ପୃଷ୍ଠା:Aama Parala Gajapati.pdf/୮୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଭାରତ ସରାକାରଙ୍କ ସେଭଳି ମତାମତରେ ଉତ୍କଳୀୟମାନଙ୍କ ମନରେ ଆଶାର ଦିଗ୍‌ବଳୟ ନାନାବର୍ଣ୍ଣରେ ବିଭୂଷିତ ହୋଇ ଉଠିଥିଲା । ପାରଳା ମହାରାଜା, ଉତ୍କଳ ସମ୍ମିଳନୀର ସଭ୍ୟବୃନ୍ଦଙ୍କ ସମେତ ପ୍ରାକୃତିକ ଉତ୍କଳର ଓଡ଼ିଆମାନେ ବିଶେଷ ଭାବରେ ଉତ୍‌ଫୁଲ୍ଲିତ ହୋଇ ଉଠିଥିଲେ । ଓଡ଼ିଶା ତରଫରୁ ସାଇମନ୍ କମିଶନ୍‌କୁ ସ୍ୱାଗତ କରାଯିବାର ପରିଣାମ ବ୍ୟତୀତ ଏହା ଆଉ କ’ଣ ହୋଇପାରେ ! ତେବେ କମିଶନ୍‌କୁ ବର୍ଜନ କରିଥିବା ଉତ୍କଳୀୟ ନେତୃମଣ୍ଡଳୀର ହୃଦୟରେ ଗଭୀର ବିସ୍ମୟ ଅନ୍ତଃସଲିଳା ଫଲ୍‌ଗୁ ହୋଇ ବୋହି ଯାଇଥିବ ନିଶ୍ଚୟ । ତତ୍ ପରେପରେ ଓଡ଼ିଶାର ନେତୃବୃନ୍ଦ ଏପରିକି ସବୁ ରାଜନୀତିକ ନେତା, ଦଳମତ ନିର୍ବିଶେଷରେ, ପ୍ରସ୍ତାବିତ ସୀମା କମିଟି ସହିତ ସହଯୋଗ କରି ସାକ୍ଷ୍ୟ ପ୍ରମାଣ ଦେବାପାଇଁ ସ୍ଥିର ହୋଇଥିଲା । ତାର କାରଣ ଥିଲା ଦୀର୍ଘ ଅତୀତରେ ଭାରତୀୟ ଜାତୀୟ କଂଗ୍ରେସ ଏବଂ ଗାନ୍ଧିଜୀ ବର୍ଷକ ମଧ୍ୟରେ ସ୍ୱରାଜ ପ୍ରାପ୍ତି ହେବାଭଳି ଯେଉଁ ଆଶା ନେଇ ତୀବ୍ର ଆନ୍ଦୋଳନ ଚଳାଇଥିଲେ ତାହା ସୁଦୂର ପରାହତ ହୋଇଥିଲା ।

ସର୍ବୋଚ୍ଚ କ୍ଷମତାସଂପନ୍ନ ବୈଧାନିକ କମିଶନ- ସାଇମନ୍ କମିଶନ ଭାରତର ଶାସନ ସଂସ୍କାର ସଂପର୍କିତ ଦେଇଥିବା ପରାମର୍ଶଗୁଡ଼ିକର ବିଚାର ଆଲୋଚନା ପାଇଁ ଇଂଲଣ୍ଡରେ ଆୟୋଜିତ ହୋଇଥିଲା ତିନୋଟି ଗୋଲ୍‌ଟେବୁଲ୍ ବୈଠକ । ଭାରତୀୟ ପ୍ରତିନିଧିଙ୍କ ଗହଣରେ ଏହାର ସବିଶେଷ ଆଲୋଚନା କରିବାକୁ ଇଂଲଣ୍ଡ ସରକାର ଯୋଜନା କରିଥିଲେ । ପ୍ରଥମ ଗୋଲଟେବୁଲ୍ ବୈଠକରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓଡ଼ିଶାର ପ୍ରତିନିଧିରୂପେ ଯୋଗ ଦେଇଥିଲେ । ସେଇ ଯୋଗଦାନ ହିଁ ଥିଲା ନୂତନ ଓଡ଼ିଶା ପ୍ରଦେଶ ଗଠନର ଇତିହାସରେ ଏକ ସ୍ୱର୍ଣ୍ଣାଙ୍କିତ ପୃଷ୍ଠା ।