ତୁମ ପରି ଛୋଟ ପିଲାଟିଏ

ତୁମ ପରି ଛୋଟ ପିଲାଟିଏ
ଲେଖକ/କବି: ଜଗନ୍ନାଥ ମହାନ୍ତି

ତୁମ ପରି ଛୋଟ ପିଲାଟିଏ, ଗାଆଁ ଚହାଳୀର ଚାଟ ସିଏ ।
ଚେହେରାଟି ତାର ଡଉଲ ଡାଉଲ, ପାଠରେ ତାହାର ସରି କିଏ ?

ଛାଡ଼ି ଯାଇଥିଲା ଦିନେ ଝଡ଼ି ବାହାରିଲା ସିଏ ପାଠ ପଢ଼ି ।
ବାଟେ ଯାଉଯାଉ ଖସିଗଲା ଗୋଡ଼ ମୁଁହ ମାଡି ତଳେ ଗଲା ପଡ଼ି ॥

ଗୁରୁଜୀ ଦେଖିଲେ ଦେହ ତାର, ପାଣି କାଦୁଅରେ ସର ସର ।
ତିଳେହେଁ ସେଥିକୁ ଖାତିରି ନକରି, ଆସିଛି ହୋଇ ସେ ତର ବର ॥

ପଚାରିଲେ ଗୁରୁ ଏକି ହେଲା, ଏତେ ସରି ତୋତେ କିଏ କଲା ।
ପିଲାଟି କହିଲା ବେଗେ ଆସୁଆସୁ, କାଦୁଆରେ ଗୋଡ଼ ଖସିଗଲା ॥

ହେଲା ଦଶହରା ଛୁଟି ବେଳ, ପିଲାଟି ସଭିଙ୍କି କଲା ମେଳ ।
ମାଟି ଗୋଡ଼ି ବାଲି ପକାଇ ସଭିଏଁ, ଗାଆଁ ମାଟି କଲେ ସମତୁଲ ॥

ଏହା ଦେଖି ଲୋକେ ହେଲେ କାବା, ଡକାଇଲେ ଗୁରୁ ଚାଟସଭା ।
କହିଲେ ଏଭଳି ଭଲକାମ କଲେ, ନିଶ୍ଚେ ଆମେ ଦିନେ ବଡ଼ହେବା ॥

ବଡ଼ ହେଲା ଦିନେ ସେହି ପିଲା, ମଧୁ ବାରିଷ୍ଟର ବୋଲାଇଲା ।
ଦେଶ ପାଇଁ କେତେ କାମ କରି ସିଏ, କାଳେ କାଳେ ଯଶ ରଖିଗଲା ॥

କହିଲା ଜାତିର କାନେ କାନେ, ଉଠିବୁ ଆଉ ତୁ କେତେ ଦିନେ ।
ପୂରୁବ ଗୌରବ ପୂରୁବ ମହିମା, ପଡୁନାହିଁ କିରେ ତତେ ମନେ ?