ପୃଷ୍ଠା:Aama Parala Gajapati.pdf/୧୫୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅନ୍ୟାନ୍ୟ ଅଭିନୟ ଭିତରେ, ସେଦିନ ମଞ୍ଚ ଉପରେ, ‘ବକ୍ରଦନ୍ତ’ ଆଖ୍ୟାନଟିଏ ଆରମ୍ଭ କରିଥିଲେ ସେ । ବାହାଡ଼ା ଦାନ୍ତର ଅନେକ ବିଶେଷତ୍ୱ ବଖାଣି ଯାଇଥିଲେ ବ୍ୟଙ୍ଗ ଅଭିନେତା ଚକ୍ରପାଣି । ବଙ୍କେଇ ଟଙ୍କେଇ ଅନେକ କଥା କହିଥିଲେ । ତାଙ୍କରି ଅଭିନୟରେ ଦର୍ଶକଗଣ ହସି ହସି ବେଦମ ହୋଇ ଯାଇଥିଲେ । ସେଭଳି ମହିମାମୟ ବକ୍ରଦାନ୍ତ ଯୁକ୍ତ ମଣିଷଟିଏ କିଭଳି କଥା କହେ, ସିଏ ହସିଲେ କେମିତି ଦେଖାଯାଏ, କିଭଳି ଭାବରେ ଖାଦ୍ୟ ଖାଏ ଇତ୍ୟାଦି ଥିଲା ସେହି ବ୍ୟଙ୍ଗ ଅଭିନୟର ଅଂଶ ବିଶେଷ ।

ହେଲେ ସେଇ ପରମ ଆନନ୍ଦଦାୟକ ଘଟଣାଟି ନିରାନନ୍ଦ ମନେ ହୋଇଥିଲା ମହାରାଜାଙ୍କୁ । ସେ ଅଧାରୁ ଉଠି ଚାଲି ଯାଇଥିଲେ । କାରଣ ଥିଲା ପିଲାଦିନେ ସେ ଥିଲେ ବାହାଡ଼ାଦାନ୍ତ ଯୁକ୍ତ । ମାଆ ରାଧାମଣିଦେବୀଙ୍କ ପ୍ରରୋଚନାକ୍ରମେ ଆଧୁନିକ ଚିକିତ୍ସା ସହାୟତାରେ ତାହାକୁ ବାହାର କରାଯାଇଥିଲା ଏବଂ ସେହିସ୍ଥାନରେ ମଧ୍ୟ ସଠିକ୍ ଦାନ୍ତଟିଏ ଯଥା ସମୟରେ ଉଠି ଯାଇଥିଲା । ତଥାପି ସେଇ ନାଟକ ଦେଖିବା ବେଳେ ସେ ମନେ କରିଥିଲେ ଯେ ତାଙ୍କୁ ହିଁ ଆକ୍ଷେପ କରି ତାହା ଅଭିନୀତ । କିନ୍ତୁ ବାସ୍ତବରେ ଚକ୍ରପାଣିଙ୍କ ଉଦ୍ଦେଶ୍ୟ ସର୍ବାଦୌ ସେୟା ନଥିଲା ।

ତତ୍ ପରଦିନ ମହାରାଜାଙ୍କ ନିକଟରୁ ତଲବ୍ । ଘଟଣାର ଯଥାର୍ଥ ଅନୁମାନ ସେ କରି ନେଇଥିଲେ । ସେଥିାଇଁ ପୁଣି ଏକ ଅଭିନୟର ଯୋଜନା ପ୍ରସ୍ତୁତ କରିଥିଲେ ତତ୍‌କାଳ ।

ନଅରରେ ପହଞ୍ଚିବା ମାତ୍ରେ ମହାରାଜା କିଛି କହିବା ପୂର୍ବରୁ ଚକ୍ରପାଣିଙ୍କର ଆପଣାର ଗୁହାରୀ ଥିଲା- ମହାରାଜ; ଆଉ ଏଣିକି ମୁଁ କୌଣସି ନାଟକରେ ଅଭିନୟ କରିବି ନାହିଁ ।

କାହିଁକି ?

ସେଇ କାହିଁକିର ଏକ ଦୀର୍ଘ ଉତ୍ତର ଦେଇ ସେଦିନ ସକାଳୁ ସକାଳୁ ବଜାର ମଝିରେ ରାଧି ଓଡ଼ିଆଣୀର ଅସଭ୍ୟ ଗାଳିଗୁଲଜ ସଂପର୍କରେ ବିଶେଷ ଉଲ୍ଲେଖ କରିଥିଲେ । କହିଥିଲେ- "ସତେ ଯେମିତି କାଲିରାତିରୁ ସେ ମୋତେ ଅପେକ୍ଷା କରି ହିଁ ରହିଥିଲା । ତାର ଭାଷାକୁ ଉଦ୍ଧାର କରି କହିଥିଲେ- ହଇହୋ କରଣ ପୁଅ, ମୋ ଗୋଡ଼ ଟିକିଏ ବଙ୍କା ହୋଇଯାଇଛି ବୋଲି ତମେ କଣ ହାଟ ବଜାରରେ ସେ କଥା କହିବୁଲିବ ? ମୁଁ ଏବେ କଳିହୁଡ଼ୀ । ହେଲେ ସେଥିରେ ତମର କଣ ଯାଏ ଆସେ ହୋ । ତମ ସହିତ ମୁଁ କଣ କେବେ କଳି କରିଛି ? ତା ହେଲେ ଏତେବଡ଼ ସଭାରେ ମୋର କାହିଁକି ବଦନାମ କରୁଛ ? ଖୋଦ୍ ମହାରାଜା ସେଇଠି ଥିଲେ । ତାଙ୍କରି ସାମନାରେ ଏତେ ହିନିମାନିଆ କରି ମତେ ଅପମାନ ଦେଲ ? ରାଜା-ପରଜା ସମସ୍ତଙ୍କ ଆଗରେ ମୁଁ ଚାଲିଲା ପରି ଛୋଟେଇ ଛୋଟେଇ ଚାଲି ମତେ ଖତେଇ ହେଲ । ମତେ କଣ କରି ପାଇଲକି ? ଭଲ କରି ଜାଣି ଥାଅ, ଏ ରାଧି ଓଡ଼ିଆଣୀ ତମ ବୋପାକୁ ବି ଡରେ ନାହିଁ” ଏମିତି ଆହୁରି କେତେ କଥା । ମୁଁ ସବୁକଥା ମହାରାଜାଙ୍କୁ କହି ପାରୁନାହିଁ । ଖୋଦ୍ ମହାରାଜା ତ ମୋ ଉପରେ ଖପ୍ପା ! ମୋତେ କଣ ମିଳିବ ଏ ଅଭିନୟରୁ । ଛାମୁଙ୍କୁ ଜଣାଇଦେଲି । ଆଉ ଏଣିକି ଅଭିନୟ ନ କଲେ ଗଲା !