ପୃଷ୍ଠା:Aama Parala Gajapati.pdf/୯୧

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଲୋକଙ୍କ ଦୁଃଖ, ଗୋଲ୍‌ଟେବୁଲ ବୈଠକ ଭଳି ଉଚ୍ଚ କ୍ଷମତାପନ୍ନ ବୈଠକରେ ଉପସ୍ଥାପନ କରିବା ସୁଯୋଗ ତାହାଙ୍କୁ ଦିଆଯିବା ଏକାନ୍ତ ଆବଶ୍ୟକ ।

ମହାରାଜାଙ୍କ ସେହି ଉଦ୍ୟମ ବିଫଳ ହୋଇ ନଥିଲା । ସେଠାରେ ଭାରତରୁ ଯୋଗ ଦେଇଥିବା ଅନେକ ସଦସ୍ୟଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରାଇ ସେ ବୈଠକର ସଭାପତିଙ୍କ ସ୍ୱତନ୍ତ୍ର ଅନୁମତି ଲାଭ କରିଥିଲେ ଅଳ୍ପ ସମୟପାଇଁ । ଜାନୁଆରି ୧୬ ତାରିଖ ଦିନ ଲର୍ଡ଼ ସଭାରେ ମହାରାଜା ଭାଷଣ ଦେବାର ଅଳ୍ପ ଦିନ ପୂର୍ବରୁ ପୂର୍ବପ୍ରସ୍ତୁତ ସ୍ମାରକପତ୍ରଟି ବୈଠକର ପ୍ରତିନିଧିମାନଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥିଲା ଓଡ଼ିଶା ସମସ୍ୟାର ଅବଗତି ତଥା ଅନୁଧ୍ୟାନପାଇଁ, ଓଡ଼ିଆମାନଙ୍କ ଦୂରବସ୍ଥାର ସ୍ପଷ୍ଟ ଚିତ୍ରଟିଏ ଆକଳନ କରିବାପାଇଁ । ନିର୍ଦ୍ଧାରିତ ସମୟରେ ମହାରାଜା ଆପଣାର ଭାଷଣ ପ୍ରଦାନ କରି ଉପସ୍ଥିତ ସମସ୍ତ ସଦସ୍ୟଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ । ତାହା ମଧ୍ୟ ଯେଭଳି ତଥ୍ୟଯୁକ୍ତ ଥିଲା ସେହିଭଳି ବଳିଷ୍ଠ ଯୁକ୍ତି ସମ୍ବଳିତ । ଦୃଢ଼ ଅଥଚ ଗାମ୍ଭୀର୍ଯ୍ୟପୂର୍ଣ୍ଣ ଭାବେ ମହାରାଜା ନିଜ ବକ୍ତବ୍ୟ ରଖିଥିଲେ-

ଭନ୍ଦ୍ର ମହୋଦୟଗଣ !

ମହାମହିମ ଭାରତ ସମ୍ରାଟଙ୍କ ଶାସିତ ଦଶ ନିୟୁତ ଓଡ଼ିଆ ପ୍ରଜାଙ୍କ ପ୍ରତିନିଧି ରୂପେ ସେମାନଙ୍କ ଦୀର୍ଘ ଦିନର ଏକ ଦୁଃଖପୁର୍ଣ୍ଣ ଅଭିଯୋଗ ମୁଁ ଆଜି ଏଠାରେ ଉପସ୍ଥାପିତ କରିବାକୁ ସୁଯୋଗ ପାଇ ଦଣ୍ଡାୟମାନ ହୋଇଅଛି । ଇତି ପୂର୍ବରୁ, ଅଳ୍ପଦିନ ତଳେ, ମୁଁ ଆପଣମାନଙ୍କ ନିକଟରେ ଯେଉଁ ସ୍ମାରକପତ୍ରଟି ଉପସ୍ଥାପିତ କରିଛି ସେଥିରୁ ଭିନ୍ନଭିନ୍ନ ପ୍ରଦେଶ ସହିତ ଏହି ଓଡ଼ିଆମାନେ ଯୁକ୍ତ ହୋଇ ରହିଥିବା ଯୋଗୁଁ ସେମାନେ କେଉଁକେଉଁ ଅସୁବିଧାର ସମ୍ମୁଖୀନ ହେଉଅଛନ୍ତି ତାହା ଆପଣମନେ ନିଶ୍ଚିତ ରୂପେ ଅବଗତ ହୋଇପାରିଥିବେ ।

ଓଡ଼ିଆମାନେ ଏକତ୍ର ହୋଇ ରହିବାପାଇଁ ଗତ ଶତାବ୍ଦୀର ଶେଷ ଭାଗରୁ ଯେଉଁଭଳି ଆନ୍ଦୋଳନ ସବୁ ଚଳାଇ ଆସିଛନ୍ତି ତାହାର ଇତିହାସ ବର୍ଣ୍ଣନା କରି ମୁଁ ଅବଶ୍ୟ ଆପଣମାନଙ୍କୁ କ୍ଳାନ୍ତ କରିବି ନାହିଁ । କିନ୍ତୁ ସେ ସଂପର୍କରେ ସମସ୍ତ ତଥ୍ୟ ମୋର ଜ୍ଞାତବ୍ୟ ଥିବାରୁ ମୁଁ ଆଜି ଆପଣମନଙ୍କ ସମ୍ମୁଖରେ ଦୃଢ଼ଭାବରେ ଏହି ଦାବି ଉପସ୍ଥାପିତ କରୁଛି ଯେ ଓଡ଼ିଆମାନଙ୍କପାଇଁ ଗୋଟିଏ ‘ସ୍ୱତନ୍ତ୍ର ପ୍ରଦେଶ’ ବର୍ତ୍ତମାନ ଜୀବନ-ମରଣ ପ୍ରଶ୍ନ ଭଳି ଗୁରୁତ୍ବପୁର୍ଣ୍ଣ ସମସ୍ୟା ରୂପେ ଛିଡ଼ା ହୋଇଛି । ସେମାନଙ୍କର ଜନ୍ମଭୂମିକୁ ଭାରତବର୍ଷର ବିଭିନ୍ନ ପ୍ରଦେଶ ସହିତ ଖଣ୍ଡ ବିଖଣ୍ଡିତ କରି ଯୁକ୍ତ କରାଇ ଦିଆଯାଇଛି । ପରିଣାମସ୍ୱରୂପ ପ୍ରତ୍ୟେକ ପ୍ରଦେଶର ସୀମାନ୍ତ ଅଞ୍ଚଳଗୁଡ଼ିକରେ ହଁ ସେମାନେ ବସବାସ କରି ରହୁଛନ୍ତି । ପ୍ରଦେଶର ରାଜଧାନୀଠାରୁ ବହୁ ଦୂରରେ ରହିବା ଫଳରେ ଓଡ଼ିଆମାନଙ୍କୁ ଯେ ସମସ୍ତ ପ୍ରକାର ଅସୁବିଧା ଓ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ୁଛି ତାହା ଅତି ଶୋଚନୀୟ ବ୍ୟାପାର । ପ୍ରତି ପ୍ରଦେଶର ଅଧିବାସୀଙ୍କ ମଧ୍ୟରେ ଓଡ଼ିଆମାନଙ୍କ ସଂଖ୍ୟା ଅତିମାତ୍ରାରେ ନଗଣ୍ୟ ହୋଇଥିବାରୁ ସେମାନଙ୍କୁ କେହି ଗୁରୁତ୍ୱ ଦିଅନ୍ତି ନାହିଁ । ସେମାନଙ୍କ