ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦ୍ୱିତୀୟଠାରୁ ପଞ୍ଚମଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ପଡ଼ାର ଅନତିଦୂରରେ ଥିବା ଏକ ଖପରୁଲି ଘରେ ହେଉଥିଲା । ଗଙ୍ଗାଧର ନିୟମିତ ସ୍କୁଲ୍‍ ଯାଉଥିଲେ । ପାଠପଢ଼ାରେ ମନ ବି ଦେଉଥିଲେ । କିନ୍ତୁ ଗାଁରେ ବଳରାମ ଦାସଙ୍କ ରାମାୟଣ ପାରାୟଣ ହେବାବେଳେ ସେ ସ୍କୁଲ୍‍କୁ ନ ଯାଇ ପାରାୟଣ ସ୍ଥଳରେ ବସିଯାଉଥିଲେ । ସେହି ବ୍ରାଞ୍ଚ୍‍ ସ୍କୁଲ୍‍ରେ ମଧ୍ୟପ୍ରଦେଶ ସରକାରଙ୍କ ପ୍ରବର୍ତ୍ତିିତ ପାଠ୍ୟପୁସ୍ତକ ଓଡ଼ିଶାରେ ଚଳୁଥିବା ପାଠ୍ୟକ୍ରମଠାରୁ ଅଲଗାଥିଲା । ସ୍କୁଲ୍‍ର ପ୍ରଧାନ ଶିକ୍ଷକ ଥିଲେ କଟକ ଜିଲ୍ଲା ମୂଳବସନ୍ତ ନିବାସୀ ପଣ୍ଡିତ ଘନଶ୍ୟାମ ମିଶ୍ର ।

ପ୍ରଥମ ଶ୍ରେଣୀରେ ପାଠ ଘୋଷିବା ସହିତ ଶିକ୍ଷକଙ୍କ ଠାରୁ 'ସୀତାବନବାସ' ବହିପଢ଼ା ଶୁଣିଥିଲେ ଗଙ୍ଗାଧର । ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ବଙ୍ଗଳାଭାଷାରେ ଲେଖିଥିବା 'ସୀତାବନବାସ'କୁ ବିଚ୍ଛନ୍ଦ ଚରଣ ପଟ୍ଟନାୟକ ଓଡ଼ିଆ ଭାଷାରେ ଅନୁବାଦ କରିଥିଲେ । ବିଚ୍ଛନ୍ଦ ଚରଣ ସେତେବେଳେ ଥିଲେ ସମ୍ବଲପୁର ବିଦ୍ୟାଳୟ ସମୂହର ତତ୍ତ୍ୱାବଧାୟକ । କିନ୍ତୁ ବ୍ରାଞ୍ଚସ୍କୁଲ୍‍ର ପ୍ରଥମ ଶ୍ରେଣୀରୁ ଗଙ୍ଗାଧରଙ୍କ ପାଠପଢ଼ା ଆରମ୍ଭ ହୋଇଥିଲା ପଣ୍ଡିତ ଘନଶ୍ୟାମ ମିଶ୍ରଙ୍କ ପ୍ରଣୀତ 'ବର୍ଣ୍ଣ ପରିଚୟ' ପୁସ୍ତକରୁ । ତା'ସହିତ ଗଣିତରେ ପଚିଶ ଖନ୍ଦା ପଣକିଆ, ମିଶାଣ, ଫେଡ଼ାଣ, ଗୁଣନ, ହରଣ ମଧ୍ୟ ସେ ଶିଖିଲେ । ଛଅମାସ ପରେ ଦ୍ୱିତୀୟ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେଲେ ସେ । ପଡ଼ା ବାହାରେ ଚାଲୁଥିବା ବ୍ରାଞ୍ଚସ୍କୁଲ୍‍କୁ ଯାଇ କାନ୍ଥରେ ଟଙ୍ଗା ହୋଇଥିବା ମାନଚିତ୍ର ଦେଖି ସେ ବିସ୍ମିତ ହେଲେ । ସେଗୁଡ଼ିକୁ ସେ ଚିତ୍ର ବୋଲି ଭାବିଥିଲେ । ଏହିଠାରୁ ଗଙ୍ଗାଧର ଗୋଟିଏବେଳା ସ୍କୁଲ ଆସିଲେ ଏବଂ ଆଉ ଗୋଟିଏ ବେଳା ଲୁଗା ବୁଣାବୁଣିରେ ତାଙ୍କ ବାପାଙ୍କୁ ସାହାଯ୍ୟ କଲେ । ସ୍କୁଲ୍‍ର ପ୍ରଧାନଶିକ୍ଷକ ତାଙ୍କ ବାପାଙ୍କ ଅନୁରୋଧକ୍ରମେ ତାଙ୍କୁ ଏପରି ଅନୁମତି ଦେଇଥିଲେ । ଗଙ୍ଗାଧର ଦ୍ୱିତୀୟ ଶ୍ରେଣୀରେ 'ବୋଧୋଦୟ' (ଈଶ୍ୱରଚନ୍ଦ୍ରଙ୍କ ବଙ୍ଗଳା ପୁସ୍ତକରୁ ବିଚ୍ଛନ୍ଦଙ୍କ ଦ୍ୱାରା ଅନୂଦିତ), ଗଣିତରେ ମିଶାଣ, ଫେଡ଼ାଣ ଆଦି ପଢ଼ି ଛ'ମାସ ପରେ ତୃତୀୟ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେଲେ । ତୃତୀୟ ଶ୍ରେଣୀରେ ସେ ପଢ଼ିଲେ ସାହିତ୍ୟରେ 'ଚାରୁ ପାଠ'- ୧ମ ଭାଗ (ବଙ୍ଗଳାରେ ଅକ୍ଷୟ କୁମାରଙ୍କ ଲେଖା, ବିଚ୍ଛନ୍ଦଙ୍କ ଓଡ଼ିଆ ଅନୁବାଦ), 'ଇତିହାସ'ର ୨ୟ ଭାଗର ଅର୍ଦ୍ଧାଂଶ, 'ଭୂଗୋଳ ସୂତ୍ର'ରୁ ମଧ୍ୟପ୍ରଦେଶ ଓ ମଧ୍ୟପ୍ରଦେଶର ନକ୍ସା, 'ଉତ୍କଳ ବ୍ୟାକରଣ ସଂକ୍ଷେପ'ରୁ ସନ୍ଧି ପର୍ଯ୍ୟନ୍ତ, ଗଣିତରେ ମିଶାଣ, ଗୁଣନ, ହରଣ, ସାଧାରଣ ତ୍ରୈରାଶିକ ଏବଂ ଲଘିଷ୍ଠ ଓ ଗରିଷ୍ଠ । ଛଅମାସ ପରେ ଚତୁର୍ଥ ଶ୍ରେଣୀକୁ ଯାଇ ସେ ପଢ଼ିଲେ 'ଚାରୁପାଠ'ର ୨ୟ ଭାଗ, 'କାଦମ୍ବରୀ'ର ଅର୍ଦ୍ଧାଂଶ, 'ଇତିହାସ' ୨ୟ ଭାଗର ଶେଷାଂଶ, 'ଉତ୍କଳ ବ୍ୟାକରଣ ସଂକ୍ଷେପ' ସଂପୂର୍ଣ୍ଣରୂପେ । ସମସ୍ତ ପ୍ରକାର ତ୍ରୈରାଶିକ, ବହୁରାଶିକ ଭଗ୍ନାଂଶ ଓ ଭାରତବର୍ଷର ନକ୍‍ସା ଓ ଭୂଗୋଳ ଆଦି ମଧ୍ୟ ପଢ଼ିଲେ । ଅନୁରୂପ ଭାବେ ଗଙ୍ଗାଧର ପଞ୍ଚମ ଶ୍ରେଣୀରେ 'ଚାରୁପାଠ'-୩ୟ ଭାଗ, 'କାଦମ୍ବରୀ'ର ଶେଷାର୍ଦ୍ଧ, 'ଇତିହାସ'-୩ୟ ଭାଗ, ବ୍ୟାକରଣ ଉପକ୍ରମଣିକା, ଗଣିତରେ ଚକ୍ରବୃଦ୍ଧି, କମ୍ପାନୀର କାଗଜ ବିକ୍ରି, ଡିସ୍‍କାଉଣ୍ଟ, କ୍ଷେତ୍ର ପରିମାଣ, ବର୍ଗମୂଳ, ଘନମୂଳ ଆଦି ପଢ଼ିଥିଲେ । ପଞ୍ଚମଶ୍ରେଣୀ ପରେ ନର୍ମାଲ ପରୀକ୍ଷା ଦେବା ପାଇଁ ସେ ସମ୍ବଲପୁର ଯିବାକୁ ପିତାଙ୍କ ଅନୁମତି ପାଇଲେ ନାହିଁ । କାରଣ ବର୍ଷାଦିନେ ମହାନଦୀର ପ୍ରଳୟଙ୍କରୀ ରୂପ ଦେଖି ତାଙ୍କ ବାପାଙ୍କ ମନରେ ଛନକା ପଶିଲା । ଭୟଙ୍କରୀ୧୦.ଆମ ଗଙ୍ଗାଧର