ପୃଷ୍ଠା:Aama Odia Byakarana.pdf/୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ପଦେ...

ସ୍କୁଲ ପିଲାଙ୍କୁ ଓଡ଼ିଆ ବ୍ୟାକରଣ ବିଷୟରେ ସାମାନ୍ୟ କିଛି ସର୍ବନିମ୍ନ ଧାରଣା ଦେବା ନିମନ୍ତେ ଏହି କ୍ଷୁଦ୍ର ବହିଟି ରଚନା କରାଯାଇଛି । ଏହାକୁ ଓଡ଼ିଆ ବ୍ୟାକରଣର ବର୍ଣ୍ଣମାଳା ମାତ୍ର ବୋଲି କୁହାଯାଇପାରେ । ଭାଷାର ଶୁଦ୍ଧତାରକ୍ଷା ତଥା ଭାବପ୍ରକାଶର ସୁବିଧାପାଇଁ ବ୍ୟାକରଣ ଶିକ୍ଷାର କାଳେକାଳେ ଆବଶ୍ୟକତା ରହିଛି । ଛୋଟ ପିଲାମାନେ ନିଜ ମାତୃଭାଷାର ବ୍ୟାକରଣ ବିଷୟରେ ଯଥା ସମ୍ଭବ ଯତ୍ କିଞ୍ଚିତ୍ ଜାଣନ୍ତୁ, ଏହା ହିଁ ବହିଟିର ଉଦ୍ଦେଶ୍ୟ । ପ୍ରାୟ ୪୭ ବର୍ଷ ତଳେ, ଓଡ଼ିଶା ସରକାରଙ୍କ ପି.ପି.ପି. କମିଟି ଥିଲାବେଳେ ଉକ୍ତ କମିଟିଙ୍କଦ୍ୱାରା ନିଯୁକ୍ତ ହୋଇ ମୁଁ ପିଲାଙ୍କପାଇଁ ‘ଠିକ୍ ପଢ଼ ଠିକ ଲେଖ’ ନାମରେ ଓଡ଼ିଆ ବ୍ୟାକରଣ ବହିଟିଏ ଲେଖିଥିଲି । କିନ୍ତୁ ବର୍ତ୍ତମାନର ଏ ବହିଟି ତାହାଠାରୁ ଆହୁରି ଉପଯୋଗୀ ଭାବରେ ଲିଖିତ ।

‘ଆମ ଓଡ଼ିଶା’ର ଅଧ୍ୟକ୍ଷ, ଓଡ଼ିଆ ଭାଷାନୁରାଗୀ ଶ୍ରୀ ସୌମ୍ୟରଂଜନ ପଟ୍ଟନାୟକ ଏହାକୁ ସଚିତ୍ର ସୁନ୍ଦର ଭାବରେ ପ୍ରକାଶକରି ପିଲାମାନଙ୍କ ମନରେ ବ୍ୟାକରଣର ଧାରଣା ସଞ୍ଚାର ଦିଗରେ ଯତ୍ନବାନ୍ ହୋଇଛନ୍ତି । ଏଥିପାଇଁ ମୁଁ ତାଙ୍କୁ ଆନ୍ତରିକ ସାଧୁବାଦ ଜଣାଉଛି ।

ଡକ୍ଟର ଧନେଶ୍ୱର ମହାପାତ୍ର
କଲ୍ୟାଣୀନଗର, କଟକ-୧୩