ପୃଷ୍ଠା:Aama Parala Gajapati.pdf/୧୪୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପାରଳା ରାଜନବର ଭିତରେ, ଗଡ଼ ଠାକୁରାଣୀ ମାଣିକେଶ୍ୱରୀଙ୍କୁ ବାଦ୍‌ଦେଲେ ମହାରାଜା କୃଷ୍ଣଚନ୍ଦ୍ରଙ୍କ ପାଇଁ ସର୍ବାଧିକ ସମ୍ମାନନୀୟା ଥିଲେ ତାହାଙ୍କର ଜନନୀ । ତାହାଙ୍କର ଗଭୀର ଆତ୍ମବିଶ୍ୱାସ ଥିଲା ଗଡ଼ଦେବୀଙ୍କ କୃପା ଏବଂ ମାଆଙ୍କ ଆଶୀର୍ବାଦ ହିଁ ସମସ୍ତ ଅସାଧ୍ୟକୁ ସାଧନ କରିଦେଇପାରିବାର କ୍ଷମତା ରଖିଥାଏ । ପ୍ରତ୍ୟେକ କ୍ଷେତ୍ରରେ ଏବଂ ସବୁ ଅସମୟବେଳେ ମାଆଙ୍କର ଆଶୀର୍ବାଦ ଭିକ୍ଷା କରି ହିଁ ସେ ଆଗେଇ ଯାଉଥିଲେ ତାହାର ସମାଧାନ ପାଇଁ ।

ସେଇ ଆଶୀର୍ବାଦର କୁଳୁକୁଳୁ ଝରଣାଟି ମଧ୍ୟ ଶେଷରେ ଶୁଷ୍କ ହୋଇ ଯାଇଥିଲା ୧୯୩୮ ମସିହାରେ । ରାଧାମଣି ଦେବୀଙ୍କର ମୃତ୍ୟୁ ହୋଇଥିଲା । ତାହା ବାସ୍ତବରେ ଥିଲା ମହାରାଜାଙ୍କ ପାଇଁ ଏକ ଅପୂରଣୀୟ କ୍ଷତି । କିନ୍ତୁ ସମୟର ଚକ୍ରକୁ ବ୍ୟାହତ କରିପାରିବାର କ୍ଷମତା ବା କାହାର ଅଛି ! କୈଶୋର ଅତିକ୍ରମ କରିବା ପୂର୍ବରୁ ମାତୃହୀନ ହୋଇଥିବା ନାତିନାତୁଣୀଙ୍କ ପାର୍ଥିବ ଜଗତରେ ପାଦ ଦୃଢ କରିବା ପାଇଁ ଜେଜେମାଆ ରାଧାମଣି ଯେ ଯଥେଷ୍ଟ ସହାୟକ ହୋଇଥିଲେ ସେଥିରେ ସନ୍ଦେହ ନାହିଁ ।

