ଯାଏ ନ ଟାକି ମନ୍ଦ
ଭିକ୍ଷା ନିମନ୍ତେ କଲା ଘୋର ନିର୍ବନ୍ଧ ଗୋ ! ୧୬ |
ଭିକ୍ଷା ଦିଅନ୍ତେ ବଳେ ଧରି ମୋ କର
ବିମାନେ ବସାଇଲା ନେଇ ସତ୍ୱର,
କଲି ବିନୟ କେତେ, କେତେ ତର୍ଜ୍ଜନ
ନ କଲା କର୍ଣ୍ଣପାତ ତହିଁ ଦୁର୍ଜନ ଗୋ ! ୧୭ |
ଜାଣିଲି ବେଶ ନୁହେ ଗୁଣର ଚିହ୍ନ
ବାହାରେ ସାଧୁବେଶ, ଭିତରେ ଭିନ୍ନ,
ମଣନ୍ତି ଲୋକେ ସର୍ବଶୁଭଦ ଧର୍ମ;
କେ ଜାଣେ ଧର୍ମ ନାମ ବହଇ ଯମ ଗୋ ! ୧୮ |
ଦକ୍ଷିଣ-ମୁଖେ ଖଳ ବାହିଲା ରଥ
କମ୍ପାଇ ଘନ ଘୋଷେ ଗଗନପଥ;
କାନ୍ଦିଲି ଯେତେ ଯେତେ ଉଚ୍ଚ ଆରବେ,
ବିଲୀନ ହେଲା ରଥ-ଘୋଷ-ଗରଭେ ଗୋ ! ୧୯ |
ଦେଖିଲି ତଳେ ବନ ମୟୂରଗଣ
ଅନାଇ ମୋତେ କରୁଥିଲେ ରୋଦନ;
ହରିଣ ଯୂଥ ଯୂଥ ଊର୍ଦ୍ଧ୍ୱ ନୟନେ
ଚକିତ ଦୃଷ୍ଟି ଦେଇଥାନ୍ତି ସ୍ୟନ୍ଦନେ ଗୋ ! ୨୦ |
ପକ୍ଷୀଏ ପଥ ରୋଧି କଲା ସମର
ତା' ପକ୍ଷ ପକାଇଲା ଛେଦି ପାମର;
ପବନ ପ୍ରତିକୂଳ ହୋଇ ଗତିକି
ନିବାରି ନ ପାରିଲା ମନ୍ଦମତିକି ଗୋ ! ୨୧ |
ପଥ ପର୍ବତଶ୍ରେଣୀ ମସ୍ତକ ଟେକି
ପାରିଲେ ନାହିଁ ବ୍ୟୋମ-ବିମାନ ଛେକି,
ମହୀବାସୀଙ୍କି ବାର୍ତ୍ତା ଦେବାର ପାଇଁ
ଦୀନ ନୟନେ ଥାଏଁ ତଳକୁ ଚାହିଁ ଗୋ ! ୨୨ |
ରଥ-ଶବଦେ ଭାଷା ହେବ ବିଫଳ
ଜାଣି ପକାଇଦେଲି ଭୁଷା ସକଳ;
ଦେଖିଲି ନଦୀମାନେ ହୋଇ ବିକଳ
ଶୀର୍ଣ୍ଣ ଶରୀରେ ଯେହ୍ନେ ହେଲେ ବିଶ୍ଚଳ ଗୋ ! ୨୩ |
ତନୁ ସଂକୋଚି ତୁଙ୍ଗ ପାଦପଚୟ
ଭିଡ଼ିଲେ ପରସ୍ପରେ ଲଭି ତା' ଭୟ,
ଅବନୀ କ୍ରମେ ହୋଇଗଲା ନୀରବ;
ଲୁଚି ରହିଲେ ମୃଗ ବିହଙ୍ଗ ସର୍ବ ଗୋ ! ୨୪ |
ପୂର୍ବ ପଶ୍ଚିମ ଯାମ୍ୟ କକୁଭକ୍ରୟ
କ୍ରମେ ଦିଶିଲା ଗାଢ଼ ନୀଳିମାମୟ,
ମହୀ ଲକ୍ଷଣ କିଛି ନ ହେଲା ଦୃଷ୍ଟ,
ତହିଁ ମଧ୍ୟକୁ ରଥ ବାହିଲା ଦୁଷ୍ଟ ଗୋ ! ୨୫ |
ଅଗ୍ରେ ଦିଶିଲା ଦିଗମୂଳ ଉଜ୍ଜ୍ୱଳ,
କ୍ରମେ ମଣିଲି ତାକୁ ବନ-ଅନଳ,
ଯେତିକି ହେଲା ରଥ ତା ପାଶ ପାଶ,
ଅସଂଖ୍ୟ ଜ୍ୟୋତିଃପୁଞ୍ଜ ହେଲା ପ୍ରକାଶ ଗୋ ! ୨୬ |
ଭାବିଲି ନଭ ତେଜି ତାରା ସକଳ
ଦିବସେ ଛନ୍ତି ତହିଁ ଦଳକୁ ଦଳ,
ବିଧୂ ବିରହେ ତେଜି ନଭୋମଣ୍ଡଳ
ହୃଦୟେ ଜାଳୁଛନ୍ତି ବିରହାନଳ ଗୋ ! ୨୭ |
କିବା ମୋ ମର୍ତ୍ତ୍ୟଲୀଳା ହୋଇଛି ଶେଷ,
ଶମନପୁରେ ହେଉଅଛି ପ୍ରବେଶ ?
