ପୃଷ୍ଠା:Alankara Bodhodaya.pdf/୧୯

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୯୪
ବାସୁଦେବ ଗ୍ରନ୍ଥାବଳୀ

ଏହିପରି ଅଗ୍ରେ ନବରସରେ କୁହାଯିବ ।

ଶୃଙ୍ଗାରରେ ଆଲମ୍ବନନାୟକର ସାମାନ୍ୟ ଗୁଣ ଯଥା,

ଦାତା, କୁଶଳ ସଦ୍‌ବଂଶଜ, ଧନଶାଳୀ, ରୂପଯୌବନଉତ୍ସାହୀ, ଶୀଘ୍ର କାର୍ଯ୍ୟକାରୀ, ଲୋକରଞ୍ଜକ, ତେଜସ୍ୱୀ ଓ ଚତୁର ଏବଂ ସୁଶୀଳ ଏହିପରି ଗୁଣ ବିଶିଷ୍ଟ ବ୍ୟକ୍ତିକୁ "ନାୟକ" ବୋଲାଯାଏ । ଏହି ନାୟକ ବିଶେଷ ଗୁଣ ବିଶିଷ୍ଟ ହୋଇ ଚାରିପ୍ରକାର ହୁଏ ।

ଯଥା, ଧୀରୋଦାତ୍ତ, ଧୀରୋଦ୍ଧତ, ଧୀରଲଳିତ, ଧୀରପ୍ରଶାନ୍ତ

ଆତ୍ମପ୍ରଶଂସା ରହିତ, ସହିଷ୍ଣୁ, ଅତିଗମ୍ଭୀର, ହର୍ଷ ଶୋକାଦିରେ ଅନଭିଭୂତ ସ୍ୱଭାବ, ସ୍ଥିରସ୍ୱଭାବ, ବିନୟାଛନ୍ନ ଗର୍ବ ଅଙ୍ଗୀକୃତ ନିର୍ବାହକ, ଏପରି ବ୍ୟକ୍ତିତ୍ୱକୁ, "ଧୀରୋଦାତ୍ତ" କୁହାଯାଏ, ଯଥା, ରାମଚନ୍ଦ୍ର, ଯୁଧିଷ୍ଠିରାଦି ।

ମାୟାବି, ଅତିତେଜସ୍ୱୀ, ଅତିଚଞ୍ଚଳ, ଅହଙ୍କାରୀ, ଆତ୍ମପ୍ରଶଂସାରତ ଏପରି ବ୍ୟକ୍ତିକୁ "ଧୀରୋଦ୍ଧତ" କୁହାଯାଏ, ଯଥା, ଭୀମସେନ, ଦୁଃଶାସନାଦି ।

ଚିନ୍ତାରହିତ, ସର୍ବଦା କୋମଳ ବ୍ୟବହାର, ନୃତ୍ୟଗୀତାଦିରେ ଅନୁରକ୍ତ ଯେ ତାକୁ “ଧୀର ଲଳିତ" କୁହାଯାଏ । ଯଥା, ରତ୍ନାବଲ୍ୟାଦି ନାଟକରେ ବତ୍ସରାଜାଦି ।

ସାମାନ୍ୟ ଗୁଣ ବିଶିଷ୍ଟ ବ୍ରାହ୍ମଣକୁ "ଧୀର ପ୍ରଶାନ୍ତ" କୁହାଯାଏ । ଯଥା, ମାଳତୀମାଧବାଦି ନାଟକରେ ମାଧବାଦି । ଏମାନେ ଶୃଙ୍ଗାର ରସ ରୂପତ୍ୱଭେଦରେ ପ୍ରତ୍ୟେକରେ ଚାରିପ୍ରକାର ହୋଇ ଷୋଡ଼ଶ ପ୍ରକାର ହୁଅନ୍ତି, ଯଥା, ଧୀରୋଦାତ୍ତ - ଦକ୍ଷିଣ, ଧୃଷ୍ଠ, ଅନୁକୂଳ, ଶଠ ରୂପରେ ଚାରିପ୍ରକାର । ଏହିପରି ଧୀରୋଦ୍ଧତ, ଧୀରଲଳିତ, ଧୀରପ୍ରଶାନ୍ତ ।

ଆପଣାର ନାୟିକାମାନଙ୍କଠାରେ ସମାନ ସ୍ନେହଥିବା ବ୍ୟକ୍ତିକୁ “ଦକ୍ଷିଣନାୟକ" ବୋଲାଯାଏ ।

ନାୟିକାଠାରେ ନିର୍ଲଜ୍ଜବ୍ୟବହାରୀ ବ୍ୟକ୍ତିକୁ “ଧୃଷ୍ଟନାୟକ" କୁହାଯାଏ । ଏକନାୟିକାଠାରେ ଆସକ୍ତ ବ୍ୟକ୍ତିକୁ “ଅନୁକୂଳନାୟକ" ବୋଲାଯାଏ । ଗୂଢ଼ାପକାରୀ ଧୂର୍ତ୍ତପୁରୁଷକୁ “ଶଠନାୟକ" କୁହାଯାଏ ।

ଏହି ଷୋଡ଼ଶପ୍ରକାର ନାୟକମାନେ, ଉତ୍ତମ, ମଧମ, ଅଧମ ଭେଦରେ ଅଠଚାଳିଶପ୍ରକାର ହୁଅନ୍ତି । ନାୟକର ସାତ୍ୱିକଗୁଣ ଆଠପ୍ରକାର, ଯଥା, ଶୋଭା, ବିଳାସ, ମାଧୁର୍ଯ୍ୟ, ଗାମ୍ଭୀର୍ଯ୍ୟ, ଧୈର୍ଯ୍ୟ, ତେଜ, ଲଳିତ, ଔଦାର୍ଯ୍ୟ । ଶୋଭା - ଶୂରତା, ସମର୍ଥତା, ସତ୍ୱ, ମହୋତ୍ସାହ, ଅନୁରାଗିତା, ନୀଚଲୋକରେ ଘୃଣା, ଉତ୍ତମଲୋକରେ ଶ୍ରଦ୍ଧା ଥିବାର ନାମ ।