ପୃଷ୍ଠା:Ama Deha (BB Patnaik 1940) o.pdf/୧୦୯

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୯୭

ଦେହର ଅନ୍ୟାନ୍ୟ କେତୋଟି ଯନ୍ତ୍ର ସ୍ୱରଯନ୍ତ୍ର :- ଆମେ ଯେ କଥା କହୁଁ ଏଥିପାଇଁ ଆମ ଦେହରେ ଗୋଟିଏ ଯନ୍ତ୍ର ଅଛି, ଏହାର ନାମ ସ୍ୱରଯନ୍ତ୍ର । ଏହା କେଉଁଠାରେ ଥାଏ, ତାହା ଆଗରୁ ଥରେ କୁହାଯାଇଅଛି । ଗଳକକ୍ଷ ତଳୁ ଶ୍ୱାସନାଳୀ ବାହାରିଅଛି । ଏହି ବାଟେ ନିଃଶ୍ୱାସ ପବନ ଫୁସ୍‌ଫୁସ୍‌କୁ ଯାଏ । ଏହି ଶ୍ୱାସନାଳୀର ପ୍ରଥମ ଭାଗଟା ତଳଭାଗ ଅପେକ୍ଷା ବେଶୀ ଚଉଡ଼ା । ଏଥିରେ ଠିକ ଅଧିଜିହ୍ୱା ମୂଳପାଖକୁ ଲାଗି ସ୍ୱରଯନ୍ତ୍ର ଅଛି । ସପ୍ତସ୍ୱର ବାଜାରେ ଯେପରି କେତେଗୁଡ଼ିଏ ପିତ୍ତଳ ପରଦା (Reed) ଥାଏ ଓ ଉକ୍ତ ବାଜାକୁ ଫୁଙ୍କିଲେ ସେହି ପରଦା ବାଟେ ପବନ ଆସିବାରୁ ତାହା କମ୍ପିଉଠେ ଓ ତହିଁ ସଙ୍ଗେ ସଙ୍ଗେ ସ୍ୱର ବାହାରେ, ସେହିପର ଆମ ସ୍ୱରଯନ୍ତ୍ରରେ ଦୁଇଟି ପରଦା ଅଛି । ଏଥି ସଙ୍ଗେ ମାଂସପେଶୀ ଲାଗି ଅଛି । ଏହି ମାଂସପେଶୀ ଟାଣି ହୋଇଗଲେ ସ୍ୱରଯନ୍ତ୍ରର ପରଦା (Vocal Cord) ଟାଙ୍କି ହୋଇଯାଏ ଓ ସେତେବେଳେ ତ‌ହିଁ ଭିତର ଦେଇ ପବନ ଗଲେ ସ୍ୱର ବାହାରେ । ଭିନ୍ନ ଭିନ୍ନ ମାତ୍ରାରେ ଟାଙ୍କି ହୋଇଗଲେ ଭିନ୍ନ ଭିନ୍ନ ସ୍ୱର ଜାତ ହୁଏ | ହାରମୋନିୟମ୍ କିମ୍ବା ପିଆନୋ ଆଦି ବାଜାରେ ଏତେଗୁଡ଼ିଏ ପରଦା ଥାଇ ସୁଦ୍ଧା ତ‌ହିଁରେ ଯେଉଁ ଯେଉଁ ସ୍ୱର ନ ମିଳେ, ଆମ ଦେହକଲର ସ୍ୱରଯନ୍ତ୍ରରେ ଦୁଇଟି ମାତ୍ର ପରଦା ଥାଇ ଦୁନିଆର ଯାବତୀୟ ସ୍ୱର ତ‌ହିଁରୁ ବାହାରି ପାରେ । ଏହି ଶବ୍ଦ ବାହାରକୁ