ଦେଖିଲି ମନୋହର ଅଟ୍ଟାଳୀଶ୍ରେଣୀ
ଦିଶନ୍ତି ରମ୍ୟ ହେମକଳସ ଘେନି ଗୋ ! ୨୮ |
ଦିଶିଲା କ୍ରମେ ପୁର ଅଟ୍ଟାଳୀ ବୀଥି
ନଗର ରଞ୍ଜିଛନ୍ତି ଖର-ଦୀଧିତି;
ସ୍ୱକରେ ହର୍ମ୍ୟଶିର କଳସମାନ
ରାସାଣି କରୁଛନ୍ତି ଜାଜ୍ଜ୍ୱଲ୍ୟମାନ ଗୋ ! ୨୯ |
ସେକାଳେ ମନେ ମୋର ହେଲା ବିଚାର
ଅଟଇ ଯୋଗୀ ନିଶ୍ଚେ ଶମନଚାର,
କୃତାନ୍ତ ପାଶ ଯିବି ସଦର୍ପେ ପଶି
ଉଞ୍ଚାଇ ଦୀପ୍ତ ପତି-ଭକତି-ଆସି ଗୋ ! ୩୦ |
ନଗର ପ୍ରାନ୍ତେ ଯୋଗୀ ଓହ୍ଲାଇ ରଥ
ଚାଲିଲା ଚାହିଁ ଏକ ଉଦ୍ୟାନ ପଥ,
ମଣ୍ଡିତ ପଥ ଚାରୁ ମର୍ମରୋପଳେ
ଉଦ୍ୟାନ ଶୋଭେ ନାନା କୁସୁମ ଫଳେ ଗୋ ! ୩୧ |
ଅଶୋକ ତରୁ ତହିଁ ଅଧିକତର
କୁସୁମ ପୁଞ୍ଜେ ପୁଞ୍ଜେ ଦିଶେ ସୁନ୍ଦର;
ଉଦ୍ୟାନ ମଧ୍ୟେ ଏକ ଉଜ୍ଜ୍ୱଳ ହର୍ମ୍ୟ
ବିବିଧ ରତନରେ ଦିଶଇ ରମ୍ୟ ଗୋ ! ୩୨ |
ବୋଇଲା ଯୋଗୀ ମୋତେ; 'ସେଠାରେ ରହ
ଗଣିବୁ ନାହିଁ ଚିତ୍ତେ କାନ୍ତ-ବିରହ;
କାନନବାସ-କ୍ଲେଶ ହେଲା ତୋ ଶେଷ,
ସ୍ୱରଗ ସୁଖ ଭୁଞ୍ଜ ମଣ୍ତି ଏ ଦେଶ ଗୋ ! ୩୩ |
ତିନିଭୁବନେ ଯେଉଁ ଦ୍ରବ୍ୟ ଦୁର୍ଲଭ
ବାଞ୍ଛିଲା ମାତ୍ରେ ଏବେ ହେବ ତୋ ଲଭ୍ୟ;
ସହସ୍ର ସୁକୁମାରୀ ସ୍ନେହ ପ୍ରକାଶି
ହେବେ ତୋ ଅରବିନ୍ଦ-ଚରଣେ ଦାସୀ ଗୋ ! ୩୪ |
ରତନ ବିଭୂଷିତ ସହସ୍ର ନାରୀ
ଡାକି ବୋଇଲା ଅତି ଦୃଢ଼େ ତିଆରି,
ଏହାକୁ ଜାଣି ମୋର ହୃଦୟେଶ୍ୱରୀ
ସେବି ରହିବ ହୃଦେ ଭକତି ଭରି ଗୋ ! ୩୫ |
ଖଟିବ ନିତି ଏହା ମାନସ ଜାଣି
ଶୁଣାଉଥିବ ମୋର ମହିମା-ବାଣୀ,
ମୋର ସମ୍ପଦେ ଯେହ୍ନେ ମଜ୍ଜେ ତା ମନ;
ତହିଁକି କରୁଥିବ ଅତି ଯତନ ଗୋ ! ୩୬ |
ଏମନ୍ତ କହି ଯୋଗୀ ହେଲା ଅନ୍ତର
ବିସ୍ମୟେ ପୂରିଗଲା ମୋର ଅନ୍ତର,
କିଏ ସେ ଯୋଗୀ ମୋତେ ଆଣିଲା କାହିଁ;
କେଉଁ ପୂର ତା କିଛି ଜାଣିଲି ନାହିଁ ଗୋ ! ୩୭ |
କେମନ୍ତେ ହେଲି ଯୋଗୀ-ହୃଦୟେଶ୍ୱରୀ
ରହିଛି ରଘୁବଧୂ-ଶରୀର ଧରି,
ମରି ତ ନାହିଁ ମୁହିଁ, ଅଛି ସ୍ମରଣ;
କୌଶଲ୍ୟା-ସୁତ ସିନା ମୋର ଶରଣ ଗୋ ! ୩୮ |
ହୃଦୟେ କଲି ପୁଣି ଦୃଢ଼ ନିଶ୍ଚୟ
ଯେ କେହି ହେଉ ଯୋଗୀ କି ଅଛି ଭୟ ?
ଯାବତ ଜୀବନେ ମୋ ଥିବ ସ୍ଣରଣ;
କୌଶଲ୍ୟା-ସୁତ ଏକା ମୋର ଶରଣ ଗୋ ! ୩୯ |
ହେଉ ଏ ଯମାଳୟ ଅଥବା ସ୍ୱର୍ଗ
ବିହରୁଥାନ୍ତୁ ଏଥି ଦେବତା ବର୍ଗ,
କେ କରିପାରିବ ମୋ ଚିତ୍ତ ହରଣ ?
କୌଶଲ୍ୟା-ସୁତ ଏକା ମୋର ଶରଣ ଗୋ ! ୪୦ |
ସହସ୍ର ଦାସୀରେ ମୋ କି ପ୍ରୟୋଜନ
ଆଉ କି ଅଛି ମୋର ସ୍ନାନ ଭୋଜନ,
କାନନେ ଭ୍ରମୁଥିବେ ମୋ ପ୍ରାଣପତି;
ତାଙ୍କ ଚରଣେ ଏକା ରହିବ ମତି ଗୋ ! ୪୧ |
ମଞ୍ଜୁଳ ବୀଣା ଧରି ସତେ ଭାରତୀ
ସଙ୍ଗୀତ ଯଦି ମୋର ପାଶେ କରନ୍ତି,
ମୋ କର୍ଣ୍ଣେ ହେବ କାହିଁ ତାହାର ମୂଲ୍ୟ;
କାନ୍ତ-ଶ୍ରୀମୁଖ-କଥା ପାଦକ ତୁଲ୍ୟ ଗୋ ! ୪୨ |
ଏକନ୍ତ ଭାବି ଭାବି ଶ୍ରୀପଦେ ଧ୍ୟାନ
ଦେଇ ହରାଇଦେଲି ଜୀବନଜ୍ଞାନ,
କେମନ୍ତେ କେତେ କାଳ ହେଲା ଅତୀତ;
କିଛି ନ ଜାଣେ ପତି ଚିନ୍ତା ବ୍ୟତୀତ ଗୋ ! ୪୩ |
କିନ୍ତୁ ସେ ରାଜ୍ୟେ ମୋତେ ଦିନ-ଶର୍ବରୀ
ପ୍ରତୀତ ହେଲା ଦେବ-ସମୟ ପରି,
ଦେବଭୁବନ ତାକୁ ମଣିଲି ମନେ;
ଦେବ-ସାହସ ପୂର୍ଣ୍ଣ କଲି ଜୀବନେ ଗୋ ! ୪୪ |
ଈଶ୍ୱରେ ମନାସିଲି ଦେବ ଶକତି;
ଦେବୀ-ହୃତୟୋଚିତ ପତି-ଭକତି,
ପତି ଚରଣାମୃତେ ରଖିଲି ଆଶା;
ଗଣିଲି ନାହିଁ ଆଉ କ୍ଷୁଧା ପିପାସା ଗୋ ! ୪୫ |
ବିବିଧ ଅଙ୍ଗରାଗ ବହୁ ଭୂଷଣ
ବିବିଧ ଖାଦ୍ୟ ଆଣି ସେବିକାଗଣ,
କହିଲେ କେତେ ମତେ ଚାଟୁବଚନ;
ବଳିଲା ନାହିଁ କାହିଁ ତହିଁ ମୋ ମନ ଗୋ ! ୪୬ |
ଦାସୀଙ୍କ ବଚନରୁ ଜାଣିଲି କ୍ରମେ
ରାବଣ ତ୍ରିଭୁବନ-ଜୟୀ ବକ୍ରମେ,
ଡରନ୍ତି ସୁରପତି ଶୁଣି ତା' ନାମ;
ସିନ୍ଧୁ-ପରଖୀକୃତ ଲଙ୍କା ତା; ଧାମ ଗୋ ! ୪୭ |
ସେହି ରାଜ୍ୟକୁ ମୁହିଁ ହୋଇଛି ନୀତ
ନେଇଛି ଯୋଗୀବେଶେ ସେ ଦୁର୍ବିନୀତ,
ନବର ନଗର ତା' ଅତୁଳ ରମ୍ୟ;
ନର କିନ୍ନରଙ୍କର ଦୁରଧିଗମ୍ୟ ଗୋ ! ୪୮ |
ଯହିଁ କି ବଳିଥାଏ ତାହାର ଚିତ୍ତ
ଭୟେ କରନ୍ତି ଦେବେ ତାହା ରଚିତ,
ଆସିଲେ ଅରୁଣିମା ତାର ନୟନେ;
ବିପଦଭୟ ବ୍ରହ୍ମା କରନ୍ତି ମନେ ଗୋ ! ୪୯ |
ରାବଣ ନାମ ଶୁଣି ପାରିଲି ଜାଣି
ପିନାକୀ ଚାପେ ଭାଙ୍ଗିଥିଲା ତା ଆଣି,
ଭାବିଲି କି ସାହସ କରିଛି ଶ୍ୱାନ;
କରିବା ପାଇଁ ଯଜ୍ଞ-ଅମୃତ ପାନ ଗୋ ! ୫୦ |
ସତକୁ ସତ ଦିନେ ଆସି ଦୁର୍ମତି
ଅନଳ ତେଜେ ଉଭା ହେଲା ମୋ କତି,
ପାପ-ବଚନେ ପାପ-ମାନସେ ପାପୀ;
ବକିଲା କେତେ ଆତ୍ମଗରିମା ଜ୍ଞାପି ଗୋ ! ୫୧ |
ମୋ ଦୁଃଖ ଘନଘଟା ଲୋତକ ଧାର
ଚାହିଁ ଘୁଞ୍ଚିଲା କହି ଗର୍ବ-ଅନ୍ଧାର,
