ପୃଷ୍ଠା:Aama Parala Gajapati.pdf/୫୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସେହିଭଳି ଅନ୍ୟ ଏକ ବିଶେଷ ଉଲ୍ଲେଖଯୋଗ୍ୟ ପଦକ୍ଷେପ ଥିଲା, ରାଜ୍ୟରେ ରେଳପଥର ବିକାଶ । ବାଣିଜ୍ୟ-ବ୍ୟବସାୟରେ ଉନ୍ନତି ତଥା ରାଜ୍ୟବାସୀଙ୍କ ସହଜ ଯାତାୟାତ ପାଇଁ ସେ ପରିକଳ୍ପନା କରିଥିଲେ ରେଳରାସ୍ତାର ସଂପ୍ରସାରଣପାଇଁ । ତାହାଙ୍କ ପିତାଙ୍କ ଅମଳରେ ନଉପଡ଼ାଠାରୁ ପାରଳାଖେମୁଣ୍ଡି ପର୍ଯ୍ୟନ୍ତ ରେଳରାସ୍ତା ନିର୍ମିତ ହୋଇସାରିଥିଲା । ରାଜ୍ୟବାସୀଙ୍କ ସ୍ୱାର୍ଥରକ୍ଷାପାଇଁ ସେ ସେଇ ରେଳପଥକୁ ଗୁଣପୁର ପର୍ଯ୍ୟନ୍ତ ସଂପ୍ରସାରିତ କରିବାପାଇଁ ପଦକ୍ଷେପ ନେଇଥିଲେ । ସେଥିପାଇଁ ରାଜ୍ୟ ରାଜକୋଷରୁ ପ୍ରାୟ ୧୮ ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଥିଲା । ନୂତନ ଭାବେ ନିର୍ମିତ ହୋଇଥିଲା ଏହି ୫୬ କିଲୋମିଟର ରେଳରାସ୍ତା । ଆଜି ମଧ୍ୟ ତାହା ବିଶେଷ ଜନହିତକର ପ୍ରମାଣିତ ହେବା ସଂଗେସଂଗେ ମହାରାଜା କୃଷ୍ଣଚନ୍ଦ୍ରଙ୍କର ଯଶଗାନପାଇଁ ସମର୍ଥ ।

ଆପଣାର ରକ୍ଷକଭାବେ ଖେମଣ୍ଡି ରାଜ୍ୟର ପ୍ରଜାଗଣ ପିତୃତୁଲ୍ୟ ମହାରାଜା କୃଷ୍ଣଚନ୍ଦ୍ରଙ୍କୁ ଗ୍ରହଣ କରୁଥିବା ବେଳେ ସେଇମାନଙ୍କର ହିତକୁ ହିଁ ରାଜଧର୍ମ ରୂପେ ଗ୍ରହଣ କରି ସେ ଆପଣାର ସ୍ଥିତି ସ୍ଥାପନା କରିଥିଲେ ସିଂହାସନ ଆରୋହଣ କରିବା ଦିନଠାରୁ । ତାହା ମଧ୍ୟ ଥିଲା କୃଷ୍ଣଚନ୍ଦ୍ରଙ୍କ ପୁର୍ବପୁରୁଷଗଣଙ୍କ ଆଦର୍ଶ । ସେହି କାରଣରୁ ଅତୀତରେ ନିକଟବର୍ତ୍ତୀ ଅଞ୍ଚଳଗୁଡ଼ିକରୁ ଅନେକ ଅନେକ ପରିବାର ଖେମଣ୍ଡି ରାଜଶାସନରେ ଅନ୍ତର୍ଭୁକ୍ତ ହେବାପାଇଁ ଚାଲି ଆସିଥିଲେ ଏହି ରାଜ୍ୟକୁ । ସ୍ୱତନ୍ତ୍ର ଓଡ଼ିଶାପାଇଁ ସୀମାକମିଟିର ସଭ୍ୟଗଣ ଏହି ତଥ୍ୟ ଆବିଷ୍କାର କରିଥିଲେ ସଂପୃକ୍ତ ସୀମନ୍ତ ଅଞ୍ଚଳସବୁ ଗସ୍ତ କରିବା ଅବସରରେ । ଆଗନ୍ତୁକମାନଙ୍କ ମଧ୍ୟରେ ଅନେକ ତେଲୁଗୁ ଏବଂ ଆଦିବାସୀ ସଂପ୍ରଦାୟ ଅନ୍ତର୍ଭୁକ୍ତ ଥିଲେ ।

ସେହି ଦାୟରେ ପାରଳା ମହାରାଜା ସବୁବେଳେ ଉଦ୍ୟମରତ ଥିଲେ ରାଜ୍ୟରେ ପ୍ରଜାଗଣଙ୍କ ମଧ୍ୟରେ ଥିବା ଆଦିବାସୀ ସଂପ୍ରଦାୟର ବ୍ୟକ୍ତିବିଶେଷଙ୍କ ମଙ୍ଗଳପାଇଁ । ସେମାନଙ୍କ ସଂଖ୍ୟା ବେଶ ଅଧିକ ଥିଲା ରାଜ୍ୟର ପାହାଡ଼ିଆ ମାଳ ଅଞ୍ଚଳଗୁଡ଼ିକରେ । ସେମାନେ ତ ବଣ ଜଙ୍ଗଲର ଅଧିବାସୀ । ବିଶେଷ ଭାବରେ ଅଶିକ୍ଷିତ ସାଧାରଣ ଲୋକଙ୍କପାଇଁ ସେସବୁ ଅଞ୍ଚଳକୁ ସହଜରେ ଯିବା ଆସିବା ସମ୍ଭବ ନୁହେଁ । ତେଣୁ ବିନା ଜୁଲମ କିମ୍ବା ଅତ୍ୟାଚାରରେ ନିଜ ନିଜ ଅଞ୍ଚଳରେ ସ୍ବାଭାବିକ, ସ୍ୱାଚ୍ଛନ୍ଦ୍ୟ ଜୀବନଯାପନପାଇଁ ସେମାନଙ୍କ ଅକାଂକ୍ଷା ସବୁକୁ ଫଳବତୀ କରାଇବାପାଇଁ ବିଭିନ୍ନ ସମୟରେ ବିଭିନ୍ନ ଆଦେଶ ସବୁ ଦେଉଥିଲେ ରାଜକର୍ମଚାରୀମାନଙ୍କୁ । ଆଦିବାସୀ ସମାଜ ପ୍ରତି କୌଣସି ଅବହେଳା ପ୍ରଦର୍ଶନ କରାଗଲେ ସଂପୃକ୍ତ କର୍ମଚାରୀ କଠେର ଦଣ୍ଡରେ ଦଣ୍ଡିତ ହେବେ ବୋଲି ମଧ୍ୟ ଘୋଷଣା କରିଥିଲେ । କେବଳ ସେତିକିରେ ସେ ସନ୍ତୁଷ୍ଟ ହୋଇ ରହିଯାଇ ନଥିଲେ । ବେଳେବେଳେ ନିଜେ ଯାଉଥିଲେ ସଉରା ପଲ୍ଲୀକୁ; ଆଦିବାସୀ ଗାଁଗଣ୍ଡାକୁ, ତାହାଙ୍କର ଆଦେଶ ସବୁ ପାଳିତ ହେଉଛି କି ନାହିଁ ତାହା ତଦାରଖ କରିବାପାଇଁ; ଆଦିବାସୀ ଅଞ୍ଚଳଗୁଡ଼ିକରେ ସେମାନଙ୍କ ଜୀବନ ସହ ପ୍ରତ୍ୟକ୍ଷ ସଂପର୍କ ସ୍ଥାପନପାଇଁ ।