ମହାରାଜା କୃଷ୍ଣଚନ୍ଦ୍ର ସାମାନ୍ୟତମ ଅବହେଳା କରିନଥିଲେ ମାତୃହୀନ ପୁତ୍ର କନ୍ୟାଗଣଙ୍କୁ ସମାଜରେ ଉଚିତ ଭାବରେ ପ୍ରତିଷ୍ଠିତ କରାଇବା ପାଇଁ । ବଡ଼ ପୁଅ ରାମଚନ୍ଦ୍ର ତ ହେବେ ତାଙ୍କ ପରେ ପରେ ପାରଳାର ମହାରାଜା ! ସାନପୁଅ ମାଧବ ସୁନ୍ଦରଙ୍କୁ ସମ୍ମାନଜନକ ଭାବେ ବଂଚିବା ପାଇଁ ତାଙ୍କ ଅଧୀନସ୍ଥ ଅନ୍ୟତମ ଜମିଦାରି ଡେଲାଙ୍ଗର ଶାସନ ଭାର ଦେବାଲାଗି ଯୋଜନା କରିଥିଲେ । ମାନ୍ଦ୍ରାଜରେ ଉଚ୍ଚଶିକ୍ଷା ପ୍ରାପ୍ତ ହୋଇ ସମ୍ମାନ ଜନକ ଭାବେ ସାମାଜିକ ଜୀବନ ନିର୍ବାହ ପାଇଁ ସମସ୍ତ ପ୍ରକାରର ଉଚିତ ଏବଂ ଉତ୍ତମ ପଦକ୍ଷେପମାନ ଗ୍ରହଣ କରିଥିଲେ । ଯଥା ସମୟରେ ପୁତ୍ରମାନଙ୍କର ବିବାହ ଉତ୍ସବମାନ ଅନୁଷ୍ଠିତ ହୋଇଥିଲା । ୧୯୪୦ରେ ସୁରୁଗୁଜା ରାଜଜେମାଙ୍କ ସହିତ ଯୁବରାଜ ରାମଚନ୍ଦ୍ରଙ୍କ ବିବାହ ହୋଇଥିଲା ବେଶ୍ ରାଜକୀୟ ଢ଼ାଞ୍ଚାରେ ଲକ୍ଷାଧିକ ଅତିଥିଙ୍କ ସମାଗମରେ । ହେଲେ ସେହି ଉତ୍ସବର ମାତ୍ର ୧୨ବର୍ଷ ପରେ ରାମଚନ୍ଦ୍ର ମୃତ୍ୟୁ ଜାଲରେ ଫସି ଯାଇଥିଲେ ଆପଣା ଇଚ୍ଛାରେ ।

ଶୁଭ ପରିଣୟ ପରେ ପରେ ଯୁବରାଜଙ୍କ ମନୋରଂଜନ ପାଇଁ ପାରଳା ସହର ସୀମାନ୍ତରେ ମହେନ୍ଦ୍ର ତନୟା ନଦୀକୂଳରେ ନିର୍ମିତ ସୁରମ୍ୟ ପୁଷ୍ପ ବଲ୍ଲରୀରେ ସୁଶୋଭିତ ବସନ୍ତ ନିବାସ ନିୟୋଜିତ ହୋଇଥିଲା । ବୃନ୍ଦାବନ ତୋଟା ନାମରେ ଜନମାନସରେ ପରିଚିତ ଥିଲା ସେଇ ଅଞ୍ଚଳ । ସେଇଠି ପ୍ରାକୃତିକ ବନ୍ୟ ପରିବେଶରେ ରହିଥିଲେ ଅନେକ ପଶୁପକ୍ଷୀ । ଏହା ଥିଲା ମହାରାଜାଙ୍କ ଗ୍ରୀଷ୍ମନିବାସ । ଜଣେ ବ୍ରିଟିଶ୍ ଇଂଜିନିୟର ମିଷ୍ଟର ମୁଲ୍ଲାରଙ୍କ ତତ୍ତ୍ୱାବଧାନରେ ସେତେବେଳେ ପ୍ରାୟ ଦଶଲକ୍ଷ ଟଙ୍କା ବ୍ୟୟରେ ଏହା ନିର୍ମିତ ହୋଇଥିଲା । ତାହା ନିକଟରେ ରହିଥିଲା ଏକ କ୍ଷୁଦ୍ର ପାହାଡ଼ । ବିରାଟ ଏକ ବଗିଚାର ମଧ୍ୟ ଭାଗରେ ନିର୍ମିତ ହୋଇଥିଲା ଦ୍ୱିତଳ ପ୍ରାସାଦଟିଏ । ସେଠାରେ ସ୍ୱତନ୍ତ୍ର ଡାଇନାମାରୁ କୃତ୍ରିମ ବିଦ୍ୟୁତ ଉତ୍ପାଦନର ବ୍ୟବସ୍ଥା ଥିଲା ।ଆମ ପାରଳା ଗଜପତି ୧୪୫