ଚମକିଗଲା ମୋର ସେ ଘନଘଟା-
ମଧ୍ୟେ ତୋ ଆଶା ଭୀମ ବିଦ୍ୟୁତ ଛଟା ଗୋ ! ୫୨ |
ସଖି, ମୁଁ ହେଲି ଯେଉଁ ଦିବସୁଁ ଜ୍ଞାତ
ପାପୀ ଦାନବ ଛୁଇଁଅଛି ମୋ ହାତ,
ଛୁଇଁଲା ସ୍ଥଳୁଁ ଉଠି ବ୍ୟାପି ଶରୀର;
ଦୁଃସହ ଜ୍ୱାଳା କରେ ପ୍ରାଣ ଅସ୍ଥିର ଗୋ ! ୫୩ |
ମଣଇଁ ବିଷଦିଗ୍ଧ ଶରପଟଳ-
ସଦୃଶ ଅପଘନ ଲୋମ ସକଳ,
ବ୍ୟାଧ ବିହଗାହତ ହରିଣୀଗଣ;
କି ଦୁଃଖ ଭୋଗୁଥିବେ ଭାବେ ମୋ ମନ ଗୋ ! ୫୪ |
ସରି ଯେ ଦୁର୍ବିସହ ଦୁଃଖ ମରମେ
ମତିକି ଦୃଢ଼ କରିଥାଏ ଧରମେ,
ଦୃଢ଼ ଭରସା ମୋର ଥାଏ କେବଳ;
ଅବଳା ପାଇଁ ସଦା ଧରମବଳ ଗୋ ! ୫୫ |
ନ ଜାଣି ସିନା ଥରେ ରାକ୍ଷସଧାମେ
ହସ୍ତ ବଢ଼ାଇ ଭିକ୍ଷା ଦେଲି ମୁଁ ଭ୍ରମେ,
ଏବେ କରିବ ଯଦି ବଳ ପ୍ରକାଶ;
ମାରିବି ଅବା ହେବି ତା ହସ୍ତେ ନାଶ ଗୋ ! ୫୬ |
ଯଦ୍ୟପି ସତ୍ୟ ଅଛି ଜଗତେ ଧର୍ମ
ଦେଖିବ ଜଗତ ମୋ ଅଦ୍ଭୁତ କର୍ମ,
ପାପ-କାର୍ପାସ ହେଲେ ପର୍ବତ ସମ;
ପୁଣ୍ୟାଗ୍ନି-କଣା ତାକୁ ଦହନେ କ୍ଷମ ଗୋ ! ୫୭ |
ଦେଖ ସଜନୀ, ହୋଇ ଧରମ ଋତ
ମୋ ପ୍ରାଣେ ଢାଳିଦେଲା ଯେହ୍ନେ ଅମୃତ !
କପିଏ ଦେଇ ମୋତେ କାନ୍ତ ସମ୍ବାଦ;
ରାବଣ ସଙ୍ଗେ କରିଗଲା ବିବାଦ ଗୋ ! ୫୮ |
ଅଚିରେ ରଘୁମଣି ବାନର ବଳେ
ସେତୁ ପ୍ରସ୍ତୁତ କରି ସାଗର-ଜଳେ,
ଲଙ୍ଘି ତୁର୍ଲଂଘ୍ୟ ବାରି ଆକ୍ରମି ଲଙ୍କା;
ରାକ୍ଷସପତି-ପ୍ରାଣେ ରୋପିଲେ ଶଙ୍କା ଗୋ ! ୫୯ |
ଦୁଷ୍କର ରଣ-ଯଜ୍ଞ କଲେ ଆରମ୍ଭ
କମ୍ପିଲା ଲଙ୍କା ଶୁଣି କପି-ଆରବ,
ରାକ୍ଷସ-ବଂଶେ ଥିଲେ ଯେତେକ ବଳୀ;
ସମସ୍ତ ଆସି ହେଲେ ସେ ଯଜ୍ଞେ ବଳି ଗୋ ! ୬୦ |
ଧରମ-ପଥେ ଥିଲା କେବଳ ଜଣେ
ରହିଲା ରଘୁପତି ପଦଶରଣେ,
ଅଟଳ ଯୂପ ହେଲା ସେ ମହାଧ୍ୱରେ;
ଅଭୟ ପୁଷ୍ପମାଳା ଧରି କଣ୍ଠରେ ଗୋ ! ୬୧ |
ଯେତିକି ବହିଥିଲା ମୋ' ନେତ୍ର ନୀର
ତା କୋଟି ଗୁଣ ହେଲା ରକ୍ଷ-ରୁଧିର,
ରାବଣ ଭାସି ଶୋକସାଗେ କ୍ରାସେ;
ପଡ଼ିଲା ପ୍ରଭୁ-ବାଣ-କୁମ୍ଭୀର-ଗ୍ରାସେ ଗୋ ! ୬୨ |
ତା' ପରେ ରଘୁପତି ମୋତେ ଅଣାଇ
ବୋଇଲେ ସ୍ନେହ ଶୂନ୍ୟ ନେତ୍ରେ ଅନାଇ,
"କୁସଙ୍ଗୁ ବଳି ନାହିଁ ଜଗତେ ପାପ;
କୁସଙ୍ଗୀ ସଙ୍ଗେ ମିଳେ ଘୋର ସନ୍ତାପ ଗୋ ! ୬୩ |
କାମାନ୍ଧ ଦାନବର ପାପ-ଭବନେ
ଥିଲ, ସ୍ପରଶିଥିବ ପାପ ତୋ ମନେ,
ନ ପାରେ କରି ତୋତେ ଆଉ ଗ୍ରହଣ;
ଗ୍ରହଣ କଲେ ହେବ ଲୋକଗର୍ହଣ ଗୋ ! ୬୪ |
ଜଳଦ ଜଳ କଲେ ନୀଚେ ଗମନ
ଆଉ କି ତାକୁ ରଖି ପାରଇ ଘନ ?
