ପୃଷ୍ଠା:Aama Odia Byakarana.pdf/୪୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ବିଭକ୍ତି

ପରେଶର ଭାଇ କାଲି ଉଡ଼ାଜାହାଜରେ ଦିଲ୍ଲୀରୁ ଭୁବନେଶ୍ୱରକୁ ଆସିଲେ ।
ଏହି ବାକ୍ୟଟିରେ ସାତଟି ଅଂଶ ଅଛି । ଯଥା-

ପରେଶର / ଭାଇ / କାଲି / ଉଡ଼ାଜାହାଜରେ / ଦିଲ୍ଲୀରୁ / ଭୁବନେଶ୍ୱରକୁ / ଆସିଲେ ।

ବାକ୍ୟର ପ୍ରତ୍ୟେକ ଅଂଶକୁ ଗୋଟିଏ ଗୋଟିଏ ପଦ କହନ୍ତି । ତେଣୁ ଉକ୍ତ ବାକ୍ୟରେ ସାତଟି ପଦ ଅଛି ।

ପରେଶର, ଉଡ଼ାଜାହାଜରେ, ଦିଲ୍ଲୀରୁ, ଭୁବନେଶ୍ୱରକୁ- ଏହି ପଦଗୁଡ଼ିକରେ ର, ରେ, ରୁ, କୁ ଲାଗିଛି, କିନ୍ତୁ ଅନ୍ୟ ପଦଗୁଡ଼ିକରେ କିଛି ଲାଗିନାହିଁ । ଆଉ କେତୋଟି ବାକ୍ୟ ଦେଖ ।

(କ) ଦୁର୍ଗାଦେବୀ ମହିଷାସୁରକୁ ମାରିଲେ ।
(ଖ) ଔଷଧଦ୍ୱାରା ରୋଗ ଭଲ ହୁଏ ।
(ଗ) ଗୋପବନ୍ଧୁ ନିଜପାଇଁ କିଛି କରିନଥିଲେ ।
(ଘ) ଗୋପାଳ ବନ୍ଧୁଠାରୁ ବହୁତ ସାହାଯ୍ୟ ପାଇଲା ।
(ଙ) ତୁଳସୀଗଛର ପତ୍ର ବହୁତ ଉପକାରୀ ଅଟେ ।
(ଚ) ହାଟପଡ଼ିଆଠାରେ ସଭା ହେବ ।

ଏହି ବାକ୍ୟଗୁଡ଼ିକରେ କେତେକ ପଦରେ କୁ, ଦ୍ୱାରା, ପାଇଁ, ଠାରୁ, ର, ଠାରେ ଲାଗିଛି ।

ଆମ ଓଡ଼ିଆ ବ୍ୟାକରଣ ■ ୪୭