ପୃଷ୍ଠା:Aama Parala Gajapati.pdf/୧୦୭

ଏହି ପୃଷ୍ଠାଟି ବୈଧ ହୋଇସାରିଛି

କିନ୍ତୁ ପ୍ରତ୍ୟକ୍ଷ ଭାବେ ସମସ୍ତ ସାକ୍ଷ୍ୟପ୍ରମାଣ ଏବଂ ଆପଣାର ଅନୁଭବ ଆଧାରରେ କମିଟିର ଭାରତୀୟ ସଭ୍ୟଗଣ ମିଷ୍ଟର ଓଡ଼ନେଲ୍‍ଙ୍କ ମତାମତ ସହିତ ସହମତ ହୋଇପାରି ନଥିଲେ । ଏଯାବତ୍‍ ସମଭିବ୍ୟାହାରରେ କାଳାତିପାତ କରିଥିବା ପାରଳା ମହାରାଜାଗଣ କେତେବେଳେ ଯେ ଅତୀତ ଇତିହାସର ଧାରାକୁ ବ୍ୟାହତ କରି ତେଲୁଗୁ ପ୍ରଜାଙ୍କ ପ୍ରତି ପାତର ଅନ୍ତର ନୀତି ଆପଣାଇ ନେବେ ସେଥିପ୍ରତି ସନ୍ଧିହାନ ଥିଲେ ସେମାନେ । ଗଞ୍ଜାମର ଅନ୍ୟାନ୍ୟ ଜମିଦାରି ସଂପର୍କରେ ସୁବିଚାର କରାଯାଇ ଯଦି କେବଳ ତେଲୁଗୁ ସଂଖ୍ୟାଗରିଷ୍ଠତାକୁ ବିଚାରକୁ ନେଇ ସେହି ଜମିଦାରିକୁ ଓଡ଼ିଶା ସହ ମିଶ୍ରଣ କରାନଯାଏ ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ହେବ ବୋଲି ସେମାନେ ମତବ୍ୟକ୍ତ କରିଥିଲେ ।

କିନ୍ତୁ ସେଇ ଦୁର୍ଭାଗ୍ୟଜନକ ସ୍ଥିତିକୁ ହିଁ ଅଧ୍ୟକ୍ଷ ମହୋଦୟ ଆପଣାଇ ନେଇଥିଲେ ଓଡ଼ିଶାର ସୀମା ସୁପାରିସ କରିବାବେଳେ ।

ହେଲେ କମିଟି ଅଧ୍ୟକ୍ଷଙ୍କ ସେଭଳି ମତାମତକୁ ସର୍ବତ୍ର ତୀବ୍ର ବିରୋଧ କରାଯାଇଥିଲା । ମହାରାଜା ମଧ୍ୟ ସମସ୍ତ ଶକ୍ତି ପ୍ରୟୋଗ କରିଥିଲେ ଜନଜାଗରଣ ମାଧ୍ୟମରେ ସେଇ କମିଟି ସୁପାରିସର ଅଯଥାର୍ଥତା ପ୍ରମାଣ କରିବାପାଇଁ । ପ୍ରାଦେଶିକ କଂଗ୍ରେସ କମିଟି ଆଶଙ୍କା ପ୍ରକାଶ କରିଥିଲା ଯେ ସେଭଳି ସୁପାରିସ ଗ୍ରହଣ କରାଗଲେ ନୂତନ ଓଡ଼ିଶାର ଭବିଷ୍ୟତ ସଂପୂର୍ଣ୍ଣ ଅନ୍ଧକାର ହୋଇଯିବ । ସେଭଳି ବିରୋଧ ଦକ୍ଷିଣ ଓଡ଼ିଶାରେ ଥିଲା ଅତି ତୀବ୍ର । ମହାରାଜାଙ୍କ ରାଜ୍ୟ ରାଜଧାନୀ ପାରଳାର ଛତ୍ରେଛତ୍ରେ ଜନଜାଗରଣ- ପାରଳାରାଜ୍ୟର ଲୋକେ ନୂତନ ଓଡ଼ିଶା ସହ ରହିବା ସପକ୍ଷବାଦୀ ତେଣୁ ସେହି ଅନୁକ୍ରମେ ପ୍ରସ୍ତାବିତ ନୂତନ ଓଡ଼ିଶାର ସୀମା ସଂଶୋଧନ କରାଯାଉ ।

ସେହି ଉଦ୍ଦେଶ୍ୟରେ ହିଁ ଉତ୍କଳ ସମ୍ମିଳନୀର ଏକ ଜରୁରୀ ବୈଠକ ବ୍ରହ୍ମ‌ପୁରଠାରେ ଆୟୋଜିତ ହୋଇଥିଲା । ସେଠାରେ ନିର୍ଦ୍ଧାରଣ ନିଆଯାଇଥିଲା ଯେ ପାରଳା ମହାରାଜାଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିନିଧିମଣ୍ଡଳୀ ଭାରତର ବଡ଼ଲାଟଙ୍କୁ ସାକ୍ଷାତ୍‍କରି ପ୍ରସ୍ତାବିତ ଓଡ଼ିଶାର ସୀମା ସଂଶୋଧନପାଇଁ ପ୍ରଭାବିତ କରିବେ ଏବଂ ନୂତନ ପ୍ରଦେଶ ଗଠନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବେ । ଉପରୋକ୍ତ ନିର୍ଦ୍ଧାରଣ ଅନୁଯାୟୀ ମହାରାଜା କୃଷ୍ଣଚନ୍ଦ୍ର ଏକ ଚଉଦଜଣିଆ ପ୍ରତିନିଧିମଣ୍ଡଳୀରେ ଯାଇ ସିମଳାଠାରେ ବଡ଼ଲାଟ ଲର୍ଡ ୱିଲିଙ୍ଗଡ଼ନ୍‍ଙ୍କୁ ସାକ୍ଷାତ୍‍ କରିଥିଲେ ୧୯୩୨ ମସିହା ସେପ୍ଟେମ୍ବର ୧୭ ତାରିଖ ଦିନ । ସେହି ପ୍ରତିନିଧିମଣ୍ଡଳୀରେ ଥିଲେ ପାରଳା ମହାରାଜାଙ୍କ ସମେତ ସର୍ବଶ୍ରୀ ଭୁବନାନନ୍ଦ ଦାସ, ବାରିଷ୍ଟର ବିଶ୍ୱନାଥ ମିଶ୍ର, ଲିଙ୍ଗରାଜ ପାଣିଗ୍ରାହୀ, ମଧୁସୂଦନ ପାଣିଗ୍ରାହୀ, ଯୋଗେନ୍ଦ୍ର ନାରାୟଣ ଆଚାର୍ଯ୍ୟ, ଗୌରଚନ୍ଦ୍ର ସାମନ୍ତରାୟ, ଲକ୍ଷ୍ମୀ ନାରାୟଣ ସାହୁ, ଶ୍ୟାମସୁନ୍ଦର ଗନ୍ତାୟତ, ଚୌଧୁରୀ ରାଧାନାଥ ମିଶ୍ର, ଅଚ୍ୟୁତାନନ୍ଦ ପୁରୋହିତ, ଗିରିଜାଭୂଷଣ ଦତ୍ତଙ୍କ ସମେତ ମଧୁପୁର ଓ ପାରିକୁଦର ରାଜାଗଣ ।