ଅନଳ-ଶିଖା-ପରି ଅନଳେ ଦହି;
ହେଲେ ସେ ଜଳ ଊର୍ଦ୍ଧ୍ୱେ ଘନେ ମିଶଇ ଗୋ ! ୬୫ |
ଭାବିଲି, ଥିଲି ସିନା ଧରି ଜୀବନ
ସେବିବି ବୋଲି ପ୍ରଭୁ ପଦ୍ମଚରଣ,
ନ ହେବି ଯଦି ପଦସ୍ପର୍ଶେ ଭୋଜନ;
ଜୀବନେ ଆଉ ମୋର କି ପ୍ରଯୋଜନ ଗୋ ! ୬୬ |
ଦହିବି ଦେହ ଚାହିଁ ଚାହିଁ ଶ୍ରୀମୁଖ
ଏଥୁଁ ଅଧିକ ମୋର କି ଅଛି ସୁଖ ?
ଦଗ୍ଧ ହେଲେ ଦେହ, ଅବଶ୍ୟ ପ୍ରାଣ
ପ୍ରଭୁ ଶ୍ରୀଅଙ୍ଗେ ଯାଇ ପାଇବ ସ୍ଥାନ ଗୋ ! ୬୭ |
ଧରମ-ବଳେ ଯେବେ ରହିବ ଦେହ
ଲଭିବି ପ୍ରଭୁଙ୍କର ଦ୍ୱିଗୁଣ ସ୍ନେହ !
ବୋଇଲି, 'ଜଳା ହେଉ ହବ୍ୟବାହନ;
କରିବ ଦାସୀ ତହିଁ ଅବଗାହନ ହେ !' ୬୮ |
ଅକୁଣ୍ଠ ଆଜ୍ଞାବହ ସକୁଣ୍ଠ-ଚିତ୍ତେ
ଲକ୍ଷ୍ମଣ ବହ୍ନି ଜାଳି ଦେଲେ ତ୍ୱରିତେ |
ଅନଳଶିଖାମାନ ବାତ କମ୍ପନେ;
ଅତି ଚଞ୍ଚଳ ହେଲେ ନଭ ଲମ୍ଫନେ ଗୋ ! ୬୯ |
ସତୃଷ୍ଣ ଦୃଷ୍ଟି ଦେଇ ମୁଖ କମଳେ
ଅନଳ ପାଶ ଯାଇ ହୃଦୟବଳେ,
ବୋଇଲି, 'ରବି-ଶଶୀ-ବାୟୁ-ଗଗନ;
ପାବକ ତୁମେ ଜାଣ ପ୍ରାଣୀଙ୍କ ମନ ହେ ! ୭୦ |
ରାଘବ ବିନା ଅନ୍ୟେ ଯଦି ମୋ ଚିତ୍ତ
ପ୍ରେମେ ଆକୃଷ୍ଟ ହୋଇଥିବ କିଞ୍ଚିତ,
ଅନଳ ପଟୁ ତୁମ୍ଭେ ସର୍ବ ଭକ୍ଷଣେ;
ଦିଅ ହେ କରି ମୋତେ ଭସ୍ମ ଏକ୍ଷଣେ ! ୭୧ |
ହୋଇ ତ ଥିଲି ରକ୍ଷ-ନଗରେ ବନ୍ଦୀ
ସେ ଯଦି ଥିବ ମୋତେ ପତକେ ଛନ୍ଦି,
କୋଟି ଜନମ କାନ୍ତ ପଦ-କମଳ;
ଚାହିଁବି ନାହିଁ, ମୋତେ ଦହ ଅନଳ ହେ ! ୭୨ |
ପାତକୀ ପୂଣ୍ୟବନ୍ତ ତୁମ୍ଭେ ନ ଜାଣ
ସ୍ୱଧର୍ମ ଚିର ସତ୍ୟ ଯଦି ଜଗତେ;
ମୋ ଧର୍ମ ଅପବାଦୁଁ ରଖିବ ମତେ ହେ ! ୭୩ |
ହେ ଧର୍ମ ! ନିଜ ଗୁଣେ ରହ ମୋ ଅଙ୍ଗେ
ନ ଡରି ଅନଳରେ ପଶ ମୋ ସଙ୍ଗେ,
ଜୀବନେ ନ ପରିଲେ ମୋତେ ମରଣେ;
ସେବିକା କରି ଦେବ ପ୍ରଭୁ ଚରଣେ ହେ ! ୭୪ |
ମୋ ତନୁ ଦଗ୍ଧ ହେଲେ ହେବ ତ ଖାର
ତାହାକୁ କରାଇବ ପାଦପେ ସାର
ସେ ତରୁ କାଷ୍ଠ ଦେଇ ବର୍ଦ୍ଧକୀ ହସ୍ତେ;
କରାଇ ଦେବ ପ୍ରଭୁ ପାଦୁକା ମତେ ହେ !' ୭୫ |
ପ୍ରଭୁ ଶ୍ରୀମୁଖ ପୁନଃ ପୁନଃ ଅନାଇ
ନିଃଶଙ୍କେ ଅନଳରେ ପଶିଲି ଯାଇଁ |
ଚାହିଁ କାନ୍ଦିଲେ ରଘୁମଣି ଲକ୍ଷ୍ମଣ;
