ପୃଷ୍ଠା:Aama Parala Gajapati.pdf/୧୧୮

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ହୋଇପାରେ ! ସେହି କୃପାମୟୀ ଦେବୀ ଏବେ ମଧ୍ୟ ଅନ୍ୟ ଏକ ପୂର୍ବ ସୂଚନା ପ୍ରଦାନ କରିଛନ୍ତି ! ଦେବୀକୃପା ତ କେବେବି ବିଫଳ ହୋଇନାହିଁ !

ଗଡ଼ଦେବୀଙ୍କ ସ୍ୱପ୍ନ ଦର୍ଶନ ପରେ ମହାରାଜାଙ୍କ ଅଙ୍ଗପ୍ରତ୍ୟଙ୍ଗରେ ସତେଯେମିତି ଏକ ନୂତନ ଶିହରଣ ସୃଷ୍ଟି ହୋଇଥିଲା । ସଙ୍ଗେ ସଙ୍ଗେ ସେ ଉଠି ପଡିଥିଲେ । ତାହାଙ୍କ ଜୀବନରେ ପରମପୂଜ୍ୟ ଥିଲେ ଦେବୀ ମାଣିକେଶ୍ୱରୀ ଏବଂ ମାଆ । ମାଆଙ୍କ ନିକଟରେ ପହଞ୍ଚି ଯାଇଥିଲେ ତତ୍‌କ୍ଷଣାତ୍ । ସବୁ କଥା କହି ଯାଇଥିଲେ ଏକା ନିଃଶ୍ୱାସରେ । ତା'ପରେ ମାଆ ରାଧାମଣୀ ଦେବୀ ପରାମର୍ଶ ଦେଇଥିଲେ ପୁଣି ଥରେ ବିଲାତ ଯିବା ପାଇଁ । ମାଣିକେଶ୍ୱରୀଙ୍କ କଥା ଅନ୍ୟଥା ହେବାର ନୁହେଁ । ତେଣୁ ସେଥିପାଇଁ ଯତ୍ନଶୀଳ ହେବା ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ ।

ଭାରତରେ ଶାସନ ସଂସ୍କାର କ୍ରମରେ ଭାଷାଭିତ୍ତିରେ ନୂତନ ଓଡ଼ିଶା ପ୍ରଦେଶ ଗଠନ ସଂପର୍କରେ ଶେଷ ନିଷ୍ପତ୍ତି ନିଆଯିବାର ଥିଲା ଲଣ୍ଡନଠାରେ; ମିଳିତ ସଂସଦୀୟ କମିଟିରେ । ତାହା ନିକଟ ଭବିଷ୍ୟତରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ଥିଲା । ତେଣୁ ସେହି କମିଟିକୁ ପ୍ରଭାବିତ କରିବା ପାଇଁ ମହାରାଜା ପୁଣି ଥରେ ଲଣ୍ଡନ ଯିବାପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ।

ହେଲେ ସେଥର ବ୍ୟକ୍ତିଗତ ଉଦ୍ୟମରେ ଇଂଲଣ୍ଡ ଯାତ୍ରା କରୁଥିବାରୁ ସମସ୍ତ ଖର୍ଚ୍ଚ ନିଜେ ହିଁ ବହନ କରିବା ପାଇଁ ହୋଇଥିଲା । ସେଥିପାଇଁ ରାଜ ଅନ୍ତଃପୁରର ଆତ୍ମୀୟ ସ୍ୱଜନଙ୍କ ବେଶ୍ ଦାମୀ ଗହଣାଗାଣ୍ଠି ବିକ୍ରୀ କରିଦେବା ପାଇଁ ନା ଆତ୍ମୀୟଗଣ ନା ମହାରାଜା-କାହାରି ମନରେ ଦ୍ୱିଧା ନଥିଲା । ତାରି ଭିତରେ ତଥାପି ମହାରାଜା ତାହାଙ୍କର କେତେଜଣ ସେବାକାରୀଙ୍କୁ ନେବାକୁ ମଧ୍ୟ ପଛାଇ ନଥିଲେ । ପୁଣି କାର୍ଯ୍ୟରେ ସହାୟତା ପାଇଁ ଖଲିକୋଟ ରାଜା, ଲିଙ୍ଗରାଜ ପାଣିଗ୍ରାହୀ, ଭୁବନାନନ୍ଦ ଦାସଙ୍କୁ ମଧ୍ୟ ସହଯୋଗୀ ରୂପେ ନେବାପାଇଁ ନିଷ୍ପତ୍ତି ନେଇଥିଲେ । ପୁଣି ଯାତ୍ରା କରିବା ପୂର୍ବରୁ ବିଶେଷ କରି ପାରଳା ଜମିଦାରିର ଓଡ଼ିଶା ସହ ମିଶ୍ରଣ କରାଯିବା ସପକ୍ଷରେ ଯୁକ୍ତି ସମୂହକୁ ବିସ୍ତୃତ ବିଶ୍ଲେଷଣ କରି ଏକ ସ୍ମାରକପତ୍ର ପ୍ରସ୍ତୁତ କରି ପାରଳାରେ ମୁଦ୍ରଣ କରାଇ ନେଇଥିଲେ ।

୧୯୩୩ ମାର୍ଚ୍ଚ ୧୭ରେ ଶ୍ୱେତପତ୍ରର ପ୍ରକାଶନ । ଅପ୍ରେଲ୍‌ରେ ମିଳିତ ସଂସଦୀୟ କମିଟି ଗଠନ । ସେଇ କମିଟିକୁ ପ୍ରଭାବିତ କରାଇବା ପାଇଁ ମହାରାଜାଙ୍କ ଇଁଲଣ୍ଡ ଯାତ୍ରା ଅପ୍ରେଲ୍ ଶେଷ ସପ୍ତାହରେ ।

ଯେଉଁଦିନ ସେ ପାରଳାର ଛୋଟିଆ ରେଳଷ୍ଟେସନ୍‌ରୁ ସ୍ୱତନ୍ତ୍ର ସେଲୁନ୍ ଯୋଗେ ବାହାରିଥିଲେ, ସେଦିନ ଆକାଶରେ କଳାହାଣ୍ଡିଆ ବାଦଲର ଘଟାଟୋପ । ହେଲେ ପ୍ରବଳ ବର୍ଷାକୁ ଖାତିର୍ ନଥିଲା ଲୋକଙ୍କର । ରାଜ୍ୟର ହଜାର ହଜାର ପ୍ରଜା ଅଶ୍ରୁଳ ନୟନରେ ସମବେତ ହୋଇଥିଲେ ସେଠାରେ । ଅନେକଙ୍କ ଆଖିର ଲବଣାକ୍ତ ଲୁହର ଧାରା ମିଶିଯାଉଥିଲା ବର୍ଷାଜଳ ସହିତ । ମନରେ ଅନେକ ଆଶା ନିରାଶାର ଯୁକ୍ତ ଭାବନା । କ'ଣ ହେବ ସେମାନଙ୍କ ଅବସ୍ଥା !