ପୃଷ୍ଠା:Aama Parala Gajapati.pdf/୩୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି

କରିଥିଲେ । ତାହାକୁ ଓଡ଼ିଆ ବକ୍ତବ୍ୟ ମାଧ୍ୟମରେ ମଂଜୁଷା ରାଜା ଅନୁମୋଦନ କରିଥିବାବେଳେ ଅନ୍ୟ ଅନୁମୋଦନକାରୀଙ୍କ ମଧ୍ୟରେ ପ୍ରଥମ ଥିଲେ ଆସ୍କାର ଓକିଲ ହରିହର ପଣ୍ଡା । ଇଂରାଜୀରେ ଭାଷଣ ଦେଇ ତତ୍କାଳୀନ ଗଂଜାମବାସୀଙ୍କ ବିଭିନ୍ନ କ୍ଷେତ୍ରରେ ଅତ୍ୟନ୍ତ ଦୟନୀୟ ଅବସ୍ଥାର ବିଶେଷ ଆଲୋଚନା କରିଥିଲେ ସେ ।

ସଭାପତୀୟ ଅଭିଭାଷଣ ଦେଇ ଜୟପୁର ମହାରାଜା ବିକ୍ରମଦେବ ବର୍ମା ଦୃପ୍ତ ଆହ୍ୱାନ ଶୁଣାଇଥିଲେ "ମାନ୍ଦ୍ରାଜ ଅନ୍ତର୍ଗତ ଓଡ଼ିଆ ପ୍ରଦେଶ କି ଜୟପୁର କି ଗଞ୍ଜାମ- ଏହା ପ୍ରାକୃତିକ ଓଡ଼ିଶାର ଏକ ଅବିଛିନ୍ନ ଅଂଶ । ପ୍ରାୟ ସମସ୍ତ ଗଞ୍ଜାମ ଜିଲ୍ଲା ଓ ଜୟପୁର ଓଡ଼ିଆ ରାଜାମାନଙ୍କ ଦ୍ବାରା ଅଧିକୃତ ଏବଂ ଓଡ଼ିଆ ଲୋକଙ୍କଦ୍ବାରା ଅଧ୍ୟୁଷିତ ହେଲେ ସୁଦ୍ଧା, ଦୁଃଖର ବିଷୟ, କ୍ଷମତାଶାଳୀ ତୈଲଙ୍ଗୀମାନଙ୍କ ପ୍ରଭାବରେ ଓଡ଼ିଆ ଶକ୍ତି ଏକାବେଳକେ ମ୍ରିୟମାଣ ହୋଇଅଛି । ଓଡ଼ିଆ ଆଜି ମୁଣ୍ଡଟେକି ଚାଲିପାରୁ ନାହିଁ । ବିଦ୍ୟାଳୟରେ, ଅଫିସରେ, ରାଜକାର୍ଯ୍ୟରେ ଓଡ଼ିଆ ଏକ ପ୍ରକାର ବର୍ଜିତ । ଓଡ଼ିଆ ଛାତ୍ର ନିଜଭାଷା ଅଧ୍ୟୟନ, ନିଜ ଜାତୀୟ ସାହିତ୍ୟ ଚର୍ଚ୍ଚାରୁ ବଞ୍ଚିତ । ରାଜଦ୍ବାରରେ ଓଡ଼ିଆ ଅଚିହ୍ନିତ ଓ ଅପମାନିତ । ଓଡ଼ିଆ ଦେଶ ଅଜି ଖଣ୍ଡବିଖଣ୍ଡିତ ।" ସେହି କାରଣରୁ "ଆମ୍ଭେମାନେ ଗଭର୍ଣ୍ଣମେଣ୍ଟଙ୍କ ଦ୍ବାରସ୍ଥ ହେବା ସଙ୍ଗେସଙ୍ଗେ ଦେଶରେ ଦେଶ ମିଶ୍ରଣ ସମ୍ବନ୍ଧରେ ନ୍ୟାୟ ସଙ୍ଗତ ଓ ଆଇନାନୁମୋଦିତ ଅନ୍ଦୋଳନ କରିବାକୁ ହେବ । ଯେଉଁମାନେ ବୁଝିନାହାନ୍ତି ସେମାନଙ୍କୁ ବୁଝାଇବାକୁ ହେବ । ପ୍ରତି ଗ୍ରାମରେ, ସହରରେ ଏହି ଦେଶ ମିଶ୍ରଣ ଅନ୍ଦୋଳନର ସୂତ୍ରପାତ କରିବାକୁ ହେବ । ଆନ୍ଦୋଳନ କେତେକ ଶିକ୍ଷିତ ବ୍ୟକ୍ତିଙ୍କ ମଧ୍ୟରେ ଆବଦ୍ଧ ନାହିଁ, ଏହା ଓଡ଼ିଆର ସରଳ, ସ୍ୱାଭାବିକ ଅକାଙ୍‌କ୍ଷା ଏବଂ ଓଡ଼ିଶାର ଘରେଘରେ ଦେଶ ମିଶ୍ରଣ ଆଶା ଉଦ୍ରେକ ହୋଇଅଛି- ଏହି କଥା ସରକାର ଜାଣନ୍ତୁ ।"