କାନ୍ଦଲେ ଘୋର ରବେ ସୈନିକଗଣ ଗୋ ! ୭୬ |
ଅସଂଖ୍ୟ ନେତ୍ରେ ହେଲା ଜଳ ପ୍ରବଳ
ମଜ୍ଜାଇ ଦେଲା ମୋତେ କାରୁଣ୍ୟଜଳ,
ଅନଳ ତହିଁ ବୋଧ ହେଲା ଶୀତଳ;
ପୂରିଲା ହାହା ରବେ ନଭୋମଣ୍ଡଳ ଗୋ ! ୭୭ |
ମୋ ଅନୁକୁଳେ ହେଲା ଆକାଶ-ବାଣୀ
ସତୀତ୍ୱ ମୋର ପ୍ରଭୁ ପାରିଲେ ଜାଣି,
ଅନଳ ଧର୍ମ ବଶେ ହେଲା ନିର୍ବାଣ;
ବଞ୍ଚିଲା ଧର୍ମ-ବଳେ ତହିଁ ମୋ ପ୍ରାଣ ଗୋ ! ୭୮ |
ଦଗ୍ଧ ହୋଇଗଲା ମୋ ଦୁଃଖରାଶି
ଭାଗ୍ୟେ ମୁଁ ହେଲି ପ୍ରଭୁପୟରେ ଦାସୀ,
ଭାବିଲି; କଷ୍ଟେ ରଖିଥିବାରୁ ଜୀବ;
ଲଭିଲି ସିନା ପ୍ରଭୁ-ପଦ ରାଜୀବ ଗୋ ! ୭୯ |
ବସାଇ ମୋତେ ପ୍ରଭୁ ସ୍ୟନ୍ଦନବରେ
ଘେନି ବାନର ରକ୍ଷଦଳ ସଙ୍ଗରେ,
ବାହୁଡ଼ା-ବିଜେ କଲେ ଅଯୋଧ୍ୟା ମୁଖେ;
ଗଗନ-ପଥେ ଜୟ-ଉଲ୍ଲାସ-ସୁଖେ ଗୋ ! ୮୦ |
ହୋଇ ବିରହ-ମରୁ-ପ୍ରଦେଶ ପାର
ପାଇଲି ଶୁଷ୍କ ପ୍ରାଣେ ପ୍ରେମକୂପାର,
ଅପୂର୍ବ ସୁଖ ପ୍ରାଣେ ହେଲା ଉଦୟ;
ମଣିଲି ଜଗତକୁ ଆନନ୍ଦମୟ ଗୋ ! ୮୧ |
ଯଦ୍ୟପି ଦୁଃଖ ଥାଏ ନିଜ ଜୀବନେ
ସୁଖ ନ ଦିଏ ଦେଖା ବିଶ୍ୱଭୁବନେ,
ନିଜ ଜୀବନେ ହେଲେ ସୁଖ ଆଗତ;
ସୁଖରେ ପରିପୂର୍ଣ୍ଣ ଦିଶେ ଜଗତ ଗୋ ! ୮୨ |
ଯେ ରଥେ ପଡ଼ିଥିଲି ବିପଦ-କୂପେ,
ଚଢ଼ିଲି ସେହି ରଥେ ସମ୍ପଦ ପ୍ତୂପେ,
ଯା' ଚାହିଁ ଚାହିଁ କରିଥିଲି କ୍ରନ୍ଦନ;
ତା' ଚାହିଁ ଚାହିଁ ହେଲା ମୁଦ ବର୍ଦ୍ଧନ ଗୋ ! ୮୩ |
ରତ୍ନଦୀପିତ ରଥ ତା ଚିତ୍ରଗତି
ଉପରେ ମେଘ ତଳେ ସରିତପତି,
ସରିତ ଧରାଧର ଧରଣୀରୁହ;
ହେଲେ ମୋ ନୟନର ପୀରତିବ୍ୟୂହ ଗୋ ! ୮୪ |
ପୂର୍ବ ନିବାସ ବନସ୍ଥଳ ସକଳ
ବିହାର-କୁଞ୍ଜପୁଞ୍ଜ ରମ୍ୟ ଅଚଳ,
ଧୂମ-ଜଟିଳ ଋଷି-ଆଶ୍ରମମାନ;
ଚିତ୍ତକୁ ମୋର କରୁଥିଲେ ଆହ୍ୱାନ ଗୋ ! ୮୫ |
ବ୍ୟସ୍ତକୁନ୍ତଳା ମୁନିକୁମାରୀଗଣ
ରଥ-ନିର୍ଘୋଷ ଦୁରୁଁ କରି ଶ୍ରବଣ,
ଚକିତେ ଚାହିଁଥାନ୍ତି ଊର୍ଦ୍ଧ୍ୱ ବଦନେ;
ଜନ୍ମାଇ ପୂର୍ବ-ସୁଖ-ସ୍ମୃତି ମୋ ମନେ ଗୋ ! ୮୬ |
ପବିତ୍ର ସ୍ନେହ ତାଙ୍କ ସମୁଦାଦର
ମୃତୁ ମଧୁର କଥା-ଲସିତାଧର,
ମମତାମୟ ଶାନ୍ତ ସରଳ ଦୃଷ୍ଟି;
କଲେ ମୋ ସ୍ମୃତିକ୍ଷେତ୍ରେ ପୀୟୁଷ ବୃଷ୍ଟି ଗୋ ! ୮୭ |
