ପୃଷ୍ଠା:Aama Parala Gajapati.pdf/୪୧

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ହାସଲ କରିଥିବା ମେଧାଯୁକ୍ତ ବ୍ୟକ୍ତିବିଶେଷଙ୍କୁ ସେଠାରେ ଅଧ୍ୟାପକ ନିଯୁକ୍ତ କରୁଥିଲେ । ସମସ୍ତ ପ୍ରକାରର ପ୍ରୋତ୍ସାହନ ଦିଆଯାଉଥିଲା ଛାତ୍ରଗଣଙ୍କ ବୌଦ୍ଧିକ ବିକାଶପାଇଁ । ଅନୁଷ୍ଠାନଟିର ଗୁଣାତ୍ମକ ବୃଦ୍ଧି ଯୋଗୁଁ ତାହା ୧୯୩୬-୩୭ ମସିହାରେ ଫାଷ୍ଟ ଗ୍ରେଡ଼୍ କଲେଜ ରୂପେ ସ୍ୱୀକୃତି ଲାଭ କରିଥିଲା ଏବଂ ଛାତ୍ରମାନେ ସେଠାରେ ସ୍ନାତକସ୍ତରୀୟ ଶିକ୍ଷାଲାଭ କରିବାର ସୁଯୋଗ ଲାଭ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ କଟକର ରେଭେନ୍ସା କଲେଜକୁ ବାଦ୍‌ଦେଲେ ତାହା ଥିଲା ପ୍ରାକୃତିକ ଉତ୍କଳର ପ୍ରଥମ ଶ୍ରେଣୀୟ ଦ୍ବିତୀୟ କଲେଜ । ସମଗ୍ର ଓଡ଼ିଶାରେ ତିନୋଟି କଲେଜ ମଧ୍ୟରୁ ତୃତୀୟଟି ହେଲା ବ୍ରହ୍ମପୁରର ଖଲ୍ଲିକୋଟ କଲେଜ- ଆଇ.ଏ. ଶ୍ରେଣୀ ପାଠ୍ୟକ୍ରମଯୁକ୍ତ ଏକ ଦ୍ବିତୀୟ ଶ୍ରେଣୀୟ କଲେଜ ।

ପାରଳାଖେମୁଣ୍ଡିର ମହାରାଜା କଲେଜଟି କେବଳ ଖେମୁଣ୍ଡି ରାଜ୍ୟର ଛାତ୍ର-ଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ନଥିଲା, ତାହାର ଫାଟକ ଉନ୍ମୁକ୍ତ ଥିଲା ସମସ୍ତଙ୍କପାଇଁ । କେବଳ ସେଇ କଲେଜ କାହିଁକି ପାରଳାର ଶିକ୍ଷାୟତନଗୁଡ଼ିକରେ ଅଧ୍ୟୟନ କରୁଥିବା ଦୂରଦୂରାନ୍ତରର ଛାତ୍ରଗଣଙ୍କ ରହିବାପାଇଁ ମହାରାଜା କୃଷ୍ଣଚନ୍ଦ୍ର ଗୋଟିଏ ବିରାଟ ଦ୍ବିତଳ ଛାତ୍ରାବାସ ଯୋଗାଇ ଦେଇଥିଲେ । ଗଜପତି କଲେଜର ପ୍ରାୟ ନିକଟରେ ହିଁ ସେହି ଛାତ୍ରାବାସ ନିର୍ମିତ ହୋଇଥିଲା । ପୁଣି ଜାତି, ଧର୍ମ, ଭାଷା ନିର୍ବିଶେଷରେ ପାରଳାର ଶିକ୍ଷାନୁଷ୍ଠାନଗୁଡ଼ିକରେ ମେଧାବୀ ଛାତ୍ରମାନଙ୍କୁ ଅଧିକ ମେଧାଯୁକ୍ତ କରାଇବାପାଇଁ ପ୍ରୋସାହନ ସ୍ୱରୂପ ଅନେକଗୁଡ଼ିଏ ଛାତ୍ରବୃତ୍ତି ପ୍ରଦାନ କରାଯାଉଥିଲା । ପୁଣି ଶିକ୍ଷାନୁଷ୍ଠାନଗୁଡ଼ିକରେ ବିଭିନ୍ନ ବୃତ୍ତିଲାଭ କରିବା ସଙ୍ଗେସଙ୍ଗେ ସେମାନଙ୍କର ମାଗଣା ରହିବା ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ତତ୍ ସହିତ ଛାତ୍ରାବାସରେ ମାଗଣା ଖାଦ୍ୟପେୟର ମଧ୍ୟ ବ୍ୟବସ୍ଥା ହେଉଥିଲା ସେମାନଙ୍କପାଇଁ । ମେଧାବୀ ଛାତ୍ରଗଣଙ୍କ ସମେତ ବାସ୍ତବରେ ଗରିବ ଶ୍ରେଣୀୟ ଛାତ୍ରଗଣ ମଧ୍ୟ ସେ ସବୁ ସୁବିଧା ପାଇବାପାଇଁ ଯୋଗ୍ୟ ବିବେଚିତ ହେଉଥିଲେ । ଏଭଳି ସୁବିଧା ସମେତ ମହାରାଜା କୃଷ୍ଣଚନ୍ଦ୍ରଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଥିବା ଉକ୍ତ କଲେଜରେ ଉଚ୍ଚମାନର ଶିକ୍ଷା ଉପଲବ୍ଧ ହେଉଥିବା କାରଣରୁ ତାହା ବାସ୍ତବରେ ରାଜନୀତିକ ଓଡ଼ିଶା ବାହାରେ ଥିଲେ ସୁଦ୍ଧା ସମଗ୍ର ପ୍ରାକୃତିକ ଓଡ଼ିଶାବାସୀଙ୍କ ପାଇଁ ଥିଲା ଏକ ପ୍ରିୟ ଶିକ୍ଷାନୁଷ୍ଠାନ ଏବଂ ବିଶେଷକରି ମେଧାବୀଛାତ୍ରଙ୍କ ପାଇଁ ଏକ ଆକର୍ଷଣୀୟ କଲେଜ ।

ସେହିଭଳି ସେତେବେଳକାର ଜଣେ ମେଧାବୀ ଛାତ୍ର ତଥା ପରକାଳରେ ଓଡ଼ିଆ ସାହିତ୍ୟ ଜଗତର ଏକ ଅମ୍ଳାନ ପ୍ରତିଭା ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶଙ୍କ ସୃତିଚାରଣ ଏଠାରେ ଉଲ୍ଲେଖଯୋଗ୍ୟ । ମହାରାଜାଙ୍କ ପୃଷ୍ଠପୋଷକତା ଲାଭ କରିଥିବା ଶ୍ରୀଯୁକ୍ତ ଦାଶଙ୍କ ମତରେ 'ଏଥିରେ (ପାରଳାର ଶିକ୍ଷାନୁଷ୍ଠାନଗୁଡ଼ିକରେ) ବାର୍ଷିକ ଲକ୍ଷାଧିକ ଟଙ୍କା ବ୍ୟୟ ହେଉଥିଲା । ଶତଶତ ଛାତ୍ର ବିନା ଦେୟରେ ଛାତ୍ରାବାସରେ ରହି ବିଦ୍ୟାଧ୍ୟୟନ କରୁଥିଲେ । ଏମାନଙ୍କ ମଧ୍ୟରୁ