ପୃଷ୍ଠା:Alankara Bodhodaya.pdf/୨୬

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଚତୁର୍ଥ ପରିଚ୍ଛେଦ ଦୋଷ ନିରୂପଣ ରସର ଅପକର୍ଷକାରୀକୁ ଦୋଷ ବୋଲି । ଏହି ଦୋଷ ନାନାପ୍ରକାର ହୋଇ ପଦରେ, ପଦାଂଶରେ, ବାକ୍ୟରେ, ଅର୍ଥରେ ଓ ରସରେ ଏପରି ପାଞ୍ଚ ସ୍ଥଳରେ ହୁଏ । ପ୍ରଥମତଃ ସାମାନ୍ୟରେ ନିମ୍ନଲିଖିତ ଦୋଷମାନେ ପଦରେ ଓ ବାକ୍ୟରେ ପ୍ରତୀତ ହେବେ । ଯଥା, ଦୁଃଶ୍ରବତା, ବ୍ରୀଡ଼ା ଅଶ୍ଳୀଳତା, ଜୁଗୁପ୍‌ସା ଅଶ୍ଳୀଳତା, ଅମଙ୍ଗଳ ଅଶ୍ଳୀଳତା, ଅନୁଚିନ୍ତାର୍ଥତା, ଗ୍ରାମ୍ଯତ୍ବ, ଅପ୍ରତୀତତା, ନେୟାର୍ଥତା, ନିହିତାର୍ଥତା, କ୍ଲିଷ୍ଟତ୍ଵ, ବିରୁଦ୍ଧମତିକାରିତା, ଅପ୍ରଯୁକ୍ତତା, ସନ୍ଧିଗ୍ଧତା, ଅବାଚକତା, ଅବିମୃଷ୍ଟବିଧେୟାଂଶ ଭାବ । ଉଲ୍ଲିଖିତ ଦୋଷମାନଙ୍କ ମଧରୁ କେତେକ ପଦାଂଶରେ ହୁଅନ୍ତି । ନିରର୍ଥକତା, ଅସମର୍ଥତା, ଚ୍ୟୁତସଂସ୍କାରତା ଏହି ତିନିଗୋଟି ଦୋଷ କେବଳ ପଦରେ ହେବ ! ଉକ୍ତ ଦୁଃଶ୍ରବତାଦି ପଞ୍ଚଦଶ ପ୍ରକାର ଦେଷମାନେ ପଦରେ ଯେପରି ପ୍ରକାଶ ହୁଅନ୍ତି, ତାହାର ଉଦାହରଣ ନିମ୍ନରେ ଦିଆଯାଉଅଛି । ଦୁଃଶ୍ରବତା - ପରୁଷବର୍ଣ୍ଣନ ଦ୍ବାରା ଯେ ଶ୍ରୁତିର ଦୁଃଖାବହତାକୁ ଦୁଃଶ୍ରବ ବୋଲି । ଯଥା, ଆପଣଙ୍କ ଦ୍ବାରା ଆମ୍ଭେ କାର୍ତ୍ତ୍ଯାର୍ଥ୍ଯକୁ ପ୍ରାପ୍ତ ହେଲୁଁ । ଅତ୍ର କାର୍ତ୍ତ୍ଯାର୍ଥ୍ଯ ପଦ ଦୁଃଶ୍ରବ । ବ୍ରୀଡାଅଶ୍ଳୀଳତା - ଯଥା, ତୁମର ବିଜୟ ବିଷୟରେ ମହତ୍ ସାଧନ ଅଛି । ଅତ୍ର ସାଧନ ଶବ୍ଦ ଅଧମାଙ୍ଗର ବ୍ୟଞ୍ଜକ ହେବାରୁ ବ୍ରୀଡ଼ାକର ହେଲା । ଜୁଗୁପ୍ସା ଅଶ୍ଳୀଳତା - ଯଥା, (କବିତାବଳୀର ୧୫ ପୃଷ୍ଠାରେ) “ଯେଦିନୁ ହିନ୍ଦୁଏ ଏକତା ଛାଡ଼ିଲେ ପ୍ରମାଦ ପାଡ଼ିଲେ, ଦୁଷ୍ଟ ଯବନେ |" ଅତ୍ର ପାଡ଼ିଲେ, ଶବ୍ଦ ଜୁଗୁପ୍ସା । ଅମଙ୍ଗଳ ଅଶ୍ଳୀଳତା - ଯଥା, (କବିତାବଳୀର ୭ ପୃଷ୍ଠାରେ) “ତରୁଣ ସଙ୍ଗେ ମିଳି ନାନା ରଙ୍ଗରେ ଗମନ୍ତି କାଳ ଆହା କି ଆମୋଦରେ ।" ଅତ୍ର କାଳ ଶବ୍ଦର ସହଯୋଗରେ ଗମନ୍ତି ଶବ୍ଦ ମରଣାର୍ଥର ସୂଚକ ହେବାରୁ ଅମଙ୍ଗଳ ହେଲା ।