ପୃଷ୍ଠା:Aama Parala Gajapati.pdf/୧୫୧

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପିନ୍ଧିଥିବା ଚମକପ୍ରଦ ହୀରାଖଣ୍ଡ ଯୁକ୍ତ କାନଫୁଲରୁ ହୀରା ଖଣ୍ଡିଏ ବାହାରକରି ଗିଳି ପକାଇଥିଲେ । ଉଦ୍ଦେଶ୍ୟ ଆତ୍ମହତ୍ୟା କରିବେ । ରାଜଗୁରୁଙ୍କଠାରୁ ମୁକ୍ତିପାଇବେ । ହୀରାର ସେଇ ଚମତ୍କାରିତା ସଂପର୍କରେ ପରିଚାରିକାଗଣଙ୍କ ଠାରୁ ସେ ଶୁଣିଥିଲେ କେବଳ । ଯେଉଁ ବ୍ୟକ୍ତି ରାଜ ପରିବାରର ସଦସ୍ୟଗଣଙ୍କ ଖାଇବା ଋଚି ସହିତ ମଧ୍ୟ ସଂଶ୍ଳିଷ୍ଟ ତାଙ୍କରି ଠାରୁ ସବୁଦିନ ଲାଗି ମୁକ୍ତି ପାଇବା ପାଇଁ ଅଭିମାନୀ ମହାରାଜା ମନେ କରିଥିଲେ ତାହାହିଁ ଏକ ମାତ୍ର ପନ୍ଥା !

କିନ୍ତୁ ତାହା ଫଳପ୍ରଦ ହୋଇନଥିଲା । ଯୁବରାଜଙ୍କ ଦୀର୍ଘ ଅନୁପସ୍ଥିତି ଯୋଗୁଁ ପରିଚାରିକାଗଣ ଖୋଜା ଲୋଡା କରି ତାହାଙ୍କୁ ସେହି କୋଠରିରୁ ଉଦ୍ଧାର କରିବା ସହ ହୀରାଖଣ୍ଡ ଗିଳି ପକାଇଥିବା ସଂପର୍କରେ ମଧ୍ୟ ସମସ୍ତଙ୍କୁ ଅବଗତ କରାଇଥିଲେ । କେବଳ ରାଜନଅର ନୁହେଁ, ସାରା ସହରରେ ତାହା ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ତୁରନ୍ତ ଚିକିତ୍ସା କରାଯାଇ ସବୁ ଠିକ୍ ଠାକ୍ ହେବା ସଙ୍ଗେ ସଙ୍ଗେ ସେଦିନ ଇଷ୍ଟଦେବୀ ମାଣିକେଶ୍ୱରୀ, ରାମସ୍ୱାମୀ ଏବଂ ଶ୍ରୀଜଗନ୍ନାଥ ମନ୍ଦିରରେ ପର୍ଯ୍ୟାପ୍ତ ପରିମାଣରେ ଭୋଗରାଗ ହୋଇ ବ୍ରାହ୍ମଣ ଭୋଜନାଦି କରାଯାଇ ଯୁବରାଜଙ୍କ ରିଷ୍ଟ ଖଣ୍ଡନ କରାଯାଇଥିଲା ।

ତୀବ୍ର ମାନସିକ ଅନ୍ତର୍ଦାହ ଆତ୍ମସଚେତନ ମହାରାଜାଙ୍କୁ ସେଦିନ ଯେଉଁଭଳି ଭାବରେ ପ୍ରଭାବିତ କରିଥିଲା ଓଡ଼ିଶା ସୀମାକମିଟି ସୁପାରିଶ ପ୍ରକାଶ ପାଇବା ଦିନ ସୁଦ୍ଧା ଠିକ୍ ସେହିଭଳି ଅନ୍ତର୍ଦାହରେ ପ୍ରଭାବିତ ହୋଇଥିଲେ ପ୍ରାୟ ୪୧ ବର୍ଷ ବୟସ୍କ ମହାରାଜା । ସେଦିନ ମଧ୍ୟ ଆଠବର୍ଷ ବୟସ୍କ ବାଳକ କୃଷ୍ଣଚନ୍ଦ୍ରଙ୍କ ଭଳି ସମ୍ଭବତଃ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସେତେବେଳେ ଆତ୍ମାଭିମାନୀ ମହାରାଜାଙ୍କୁ ସେହି ଉଦ୍ୟମରୁ କ୍ଷାନ୍ତ କରାଇଥିଲେ ଦେବାନ୍ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ । ପୁଣି ସେଇ ଓଡ୍‍ନାଲ କମିଟି ପାଇଁ ସେ ମନୋନୀତ ହେବା ପରେ ତାହାର ସଭ୍ୟପଦକୁ ନେଇ ଓଡ଼ିଶାର କେତେକ ନେତାଙ୍କ ବିରୋଧ ଯୋଗୁଁ ମହାରାଜା ଆପଣାଛାଏଁ ସେଥିରୁ ଓହରି ଯିବା ପାଇଁ ମନସ୍ଥ କରିଥିଲେ । କିନ୍ତୁ ଓଡ଼ିଆଙ୍କ ସମୂହ ସ୍ୱାର୍ଥ ରକ୍ଷାକରିବା ପାଇଁ ଅନ୍ୟ ଅନେକ ନେତାଙ୍କ ସାକ୍ଷାତ ତଥା ହାର୍ଦିକ ଅନୁରୋଧକୁ ଉପେକ୍ଷା ମଧ୍ୟ କରିପାରିନଥିଲେ ଆତ୍ମ ସଚେତନ ମହାରାଜା । ସେ ସବୁ ଘଟଣା ବ୍ୟତୀତ ଯୌବନ କାଳର ଆଉ ଏକ ଘଟଣାର ଉଦ୍ଧାର କରାଯାଇପାରେ । ହେଲେ ନାଟକକୁ ଆକର୍ଷଣୀୟ କରାଇବା ପାଇଁ ଉଦ୍ୟମକୁ କେନ୍ଦ୍ର କରି ଆପଣା ଅଭିମାନକୁ ରକ୍ତାକ୍ତ କରିବାର ଯଥାର୍ଥତା ନଥିଲା ସେଥର ।

ଥରେ ପାରଳାରେ ଏକ ନାଟକ “ଚନ୍ଦ୍ରାବତୀ ସ୍ୱୟମ୍ବର” ମଞ୍ଚସ୍ଥ ହେଉଥିଲା ଦାଦାଙ୍କ ସ୍ମୃତିରେ ନାମିତ “ପଦ୍ମନାଭ ରଙ୍ଗାଳୟ”ରେ । ମହାରାଜା ସେଠାକୁ ଯାଇଥିଲେ ଜଣେ ଦର୍ଶକ ହିସାବରେ । ସେଥିରେ ସ୍ଥାନୀୟ ବୈଷ୍ଣବ କବି ଗୋପାଳକୃଷ୍ଣଙ୍କ ପଣନାତି ତଥା ସ୍ଥାନୀୟ ମହାରାଜା ହାଇସ୍କୁଲର ଶିକ୍ଷକ ଚକ୍ରପାଣି ପଟ୍ଟନାୟକ ଜଣେ ହାସ୍ୟ ଅଭିନେତା ଭାବରେ ଅଭିନୟ କରୁଥିଲେ ।