ପୃଷ୍ଠା:Aama Odia Byakarana.pdf/୩୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି
କାହାପାଇଁ, କଅଣପାଇଁ ?


(କ) ମଧୁବାବୁ ସର୍ବଦା ଓଡ଼ିଶାପାଇଁ ଭାବୁଥିଲେ ।
(ଖ) ଜ୍ଞାନଅର୍ଜନପାଇଁ ଛାତ୍ରଛାତ୍ରୀମାନେ ବହି ପଢ଼ନ୍ତି ।

ପ୍ରଥମ ବାକ୍ୟରେ ‘ଭାବୁଥିଲେ’ କ୍ରିୟାପଦ ଏବଂ ଦ୍ୱିତୀୟ ବାକ୍ୟରେ ‘ପଢ଼ନ୍ତି’ କ୍ରିୟାପଦ । ଏହି କ୍ରିୟାପଦ ଦୁଇଟିର ମୂଳରେ ଆମେ କାହାପାଇଁ ବା କଅଣପାଇଁ ଲଗାଇ ପ୍ରଶ୍ନ କଲେ ଉତ୍ତରରେ କି କି ପଦ ମିଳୁଛି, ଦେଖିବା ।

ପ୍ରଶ୍ନ ଉତ୍ତର
କାହାପାଇଁ ଭାବୁଥିଲେ ? ଓଡ଼ିଶାପାଇଁ
କଅଣପାଇଁ ପଢ଼ନ୍ତି? ଜ୍ଞାନଅର୍ଜନପାଇଁ

କ୍ରିୟାପଦର ପୂର୍ବରୁ କାହାପାଇଁ ବା କଅଣପାଇଁ ଲଗାଇ ପ୍ରଶ୍ନ କଲେ ଉତ୍ତରରେ ଯେଉଁ ପଦ ମିଳେ, ତାହାକୁ ସଂପ୍ରଦାନ କାରକ ବା ନିମିତ୍ତ କାରକ କହନ୍ତି ।

ଉପର ବାକ୍ୟ ଦୁଇଟିରେ ‘ଓଡ଼ିଶାପାଇଁ’ ଏବଂ ‘ଜ୍ଞାନଅର୍ଜନପାଇଁ’ ଦୁଇଟି ସଂପ୍ରଦାନ କାରକ ବା ନିମିତ୍ତ କାରକ ।

‘ଓଡ଼ିଶ। ପାଇଁ’ ପରିବର୍ତ୍ତେ ଆମେ ଯଦି ‘ଓଡ଼ିଶ। ନିମନ୍ତେ’ କହିବା, ତେବେ ଅର୍ଥ ମଧ୍ୟ ଠିକ୍‍ ରହିବ ।

ସେହିପରି ‘ଜ୍ଞାନଅର୍ଜନପାଇଁ’ ପରିବର୍ତ୍ତେ ‘ଜ୍ଞାନଅର୍ଜନନିମନ୍ତେ’ କହିଲେ ଅର୍ଥ ମଧ୍ୟ ଠିକ୍‍ ରହିବ । ତେଣୁ ନିମନ୍ତେ, ନିମିତ୍ତ, ସକାଶେ, କୁ, ପ୍ରଭୃତିକୁ ମଧ୍ୟ ‘ପାଇଁ’ ପରିବର୍ତ୍ତେ ବ୍ୟବହାର କରାଯାଇପାରେ ।

୩୪ ■ ଆମ ଓଡ଼ିଆ ବ୍ୟାକରଣ