ସ୍ଥାନୀୟ ବାଳିକା ବିଦ୍ୟାଳୟରେ ଏକ ବୈଠକର ଆୟୋଜନ କରିଥିଲେ । ସେଇଠି ସେ ଅତି ସ୍ପଷ୍ଟ ଭାବରେ ପ୍ରକାଶ କରିଥିଲେ ଯେ ରାଜ୍ୟ ପାଇଁ ତଥା ତାଙ୍କ ପାଇଁ ସେଭଳି ଏକ ଅତି ଗୁରୁତ୍ବପୁର୍ଣ୍ଣ ଅନୁଷ୍ଠାନ ଆୟୋଜନର ତାହା ପ୍ରଥମ ଅବସର ହୋଇଥିବାରୁ ଏବଂ ପୁଣି ସେଥିରେ ରାଜ୍ୟ ତଥା ରାଜ୍ୟବାସୀଙ୍କର ଗୌରବ ନିହିତ ଥିବା କାରଣରୁ ସ୍ଥାନୀୟ ସଜ୍ଜନ ମଣ୍ଡଳୀଙ୍କୁ ନେଇ ଅଭ୍ୟର୍ଥନା କମିଟିଟିଏ ଗଠିତ ହେବା ଆବଶ୍ୟକ । ସମସ୍ତେ ସେଥିରେ ଆନ୍ତରିକ ସହଯୋଗ କରିବା ଚାହି । ସେ ନିଜେ ମଧ୍ୟ ପ୍ରତ୍ୟେକ କାର୍ଯ୍ୟ ସହ ଯୁକ୍ତ ହୋଇ ରହିବେ । ତତ୍ପରିଣାମତଃ ଅଭ୍ୟର୍ଥନା ସମିତିର ସଭାପତି ରୂପେ ମହନ୍ତ ଶ୍ରୀ ରାଧାକୃଷ୍ଣ ଦାସ ଗୋସ୍ୱାମୀ ଏବଂ ନିତ୍ୟାନନ୍ଦ ପଟ୍ଟନାୟକ ସଂପାଦକ ରୂପେ କାର୍ଯ୍ୟ ନିର୍ବାହ କରିବାପାଇଁ ସ୍ଥିର ହୋଇଥିଲା ।
ସମ୍ମିଳନୀର ସଫଳତାପାଇଁ ମହାରାଜା ବିଶେଷ ଚଳଚଞ୍ଚଳ ହୋଇଉଠୁଥିଲେ । ଅଧିବେଶନ ପାଇଁ ମଣ୍ଡପ ନିର୍ମାଣ, ଅତିଥିଗଣଙ୍କୁ ରେଳଷ୍ଟେସନରୁ ଅଣାଇବାଠାରୁ ଆରମ୍ଭକରି ସେମାନଙ୍କୁ ବସାଘର ଯୋଗାଣ, ସେମାନଙ୍କ ଖିଆପିଆ ବ୍ୟବସ୍ଥା, ସମ୍ମିଳନୀ ମଣ୍ଡପ ପର୍ଯ୍ୟନ୍ତ ଯିବା ଆସିବା ପ୍ରଭୃତି ବନ୍ଦୋବସ୍ତର ତଦାରଖ ମଧ୍ୟ ନିଜେ କରୁଥିଲେ । ସେଇଥିଲାଗି ଆପଣା କାର୍ଯ୍ୟାଳୟର କର୍ମଚାରୀଗଣ ପ୍ରାୟ ପାଞ୍ଚଦିନ ପାଇଁ ସଂପୂର୍ଣ୍ଣ ନିୟୋଜିତ ହୋଇଥିଲେ ଅନ୍ୟ ଅନେକ ସେବାକାରୀଙ୍କ ସହିତ । ମହାରାଜାଙ୍କ ପରିଚାଳନାରେ ଥିବା କଲେଜ ହଷ୍ଟେଲ, ବାଳକ ଓ ବାଳିକା ଉଚ୍ଚବିଦ୍ୟାଳୟ, ଅତିଥି ଭବନ ଇତ୍ୟାଦି