ପୃଷ୍ଠା:Aama Parala Gajapati.pdf/୧୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତତ୍‍‌ପରେ ସ୍ଥାନାନ୍ତର ହୋଇଥିଲା ପୁରୁଣାପାଟଣାକୁ । ସେଠି ପାଞ୍ଚଜଣ ରାଜା ରାଜୁତି କରିବା ପରେ ଷଷ୍ଠ ରାଜାଙ୍କ ଅମଳରେ ତାହା ବର୍ତ୍ତମାନର ପାରଳାଖେମୁଣ୍ଡି ସହରକୁ ସ୍ଥାନାନ୍ତର ହୋଇଥିଲା । ରାଜରାଜୁଡ଼ା ଶାସନର ଅନ୍ତିମ ଦିନ ପର୍ଯ୍ୟନ୍ତ ତାହା ହିଁ ଥିଲା କଳକଳ ଛଳଛଳ ହୋଇ ବହି ଚାଲିଥିବା ଖେମୁଣ୍ଡି ଗଙ୍ଗ ଶାସନର ରାଜଧାନୀ ।

ତେବେ ଖେମୁଣ୍ଡି ରାଜ୍ୟର ଅୟମାରମ୍ଭ ନେଇ କାଳ ନିରୂପଣ ସଂପର୍କରେ ନିର୍ଦ୍ଧିଷ୍ଟ ଭାବରେ କୁହାଯାଇ ନପାରିଲେ ସୁଦ୍ଧା ୧୨୪୫ ମସିହାରୁ ଆରମ୍ଭ କରି ଶେଷ ପର୍ଯ୍ୟନ୍ତ ଗଜପତି କୃଷ୍ଣଚନ୍ଦ୍ରଙ୍କ ପୂର୍ବ ପୁରୁଷମାନଙ୍କ ସଂପର୍କରେ ଅନେକ ଐତିହାସିକ ତଥ୍ୟ ଉପଲବ୍‍ଧ । ସେଭଳି ବିବରଣୀଗୁଡ଼ିକରେ ଗଙ୍ଗରାଜାଗଣଙ୍କ ଧାରାବାହିକ ନାମ ତାଲିକା ନେଇ ପ୍ରାୟ ସବୁ ଇତିହାସକାର ଏକମତ ହେଉଥିଲେ ସୁଦ୍ଧା ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କ ଶାସନକାଳ ସଂପର୍କରେ ସମସ୍ତେ ସହମତ ନୁହନ୍ତି । କିନ୍ତୁ ତଥାପି ଗୁଡ଼ାରି କଟକରେ ରାଜା ନରସିଂହ ଦେବ ଓରଫ୍‍ କଳାହମ୍ବିରଙ୍କ ଶାସନକାଳର ପ୍ରାରମ୍ଭ ୧୨୪୫ ମସିହାରେ ହୋଇଥିବା ସଂପର୍କରେ ସମସ୍ତେ ଏକମତ ।

