ପୃଷ୍ଠା:Aama Parala Gajapati.pdf/୧୪୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅଙ୍କାବଙ୍କା ରାସ୍ତାଘାଟ, ଆଲୋକ ବ୍ୟବସ୍ଥା, ପଶୁପକ୍ଷୀଙ୍କ ପାନୀୟଜଳ ଯୋଗାଣ ପାଇଁ ମଝିରେ ମଝିରେ ଅନେକଟା ପାଣିକୁଣ୍ଡ....। ସତେ ଯେମିତି ଏକ ଆଧୁନିକ ପାର୍କ । ବିଭିନ୍ନ ପ୍ରକାରର ଗଛ-ବୃକ୍ଷ , ଫଳ-ପୁଷ୍ପ ସୁଶୋଭିତ ତରୁଲତା । ସବୁବେଳେ ବସନ୍ତ ଋତୁର ସମ୍ଭାର । ସେଇଥି ପାଇଁ ହିଁ ତାହାର ନାମକରଣ ହୋଇଥିଲା ସେହିଭଳି । ସମୟାନ୍ତରରେ ମହାରାଜା କିଛି ସମୟ ପାଇଁ ଚାଲି ଯାଉଥିଲେ ସେଠାକୁ; ବିଶେଷ କରି ଗ୍ରୀଷ୍ମ କାଳରେ । ତାଙ୍କ ଗାଡ଼ିର ହର୍ଣ୍ଣ ଶବ୍ଦ ଶୁଣିବା କ୍ଷଣି ବଣ ମୟୂର-ମୟୂରୀ ପଲପଲ ହୋଇ ଉଡ଼ି ଆସୁଥିଲେ ସେଇ ବୃନ୍ଦାବନ ତୋଟାକୁ । ମହାରାଜା ସେମାନଙ୍କ ପାଇଁ ନିଶ୍ଚିତରୂପେ ନେଇ ଯାଉଥିଲେ କିଛି କିଛି ଖାଦ୍ୟ । ସେ ସବୁକୁ ଅତି ନିକଟରୁ ଖୁଣ୍ଟି ଖୁଣ୍ଟି ଖାଉଥିବା ଦୃଶ୍ୟରେ ବିମୁଗ୍ଧ ହୋଇ ଯାଉଥିଲେ ସେ । ସେଇ ସୁରମ୍ୟ ବସନ୍ତ ନିବାସ ହିଁ ଏକ ସମୟରେ ଆଣି ଦେଇଥିଲା ମହାରାଜାଙ୍କ ପାଇଁ ଏକ ଦାରୁଣ ଦୁଃଖଦ ସମ୍ବାଦ । ସେଇଠି ଯୁବରାଜଙ୍କ ଆତ୍ମହତ୍ୟାର ସମ୍ବାଦ । ଅନେକ କୋଠରି ଭିତରୁ ବସନ୍ତ ନିବାସର ଏକ କୋଠରି ଭିତରେ ଆପଣା ବନ୍ଧୁକରୁ ଗୁଳି ଚଳାଇ ରାମଚନ୍ଦ୍ର ଆତ୍ମହତ୍ୟା କରିଥିଲେ ୧୯୫୨ ମସିହା ଡିସେମ୍ବର ଛଅ ତାରିଖ ଦିନ ।

