ପୃଷ୍ଠା:Aama Gangadhara.pdf/୧୨୮

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶିକ୍ଷାଗୌରବ କେବଳ ଜ୍ଞାନୀର ଅନୁଭବନୀୟ । ତାହା ଅଶିକ୍ଷିତ ଓ ଶିକ୍ଷାଭିମାନୀର ଅନୁଭବବର୍ତ୍ମରେ ଆବିର୍ଭୂତ ହେବାର ବସ୍ତୁ ନୁହେଁ । ଜ୍ଞାନୀ ସାମାନ୍ୟ ଦରିଦ୍ରଠାରୁ ଅତୁଳ ଐଶ୍ୱର୍ଯ୍ୟଶାଳୀ ସମ୍ରାଟ ପର୍ଯ୍ୟନ୍ତ ସମସ୍ତଙ୍କର ବିଷୟ ସମାଲୋଚନା କରିବାକୁ କ୍ଷମ । ପ୍ରକୃତିଦେବୀ ସମାଲୋଚିତ ହେବା ନିମନ୍ତେ ଜ୍ଞାନୀ ସମକ୍ଷରେ ଆପଣା ବିଚିତ୍ର ଲୀଳା ଓ ପରମ ସୌନ୍ଦର୍ଯ୍ୟ ପ୍ରକାଶ କରୁଥାଆନ୍ତି । ଅଶିକ୍ଷିତ ବ୍ୟକ୍ତି ତାହା ଦେଖି ସୁଦ୍ଧା ଦେଖି ପାରେ ନାହିଁ । ଶିକ୍ଷାଭିମାନୀ ତହିଁର ଛାୟା ସୁଦ୍ଧା ଦେଖିବାକୁ ଅସମର୍ଥ ।

ଏହା କି ପୃଥିବୀର ଶବ୍ଦ ?

ବାୟୁପୂର୍ଣ୍ଣ ଶୂନ୍ୟପଥରେ କୌଣସି ପଦାର୍ଥର ବ୍ୟଗ୍ରଗତି ହେଲେ ତହିଁର ଗୋଟିଏ ଶବ୍ଦ ହୁଏ । ଗୋଟିଏ ପକ୍ଷୀ ବ୍ୟଗ୍ରଗତିରେ ଉଡ଼ିଲେ, ଖଣ୍ଡିଏ ଲୋଷ୍ଟ୍ର ସବଳେ ନିକ୍ଷିପ୍ତ ହେଲେ, ତହିଁର ଗୋଟିଏ ଶବ୍ଦ ହୁଏ । ଚଳିତ ବା ଚାଳିତ ପଦାର୍ଥ ଯେତେ ବଡ଼ ଥାଏ, ତହିଁର ଶବ୍ଦ ତେତେ ଅଧିକ ହୁଏ । ୨୫୦୦୦ ମାଇଲ ପରିଧିବିଶିଷ୍ଟ ପ୍ରକାଣ୍ଡ ପୃଥିବୀ ଯେ ପ୍ରବଳ ବେଗରେ ଅନନ୍ତ ଆକାଶମାର୍ଗରେ ନିୟତ ଗମନ କରୁଅଛି, ତହିଁର ଶବ୍ଦ କାହିଁ ?

ଏଥିର ଉତ୍ତରରେ ଏକଥା କୁହାଯାଇପାରେ ଯେ, ସମସ୍ତ ଗଗନ ବାୟୁପୂର୍ଣ୍ଣ ନୁହେଁ; କେବଳ ପୃଥିବୀର ପୃଷ୍ଠରେ କେତେକ ଦୂର ବାୟୁ ଅଛି । ବାୟୁହୀନ ଅନନ୍ତବର୍ତ୍ମରେ ପୃଥିବୀର ଗତି ହେଉଥିବାରୁ କୌଣସି ଶବ୍ଦ ହୁଏ ନାହିଁ । ଏଥିରେ ମାନସ ପରିତୃପ୍ତ ହୁଏ ନାହିଁ । ପୁନଶ୍ଚ ପ୍ରଶ୍ନ କରିବାକୁ ହୁଏ କି, ପୃଥିବୀପୃଷ୍ଠସ୍ଥ ଗଭୀର ବାୟୁସାଗର କି ସେହି ପ୍ରକାଣ୍ଡ ବସ୍ତୁର ଅତ୍ୟନ୍ତ ତୀବ୍ରଗତିର କିଛି ମାତ୍ର ଶବ୍ଦ ଜାତ କରିବାକୁ ଯୋଗ୍ୟ ନୁହେଁ ? ଯଦି ପୃଥିବୀର ସେପରି ଶବ୍ଦ ହେଉଥାଆନ୍ତା, ତାହା କି ଆମ୍ଭେମାନେ ଶୁଣିପାରନ୍ତୁ ନାହିଁ ?

କୌଣସି ନିର୍ଜନ ନିସ୍ତବ୍‍ଧ ସ୍ଥାନରେ ଅବା ଜୀବକୋଳାହଳଶୂନ୍ୟ ପ୍ରାନ୍ତରରେ ଏବଂ ସର୍ବଦା ସର୍ବସ୍ଥାନରେ ନିଶୀଥ ସମୟରେ ଯେ ଏକ ନିରବଚ୍ଛିନ 'ସାଇଁ ସାଇଁ' ଶବ୍ଦ ଶ୍ରୁତିପଥରେ ପ୍ରବେଶ କରେ, ସେ ଶବ୍ଦ କାହାର ? ସ୍ଥିର ଭାବରେ ଚିନ୍ତା କରି ଦେଖିଲେ ବୋଧହୁଏ ଯେପରି କୌଣସି ପ୍ରକାଣ୍ଡ ବସ୍ତୁ ଅବିଶ୍ରାନ୍ତ ଚାଲୁଅଛି । ତାହା ପୃଥିବୀର ଶବ୍ଦ ଅନୁମାନ କରି ସଂଶୟହୀନ ଉତ୍ତର ପାଇବା ଆଶାରେ ଏ ବିଷୟରେ ଥରେ ଜଣେ ବିଜ୍ଞ ବନ୍ଧୁଙ୍କୁ ପ୍ରଶ୍ନ କରିଥିଲି । ବନ୍ଧୁବରଙ୍କ ଉତ୍ତରରୁ ଜଣାଗଲା ଯେ, କୌଣସି କୌଣସି ବ୍ୟକ୍ତି ତାହା ପୃଥିବୀର ଶବ୍ଦ ଥିବାର ଅନୁମାନ କରିଥାନ୍ତି; କିନ୍ତୁ ତାହା ମୀମାଂସା ନୁହେଁ, ଅନୁମାନ ମାତ୍ର । ବିଜ୍ଞ ପାଠକଗଣ, ଅନୁମାନ ବହୁ ହୃଦୟଗାମୀ ହେଲେ ମୀମାଂସାତୁଲ୍ୟ ହୋଇଯାଏ । ଅତଏବ ପଚାରେଁ, ଏହା କି ପୃଥିବୀର ଶବ୍ଦ ?

♦♦♦

୧୨୮ . ଆମ ଗଙ୍ଗାଧର