ସ୍ଥାନଗୁଡ଼ିକ ନିୟୋଜିତ ହୋଇଥିଲା ଅତିଥିଗଣଙ୍କ ରହିବାପାଇଁ । ରାଜନଅର ଭିତରେ ଥିବା ଗଜପତି ପ୍ରେସ୍ ଅବିରତ ଭାବରେ ରାତି-ଦିନ କର୍ମମୁଖର ହୋଇଥିଲା ସେଇ ସମ୍ମିଳନୀ କାର୍ଯ୍ୟରେ । ଅତିଥିଗଣଙ୍କ ମନୋରଂଜନ ପାଇଁ ପ୍ରତ୍ୟେକ ରାତିରେ ବିଭିନ୍ନ ନାଟକ ଅଭିନୀତ ହୋଇଥିଲା । ଦାଦା ପଦ୍ମନାଭ ଦେବଙ୍କ ପବିତ୍ର ସୃତିରେ ନାମିତ ପଦ୍ମନାଭ ରଙ୍ଗାଳୟରେ ତାଙ୍କରି ରଚିତ ‘ବାଣା ଦର୍ପଦଳନ' ଅଭିନୀତ ହୋଇଥିଲା ପ୍ରଥମ ରାତିରେ । ତତପର ରାତିରେ ମଞ୍ଚସ୍ଥ ହୋଇଥିଲା ପାରଳାର ଅନ୍ୟତମ ଶ୍ରେଷ୍ଠ ନାଟ୍ୟକାର ଆପନ୍ନା ପରିଚ୍ଛାଙ୍କ ଏକ ଅନବଦ୍ୟ ସୃଷ୍ଟି- ‘ବିଜୟ ବସନ୍ତ’ । ପାରଳା ମହାରାଜାଙ୍କ ଦିଗଦର୍ଶନରେ ଏଇଳି କାର୍ଯ୍ୟକ୍ରମ ସବୁର ଆୟୋଜନ କରାଯାଇଥିଲା ।
ଉତ୍କଳ ସମ୍ମିଳନୀର ପୂର୍ବ ଅଧିବେଶନଗୁଡ଼ିକ ତୁଳନାରେ ଏଠାରେ ବହୁ ଅଧିକ- ପ୍ରାୟ ପାଞ୍ଚ ହଜାର ପ୍ରତିନିଧି ଯୋଗଦେଇଥିଲେ । ସେମାନଙ୍କ ମଧ୍ୟରୁ ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ୍ୱ ବ୍ୟକ୍ତି ଥିଲେ ପାରଳା ରାଜ୍ୟ ବାହାର ଅଞ୍ଚଳର । ଏପରିକି ପ୍ରାକୃତିକ ଓଡ଼ିଶା ବାହାରୁ ସୁଦୂର ମେଦିନାପୁର, ବିଶାଖପାଟଣା, ବିଜୟନଗର ତଥା ଜୟପୁର ଅଞ୍ଚଳରୁ ଅନେକ ପ୍ରତିନିଧି ସେହି ଅଧିବେଶନରେ ଏକାତ୍ମ ହୋଇଥିଲେ । ସେହି ମାତୃପୂଜା ମଣ୍ଡପରେ ଏକତ୍ର ହୋଇଥିଲେ ରାଜାପ୍ରଜା, ଜମିଦାର ଓ ରୟତ ସମସ୍ତେ; ରାଜା ରାଜଭ୍ରାତା, ଯୁବରାଜ, ରାଜକବି, ରାଜଗୁରୁ, ସାମନ୍ତ, ଓକିଲ, କବି, ସାହିତ୍ୟିକ, ସାମ୍ବାଦିକ, ସଂପାଦକ, ଡାକ୍ତର, ଦେୱାନ, କର୍ମୀ,