ପୃଷ୍ଠା:Aama Parala Gajapati.pdf/୯୮

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏବଂ ବିଶାଖାପଟଣା ଜିଲ୍ଲାରେ, ବିଶେଷକରି ତେଲୁଗୁ କର୍ମଚାରୀଙ୍କ ଦ୍ବାରା କବଳିତ ଏବଂ ପରିଚାଳିତ, ଜନସୁମାରି ଯେଭଳି ନ୍ୟାୟୋଚିତ ଏବଂ ଯଥାଯଥ ଭାବରେ ଅନୁଷ୍ଠିତ ହୁଏ ସେ ଦିଗରେ ଯତ୍‌ପରେନାସ୍ତି ଉଦ୍ୟମ କରିବାପାଇଁ । ସେତେବେଳେ ଅନୁଷ୍ଠାନର ପୃଷ୍ଠପୋଷକ ମହାରାଜାଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନ କ୍ରମେ ସଭ୍ୟଗଣ ଅଣ୍ଟା ଭିଡ଼ିଥିଲେ ମାନ୍ଦ୍ରାଜର ସଂଖ୍ୟାଲଘୁ ଓଡ଼ିଆମାନଙ୍କର ସ୍ୱାର୍ଥରକ୍ଷାପାଇଁ । ସଠିକ ଭାବରେ ଓଡ଼ିଆ ତଥା ଆଦିବାସୀ ସଂପ୍ରଦାୟ ଯେପରି ଜନଗଣନା ନଥିପତ୍ରରେ ରେକର୍ଡ଼ଭୁକ୍ତ ହେବେ ସେଥିପାଇଁ ସେମାନେ ପ୍ରବଳ ଉଦ୍ୟମ ଆରମ୍ଭ କରିଥିଲେ । ହିତୈଷିଣୀ ସମାଜର ସଭ୍ୟମାନଙ୍କଦ୍ବାରା ସେଇ ପ୍ରଚାରମୂଳକ ଅଭିଯାନକୁ ମାନ୍ଦ୍ରାଜ ସରକାରୀ ଉଚ୍ଚ ହାକିମମାନେ ବିଷ ଦୃଷ୍ଟିରେ ଦେଖୁଥିଲେ । ସେମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ ଗଂଜାମର କଲେକ୍ଟର ମି. ଡ଼ିକ୍‌ସନ୍ ଏବଂ ମାନ୍ଦ୍ରାଜର ଜନଗଣନା କମିଶନର ମି. ଇଟ୍‌ସ । ସେମାନେ ବିଭିନ୍ନ ପ୍ରକାରର ଧମକ ଚମକ ଦେଇଥିଲେ ମଧ୍ୟ ତାହାକୁ ହିତୈଷିଣୀର କର୍ମୀଗଣ ବିଶେଷ ଗୁରୁତ୍ୱ ଦେଇନଥିଲେ ମହାରାଜାଙ୍କ ଭରସା ପାଇ ।

ଇତି ମଧ୍ୟରେ ଲଣ୍ଡନରେ ଦ୍ବିତୀୟ ଗୋଲ ଟେବୁଲ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ସେଇ ସମୟରେ ପ୍ରଥମ ଗୋଲଟେବୁଲ ବୈଠକ ବେଳେ ନୀତିଗତ ଭାବେ ନିଷ୍ପତ୍ତି ନିଆଯାଇଥିବା ଓଡ଼ିଶା ପ୍ରସ୍ତାବକୁ କେନ୍ଦ୍ରକରି ଆଲୋଚନାମାନ ହୋଇଥିଲା । ୧୯୩୧ ମସିହା ସେପ୍ଟେମ୍ବର ସାତ ତାରିଖ ଦିନ ଏହି ବୈଠକ ଆରମ୍ଭ ହୋଇ ଡିସେମ୍ବର ୧ ପର୍ଯ୍ୟନ୍ତ ଚାଲିଥିଲା ।

ତଦନୁଯାୟୀ ତାହାର ପରବର୍ତ୍ତୀ ପଦକ୍ଷେପ ସୀମା କମିଟି ଗଠନ । ସେଇ ସେପ୍ଟେମ୍ବର ମାସରେ ହିଁ ତାହା ଗଠିତ ହୋଇଥିଲା । ନୂତନ ପ୍ରଦେଶପାଇଁ ସୀମ ସରହଦ ସମେତ ଶାସନଗତ, ଆର୍ଥନୀତିକ ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ବିଷୟରେ ସୁପାରିସ କରିବା ଥିଲା ତାହାର ଉଦ୍ଦେଶ୍ୟ । ତତ୍‌ସହିତ ସେଭଳି ଶାସନ ସଂସ୍କାରର ପରିଣାମ ସ୍ୱରୂପ ଭାରତର ଅନ୍ୟାନ୍ୟ ପ୍ରାଦେଶିକ ଶାସନ ଉପରେ ତାହାର ପ୍ରଭାବ ସଂପର୍କରେ ଅନୁଧ୍ୟାନ କରି ମତାମତ ଦେବାପାଇଁ ମଧ୍ୟ କମିଟିକୁ ପ୍ରସ୍ତାବ ଦିଆଯାଇଥିଲା । ସେହି କମିଟିଟି ସୀମା କମିଟି/ଓଡ଼୍‌ନାଲ୍ କମିଟି ରୂପେ ଦେଶରେ ବିଶେଷ ଭାବରେ ପରିଚିତି ଲାଭ କରିଥିଲା ।