ପୃଷ୍ଠା:Aama Parala Gajapati.pdf/୧୩୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିବାକୁ ଇଚ୍ଛୁକ । ସେଇ ପ୍ରସ୍ତାବକୁ ସାଦରରେ ଗ୍ରହଣ କରିଥିଲେ ପୁରୀ ଗଜପତି । ସେଥିପାଇଁ କାର୍ଯ୍ୟସୂଚୀ ନିର୍ଦ୍ଧାରିତ ହୋଇଥିଲା ।

ମହା ଆଡମ୍ବର ପୂର୍ଣ୍ଣ ଥାଟ୍ଟବାଟ ନେଇ ପୁରୀ ଗଜପତି ଅଠରନଳା ନିକଟରେ ଅପେକ୍ଷା କରିଥିଲେ ପାରଳା ଗଜପତିଙ୍କୁ । ସେ ସେଠାରେ ପହଂଚିବା ପରେ ଭବ୍ୟ ରାଜକୀୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଶ୍ରୀଜଗନ୍ନାଥଙ୍କ ପ୍ରଥମ ସେବକ ତାହାଙ୍କୁ ଶ୍ରୀମନ୍ଦିର ପରିଦର୍ଶନ ପାଇଁ ନିମନ୍ତ୍ରଣ ଜଣାଇବା ସଂଗେ ସଂଗେ ପାଛୋଟି ନେଇଥିଲେ ସେ ପର୍ଯ୍ୟନ୍ତ । ସେହିଭଳି ରାଜକୀୟ ସମ୍ବର୍ଦ୍ଧନା ଗଙ୍ଗବଂଶୀ ପାରଳା ମହାରାଜାଙ୍କ ବ୍ୟତୀତ ଅନ୍ୟ କୌଣସି ରାଜାଙ୍କୁ ଦିଆଯିବାର ନଜିର ନଥିଲା । କାରଣ ସେଇ ବଂଶର ରାଜନ୍ୟବର୍ଗ ପରା ଆଧୁନିକ ଶ୍ରୀମନ୍ଦିରର ପ୍ରତିଷ୍ଠାତା ।

ଗଜପତି କୃଷ୍ଣଚନ୍ଦ୍ରଙ୍କ ଶ୍ରୀଜୀଉମାନଙ୍କ ଦର୍ଶନ ଲାଗି ଶ୍ରୀମନ୍ଦିର ଶୋଧ କରାଯାଇଥିଲା । ସେବକଗଣ ତାହାଙ୍କୁ ରାଜକୀୟ ସମ୍ମାନ ଅର୍ପଣ କରିଥିଲେ । ଶ୍ରୀମନ୍ଦିରରେ ଠାକୁର ଦର୍ଶନ ଶେଷ କରି ଗଙ୍ଗ ରାଜବଂଶୀୟ ପରଂପରା କ୍ରମେ ମହାରାଜା ରତ୍ନ ସିଂହାସନ ଉପରେ ସ୍ୱର୍ଣ୍ଣମୋହର ଅର୍ପଣ କରିଥିଲେ ।

ସେଇ ଘଟଣା ଉଭୟ ରାଜପରିବାର ମଧ୍ୟରେ ମତାନ୍ତରର ପରିସମାପ୍ତି ଘଟାଇଥିଲା ଯେମିତି ।

ତାପରେ ଆରମ୍ଭ ହୋଇଥିଲା ରାଜ୍ୟ ଶାସନ । ମନ୍ତ୍ରୀମାନେ ମାସିକ ଏକ ହଜାର ଟଙ୍କା ଦରମାରେ ନୂତନ ରାଜ୍ୟର ଉନ୍ନତି କଳ୍ପେ କାର୍ଯ୍ୟ ଆରମ୍ଭ କରିଥିଲେ । କିନ୍ତୁ ଅତି ସ୍ୱଳ୍ପ ସଂଖ୍ୟକ ସଭ୍ୟଙ୍କ ସମର୍ଥନରେ ମହାରାଜା ମନ୍ତ୍ରିମଣ୍ଡଳ ଗଠନ କରିଥିବାରୁ କଂଗ୍ରେସ ଦଳର ସଭ୍ୟଗଣ ବିଭିନ୍ନ ପ୍ରକାରର ସମାଲୋଚନା କରିଥିଲେ । ଏକ ପ୍ରେସ୍ ଇସ୍ତାହାରରେ ମହାରାଜା ସ୍ପଷ୍ଟ ଉଲ୍ଲେଖ କରିଥିଲେ ଯେ ସରକାରଙ୍କ ଉନ୍ନତିମୂଳକ ପଦକ୍ଷେପଗୁଡ଼ିକରେ ଗଭର୍ଣ୍ଣର ଯଦି କେତେବେଳେ ହସ୍ତକ୍ଷେପ କରନ୍ତି ତାହେଲେ ମନ୍ତ୍ରିମଣ୍ଡଳ ସଂଗେ ସଂଗେ ଇସ୍ତଫା ଦେବା ପାଇଁ କୁଣ୍ଠିତ ହେବନାହିଁ । ତେଣୁ ରାଜ୍ୟ ଏବଂ ରାଜ୍ୟବାସୀଙ୍କ ସମୂହସ୍ୱାର୍ଥ ଦୃଷ୍ଟିରୁ ସମସ୍ତେ ସରକାରଙ୍କ ସହ ସହଯୋଗ କରିବା ଆବଶ୍ୟକ । ସେ ନିଜେ ମଧ୍ୟ ଜନଗଣଙ୍କ ସୁବିଧା ଅସୁବିଧା ସବୁର ପ୍ରତ୍ୟକ୍ଷ ଅନୁଭୂତି ଅର୍ଜନ ପାଇଁ ଉଦ୍ୟମ କରିଥିଲେ; ଉଦ୍ୟମ ଆରମ୍ଭ କରିଥିଲେ ରାଜ୍ୟରେ ଶିକ୍ଷାର ବିସ୍ତାର ପାଇଁ ।

ତେବେ ଭାରତୀୟ ରାଜନୀତିକ ଦୃଶ୍ୟପଟ ପରିବର୍ତ୍ତିତ ହୋଇଥିଲା ଗାନ୍ଧି, ନେହେରୁ ତଥା ପ୍ରମୁଖ ରାଜନେତାଙ୍କ ସହିତ ବଡ଼ଲାଟଙ୍କ ଘନ ଘନ ଆଲୋଚନାଯୋଗୁଁ । ସେମାନଙ୍କ ସହିତ ବୁଝାମଣା ହେବା ପରେ ରାଜ୍ୟଗୁଡ଼ିକରେ ଶାସନ ଭାର ଗ୍ରହଣ କରିବା ପାଇଁ କଂଗ୍ରେସ ସମ୍ମତ ହୋଇଥିଲା । ପରିଣାମତଃ ପାରଳା ମହାରାଜା ୧୯୩୭ ମସିହା ଜୁଲାଇ ୧୩ ତାରିଖ ଦିନ ଆପଣାର ଇସ୍ତଫା ରାଜ୍ୟପାଳଙ୍କୁ ଅର୍ପଣ କରି ଦେଇଥିଲେ । ଆପାତତଃ ନୂତନ ରାଜ୍ୟରେ ପ୍ରଥମ ମନ୍ତ୍ରିମଣ୍ତଳର ଆୟୁଷ ଥିଲା ମାତ୍ର ସାଢ଼େ ତିନିମାସ ।