ପୃଷ୍ଠା:Aama Parala Gajapati.pdf/୯୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସେଥିପାଇଁ ମୋର ଉତ୍ତର ହେଉଛି- ଗୋଟିଏ ଇତିହାସ ପ୍ରସିଦ୍ଧ ପ୍ରାଚୀନ ସଭ୍ୟତା ଓ ସଂସ୍କୃତିସଂପନ୍ନ ଜାତିର ଅସ୍ତିତ୍ବକୁ ସୁରକ୍ଷା କରିବା ଦିଗରେ ରାଜସ୍ୱଜନିତ ବ୍ୟାପାର ଏକମାତ୍ର ଅନତିକ୍ରମଣୀୟ ପ୍ରତିବନ୍ଧକ ହୋଇ ନପାରେ । କଥାରେ ଅଛି- ‘କପଡ଼ାକୁ ଚାହିଁ କୁରୁତା ତିଆରି କର ।" ଏଠି ମଧ୍ୟ ସେକଥା ହିଁ ପ୍ରଯୁଜ୍ୟ ହୋଇପାରେ । ମୁଁ ଏଠାରେ ନିଶ୍ଚିତ ଯେ ଓଡ଼ିଆମାନଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ହିତକର ମନୋଭାବ ରହିଆସିଛି । ବିହାର ଓଡ଼ିଶା ଓ ଆସାମ ପ୍ରଦେଶ ଗଠିତ ହେଲାବେଳେ କେନ୍ଦ୍ର ସରକାର ଯେଉଁଭଳି ସେହି ଦୁଇଟି ପ୍ରଦେଶକୁ ସାହାଯ୍ୟ ଦେଲେ ସେଇଳି ଓଡ଼ିଶା ପ୍ରତି ମଧ୍ୟ ସହାୟତା କରିବେ । ଏ କ୍ଷେତ୍ରରେ ମୁଁ ଆଉ ଗୋଟିଏ କଥା କହିବାକୁ ଚାହେଁ । ଆମେ ମୂଳରୁ କୌଣସି ଋଣ ନେଇ ପ୍ରଦେଶ ଶାସନ ଆରମ୍ଭ କରିବୁ ନାହିଁ । ବରଂ ଅନ୍ୟପକ୍ଷରେ ଆମେ କିଛି ରାଜସ୍ୱ ସଂଗ୍ରହ କରିପାରିବୁ । ଅଥଚ ଆସାମ ପ୍ରାରମ୍ଭରୁ ଏହି ସମ୍ଭାବନାଟିକୁ ସମ୍ଭବ କରିପାରି ନାହିଁ । ଭାରତୀୟ ବୈଧାନିକ କମିଶନ୍‌କୁ ବିହାର-ଓଡ଼ିଶା ସରକାର ଯେଉଁ ସ୍ମାରକପତ୍ର ଦେଇଛନ୍ତି ତାହାର ୪୦୪ ପୃଷ୍ଠାରେ ପ୍ରଦତ୍ତ ବିବରଣୀରୁ ଆମେ ଜାଣିବାକୁ ପାଇପାରୁଛୁ ଯେ ବିହାର-ଓଡ଼ିଶା ପ୍ରଦେଶର ଓଡ଼ିଶା ବିଭାଗରୁ ବାର୍ଷିକ ରାଜସ୍ୱ ଆଦାୟ ହୁଏ ଦଶ ନିୟୁତ ଟଙ୍କା ଏବଂ ମୁଁ ନିଶ୍ଚିତ ରୂପେ କହିପାରେ ଯେ ଓଡ଼ିଶା ସ୍ୱତନ୍ତ୍ର ହେଲେ ତାହା ସହିତ ଅନ୍ୟାନ୍ୟ ପ୍ରଦେଶସ୍ଥ ଯେଉଁସବୁ ଓଡ଼ିଆ ଅଞ୍ଚଳ ସ୍ୱତଃପ୍ରବୃତ୍ତ ହୋଇ ନୂତନ ପ୍ରଦେଶ ସହିତ ସଂଯୁକ୍ତ ହେବ ବୋଲି ବିଭିନ୍ନ ସରକାରୀ କମିଟି ରିପୋର୍ଟରେ ରହିଛି ଏବଂ ସୀମା କମିଶନ୍ ଯେଉଁସବୁ ଓଡ଼ିଆଭାଷୀ ଅଞ୍ଚଳକୁ ଏକୀକରଣ କରାଇବା ଲାଗି ସ୍ଥିର କରିବେ ତଦ୍ଦ୍ୱାରା ଆଉ କେତୋଟି ଜିଲ୍ଲା ମଧ୍ୟ ପୁନର୍ଗଠିତ ଓଡ଼ିଶାରେ ସମ୍ମିଳିତ ହେବ । ପରିଣାମ ସ୍ୱରୂପ ଏହାର ରାଜସ୍ୱ ନିଶ୍ଚିତ ରୂପେ ୨୦.୨ ନିୟୁତ ଟଙ୍କା ହୋଇପାରିବ । ଏହା ଫଳରେ ସରକାର ଯେଉଁ ଆର୍ଥିକ ସଂକଟର ଆଶଙ୍କା କରୁଛନ୍ତି ତାହା ନିଶ୍ଚୟ ଦୂର ହୋଇପାରିବ । ଏତଦ୍‌ବ୍ୟତୀତ ଓଡ଼ିଶାରେ ଥିବା ମାଳ ଅଞ୍ଚଳମାନଙ୍କରୁ ପ୍ରଭୂତ ପରିମାଣରେ ଅବକାରୀ ରାଜସ୍ୱ ମଧ୍ୟ ଆଦାୟ ହୋଇ ପାରିବ । ପୁଣି ଯେଉଁ ଅନେକ ପରିମାଣରେ ଅନାବାଦୀ ଜମି ପତିତ ଅବସ୍ଥାରେ ରହିଛି, ସେଗୁଡ଼ିକୁ ଅବାଦୀ କରାଯିବା ସଂଗେସଂଗେ ଅରଣ୍ୟ ସଂପଦର ବିନିଯୋଗ କରାଯାଇ ଏହି ପ୍ରଦେଶର ରାଜସ୍ୱ ପରିମାଣ ବୃଦ୍ଧି କରାଯାଇପାରିବ ।

ଏ ସବୁ ସାଙ୍ଗକୁ ଓଡ଼ିଶାର ବିସ୍ତୀର୍ଣ୍ଣ ସମୁଦ୍ର ଉପକୂଳ ଲୁଣ ଉତ୍ପାଦନ କରିବା ଦିଗରେ ଯେତେ ଅନୁକୂଳ, ସମଗ୍ର ସାମ୍ରାଜ୍ୟରେ ସେତେ ବଡ଼ ଦ୍ବିତୀୟ ଉପଯୋଗୀ ଅଞ୍ଚଳ ବୋଧହୁଏ ଆଉ ଥାଇ ନପାରେ । ସେଇ ବାବଦରେ ମଧ୍ୟ ରାଜସ୍ୱ କମ୍ ଆଦୟ ହେବ ନାହିଁ । ପରିଶେଷରେ, ଯଦି ପରିସ୍ଥିତି ବାଧ୍ୟ କରେ ତେବେ ଆମ ପ୍ରଦେଶର ନିଅଣ୍ଟ ରାଜସ୍ୱ ପରିମାଣ ଭରଣ କରିବା ଲାଗି, ଆମେ ଓଡ଼ିଆମାନେ, ସ୍ୱତନ୍ତ୍ର ଟିକସର ବୋଝ ବହନ କରିବାପାଇଁ ପ୍ରସ୍ତୁତ ଅଛୁ ।