ପୃଷ୍ଠା:Aama Parala Gajapati.pdf/୪୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏକଦା ସେଠିକାର ଛାତ୍ର ଥିବା ଡକ୍ଟର ବେଣୀମାଧବ ପାଢ଼ୀ ଏବଂ ଅନ୍ୟମାନେ । ପୁଣି ସେଠିକାର ଛାତ୍ରଗଣଙ୍କ ମଧ୍ୟରେ ଥିଲେ ଡକ୍ଟର ସତ୍ୟନାରାୟଣ ରାଜଗୁରୁ, ଅଧ୍ୟାପକ ଗୌରୀ କୁମାର ବ୍ରହ୍ମା, ପଣ୍ଡିତ ଯୁଗଳ କିଶୋର ପାଣିଗ୍ରାହୀ ପ୍ରମୁଖଙ୍କ ଭଳି ଆହୁରି ଅନେକ ଯେଉଁମାନେ ଆଜି ଓଡ଼ିଶାର ବିଶେଷ ଗଣ୍ୟମାନ୍ୟ ବ୍ୟକ୍ତି । ଆଜି ସୁଦ୍ଧା ସେହି ଅନୁଷ୍ଠାନ ସେଦିନର ସୃତିକୁ ଜୀବନ୍ତ କରି ତୋଳିବାରେ ଏବଂ ମହାରାଜା କୃଷ୍ଣଚନ୍ଦ୍ରଙ୍କୁ ସଶ୍ରଦ୍ଧ ସ୍ମରଣ କରାଇବାରେ ମଧ୍ୟ ସକ୍ଷମ ।

ସଂପ୍ରତି ଦେଶର ମହିଳା ସଶକ୍ତୀକରଣର ଏକ ବିଶିଷ୍ଟ ଅଙ୍ଗ ସ୍ୱରୂପ ନାରୀଶିକ୍ଷାକୁ ଯଥେଷ୍ଟ ଗୁରୁତ୍ୱ ଆରୋପ କରାଯାଉଛି । କାରଣ ଆଜି ସୁଦ୍ଧା ମହିଳାସମାଜ ଶିକ୍ଷା କ୍ଷେତ୍ରରେ ପୁରୁଷମାନଙ୍କଠାରୁ ଅନେକ ଦୂରରେ । ପୁରୁଷପ୍ରଧାନ ଆମ ସମାଜରେ ଆଜି ମଧ୍ୟ ନାରୀ ଅବହେଳିତ । ସାମାଜିକ ଉନ୍ନତିପାଇଁ ନାରୀ ସମାଜ ଯଥାର୍ଥ ଭାବେ ଶିକ୍ଷିତ ହେବା ଆବଶ୍ୟକ ବୋଲି ଆଜକୁ ପ୍ରାୟ ଶହେ ବର୍ଷ ତଳେ ଅନୁଭବ କରିଥିଲେ ପାରଳା ଗଜପତି । ନାରୀ ଶିକ୍ଷାର ଉନ୍ନତି କଳ୍ପେ, ତାଙ୍କରି ରାଜ୍ୟରେ ପ୍ରଥମେ ସଫଳ ପ୍ରୟାସ ମଧ୍ୟ କରିଥିଲେ ।

