ପୃଷ୍ଠା:Aama Parala Gajapati.pdf/୧୦୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଓ ସ୍ୱେଚ୍ଛାସେବକ ବାହିନୀର ଘେରାବନ୍ଦୀ ଭିତରେ କମିଟିର ସଭ୍ୟଗଣ ଚିକିଟି ରାଜାଙ୍କ କାର‌ରେ ଗୋପାଳପୁର ଯାଇଥିଲେ । ଗଜପତି କୃଷ୍ଣଚନ୍ଦ୍ରଙ୍କ ଅଭିଳଷିତ ଆୟୋଜନ ଦେଖି ସେ ନିଶ୍ଚୟ ଖୁସି ହୋଇ ଯାଇଥିବେ ।

ତେବେ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ତ ଆଗକୁ ରହିଥିଲା । ଉପଯୁକ୍ତ ବଳିଷ୍ଠ ସାକ୍ଷ୍ୟ ପ୍ରମାଣ ତ ପ୍ରଥମ ଆବଶ୍ୟକତା । ଜନସମୁଦାୟ କିଭଳି ଆପଣାର ସ୍ପଷ୍ଟ ମତ କମିଟି ସାମନାରେ ଉପସ୍ଥାପନ କରିପାରିବେ ଏବଂ ବିଭିନ୍ନ ଅନୁଷ୍ଠାନ କିଭଳି ତଥ୍ୟଯୁକ୍ତ ଯୁକ୍ତି / ଦାବି କମିଟି ନିକଟରେ ରଖିବେ ସେଥିପାଇଁ ମଧ୍ୟ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରିଥିଲେ । ସେଥିପାଇଁ ମହାରାଜା ପ୍ରଥମରୁ ହିଁ ନିଯୁକ୍ତ କରିଥିଲେ ଅନେକ ସଂଗଠକଙ୍କୁ ସବୁପ୍ରକାର ସହାୟତା ଯୋଗାଇ ଦେବାପାଇଁ । ସେତେବେଳର ସେଭଳି ଜଣେ ଥିଲେ ଡକ୍ଟର ସତ୍ୟନାରାୟଣ ରାଜଗୁରୁ । ସେଇ ସମୟର ଅନୁଭୂତି ତାଙ୍କ ଲେଖନୀରେ ରୂପ ପାଇଥିଲା- "ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ପାରଳାଖେମଣ୍ଡିର ଓଡ଼ିଆ ସ୍ୱେଚ୍ଛାସେବକମାନଙ୍କୁ ନେଇ ବ୍ରହ୍ମ‌ପୁରଠାରେ ଥିବା ତାଙ୍କ ବଙ୍ଗଳାରେ ଏକ ଅଫିସ୍‍ ଖୋଲି ଦେଲେ । ସେଠାରେ ଏ ଲେଖକ ସମେତ ଯୁଗଳ କିଶୋର ପାଣିଗ୍ରାହୀ, ଶ୍ୟାମସୁନ୍ଦର ଗନ୍ତାୟତ ଓ ହୀରାଲାଲ୍‍ ବର୍ଦ୍ଧନ ରହି ସୀମାକମିଟିରେ ଓଡ଼ିଆମାନଙ୍କ ପକ୍ଷରୁ ଆସୁଥିବା ଲୋକଙ୍କପାଇଁ ସମସ୍ତ ବ୍ୟବସ୍ଥା କରିବା ଭାର ଗ୍ରହଣ କଲୁ ।

ପୁଣି ନିଜ ରାଜ୍ୟ ରାଜଧାନୀ ପାରଳାରେ ମଧ୍ୟ ଅଧିକ ତତ୍‍‌ପର ଥିଲେ ମହାରାଜା । ସେଠିକାର ଉଭୟଭାଷୀ- ଓଡ଼ିଆ ଏବଂ ତେଲୁଗୁମାନେ କିଭଳି ଭାବେ ସମସ୍ୱରରେ ଓଡ଼ିଶା ସହ ମିଶ୍ରଣ ସପକ୍ଷରେ ସାକ୍ଷ୍ୟପ୍ରଦାନ କରିବେ ସେଥିପାଇଁ ବଳିଷ୍ଠ ପଦକ୍ଷେପମାନ ଗ୍ରହଣ କରିଥିଲେ । ତାଙ୍କରି ପୃଷ୍ଠପୋଷକତାରେ ଗଠିତ ହୋଇଥିଲା 'ପିପୁଲ୍‍ସ୍‍ ଏସୋସିଏସନ୍‍' । ତାହାର ସଭାପତିଙ୍କ ସମେତ ଦୁଇଜଣ ସମ୍ପାଦକଙ୍କ ମଧ୍ୟରୁ ଜଣେ ଥିଲେ ତେଲୁଗୁ ସଂପ୍ରଦାୟଭୁକ୍ତ । ସୀମାକମିଟି ନିକଟରେ ଉପସ୍ଥାପିତ ହେଉଥିବା ଓଡ଼ିଆ ବିରୋଧୀ 'ଗଂଜାମ ଡିଫେନ୍‍ସ ଲିଗ୍‍'ର ଦାବି ତଥା ବିଭିନ୍ନ ଅଞ୍ଚଳରେ ତେଲୁଗୁମାନଙ୍କ ତରଫରୁ ଉପସ୍ଥାପିତ ସମସ୍ତ ବିଭ୍ରାନ୍ତିକର ଯୁକ୍ତି ସମୂହକୁ ତେଲୁଗୁ ସଂପ୍ରଦାୟର ବ୍ୟକ୍ତି ବୃନ୍ଦଙ୍କ ଉପସ୍ଥିତିରେ, ସାଧାରଣ ସଭାମାନଙ୍କରେ ହିଁ ବିସ୍ତୃତ ଭାବରେ ଖଣ୍ଡନ କରୁଥିଲା ଉକ୍ତ କମିଟି । ଘୋଷଣା କରୁଥିଲା ପାରଳା ମହାରାଜାଙ୍କ ସହିତ ସେମାନଙ୍କର ମତ ଏକ ଏବଂ ଅଭିନ୍ନ । ଅତୀତର ରାଜାଗଣଙ୍କ ଭଳି ବର୍ତ୍ତମାନର ରାଜା ମଧ୍ୟ ସେମାନଙ୍କର ସୁଖ ସମୃଦ୍ଧିରେ ସହାୟକ ଏବଂ ଓଡ଼ିଆମାନଙ୍କ ଭଳି ତେଲୁଗୁ ସଂପ୍ରଦାୟ ସହିତ ସମସ୍ତଙ୍କ ପ୍ରତି ସମଭାବାପନ୍ନ ତଥା ସହାନୁଭୂତିଶୀଳ । ସେହି ମର୍ମରେ ହିଁ ପାରଳା ରାଜ୍ୟର ଓଡ଼ିଆ ଏବଂ ତେଲୁଗୁ ସଂପ୍ରଦାୟ ତରଫରୁ ଗୋପାଳପୁରଠାରେ ସମସ୍ତ ସାକ୍ଷ୍ୟପ୍ରମାଣ ପ୍ରଦତ୍ତ ହୋଇଥିଲା । ଅଭ୍ରାନ୍ତ ଭାବରେ ତେଲୁଗୁମାନେ ସାକ୍ଷ୍ୟ ଦେଇଥିଲେ ଦେଶ ମିଶ୍ରଣ ସପକ୍ଷରେ ।