ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

କାଠଯୋଡ଼ୀ ତୀରେ ଚନ୍ଦ୍ରାଲୋକ ନିଶୀଥ
(୩)

ସୁଧାକର କରଜାଳେ ବିଭୁଷିତା ମହୀ,
ଶାନ୍ତିଦେବୀ ପଦେ ଖଟେ ମନ୍ଦାନିଳ ବହି ।
ମାୟାବିନୀ-ନିଦ୍ରାବଳେ ଜଗତ ମୋହିତ,
ଆହା କି ସୁନ୍ଦର ବେଶେ ପ୍ରକୃତି ଶୋଭିତ !
ନାହିଁ ଏବେ ଦିବସର ଘୋର କଳନାଦ,
କ୍ଷୁଦ୍ରଚେତା ମାନବର ଜାତୀୟ ବିବାଦ ।
ନାହିଁ ଅଶାନ୍ତି ରୂପିଣୀନୀଚ ନିଶାଚରୀ,
ସ୍ୱାର୍ଥପରତାର ଦୀର୍ଘ ଉଚ୍ଛ୍ୱାସ ଲହରୀ ।
ଆତ୍ମାଭିମାନର ନାହିଁ ଗମ୍ଭୀର ଶବଦ,
ଏକାବେଳେ ସର୍ବ ବିଶ୍ୱମଣ୍ଡଳ ସ୍ତବଧ ।
ସଂସାର ତୁମୁଳ ରଣ କ୍ଷଣେ ତିରୋହିତ,
ଗାଏ କି ସରିତ ତେଣୁ ସୁଶାନ୍ତି ସଙ୍ଗୀତ?
ଅବ୍ୟକ୍ତ ଅବୋଧ୍ୟ ଅତି ସୁମଧୁର ତାନ,
କିବା ସେ ନିଗୁଢ଼ ତତ୍ତ୍ୱ ସାମବେଦ ଗାନ ।

[ ୩୪ ]