ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଅବକାଶ-ଚିନ୍ତା

ମହତ ଜନର ଲାଗି ଅଙ୍ଗ ଛାୟା,
ପବିତ୍ର ହୁଅଇ କ୍ଷୁଦ୍ର ପ୍ରାଣିକାୟା ।
କ୍ଷଣମାତ୍ରା ହେଲେ ସଜ୍ଜନ ସଙ୍ଗତି,
ତୁଟେ ସିନା ସତେ ସଂସାର-ଦୁର୍ଗତି ।

ପାଣ୍ଡୁର ଶ୍ୟାମଳ କଳା ଧଳା ରଙ୍ଗେ,
କ୍ରମେଃନଭସ୍ଥଳ ଶୋଭିଲା କି ରଙ୍ଗେ ।
ଯେତେବେଳେ ଆସେ ଯେଉଁ ରୂପ ମନେ,
ଦିଶଇ ତକ୍ଷଣେ ସେ ଛବି ଗଗନେ ।
ପ୍ରତିଭାତ ହୋଇ ସେ ଛବି ସକଳ,
ସରିତ ଅନ୍ତରେ ଶୋଭେ ଅବିକଳ ।
ଆବର ଶ୍ୟାମଳ ଶୈଳ ପ୍ରତିରୂପ,
ନଦୀଗର୍ଭେ ଦିଶେ ଯଥାତମ-ସ୍ତୂପ ।
ମହତ ଜନର ହୃଦେ ଏହି ମତି,
ଆଭାସେ ସତତ ଶତ ପ୍ରତିକୃତି ।
ପ୍ରେମ ଭାବେ ଯାର ଅନ୍ତର ପୂରିତ,
ସର୍ବ ପ୍ରାଣୀ ହୃଦ ତା ହୃଦେ ଅଙ୍କିତ ।
ସର୍ବ ଅନୁଭୁତି ସର୍ବଭୁତେ ତାର,
ତା ଦୃଷ୍ଟିରେ ବିଶ୍ୱ ଏକ ପରିବାର ।
ସେହି ନିଜେ ବିଶ୍ୱ, ବିଶ୍ୱ ମଧ୍ୟ ସେହି,
ଅନ୍ୟ ହୋଇ ତାର ନାହିଁ ଆଉ କେହି ।
ଧନ୍ୟ ପ୍ରେମମୟି ପ୍ରିୟ କଲ୍ଲୋଳିନି,
ଶତ ଶତ ପ୍ରାଣୀ ଆହ୍ଲାଦଦାୟିନୀ ।

[ ୨୮ ]