ପୃଷ୍ଠା:Ama Deha (BB Patnaik 1940) o.pdf/୧୦୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୯୪
ଆମ ଦେହ

ଚମ ଉପରେ ବାହାରକୁ ଫୁଟିଥାଏ । ଏହି ନଳୀବାଟେ ଝାଳ ବାହାରକୁ ବାହାରେ । ଆମ ଦେହରେ ଅସଂଖ୍ୟ ଅସଂଖ୍ୟ ନଳୀ ଝାଳ ବାହାରିବା ପାଇଁ ରହିଅଛି । ବଡ଼ ବଡ଼ ପଣ୍ଡିତମାନେ ହିସାବ କରି ଦେଖିଛନ୍ତି ଯେ, ଯଦି ଦେହରେ ଥିବା ନଳୀତକ ଧାଡ଼ିକରି ଗୋଟିକ ମୁଣ୍ଡକୁ ଗୋଟିଏ ଲଗାଇ ରଖାଯାଏ ତେବେ ତାହା ୨୮ ମାଇଲ ଲମ୍ଭ ହେବ । ଏହ ନଳୀଗୁଡ଼ିକ ଏଡ଼େ ଛୋଟ ଯେ ଏହା ଖାଲି ଆଖିରେ ଦେଖି ପାରିବା ଅସମ୍ଭବ ।

ଚମ ଭିତରେ କେଶମୂଳଗୁଟିକା ( Hair Follicle) ନାମରେ ଏକପ୍ରକାର ମାଂସଳ କୋଷ ଅଛି । ପିଆଜ ଦେହରୁ ପିଆଜ ସଣ୍ଡା ବାହାରିଲା ପରି ଏହା ଦେହରୁ ବାଳ ଉଠିଥାଏ । ବାଳ ମୂଳରେ ଏକପ୍ରକାର ଛୋଟ ଛୋଟ ମାଂସପେଶୀ ଅଛି । ଦରକାରବେଳେ ଏହା ଟାଣିହୋଇ ଯିବାରୁ ଲୋମ ଟାଙ୍କୁରି ଉଠେ ପ୍ରତ୍ୟେକ କେଶମୂଳଗୁଟିକା ଚାରିପାଖେ ଦୁଇ ଚାରୋଟି କରି ବସାବହ ଗ୍ରନ୍ଥି (Sebacious Glands) ଅଛି । ଏଥିରୁ ଏକ ପ୍ରକାର ତେଲିଆ ଜିନିଷ ବାହାରି ମଳିଚମ ଓ ଲୋମକୁ ତେଲିଆ ଓ ଚିକ୍କଣ ରଖେ, ଏଥିପାଇଁ ତେଲ ନ ଲଗାଇଲେ ମଧ୍ୟ ଲୋମ ଚକ ଚକ କରୁଥାଏ ।

ଉପରେ ଯାହା ସବୁ କୁହାଗଲା ସେଥିରୁ ଜଣାଯାଏ, ଚମ ଯେ ଖାଲି ସ୍ପର୍ଶେନ୍ଦ୍ରିୟ ତାହା ନୁହେ । ଏହା ଭିତରେ ସ୍ବେଦ ଗ୍ରନ୍ଥି ଥିବାରୁ ସେଠାରେ ଝାଳ ତିଆର ହୁଏ ଓ ଝାଳବାଟେ ଦେହ ଭିତରୁ ଅନେକ ମଇଳା ବାହାରିଯାଏ । ଏଥିରୁ ବାଳ ଓ ଲୋମ ଉଠିଥାଏ । ଏଥି ମଧ୍ୟରେ ବସାବ‌ହଗ୍ରନ୍ଥି ଥିବାରୁ ଏକପ୍ରକାର ତେଲିଆ ଜିନିଷ ବାହାରି ଚମ ଓ ଲୋମକୁ ସଦାବେଳେ କୋମଳ