ଏପରିକି ସାଧାରଣ ପାନ ସିଗାରେଟ୍‌ଠାରୁ ମଧ୍ୟ ଦୂରରେ ରହି ଆଜୀବନ ଶୃଙ୍ଖଳିତ ଜୀବନ ଯାପନର ସ୍ପଷ୍ଟ ପକ୍ଷପାତୀ ଥିଲେ ପାରଳା ଗଜପତି । ସେହି କଠୋର ଶାସନ; ଶୃଙ୍ଖଳା ସହିତ ସମ୍ଭବତଃ ବିଳାସୀ ଜୀବନକୁ ଆପଣାଇ ଥିବା ଯୁବରାଜ ରାମଚନ୍ଦ୍ର ସାମିଲ୍ ହୋଇ ପାରିନଥିଲେ । ସେହି ଅଘଟଣର ତାହା ହିଁ ମୂଳ କାରଣ ବୋଲି ଅନେକଙ୍କର ବିଶ୍ୱାସ । ଏବଂ ସମ୍ଭବତଃ ତାହା ହିଁ ଏକ ମୁଖ୍ୟ କାରଣ ଯେଉଁଥିପାଇଁ ଜଣେ ଆଜୀବନ ଶୃଙ୍ଖଳିତ ପିତା ତାର ବିଶୃଙ୍ଖଳିତ ପୁତ୍ରର ମୃତ୍ୟୁ ସମ୍ବାଦ ପାଇ ସୁଦ୍ଧା ଏବଂ ତତ୍‌ପରଠାରୁ କସ୍ମିନ୍‌କାଳେ ଆଉ ବସନ୍ତ ନିବାସକୁ ଯାଇନଥିଲେ । ସେଇ ଦୁର୍ଘଟଣାର ପ୍ରାୟ ପାଞ୍ଚ ବର୍ଷ ପରେ ତାହାକୁ ରାଜ୍ୟ ସରକାରଙ୍କୁ ବିକ୍ରୀ କରି ଦେଇଥିଲେ ନାମକୁ ମାତ୍ର ମୁଲ୍ୟରେ- ମାତ୍ର ତିନିଲକ୍ଷ ଟଙ୍କାରେ । ହେଲେ ରାମଚନ୍ଦ୍ର ଛାଡ଼ି ଯାଇଥିବା ତିନି ପୁତ୍ର- ଗୋପୀନାଥ, ଜଗନ୍ନାଥ ଏବଂ ଉଦୟ ଭାନୁଙ୍କ ଦାୟିତ୍ୱ ଗ୍ରହଣ କରିଥିଲେ ମହାରାଜ କୃଷ୍ଣଚନ୍ଦ୍ର । ସେମାନଙ୍କ ଲାଳନପାଳନ ତଥା ଶିକ୍ଷାଦୀକ୍ଷାର ଉପଯୁକ୍ତ ଭାବରେ ସମ୍ପାଦନ କରିଥିଲେ ସେ । ହେଲେ ମାତ୍ର ଛତିଶ ବର୍ଷ ବୟସରେ ଯୁବରାଜଙ୍କ ଅପମୃତ୍ୟୁ ମହାରାଜାଙ୍କୁ ଅତଳ ଦୁଃଖରେ ଭସାଇ ଦେଇଥିଲା ।

ଏବଂ ପୁଣି ମହାରାଜାଙ୍କ ଦୁଇ କନ୍ୟା ଆଣି ଦେଇଥିଲେ ବିଶେଷ ଭାବେ ପାରିବାରିକ ଅବସାଦ, କ୍ଲାନ୍ତି । ବିବାହ ପୂର୍ବରୁ ଜଣେ ଜେମାଙ୍କର ଅକାଳ ମୃତ୍ୟୁ ହୋଇଥିଲା । ସାମାନ୍ୟ ଅସୁସ୍ଥ ଏବଂ ତାପରେ ମୃତ୍ୟୁ । ଆଉ ଜଣେ ଜେମାଥିଲେ ଭିନ୍ନକ୍ଷମ । ସେ ସ୍ପଷ୍ଟ ଭାବରେ କଥାବାର୍ତ୍ତା କରିପାରୁ ନଥିଲେ । ସେହି କାରଣରୁ ରାଜ ନଅରରେ ପ୍ରାୟ ସମସ୍ତେ ତାଙ୍କରି ପାଇଁ ବ୍ୟବହାର କରୁଥିଲେ “ଜାଡ଼ିଜେମା” ଶବ୍ଦ । ତାଙ୍କର ଦେଖାଶୁଣା କରିବା ପାଇଁ ସବୁ ପ୍ରକାରର ବିକଳ୍ପ