ପଟ୍ଟନାୟକ । ସେହି ଏକା ଉଦ୍ଦେଶ୍ୟରେ କଂଗ୍ରେସ ତରଫରୁ ଗଠିତ ହୋଇଥିବା କମିଟିରେ
ଡକ୍ଟର ହରେକୃଷ୍ଣ ମହତାବଙ୍କ ପ୍ରସ୍ତାବ କ୍ରମେ ପଣ୍ଡିତ ନୀଳକଣ୍ଠ ନେତୃତ୍ୱ ନେଇଥିଲେ । ଓଡ଼ିଶାର
ସର୍ବପ୍ରଥମ ଦୈନିକ ସମ୍ବାଦପତ୍ର "ଆଶା' ତଥା ଏହାର ସଂପାଦକ ଶଶୀ ରଥ ବିଶେଷ ଭାବେ
ଚଳଚଞ୍ଚଳ ହୋଇଉଠିଥିଲେ ସେବେଠାରୁ । ବିଶେଷକରି ଅନେକ ବିଭ୍ରାନ୍ତିକର ତଥ୍ୟ ସଂଯୋଜିତ
ହୋଇଥିବା ସଂଭାବ୍ୟ କାରଣରୁ ଜନଗଣନା ରେକର୍ଡ଼କୁ ଆଧାର କରା ନଯିବା ଲାଗି ସେହି
ସମ୍ମିଳନୀରେ ପ୍ରସ୍ତାବ ଗୃହୀତ ହୋଇଥିଲା ।
ହେଲେ ଆନୁଷ୍ଠାନିକ ଭାବେ ସୀମା କମିଶନ ଗଠିତ ହେବା ପରେ ପରେ ଗଜପତି
କୃଷ୍ଣଚନ୍ଦ୍ରଙ୍କର ସଭ୍ୟ ମନୋନୟନକୁ ନେଇ ଓଡ଼ିଶା କଂଗ୍ରେସୀ ନେତାଗଣଙ୍କ ମଧ୍ୟରେ ଏକ
ଚାପା ଗୁଂଜରଣ ସୃଷ୍ଟି ହୋଇଥିଲା । ଓଡ଼ିଶା ବାହାରର ଜଣେ ବ୍ୟକ୍ତିଙ୍କୁ ଓଡ଼ିଆମାନଙ୍କ ପ୍ରତିନିଧି
ରୂପେ ମନୋନୀତ କରାଯାଇଥିବାରୁ ସେମାନଙ୍କ ପ୍ରତିବାଦ ମଧ୍ୟ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ
ପାଇଥିଲା । ମାନ୍ଦ୍ରାଜ ଜଷ୍ଟିସ ପାର୍ଟିର ଜଣେ ମୁଖ୍ୟ ନେତା ହିସାବରେ କମିଟି ସହିତ ସଂପୃକ୍ତିକୁ
ମଧ୍ୟ ଯୁକ୍ତ କରାଯାଇଥିଲା ସମାଲୋଚନା ବେଳେ । ସମ୍ଭବତଃ ତାର କାରଣ ଥିଲା- ଓଡ଼ିଶା
ଡିଭିଜନର ତତ୍କାଳୀନ ଉଚ୍ଚାକାଂକ୍ଷୀ ନେତାଗଣଙ୍କ ମଧ୍ୟରୁ ସେଭଳି ଗୁରୁତ୍ତ୍ୱପୁର୍ଣ୍ଣ କମିଟିରେ
କାହାରିକୁ ମନୋନୀତ କରାଯାଇ ନଥିଲା । ଅପରନ୍ତୁ ବିହାର-ଓଡ଼ିଶା ସରକାର ସେଥିପାଇଁ
ଯୋଗ୍ୟତମ ବ୍ୟକ୍ତି ହିସାବରେ ଉଚିତ ବିବେଚନା ହିଁ କରିଥିଲେ ।
ତଥାପି ଆତ୍ମଗୌରବ କ୍ଷୁର୍ଣ୍ଣ ହେବାକୁ ଦେଇ ନଥିଲେ ପାରଳା ଗଜପତି । ପିଲାଟି ଦିନରୁ
ତ ସେ ଥିଲେ ବେଶ୍ ଆତ୍ମାଭିମାନୀ । ତାଙ୍କ ପରିବର୍ତ୍ତେ ସେଇ କମିଟିରେ ଓଡ଼ିଶାର ଜଣେ ଅଭିଜ୍ଞ
ବ୍ୟକ୍ତିଙ୍କୁ ଗ୍ରହଣ କରାଯିବା ଉଚିତ ବୋଲି ମତ ପ୍ରକାଶ ପାଇବା ପରେପରେ ସେ ଆପଣାଛାଏଁ
ସେଥିରୁ ଓହରିଯିବାପାଇଁ ସ୍ଥିର କରିଥିଲେ । ସେ ମତ ଦେଇଥିଲେ, ଯଦି ଅନ୍ୟ କୌଣସିମତେ
ଜାତୀୟ ସ୍ୱାର୍ଥ ଅଧିକତର ଭାବରେ ରକ୍ଷା କରାଯାଇପାରିବ ତା'ହେଲେ ସେଥିରେ ସେ ସଂଶ୍ଳିଷ୍ଟ
ରହିବେ କାହିଁକି ?
କିନ୍ତୁ ତାହାର ପରିଣାମ ଯେ କଦାପି ଶୁଭଙ୍କର ହେବ ନାହିଁ ତାହା ଓଡ଼ିଶା ଆନ୍ଦୋଳନକାରୀ ନେତାଗଣ ସଠିକ ଭାବରେ ଅନୁଭବ କରିଥିଲେ ଏବଂ ସୀମାକମିଟିରୁ ଓହରି ନଯିବାପାଇଁ ଅନୁରୋଧ ଜଣାଇଥିଲେ । ବିଶେଷକରି ଦକ୍ଷିଣ ବିଚ୍ଛିନ୍ନାଞ୍ଚଳର ଓଡ଼ିଆମାନଙ୍କର ସେଇ ଅନୁଭବ ଥିଲା ତୀବ୍ର । ତେଣୁ ବ୍ରହ୍ମପୁରର ଓକିଲ ଶ୍ରୀ ଦିଗମ୍ବର ରଥ ଏବଂ ଶ୍ରୀ ଗଣେଶ ମହାପାତ୍ର ପାରଳାରେ ମହାରାଜାଙ୍କୁ ସାକ୍ଷାତ୍କରି ପରିସ୍ଥିତିର ଗମ୍ଭୀରତା ନେଇ ଆଲୋଚନା କରିଥିଲେ; ଅନୁରୋଧ କରିଥିଲେ ତାଙ୍କର ପୂର୍ବ ନିର୍ଦ୍ଧାରଣର ପୁନର୍ବିଚାର କରିବାପାଇଁ । ପାରଳାର ପିୁଲ୍ସ ଏସୋସିଏସନ୍ ପକ୍ଷରୁ ସଂପାଦକ ଶ୍ରୀ ସତ୍ୟନାରାୟଣ ରାଜଗୁରୁ ମଧ୍ୟ ମହାରାଜାଙ୍କୁ ଅନୁରୋଧ କରିଥିଲେ ଆଉ କିଛି ନହେଲେ ତାଙ୍କ ରାଜ୍ୟର ଜନଗଣଙ୍କ ସ୍ୱାର୍ଥରକ୍ଷାପାଇଁ ସେ ସେଥିରୁ ଓହରି ଆସିବା ଅନୁକୂଳ