ପୃଷ୍ଠା:Aama Parala Gajapati.pdf/୧୧୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆଖି ଦେବାନ୍‌ଙ୍କ ଆଖିରେ ମଧ୍ୟ ସୃଷ୍ଟି କରିଥିଲା ବୁନ୍ଦାବୁନ୍ଦା ଲୁହ । ଉଭୟଙ୍କର ସେଇ ଅଶ୍ରୁତର୍ପଣ ଭିତରେ ମହାରାଜାଙ୍କ ହତାଶ ମନଭିତରେ ଅକସ୍ମାତ୍ ପ୍ରବେଶ କରିଥିବା ଶୟତାନ୍‌ଟି କୁଆଡେ଼ ଉଭେଇ ଯାଇଥିଲା ଯେମିତି ।

ସେହିଭଳି ମାନସିକ ଅବସାଦ ଭିତରେ ହିଁ କିଛି ଦିନ ବିତି ଯାଇଥିଲା । ରାତିରେ ନିଦ ହେଉ ନଥିଲା । କେବଳ ଗୋଟିଏ ଚିନ୍ତା- "ପାରଳା ଓ ଜୟପୁର ଜମିଦାରିର କିଭଳି ଓଡ଼ିଶା ସହ ମିଶ୍ରଣ ହୋଇପାରିବ !' ଦିନେ ତାହା ହିଁ ଚିନ୍ତା କରୁ କରୁ ରାତି ଅତି ଦୀର୍ଘ ହୋଇ ଯାଇଥିଲେ ସୁଦ୍ଧା ନିଦ ଆସିନଥିଲା । ରାତିର ପ୍ରାୟ ଶେଷ ପ୍ରହର । ଆଖିରେ ଛାଇ ଛାଇକା ନିଦ । ହଠାତ୍ ତାଙ୍କର ଇଷ୍ଟଦେବୀ ମାଣିକେଶ୍ୱରୀଙ୍କ ଲାବଣ୍ୟମୂର୍ତ୍ତି ମହାରାଜାଙ୍କ ପଲଙ୍କ ସାମନାରେ । ହାତଧରି ମହାରାଜାଙ୍କୁ ଉଠାଇ ବସାଇ ଦେଇଥିଲେ ଦେବୀ । ନିର୍ଦ୍ଦେଶ ଦେଇଥିଲେ– “ପୁଣି ଯାଇ ଚେଷ୍ଟାକର; କାର୍ଯ୍ୟ ସଫଳ ହେବ ।” ଅଭିଭୂତ ହୋଇ ଯାଇଥିଲେ ମହାରାଜା । ତାଙ୍କରି ବିଶ୍ୱାସ ପୁଣି ଥରେ ପୁନର୍ବିନ୍ୟାସ ହୋଇଥିଲା । ଈଷ୍ଟଦେବୀ ମାଣିକେଶ୍ୱରୀଙ୍କ ଆଶୀର୍ବାଦ କଦାପି ବିଫଳ ହେବାର ନୁହେଁ । ଅନ୍ତତଃ ଆଜି ପର୍ଯ୍ୟନ୍ତ କେଭେଁ ହୋଇନାହିଁ । ସବୁବେଳେ, ସବୁ ବିପଦବେଳେ ସୁରକ୍ଷାର ଅଭୟ ହାତ ବଢ଼ାଇ ଦେଇଛନ୍ତି ଦେବୀ ମାଣିକେଶ୍ୱରୀ । ମଙ୍ଗଳମୟୀ ଦେବୀ; ସର୍ବାଦୌ ମଙ୍ଗଳମୟୀ !

