ପୃଷ୍ଠା:Aama Parala Gajapati.pdf/୫୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତ୍ଯାଗକରି ଆଦିବାସୀ ଅଞ୍ଚଳକୁ ଯାତ୍ରା କରୁଥିବା ମହାରାଜା କୃଷ୍ଣଚନ୍ଦ୍ର ସାଙ୍ଗରେ ଅନ୍ୟ କିଛି ବିଛଣା, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିମ୍ବା ସ୍ୱତନ୍ତ୍ର ଖାଦ୍ୟ ପଦାର୍ଥ ନେଉ ନଥିଲେ । ସଉରା ପଲ୍ଲୀରେ ସେଇମାନଙ୍କ ଖାଦ୍ୟ ଖାଇ ସେମାନଙ୍କ ସହିତ ଦିନ ବିତାଉଥିଲେ ସେଇ କିଛି କାଳ । ସେମାନଙ୍କ ଭାଷାରେ କଥାବାର୍ତ୍ତା ହେଉଥିଲେ; ପିଲା, ବୁଢ଼ା ତଥା ଆଦିବାସୀ ମହିଳା ସମସ୍ତଙ୍କ ସହିତ ମିଶୁଥିଲେ ଅତି ଅନ୍ତରଙ୍ଗ ଭାବେ । ସେମାନଙ୍କ ସହ ନାଚଗୀତ ବି କରୁଥିଲେ । ଚାଲିଚାଲି ଏ ଗାଆଁରୁ ସେ ଗାଆଁକୁ ଯାଉଥିଲେ । ବେଳେବେଳେ ସେମାନଙ୍କ ସହ ପାରିଧି ବି କରୁଥିଲେ । କେଉଁଠି ମଣିଷଖିଆ ବାଘ ମାତିଥିବା ଖବର ପାଇଲେ ‘ଡୋକରାବେଣ୍ଟ’ (ସେଇ ବାଘର ପାଦଚିହ୍ନକୁ ଅନୁସରଣ କରିକରି ତାହାକୁ ଠାବ କରିବା ପରେ ବାଘକୁ ମୁହାଁମୁହିଁ ଶିକାର କରିବା) କରି ଶିକାର କରୁଥିଲେ । ସେଇ ଅଞ୍ଚଳର ଆତଙ୍କ ଦୂର କରୁଥିଲେ । ସେଇଥିପାଇଁ ତ ସେ ରାଜା; ରାଇଜର ମୁଖିଆ ।

ସଉରାପଲ୍ଲୀକୁ ମହାରାଜାଙ୍କର ଆଗମନ ସମ୍ବାଦ ପବନରେ ପବନରେ ପ୍ରଚାରିତ ହୋଇଯାଉଥିଲା । ଗାଆଁଗାଆଁ ରୁ ସଉରାମୂଖ୍ୟ-ଗମାଙ୍ଗମାନେ ଚାଲି ଆସୁଥିଲେ ମହାରାଜାଙ୍କୁ ସଙ୍ଖୋଳିବାପାଇଁ । ସେଥିପାଇଁ ‘ବଳଦିଆ’ ( ଜିଗର କରିବା) କରୁଥିଲେ; ଅଳି, ତକରାଳ କରୁଥିଲେ । କୁଆଡ଼ୁକୁଆଡୁ ମହିଳାଗଣ ରାତି ଦିନ ନମାନି ଚାଲିଆସୁଥିଲେ ତାଙ୍କରି ନିକଟକୁ, ବେଢ଼ି ଯାଉଥିଲେ ତାହାଙ୍କୁ- ସେମାନେ ସମସ୍ତେ ଥିଲେ ମହାରାଜାଙ୍କ ମାଆ, ଭଉଣୀ, ଝିଅ... ମହାରାଜା ଉଦ୍ୟମ କରୁଥିଲେ ସମସ୍ତଙ୍କୁ ସନ୍ତୁଷ୍ଟ କରିବାପାଇଁ । ହେଲେ ଏସବୁ ଭିତରେ ପ୍ରଥମେ ସେ ସେମାନଙ୍କର ସମସ୍ୟା ବୁଝି ନେଉଥିଲେ । ଟିପି ରଖୁଥିଲେ ଟିପା ଖାତାରେ । ନଅରକୁ ଫେରିଗଲା ପରେ ସେଇସବୁ ସମସ୍ୟାର ସମାଧାନପାଇଁ ପ୍ରଥମେ ପ୍ରାଶାସନିକ ଗୁରୁତ୍ୱ ଦେଉଥିଲେ । ବେଳେବେଳେ କେବଳ ତାହାଙ୍କୁ ଦର୍ଶନ କରିବାପାଇଁ ଏବଂ ପୁଣି ଗୁହାରି ଜଣାଇବାପାଇଁ ମଧ୍ୟ ଆଦିବାସୀ ଗଣ ରାଜ ନଅରକୁ ଆସୁଥିଲେ । ମହାରାଜା ପ୍ରଥମେ ସେମାନଙ୍କୁ ଶୁଣୁଥିଲେ । ବେଳେବେଳେ ଆଦିବାସୀବୁଢ଼ାଟିଏ ତାହାଙ୍କୁ କୁଣ୍ଢାଇ ପକାଇ ଗେଲ କରି କହୁଥିଲା । 'କେତେଦିନ ହେଲା ତତେ ଦେଖିନାହିଁ ବୋଲି ମନଟା ଉଚ୍ଛନ୍ନ ହେଲା । ମୁଁ ବଞ୍ଚିଥିଲି ବୋଲି ସିନା ତତେ ଦେଖିଲି...’ କି ଆନ୍ତରିକତା ! କି ହାର୍ଦ୍ଦିକତା ! ବ୍ୟାଘ୍ରୋଲୋପମ ତଥା ଭାବ ଗାମ୍ଭୀର୍ଯ୍ୟପୂର୍ଣ୍ଣ ମହାରାଜ କିନ୍ତୁ ସେମାନଙ୍କ ଗହଣରେ ନିହାତି ସରଳ-ତରଳ ମଣିଷଟିଏ ପାଲଟି ଯାଉଥିଲେ । ହୋଇଯାଉଥିଲେ କଳକଳ ଛଳଛଳ ହୋଇ ବହି ଯାଉଥିବା ଆଦିବାସୀ ଜନଜୀବନର କ୍ଷୁଦ୍ର ଜଳଧାରାଟିଏ ।

ଜ୍ଞାନପୀଠ ବିଜେତା ପ୍ରଖ୍ୟାତ ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କ ଦ୍ବାରା ସଂଗୃହୀତ ଏହି ତଥ୍ୟ ପ୍ରଜାଗଣଙ୍କ ପାଇଁ ମହାରାଜା କୃଷ୍ଣଚନ୍ଦ୍ରଙ୍କ ଦରଦୀ ହୃଦୟର ଏକ ନିଛକ ପରିପ୍ରକାଶ ଏବଂ