ପୃଷ୍ଠା:Aama Parala Gajapati.pdf/୬୭

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସଂପର୍କରେ ସ୍ପଷ୍ଟ ମତ ପ୍ରକାଶ ପାଇଥିଲା ଏବଂ ମାନ୍ଦ୍ରାଜ ବିଧାନସଭାରେ ଗଂଜାମ ଅଞ୍ଚଳରୁ ଅଧିକ ଆସନପାଇଁ ମଧ୍ୟ ଦାବି କରାଯାଇଥିଲା । ଗଞ୍ଜାମର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଅନୁରୂପ ଭାବେ ଜନମତ ପ୍ରକାଶ ପାଇଥିଲା । ପାରଳାରେ ମହାରାଜାଙ୍କ ପୃଷ୍ଠପୋଷକତାରେ କାର୍ଯ୍ୟରତ ଉତ୍କଳ ହିତୈଷିଣୀ ସମାଜର ଏକ ମୁକ୍ତ ଅଧିବେଶନରେ ସେଇ ଏକା ମତ- ସମସ୍ତ ଓଡ଼ିଆଭାଷୀ ଅଞ୍ଚଳର ଏକୀକରଣ ଏବଂ ମାନ୍ଦ୍ରାଜ ବିଧାନ ସଭାରେ ଗଂଜାମବାସୀଙ୍କପାଇଁ ଅଧିକ ଆସନ ଦାବି କରି ପ୍ରସ୍ତାବମାନ ଗୃହୀତ ହୋଇଥିଲା ୧୯୨୦ ମସିହା ମାର୍ଚ୍ଚ ୧୫ ତାରିଖ ଦିନ । ପୂର୍ବରୁ ଉତ୍କଳ ସମ୍ମିଳନୀ ତରଫରୁ ବିଧାନସଭାଗୁଡ଼ିକରେ ତଥା କେନ୍ଦ୍ରୀୟ ବିଧାନ ପରିଷଦରେ ସେହି ପ୍ରଶ୍ନର ଉତ୍‌ଥାପନ/ଆଲୋଚନା ଲାଗି ବିଭିନ୍ନ ଉଦ୍ୟମ କରାଯାଇଥିଲା । ପରିଣାମତଃ କେନ୍ଦ୍ରୀୟ ବିଧାନ ପରିଷଦରେ ବିହାର ସଦସ୍ୟ ଶ୍ରୀସଚ୍ଚିଦାନନ୍ଦ ସିହ୍ନା ସେହି ଦାବି ଉପସ୍ଥାପନ କରିଥିଲେ ୧୯୨୦ ଫେବ୍ରୁଆରି ୨୦ ତାରିଖ ଦିନ । ତାହାକୁ କନିକା ରାଜାଙ୍କ ସମେତ ଶ୍ରୀ ସୁରେନ୍ଦ୍ର ନାଥ ବାନାର୍ଜୀ, ସାର୍ ଦିନେଶ୍ ଇ.ୱାଚା, କାମିନୀ କୁମାର ଚାନ୍ଦ୍ ପ୍ରମୁଖ ଦୃଢ଼ ସମର୍ଥନ କରିଥିଲେ । କିନ୍ତୁ ମାନ୍ଦ୍ରାଜର ପ୍ରତିନିଧି ଶ୍ରୀ ବି.ଏନ୍.ଶର୍ମା ଉକ୍ତ ପ୍ରସ୍ତାବକୁ ଆଂଶିକ ସମର୍ଥନ ଦେଇ ମତ ପ୍ରକାଶ କରିଥିଲେ ଯେ କେବଳ ବିହାର-ଓଡ଼ିଶାରେ ଥିବା ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ନେଇ ସ୍ୱତନ୍ତ୍ର ପ୍ରଦେଶ ଗଠିତ ହେବା ଆବଶ୍ୟକ । ୧୯୨୧ ମସିହା ସେପ୍ଟେମ୍ବର ୨୧ ତାରିଖରେ ଏ.ବି.ଲାଠେ ଚାରୋଟି ପ୍ରାଦେଶିକ ଶାସନରେ ବିଭାଗୀକୃତ ହୋଇ ରହିଥିବା ଓଡ଼ିଆଭାଷୀ ଅଞ୍ଚଳର ଉଦାହରଣ ଦେଇ ଭାଷା ସୂତ୍ରରେ ପ୍ରଦେଶ ପୁନର୍ଗଠପାଇଁ ପ୍ରସ୍ତାବ ଆଗତ କରିଥିଲେ । କିନ୍ତୁ ସଂପୃକ୍ତ ରାଜ୍ୟ ସରକାରଙ୍କଠାରୁ ସେଭଳି ପ୍ରସ୍ତାବ ନଆସିଲେ କେନ୍ଦ୍ର ସରକାର କୌଣସି ରାଜ୍ୟର ସୀମା ସରହଦରେ ପରିବର୍ତ୍ତନ କରି ପାରିବେ ନାହିଁ ବୋଲି ସରକାରୀ ଉତ୍ତର ମିଳିଥିଲା ।

ସେହି କାରଣରୁ ପ୍ରାଦେଶିକ ସ୍ତରରେ ଆବଶ୍ୟକୀୟ ସଫଳ ପଦକ୍ଷେପମାନ ନେବା ଲାଗି ଉଦ୍ୟମ କରାଯାଇଥିଲା । ବିଭାଜିତ ଉତ୍କଳ ସମ୍ମିଳନୀର ସଂଖ୍ୟାଲଘୁ ଗୋଷ୍ଠୀ ମହାରାଜା କୃଷ୍ଣଚନ୍ଦ୍ରଙ୍କ ଉଦ୍ୟମରେ ସେଥିପାଇଁ ଯଥାସାଧ୍ୟ ପ୍ରୟାସ କରିଥିଲେ । ୧୯୨୧ ମସିହା ନଭେମ୍ବର ୨୫ରେ ବିହାର ଓଡ଼ିଶା ବିଧାନସଭାରେ ଶ୍ରୀବିଶ୍ୱନାଥ କର ଏକ ପ୍ରସ୍ତାବ ଆଗତ କରିଥିଲେ, ଚାରୋଟି ପ୍ରଦେଶସ୍ଥିତ ଓଡ଼ିଆ ଅଞ୍ଚଳ ସବୁକୁ ଏକତ୍ର କରାଯାଇ ଏକ ଶାସନାଧୀନ କରାଯିବାପାଇଁ । ସେତେବେଳେ ମଧୁବାବୁ ଥିଲେ ସେଠାରେ ସ୍ୱାୟତ୍ତ ଶାସନ ବିଭାଗର ମନ୍ତ୍ରୀ ଏବଂ ଦଶଜଣ ଓଡ଼ିଶାର ସଦସ୍ୟ । ସେମାନଙ୍କ ସମେତ ଉକ୍ତ ପ୍ରସ୍ତାବକୁ ବିହାରର ଅନେକ ସଭ୍ୟ ମଧ୍ୟ ସମର୍ଥନ ଜଣାଇଥିଲେ । ସେହି ପ୍ରସ୍ତାବ ଉପରେ ସରକାର ମତ ଦେଇଥିଲେ, ସେଥିପାଇଁ ଅନ୍ୟାନ୍ୟ ପ୍ରାଦେଶିକ ଶାସନାନ୍ତର୍ଗତ ଓଡ଼ିଆମାନଙ୍କ ମତାମତ ତଥା ସରକାରୀ ମତାମତ ମଧ୍ୟ ଜାଣିବା ନିହାତି ଅବଶ୍ୟକ ।