କ୍ରମଶଃ କୁମାରୀଙ୍କ ନାମ ସକଳ
କମଳରୂପେ ଫୁଟି ହେଲେ ବିମଳ,
ଘୋର-ବିରହ-ନିଶା-ତମ-ଶେଷରେ;
ସୁଖ-ଦିବସ-ମୁଖେ, ମୋ ମନ ସରେ ଗୋ ! ୮୮ |
ତାଙ୍କ ବିଗତ ଭାବ ସୌରଭରାଶି
ଆମୋଦେ ପ୍ରାଣକୁ ମୋ ଦେଲେ ଉଲ୍ଲାସି,
ବନଦର୍ଶନେ ମଲ ନୋହୁଁଣୁ ତୂପ୍ତ
ଆଗକୁ ରଥବର ଚାଲିଲା ଦ୍ରୁତ ଗୋ ! ୮୯ |
ନିସର୍ଗଶୋଭାଳୟ ସୁରମ୍ୟ ବନ
ବର୍ଜନ ନ ପାରିଲା କରି ମୋ ମନ,
ସେ ମନ ଥିଲା ପୁଣି ନଭେ ସ୍ୟନ୍ଦନେ;
ଲାଗିଲା ତେଣେ ପୁରେ ଶ୍ୱଶ୍ରୂଚରଣେ ଗୋ ! ୯୦ |
ଶ୍ୟମସୁନ୍ଦର-କାନ୍ତି କାନ୍ତକୁ ସଙ୍ଗେ
ଘେନି ଖେଳନ୍ତେ ସ୍ଥଳକ୍ରୟ ସୁରଙ୍ଗେ,
ମନ ମୋ ହେଲା ଅର୍ଦ୍ଧମଣ୍ଡଳାକାର
ନବ ନୀରଦେ ଶକ୍ରଚାପ ପ୍ରକାର ଗୋ ! ୯୧ |
ପ୍ରାଣ-ପ୍ରତିମ ପୁତ୍ର ବନ-ପ୍ରୟାତ
ହେଲାରୁ ଶ୍ୱଶୁର ମୋ ଅଯୋଧ୍ୟା-ନାଥ,
ନିର୍ବାଣ କରି ଦୁଃଖେ ଜୀବନ-ଦୀପ;
ଗୀର୍ବାଣପୁର ଗଲେ ଶକ୍ର ସମୀପ ଗୋ ! ୯୨ |
ଭରତ ରାଜ୍ୟ ରାଜ-ବିହୀନ ଚାହିଁ
ବନେ ଅଇଲେ ସ୍ୱାମୀ ସମୀପ ଧାଇଁ,
କହିଲେ ଦୁଃଖେ ଯୁକ୍ତ କରପୁଟରେ;
ସେକାଳେ ଥିଲୁ ଆମ୍ଭେ ଚିତ୍ରକୂଟରେ ଗୋ ! ୯୩ |
ବହୁ ବିନୟ କରି କହିଲେ ବୀର
ସ୍ୱାମୀଙ୍କୁ ସ୍ୱାମୀ ହେବା ପାଇଁ ମହୀର,
ପ୍ରଗାଢ଼ତର କରି ପିତୃଭକତି;
ରାଘବ କଲେ ନାହିଁ ତହିଁ ସମ୍ମତି ଗୋ ! ୯୪ |
ବୋଇଲେ, ଯେଉଁ ସତ୍ୟ ନ କଲେ ଭଙ୍ଗ
ତେଜିଲେ ପଛେ ପିତା ସ୍ୱକୀୟ ଅଙ୍ଗ,
ପିତୃପାଳିତ ଧର୍ମ-ବିହଙ୍ଗୀ-ବେକ;
କେମନ୍ତେ ମୋଡ଼ିଦେବି ତେଜି ବିବେକ ହେ ! ୯୫ |
ଭରତ କାନ୍ଦି କାନ୍ଦି ପଡ଼ି ଚରଣେ ବୋଇଲେ, 'ରଖ ମୋତେ ପଦଚାରଣେ,
ଅବନୀ ତେଜି ଅସ୍ତ-ନଗେ ଭାସ୍କର;
ଗଲେ କି ତାଙ୍କୁ ଛାଡ଼ି ପାରଇ କର ହେ ! ୯୬ |
ପ୍ରଭୁ ବୋଇଲେ, 'ରାତ୍ରେ ଅବନୀଦୁଃଖ
ଖଣ୍ଡନ କରିଥାନ୍ତି ଶୀତମୟୁଖ |'
ଭରତ ବିନୟରେ ଦେଲେ ଉତ୍ତର;
'ଶଶାଙ୍କ ପାଇଥାନ୍ତି ଭାସ୍କର-କର ହେ ! ୯୭ |
ରତ୍ନପାଦୁକା ଘେନି ମୋ ଶିରଦେଶ
ବହିପାରିବ ମହୀ ଯେସନେ ଶେଷ,
ମସ୍ତକେ ଶୋଭୁଥିଲେ ପାଦୁକାମଣି;
ଅରାତିକୁଳ ମୋତେ ମଣିବେ ଫଣୀ ହେ !' ୯୮ |
