ପୃଷ୍ଠା:Aama Parala Gajapati.pdf/୧୨୦

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବାଧ୍ୟ ହେବେ । ପ୍ରଥମ ଗୋଲ୍‌ଟେବୁଲ୍ ବୈଠକରେ ଯୋଗଦେଇ ସେ (ମହାରାଜା ନିଜେ) ୧୯୩୧ ଫେବ୍ରୁଆରିରେ ଫେରିବା ଅବସରରେ ସମଗ୍ର ରାଜ୍ୟରେ ତାହାଙ୍କୁ ଯେଉଁଭଳି ଭାବରେ ଉଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଥିଲା ତାହାର ଏକମାତ୍ର ଉଦ୍ଦେଶ୍ୟ ଥିଲା ନୂତନ ଓଡ଼ିଶା ଗଠନ ଏବଂ ସେଥିରେ ସେମାନଙ୍କ ନିଶ୍ଚିତ ଅଂଶୀଦାର ହେବାର ଉଜ୍ୱଳ ସମ୍ଭାବନା । ପୁଣି ବର୍ତ୍ତମାନ ସରକାରଙ୍କ ଭ୍ରମାତ୍ମକ ସୀମା ନିର୍ଦ୍ଧାରଣ ଯୋଗୁଁ ପାରଳା ରାଜ୍ୟର ଅସଂତୁଷ୍ଟ ପ୍ରଜାଗଣ ସେମାନଙ୍କ ମତାମତ ବିଭିନ୍ନ ସଂଗଠନ ତଥା ବ୍ୟକ୍ତି ବିଶେଷଙ୍କ ଜରିଆରେ ପ୍ରକାଶ କରି ଆସୁଛନ୍ତି । ଏଥିରୁ ସେମାନଙ୍କ ଆକାଂକ୍ଷା ଆକଳନ କରାଯାଇପାରେ ।

ଫିଲଫ୍-ଡଫ୍ କମିଟି ତଥା ସୀମା କମିଟିର ତିନିଜଣ ସଭ୍ୟଙ୍କ ମଧ୍ୟରୁ ଦୁଇଜଣଙ୍କ ମତାମତ ସ୍ପଷ୍ଟ ଭାବରେ ମିଶ୍ରଣ ସପକ୍ଷରେ ଥିବା ତଥ୍ୟ ସେଇ ସ୍ମାରକପତ୍ରରେ ଉଲ୍ଲେଖ କରିଥିଲେ ମହାରାଜା । ପୁଣି ସାମାଜିକ ତଥା ସାଂସ୍କୃତିକ ପଟ୍ଟଭୂମିରୁ ଓଡ଼ିଶା ସହ ପାରଳାର ସଂପର୍କ ଉଲ୍ଲେଖ କରି କହିଥିଲେ ଯେ ବାସ୍ତବରେ ପୁରୀ ରାଜବଂଶର ଦାୟାଦ ସେମାନେ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ବିକାଶ କ୍ଷେତ୍ରରେ ପାରଳା ଏକ ପ୍ରମୁଖ କେନ୍ଦ୍ର ରୂପେ ଦୀର୍ଘ ଅତୀତରୁ ପ୍ରତିଷ୍ଠିତ । ଏଠିକାର ଅସଂଖ୍ୟ ଧାର୍ମିକ ଅନୁଷ୍ଠାନ-ମଠ, ମନ୍ଦିର ଇତ୍ୟାଦି ପୁରୀରେ ଥିବା ସେଭଳି ଅନୁଷ୍ଠାନଗୁଡ଼ିକର ଯଥାର୍ଥ ସାଦୃଶ୍ୟ । ଏଠିକାର ପୂଜକଗଣ ଓଡ଼ିଆ ଏବଂ ମଧ୍ୟ ଅନୁଷ୍ଠାନଗୁଡ଼ିକର ରୀତି-ନୀତି, ପୂଜା-ପାର୍ବଣଗୁଡ଼ିକ ସେଇ ଏକାଧାରାରେ ପରିଚାଳିତ– ପୁରୀର ବିଶ୍ୱବିଖ୍ୟାତ ରଥଯାତ୍ରା ଭଳି ପାରଳାର ରଥଯାତ୍ରା । ଏଇ ସବୁ ଦୃଷ୍ଟିରୁ ସଂସଦୀୟ କମିଟି ସମ୍ବେଦନଶୀଳ ହୋଇ ସେଥିପାଇଁ ଅନୁକୂଳ ମତାମତ ଦେବେ ଏବଂ ସରକାରଙ୍କ ପୂର୍ବ ତ୍ରୁଟିର ଯଥାର୍ଥ ସଂଶୋଧନ କରିବେ ବୋଲି ମହାରାଜା ଆଶା ପୋଷଣ କରିଥିଲେ ସେଥିରେ ।

ସେଇ ସ୍ମାରକ ପତ୍ରର ଏକ ନକଲ ତ‌ତ୍‌କାଳ ଇଂଲଣ୍ଡରେ ଥିବା ତେଲୁଗୁ ପ୍ରତିନିଧି ମାନଙ୍କୁ ପ୍ରଦାନ କରାଯାଇ ସେହି ଯୁକ୍ତିଗୁଡ଼ିକର ଅସାରତା ପ୍ରମାଣ ପାଇଁ ସୁଯୋଗ ଦିଆଯାଇଥିଲା । ସଂସଦୀୟ କମିଟି ତରଫରୁ ମହାରାଜାଙ୍କ ଗୋଷ୍ଠୀ ଭଳି ସେମାନେ ମଧ୍ୟ ଇଂଲଣ୍ଡ ଯାଇଥିଲେ ଓଡ଼ିଶା ସହ ଗଞ୍ଜାମ ମିଶ୍ରଣ ବିରୋଧୀ ଅଭିଯାନ ଚଳାଇବା ପାଇଁ । ସେହିକ୍ରମରେ ସେଇ ଜୁଲାଇ ମାସର ଦ୍ୱିତୀୟ ସୋମବାର-୧୦ ତାରିଖ ଦିନ ସାର୍ ସାମୁଏଲ୍ ହୋର୍ ଏବଂ ସବ୍ କମିଟି ସେମାନଙ୍କ ସହ ସାକ୍ଷାତ ଆଲୋଚନା କରି ସ୍ମାରକପତ୍ର ଗ୍ରହଣ କରିଥିଲେ । ତାହା କିନ୍ତୁ ବିଶେଷ ଭାବରେ ଯୁକ୍ତି ସମ୍ବଳିତ ନଥିଲା । ସେଥିରେ ବର୍ତ୍ତମାନର ବ୍ରହ୍ମ‌ପୁର ସମେତ ଋଷିକୂଲ୍ୟା ନଦୀର ସମୁଦାୟ ଦକ୍ଷିଣାଞ୍ଚଳକୁ ଆନ୍ଧ୍ର ସହିତ ଯୁକ୍ତ କରି ରଖିବା ପାଇଁ ପ୍ରସ୍ତାବ ଦିଆଯାଇଥିଲେ ସୁଦ୍ଧା ସେଥିପାଇଁ ଯୁକ୍ତିଯୁକ୍ତ କାରଣ ଆଦୌ ଦର୍ଶାଯାଇ ନଥିଲା । ତେଣୁ ତାହାକୁ ଖଣ୍ଡନ କରିବା ପାଇଁ ଓଡ଼ିଶା ପ୍ରତିନିଧିମାନଙ୍କୁ ଆଦୌ କଷ୍ଟକର ବ୍ୟାପାର ବୋଲି ମନେ ହୋଇ ନଥିଲା ।