ନାନାବାୟା ଗୀତ ଲେଖକ/କବି: ନନ୍ଦ କିଶୋର ବଳ
ବର୍ଷାଗୀତ

ବର୍ଷାଗୀତ

ମେଘ ବରଷଇ ଟପର ଟପର
କେଶୁର ମାଇଲା ଗଜା,
କେଉଁ ରାଇଜରେ ରହିଲେ ରଜା ଗୋ
ତେଲିଙ୍ଗି ବାଇଦ ବଜା ।

ମେଘ ବରଷଇ ଟପର ଟପର
 ସୁଅରେ ବହଇ ପାଣି,
ପାଣିରେ ଡାକନ୍ତି କେଏଁ କଟର ହୋ
 ବେଙ୍ଗ ଓ ବେଙ୍ଗୁଲୀ ରାଣୀ ।

ନୂଆ ପାଣି ପାଇ ଦାଣ୍ଡେ ଦୂବଘାସ
ଚକା ଚକା କଅଁଳିଲା,
ଲାଲ ଗୁଲୁ ଗୁଲୁ ପାଟଶାଢି ପିନ୍ଧି
ସାଧବବୋହୂ ହସିଲା ।

ଅଳତା ସମାନ ରକତ ବନର
ଓଳିପାଣି ପଡ଼େ ତଳେ,
ତଳ ପାଣି ସଙ୍ଗେ ମିଶିଗଲା ବେଳେ
ମୋତି ଫୁଲ ପରି ଝଳେ ।

ପାଣିର ଫୁଟୁକା ଫୁଟି ଯାଏ ଭାସି
କ୍ଷଣକେ କାହିଁ ଉଭାଏ,
ସାଧବ ଘରର ବୋହୂ ବୁଡି ମଲା,
ବୋଲି ନାଚନ୍ତି ପିଲାଏ ।

ନୂଆ ପାଣି ପାଇ ଫୁଟି ଉଠେ ଛତୁ
ହୁଙ୍କା ବାଲିଆରା ବିଲେ,
ସକାଳୁ ଉଠିଣ ଚାଙ୍ଗଡା ଧରିଣ
ପିଲାଏ ଛତୁ ତୋଳିଲେ ।