ଗଡ଼ଦେବୀ ମାଣିକେଶ୍ୱରୀଙ୍କ ଉପରେ ଗଭୀର ଆସ୍ଥା ଏବଂ ବିଶ୍ୱାସ ଥିଲା ମହାରାଜାଙ୍କର । ସେ ଯଦି ଜୀବନରେ କାହାକୁ ସର୍ବାଧିକ ଭକ୍ତି କରୁଥିଲେ ସେଇ ଦୁଇଜଣ ଥିଲେ ତାହାଙ୍କର ଜନନୀ ଏବଂ ଗଡ଼ଦେବୀ ମାଣିକେଶ୍ୱରୀ । ଦେବୀଙ୍କ ମହିମା ଆଗରେ ସେ ନତମସ୍ତକ ହେଉଥିଲେ ସବୁବେଳେ; ଆଶୀର୍ବାଦ କାମନା କରୁଥିଲେ ସବୁ ଜଟିଳ ସମସ୍ୟାର ସମାଧାନ ପାଇଁ । ସେଭଳି ଭକ୍ତି ଉଦ୍ରେକକାରୀ ଘଟଣାଟିଏ ଘଟିଥିଲା ମହାରାଜାଙ୍କ ଯୌବନର ପ୍ରାକ୍ କାଳରେ ।

ନବ ଯୁବକ ରାଜା କୃଷ୍ଣଚନ୍ଦ୍ର ଥରେ ଇଚ୍ଛା କରିଥିଲେ ବ୍ରାହ୍ମଧର୍ମାନୁକ୍ରମେ କିଛିଟା ସାମାଜିକ ସଂସ୍କାର ପାଇଁ । ସେତିକିବେଳେ ଓଡ଼ିଶାରେ ବ୍ରାହ୍ମଚେତନା ବେଶ୍ ଜନପ୍ରିୟ ହୋଇ ଉଠିଥିଲା । ବାସ୍ତବରେ ହିନ୍ଦୁଧାର୍ମିକ କୁ-ସଂସ୍କାରଗୁଡ଼ିକ ପ୍ରତି ତାହା ଥିଲା ଏକ ଆହ୍ୱାନ ସ୍ୱରୂପ । ଦେବଦେବୀଙ୍କ ସଂତୁଷ୍ଟି ପାଇଁ ଅନେକ ସ୍ଥାନରେ ପଶୁବଳି ଅର୍ପିତ ହେଉଥିଲା । ସେହି ଅନୁଯାୟୀ ପାରଳା ଗଡ଼ଦେବୀ ମାଣିକେଶ୍ୱରୀଙ୍କ ପୀଠରେ ମଧ୍ୟ ପବିତ୍ର ଦଶହରା ଅବସରରେ ପଶୁବଳିର ଆୟୋଜନ ହେଉଥିଲା କାଳାନୁକ୍ରମେ । ବ୍ରାହ୍ମଚେତନା ଅନୁ୍ପ୍ରାଣିତ ମହାରାଜା ସେହି ପରଂପରାର ବ୍ୟତିକ୍ରମ କାମନା କରିଥିଲେ । ତେଣୁ ପଶୁବଳି ବନ୍ଦ ପାଇଁ ଉଦ୍ୟମ କରିଥିଲେ ।

କିନ୍ତୁ ସେତିକିବେଳେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିଲା । ସେହି ବର୍ଷ ମହାଷ୍ଟମୀ ଦିନ ଗଭୀର ନିଶିଥରେ ମହାରାଜାଙ୍କୁ ସ୍ୱପ୍ନ-ଦର୍ଶନ ଦେଇଥିଲେ ଦେବୀ । ଗାଢ଼ ନିଦ୍ରାଭିଭୂତ ଥିବାବେଳେ ମହାରାଜା ଅନୁଭବ କରିଥିଲେ ତାହାଙ୍କ ଗାଲରେ ଏକ ଶକ୍ତ ଚାପୁଡ଼ା ଏବଂ ତାହା ପୁଣି ସ୍ୱୟଂ ଦେବୀଙ୍କ ହାତରୁ । ତାପରେ ସେ ମନେ କରିଥିଲେ ସ୍ୱୟଂ ଦେବୀ ତାଙ୍କ ଉପରେ ଅତ୍ୟନ୍ତ ରୁଷ୍ଟ ।