ପୃଷ୍ଠା:Aama Parala Gajapati.pdf/୧୩୮

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଧାନ ଗବେଷଣା କେନ୍ଦ୍ର ହିସାବରେ ପ୍ରସିଦ୍ଧି ଲାଭ କରିଥିବା କଟକ ବିଦ୍ୟାଧରପୁରର କୃଷି ଫାର୍ମଟି ତାଙ୍କର ଉଦ୍ୟମର ଏକ ସୁଫଳ । ମହାରାଜାଙ୍କ ପରାମର୍ଶ କ୍ରମେ ସେହି ଅନୁଷ୍ଠାନଟିକୁ କେନ୍ଦ୍ର ସରକାରଙ୍କୁ ହସ୍ତାନ୍ତର କରିବାର ପରିଣାମ ସ୍ୱରୂପ ତାହା ଏହିଭଳି ଖ୍ୟାତିସମ୍ପନ୍ନ ସ୍ଥିତିରେ ପହଞ୍ଚି ପାରିଥିଲା ।

ଆଜୀବନ ଶିକ୍ଷାପ୍ରେମୀ ମହାରାଜାଙ୍କ ଦୃଢ଼ ବିଶ୍ୱାସ ଥିଲା ଯେ ରାଜ୍ୟର ପ୍ରକୃତ ଉନ୍ନତି ନିର୍ଭର କରେ ଜନଗଣଙ୍କ ଶିକ୍ଷାବିକାଶ ଉପରେ । ରାଜ୍ୟର ଶିକ୍ଷାମନ୍ତ୍ରୀ ପଣ୍ଡିତ ଗୋଦାବରୀଶ ମିଶ୍ର ୧୯୪୩ ଜୁନ୍ ୩୦ରେ ଉତ୍କଳ ବିଶ୍ୱବିଦ୍ୟାଳୟ ବିଲ୍ ବିଧାନ ସଭାରେ ଆଗତ କରିଥିଲେ । ସେଦିନ ମହାରାଜା ଅତ୍ୟନ୍ତ ଆନନ୍ଦିତ ହୋଇଥିଲେ ଏବଂ ସେହି ଦିନଟିକୁ ଆଧୁନିକ ଓଡ଼ିଶାର ଇତିହାସ ପାଇଁ ଏକ ସ୍ମରଣୀୟ ଦିବସ ରୂପେ ଗ୍ରହଣ କରିଥିଲେ । ବିଧାନସଭାରେ ଆପଣାର ଅନ୍ତର ଖୋଲି ଦେଇଥିଲେ- ଅତ୍ୟନ୍ତ ଗର୍ବର ସହ ଏଠାରେ ଉଲ୍ଲେଖ କରିପାରେ ଯେ ସଚିବାଳୟର ସକ୍ରିୟ ସହଯୋଗ ଏବଂ ମୋ ସହକର୍ମୀଙ୍କ ଦୀର୍ଘ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ଏହି ବିଲ୍‌ଟି ଆଜି ଗୃହୀତ ହେବା ସମ୍ଭବ ହୋଇପାରିଛି ।

ଉକ୍ରଳ ବିଶ୍ୱବିଦ୍ୟାଳୟର ଉନ୍ନତି କଳ୍ପେ ସେ ପ୍ରଧାନମନ୍ତ୍ରୀ ହିସାବରେ ପାଇଥିବା ଗସ୍ତଖର୍ଚ୍ଚ- ଦଶ ହଜାର ଟଙ୍କା- ଅନୁଷ୍ଠାନକୁ ଦାନ କରି ଦେଇଥିଲେ । ଅନୁଷ୍ଠାନର ଅୟମାରମ୍ଭ ବେଳେ ତତ୍‌କାଳୀନ ସେଇ ପରିମାଣର ଅର୍ଥର ମୂଲ୍ୟ ଯଥେଷ୍ଟ ଗୁରୁତ୍ୱ ବହନ କରିଥିଲା । ତାହା ପ୍ରମାଣିତ କରିଥିଲା ପ୍ରାଦେଶିକ ସ୍ତରରେ ଶିକ୍ଷାର ପ୍ରସାର ଦିଗରେ ମହାରାଜାଙ୍କ ଅନାବିଳ ଆଗ୍ରହ । ପୁଣି ସରକାରୀ ଭାବେ ସେ ନୀତି ନିର୍ଦ୍ଧାରଣ କରିଥିଲେ, ପ୍ରତି ଜିଲ୍ଲାର ସଦର ମହକୁମାରେ ବିଜ୍ଞାନ ତଥା କଳା ବିଷୟ ଥାଇ ଗୋଟିଏ ଗୋଟିଏ ସରକାରୀ ମହାବିଦ୍ୟାଳୟ ସ୍ଥାପିତ ହେବ ।

ମହାରାଜାଙ୍କ ଉନ୍ନତି ମୂଳକ କାର୍ଯ୍ୟାବଳୀ ସଂପର୍କରେ ସମସାମୟିକ ରାଜନୀତିଜ୍ଞ ତଥା ବିରୋଧୀ ଦଳର ନେତା ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ବିଶ୍ୱନାଥ ଦାସଙ୍କ ମତାମତ ବିଶେଷ ଉଲ୍ଲେଖଯୋଗ୍ୟ । “ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ପାଇଁ ମୁଁ ମୋର ପ୍ରାର୍ଥନା ଅର୍ପଣ କରୁଛି । ବ୍ୟକ୍ତିଗତ ଭାବରେ ତାଙ୍କ ସହ ମୋର ପରିଚିତି ଅଛି ଏବଂ ଆର୍ଥନୀତିକ ତଥା ସାମାଜିକ ପ୍ରଶ୍ନଗୁଡ଼ିକ ବିଷୟରେ ତାଙ୍କର ସମୀପବର୍ତ୍ତିତାକୁ ମୁଁ ପସନ୍ଦ କରି ଆସିଛି । ...ବିଭିନ୍ନ ପ୍ରଦେଶରେ ରହିଥିବା ଓଡ଼ିଆଭାଷୀ ଲୋକଙ୍କର ଏକୀକରଣ କରାଯାଇ ଗୋଟିଏ ପ୍ରଦେଶ ଗଠିତ ହେବା ଦିଗରେ ମହାରାଜା ଥିଲେ ଜଣେ ଉଦ୍ଦାମ ଅଗ୍ରଣୀ ସେନାପତି... ସେହି ଦିଗରେ ତାଙ୍କର ଅବଦାନ କୌଣସି ଦିଗରୁ ବିଚାର କଲେ ମଧ୍ୟ ଗୌଣ ବିବେଚିତ ହୋଇନପାରେ । ...ସେ ମଧ୍ୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ସମ୍ବିଧାନ ପ୍ରଣୟନ ସଭାର ସଭ୍ୟ ଥିଲେ । ତାଙ୍କର ମୁଖ୍ୟମନ୍ତ୍ରିତ୍ୱ କାଳରେ କୌଣସି ପ୍ରକାର ଅସାଧୁ ପ୍ରଶ୍ନ ନେଇ କସ୍ମିନ୍‌କାଳେ କେହି ତାଙ୍କୁ ଆକ୍ଷେପ କରି ପାରିନଥିଲେ ।”