ଦେଶ ମିଶ୍ରଣ ସଂପର୍କୀୟ ଏହିଭଳି ଆଲୋଚନାଗୁଡ଼ିକର ପ୍ରଭାବ ଯୁବକ ରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଧମନୀରେ ରକ୍ତ ପ୍ରବାହକୁ ଉଷ୍ମ କରିଦେଇଥିବ ନିଶ୍ଚୟ । କାରଣ ଏଭଳି ମୁକ୍ତ ମଞ୍ଚରେ ଏ ସଂପର୍କୀୟ ଆଲୋଚନାମାନ ଶୁଣିବା ତାଙ୍କପାଇଁ ଥିଲା ପ୍ରଥମ ଅବସର । ଉପସ୍ଥିତ ଜନମାନସ ଭଳି ମହାରାଜାଙ୍କ ମନ ଆକାଶରେ ମଧ୍ୟ ନୀରବ ଭାବରେ ସୃଷ୍ଟି କରିଥିବ ତଡ଼ିତ୍‌ର ଉଷ୍ମପ୍ରବାହ । ତାଙ୍କରି ମନ ଭିତରେ ଥିବା ଜାତୀୟ ଚେତନାକୁ ଅଧିକ ଉତ୍ତେଜିତ କରିଥିବା ସ୍ବାଭାବିକ । ମଧୁବାବୁଙ୍କ ସେହି ପ୍ରସ୍ତାବ ବ୍ୟତୀତ ଗୋପବନ୍ଧୁ, ବାରିଷ୍ଟର ବିଶ୍ୱନାଥ ମିଶ୍ର, ଦୟାନିଧି ଦାସ, ଦାଶରଥି ମିଶ୍ର, ବ୍ରଜସୁନ୍ଦର ଦାସ, ସଦାଶିବ ବିଦ୍ୟାଭୂଷଣ ପ୍ରମୁଖମାନେ ଅନ୍ୟାନ୍ୟ ପ୍ରସ୍ତାବମାନ ଆଗତ କରିବା ସଙ୍ଗେସଙ୍ଗେ ସେହି ସଂପର୍କରେ ବିଭିନ୍ନ ଦିଗରୁ ମଧ୍ୟ ଆଲୋଚନା ହୋଇଥିଲା ।

ଆୟୋଜକ ଭାବେ ସେହି ସମ୍ମିଳନୀର ପ୍ରତ୍ୟେକ କାର୍ଯ୍ୟକଳାପ ସହିତ ଆପଣାକୁ ସାମିଲ କରିଥିଲେ ପାରଳା ଗଜପତି । ସମ୍ମିଳନୀର ସଫଳତା ପାଇଁ ପ୍ରଥମରୁ ହିଁ ଆୟୋଜନରେ ଲାଗି ପଡ଼ିଥିଲେ । ସେଥିଲାଗି ଦୀର୍ଘ ପ୍ରାୟ ସାତ ମାସ ପୂର୍ବରୁ ୧୯୧୪ ମଇ ଦଶ ତାରିଖ ଦିନ