ପୃଷ୍ଠା:Akashare Luchakali.pdf/୨୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଆକାଶରେ ଲୁଚକାଳି
୨୪
 

ଗ୍ରହଣର କ୍ରମ

ଆକାଶରେ ତାରାଙ୍କ ମେଳରେ ଚନ୍ଦ୍ର ପଶ୍ଚିମରୁ ପୂର୍ବକୁ ଗତି କରେ । ତେଣୁ ପୃଥିବୀର ଛାଇରେ ପଶିଲାବେଳେ ଚନ୍ଦ୍ରର ପୂର୍ବପଟ ପ୍ରଥମେ ଛାଇରେ ପଶେ । ଅର୍ଥାତ ଚନ୍ଦ୍ରର ପୂର୍ବ ଆଡୁ ଛାଇ (ଖଣ୍ଡିଆ) ମାଡି ମାଡି ଆସେ ଓ କେବେ କେବେ ଚନ୍ଦ୍ର ପୂରା ଲୁଚିଯାଏ । ତେଣୁ ଆମେ ଦେଖିବାରେ ଚନ୍ଦ୍ର ଗ୍ରହଣର କ୍ରମ ସୂର୍ଯ୍ୟ ପରାଗର ଓଲଟା ହୁଏ । ପ୍ରଛାୟାର ଠିକ ମଝି ଦେଇ ଗଲେ ଚନ୍ଦ୍ର ସବୁଠାରୁ ଅଧିକ ସମୟ ପାଇଁ ଛାଇ ଭିତରେ ରହେ । ଏହି ଅବସ୍ଥାରେ ପୂର୍ଣ୍ଣଗ୍ରାସ ୧ ଘଣ୍ଟା ୪୦ ମିନିଟ ପର୍ଯ୍ୟନ୍ତ ଲାଗିରହେ । ଏହା ପରେ ଚନ୍ଦ୍ରର ପୂର୍ବ ଧାରରେ ସୂର୍ଯ୍ୟର ଆଲୁଅ ପଡେ । ଆଉ କିଛି ସମୟ ଖଣ୍ଡଗ୍ରାସ ଅବସ୍ଥାରେ ରହି ଶେଷରେ ଚନ୍ଦ୍ର ପୂରା ଆଲୋକିତ ହୁଏ । ସମୁଦାୟ ଗ୍ରହଣ ଅବସ୍ଥା ଅତି ବେଶୀରେ ପ୍ରାୟ ୪ ଘଣ୍ଟା ଧରି ଲାଗିରହେ ।

ଗ୍ରହଣର ମଜାକଥା

ଦେଖଣାହାରୀଙ୍କ ପାଇଁ ସୂର୍ଯ୍ୟପରାଗ ତୁଳନାରେ ଚନ୍ଦ୍ରଗ୍ରହଣ ବେଶି ମଜାଦାର ହୋଇଥାଏ । କାରଣ ଗ୍ରହଣ ବେଶ୍ ଅଧିକ ସମୟ ଧରି ଲାଗିଥାଏ ଓ ଏହାକୁ ଦେଖିବା ପାଇଁ ସୂର୍ଯ୍ୟପରାଗ ଭଳି ଆଖି ପାଇଁ କିଛି ବିଶେଷ ସୁରକ୍ଷାର ବ୍ୟବସ୍ଥା କରିବାକୁ ପଡେନାହିଁ ।