ପୃଷ୍ଠା:Aama Odia Byakarana.pdf/୨୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି
କ୍ରିୟାପଦ

(୧) ନୀତା ନଳକୂପରୁ ପାଣି ଆଣୁଛି ।
(୨) ବିନୋ ବାପାଙ୍କ ପାଖକୁ ଚିଠି ଲେଖିଲା ।
(୩) ଆଜିର ଛାତ୍ରଛାତ୍ରୀ ଦିନେ ଦେଶର ଦାୟିତ୍ୱ ତୁଲାଇବେ ।

ପ୍ରଥମ ବାକ୍ୟରେ ‘ଆଣୁଛି, ପଦଟିରୁ ଆଣିବା କାମ କରାହେବା, ଦିତୀୟ ବାକ୍ୟରେ ‘ଲେଖିଲା’ ପଦଟିରୁ ଲେଖିବା କାମ କରାହେବା ଏବଂ ତୃତୀୟ ବାକ୍ୟରେ, ‘ତୁଲାଇବେ’ ପଦଟିରୁ ତୁଲାଇବା କାମ କରାହେବା କଥା ଜଣାପଡ଼ୁଛି । ‘ଆଣୁଛି’, ‘ଲେଖିଲା’, ‘ତୁଲାଇବେ’- ଏହି ପଦଗୁଡ଼ିକ ଗୋଟିଏ ଗୋଟିଏ କ୍ରିୟାପଦ । କାରଣ-

ଯେଉଁ ପଦରୁ କୌଣସି କାମ କରାହେବା କଥା ଜଣାପଡ଼େ, ତାହାକୁ କ୍ରିୟାପଦ କହନ୍ତି ।

ପୁଣି ପ୍ରଥମ ବାକ୍ୟରେ ‘ଆଣୁଛି' କ୍ରିୟାପଦଟିରୁ ଜଣାପଡ଼ୁଛି ଯେ ଆଣିବା କାମଟି ବର୍ତ୍ତମାନ କାଳରେ ହେଉଛି । ଦ୍ୱିତୀୟ ବାକ୍ୟରେ ‘ଲେଖିଲା’ କିୟାପଦଟିରୁ ଜଣାପଡ଼ୁଛି ଯେ ଲେଖିବା କାମଟି ଅତୀତ କାଳରେ ହୋଇଥିଲା । ତୃତୀୟ ବାକ୍ୟରେ ‘ତୁଲାଇବେ’ କ୍ରିୟାପଦଟିରୁ ଜଣାପଡ଼ୁଛି ଯେ ତୁଲାଇବା କାମଟି ଭବିଷ୍ୟତ କାଳରେ ହେବ । ତେଣୁ-

‘ଆଣୁଛି’ ବର୍ତ୍ତମାନ କାଳର କ୍ରିୟାପଦ ଅଟେ, ‘ଲେଖିଲା’ ଅତୀତ କାଳର କ୍ରିୟାପଦ ଅଟେ ଏବଂ 'ତୁଲାଇବେ’ ଭବିଷ୍ୟତ କାଳର କ୍ରିୟାପଦ ଅଟେ ।

୨୪ ■ ଆମ ଓଡ଼ିଆ ବ୍ୟାକରଣ