ସେତେବେଳେ ଆମ ସମାଜରେ ରକ୍ଷଣଶୀଳ ମନୋଭାବ ଦେଶର ଛତ୍ରେଛତ୍ରେ ପ୍ରତିଫଳିତ ହେବା ଭଳି ଓଡ଼ିଶାରେ ତଥା ଗଜପତିଙ୍କ ପାରଳା ରାଜ୍ୟରେ ସୁଦ୍ଧା ପରିପୂର୍ଣ୍ଣ ଥିଲା । ଝିଅମାନେ ଆଠ ଦଶ ବର୍ଷର ହୋଇଗଲେ ଘରୁ ଆଉ ବାହାରକୁ ବାହାରିବାକୁ ପସନ୍ଦ କରୁନଥିଲେ । ବିଶେଷକରି ଆମ ସମାଜରେ ବ୍ରାହ୍ମଣ / କରଣ ଝିଅମାନଙ୍କ ସ୍ଥିତି ଥିଲା ସେହିଭଳି । ସେମାନଙ୍କ ବିଦ୍ୟା ଶିକ୍ଷା ପ୍ରତି ମାତାପିତାଗଣ କିଛିଟା ଅନୁକୂଳ ଭାବ ପୋଷଣ କରି ଘରୋଇ ଭାବରେ ଯାହାକିଛି ବ୍ୟବସ୍ଥା କରୁଥିଲେ । ସେଭଳି ପରିସ୍ଥିତି ଭିତରେ ପାରଳାଖେମୁଣ୍ଡି ସହରର ଜଣେ ବିଶିଷ୍ଟ ସଂଗୀତଜ୍ଞ ତଥା ମର୍ଦଳବାଦକ ଶ୍ରୀ ବୃନ୍ଦାବନ ଚନ୍ଦ୍ର ପଣିଗ୍ରାହୀଙ୍କ କନ୍ୟାଙ୍କ ମୁଣ୍ଡରେ ଏକ ଉତ୍ତମ ଚିନ୍ତା ସବାର ହୋଇଥିଲା । ସେ ସହରର କିଛି ଝିଅପିଲାଙ୍କୁ ଆପଣା ଘରକୁ ଡକାଇ ଅଣି ସେମାନଙ୍କୁ ଯଥାସମ୍ଭବ ଶିକ୍ଷିତ କରାଇବାପାଇଁ ପ୍ରୟାସ କରିଥିଲେ ।

ସେଇ ସଂବାଦ ପହଞ୍ଚିଥିଲା ନାରୀ ଶିକ୍ଷାର ଉନ୍ନତି ପାଇଁ ମନସ୍ଥ କରୁଥିବା ଗଜପତି କୃଷ୍ଣଚନ୍ଦ୍ରଙ୍କ ନିକଟରେ । ସଂସ୍କୃତ ଶିକ୍ଷାପାଇଁ ପଦକ୍ଷେପମାନ ନେବାଭଳି ମହାରାଜା ରାଜ୍ୟରେ ନାରୀଶିକ୍ଷାର ଉନ୍ନତି ପାଇଁ ମଧ୍ୟ ବ୍ୟବସ୍ଥା କରିଥିଲେ । ସେହିଭଳି ପାଠଶାଳାଟିଏ ପ୍ରତିଷ୍ଠା କରିବାପଇଁ କୋଠାଘରଟିଏର ବ୍ୟବସ୍ଥା କରିଥିଲେ । ତାହା ଆଜିର ପୌର ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ । ପ୍ରାଥମିକ କାଳରେ ସେଇଠି ଦୁଇଜଣ ବୃଦ୍ଧା ନିଯୁକ୍ତି ପାଇଥିଲେ । ସେମାନଙ୍କ କାମ ଥିଲା ଘରଘର ଚୂଲି, ଝିଅମାନଙ୍କୁ ସାଙ୍ଗରେ ଆଣି ଠିକ୍ ସମୟରେ ସ୍କୁଲରେ ପହୁଞ୍ଚାଇବା ଏବଂ ପଢ଼ାପଢ଼ି ଶେଷ ହେବା ପରେ ସ୍କୁଲରୁ ନେଇ ନିଜ ନିଜ ଘରେ ଛାଡ଼ିଦେଇ ଆସିବା । ସେହିଭଳି ଭାବରେ କିଛିଦିନ ଚାଲିବା ପରେ ସେଠାରେ ଛାତ୍ରୀ ସଂଖ୍ୟା ବୃଦ୍ଧିପାଇଥିଲା ।