ପୃଷ୍ଠା:Alankara Bodhodaya.pdf/୧୦

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରଥମ ପରିଛେଦ
କାବ୍ୟସ୍ୱରୂପ ନିରୂପଣ
ଶ୍ରୀ ଗଣେଶାୟ ନମଃ

ସତ୍କବି ପ୍ରଣୀତ ଗଦ୍ୟପଦ୍ୟମୟ କାବ୍ୟାଦିର (ରଘୁବଂଶ, କୁମାର ସଂଭବ ପ୍ରଭୃତିର) ବାକ୍ୟାର୍ଥ ନିଶ୍ଚୟ ଏହି ଅଳଂକାର ଗ୍ରନ୍ଥ ବ୍ୟତିରେକେ ହୋଇନପାରେ; ଅତଏବ ଏହାକୁ କାବ୍ୟାଦିର ଗୋଟିଏ ଅଙ୍ଗ ବୋଲିବାକୁ ହେବ, ଏହା ହେଲେ କାବ୍ୟଫଳଦ୍ୱାରା ଏହାର ଫଳବତ୍ତା; ତେବେ ପ୍ରଥମତଃ କାବ୍ୟଫଳ ଜିଜ୍ଞାସ୍ୟ । (କବିରଚିତ ପ୍ରବନ୍ଧକୁ କାବ୍ୟ ବୋଲି)

କାବ୍ୟାଦି ଶାସ୍ତ୍ର ଅଧ୍ୟୟନ କଲେ ଧର୍ମ, ଅର୍ଥ, କାମ, ମୋକ୍ଷ, ଏପରି ଚତୁବର୍ଗ ପ୍ରାପ୍ତିହୁଏ, ଯଥା, ରାମଚନ୍ଦ୍ରଙ୍କ ପରି ସତ୍କାର୍ଯ୍ୟମାନ କରିବା, ରାବଣ ପରି ଅସତ୍କାର୍ଯ୍ୟମାନ କରିବନାହିଁ ଇତ୍ୟାଦି କାର୍ଯ୍ୟାକାର୍ଯ୍ୟରେ ପ୍ରବୃତ୍ତ ହେବା ଓ ନିବୃତ୍ତ ହେବା ଉପଦେଶ ଦ୍ୱାରା କାବ୍ୟରୁ କେବଳ ଚତୁର୍ବର୍ଗପ୍ରାପ୍ତି ଉତ୍ତମରୂପେ ହୁଏ ଯଥା

ଈଶ୍ୱରଙ୍କ ଗୁଣବର୍ଣ୍ଣନ ସ୍ତବାଦିଦ୍ୱାରା ଧର୍ମପ୍ରାପ୍ତି ହୁଏ । ଅର୍ଥପ୍ରାପ୍ତି (ଦ୍ରବ୍ୟପ୍ରାପ୍ତି) ପ୍ରତ୍ୟକ୍ଷସିଦ୍ଧ ।

ଅର୍ଥପ୍ରାପ୍ତି ହେଲେ ସୁତରାଂ କାମପ୍ରାପ୍ତି (ଇନ୍ଦ୍ରିୟପ୍ରୀତି) ହୁଏ ।

କାବ୍ୟରୁ ଧର୍ମଫଳର ଅନୁସନ୍ଧାନ ଦ୍ୱାରା ଓ ମୋକ୍ଷୋପଯୋଗୀ କାବ୍ୟାର୍ଥ ଜ୍ଞାନଦ୍ୱାରା ମୋକ୍ଷପ୍ରାପ୍ତି ହୁଏ ।

ନୀରସ ବେଦଶାସ୍ତ୍ରରୁ ପରିଣତବୁଦ୍ଧି ବ୍ୟକ୍ତିମାନଙ୍କର କେବଳ ଦୁଃଖରେ ଚତୁର୍ବର୍ଗ ପ୍ରାପ୍ତି ହୁଏ ।

ସୁକୁମାରବୁଦ୍ଧି ରାଜକୁମାରମାନଙ୍କର ପରମାନନ୍ଦ ଜନକ କାବ୍ୟଶାସ୍ତ୍ରରୁ ଚତୁର୍ବର୍ଗ ପ୍ରାପ୍ତି ହୁଏ । ଅତଏବ କାବ୍ୟସ୍ୱରୂପ ନିରୂପଣ କରାକର୍ତ୍ତବ୍ୟ ।

କାବ୍ୟସ୍ୱରୂପ କି ? ଦୋଷରହିତ ଓ ଗୁଣସହିତ ଏବଂଚ କୌଣସି ସ୍ଥଳରେ ବ୍ୟକ୍ତାବ୍ୟକ୍ତାଳଂକାର ବିଶିଷ୍ଟ ଶବ୍ଦୀର୍ଥ ଦ୍ୱୟକୁ କାବ୍ୟ ବୋଲି ।

ସେ କାବ୍ୟରେ ଅନିତ୍ୟ ଦୋଷ ଦେଖାଯାଏ ଯେ ଯେବେ ଧ୍ୱନିରେ ଭୂଷିତ ହୋଇଥିବ ତେବେ ତାକୁ ଉତ୍ତମକାବ୍ୟ କୁହାଯିବ; କାରଣ ଏତତ୍ସମ୍ବନ୍ଧେ ଧ୍ୱନିକାର କହିଅଛନ୍ତି କି କାବ୍ୟର ଆତ୍ମାଭୂତ ଧ୍ୱନି ଥିଲେ ତାହାର ଦୋଷ ଧର୍ତ୍ତବ୍ୟ ନୁହେଁ;

ଯେପରି ରତ୍ନମାନେ କୀଟାନୁବିଦ୍ଧ ହେଲେ ତାଙ୍କର ରତ୍ନତ୍ୱ ପରିହାର ନ ହୋଇ ଉପାଦେୟତ୍ୱର ତାରତମ୍ୟ ହୋଇପାରେ; ସେହିପରି ଶ୍ରୁତିକଟ୍ୱାଦି ଦୋଷମାନେ, କାବ୍ୟର କାବ୍ୟତ୍ୱ ହାନି କରିନପାରନ୍ତି ?