ଏ ଯାବଦ୍‍ ବିଭିନ୍ନ ଗବେଷଣାମୂଳକ ପତ୍ରିକାରେ ପ୍ରକାଶିତ ଖେମୁଣ୍ଡି ରାଜବଂଶ ସଂପର୍କିତ ବିବରଣୀଗୁଡ଼ିକ ମଧ୍ୟରୁ ମି. ରବର୍ଟ ସିୱେଲ୍‍, ଆନ୍ଧ୍ରପ୍ରଦେଶର ବିଶିଷ୍ଟ ଐତିହାସିକ ବି. ଶେଷାଗିରି ରାଓ ଏବଂ ପାରଳାଖେମୁଣ୍ଡିର ଶ୍ରୀ ସୀମାଦ୍ରି ପରିଚ୍ଛାଙ୍କଦ୍ୱାରା ସଂଗୃହୀତ ତଥ୍ୟାବଳୀ ମଧ୍ୟରୁ ମିଷ୍ଟର ସିୱେଲ୍‍ଙ୍କ ତାଲିକାକୁ ବିଶେଷ ଗୁରୁତ୍ୱ ଦିଅନ୍ତି ବିଶିଷ୍ଟ ଗବେଷକ ତଥା ଇତିହାସକାର ଡକ୍ଟର ସତ୍ୟନାରାୟଣ ରାଜଗୁରୁ । ମି. ସିୱେଲ୍‍ ଗଞ୍ଜାମର ତତ୍‍କାଳୀନ କଲେକ୍‍ଟରଙ୍କ ନଥିପତ୍ରରୁ ତଥ୍ୟ ସଂଗ୍ରହ କରି ୧୮୮୪ ମସିହାରେ ଖେମଣ୍ଡି ରାଜବଂଶାବଳୀ ପ୍ରକାଶ କରିଥିଲେ । ଅପର ପକ୍ଷରେ ପାରଳା ରାଜବାଟୀରେ ଥିବା ବିଭିନ୍ନ ତାଳପତ୍ର ଇତ୍ୟାଦିରୁ ମଧ୍ୟ ଅନ୍ୟମାନେ ତଥ୍ୟ ସଂଗ୍ରହ କରିଥିଲେ । ତେବେ ବାରମ୍ବାର ରାଜଧାନୀ ପରିବର୍ତ୍ତନ କାରଣରୁ ଅନେକ ମୂଳ ତଥ୍ୟ ନଷ୍ଟ ହୋଇଯାଉଥିଲା ଏବଂ ପରବର୍ତ୍ତୀ କାଳରେ ପୁଣି ଥରେ ନୂତନ ତାଲିକା ପ୍ରସ୍ତୁତ ହେଉଥିଲା । ସମ୍ଭବତଃ ସେହି କାରଣରୁ ଐତିହାସିକଙ୍କ ମତରେ ବିଭିନ୍ନ ପାର୍ଥକ୍ୟ ଦେଖିବାକୁ ମିଳେ । କଳିଙ୍ଗ ସଂଚିକାର ତେଲ୍‍ଗୁ ସଂସ୍କରଣରେ ସୀମାଦ୍ରି ପରିଚ୍ଛାଙ୍କ ଖେମୁଣ୍ଡି ରାଜବଂଶାବଳୀ ପ୍ରକାଶ ପାଇଥିବା ବେଳେ ଡକ୍ଟର ରାଓଙ୍କ ବିବରଣୀ ଅନ୍ୟ ଏକ ଇତିହାସ ଗବେଷଣା ପତ୍ରିକାରେ ପ୍ରକାଶିତ ହୋଇଥିଲା । ତେବ ସେହି ତିନିଜଣ ବିଶିଷ୍ଟ ଇତିହାସକାରଙ୍କ ଦ୍ୱାରା ସଂଗୃହୀତ ଖେମୁଣ୍ଡି ରାଜବଂଶାବଳୀର ଏକ ତୁଳନାତ୍ମକ ବିବରଣୀ ଏହି ପୁସ୍ତକର ପରିଶିଷ୍ଟରେ ପ୍ରଦତ୍ତ ।

୧୨୪୫ରୁ ୧୭୫୩- ଦୀର୍ଘ ଯାତ୍ରାପଥ । ବିଭିନ୍ନ ଐତିହାସିକ ବିବରଣୀ ଏବଂ ଅନ୍ୟାନ୍ୟ ନଥିପତ୍ରରୁ ପ୍ରାପ୍ତ ତଥ୍ୟ ଅନୁଯାୟୀ ଖେମଣ୍ଡି ରାଜ୍ୟର ୨୧ତମ ରାଜା ବୀର ପ୍ରତାପରୁଦ୍ର ଦେବଙ୍କ ଶାସନକାଳ ୧୭୫୩ ମସିହାରେ ଶେଷ ହୋଇଥିଲା । କିନ୍ତୁ ପ୍ରଦତ୍ତ ତାଲିକାରେ କେହି ମଧ୍ୟ ସେହି ତଥ୍ୟ ସହିତ ଏକମତ ନୁହନ୍ତି । ଡକ୍ଟର ରାଓଙ୍କ ମତରେ ପ୍ରତାପରୁଦ୍ର ୧୮୪୨ ମସିହା,