ପାଦୁକା ଦେଲେ ପ୍ରଭୁ ଭରତ କରେ
ଘେନିଲେ ବୀର ତାହା ସ୍ୱମସ୍ତକରେ,
ବହୁଡ଼ି ବୀରମଣି ସାଶ୍ରୁ ଲୋଚନେ;
ଲାଗିଲେ ରାଜଲକ୍ଷ୍ମୀ-ଦୁଃଖ-ମୋଚନେ ଗୋ ! ୯୯ |
ଚଉଦ ବର୍ଷ ଶେଷେ ଆମ୍ଭର ପଥ
ଅନାଉଥିଲେ ତହିଁ ଲାଗିଲା ରଥ,
ଶାଶୁମାନଙ୍କ ପଦଧୂଳି ଗ୍ରହଣ-
କଲି ମୁଁ ରଥୁଁ କରି ଅବରୋହଣ ଗୋ ! ୧୦୦ |
ସାନୁଜ ସପତ୍ନୀକ ପ୍ରଭୁଙ୍କୁ ଚାହିଁ
ଭରତ ମୁଦ-ନଦେ ମନ ମଜ୍ଜାଇ,
ପାଦୁକା ପ୍ରତ୍ୟର୍ପଣ କରି ପୟରେ;
ପ୍ରଭୁଙ୍କୁ ପୂଜା କଲେ ଛତ୍ର ଚାମରେ ଗୋ ! ୧୦୧ |
ମୋ କାନ୍ତ ରାଜା ହେଲେ, ମୁଁ ହେଲି ରାଣୀ
ସେବିଲି ପଦ ପ୍ରଭୁ-ମାନସ ଜାଣି,
ମୋ' ମନେ ଯେବେ ଯାହା ହୁଏ ଉଦିତ;
ସତ୍ୱରେ ହୁଏ ତାହା ସୁସମ୍ପାଦିତ ଗୋ ! ୧୦୨ |
ରାଜ-ଦମ୍ପତି ବସି ପ୍ରୀତି-ନାବରେ
ବିହାର କରୁଥିଲୁଁ ସୁଖ-ସାଗରେ,
ସମ୍ପଦ-ତରଙ୍ଗରେ ବହୁ ବତ୍ସର;
ମଜ୍ଜାଇଦେଲୁଁ ହୋଇ କୌତୁକପର ଗୋ ! ୧୦୩ |
କେ ଜାଣିଥିଲା ମୋର ଲଲାଟେ ବିହି
ଅସୀମ ଦୁଃଖ-ଲିପି ରଖିଛି ଲିହି,
ବିପଦରୂପୀ ଘୋର ବଡ଼ବାନଳ;
ଉପୁଜି ଧ୍ୱଂସ କରି ଦେବ ସକଳ ଗୋ ! ୧୦୪ |
ଦିବସ-ଶୋଭା-ଶେଷେ-ରଞ୍ଜିତ ନଭ
ପରାଏ ଭାଗ୍ୟ ଶେଷେ ହେଲା ମୋ ଗର୍ଭ,
ଦୋହଦ ପୂରଣେ ମୋ ହେଲେ ତତ୍ପର;
ପ୍ରାଣେଶ ସ୍ନେହଭରେ ଅଧିକତର ଗୋ ! ୧୦୫ |
ବିପିନ ବାନ୍ଧବୀଙ୍କ ସଙ୍ଗେ ବିପିନେ
କ୍ରୀଡ଼ନ୍ତି ବୋଲି କାନ୍ତେ କହିଲି ଦିନେ,
ସେହି ରଜନୀ ସହି, ନୋହୁ ପ୍ରଭାତ;
ଲକ୍ଷ୍ମଣ ସଙ୍ଗେ ମୋତେ ପେଷିଲେ ନାଥ ଗୋ ! ୧୦୬ |
ଲକ୍ଷ୍ମଣ ଆଣି ମତେ ଜାହ୍ନବୀ-ତୀରେ
ନାବୁଁ ଓହ୍ଲାଇ ଯାହା କହିଲେ ଧୀରେ-
କହି ନିରୁଦ୍ଧ ହେଲା ସତୀଙ୍କ କଣ୍ଠ;
କାନ୍ଦିଲେ ଚାହିଁ ଆଗେ ଭୀଷଣ କଷ୍ଟ ଯେ ! ୧୦୭ |
ଭାସିଲେ ଅନଗଳ ଲୋତକ-ଝରେ
ଧଇଲେ ମୁନିସୁତା ତାଙ୍କୁ ସତ୍ୱରେ,
କାନ୍ଦିଲେ ନଜେ ମୁଖେ ମୁଖ ଲଗାଇ;
ଶୁଣି ତାପସୀମାନେ ଆସଲେ ଧାଇଁ ଯେ ! ୧୦୮ |
ବେନଙ୍କି ଘେନି ବେଗେ କୁଟୀରେ ଯାଇ
କହିଲେ ନାନା କଥା ଚିତ୍ତ ରଞ୍ଜାଇ,
ପାଦପେ ଜଳଦାନ ପୁଷ୍ପଚୟନ-
ପ୍ରଭୁତି କଥା ନେଇ କଲେ ଶୟନ ଯେ ! ୧୦୯ |