ପୃଷ୍ଠା:Aama Parala Gajapati.pdf/୪୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗଞ୍ଜାମ ଖଲ୍ଲିକୋଟ ଅଞ୍ଚଳର ଜଣେ ବ୍ୟକ୍ତି ପଣ୍ଡିତ ଆର୍ତ୍ତତ୍ରାଣ ମିଶ୍ର ପେଟ ପୋଷିବାପାଇଁ ଧନ୍ଦା ଅନ୍ବେଷଣ କରିକରି ପାରଳା ସହରରେ ପହଞ୍ଚିଲେ । ନିଜ ଭଡ଼ାଘରର ବାରଣ୍ଡାରେ ସଂସ୍କୃତ ଶିକ୍ଷାପ୍ରେମୀ ବାଳକଗଣଙ୍କୁ ଶିକ୍ଷାଦାନ ବ୍ୟତୀତ ପଣ୍ଡିତେ ଅଉ କ’ଣ ବା କରିପାରିଥାଆନ୍ତେ ! ତାଙ୍କରି ବାରଣ୍ଡାରେ ବସୁଥିବା ଛାତ୍ରଗଣଙ୍କ ମଧ୍ୟରେ ରାଜଗୁରୁ ପରିବାରର ଅନେକ ଛାତ୍ର ଥିଲେ । କ୍ରମେ ସେହି ଖବର ମହାରାଜାଙ୍କ କାନରେ ପଡ଼ିଥିଲା । ସେ ପଣ୍ଡିତ ମହାଶୟଙ୍କୁ ନଅରକୁ ଡକାଇ ନିଜ ରାଜ୍ୟରେ ସଂସ୍କୃତ ଭାଷାର ଉନ୍ନତି କଳ୍ପେ ଏକ ପାଠଶାଳା ସ୍ଥାପନ ସଂପର୍କରେ ବିଶେଷ ଆଲୋଚନା କରିଥିଲେ । ସେହି ଦାୟିତ୍ବ ଗ୍ରହଣ କରିବା ନେଇ ମତାମତ ଚାହିଁଥିଲେ । ପଣ୍ଡିତ ମହାଶୟେ ସେଥିରେ ସମ୍ମତ ନହୁଅନ୍ତେ ବା କାହିଁକି ?

ସେଥିପାଇଁ ଗୋଟିଏ କୋଠା ଘର ଯୋଗାଇ ଦିଆଯାଇଥିଲା । ହାଇସ୍କୁଲ ନିକଟସ୍ଥ ମହିଳା ମହାବିଦ୍ୟାଳୟ ଚାଲୁଥିବା ଘରଟି ସେତେବେଳେ ସେଥିପାଇଁ ବ୍ୟବହୃତ ହୋଇଥିଲା । ସେଠାରେ ଅଧ୍ୟୟନ କରିବାକୁ ଆସୁଥିବା ଛାତ୍ରଗଣଙ୍କର ରହିବା ତଥା ଖାଇବାର ମଧ୍ୟ ସୁବବନ୍ଦୋବସ୍ତ କରାଯାଇଥିଲା । ସେତେବେଳେ ସେଠିକାର ପ୍ରତି ଛାତ୍ରପାଇଁ ମାସକୁ ସାତ ମାଣ ଦୁଇ ଅଡ଼ା (ବର୍ତ୍ତମାନ ପ୍ରାୟ ୨୫ କେଜି) ଚାଉଳ ସହିତ ଭତ୍ତା ପ୍ରଦତ୍ତ ହେଉଥିଲା ପାଞ୍ଚଟଙ୍କା । ତତ୍‌କାଳୀନ ପରିସ୍ଥିତିରେ ଏହା କିଛି କମ୍ ନଥିଲା; ଛାତ୍ରମାନଙ୍କ ସଂସ୍କୃତ ଅଧ୍ୟୟନ ପାଇଁ ପ୍ରୋତ୍ସାହନ ଦୃଷ୍ଟିରୁ ଏହା ଥିଲା ବେଶ ଏକ ଆକର୍ଷଣୀୟ ଯୋଜନା । ସମୟକ୍ରମେ ତାହା ଏକ ସଂସ୍କୃତ କଲେଜ ରୂପେ ପ୍ରତିଷ୍ଠିତ ହୋଇ ବାସ୍ତବରେ ଏକ ବିରାଟ ବୃକ୍ଷରେ ପରିଣତ ହୋଇଥିଲା । ସେହି ଶିକ୍ଷାନୁଷ୍ଠାନର ଜନ୍ମଦାତା ପଣ୍ଡିତ ମିଶ୍ରଙ୍କ ପାଇଁ କୌଣସି ଅବସରକାଳୀନ ବୟସ ନିର୍ଦ୍ଧାରିତ ହୋଇନଥିଲା । ଯେତେଦିନ ପର୍ଯ୍ୟନ୍ତ ସେ ସକ୍ଷମ ଥିଲେ ସେତେଦିନ ଥିଲା ତାଙ୍କର କାର୍ଯ୍ୟକାଳ । ପ୍ରାୟ ୭୫ ବର୍ଷ ବୟସରେ, ୧୯୪୩ ମସିହାରେ ଅଧ୍ୟାପନା କାର୍ଯ୍ୟରୁ ଅବ୍ୟାହତି ନେବାପାଇଁ ସେ ଆପଣାର ଅଭିପ୍ରାୟ ପ୍ରକାଶ କରିବା ପରେ ତାହାଙ୍କୁ ସସମ୍ମାନେ ବିଦାୟ ଦିଆଯାଇଥିଲେ ସୁଦ୍ଧା ଜୀବନର ଶେଷଦିନ ପର୍ଯ୍ୟନ୍ତ ମାସିକ ଦରମା ପାଇଥିଲେ ପାରଳା ରାଜକୋଷରୁ । ତେବେ ସମୟକ୍ରମେ ଅନ୍ୟାନ୍ୟ ଶିକ୍ଷକବୃନ୍ଦ ଯୋଗ ଦେଇଥିଲେ ଏହାର କଳେବର ବୃଦ୍ଧି ପାଇବା ସହିତ । ଛାତ୍ର ସଂଖ୍ୟା ଆଶାତୀତ ଭାବେ ବୃଦ୍ଧିପାଇଥିଲା । ସୁନାମ ମଧ୍ୟ ବଢ଼ି ବଢ଼ି ଚାଲିଥିଲା ସେମିତି । ଛୋଟିଆ ପାଠଶାଳାରୁ କଲେଜରେ ପରିଣତ ହୋଇଥିଲା । ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟ ସହିତ ସହବନ୍ଧିତ ହୋଇଥିଲା । ସେଥିପାଇଁ ସ୍ୱତନ୍ତ୍ର କୋଠାଘର ନିର୍ମିତ ହୋଇଥିଲା । ସମୟାନ୍ତରରେ ଏହାର ଅଧ୍ୟକ୍ଷ ରୂପେ କାର୍ଯ୍ୟ ନିର୍ବାହ କରିଥିଲେ କାବ୍ୟତୀର୍ଥ ମଧୁସୂଦନ ମହାପାତ୍ର, ପଣ୍ଡିତ ଚନ୍ଦ୍ରଶେଖର ରଥ ପ୍ରମୁଖ । ସେଠାରେ କିଛିଦିନପାଇଁ ଅଧ୍ୟାପକ ହୋଇଥିଲେ ଭାଷାକୋଷ ପ୍ରଣେତା ପଣ୍ଡିତ ଗୋପୀନାଥ ନନ୍ଦ ତଥା ଖ୍ୟାତିସଂପନ୍ନ ପଣ୍ଡିତ ଅନନ୍ତ ତ୍ରିପାଠୀ ଶର୍ମା ଏବଂ