ଧୋରେ ବାଇଆ ଧୋ ଲେଖକ/କବି: ନନ୍ଦକିଶୋର ବଳ
ଧୋରେ ବାଇଆ ଧୋ

ଧୋରେ ବାଇଆ ଧୋ

ବିଲରେ ପାଚଇ         ରଙ୍ଗଣି ଧାନ ଗୋ
ଧୋରେ ବାଇଆ ଧୋ
ଯେଉଁ କିଆରିରେ         ଗହଳ ଧାନ ତୁ
ଯେଇଁ କିଆରିରେ ଶୋ ।

ଟୁଣୁ ଟୁଣୁ ପାଚି         ବାସନା ଧାନ ଗୋ
ନାଲି ଗୁଲୁ ଗୁଲୁ ଦିଶେ,
ଥାଳି ଚାଳି ଦେଲେ         ଗୋଟିଏ ପାଖରୁ
ବୁଲିଣ ଆସିବ କି ସେ । ୧ ।

ଭୋଦୁଅ ମାସରେ ମାଣ୍ଡିଆ ପାଚଇ
ଧୋରେ ବାଇଆ ଧୋ,
ଯେଉଁ କିଆରି ଗହଳ ମାଣ୍ଡିଆ
ସେଇ କିଆରିରେ ଶୋ । ୨ ।

ଗଜା ବଉଦକୁ         ଖର ପବନ ଗୋ
ଉଡ଼ାଇ ନିଏ ବହନ
ଦାଣ୍ଡ ତାଳଗଛେ         ଦୋହଲି ଦୋହଲି
ବାୟା ରାବେ ଘନ ଘନ । ୩ ।

ଦୁଇ କୂଳ ଖାଇ         ବଢ଼ିଅଛି ନଈ
ପାଳରେ ପାଚିଛି ଧାନ,
ପଲ ବାନ୍ଧି ପକ୍ଷୀ         ଆକାଶେ ଉଡ଼ନ୍ତି
ଶୁଭଥାଏ ତାଙ୍କ ଗାନ । ୪ ।

ତା ଶୁଣି ପିଲାଏ         ଗାଉଛନ୍ତି ଗୀତ
ଧୋରେ ବାଇଆ ଧୋ,
ଯେଉଁ କିଆରିରେ         ଗହଳ ଧାନ ତୁ
ସେଇ କିଆରିରେ ଶୋ । ୫ ।