ପୃଷ୍ଠା:Aama Odia Byakarana.pdf/୧୮

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଯୁକ୍ତବର୍ଣ୍ଣ ବା ଯୁକ୍ତାକ୍ଷର

ଭାରତ ଆମର ଜନ୍ମଭୂମି ।
ଆମ ଦେଶରେ ବହୁତ ପର୍ବତମାଳା ଅଛି ।

ପ୍ରଥମ ବାକ୍ୟରେ ଥିବା ‘ନ୍ମ’ଟି ବର୍ଣ୍ଣମାଳାରେ ନାହିଁ । ଦ୍ୱିତୀୟ ବାକ୍ୟରେ ଥିବା ‘ର୍ବ’ଟି ମଧ୍ୟ ବର୍ଣ୍ଣମାଳାରେ ନାହିଁ । ତେବେ ଏ ଦୁଇଟି କ’ଣ ?

ଏ ଦୁଇଟି ଯୁକ୍ତବର୍ଣ୍ଣ । କାରଣ ‘ନ’ ଏବଂ ‘ମ’ ଦୁଇଟି ବ୍ୟଞ୍ଜନବର୍ଣ୍ଣ ମିଶି ‘ନ୍ମ’ ହୋଇଛି । ‘ର’ ଏବଂ ‘ବ’ ଦୁଇଟି ବ୍ୟଞ୍ଜନବର୍ଣ୍ଣ ମିଶି ‘ର୍ବ’ ହୋଇଛି ।

ଦୁଇ ବା ଦୁଇରୁ ଅଧିକ ବ୍ୟଞ୍ଜନବର୍ଣ୍ଣ ମିଶିଲେ ଯୁକ୍ତବର୍ଣ୍ଣ ହୁଏ । ଯୁକ୍ତବର୍ଣ୍ଣକୁ ଯୁକ୍ତାକ୍ଷର ମଧ୍ୟ କହନ୍ତି ।

ତଳେ କେତେକ ଯୁକ୍ତବର୍ଣ୍ଣ ଏବଂ ସେହି ଯୁକ୍ତବର୍ଣ୍ଣ ଥିବା ଶବ୍ଦ ଦିଆଗଲା ।

କ + ର = କ୍ର ଚକ୍ର, ବକ୍ର, ଶୁକ୍ରବାର
ର + କ = ର୍କ ଅର୍କ, କର୍କଶ, କୋଣାର୍କ
ନ + ମ = ନ୍ମ ଜନ୍ମ, ଚିନ୍ମୟ, ଜନ୍ମେଜୟ
ଦ + ୟ = ଦ୍ୟ ଗଦ୍ୟ, ବିଦ୍ୟୁତ, ବିଦ୍ୟାଧର
ହ + ଲ = ହ୍ଲ କୋହ୍ଲ, ପ୍ରହ୍ଲାଦ, ଆହ୍ଲାଦ
କ + ଳ = କ୍ଳ ଶୁକ୍ଳ, ଅକ୍ଳେଶ, ଶୁକ୍ଳେଶ୍ୱର
କ + ତ = କ୍ତ ଭକ୍ତ, ବିରକ୍ତ, ଅବିଭକ୍ତ
ତ + କ = ତ୍କ ଉତ୍କଳ, ସତ୍କାର, ଉତ୍କୃଷ୍ଟ

୨୦ ■ ଆମ ଓଡ଼ିଆ ବ୍ୟାକରଣ